Unknown

 

 

 

 

 

 

 

 

 

 

ବୈଦେହୀଶ ବିଳାସ (ପ୍ରଥମ ଖଣ୍ତ)

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ଭୂମିକା

ମହାକାବ୍ୟ ‘ବୈଦେହୀଶବିଳାସ’ ଅମର କବି ଉପେନ୍ଦ୍ର ଭଞ୍ଜଙ୍କର ଶ୍ରେଷ୍ଠ ଅବଦାନ । ଭାବର ଗାମ୍ଭୀର୍ଯ୍ୟରେ, ଭାଷାର ମାଧୁରୀରେ, ଛାନ୍ଦର ଲାଳିତ୍ୟରେ, ଅପରୂପ ଶବ୍ଦ ବିନ୍ୟାସ ଓ ଆଳଙ୍କାରିକ ଶୈଳୀରେ ଏହା ପ୍ରାଚୀନ ଉତ୍କଳ ସାହିତ୍ୟର ଏକ ଅମୂଲ୍ୟରତ୍ନ । ଏକା ଉତ୍କଳ ସାହିତ୍ୟ କାହିଁକି, ବିଶ୍ୱ ସାହିତ୍ୟରେ ଯେ ଏହାର ସ୍ଥାନ ଅତି ଉଚ୍ଚରେ,-ଏହା ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରିବେ-

 

କବିଙ୍କର ଦୁର୍ଭାଗ୍ୟ ଯେ, ସେ ଆମ ଉତ୍କଳ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ପାଶ୍ଚାତ୍ୟ ଦେଶ ତାଙ୍କର ଜନ୍ମଭୂମି ହୋଇଥିଲେ ସେ ବର୍ତ୍ତମାନ ଯେ କୌଣସି ବିଶ୍ୱବିଖ୍ୟାତ କବିଙ୍କର ସମାନ ଆସନରେ ପୂଜା ପାଉଥାନ୍ତେ;– ଏହା ଗତ ‘ବିଜୁଳି’ ‘ଇନ୍ଦ୍ରଧନୁ’ କଳହ ସମୟରେ ତାଙ୍କର ନିତାନ୍ତ ଶତ୍ରୁପକ୍ଷ ମଧ୍ୟ ସ୍ୱୀକାର କରି ଯାଇଅଛନ୍ତି । ଆଧୁନିକ ତଥାକଥିତ ଶିକ୍ଷିତ ତାଙ୍କର କେତେକ ଲେଖାରେ ଅଶ୍ଳୀତାର ଦୋଷ ଦେଖାଇଥାନ୍ତି, ମାତ୍ର ‘ବୈଦେହୀଶବିଳାସ’ ଏ ଦୋଷରୁ ଏକାବେଳକେ ମୁକ୍ତ ।

 

ଏହି କାବ୍ୟରେ ଛାନ୍ଦମାନ ଅନେକ ସ୍ଥଳରେ ସହଜବୋଧ ନ ହେଲେ ମଧ୍ୟ ଗାଆ ଗଣ୍ଡାର ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତଙ୍କ ମନକୁ ଏପରି ଅଧିକାର କରି ରଖିଛି ଯେ, ଗାଈଜଗୁଆଳ ପିଲା ମୁଖରୁ ବି ‘ବିତଳକୁ ଆଲିଙ୍ଗନ’ ଛାନ୍ଦ ବହୁତ ସମୟରେ ଶୁଣାଯାଏ; ଛାନ୍ଦମାନଙ୍କର ମନମୋହନ କରିବାର କ୍ଷମତା ଏଥିରୁ ବେଶ୍‌ ସୂଚିତ ହେଉଅଛି ।

 

ଏହା ପୂର୍ବରୁ ସଟୀକ ବୈଦେହୀଶବିଳାସ କେତେଖଣ୍ଡ ପ୍ରକାଶିତ ହୋଇଥିଲା, ମାତ୍ର ତାହାର ଟୀକା ପୂର୍ଣ୍ଣତା ପ୍ରାପ୍ତ ନୁହେଁ କିମ୍ବା ଛାନ୍ଦର ମାଧୁରୀ ଠିକ୍‌ ରଖାଯାଇନାହିଁ । ଅନେକ ସ୍ଥାନରେ ମଧ୍ୟ ଛାନ୍ଦର ଭାବକୁ ଅଯଥା ପୀଡ଼ିତ ଓ ବିକଳାଙ୍ଗ କରାଯାଇଅଛି । ଏହି ସବୁ ଅଭାବ ଦେଖି, ଉକ୍ତ–ସାହିତ୍ୟରେ ଧୂରୀଣ ନ ହୋଇଥିଲେ ମଧ୍ୟ ଏହି କାବ୍ୟର ଯଥାସାଧ୍ୟପୂର୍ଣ୍ଣ ଯେତେଦୂର ସମ୍ଭବ ଦୋଷ ରହିତ ଟୀକା କରିବାକୁ ମୁଁ ଚେଷ୍ଠା କରିଛି । ଆଉ ମଧ୍ୟ ଏହାର ଚିତ୍ତରଞ୍ଜନ ଓ ସର୍ବାଙ୍ଗସୁନ୍ଦର କରିବାପାଇଁ କେତେଗୋଟି ମନୋହର ଛବି ଏବଂ ଛାନ୍ଦ ନିହିତ କନ୍ଧମାନଙ୍କର ସୁଗମ ପରିଚୟ ଦେବା ପାଇଁ ବନ୍ଧର ନକ୍‌ସାମାନ ଏଥିରେ ଦିଆଯାଇଛି । ଏହାଦ୍ୱାରା ଏ ମହାକାବ୍ୟର ଉପାଦେୟତା ଯେ କେତେ ବଢ଼ିଯାଇଛି, ତା ପାଠକମାନେ ବିବେଚନା କରିବେ ।

 

ପରିଶେଷରେ ନିବେଦନ, ଯେତେପ୍ରକାର ଚେଷ୍ଠା ଓ ପ୍ରରିଶ୍ରମ କରାଗଲେ ମଧ୍ୟ ‘ବୈଦେହୀଶବିଳାସ’ ପରି ମହାକାବ୍ୟର ଟୀକା କରିବାରେ ଯେ ତ୍ରୁଟି ନ ରହିବ, ଏହା ଦୃଢ଼ତାର ସହଜ କୁହାଯାଇ ନ ପାରେ । ତେଣୁ ଏଥିରେ ସ୍ଥାନେ ସ୍ଥାନେ ଦୋଷ ରହିଯାଇଥିବା ଅସମ୍ଭବ ନୁହେ-। ସହୃଦୟ ରସଜ୍ଞ ପାଠକମାନେ ଦୟାକରି ତ୍ରୁଟିମାନ ଦର୍ଶାଇ ଦେଲେ, ଉପଯୁକ୍ତ ବିବେଚିତ ହେଲେ ପରସଂସ୍କରଣରେ ତାହା ସଂଶୋଧନ କରି ନେବି ।

 

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ସୂଚୀପତ୍ର

 

ଛାନ୍ଦ

ବିଷୟ

ପ୍ରଥମ ଛାନ୍ଦ

ବନ୍ଦଇ ଦୀନବାନ୍ଧବ ହରି

ଦ୍ୱିତୀୟ ଛାନ୍ଦ

ବିଦୁଷ ! ଦୂଷଣ ବିବର୍ଜିତ

ତୃତୀୟ ଛାନ୍ଦ

ବିଦୁଷ ହେ ଶୁଣ ରଞ୍ଜନ ରସ

ଚତୁର୍ଥ ଛାନ୍ଦ

ବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ

ପଞ୍ଚମ ଛାନ୍ଦ

ବିଭାକର ବଂଶୀ ଶୁଣି ପୁଲକ ବହି

ଷଷ୍ଠ ଛାନ୍ଦ

ବୁଧେ ସାବଧାନେ ଏହି ଗୀତର

ସପ୍ତମ ଛାନ୍ଦ

ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ

ଅଷ୍ଟମ ଛାନ୍ଦ

ବିଜୟୀବୀର ! ବିଜୟ କର

ନବମ ଛାନ୍ଦ

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ

ଦଶମ ଛାନ୍ଦ

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

ଏକାଦଶ ଛାନ୍ଦ

ବେଳ ଶୁଭଦରେ ପ୍ରବେଶ ଆବେଶ

ଦ୍ୱାଦଶ ଛାନ୍ଦ

ବିଭାବରି ସାରି ବିଳମ୍ବ ଶୁଣି

ତ୍ରୟୋଦଶଛାନ୍ଦ

ବସିଛନ୍ତିଦଶରଥ ସଭା ମଧ୍ୟେ

 

ପ୍ରଥମ ଛାନ୍ଦ

(ରାଗ–ପାହାଡ଼ିଆ କେଦାର)

ବନ୍ଦଇ ଦୀ(ଦି)ନବାନ୍ଧବ ହରି            ୟଯେ ତମଚକ୍ର ଖଣ୍ଡନକାରୀ

ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଈନ ଯେ ।

ବିଭୁ ଅନନ୍ତ–ଅଙ୍କ–ବିହାରୀ            କର ପ୍ରତାପ ସାର ସଞ୍ଚରି

ନିଶାଚରଙ୍କ ଉଲ୍ଲାସ ହରି ପୂଜେ ସୁମନ ଯେ ।

ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ ।

ବଇକୁଣ୍ଠ–ପକ୍ଷକ–ଲୋକ ତୋଷିତ ଯେ ।

ବିକାଶ ଅଖଣ୍ଡିତ–ମଣ୍ଡଳେ            ସିଂହଭାବରେ କ୍ରିଡ଼ିତ କାଳେ

ଭବେ ତରଣି ହୋଇ ମଞ୍ଜୁଳେ ଗିରି ଉଦିତ ଯେ ।୧।

 

୧ମ ପଦ–(ବିଷ୍ଣୁଙ୍କ ପକ୍ଷରେ) ଦୀନବାନ୍ଧବ–ଦରିଦ୍ରର ବନ୍ଧୁ (ବିଷ୍ଣୁ) । ତମ–ରାହୁ । ଚକ୍ର ଖଣ୍ତନ କାରୀ–ଯେ ରାହୁକୁ ଚକ୍ରଦ୍ୱାରା ଛେଦନ କରିଥିଲେ । (ଅନ୍ୟର୍ଥ–ଯେ ଶୋକ ସମୂହକୁ ଛେଦନ କରନ୍ତି) । କମଳାନନ୍ଦ ବିସ୍ତାରି–ଯେ ଲକ୍ଷ୍ମୀଙ୍କର ଆନନ୍ଦ ବଢ଼ାନ୍ତି । ଈନ(ଈ = ଲକ୍ଷ୍ମୀ)–ଲକ୍ଷ୍ମୀପତି । ଅନନ୍ତ–ଅଙ୍କ–ବିହାରୀ–ଅନନ୍ତ ନାଗର କୋଳରେ ଯେ ବିହାର କରୁଥାନ୍ତି । କର ପ୍ରତାପ–ବାହୁ ପରାକ୍ରମ । ନିଶାଚରଙ୍କ–ରାକ୍ଷସମାନଙ୍କର । ସୁମନ–ଦେବତା । ବଇନତେୟ–ଗରୁଡ଼ । ବଇକୁଣ୍ଠ–ପକ୍ଷକ ଲୋକ–ବିଷ୍ଣୁଭକ୍ତ ଲୋକ । ଅଖଣ୍ତିତ ମଣ୍ତଳେ–ସମସ୍ତ ବ୍ରହ୍ମାଣ୍ତରେ । ସିଂହ ଭାବରେ–ନୃସିଂହ ଅବତାରରେ । ଭବେ–ସଂସାରରେ । ତରଣୀ–ନୌକା । ମଞ୍ଜୁଳ–ସୁନ୍ଦର । ଗିରି ଉଦିତ–ନୀଳଗିରିରେ ପ୍ରକାଶିତ । ୧ମ ପଦ–ବିଦୂଷ–ପଣ୍ତିତ । ଦୁଷଣବର୍ଜିତ–ଦୋଷଶୂନ୍ୟ-। ତ୍ୱରିତ–ଶୀଘ୍ର ।

(ସୂର୍ଯ୍ୟଙ୍କ ପକ୍ଷରେ) ଦିନବାନ୍ଧବ–ଦିନର ବନ୍ଧୁ(ସୂର୍ଯ୍ୟ) । ତମ–ଚକ୍ରଖଣ୍ତନକାରୀ–ଯେ ଅନ୍ଧାରସବୁକୁ ନାଶ କରନ୍ତି । କମଳାନନ୍ଦ ବିସ୍ତାର–ପଦ୍ମ ଫୁଲର ଆନନ୍ଦ ବଢ଼ାଇ । ଈନ–ସୂର୍ଯ୍ୟ । ଅନନ୍ତଅଙ୍କ ବିହାରୀ–ଆକାଶ କ୍ରୋଡ଼ରେ ଯେ ବିହାର କରେ । କରପ୍ରତାପ–ତେଜ ପରାକ୍ରମ । ନିଶାଚରଙ୍କ–ପେଚକଙ୍କର । ସୁମନ–ପଣ୍ତିତ ଲୋକ । ବେନତେୟ–ଅରୁଣ । ବୈକୁଣ୍ଠପକ୍ଷକ ଲୋକ–ଇନ୍ଦ୍ର ଯାହାଙ୍କର ସାହାଯ୍ୟକାରୀ । ଅଖଣ୍ତିତ ମଣ୍ତଳେ–ପୂର୍ଣ୍ଣ ଗୋଲାକାର ଭାବରେ । ସିଂହ–ସିଂହ ରାଶିରେ । ଭାବରେ–ଶ୍ରେଷ୍ଠ ଜ୍ୟୋତି (ଭା–ଜ୍ୟୋତି) । ତରଣି–ସୂର୍ଯ୍ୟ । ଗିରି ଉଦିତ–ଉଦୟ ଗିରିରେ ପ୍ରକାଶିତ ।

୧ମ ପଦ–(ବିଷ୍ଣୁଙ୍କ ପକ୍ଷରେ) ଯେଉଁ ଦରିଦ୍ରର ବନ୍ଧୁ ବିଷ୍ଣୁ ରାହୁକୁ ଚକ୍ରଦ୍ୱାରା ଛେଦନ କରିଥିଲେ, (ଯେ ଶୋକ ସମୂହକୁ ଦୂର କରନ୍ତି ବା ଅଜ୍ଞାନତା ବିନାଶ କରନ୍ତି) ଯେ ଲକ୍ଷ୍ମୀଙ୍କର ଆନନ୍ଦ ବଢ଼ାନ୍ତି, ଯେ ଲକ୍ଷ୍ମୀପତି (ଶୋଭାର ଆଧାର), ଯେ ଅନନ୍ତ ନାଗର କୋଳରେ ବିହାର କରନ୍ତି, ଯାହାର ବାହୁ ପରାକ୍ରମରେ ଅସୁରମାନଙ୍କ ଆନନ୍ଦ ହରଣ ହୋଇଥାଏ, ଯାହାଙ୍କୁ ଦେବତାମାନେ ପୂଜା କରନ୍ତି, ଯାହାଙ୍କ ଆଗରେ ଗରୁଡ଼ ସର୍ବଦା ଅବସ୍ଥାନ କରିଥାଏ, ଯେ ବିଷ୍ଣଭକ୍ତ ଲୋକମାନଙ୍କୁ ତୋଷ କରନ୍ତି, ଯେ ସମସ୍ତ ବ୍ରହ୍ମାଣ୍ତରେ ପ୍ରକାଶିତ ହୋଇ ଅଛନ୍ତି, ଯେ ନୃସିଂହ ଅବତାରରେ ସମୟରେ ବିହାର କରିଥିଲେ, ଯେ ସଂସାରରୂପ ସାଗରରୂପ ସାଗରରେ ନୌକାସ୍ୱରୂପ ଅଟନ୍ତି, ଯେ ନୀଳଗିରିରେ (ଶ୍ରୀକ୍ଷେତ୍ରରେ) ପ୍ରକାଶିତ ହୋଇ ଅଛନ୍ତି, ସେହି ବିଷ୍ଣୃଙ୍କୁ ବନ୍ଦନା କରେ ।

(ସୂର୍ଯ୍ୟଙ୍କ ପକ୍ଷରେ) ଦିବସର ବନ୍ଧୁ ଯେଉଁ ସୂର୍ଯ୍ୟ ଅନ୍ଧକାର ସମୂହକୁ ନାଶ କରନ୍ତି, ଯେ ସର୍ବଦା ପଦ୍ମର ଆନନ୍ଦ ବଢ଼ାନ୍ତି, ଯେଉଁ ସୂର୍ଯ୍ୟ (ଈନ) ସ୍ୱୀୟ କିରଣରେ ଚତୁର୍ଦ୍ଦିଗକୁ ଉଜ୍ଜ୍ୱଳ କରନ୍ତି, ଯେ ଅନନ୍ତ ଆକାଶ କୋଳରେ ବିହାର କରନ୍ତି, ଯାହାଙ୍କର ତେଜପ୍ରଭାରେ ପେଚକଙ୍କ ଆନନ୍ଦ ଦୂର ହୁଏ, ପଣ୍ତିତମାନେ ଯାହାଙ୍କୁ ପୂଜା କରନ୍ତି, ଯାହାଙ୍କ ଆଗରେ ଅରୁଣ ସର୍ବଦା ବିଦ୍ୟମାନ, ଇନ୍ଦ୍ର ଯାହାଙ୍କର ସାହାଯ୍ୟକାରୀ, ଯାହାଙ୍କ ଦର୍ଶନରେ ଲୋକମାନେ ସନ୍ତୋଷ ଲାଭ କରନ୍ତି, ଯେ ପୂର୍ଣ୍ଣ ଗୋଲକାର ରୂପରେ ବିଦ୍ୟମାନ, ସିଂହମାସରେ ଯାହାଙ୍କ ତେଜ ଶ୍ରେଷ୍ଠତ୍ୱ ଲଭିଥାଏ, ଯେ ସଂସାରରେ ତରଣି ନାମରେ ପ୍ରସିଦ୍ଧ, ଯେ ପ୍ରତ୍ୟହ ଉଦୟ ପର୍ବତରେ ଉଦିତ ହୁଅନ୍ତି, ସେହି ସୂର୍ଯ୍ୟଦେବଙ୍କୁ ବନ୍ଦନା କରେ ।

 

ବହିତ ଯେହୁ ରୋହିତମୂର୍ତ୍ତି                  ଶ୍ରୁ(ସୃ)ତି ରଞ୍ଜନକାରକ ଅତି,

ହଂସ ହୋଇଣ ଯାହା ପ୍ରଶସ୍ତି ଅଛି ପ୍ରବର୍ତ୍ତି ଯେ।

ବିରାଜ ରୂପ ଯାହାର ପୁଣି                  ଦ୍ୱିଜଚକ୍ର ଯା ଦର୍ଶନ ଗୁଣି,

ଆତ୍ମଭୂପର ସଂସାରେ ଭଣି କି ଶୁଭ୍ରକିର୍ତ୍ତି ଯେ।

ବୁଧଜନକ–ଶିବଭୂଷଣ ଯେହି ଯେ।

ବିନୟରୁ ଯେ ଆନ ବାଣୀ ନ କହି ଯେ।

ବଳି ଯାହାକୁ ସର୍ବଦା ନାହିଁ                   ଦ୍ୱୀ(ଦ୍ୱି)ପ ପ୍ରସନ୍ନ କରତା ସେହି,

ପୁନତ ଧର୍ମ ସ୍ୱରୁପଗ୍ରାହୀ କି ସ୍ତୁତି ତହିଁ ଯେ ।୨।

 

୨ୟ ପଦ–(ବିଷ୍ଣୁଙ୍କ ପକ୍ଷରେ) ବହିତ–ବହନ କରି । ରୋହିତ ମୂର୍ତ୍ତି–ରୋହିତ ମତ୍ସ୍ୟସ୍ୱରୂପ-। ଶ୍ରୁତି–ରଞ୍ଜନକାରକ–ବେଦର ମଣ୍ତନକାରୀ । ହଂସ–ପରମାତ୍ମା । ପ୍ରଶସ୍ତି–ଯଶ, ପ୍ରସିଦ୍ଧ । ବିରାଜ ରୂପ–ବିରାଟ ରୂପ । ଦ୍ୱଜଚକ୍ର–ବ୍ରାହ୍ମଣ ସମୂହ । ଆତ୍ମଭୂ–ବ୍ରହ୍ମା, କନ୍ଦର୍ପ । ପର–ଶ୍ରେଷ୍ଠ । ବୁଧଜନକ(ଚନ୍ଦ୍ର)–ଶିର ଭୂଷଣ–ଚନ୍ଦ୍ର ଶିରରେ ଭୂଷିତ ଯାହାର ଅର୍ଥାତ ମହାଦେବ । ଦ୍ୱିପ–ହାତୀ । ଧର୍ମ ସ୍ୱରୂପଗ୍ରାହୀ–ଧାର୍ମିକର ରକ୍ଷାକର୍ତ୍ତା । କି ସ୍ମୃତି ତହିଁ–ସେଠାରେ କି ସ୍ତୁତି କରିବି ? ଅର୍ଥାତ୍‌ ସ୍ତୁତି କରି ହେବ ନାହିଁ ।

(ସୂର୍ଯ୍ୟଙ୍କ ପକ୍ଷରେ) ରୋହିତ–ରକ୍ତବର୍ଣ୍ଣ । ସତି–ବାଟ । ହଂସ–ସୂର୍ଯ୍ୟଙ୍କୁ ଅପର ନାମ । ଦ୍ୱିଜ–ପକ୍ଷୀ । ଚକ୍ର–ଚକ୍ରବାକ(ଚକୁଆ) । ବୁଧଜନ–ପଣ୍ଡିତବ୍ୟକ୍ତି । କ–ଭୂଷଣ ଶିରୋମଣି । ଦ୍ୱୀପପ୍ରସନ୍ନକରତା–ସପ୍ତ ଦ୍ୱୀପର ଉଜ୍ଜ୍ୱଳକର୍ତ୍ତା । ଧର୍ମ ସ୍ୱରୂପଗ୍ରାହୀ–ଯେ ଧର୍ମ ନାମରେ ଅଭିହିତ ।

୨ୟ ପଦ–ବାମଦେବ–ଶିବ । ଦେବରାଜ–ଇନ୍ଦ୍ର । ଗୁରୁ–ବୃହସ୍ପତି । ସୁମନେ–ଦେବଗଣ-

୨ୟ ପଦ–(ବିଷ୍ଣୁଙ୍କର ପକ୍ଷରେ) ଯେଉଁ ବିଷ୍ଣୁ ରୋହିତ ମତ୍ସ୍ୟର ରୂପ ଧାରଣ କରିଥିଲେ, ବେଦରେ ଯେ ପରମାତ୍ମା ବୋଲି ଖ୍ୟାତି ଲାଭ କରିଅଛନ୍ତି, ଯେ ବିରାଟ ରୂପବାନ୍‌, ବ୍ରାହ୍ମଣମାନେ ଯାହାଙ୍କ ଦର୍ଶନ ପାଇବାପାଇଁ ସର୍ବଦା ଗୁଣି ହେଉଛନ୍ତି, ଯେ କନ୍ଦର୍ପଠାରୁ ବେଶି ରୂପବାନ୍‌ (ଅଥବା ବ୍ରହ୍ମାଙ୍କଠାରୁ ଉତ୍କୃଷ୍ଟ), (ଯାହାଙ୍କର କୀର୍ତ୍ତିସମୂହ ଶୁଭ୍ରବର୍ଣ୍ଣ, ମହାଦେବ ଯାହାଙ୍କ ସହିତ ବିନୀତ ଭାବରେ କଥାବାର୍ତ୍ତା କରନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ତରେ ବଳବାନ୍‌ ଆଉ କେହି ନାହାନ୍ତି, ଯେ ଗଜକୁ ଆନନ୍ଦ ପ୍ରଦାନ କରିଥିଲେ (କୁମ୍ଭୀର ମୁଖରୁ ରକ୍ଷା କରି), ଯେ ଧାର୍ମିକର ରକ୍ଷାକର୍ତ୍ତା, ଏପରି ଯେ ବିଷ୍ଣୁ ତାଙ୍କୁ କେଉଁ ବାକ୍ୟରେ ବା ସ୍ତୁତି କରିବି ?

(ସୂର୍ଯ୍ୟଙ୍କ ପକ୍ଷରେ) ଯେଉଁ ସୂର୍ଯ୍ୟ ରକ୍ତବର୍ଣ୍ଣ ମୂର୍ତ୍ତି ଧାରଣ କରନ୍ତି, ଯେ ମାର୍ଗର ଶୋଭା ବଢ଼ାନ୍ତି, ଯାହାଙ୍କର ନାମ ହଂସ, ଯାହାଙ୍କର ବିରାଜମାନ ରୂପକୁ ଦର୍ଶନ କରିବାପାଇଁ ଚକ୍ରବାକ ସର୍ବଦା ଗୁଣି ହେଉଥାଏ, ଯେହୁ ଶ୍ରେଷ୍ଠ ବ୍ରହ୍ମ ବୋଲି ଖ୍ୟାତ, ଯାହାଙ୍କର କିରଣ ଅତ୍ୟନ୍ତ ଶଭ୍ର, ପଣ୍ତିତମାନେ ଯାହାଙ୍କୁ ସର୍ବଦା ବିନୟ ହୁଅନ୍ତି, ଯାହାଙ୍କର ତେଜକୁ ବଳି ଶ୍ରେଷ୍ଠ ତେଜୀୟାନ ଆଉ କେହି ନାହିଁ, ଯେ ସପ୍ତଦ୍ୱୀପର ଉଜ୍ଜ୍ୱଳକର୍ତ୍ତା ପୁଣି ଯେ ଧର୍ମ ନାମରେ ଅଭିହିତ, ଏପରି ଯେ ସୂର୍ଯ୍ୟଦେବ, ତାଙ୍କୁ କିପରି ବା ସ୍ତୁତି କରିବି ?

 

ବିଷ୍ଟରଶ୍ରବା ବ୍ରହ୍ମାଣ୍ଡେଶ୍ୱର                  ପରମ ପଦ ଭଜିଲା ନର,

ଲଭେ ଏ ଘେନି ଗ୍ରନ୍ଥ ଆଦ୍ୟର ଭାବିତ ତାଙ୍କୁ ଯେ।

ବଂଶ ଯାହାରିଠାରୁ ଉତ୍ପତ୍ତି                    କବି ବିଚାରେ ସେ ଦେବେ ସ୍ତୁତି,

ବିଧାନ କରି ଅତି ସୁମତି ଆଣ ମନକୁ ଯେ।

ବର୍ଣ୍ଣ ଅଭଙ୍ଗସଭଙ୍ଗରେ ଏ ଶ୍ଳେଷ ଯେ।

ବୁଝ ସ୍ଥାନ ସ୍ଥାନକେ କରି ପ୍ରକାଶ ଯେ।

ବଳାଇ ଚିତ୍ତ ଅନବରତ                  ଭାଗ୍ୟେ ଗ୍ରହଣ ତାରକ ମନ୍ତ୍ର,

ସୀତା ଶ୍ରୀରାମ ଚରିତ ଗୀତ କୃତେ ଲାଳସ ଯେ ।୩।

 

୩ୟ ପଦ–ବିଷ୍ଟରଶ୍ରବା–(ବିଷ୍ଟର–କୁଶମୁଷ୍ଟ, ଶ୍ରବା–ଶ୍ରବଶ ଯାହାର) ବିଷ୍ଣୁ । ବ୍ରହ୍ମାଣ୍ତେଶ୍ୱର–ଜଗତ୍‌କର୍ତ୍ତା । ପରମପଦେ–ବୈକୁଣ୍ଠ । ସୁମତି–ପଣ୍ତିତ ବ୍ୟକ୍ତି । ଶ୍ଳେଷ–ଦୁଇ ଅର୍ଥ ପ୍ରକାଶକ ଅଳଙ୍କାର । ୩ୟ ପଦ– କ୍ଷୋଭିତ–ତ୍ରସ୍ତ । ଭୀତେ–ଭୟରେ । ବ୍ରହ୍ମା ପ୍ରମୁଖରେ–ବ୍ରହ୍ମାଙ୍କ ଅଗ୍ରଣୀରେ । ବିଶ୍ୱମ୍ଭର–ବିଷ୍ଣୁ ।

୩ୟ ପଦ–ଜଗତ୍‌କର୍ତ୍ତା ବିଷ୍ଣୁଙ୍କୁ ଭଜନ କରିବା ବ୍ୟକ୍ତି ବୈକୁଷ୍ଣ ପ୍ରାପ୍ତ ହୁଏ । ଆଉ ମଧ୍ୟ ସୂର୍ଯ୍ୟଦେବଙ୍କଠାରୁ ସୂର୍ଯ୍ୟବଂଶର ଉଦ୍ଭବ ହୋଇଛି । ତେଣୁ ବିଷ୍ଣୁ ଓ ସୂର୍ଯ୍ୟଙ୍କ ସ୍ତୁତି କରି ଗ୍ରନ୍ଥ ଆରମ୍ଭ କରିବି । ହେ ବୁଦ୍ଧିମାନ୍‌ ପଣ୍ତିତମାନେ ! ଏ ବିଷୟ ମନକୁ ଆଣ । ବର୍ଣ୍ଣର ଅଭଙ୍ଗ ଓ ସଭଙ୍ଗ ଦୁଇ ଅର୍ଥବୋଧକ ଶେଷ ଅଳଙ୍କାରରେ ସ୍ଥାନେ ସ୍ଥାନେ ଏହା ପ୍ରକାଶ କରିବି । ସବୁବେଳେ କବିତା ଲେଖିବାକୁ ମନ ବଳାଇଥିଲି । ଭାଗ୍ୟକୁ ରାମତାରକ ମନ୍ତ୍ର ଗ୍ରହଣ କଲି । ସେହି ମନ୍ତ୍ର ପ୍ରସାଦରୁ ମୋହର କବିତ୍ୱର ସ୍ଫୁର୍ତ୍ତି ହେଲା, ତେଣୁ ସୀତା ରାମଙ୍କ ଚରିତମାନ ଗୀତରେ ରଚନା କରିବାକୁ ଅଭିଳାଷ ହେଲା ।

 

ବାଲ୍ମୀକି, ବ୍ୟାସ, କବି ଯହିଁରେ                  ମହାକାବ୍ୟ କେ ପୁରାଣ କରେ,

ମହାନାଟକ ବାତସୁତରେ ହେଲେ ରଚିତା ଯେ।

ବିହିଲେ କାବ୍ୟ ଯେ କାଳିଦାସେ            ଚମ୍ପୂ ରଚନା ଭୋଜନରେଶେ,

କୃପାସିଦ୍ଧାଏ ଗୀତ ପ୍ରକାଶେ ଛାଡ଼ିଲି ଚିନ୍ତା ଯେ।

ବିବେକହିଁ ଉଦୟ ଏମନ୍ତ ଧ୍ୟାୟି ଯେ।

ବ୍ୟୋମେ ତାରକା ଯେବେ ଝଲକୁଥାଇ ଯେ।

ବିଭାବରୀରେ ଜ୍ୟୋତିରିଙ୍ଗଣ                  ଗଣ ଜ୍ୟୋତିକି ଦେଖାନ୍ତି ପୁଣ।

ସୁଜନେ ସାବଧାନରେ ଶୁଣ ଛାନ୍ଦ ରଚଇ ଯେ ।୪।

 

୪ର୍ଥ ପଦ–ବାତସୁତ–ହନୁମାନ । କୃପାସିଦ୍ଧା–ସିଦ୍ଧିକବି ବଳରାମ ଦାସ । ବ୍ୟୋମ–ଆକାଶ । ବିଭାବରୀ–ରାତ୍ର । ଜ୍ୟୋତିରିଙ୍ଗଣଗଣ–ଜୁଳୁ ଜୁଳା ପୋକ ସବୁ ।

୪ର୍ଥ ପଦ–ଯେଉଁ ରାମସୀତାଙ୍କ ବିଷୟ ନେଇ ବାଲ୍ମୀକି ରାମାୟଣ, ବ୍ୟାସଦେବ ଅଧ୍ୟାତ୍ମ୍ୟ ରାମାୟଣ, ହନୁମାନ ମହାନାଟକ, କାଳିଦାସ ରଘୁବଂଶ କାବ୍ୟ, ଭୋଜରାଜ ଚମ୍ପୁ, ସିଦ୍ଧି କବି ବଳରାମ ଦାସ ଦାଣ୍ତି ରାମାୟଣ ପ୍ରଭୃତି ଗ୍ରନ୍ଥ ରଚନା କରିଯାଇ ଅଛନ୍ତି; ମୁଁ ବା ଅଧିକା ଆଉ କ’ଣ ଲେଖିବି ? ତେଣୁ ମୁଁ ତାହା ରଚନା କରିବାପାଇଁ ବଡ଼ ସଙ୍କୁଚିତ ହେଉଥିଲି । ମାତ୍ର ରାତ୍ରିରେ ଉଜ୍ୱଳ ତାରକାଗଣ ଆକାଶରେ ବିଦ୍ୟମାନ ଥିଲେହେଁ, ଜୁଳୁଜୁଳା ପୋକମାନେ ସେମାନଙ୍କର ଜ୍ୟୋତି ପ୍ରକାଶ କରିଥାନ୍ତି, ଏହି କଥା ଭାବି ମୁଁ ଗ୍ରନ୍ଥ ରଚନା କରିବାକୁ ମନ ବଳାଇଛି । ହେ ସୁଜନମାନେ; ସାବଧାନରେ ଶୁଣ ।

 

ବିଦ୍ୟୁତକେଶ ବଂଶରେ ଜାତ,                  ସୁମାଳୀ ମାଳୀ ଯେ ମାଲ୍ୟବନ୍ତ,

ସ୍ୱର୍ଗ ଲୁଣ୍ଠନେ ଅହି ଅହିତ ଧିଆନ କରି ଯେ।

ବିଧୂ–ସମରେ ଜ୍ୟୋତି ଜ୍ୱଳିତ                  ବିଧୂ ସମରେ ହେଲେ ଆଗତ

ସେ ଆରୋହିତ ଅହି–ଅହିତ ଗଦାବ୍‌ଜ ଧରି ଯେ।

ବଜାଇଣ ଶଙ୍ଖାରି କରଣେ ଘାତ ଯେ।

ବଧ କଲେ ଶଙ୍ଖାରି ଦ୍ୱିତୀୟ ଭ୍ରାତ ଯେ।

ବଡ଼ଭୀ ଲଭି ପାତାଳେ ଲୁଚି                  ଲଙ୍କା ବଡ଼ଭିପୁରକୁ ମୁଞ୍ଚି,

ଲଙ୍କା ଯେ ଦଣ୍ଡ ପାଣିରେ ରଚି ଭୟ ଯେମନ୍ତ ଯେ ।୫।

 

୫ମ ପଦ–ଅହି–ଅହିତ–(ଅହି–ବୃତ୍ତ୍ରାସୁର, ତାହାର ଯେ ଅହିତାଚରଣ କରିଥିଲେ) ଇନ୍ଦ୍ର-। ବିଧୁ–ସମରେ–ଚନ୍ଦ୍ର ସମାନରେ । ଜ୍ୟୋତିଜ୍ୱଳିତ–ଦେବିପ୍ୟମାନ । ବିଧୁସମରେ–ଦେବ ଯୁଦ୍ଧରେ । ଅହି–ଅହିତ–ଗରୁଡ଼ [ଅହି–ସର୍ପ, ଯେ ସେମାନଙ୍କର ଅହିତାରଣ କରେ]। ଗଦାବ୍‌ଜ–ଗଦାପଦ୍ମ । ଶଙ୍ଖାରି–ଶଙ୍ଖ ଓ ଚକ୍ର । ଶଙ୍ଖାରି–(ଶଙ୍ଖ+ଅରି) ଅର୍ଥାତ୍‌ ଶଙ୍ଖ ନାମକ ରାକ୍ଷସର ଶତ୍ରୁ, ବିଷ୍ଣୁ । ଦଣ୍ତପାଣି–ଦଣ୍ତୁଆସି ।

୫ମ ପଦ–ବିଦ୍ୟୁତକେଶ ରାକ୍ଷସବଂଶରେ ମାଳୀ, ସୁମାଳୀ ଓ ମାଲ୍ୟବନ୍ତ ନାମରେ ତିନି ପୁତ୍ର ଜାତ ହୋଇଥିଲେ । ସେମାନେ ସ୍ୱର୍ଗ ଲୁଟି କରନ୍ତେ ଇନ୍ଦ୍ର ବିଷ୍ଣଙ୍କୁ ଧ୍ୟାନ କଲେ । ଚନ୍ଦ୍ର କିରଣ ପରି ଜ୍ୟୋତିର୍ମୟ ବିଷ୍ଣ ଗରୁଡ଼ ଆରୋହଣ କରି, ଗଦା ପଦ୍ମ ହସ୍ତରେ ଧରି ଦେବାସୁର ଯୁଦ୍ଧରେ ଉପସ୍ଥିତ ହେଲେ । ସେ ଚକ୍ରାଘାତରେ ମାଳୀ ଓ ମାଲ୍ୟବନ୍ତ ରାକ୍ଷସକୁ ବଧ କରି ଶଙ୍ଖନାଦ କଲେ । ତାହା ଦେଖି ସୁମାଳୀ ଅତ୍ୟନ୍ତ ଭୀତ ହୋଇ ବିଟପୀ ସ୍ତ୍ରୀ ରାଜଦଣ୍ତୁଆସିକୁ ଡରି ଲୁଚିଲା ପରି, ଲଙ୍କାଗଡ଼ ତ୍ୟାଗ କରି ପାତାଳରେ ଲୁଚିଲା ।

ବାହାର ପୁଣ୍ୟଜନେ ହୋଇଲେ            ବିହାର ପୁଣ୍ୟଜନେ ବିହିଲେ,

ରଞ୍ଜନ ପୁଣ୍ୟଜନେ କୁବେରେ ସେ ଦୀପ୍ତିମାନ ଯେ।

ବାସ ନଗର ପାଶ ନଗର        ନଗର ତଳେ କରି ସତ୍ଵର,

ଜଗତତାତ–ସୁତ–କୁମର କଲେ ସେ ସ୍ଥାନ ଯେ।

ବହୁ ସମୟ ଅନ୍ତେ ଏହି ପ୍ରକାରେ ଯେ।

ବାର୍ତ୍ତା ପାଇ ସୁମାଳୀ ଏମାନ ଚାରେ ଯେ।

ବିଶ୍ରବାଋଷିର ସନ୍ନିଧିକି             ନେଲା ଦୁହିତା ରସନିଧିକି

ଶୋଭାରେ କରେ ସେ ଧିକି ଧିକି ନାରୀମାତରେ ଯେ ।୬।

୬ଷ୍ଠ ପଦ–ପୁଣ୍ୟଜନେ–ରାକ୍ଷସମାନେ । ପୁଣ୍ୟଜନେ–ଉତ୍ତମ ଲୋକମାନେ । ପୂଣ୍ୟଜନ–ଯକ୍ଷଗଣ । ବାସ ନଗର–ଲଙ୍କାପୁର । ପାଶ ନଗର–ପାଖରେ ଥିବା ପର୍ବତ, ସୁବଳ । ନଗର ତଳେ–ବୃକ୍ଷ ମୂଳରେ । ଜଗତ–ତାତ–ସୁତ–କୁମର–(ଜଗତ ତାତ = ବ୍ରହ୍ମା, ତାଙ୍କ ସୁତ ପୁଲସ୍ତ୍ୟ, ତାଙ୍କ କୁମର) ବିଶ୍ରବା ଋଷି । ଧିକି ଧିକି କରେ–ନିନ୍ଦାକରେ ।

୬ଷ୍ଠ ପଦ–ରାକ୍ଷସମାନେ ଲଙ୍କାସୁରରୁ ବାହାର ହୋଇଗଲେ, ଉତ୍ତମ ଲୋକମାନେ ଆସି ତହିଁରେ ବିହାର କଲେ, କୁବେର ଯକ୍ଷମାନଙ୍କ ସହିତ ସେଠାରେ ବାସ କରିବାରୁ ତାହା ଅଶେଷ ଶୋଭା ଧାରଣ କଲା । ଲଙ୍କା ନଗରର ଅଦୂରରେ ଥିବା ସୁବଳ ପର୍ବତର ନିମ୍ନଦେଶରେ ଗୋଟିଏ ବୃକ୍ଷ ମୂଳକୁ ଭଲ ସ୍ଥାନ ମନେକରି ବିଶ୍ରବା ଋଷି ସେହିଠାରେ ବାସ କଲେ । କେତେକ ଦିନପରେ ସୁମାଳୀ ଏ ସମସ୍ତ ବିଷୟ ଚାରଦ୍ୱାରା ଶୁଣିପାରି, ଶୃଙ୍ଗାର ରସର ନିଧି ଅଟେ ଯେ ଦୁହିତା (ନିକଷା) ତାହାକୁ ବିଶ୍ରବା ଋଷିଙ୍କ ନିକଟକୁ ନେଲା । ସେହି କନ୍ୟା ନିଜର ଶୋଭାରେ ସମସ୍ତ ନାରୀଙ୍କୁ ଧିକ୍‌କାର କରୁଥିଲା ।

 

ବାଙ୍କେ ଅନାଇଁ ଅଙ୍କେ ପକାଇ                  ସେ ପଙ୍କେରୁହ ଶରକୁ ନେଇ

ଶଙ୍କେ ମଦନ ଆତଙ୍କେ ତହିଁ ମୁନିଉତ୍ତମ ଯେ।

ବୋଲେ ସୁନ୍ଦରୀ କୋଳେ ମୋ ବସ            ତୁଲେ ମଜ୍ଜ ତୋ ହୋଇବି ତୋଷ

ଭୁଲେ ତୋ ରୂପେ ମୋର ମାନସ ପ୍ରକାଶ ପ୍ରେମରେ।

ବାମା ଓଳଗି ସନମତ କରାଇ ଯେ।

ବହ୍ନି ସାକ୍ଷିରେ ବିଭାଭାବ ବଢ଼ାଇ ଯେ।

ବେଗେ ସୁରତ ରତ ସନ୍ଧ୍ୟାରେ            ସନ୍ଧ୍ୟାମଟ୍ଟୀ ସେ ତାର ଗର୍ଭରେ

ଜାତ ହୋଇଲେ ରକ୍ଷ ଶରୀରେ ସୁତ ତନୟୀ ଯେ ।୭।

 

୭ମ ପଦ–ଅଙ୍କ–କ୍ରୋଡ଼ । ପଙ୍କେରୂହ–ପଦ୍ମ । ମଦନ ଆତଙ୍କେ–କନ୍ଦର୍ପ ଭୟରେ । ରକ୍ଷଶରୀରେ–ଅସୁର ଦେହରେ । ସନ୍ଧ୍ୟାମଟ୍ଟୀ–ରାତ୍ରି ଚରୀ, ରାକ୍ଷସୀ ।

୭ମ ପଦ–ସେହି କନ୍ୟା ଋଷିଙ୍କି ବକ୍ରଭାବରେ ଅନାଇ, ତାଙ୍କ ଉପରେ ନିଜର ଶର ରୂପ ପଦ୍ମନେତ୍ର ନିକ୍ଷେପ କଲା (କଟାକ୍ଷ ପାତକଲା); ତେଣୁ ମୁନିଶ୍ରେଷ୍ଠ ବିଶ୍ରବା କନ୍ଦର୍ପ ଭୟରେ ଭୀତ ହୋଇ କହିଲେ, ‘‘ହେ ସୁନ୍ଦରୀ ! ମୋ କୋଳରେ ବସ ତୋ ସହିତ ମଜ୍ଜି ମୁଁ ସନ୍ତୁଷ୍ଟ ହେବି । ତୋହର ରୂପଶୋଭା ଦେଖି ମୋ ମନ ଭୁଲିଗଲା, ତୁ ପ୍ରେମ ପ୍ରକାଶ କର ।’’ ଋଷି ଏହା କହିବାକୁ କନ୍ୟା ତାଙ୍କୁ ଓଳଗି ହୋଇ ସମ୍ମତ ପ୍ରକାଶ କଲା । ଋଷି ଅଗ୍ନି ସାକ୍ଷିକରି ବିବାହକାର୍ଯ୍ୟ ବଢ଼ାଇଲେ । ସନ୍ଧ୍ୟା ସମୟରେ ତାହା ସହିତ ସୁରତରେ ରତ ହେଲେ । ସେ ତ ରାକ୍ଷସୀ, ତେଣୁ ତାହା ଗର୍ଭରୁ ରାକ୍ଷସ ଶରୀରରେ ପୁତ୍ର ଓ କନ୍ୟା ଜାତ ହେଲେ ।

 

ବିଂଶତିଭୁଜ ଦଶାନନରେ                    କି ଦଶା ଦେବ ଦେବ କିନ୍ନରେ,

ନର ନାଗରେ ଧରଣୀ ଥରେ ହେଉଁ ପତନ ଯେ।

ବିକଟରୂପ ପ୍ରକଟ ଅତି                  ରକତ ପରା ବ୍ୟକତ କାନ୍ତି,

ଘଟଣ ଘଟ ସଦୃଶ ଶ୍ରୁତି ଭୈରବ ସ୍ୱନ ଯେ।

ବଧୀରତା ନିକଟ ଶୁଣିଲା ଜନ ଯେ।

ବିଗତ ସେ ଭୀଷଣେ ତିନି ନନ୍ଦନ ଯେ।

ବୋଇଲେ ସେ ଦଶ ବଦନ,                  କୁମ୍ଭ–ଶ୍ରବଣ ସେ ବିଭୀଷଣ

ନନ୍ଦିନୀ ସୂର୍ପଣଖାର ନଖ ସୂର୍ପସମାନ ଯେ ।୮।

 

୮ମ ପଦ–ନର ନାଗରେ–ନର ଲୋକରେ ଓ ନାଗ ଲୋକରେ । ଘଟସଦୃଶ–ମାଠିଆପରି । ଘଟଣ–ଗଢ଼ଣ । ଶ୍ରୁତି–କର୍ଣ୍ଣ । ଭୈରବ–ଭୟଙ୍କର । ବିଗତ–ରହିତ । ସୂର୍ପସମାନ–କୁଲାପରି ।

୮ମ ପଦ–କୋଡ଼ିଏ ହାତ, ଦଶମୁଖ ବିଶିଷ୍ଟ ପୁତ୍ରର ଗର୍ଭରୁ ପତନ ହୁଅନ୍ତେ ‘ଦେବ କିନ୍ନର ନର ନାଗ ଲୋକଙ୍କୁ କି ଦଶା ଦେବ ?’–ଏହା ଭାବି ଧରଣୀ କମ୍ପିଲା । ଅତି ବିକଟାଳ ରୂପବିଶିଷ୍ଟ ରକ୍ତବର୍ଣ୍ଣ କାନ୍ତି, ମାଠିଆ ପରି କାନକୁ ଧାରଣ କରି ଦ୍ୱିତୀୟ ପୁତ୍ର ଜାତ ହେଲା । ତାହାର ଶବ୍ଦରେ ନିକଟରେ ଥିବା ଲୋକମାନେ ବଧିର ହୋଇଗଲେ । ଭୀଷଣ ରହିତ (ଅର୍ଥାତ୍‌ ସୁନ୍ଦର) ତୃତୀୟ ପୁତ୍ର ଜାତ ହେଲା । ସେମାନେ ଦଶାନନ, କୁମ୍ଭକର୍ଣ୍ଣ, ବିଭୀଷଣ ନାମରେ ଖ୍ୟାତ ହେଲେ । ଯେଉଁ କନ୍ୟା ଜାତ ହେଲା, ତାହାର ନଖସବୁ କୁଲାପରି ଥିବାରୁ ତାହାର ନାମ ସୂର୍ପଣଖା ହେଲା ।

 

ବୃଦ୍ଧି ଯତନ ଦିନକୁ ଦିନୁ,                  ଗିରି ସମରେଦିଶିଲା ତନୁ,

ଗିରୀଷମରେ ଏ ଅନୁମାନୁ ନହଇ ଆନ ଯେ।

ବିଶାଳ ମହାଶାଳ କି କର,                  ସାନୁ ସମାନେ ଉନ୍ନତ ଶିର,

କୁଶାନୁ ପରି ତେଜନିଜର ଜ୍ୱଳିତ ଘେନ ଯେ।

ବିଦ୍ୟମାନ କ୍ରୋଟର ତଥା ଲୋଚନ ଯେ।

ବର୍ଦ୍ଧମାନକରତା ଜୀବ ଶୋଚନ ଯେ।

ବୁଲିଲେ ପୁରେ ପୁରେ ସ୍ୱଚ୍ଛରେ            ମାତିଲେ ନାନାଦ୍ରବ୍ୟ ଭକ୍ଷରେ

ଗଲା ଦ୍ୱାଦଶ ସମ୍ବତ୍ସରରେ ଯେ କୁମ୍ଭକର୍ଣ୍ଣ ଯେ ।୯।

 

୯ମ ପଦ–ଗିରି–ପର୍ବତ । ତନୁ–ଦେହ । କର–ହାତ । ସାନୁ–ଶୃଙ୍ଗ । କୁଶାନ–ଅନଳ । କ୍ରୋଟର–କନ୍ଦରା । ଶୋଚନ–ଶୋକ ।

୯ମ ପଦ–ପୁତ୍ରମାନେ ଯତ୍ନରେ ଦିନକୁ ଦିନ ବଢ଼ିଲେ । ସେମାନଙ୍କର ଦେହ ଗ୍ରୀଷ୍ମକାଳର ପର୍ବତପରି ଦେଖାଗଲା । ଏହା ଅନୁମାନରୁ ଆନ ନୁହେଁ । ତାହାଙ୍କର ହାତ ମହାଶାଳ ପରି ବିଶାଳ, ଶିର ପର୍ବତ, ନେତ୍ର କନ୍ଦରାର ଆକାର ଧାରଣ କଲା ଏବଂ ଦେହର ତେଜ ଅଗ୍ନି ସମାନ ଝଟକି ଉଠିଲା । ସେମାନେ ସମସ୍ତ ପ୍ରାଣୀଙ୍କର ଶୋକ ବଢ଼ାଇଲେ । ମନ ଇଚ୍ଛାରେ ଚାରିଆଡ଼େ ବୁଲି ନାନାପ୍ରକାର ଦ୍ରବ୍ୟ ସବୁ ଖାଇଲେ । ଏହିପରି ବାରବର୍ଷ ବିତିଗଲା; ତତ୍‌ପରେ କୁମ୍ଭକର୍ଣ୍ଣ–

 

ବହୁତ ଜନ ଜୀବନ ନେଇ             ଉତ୍ତରକୁରୁ ପ୍ରଦେଶେ ଯାଇ

ଉତ୍ତର କ୍ରୁରତର ନ ସହି ଇନ୍ଦ୍ରେ ନ ମାନି ଯେ।

ବଜ୍ରାଘାତକୁ ମଣି ଇତର             ଉତ୍ପାଟି ଦନ୍ତ ଐରାବତର

ପ୍ରହାରେ ମୋହ ସୁଈଶ୍ୱର ପଳାଇ ଘେନି ଯେ।

ବିଭୀଷଣ ପକ୍ଷରେ ଦ୍ୱନ୍ଦ୍ୱ ରଚିତ ଯେ।

ବପ୍ତାଶ୍ୱଶୁର ସ୍ଥାନେ ଦଶାସ୍ୟ ଗତ ଯେ।

ବିରୋଜା ମଣ୍ଡଳରେ ତପସ୍ୟା                  ଜଗଜ୍ଜୟରେ କରି ମନୀଷା

ଅଶନହୀନେ ଦିବସ ନିଶା କାଳ ବଞ୍ଚିତ ଯେ ।୧୦।

 

୧୦ମ ପଦ–ଉତ୍ତରରୁ ପ୍ରଦେଶ–ସ୍ୱର୍ଗ । କ୍ରୁରତର–କର୍କଶ, ନିଷ୍ଠୁର । ଉତ୍ତର–ପ୍ରତିବାକ୍ୟ । ଇତର–ତୁଚ୍ଛ । ସୁରଈଶ୍ୱର–ଇନ୍ଦ୍ର । ବପ୍ତାଶ୍ୱର ସ୍ଥାନ–ବାପର ଶଶୁର ଘର, ସୁମାଳିର ବାସଭବନ, ପାତାଳ । ଦଶାସ୍ୟ–ରାବଣ । ବିରଜାମଣ୍ତଳରେ–ଦେବୀ ପୀଠରେ । ମନୀଷା–ଇଚ୍ଛା । ଅଶନହୀନେ–ଅନାହାରରେ ।

୧୦ମ ପଦ–(ତତ୍‌ପରେ କୁମ୍ଭକର୍ଣ୍ଣ) ବାଟରେ ବହୁତ ପ୍ରାଣୀ ବିନାଶ କରି ସ୍ୱର୍ଗକୁ ଯାଇ ନାନା ଉପଦ୍ରବ କଲା । ଇନ୍ଦ୍ରଙ୍କୁ ନ ମାନି ତାଙ୍କୁ ନିଷ୍ଠୁର କଥାମାନ କହିଲା । ଇନ୍ଦ୍ରଙ୍କ ବଜ୍ର ପ୍ରହାରକୁ ତୁଚ୍ଛ ମନେକରି ଐରାବତ ହସ୍ତୀର ଦନ୍ତକୁ ଉପାଡ଼ି ଇନ୍ଦ୍ରଙ୍କୁ ପ୍ରହାରନ୍ତେ, ଇନ୍ଦ୍ର ଅଚେତନ ହେଲେ । ଐରାବତ ତାହାଙ୍କୁ ନେଇ ପଳାଇ ଗଲା । ବିଭୀଷଣ ଯକ୍ଷ ଲୋକରେ ଯୁଦ୍ଧ ଆରମ୍ଭ କଲା । ରାବଣ ପାତାଳପୁରକୁ ଜୟ କରିବାକୁ ଗଲା । (ଏହିପରି ତିନିଭାଇଙ୍କୁ ତିନିପୁରରେ ଯୁଦ୍ଧ କରି ସାରି) ଜଗତ୍‌ଜୟ କରିବା ଇଚ୍ଛାରେ ବିରୋଜା ଦେବୀଙ୍କ ପୀଠରେ ଅନାହାରରେ ଦିନ ରାତି ତପସ୍ୟା କରିବାକୁ ଲାଗିଲେ ।

 

ବିଖନ ଭାଲ ଲେଖନବର୍ଣ୍ଣ                  ମୂଣ୍ଡ ପ୍ରଚଣ୍ଡାନଳେ ଦହନ

କରିଣ କଲା ଜ୍ୟେଷ୍ଠ ପଠନ କଷ୍ଟ ଅତ୍ୟନ୍ତ ଯେ।

ବଲ୍ଲକୀ ରଚି ଭୁଜ ମୂର୍ଦ୍ଧାରେ                  ସେ ଦଣ୍ଡ ତୁମ୍ବୀ ଭାବେ ଶ୍ରଦ୍ଧାରେ

ଧମନୀ ଗୁଣ କରି ବେଧାରେ ବିନୟୀ ଗୀତ ଯେ।

ବାଉଁ ଗାଉଁ ହୋଇଲେ ଆସି ପ୍ରସନ୍ନ ଯେ।

ବର କାମନାପୂର୍ଣ୍ଣେ କଲେ ପ୍ରଦାନ ଯେ

ବର୍ତ୍ତବୁ ଯୁଗ ଛପନଗଣ୍ଡା                  ବରଣୀ ହେବ ବ୍ରହ୍ମାଣ୍ଡେ ଖଣ୍ଡା

ସୀତା ହରଣ ନିଶ୍ଚେ ମରଣ ଜାଣରେ ।୧୧।

 

୧୧ଶ ପଦ–ବିଖନ–ବିଖନ–ବିଧାତା । ଭାଲ–କପାଳ । ଲେଖନବର୍ଣ୍ଣ ମୁଣ୍ତ–ଅକ୍ଷର ଲେଖାଥିବା ମୁଣ୍ତ । ଜ୍ୟେଷ୍ଠ–ରାବଣ । ବଲ୍ଲକୀ–ବୀଣା । ଧମନୀ–ଶିରା । ବେଧାରେ–ବ୍ରହ୍ମାଙ୍କ । ବରଣୀ ହେବ–ପୂଜା ପାଇବ ।

୧୧ଶ ପଦ–(ଜ୍ୟେଷ୍ଠ) ରାବଣ ଆପଣାର ମୁଣ୍ତମାନଙ୍କୁ ପ୍ରଚଣ୍ତ ଅନଳରେ ଦଗ୍‌ଧ କରି ଲଲାଟରେ ଥିବା ବିଧାତା ଲିଖିତ ଅକ୍ଷରମାନଙ୍କୁ ଅତି କଷ୍ଟରେ ପାଠ କଲା । (ନିଜ ଲଲାଟରେ ଭଲ ଲେଖାନାହିଁ–ଏହା ଜାଣି) ସେ ନିଜ ଭୂଜକୁ ଦଣ୍ତ, ମୁଣ୍ତକୁ ତୁମ୍ୱୀ, ଶିରାକୁ ତାର କରି ସେହି ବୀଣାରେ ବିନୟରେ ବ୍ରହ୍ମାଙ୍କର ସ୍ତବ ଗାନ କଲା । ବ୍ରହ୍ମା ପ୍ରସନ୍ନ ହୋଇ ଆସି କହିଲେ, ‘‘ତୁ ଛପନଗଣ୍ତା ଯୁଗ ଯାଏ ବଞ୍ଚି ରହିବୁ । ତୋହର ଖଣ୍ତା ସମଗ୍ର ଜଗତରେ ପୂଜା ପାଇବ (ତୁ ଜଗତ୍‌ଜୟୀ ହେବୁ) । ମାତ୍ର ସୀତା ହରଣ ତୋହର ମରଣ କାରଣ ଅଟେ–ଏହା ମନେରଖ ।’’

ବେଭାରେ ସୀତା ବହୁ ଯୋଷିତା            ଯେ ହୋଇଥିବ ଜନକସୁତା

ବହୁତ ରାମ ପରକାଶିତା ଯେ ଦାଶରଥି ଯେ।

ବାଗ୍‌ଦେବୀ ଆସି ବସିଲେ ଗଳେ            କୁମ୍ଭକର୍ଣ୍ଣର ବରଦକାଳେ

ନିଦ୍ରା ମୁଁ ଯିବି ବୋଲି ଚପଳେ ମାଗିଲା ତଥି ଯେ।

ବତ୍ସରକ ନ ପୂରୁ ଉଠିବୁ ଯେବେ ରେ ।

ବଧ ଅବଶ୍ୟ ହେବ ତୋହର ତେବେ ରେ ।

ବିଷ୍ଣୁ ଭକତ ହୋଇ ଅମର                   ଜଗତ ମଧ୍ୟେ କର ବିହାର

ଗତ ପଦ୍ମଜ ଦେଇ ଏ ବର ସାନୁଜେ ଜବେ ଯେ ।୧୨।

 

୧୨ଶ ପଦ–ବେଭାରେ–ଜଗତରେ । ଯୋଷିତା–ସ୍ତ୍ରୀ । ବାଗ୍‌ଦେବୀ–ସରସ୍ୱତୀ । ବରଦକାଳେ–ବରଦେବା ସମୟରେ । ଚପଳେ–ଶୀଘ୍ର । ପଦ୍ମଜ–ବ୍ରହ୍ମା । ସାନୁଜ–ବିଭୀଷଣ । ଜବ–ଶୀଘ୍ର ।

୧୨ଶ ପଦ–‘ଜଗତରେ ବହୁତ ସ୍ତ୍ରୀ ଲୋକ ସୀତା ନାମ ବହିଛନ୍ତି; ରାମ ନାମରେ ବହୁତ ଲୋକ ଥାଇ ପାରନ୍ତି, ମାତ୍ର ଯେଉଁ ସୀତା ଜନକରାଜାଙ୍କର କନ୍ୟା ହୋଇଥିବେ, ତାହାଙ୍କୁ ହରିଲେ, ଦଶରଥଙ୍କର ପୁତ୍ର ରାମଚନ୍ଦ୍ର ତୋତେ ମାରିବେ ।’ କୁମ୍ଭକର୍ଣ୍ଣକୁ ବରଦେବା ସମୟରେ ସରସ୍ୱତୀ ଆସି ତାହା କଣ୍ଠରେ ବସିଲେ । ତେଣୁ ସେ ତରତରରେ ‘ମୁଁ ନିଦ୍ରା ଯିବି’ ବୋଲି ବର ମାଗି ଦେଲା-। ତାହା ଶୁଣି ବ୍ରହ୍ମା ବର ଦେଲେ ‘‘ବର୍ଷେ ପୂର୍ଣ୍ଣ ନ ହେଉଣୁ ଯେବେ ନିଦ୍ରାରୁ ଉଠିବୁ, ତାହା ହେଲେ ଅବଶ୍ୟ ତୋର ବିନାଶ ହେବ ।” ‘‘ବିଷ୍ଣୁ ଭକ୍ତ ଓ ଅମର ହୋଇ ଜଗତରେ ବିହାର କରିବୁ’’–ଏହି ବର ସାନ ଭାଇ ବିଭୀଷଣକୁ ଦେଇ ବ୍ରହ୍ମା ବେଗରେ ସେଠାରୁ ଚାଲିଗଲେ ।

 

ବାହୁଡ଼ି ତହୁଁ ପାତାଳେ ରାଜି                  ନିକଷାତ୍ମଜପୁଞ୍ଜକୁ ସାଜି

ବେଢ଼ିଲେ ଲଙ୍କା କୁବେର ତେଜି ଗଲା ସେ ପୁର ଯେ ।

ବିମାନେ ନେଲା ସର୍ବ ସମ୍ପତ୍ତି                  ବି–ମାନେ ଯଥା ଗଗନେ ଗତି

ସେ ମନୋରଥ ରଥ ପ୍ରାପତ ଇଚ୍ଛ ସମର ଯେ ।

ବିଶ୍ୱେ ଉତ୍କୃଷ୍ଟପ୍ରଭା ପ୍ରକଟ କରି ଯେ ।

ବିଧୂ ନ୍ତୁଦ ବିଧୂକୁ ଗ୍ରାସିଲା ପରି ଯେ ।

ବିଶ୍ୱ କେତୁରେ ହୋଇ ଅଦମ୍ଭା                   ଶୋଭା ଆରମ୍ଭ ରମ୍ଭା ସୁରମ୍ଭା

ଉରୁକୁ ହରି ହୋଇଲା ବିଭା ମୟକୁମାରୀ ଯେ ।୧୩।

 

୧୩ଶ ପଦ–ରାଜି–ଶୋଭିତ ହୋଇ । ନିକଷାତ୍ମଜପୁଞ୍ଜକୁ–ଅସୁରଗଣଙ୍କୁ । ସାଜି–ସଜ କରି । ବି–ମାନେ–ପକ୍ଷୀମାନେ । ମନୋରଥ–(ମନ ଅନୁସାରେ ଯେଉଁ ରଥ ଗତି କରେ) ପୁଷ୍ପକବିମାନ । ବିଧୁନ୍ତୁଦ–ରାହୁ ବିଶ୍ୱକେତୁ–କନ୍ଦର୍ପ । ଅଦମ୍ଭା–ଦମ୍ଭହୀନ । ଶୋଭା ଆରମ୍ଭା–(ଶୋଭାରେ ଯେ ପ୍ରଥମ) ଅତି ସୁନ୍ଦରୀ । ସୁରମ୍ଭା–ଉତ୍ତମ କଦଳୀଗଛ । ମୟକୁମାରୀ–ମୟଦୈତ୍ୟର କନ୍ୟା ମନ୍ଦୋଦରୀ ।

୧୩ଶ ପଦ–(ସେ ତିନିଭାଇ ବ୍ରହ୍ମାଙ୍କଠାରୁ ବର ପାଇଲା ପରେ) ସେଠାରୁ ବାହୁଡ଼ି ପାତାଳ ପୁରରେ ବିରାଜିତ ହେଲେ । ଅସୁରମାନଙ୍କୁ ସଜ୍ଜୀଭୂତ କାରି ଲଙ୍କାକୁ ଯାଇ ଚଢ଼ାଉ କଲେ-। କୁବେର ପୁଷ୍ପକଯାନରେ ବସି ସମସ୍ତ ସମ୍ପତ୍ତି ନେଇ ପକ୍ଷୀମାନେ ଆକାଶରେ ଉଡ଼ିଗଲାପରି ଲଙ୍କାପୂର ଛାଡ଼ି ଚାଲିଗଲେ । ରାବଣ ମନ ଜାଣି ଗତି କରୁଥିବା ପୁଷ୍ପକବିମାନ ପାଇବା ଇଚ୍ଛାରେ କୁବେରଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଗଲା ଓ ବିମାନକୁ ବଳାତ୍କାରରେ ତାଙ୍କଠାରୁ ଛଡ଼ାଇ ଆଣିଲା । ରାହୁ ଚନ୍ଦ୍ରମାଙ୍କୁ ଗ୍ରାସ କଲାପରି ସେ ଭୟଙ୍କର ତେଜ ପ୍ରକାଶ କରି ସମଗ୍ର ସଂସାରକୁ ଗ୍ରାସ କଲା (ଜୟ କଲା) । କନ୍ଦର୍ପ ପୀଡ଼ାରେ ଅସ୍ଥିର ହୋଇ ସେ ପରମାସୁନ୍ଦରୀ ରମ୍ଭୋରୁବିଶିଷ୍ଟା ରମ୍ଭା ଅପ୍‌ସରାକୁ ହରଣ କଲା ଓ ମୟଦୈତ୍ୟକୁମାରୀ ମନ୍ଦୋଦରୀକୁ ବିବାହ କଲା-

 

ବୃଷସଦୃଶ ସୁରଭିଆଳୀ                  ଗୋଷ୍ଠୀ କୋଷ୍ଠିରେ କଲା ସେ କେଳି

ପ୍ରଜାପତିଙ୍କ ସମାନେ ଝଳି ଅନେକ ସୁତ ଯେ।

ବର୍ଣ୍ଣିବା କିସ ଜ୍ୟେଷ୍ଠକୁମାର                    ଜାତ ରଡ଼ିକି ଶୁଣି କୁମାର

ଛାଡ଼ି ସେ ମେଘନାଦ ଉପର ପଡ଼ି ଅଚେତ ଯେ।

ବଳେ ମେଘନାଦରୁ ତାହାର ସ୍ୱନ ଯେ।

ବହେ ସେ ମେଘନାଦ ନାମ ପ୍ରଧାନ ଯେ।

ବନ–ବେଷ୍ଟିତ ସ୍ଥାନରେ ରହି                  ସିଂହ ଶାର୍ଦ୍ଦୁଳ ବଳିଷ୍ଠେ ହୋଇ,

ବଇରି–ମୃଗ ପିଶିତ ଧ୍ୟାୟି ଆଉ ନନ୍ଦନ ଯେ ।୧୪।

 

୧୪ଶ ପଦ–ସୁରଭି–କାମଧେନୁ । ଆଳୀ–ସଖୀ(ଏଠାରେ ସ୍ତ୍ରୀ) । ଗୋଷ୍ଠରେ–ସମୂହରେ-। କୋଷ୍ଠି–ଘର । ପ୍ରଜାପତି–ବ୍ରହ୍ମା । କୁମାର–କାର୍ତ୍ତକେୟ । ମେଘନାଦ–ମୟୂର । ବନ ବେଷ୍ଟିତ–ସ୍ଥାନ–ଜଳବେଷ୍ଟିତ ସ୍ଥାନ ଅର୍ଥାତ୍ ଲଙ୍କା । ପିଶିତ–ମାଂସ ।

୧୪ଶ ପଦ–ବୃଷଭ ଯେପରି ଗାଈଗୋଠରେ କେଳି କରେ, ସେହିପରି ସେ ରାବଣଗୃହରେ ବୃଷଭ ପରି ସୁନ୍ଦରୀ ସ୍ତ୍ରୀମାନଙ୍କ ସହିତ କେଳି କଲା । ସେହିହେତୁରୁ ଦକ୍ଷଙ୍କ ସମାନ ଦୀପ୍ତିମାନ ପୁତ୍ରସବୁ ଜନ୍ମ ହେଲେ । ସେମାନଙ୍କ କଥା କଅଣ ବା ବର୍ଣ୍ଣନା କରିବି ? ଜ୍ୟେଷ୍ଠପୁତ୍ରର ଜନ୍ମ ସମୟର ରଡ଼ିକୁ ଶୁଣି କାର୍ତ୍ତିକେୟ ମୟୂର ପିଠିରୁ ତଳେ ପଡ଼ିଯାଇ ଅଚେତନ ହେଲେ । ତାହାର ଶବ୍ଦ ମେଘଧ୍ୱନିରୁ ବଳିଯିବାରୁ ତାହାର ପ୍ରଧାନ ନାମ ମେଘନାଦ ହେଲା । ତତ୍‌ପରେ ଆଉ ଯେତେ ପୁତ୍ର, ସେମାନେ ସିଂହ–ବ୍ୟାଘ୍ରଙ୍କ ପରି ବଳିଷ୍ଠ ହୋଇ ଶତ୍ରୁରୂପ ମୃଗର ମାଂସକୁ ଧ୍ୟାନ କରି ଜଳବେଷ୍ଟିତ ଲଙ୍କାପୁରରେ ରହିଲେ । (ସିଂହ–ବ୍ୟାଘ୍ରମାନେ ମୃଗମାଂସ ଖାଇବା ଆଶାରେ ବନ ମଧ୍ୟରେ ରହିଥାନ୍ତି ।)

 

ବାମକରରେ ହୋଇଣ ବାମ                  ବାମଦେବର ଗିରି କୁସୁମ,

ପରି ଉତ୍ପାଟି ଧରଣେ କ୍ଷମ ହେବାକାଳରେ ଯେ।

ବାହାର ଦରବଶେ ଏ ସ୍ୱର                  ଈଶ୍ୱରଠାରୁ ରାବଣେଶ୍ୱର,

ଦେଖିଲେ ପଞ୍ଚଦ୍ୱିଗୁଣ ଶିର ସେ ବହିବାର ଯେ।

ବିଶେଷତ ଦେଖିଲେ ଇକ୍ଷଣ କର ଯେ।

ବିଳାସକୁ ଦୈତ୍ୟର ସ୍ୱର୍ଣ୍ଣନଗର ଯେ।

ବିଲୋକି ରୌପ୍ୟନଗରେ ସ୍ଥିତ                  ଉପୁଜି ଯାଇ ଏ ଊଣା ଭୀତି

ଭୋଗ ତ ବେନିଜନେ ବିଭୁତି ଆନ ପ୍ରକାର ଯେ ।୧୫।

 

୧୫ଶ ପଦ–ବାମ–ବିପକ୍ଷ । ବାମଦେବର ଗିରି–ମହାଦେବଙ୍କର ଗିରି, କୈଳାସ ପର୍ବତ-। ଦରବଶେ–ଭୟରେ । ଈକ୍ଷଣ–ଚକ୍ଷୁ । ବିଭୂତି–ଐଶ୍ୱର୍ଯ୍ୟ ।

୧୫ଶ ପଦ–ରାବଣ ପ୍ରତିକୂଳ ହୋଇ ବାମହସ୍ତରେ ଶିବଙ୍କର ଗିରି କୈଳାସକୁ ଫୁଲପରି ଉପାଡ଼ି ଧରିବାକୁ ଗଲାବେଳେ, ଭୟ ପାଇ ମହାଦେବ ତାକୁ ଦେଖି ଏହା କହିଲେ– ‘‘ମୁଁ ଈଶ୍ୱର, ରାବଣେଶ୍ୱର, ମୋହର ପାଞ୍ଚ ବଦନ, ଏହାର ଦଶବଦନ । ବିଶେଷରେ ଗଣନା କରି ଜାଣିଲେ, ମୋହିର ପନ୍ଦର ଆଖି, ଏହାର କୋଡ଼ିଏ ଆଖି । ମୁଁ ରୌପ୍ୟମୟ କୈଳାସକନ୍ଦରରେ ବାସ କରେ, ସେ ସ୍ୱର୍ଣ୍ଣମୟ ଲଙ୍କାପୁରରେ ବାସ କରୁଛି । ଭୋଗ ବିଷୟରେ ମୋହର ବିଭୂତି (ଭସ୍ମ) ଭୋଗ ଓ ତାହାର ବିଭୂତି ବିଶେଷ ଐଶ୍ୱର୍ଯ୍ୟ ଭୋଗ । ଅତଏବ ଏହାଠାରୁ ମୁଁ ସବୁ ଗୁଣରେ ଊଣା ।’’ (ଏପରି ଭୀତି ତାଙ୍କ ମନରେ ଜାତ ହେଲା) ।

 

ବାରିରାଶି ଏ ତରଳ–ତର                  ଅଧିର ଥିଲା ଅତି ମାତର,

ଯାହା ପ୍ରତାପେ ହୋଇ କାତର ସେ ତରତର ଯେ।

ବ୍ୟାକୁଳ ଜାତ ପାଞ୍ଚ ପାଞ୍ଚର                  ଆମ୍ଭେ ସ୍ୱଭାବେ ଏହା ଆହାର,

ବେନି ଘେନିଲେ ହୃଦଭିତର ଏହି ବିଚାର ଯେ।

ବାହି ନ ପୁଣ ଯାଇ ମୀନଙ୍କୁ ଖାଇ ଯେ।

ବଡ ବିଂଶତିଭୁଜ ବହିବା ଚାହିଁ ଯେ।

ବନ୍ଧୁଭାବରେ ସେ ଶାନ୍ତି କାନ୍ତି                  ନାମେ ସମର୍ପି ଦିବ୍ୟ ଯୁବତୀ,

ସୁନାମ କଲେ କୋଷେ ତା ସ୍ଥିତି ରତ୍ନକୁ ଦେଇ ଯେ ।୧୬।

 

୧୬ଶ ପଦ–ବାରିରାଶି–ସାଗର । କୋଷ–ଭଣ୍ତାର ।

୧୬ଶ ପଦ–ସମୁଦ୍ର ସବୁ ଅତିଶୟ ତରଳ, ତେଣୁ ଅଳ୍ପ ଚଞ୍ଚଳ ଥିଲା, ମାତ୍ର ରାବଣ ପ୍ରତାପରେ ଅତ୍ୟନ୍ତ ଭୀତ ହୋଇ ବର୍ତ୍ତମାନ ତରଙ୍ଗଯୁକ୍ତ ହୋଇଅଛି । ତା ମଧ୍ୟରୁ ପଞ୍ଚସମୁଦ୍ର [ଇକ୍ଷୁ, ସୁରା, ସର୍ପ, ଦଧି ଦୁଗ୍‌ଧ ସମୁଦ୍ର ] ପାଞ୍ଚିଲେ, ‘‘ଆମ୍ଭେ ସ୍ୱଭାବରେ ଏହାର ଭକ୍ଷ ପଦାର୍ଥ । ଆମ୍ଭଙ୍କୁ ଖାଇଯିବ ନାହିଁ ତ ?’’ ଏହା ଭାବି ତାଙ୍କର ଭୟ ଜାତ ହେଲା । ବେନି ସମୁଦ୍ର [ଲବଣ ଓ ଜଳସମୁଦ୍ର] ହୃଦୟମଧ୍ୟରେ ବିଚାର କଲେ, ‘‘ଏ ବଡ଼ ବଡ଼ ବିଂଶ ବାହୁକୁ ବଢ଼ାଇ ମୀନମାନଙ୍କୁ ଖାଇବା ଆଶାରେ ଆମ ଜଳସବୁକୁ ବୁହାଇ ଦେବ ନାହିଁ ତ ?” ସମସ୍ତେ ଏହା ବିଚାର କରି କାନ୍ତି ନାମରେ ଗୋଟିଏ ଦିବ୍ୟ ଯୁବତୀକି ତାକୁ ସମର୍ପି ଓ ତାହାର ଶାନ୍ତି ପାଇ ବହୁତ ରତ୍ନ ଦାନ କରି ତାହାର ଭଣ୍ତାରକୁ ନିଜ ନାମରେ ଅଭିହିତ କଲେ (ଭଣ୍ତାରର ନାମ ରତ୍ନାକର ଦେଲେ) ।

 

ବହୁ କୃପାଣ ସାଧନ କରେ                  ଛେଦର ଶଙ୍କା ଜମ୍ବୁ ପ୍ଳକ୍ଷରେ,

ଆରମ୍ଭ, ହୋମ କର୍ମ କୁଶରେ ବହନ ଭୀତି ଯେ।

ବାଟୁଳି ଧରୁ କ୍ରୋଞ୍ଚ ଚମକେ                  ଭୋଜନକାଳେ ଭୟଦ ଶାକେ,

ଶୟନେ ତୁଳୀ କରଣେ ଶଙ୍କେ ଶାଳ୍ମଳୀ ନିତି ଯେ।

ବିହୁଁ ଦେବପୂଜନ ପୁଷ୍ପରେ ଭୟ ଯେ।

ବଳେ ଉପାଡ଼ଇ ନେବ ହୋଏ ଉଦୟ ଯେ।

ବିଭୋଗ କର ପ୍ରତାପେ କର                  କରଇ ହେଲେ ପ୍ରଜାଆକାର

ପୃଥ୍ୱୀମଣ୍ଡଳ ରାଜାନିକର ମହାଦୁର୍ଜ୍ଜୟ ଯେ ।୧୭।

 

୧୭ଶ ପଦ–କୃପାଣ–ଖଡ଼୍‌ଗ । ଜମ୍ଭୁ–ଜମ୍ବୁଦୀପ, ଜାମୁଗଛ-। ପ୍ଳକ୍ଷ–ପ୍ଳକ୍ଷଦ୍ୱୀପ, ତିନ୍ତୁଳି ବୃକ୍ଷ-। କୁଶ–କୁଶଦ୍ୱୀପ, କୁଶ । କ୍ରୌଞ୍ଚ–କ୍ରୌଞ୍ଚଦ୍ୱୀପ, ବକପକ୍ଷୀ ଶାକ–ଶାକଦ୍ୱୀପ, ଶାଗ । ତୁଳା–ତୁଳାଶେଷ । ଶାଳ୍ମଳୀ–ଶାଳ୍ମଳୀ ଦ୍ୱୀପ, ଶିମିଳୀ ତୁଳା ।

୧୭ଶ ପଦ–ସାଧନ କରିବାପାଇଁ ଖଡ଼୍‌ଗ କହିବାରୁ ଜମ୍ବୁଦ୍ୱୀପ ଓ ପ୍ଳକ୍ଷଦ୍ୱୀପ ଶଙ୍କା କଲେ ଯେ, ଏ ଆମ୍ଭଙ୍କୁ ଜାମୁଗଛ ଓ ତିନ୍ତୁଳି ଗଛ ଭାବି ହାଣି ପକାଇବକି ? କୁଶ ଦ୍ୱୀପର ଭୟ ଜାତ ହେଲା ଯେ, ମୋତେ କୁଶ ଭାବି ଏ ହୋମ କାର୍ଯ୍ୟରେ ଲଗାଇବକି ? ବାଟୁଳି ଧରିବାରୁ କ୍ରୌଞ୍ଚିଦ୍ୱୀପ ଭୟରେ ଚମକି ବିଚାରିଲା, ମୋତେ ବଗପକ୍ଷୀ ମନେକରି ବାଟୁଳି ମାରିବକି ? ଭୋଜନ ସମୟରେ ଶାକଦ୍ୱୀପ ଭୟ କଲା, ମୋତେ ଶାଗ ଭାବି ଖାଇ ଦେବ ନାହିଁତ ? ପ୍ରତିଦିନ ଶୟନ ସମୟରେ ଶାଳ୍ମଳୀଦ୍ୱୀପ ଶଙ୍କା ମନରେ ଭାବିଲା, ମୋତେ ଶିମୁଳୀ ତୁଳା ମନେକରି କାଳେ ଶଯ୍ୟା କରିବ । ଦେବପୂଜା କରିବାବେଳେ ପୁଷ୍ପର ଦ୍ୱୀପ ଭୟ କଲା, ମୋତେ ପଦ୍ମଫୁଲ ବିଚାରି କାଳେ ଉପାଡ଼ି ନେବ । ପୃଥ୍ୱୀ ମଣ୍ତଳରେ ଯେତେ ରାଜାସବୁ ଥିଲେ; ତାଙ୍କୁ ପ୍ରଜାପରି କରି, ନିଜର ବାହୁ ପ୍ରତାପରେ ତାଙ୍କଠାରୁ କର ଆଦାୟପୂର୍ବକ ବିଶେଷ ଭାବରେ ଭୋଗ କଲା । ଏଣୁ ସମସ୍ତଙ୍କର ଅଜେୟ ହୋଇ ବିଳସିଲା । (ପୃଥିବରୀ ସମସ୍ତ ରାଜା ବାହାର ପ୍ରଜା ହେଲେ ।

 

ବନ୍ଦୀ ବଳୀର ଫେଡ଼ନେ ଯାର                  ଭରସାକୃତ ରସାତଳର

କୋଟିଏ ସିଂହ ବଳ ବାଳିର ଧରଣେ ଇଚ୍ଛି ଯେ।

ବିକଳଭାବ ନୋହିଲା ଲବ                  ପାଇଁ ନିବିଡ଼ ଭିଡ଼ି ପ୍ରାଭବ,

କେମନ୍ତ ମଲ୍ଲ କୋବିଦେ ଭାବ ତୁଲ କି ଅଛି ଯେ।

ବାହୁଁ ସହସ୍ରଭୁଜେ ହୋଇଲା ବାଦୀ ଯେ।

ବହିବାରୁ ପାଲଟି ନର୍ମଦାନଦୀ ଯେ।

ବନ୍ଧନେ ପଡ଼ି ଖଡ଼୍‌ଗେ ନ ଛିଡ଼ି,      ଅନଳଯୋଗେ ନ ଗଲା ପୋଡ଼ି,

ଜଳେ ନ ବୁଡ଼ି ସଂଶୟ ଛାଡ଼ି ବରେ ପ୍ରମୋଦି ଯେ ।୧୮।

 

୧୮ଶ ପଦ–ଭରସାକୃତ–ସାହସପୂର୍ବକ । ରସାତଳ–ପାତାଳ । କୋବିନ୍ଦ–ପଣ୍ତିତ । ସହସ୍ରଭୂଜ–ସହସ୍ରାର୍ଜୁନ ।

୧୮ଶ ପଦ–ଯେଉଁ ରାବଣର ପାତାଳରେ ଥିବା ବଳି ରାଜାର ବନ୍ଧନ ଫେଡ଼ିବାକୁ ସାହସ ହେଲା, କୋଟିସିଂହ ପରାକ୍ରମ ବାଳିକୁ ଧରିବାକୁ ଇଚ୍ଛାହେଲା, ସେ ବାଳିଠାରୁ ବହୁତ ପରାଭବ ପାଇଲେହେଁ ଲେଶମାତ୍ର ବିକଳ ହେଲା ନାହିଁ; ପଣ୍ତିତମାନେ ମନରେ ଭାବ, ସେ କିପରି ବୀର; ତାକୁ ଆଉ କେହି ସରିସମ ନାହାନ୍ତି । ନର୍ମଦା ନଦୀ ଓଲଟି ବହିବାର ଦେଖି ସହସ୍ରାର୍ଜୁନ ସହିତ ବିବାଦୀ ହେଲା । ସେଠାରେ ବନ୍ଧନରେ ପଡ଼ିଲା (ସହସ୍ରାର୍ଜୁନଦ୍ୱାରା ବନ୍ଦୀ ହେଲା) । ସହସ୍ରାର୍ଜୁନ ତାକୁ ଖଡ଼୍‌ଗରେ ହାଣନ୍ତେ ଛିଡ଼ିଲା ନାହିଁ, ଅନଳରେ ପୋଡ଼ନ୍ତେ ଦଗ୍‌ଧ ହେଲା ନାହିଁ, ଜଳରେ ପକାନ୍ତେ ବୁଡ଼ି ନ ଯାଇ ରହିଲା । ମରିବା ବିଷୟରେ କୌଣସି ସନ୍ଦେହ ନ ରହିବାରୁ, ବ୍ରହ୍ମା ବରରେ ଆନନ୍ଦିତ ହେଲା । (ଅନ୍ୟର୍ଥ–କାହିଁରେ ନ ମରିବାର ଦେଖି ସହିସ୍ରାର୍ଜୁନ ମନରୁ ସନ୍ଦେହ ଦୂର ହେଲା ଯେ, ଏ ବ୍ରହ୍ମା ବର ବଳରେ ଆଦୌ ମରିବ ନାହିଁ।)

 

ବେଦମତୀରେ ମତି ବଳାଇ                  ଦେଲା ସେ କନ୍ୟା ତନୁ ଜଳାଇ

ମୋ ହେତୁ ମୃତ୍ୟୁ ଏ ଶାପ ପାଇ ତହୁଁ ଚପଳେ ଯେ।

ବୋଲି ମର୍କଟ ନିନ୍ଦି ନନ୍ଦୀରେ                  ଆନନ୍ଦ ହରି ତଳପ୍ରହାରେ

ବୋଲେ ସେ ହେଉ ପ୍ରାଭବ ତୋରେ ବାନରେ ନରେ ଯେ।

ବଧିଲା ଅନରଣ୍ୟକୁ ଅଯୋଧ୍ୟା ପୁରେ ଯେ।

ବରାହବରେ ଅତି ମାୟାଯୁଦ୍ଧରେ ଯେ।

ବଂଶେ ମୋ ନାଶ ଯିବୁ ଅବଶ୍ୟ            ନର ଅବଜ୍ଞା କଲୁ ରାକ୍ଷସ,

କହିଲା ତହିଁ ସେହି–ମହୀଶ ହତକାଳରେ ଯେ ।୧୯।

 

୧୯ଶ ପଦ–ନନ୍ଦୀ–ଶିବଙ୍କ ଦ୍ୱାରପାଳ । ତଳ ପ୍ରହାରେ–ଚାପଡ଼ାରେ । ବରାହବରେ–ପ୍ରଧାନ ଯୁଦ୍ଧରେ । ମହୀଶ–ରାଜା ।

୧୯ଶ ପଦ–ଦେବବତୀ କନ୍ୟାଠାରେ ମନ ବଳାଇ ତାକୁ ବଳାତ୍କାର କରିବାରୁ ସେ କନ୍ୟା ‘ମୋ ଯୋଗୁଁ ତୋହର ମରଣ ହେଉ’ ଏହି ଶାପ ଦେଇ ନିଜ ଦେହକୁ ଅଗ୍ନିରେ ପୋଡ଼ି ପକାଇଲା । ସେଠାରୁ ଏପରି ଶାପପାଇ କୈଳାସ ଶୀଘ୍ର ଯାଇ ନନ୍ଦୀକୁ ମର୍କଟ ବୋଲି ନିନ୍ଦା କଲା ଓ ଚାପୋଡ଼ା ମାରି ତାହାକୁ ଦୁଃଖ ଦେଲା । ନନ୍ଦୀ କହିଲା, ‘‘(ମୋତେ ମର୍କଟ ବୋଲି ନିନ୍ଦା କଲୁ) ତୁ ମର୍କଟ ଓ ମନୁଷ୍ୟଙ୍କଦ୍ୱାରା ଅଶେଷ ଦୁଃଖ ପାଇବୁ ।’’ ତହୁଁ ଅଭିଶାପ ପାଇ ଯାଇ ଅଯୋଧ୍ୟାରେ ଅନରଣ୍ୟ ରାଜାଙ୍କୁ ଭୟଙ୍କର ଯୁଦ୍ଧରେ ମାୟା ସମର କରି ବଧ କରନ୍ତେ, ସେ ମଲାବେଳେ ଶାପ ଦେଲେ,‘‘ରେ ରାକ୍ଷସ, ତୁ ନର ବୋଲି ମୋତେ ଅବଜ୍ଞା କଲୁ, ତୁ ମୋ ବଂଶର ରାଜା ହସ୍ତରେ ବିନାଶ ହେବୁ-।’’

 

ବିବୁଧାଳୟ ଆଭୀରଗ୍ରାମ                  ପରି ସୁରଭୀ ଲୁଣ୍ଠନେ କ୍ଷମ

ସୁମନବ୍ରଜେ ସେ ଦଣ୍ଡ କ୍ରମ କ୍ରମଶେ ଦେଇ ଯେ।

ବାନ୍ଧିଲା ଅଧିକାରକି ସୁତ                  ଯାହା ଆଜ୍ଞାରେ ସେ ଇନ୍ଦ୍ରଜିତ

ଶାଢ଼ୀ ପାଇଲା ଜଗତତାତ ବିଧିରେ ତହିଁ ଯେ।

ବଳିସଦ୍ମ ପକ୍ୱଣ ପ୍ରାୟକ କଲା ଯେ।

ବାଜୁଁ ଟମକ ତାଙ୍କୁ ଚମକ ଦେଲା ଯେ।

ବଞ୍ଚିଲେ ଲୁଚି ସେ ମଦଭର                  ନାଗେଶବର ଗୋପ୍ୟ ସ୍ଥାନର

ମଣି ଦିହୁଡ଼ି ଦେଖାଇବାର ସମ୍ମତି ହେଲା ଯେ ।୨୦।

 

୨୦ଶ ପଦ–ବିବୁଧାଳୟ–ସ୍ୱର୍ଗ । ଆଭୀରଗ୍ରାମ–ଗୌଡ଼ସାହି । ସୁରଭୀ–କାମଧେନୁ । ସୁମନ–ଦେବତା । ବ୍ରଜ–ସମୂହ । କଳିସଦ୍ମ–ପାତାଳ । ପକ୍ୱଣ–ଶବରପଲ୍ଲୀ । ମଦଭର–ନାଗେ–ଗର୍ବିତ ନାଗସମୂହ ।

୨୦ଶ ପଦ–ରାବଣ ସ୍ୱର୍ଗକୁ ଗଉଡ଼ସାହି ବୋଲି ମନେକଲା । ସେ ସ୍ଥାନସବୁ ସ୍ୱର୍ଣ୍ଣ ଗାଈପରି ହେଲେ । ସେ ତାହା ଲୁଟିକରି ଗୋପାଳଙ୍କୁ ଦଣ୍ତ ଦେଲା ପରି ଦେବତାମାନଙ୍କୁ ବହୁତ ଦଣ୍ତ ଦେଲା । ତାହା ଆଜ୍ଞାରେ ତାହାର ପୁତ୍ର ଇନ୍ଦ୍ରଙ୍କୁ ବାନ୍ଧି ବିଧାତାଙ୍କଠାରୁ ଇନ୍ଦ୍ରଜିତ ନାମରେ ଶାଢ଼ି ପାଇଲା । ରାବଣ ପାତାଳ ପୁରକୁ ଶବରସାହି ପରି କଲା । ଟମକ ବାଜିଲେ ଶବରମାନେ ଯେପରି ଚମକନ୍ତି; ତାଙ୍କୁ ସେହିପରି ଚମକ ଦେଲା । ସେ ସ୍ଥାନର ଅତି ଗର୍ବୀ ଶ୍ରେଷ୍ଠ ନାଗମାନେ ଗୋପନୀୟ ସ୍ଥାନରେ ଲୁଚି ପ୍ରାଣରକ୍ଷା କରିବାକୁ ଭାବିଲେ; ମାତ୍ର ଲୁଚି ପାରିଲେ ନାହିଁ । କାରଣ ତାଙ୍କ ମସ୍ତକରେ ଥିବା ମଣି ଦିହଡ଼ି ପରି ଜଳି ତାଙ୍କୁ ଚିହ୍ନାଇ ଦେବାରୁ ସେମାନେ ରାବଣକୁ ଅନ୍ଧାରରେ ମଶାଲ ଦେଖାଇବେ ବୋଲି ରାଜି ହୋଇ ତାର ଦାସତ୍ୱ ସ୍ୱୀକାର କଲେ ।

 

ବଇଜୟନ୍ତି ଯାହା ଜଗତି                  ବଇଜୟନ୍ତ ଚଞ୍ଚଳେ ଭୀତି

ମୋତେ ଏ ବାନ୍ଧି ନେବାକୁ ଗତି କରେ ନଭରେ ଯେ।

ବିକର୍ତ୍ତନର ରଥ ହବୋଡ଼ି                  ଭଗନେ ମଧ୍ୟ ଗଗନ ଛାଡ଼ି

ବେନି ଅୟନ ଚଳନେ ଜଡ଼ି ଚିତ୍ତ ନିର୍ଭରେ ଯେ।

ବୃଥା ଏକଥା ନୋହୋ ବୁଝ ବିଚାରି ଯେ ।

ବୋଲାଇଛି ସେ ମେଘଦଣ୍ଡ ପାଚେରୀ ଯେ।

ବଇରିପୂଗ ଦୁର୍ଗମଦୁର୍ଗ            ଯହିଁ ପରିଖା ସାଗର ଆଗ

ଏପରି ହୋଇ ପାତାଳ ସ୍ୱର୍ଗ ସେ ଧିକ କରି ଯେ ।୨୧।

 

୨୧ଶ ପଦ–ବଇଜୟନ୍ତି–ପତାକା । ଜଗତ–ଅଟ୍ଟଳିକା । ବଇଜୟନ୍ତ–ଇନ୍ଦ୍ରଙ୍କର ଅଟ୍ଟାଳିକା-। ବିକର୍ତ୍ତନ–ସୂର୍ଯ୍ୟ । ବେନି ଅୟନ–ଦୁଇ ମାର୍ଗ (ଉତ୍ତରାୟଣ ଓ ଦକ୍ଷଣାୟନ)। ପୂଗ–ସମୂହ । ଦୁର୍ଗମ ଦୁର୍ଗ–ଅଗମ୍ୟ ଗଡ଼ । ପରିଖା-ଗଡ଼ଖାଇ ।

୨୧ଶ ପଦ–ରାବଣ ଅଟ୍ଟାଳିକାର ପତାକା ପବନରେ ଫରଫର ଉଡ଼ିବାରୁ ଇନ୍ଦ୍ରଙ୍କ ପ୍ରାସାଦ ମନରେ ଭୟ କଲା, ‘ମୋତେ ବାନ୍ଧି ନେବାପାଇଁ ସେ ଆକାଶରେ ଗତି କରୁଅଛିକି ? ସୂର୍ଯ୍ୟ ମଧ୍ୟ ଆକାଶରେ ଗତି କଲାବେଳେ କାଳେ ରାବଣ ଅଟ୍ଟାଳିକାରେ ରଥ ବାଜି ଚୁନା ହୋଇଯିବ ଏହି ଭୟରେ ସେ ଉତ୍ତରାୟଣ ଓ ଦକ୍ଷିଣାୟନରେ ଗତି କରି ନିଶ୍ଚିନ୍ତ ହେଲେ । ବିଚାରି ବୁଝ (ହେ ପଣ୍ତିତେ) ଏହା ମିଛ ନୁହେଁ । ଯାହାର ପାଚେରୀ ମେଘଦଣ୍ତ (ପାଚେରୀ ଏତେ ଉଚ୍ଚ ଯେ ମେଘମାନେ ଆକାଶରେ ଗତି କଲାବେଳେ ସେଥିରେ ବାଜି ନଷ୍ଟ ହୋଇଯାନ୍ତି), ଗଡ଼ ଶତ୍ରୁଙ୍କଦ୍ୱାରା ଦୁର୍ଭେଦ୍ୟ ଓ ଗଡ଼ର ଖାଇରୂପେ ଚାରିଆଡ଼େ ସମୁଦ୍ର ବିଦ୍ୟମାନ,–ଏହିପରି ଯେ ଲଙ୍କା ସେ ପ୍ରଥମ ସ୍ଥାନ ପାଇ ସ୍ୱର୍ଗ ଓ ପାତାଳକୁ ନିନ୍ଦା କରୁଅଛି ।

 

ବଳୀ ଏକରେ ସେ ତ ରୁଚିର,                  ବହୁତ ବଳୀ ଛନ୍ତି ଏଥିର,

ସେ ଚାରୁ ଶେଷରଙ୍ଗେ ଏ ଚିର, ଅଶେଷ ରଙ୍ଗେ ଯେ।

ବସଇ ସୁନାସୀରେକ ତହିଁ                   ଏ କେତେ ସୁନାସୀରରେ ଶୋହି

ଏପରି ହୋଇ ଚିତ୍ରରଥହିଁ କେବଳ ବର୍ଗେ ଯେ।

ବଡ଼ବଡ଼ ଦାନବ ପୂର୍ବରେ ଥିଲେ ଯେ।

ବଡ଼ାଇକି ଏରୂପେ କରି ନ ଥିଲେ ଯେ।

ବିରଚି ବୀରବର ଉପେନ୍ଦ୍ର–                  ଭଞ୍ଜ ସ୍ୱୋଚ୍ଛନ୍ଦେ ବିଚିତ୍ର ଛାନ୍ଦ

ଚିତ୍ତ ନିଶ୍ଚିନ୍ତ ନୀଳାଦି ଚନ୍ଦ୍ର ଧ୍ୟାନ ସଫଳେ ଯେ ।୨୨।

 

୨୨ଶ ପଦ–ରୁଚିର–ଶୋଭନୀୟ । ବଳୀ–ବଳବାନ୍‌ ବ୍ୟକ୍ତି । ଚାରୁ–ସୁନ୍ଦର । ସୁନାସୀର–ଇନ୍ଦ୍ର । ସୁନାସୀର–ପ୍ରଧାନଯୋଦ୍ଧ । ବର୍ଗେ–ଅନେକ । ନୀଳାଦ୍ରି ଚନ୍ଦ୍ର–ଜଗନ୍ନାଥ ।

୨୨ଶ ପଦ–ପାତାଳ ପୁର (ଗୋଟିଏ ମାତ୍ର ବଳୀ (ବଳୀରାଜା)ଦ୍ୱାରା ଶୋଭା ପାଉଛି, ମାତ୍ର ଏ ଲଙ୍କାପୁରରେ ବହୁତ ବଳୀ (ବଳବାନ୍‌ ବୀର) ବିଦ୍ୟମାନ ଅଛନ୍ତି । ପାତାଳ ଶେଷଦେବଙ୍କ ରଙ୍ଗରେ (ତେଜରେ) ସୁନ୍ଦର, ମାତ୍ର ଏ ଲଙ୍କାପୁର ଅଶେଷ ରଙ୍ଗରେ (ବହୁତ ବର୍ଣ୍ଣରେ) ସୁନ୍ଦର । ସ୍ୱର୍ଗରେ ଗୋଟିଏ ମାତ୍ର ସୁନାସୀର (ଇନ୍ଦ୍ର) ବସେ, ମାତ୍ର ଏଠାରେ କେତେ ସୁନାସୀର (ସେନାପତି) ଶୋଭା ପାଉଛନ୍ତି । ସ୍ୱର୍ଗ ଏକ ମାତ୍ର ଚିତ୍ରରଥ (ଚିତ୍ରରଥ ନାମକ ଗନ୍ଧର୍ବ)ଦ୍ୱାରା ଶୋଭିତ, ମାତ୍ର ଏଠାରେ ଚିତ୍ରରଥବର୍ଗ (ବହୁତ ଚିତ୍ରିତ ରଥ ସବୁ) ବିଦ୍ୟମାନ । ବଡ଼ ବଡ଼ ଦାନବମାନେ ପୂର୍ବରେ ଥିଲେ, କିନ୍ତୁ ରାବଣ ପରି ଏତେ ବଢ଼ାଇ କରି ନ ଥିଲେ । ବୀରବର ଉପେନ୍ଦ୍ର ଭଞ୍ଜ ସ୍ୱଛନ୍ଦରେ ଓ ନିଶ୍ଚିନ୍ତରେ ନୀଳାଚଳନାଥଙ୍କ ଧ୍ୟାନରେ ସଫଳତା ଲଭି ଏ ବିଚିତ୍ର ଛାନ୍ଦ ରଚନା କଲେ ।

 

Unknown

ଦ୍ୱିତୀୟ ଛାନ୍ଦ

(ରାଗ–ମଙ୍ଗଳ ଗୁଜ୍ଜରୀ)

 

ବିଦୁଷ ! ଦୁଷଣ ବିବର୍ଜ୍ଜିତ ଗୀତେ ରସ ।

 

ବିଷ୍ଣୁ ଚରିତ ତ୍ୱରିତ କରିବ ହରଷ ଯେ ॥

।୧।

 

 

ବାମଦେବ ଦେବରାଜ ଗୁରୁ ସଙ୍ଗତିରେ ।

 

ବିମନେସୁମନେଗଲେ କ୍ଷୀରସିନ୍ଧୁତୀରେ ଯେ ॥

।୨।

 

 

ବ୍ରହ୍ମାଣ୍ଡ କ୍ଷୋଭିତେ ଭୀତେ ବ୍ରହ୍ମା ପ୍ରମୁଖରେ ।

 

ବିଶ୍ୱମ୍ଭର ଭରସାରେ ସ୍ତୁତି କଲେ ଖରେ ଯେ ॥

।୩।

 

୧ମ ପଦ–ବିଦୁଷ–ପଣ୍ଡିତ । ଦୂଷଣ ବର୍ଜିତ–ଦୋଷଶୂନ୍ୟ । ତ୍ୱରିତ–ଶୀଘ୍ର ।

୧ମ ପଦ–ପଣ୍ତିତମାନେ । ଦୋଷ ରହିତ ଗୀତରେ ଅନୁରକ୍ତ ହୁଅ । କାରଣ ଏ ବିଷ୍ଣୁ ଚରିତ ଶୀଘ୍ର ହର୍ଷ ପ୍ରଦାନ କରିବ ।

୨ୟ ପଦ–ବାମଦେବ–ଶିବ । ଦେବରାଜ–ଇନ୍ଦ୍ର । ଗୁରୁ–ବୃହସ୍ପତି । ସୁମନେ–ଦେବଗଣ

୩ୟ ପଦ–କ୍ଷୋଭିତ–ତ୍ରସ୍ତ । ଭୀତେ–ଭୟରେ । ବ୍ରହ୍ମା ପ୍ରମୁଖରେ–ବହ୍ମାଙ୍କ ଅଗ୍ରଣୀରେ । ବିଶ୍ୱମ୍ବର–ବିଷ୍ଣୁ।

୨ୟ ଓ ୩ୟ ପଦ–ବ୍ରହ୍ମାଣ୍ତ ଅସ୍ଥିର ହେବାରୁ ମହାଦେବ, ଇନ୍ଦ୍ର, ବୃହସ୍ପତି ଆଦି ଓ ଅନ୍ୟ ଦେବତାମାନେ ବ୍ରହ୍ମାଙ୍କ ସଙ୍ଗରେ ଯାଇ କ୍ଷୀରସିନ୍ଧୁ ତୀରରେ ବିଶ୍ୱମ୍ଭରଙ୍କୁ (ସମଗ୍ର ବ୍ରହ୍ମାଣ୍ତର ଧାରଣ କର୍ତ୍ତାଙ୍କୁ) ସ୍ମୃତି କଲେ ।

 

ବହିତ ଲୀଳା ରୋହିତ ରୋହିତ ମରତି ।

 

ବେଗେ ବରଦୈତ୍ୟ ବରଦାନେ ହେଲ ରତି ହେ ॥

।୪।

 

 

ବହି ଅମନ୍ଦମନ୍ଦର କୂର୍ମ ନମୋନମ ।

 

ବାରିଧିଅମୃତ ମନ୍ଥୁ ଅମୃତ ଜନମ ଯେ ॥

।୫।

 

 

ବିପକ୍ଷେ ଦେବାରି ବାରି ପରଶିଲ ସୁଧା ।

 

ବିଶ୍ୱମୋହିତ ମୋହିନୀରୂପରେ ବିଶୁଦ୍ଧା ଯେ ॥

।୬।

 

୪ର୍ଥ ପଦ–ରୋହିତ–ଲାଲବର୍ଣ୍ଣ । ରୋହିତ–ରୋହିମାଛ । ନରଦୈତ୍ୟ–ଶଙ୍ଖାସୁର । ବରଦାନ–ଭୟ ଛେଦନ ।

୪ର୍ଥ ପଦ–ହେ ଭଗବାନ ! ଲୀଳାରେ ଲୋହିତ ବର୍ଣ୍ଣ ରୋହି ମତ୍ସ୍ୟର ମୂର୍ତ୍ତି ଧରି ଶଙ୍ଖାସୁରର ଭୟରୁ ରକ୍ଷା କରିଥିଲ (ଶଙ୍ଖାସୁରକୁ ବିନାଶ କରିଥିଲ)।

୫ମ ପଦ–ଅମନ୍ଦ ମନ୍ଦର–ବୃହତ୍‌ ମନ୍ଦର ପର୍ବତ । ବାରିଧି ଅମୃତ–ସାଗର ଜଳ ।

ଷଷ୍ଠ ପଦ–ଦେବାରି–ରାକ୍ଷସ । ବାରି–ନିଷେଧ କରି । ବିଶୁଦ୍ଧ–ନିଷ୍କଳଙ୍କ ।

୫ମ ଓ ୬ଷ୍ଠ ପଦ–ତୁମ୍ଭେ ବୃହତ୍‌ ମନ୍ଦର ପର୍ବତକୁ ବହନ କରି କରି ସମୁଦ୍ରତଳ ମନ୍ଥନ କରାଇ ଅମୃତ ଜନ୍ମାଇଥିଲ । ପୁଣି ବିଶ୍ୱମୋହନୀ ମୋହିନୀ ରୂପ ଧାରଣ କରି ଶତ୍ରୁ ଭାବରେ ଅସୁରମାନଙ୍କୁ ଦୂରେ ରଖି ଆମ୍ଭମାନଙ୍କୁ ଅମୃତ ପରଶିଲ । ଏପରି ଯେ କୂର୍ମ ଅବତାର, ତୁମ୍ଭଙ୍କୁ ନମସ୍କାର ।

 

ବରାହବର ବରାହବର ସୁପଣ୍ଡିତ ।

 

ବଲ୍ଲଭମହୀର ହିରଣ୍ୟାକ୍ଷକୁ ଖଣ୍ଡିତ ଯେ ॥

।୭।

 

 

ବପୁବନ୍ତ ହରି ହରି ପ୍ରହ୍ଲାଦ ପୁଣ୍ୟକୁ ।

 

ବିଦାରିଲ କରୀପରି କରି ହିରଣ୍ୟକୁ ଯେ ॥

।୮।

 

 

ବାମନ ମନମୋହନ ହୋଇ ଭୂଦାନରେ ।

 

ବଳିଷ୍ଠ ବଳିକି ଚାପି ଅଧୋଭୁବନରେ ଯେ ॥

।୯।

 

୭ମ ପଦ–ବରାହବର–ଶ୍ରେଷ୍ଠ ବରାହ । ବରାହବର–ଭୟଙ୍କର ଯୁଦ୍ଧ । ବଲ୍ଲଭମହୀର–ଚକ୍ରବର୍ତ୍ତୀ ।

୭ମ ପଦ–ହେ ବରାହଶ୍ରେଷ୍ଠ ! ଯୁଦ୍ଧ ପଣ୍ତିତ ପୃଥ୍ୱୀପତ ହିରଣ୍ୟାକ୍ଷ ଦୈତ୍ୟକୁ ଶ୍ରେଷ୍ଠ ଯୁଦ୍ଧରେ ବିନାଶ କରିଅଛ ।

୮ମ ପଦ–ବପୁବନ୍ତହରି–ନୃସିଂହ ମୂର୍ତ୍ତିଧାରୀ [ନାରାୟଣ]। ପଣ–ପ୍ରତିଜ୍ଞା । କରୀ–ହାତୀ-

୮ମ ପଦ–ହେ ହରି ! ପ୍ରହ୍ଲାଦର ପୁଣ୍ୟ ଫଳରେ ନରସିଂହ ରୂପ ଧଇଲ ଓ ହିରଣ୍ୟକୁ ହାତୀପରି ବିଦାରଣ କଲ ।

୯ମ ପଦ–ଭୂଦାନ–ଭୂମିଦାନ । ଅଧୋଭୁବନ–ପାତାଳ ।

୯ମ ପଦ–ସୁନ୍ଦର ବାମନମୁର୍ତ୍ତି ଧାରଣ କରି ଭୂମିଦାନ ନେବା ସମୟରେ ବଳବାନ୍‌ ବଳୀକୁ ପାତାଳରେ ଚାପିଥିଲ ।

 

ବିଭୁ ଭୃଗୁବଂଶପର ପରଶୁଧାରଣ ।

 

ବାହୁଜ ବାହୁସହସ୍ର ଦାରଣ କାରଣ ହେ ॥

।୧୦।

 

 

ବିଂଶକର କରଣୀକି ନାହିଁ ସରି ରକ୍ଷ ।

 

ବିନତି ଉନ୍ନତିହୀନେ ଆମ୍ଭେ,ପ୍ରଭୁ ! ରକ୍ଷ ହେ ॥

।୧୧।

 

 

ବୁଧ ବିବୁଧଙ୍କ ସ୍ତୁତି ଘେନି କମ୍ବୁଧର ।

 

ବଶୀଭୂତ ହେଲେ ବସି ଗରୁଡ଼ କନ୍ଧର ଯେ ॥

।୧୨।

 

 

ବୋଇଲେ ପ୍ରବରବର ଦିଅ କାହିଁପାଇଁ ।

 

ବେଭାରେ ତ୍ରିପୁରଭାର ଦୈତ୍ୟେ ଜାଣ ନାହିଁ ହେ ॥

।୧୩।

 

୧୦ମ ପଦ–ଭୃଗୁବଂଶପର–ଭୃଗୁବଂଶ ଶ୍ରେଷ୍ଠ । ବାହୁଜ–କ୍ଷତ୍ରିୟ । ବାହୁ ସହସ୍ର–ସହସ୍ରାର୍ଜୁନ । ବାରଣ–ନିଷେଧ ।

୧୦ମ ପଦ–ହେ ହରି ! ଭୃଗୁକୁଳ ଶ୍ରେଷ୍ଠ (ପର୍ଶୁରାମ) ରୂପରେ ପରଶୁ (କୁଠାର) ଧରି କ୍ଷତ୍ରିବୀର କୀର୍ତ୍ତୀବୀର୍ଯ୍ୟର ବିନାଶର କାରଣ ହେଲ ।

୧୧ଶ ପଦ–ବିଂଶକର–ରାବଣ । କରଣୀ–ପ୍ରତାପ । ସରି–ସମାନ । ରକ୍ଷ–ରାକ୍ଷସ ।

୧୧ଶ ପଦ–ଏବେ ରାବଣର ପ୍ରତାପକୁ ସମାନ ହେବାପରି ରାକ୍ଷସ ଆଉ ନାହିଁ । ତେଣୁ (ତାହାରି ପ୍ରତାପରେ) ଆମେ ନିସ୍ତେଜ ହୋଇ ପଡ଼ିବାରୁ ତୁମ୍ଭଙ୍କୁ ବନ୍ଦନା କରୁଅଛୁ । ହେ ପ୍ରଭୋ ! ରକ୍ଷା କର ।

୧୨ ଶ ପଦ–ବୁଧ ବିବୁଧଙ୍କ–ବିଜ୍ଞ ଦେବତାମାନଙ୍କ । ଜମ୍ବୁଧର–ଶଙ୍ଖଧାରୀ (ବିଷ୍ଣୁ) ।

୧୩ ଶ ପଦ–ପ୍ରବର ବର–ଉକ୍ତୃଷ୍ଟ ବର । ତ୍ରିପୁର–ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ।

୧୨ଶ ଓ ୧୩ଶ ପଦ–ଶଙ୍ଖଧାରୀ ବିଷ୍ଣୁ ବିଜ୍ଞ ଦେବତାଙ୍କ ସ୍ତୃତିରେ ବଶୀଭୂତ ହୋଇ ଗରୁଡ଼ କାନ୍ଧରେ ବସି ଆସି କହିଲେ, ‘‘କାହିଁକି ଏପରି ଉତ୍କୃଷ୍ଟ ବର ଦିଅ ? ସ୍ୱଭାବରେ ଦୈତ୍ୟମାନେ ତିନିପୁରର ଶତ୍ରୁ; ଏହା କ’ଣ ଜାଣ ନାହିଁକି ?’’

 

ବୋଇଲ ଯେ ପୂର୍ବ ପୂର୍ବଦେବେ ବଳେ ସାର ।

 

ବିନାଶରେ କୀନାଶ ପ୍ରକାର ସଂସାର ଯେ 

।୧୪।

 

 

ବିହି ବିହିଲେ ଶୁଣି ତା କି ଭକ୍ତିବଚନ ।

 

ବର କରୁଁ ଉଚିତେ ଏ ଚିତ୍ତେ ବିରଚନ ଯେ 

।୧୫।

 

 

ବିଲୋକନ ହେବ ନବ ନବ ଅବତାର ।

 

ବିଧୂର ମଧୂରଲୀଳା ହୋଇବ ବିସ୍ତାର ଯେ 

।୧୬।

 

 

ବୃଷଭାସନେ ବୃଷଭାଷଣେ ଅତିତର ।

 

ବିଭୋ ତାର ଯେଉଁ ନାମ ତାରକ ମନ୍ତର ଯେ 

।୧୭।

 

 

ବିହି ସେହି ମୁରତି ରତିଶକୋଟି ଜିତ ।

 

ବାଞ୍ଛା ପୁରୁ ହେ ପୁରୁଷୋତ୍ତମ ! ମୁଁ ଭାବିତ ହେ 

।୧୮।

 

୧୪ ପଦ–ପୂର୍ବଦେବ–ରାକ୍ଷସ । କୀନାଶ–ଯମ ।

୧୪ଶ ପଦ–‘ରାକ୍ଷସମାନେ ଖୁବ୍‌ ବଳବାନ୍‌ ଓ ସଂସାର ବିନାଶ କରିବାରେ ଯମ ସଦୃଶ । ତୁମ୍ଭେ କହୁଛ ଯେ, ରାବଣ ଏମାନଙ୍କ ଅପେକ୍ଷା ମଧ୍ୟ ଶ୍ରେଷ୍ଠ । (ତେବେ ଏପରି ବର ଦେଲ କାହିଁକି-?)’’

୧୫ ଶ ପଦ–ବିହି–ବ୍ରହ୍ମା । ବିହିଲେ–କହିଲେ ।

୧୬ଶ ପଦ–ବିଲୋକନ ହେବ–ଦେଖାଯିବ । ବିଧୁର–ବିଷ୍ଣୁଙ୍କର । ମଧୁରଳୀଳା–ମନୋହର କ୍ରୀଡ଼ା ।

୧୫ଶ ପଦ ଓ ୧୬ଶ ପଦ–ବିଷ୍ଣୁଙ୍କର ବଚନ ଶୁଣି ବିଧାତା ଭକ୍ତିଭରେ କହିଲେ, ‘‘ଆପଣଙ୍କର ନୂଆ ନୂଆ ଅବତାର ଦର୍ଶନ ଓ ନାନା ଲୀଳାର ବିଶ୍ଲେଷଣ ହେବ । ହୃଦୟରେ ଏହି ଚିନ୍ତା କରି ଆମେ ଉଚିତରେ ବର ପ୍ରଦାନ କରୁ ।’’

୧୭ଶ ପଦ–ବୃଷଭାସନ–ଶିବ । ବୃଷଭାଷଣ–ଉଚ୍ଚସ୍ୱର । ଅବିତର–ଅତିଶୀଘ୍ର । ତାର–ତ୍ରାଣକର ।

୧୮ଶ ପଦ–ରତୀଶକୋଟିଜିତ–କୋଟିକନ୍ଦର୍ପଜିତ ।

୧୭ଶ ଓ ୧୮ଶ ପଦ–ତାହାପରେ ମହାଦେବ ଶୀଘ୍ର ଯାଇ ଉଚ୍ଚସ୍ୱରରେ କହିଲେ, ‘ହେ ବିଭୋ ! ହେ ପୁରୁଷୋତ୍ତମ ! ଯେଉଁ ତାରକ ମନ୍ତ୍ରର ଦୀପ୍ତି କୋଟି କାମଦେବକୁ ଜୟ କରିଛି, ସେ ରାମମୂର୍ତ୍ତି ଧାରଣ କର । ମୁଁ ସେ ମୂର୍ତ୍ତି ଦେଖିବା ପାଇଁ ଚିନ୍ତିତ ଅଛି, ମୋର ମନୋବାଞ୍ଛା ପୂର୍ଣ୍ଣ ହେଉ ।’’

 

ବିରୁପାକ୍ଷ ବୋଲିବାରେ ବାରେ କି ଶୋଚନ ।

 

ବିକ୍ଷଣ ଲୋଭେ ଇକ୍ଷଣ ତିନି ମୁଁ ରଚନ ହେ ॥

।୧୯।

ବକ୍ତ୍ର ପାଞ୍ଚ ପାଞ୍ଚ ଏହି ବହି ସ୍ତୁତିକୃତେ ।

 

ବହନ ବହ ସେ ରୂପ ମୋହରି ସ୍ୱକୃତେ ହେ ॥

।୨୦।

ବାସ୍ତୋଷ୍ପତି ପତିତ ଅଛନ୍ତି କେତେ ଭାଷି ।

 

ବହ ସେ ରୂପ ସ୍ୱରୂପେ ନ ଯାନ୍ତୁ ସେ ଭାସି ହେ ॥

।୨୧।

ବିଶ୍ୱକସେନ ସେନେହ କରି ଏ ଉତ୍ତରେ ।

 

ବିଧୁ–କାଶ–ଜିତ ହାସ ପ୍ରକାଶି ସତ୍ୱରେ ଯେ ॥

।୨୨।

ବହିବି ନାହିଁ ମୁଁ ଅରି ଅରମାଣରେ ।

 

ବିରାଜମାନ ବି–ରାଜ ନ ଚଢ଼ି ରଣରେ ଯେ ॥

।୨୩।

ବନୌକା ପ୍ରବଳ ବଳ ସଙ୍ଗ ହେବେ ହେଳେ ।

 

ବୋଲିଣ ଅନ୍ତର ଯେ ଅନ୍ତର୍ଯ୍ୟାମୀ ହେଲେ ଯେ ॥

।୨୪।

 

୧୯ଶ ପଦ–ବିରୂପାକ୍ଷ–ଅସୁନ୍ଦର ଆଖି । ବିକ୍ଷଣ–ଦେଖିବା । ଈକ୍ଷଣ–ଚକ୍ଷୁ ।

୨୦ଶ ପଦ–ବକ୍ତପାଞ୍ଚ–ପଞ୍ଚମୁଖ ।

୧୯ଶ ଓ ୨୦ଶ ପଦ–ମୋତେ ବିରୂପାକ୍ଷ (ମୋର ତିନି ଆଖିଥିବାରୁ) କହନ୍ତି, ସେଥିରେ ମୋର ତିଳେ ହେଲେ ଶୋଚନା ହୁଏ ନାହିଁ । ବିଶେଷ ଭାବରେ ସେହି ରାମ ରୂପ ଦେଖିବା ପାଇ ମୁଁ ତିନିଆଖି ବହିଛି । ବହୁତ ମୁଖରେ ସ୍ତୁତି କରିବି; ଏହି ପାଞ୍ଚ ପାଞ୍ଚି ମୁଁ ପଞ୍ଚମୁଖ ବହନ କରିଛି । ମୋହର ସୁକୃତି ଲାଗି ସେହି ରାମ ରୂପ ଧାରଣ କର ।’’

୨୧ଶ ପଦ–ବସ୍ତୋଷ୍ପତି–ଇନ୍ଦ୍ର । ପତିତ–ପାପୀ ।

୨୧ଶ ପଦ–ଇନ୍ଦ୍ର କହିଲେ ‘‘ପାପୀ ଲୋକମାନେ ସଂସାରରେ ଅଛନ୍ତି, ସେମାନେ ଯେପରି ଭାସି ନ ଯାନ୍ତୁ । ତୁମ୍ଭେ ରାମ ରୂପ ଧାରଣ କର । (ତୁମ୍ଭଙ୍କୁ ଦେଖିଲେ ସେମାନଙ୍କ ପାପ ଦୂର ହେବ ଓ ସେମାନେ ମୁକ୍ତି ଲାଭ କରିବେ)।

୨୨ଶ, ୨୩ଶ, ୨୪ଶ ପଦ–ବିଶ୍ୱକ୍‌ସେନ–ବିଷ୍ଣୁ । ବିଧୁ–ଚନ୍ଦ୍ର । କାଶ–କାଶତଣ୍ଡୀଫୁଲ । ଅରି–ଚକ୍ର । ଅରିମାରଣରେ–ଶତ୍ରୁ ବିନାଶକାଳରେ । ବିରାଜ–ଗରୁଡ଼ । ବନୌକା–ବାନର ।

୨୨ଶ, ୨୩ଶ, ୨୪ଶ ପଦ–ବିଷ୍ଣୁ ଦେବତାଙ୍କର ଉତ୍ତର ଶୁଣି ଚନ୍ଦ୍ର ଓ କାଶତଣ୍ଡୀଫୁଲକୁ ମଳିନ କରୁଥିବା ସେହି ମିଶ୍ରିତ ହସ ପ୍ରକାଶ କରି କହିଲେ, ଶତ୍ରୁ ବିନାଶ କରିବାରେ ମୁଁ ଚକ୍ର ବହିବି ନାହିଁ, ସମର କ୍ଷେତ୍ରରେ ଗରୁଡ଼ ଉପରେ ନ ବସି ବିରାଜମାନ ହେବି । ଅସଂଖ୍ୟ ବାନରବଳ ସଙ୍ଗରେ ଧରି ଅବହେଳେ ଶତ୍ରୁ ନାଶ କରିବି ।’’ ଏହା କହି ଅନ୍ତର୍ଯ୍ୟାମୀ ଅନ୍ତର ହୋଇଗଲେ ।

 

ବୈଧାତ୍ର କଥିତ ସ୍ଥିତ ଏମାନ ପ୍ରସଙ୍ଗେ ।

 

ବିଧିରେ ସାଧିରେ ଗଙ୍ଗାକୂଳେ ଋଷି ସଙ୍ଗେ ଯେ ॥

।୨୫।

 

 

ବିବେକ ସୁମନ୍ତ୍ର ସୁମନ୍ତର ଥିଲା ଯାଇ ।

 

ବିଚାରିଲା ପଚାରିଲା ଭାବ ଉପୁଯାଇ ଯେ ॥

।୨୬।

 

 

ବୈଜୟନ୍ତୀମାଳାଧର ଧରଣୀକରତା ।

 

ବର୍ଷଧରି କେଉଁ ଧରିତ୍ରୀଶ କୁଳେ ରତା ଯେ ॥

।୨୭।

 

 

ବିଭ୍ରାଜିତ ଭବନରେ ବନରେ ହୋଇବେ ।

 

ବାତ୍ସଲ୍ୟରସବତ୍ସଳ ହୋଇଣ ଦଇବଯେ ?

।୨୮।

 

 

ବିକଶିତ ଶୀତକର ଧବଳ ପକ୍ଷରେ ।

 

ବିହାୟସେ ଯଥା ବିହାର ସେ ଏ ଲକ୍ଷରେ ଯେ ॥

।୨୯।

 

 

ବନ୍ଧୁବର୍ଗ ଜୀବଞ୍ଜୀବ ନୟନ ତୋଷିବେ ।

 

ବ୍ୟକ୍ତେ ଭକ୍ତସରବ–କୈରବ ଉଲ୍ଲାସିବେ ଯେ ?

।୩୦।

 

୨୫ଶ ପଦ–ବେଧାତ୍ର–ସନତ୍‌କୁମାର ।

୨୫ଶ ପଦ–ଗଙ୍ଗାକୂଳରେ ୠଷିଗୁଣ ପରିବେଷ୍ଟିତ ସନତ୍‌ କୁମାର ୠଷି କଥା ପ୍ରସଙ୍ଗରେ ଏହି ବିଷୟମାନ କହିଲେ ।

୨୬ଶ ପଦ–ବିବେକ–ବିଚାରବନ୍ତ । ସୁମନ୍ତ୍ର–ବିଚାରଜ୍ଞ, ସୁମନ୍ତ୍ରମନ୍ତ୍ରୀ । ସୁମନ୍ତର–ଉତ୍ତମ ମନ୍ତ୍ର ।

୨୬ଶ ପଦ–ବିବେକବନ୍ତ ଓ ଉତ୍ତମ ବିଚାରକ ସୁମନ୍ତ୍ର ମନ୍ତ୍ରୀ ସେଠାକୁ ଯାଇଥିଲେ । ସେ ଏହିସବୁ କଥା ବିଚାରିଲେ ଓ ମୁନିଙ୍କୁ ଭକ୍ତି କରି ପଚାରିଲେ ।

୨୭ଶ ପଦ–ବେଜୟନ୍ତୀମାଳା–ବିଷ୍ଣୁଙ୍କର ସୁନାମପ୍ରସିଦ୍ଧ ମାଳା । ଧରଣୀକରତା–ସୃଷ୍ଟିକର୍ତ୍ତା । ବର୍ଷ–ଦେହ । ଧରୀତ୍ରାଣ–ରାଜା ।

୨୭ଶ ପଦ–‘‘ବୈଜୟନ୍ତୀ ମାଳା ଧାରଣକାରୀ ଜଗତର କର୍ତ୍ତା (ନାରାୟଣ) କେଉଁ ରାଜାର ବଂଶରେ ଦେହ ଧରି ଜାତ ହେବେ ।’’

୨୮ ପଦ–ବିଭ୍ରାଜିତ–ପ୍ରକାଶିତ ।

୨୮ଶ ପଦ–‘‘ଦୈବ ବଳରେ ବାତ୍ସଲ୍ୟରସରେ ଅନୁପ୍ରାଣିତ ହୋଇ ସେ ରାଜପୁରୀରେ ପ୍ରକାଶିତ ହେବେ ନା ବନରେ ଜାତ ହେବେ ?’’

୨୯ଶ ପଦ–ଶୀତକର–ଚନ୍ଦ୍ର । ଧବଳପକ୍ଷ–ଶୁକ୍ଳପକ୍ଷ । ବିହାୟସ–ଆକାଶ ।

୩୦ଶ ପଦ–ଜୀବଞ୍ଜୀବ–ଚକୋର । କେରବ–କଇଁଫୁଲ ।

୨୯ଶ ଓ ୩୦ଶ ପଦ–‘‘ଶୁକ୍ଳପକ୍ଷରେ ଚନ୍ଦ୍ର ଆକାଶରେ ଉଦିତ ହୋଇ ବିହାର କଲାପରି ବିଷ୍ଣୁ ପ୍ରକାଶିତ ହୋଇ ଚକୋର ରୂପେ ବନ୍ଧୁବର୍ଗଙ୍କୁ ତୋଷ କରିବେ ଓ କୁମୁଦରୂପେ ଭକ୍ତମାନଙ୍କୁ ଉଲ୍ଲାସ କରିବେକି ?’’

 

ବୈରୀ–ପଦ୍ମଙ୍କର କର ହେବ ଆମୋଦିତ ।

 

ବିଧୁ ନାମହିଁ ଏଣୁ କି ମହୀରେ ଉଦିତ ଯେ ?

।୩୧।

 

 

ବୋଲେ ପ୍ରସନ୍ନେ ସନତକୁମାର ପେଶଳେ ।

 

ବର୍ତ୍ତିବେ ଯେ ଉତ୍ତରକୋଶଳେ ସେ କୁଶଳେ ଯେ ॥

।୩୨।

 

 

ବୋଲାଇବେ ଦାଶରଥି ରଥିଶ୍ରେଷ୍ଠ ହରି ।

 

ବର୍ଣ୍ଣିବେ କବିତ୍ୱେ କବି ନେବେ ଚିତ୍ତ ହରି ଯେ ॥

।୩୩।

 

 

ବାହୁଡ଼ି ସଚିବ ଶଚୀବରଭୂତି ଲଭେ ।

 

ବନ୍ଦନ ଅଜନନ୍ଦକ କୌଶଲ୍ୟାବଲ୍ଲଭେଯେ ॥

।୩୪।

 

 

ବୃତ୍ତାନ୍ତ ତାତପର୍ଯ୍ୟରେ ସବୁ ଜଣାଇଲା ।

 

ବୃଦ୍ଧକାଳେ ସୁଭାଗ୍ୟତା ପ୍ରବୃଦ୍ଧ ହୋଇଲା ଯେ ॥

।୩୫।

 

୩୧ଶ ପଦ–କର–କିରଣ, ବାହୁ । ବିଧୁ–ବିଷ୍ଣୁ, ଚନ୍ଦ୍ର ।

୩୧ଶ ପଦ–‘‘ପଦ୍ମସଦୃଶ ଶତ୍ରୁମାନଙ୍କର ବିନାଶକାରୀ ହୋଇ ଚନ୍ଦ୍ର ନାମକୁ ସାର୍ଥକ କରି ମହୀରେ ଉଦିତ ହେବେକି ?’’

୩୨ଶ ପଦ–ପେଶଳେ–କୋମଳ ଭାବରେ । ଉତ୍ତର–କୋଶଳ–ଅଯୋଧ୍ୟା ।

୩୨ଶ ପଦ–(ସୁମନ୍ତ୍ର ଏମନ୍ତ ପଚାରିବାରୁ) ସନତ୍‌ କୁମାର ପ୍ରସନ୍ନ ହୋଇ କହିଲେ, ‘‘ସୌନ୍ଦର୍ଯ୍ୟ ପୂର୍ଣ୍ଣ ଅଯୋଧ୍ୟାରେ ସେ କୁଶଳରେ ଜୀବନ ଧାରଣ କରିବେ ।’’

୩୩ଶ ପଦ–ରଥିଶ୍ରେଷ୍ଠ–ଉତ୍ତମ ଯୋଦ୍ଧା ।

୩୩ଶ ପଦ–‘‘ରଥିଶ୍ରେଷ୍ଠ ହରି ଦାଶରଥି ବୋଲାଇବେ (ଦଶରଥଙ୍କର ପୁତ୍ର ହେବେ) କବିମାନେ ତାଙ୍କ ଚରିତ୍ରକୁ ବର୍ଣ୍ଣନା କରି ନାନା କବିତାରେ ଚିତ୍ତ ହରଣ କରିବେ ।’’

୩୪ଶ ପଦ–ସଚିବ–ମନ୍ତ୍ରୀ,(ସୁମନ୍ତ୍ର) । ଶଚୀବର ଭୂତି–ଇନ୍ଦ୍ର ସମ୍ପତ୍ତି । ଅଜନନ୍ଦନ କୌଶଲ୍ୟାବଲ୍ଲଭ–ଦଶରଥ ।

୩୪ଶ ଓ ୩୫ଶ ପଦ–ସୁମନ୍ତ୍ର(ଏହା ଶୁଣି) ଇନ୍ଦ୍ର ସମ୍ପତ୍ତି ଲାଭ କରି ସେଠାରୁ ବାହୁଡ଼ି ଗଲେ । ଦଶରଥଙ୍କୁ ବନ୍ଦନ କରି ‘ହରି ତୁମ୍ଭର ପୁତ୍ର ହୋଇ ଜାତ ହେବେ’–ଏହା କହି ସମସ୍ତ ବୃତ୍ତାନ୍ତ ସଂକ୍ଷେପରେ ଜଣାଇଲେ ଓ କହିଲେ, ‘‘ବୃଦ୍ଧକାଳରେ ଆପଣଙ୍କ ସୌଭାଗ୍ୟ ବୃଦ୍ଧିପ୍ରାପ୍ତ ହେଲା ।’’

 

ବିକଳ କଳନା ହୋଇ କରୁଥିଲା ରଙ୍ଗ ।

 

ବନଦନିନଦ କିବା ଶୁଣିଲା ସାରଙ୍ଗ ଯେ ॥

।୩୬।

ବାମଦେବ,ଜାବାଳି,ଯା–ବାଳି ଅରୁନ୍ଧତୀ ।

 

ବେଗେ ମିଳିତ ଲଳିତ ଜଟାବର ଧୃତି ଯେ ॥

।୩୭।

ବିମଳ ନଳିନ–ଲୀନ ଲପନେ ମନାଇ ।

 

ବସୁମତୀଶ ଅତି ସହରଷ,ଅନାଇ ଯେ ॥

।୩୮।

ବୋଲୁଅଛନ୍ତି ଛତିଶ–କୁଳୀନ ଯମର ।

 

ବଧ ଶୁଣିଲ ଜାଣିଲୁଁ ପରଶୁରାମର ଯେ ॥

।୩୯।

 

୩୬ଶ ପଦ–ରଙ୍ଗ–କେଳି, କ୍ରୀଡ଼ା । ବନଦନିନ୍‌ଦ–ମେଘଧ୍ୱନି । ସାରଙ୍ଗ–ଚକୋର ।

୩୬ଶ ପଦ–ତୃଷାର୍ତ୍ତ ଚାତକ ମେଘଧ୍ୱନି ଶୁଣି ଖୁସିହେଲା ପରି ସୁମନ୍ତ୍ର ବଚନ ଶୁଣି ଆକୁଳିତ (ସନ୍ତାନ ନ ଥିବା ଯୋଗୁ) ଦଶରଥ ଆନନ୍ଦିତ ହେଲେ ।

୩୭ଶ ପଦ–ଯା–ବାଳୀ ଅନ୍ଧରୁତୀ–ଯାହାଙ୍କର ସ୍ତ୍ରୀ ଅରୁନ୍ଧତୀ (ବଶିଷ୍ଠ) । ଲଳିତା–ମନୋହର ।

୩୭ଶ ପଦ–ମନୋହର ଜଟା ବହନ କରିଥିବା ୠଷି ବାମଦେବ, ଜାବାଳି ଆଉ ଯାହାଙ୍କର ସ୍ତ୍ରୀ ଅରୁନ୍ଧତୀ ଅର୍ଥାତ୍‌ ବଶିଷ୍ଟ, ଏ ତିନିଜଣ ସେଠାରେ ପ୍ରବେଶ କଲେ ।

୩୮ଶ ପଦ–ବିମଳ ମଳିନ–ପ୍ରସ୍ଫୁଟିତ ପଦ୍ମ । ଲିପନ–ମୁଖ । ବସୁମତୀଶ–ରାଜା (ଦଶରଥ) ।

୩୯ଶ ପଦ–ଛତିଶ କୁଳୀନ–ସମସ୍ତ ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ (ବ୍ରାହ୍ମଣ) ।

୩୮ଶ ଓ ୩୯ଶ ପଦ–ଦଶରଥିରାଜା ଖୁସି ହେଉଥିବାର ଦେଖି ସେ ୠଷିମାନେ ମୁଖ–ପଦ୍ମରେ ନିର୍ମଳ ଆନନ୍ଦ ପ୍ରକାଶ କରି କହିଲେ, ଯମ ସଦୃଶ ‘‘ଭୟଙ୍କର ବ୍ରାହ୍ମଣ ପର୍ଶୁରାମର ବଧବାର୍ତ୍ତା ଶୁଣିଲକି ? ତୁମର ହର୍ଷ ଦେଖି ଏହା ଜଣାଯାଉଅଛି ।’’

 

ବାରିଧି ମନ୍ଦ ମନ୍ଦର ନୃପଗଣେଶ୍ୱର ।

 

ବିରଚନ ବଚନ ଆନନ୍ଦମୟ ସ୍ୱର ଯେ ॥

।୪୦।

 

 

ବୃହଭାନୁ ଭାନୁର ମୁଁ ଶୀତଳ ପାଇବି ।

 

ବିନ୍ଧ୍ୟପରବତ ହସ୍ତ ଉପରେ ଥୋଇବି ଯେ ॥

।୪୧।

 

 

ବିକୁଷକୁ ମନେକରେଁ କରେ ଧରିବାକୁ ।

 

ବାୟୁକୁ ପାଶେ ପକାଇ ପାଶେ ରଖିବାକୁ ଯେ ॥

।୪୨।

 

 

ବଶିଷ୍ଠ ଶିଷ୍ଟଉକ୍ତିକି ତହିଁ ପ୍ରକାଶିଲେ ।

 

ବିଷୟକି ? ସଂଶୟ କି ସୁମନ୍ତ୍ର ଭାଷିଲେ ଯେ ॥

।୪୩।

 

 

ବୁଝି ମୁନି ହସି ହସି ସମ୍ମତିକୁ ଇଚ୍ଛି ।

 

ବାଲ୍ମୀକି ଭବିଷ୍ୟ ପୁରାଣକୁ ପୁରା ଇଚ୍ଛି ହେ ॥

।୪୪।

 

୪୦ଶ ପଦ–ବାରିଧି–ସାଗର । ମନ୍ଦ–ଶନୈଶ୍ୱର । ନୃପଗଣେଶ୍ୱର–ନୃପତିଶ୍ରେଷ୍ଠ (ଦାଶରଥି) ।

୪୧ଶ ପଦ–ବୃହଭାନୁ–ଅଗ୍ନି । ଭାନୁ–ସୂର୍ଯ୍ୟ ।

୪୨ଶ ପଦ–ବିକୁଷକୁ–ଚନ୍ଦ୍ରକୁ । ପାଶ–ଫାନ୍ଦ । ପାଶ–ନିକଟ ।

୪୦ଶ, ୪୧ଶ, ୪୨ଶ ପଦ–ଶନିରୂପ ସାଗରର ମନ୍ଥନକାରୀ ମନ୍ଦର ପର୍ବତ ସଦୃଶ ନୃପଶ୍ରେଷ୍ଠ ଦଶରଥ ଆନନ୍ଦମୟ ସ୍ୱରରେ କହିଲେ, ‘‘ଅଗ୍ନି ଓ ସୂର୍ଯ୍ୟଙ୍କଠାରୁ ମୁଁ ଶୀତଳଗୁଣ ପାଇବି ଏବଂ ବିନ୍ଧ୍ୟ ପର୍ବତକୁ ହସ୍ତଉପରେ ରଖିବି । ଆଉ ମଧ୍ୟ ଚନ୍ଦ୍ରକୁ ହାତରେ ରଖିବାକୁ ଓ ବାୟୁକୁ ଫାଶରେ ବାନ୍ଧି ପାଖରେ ରଖିବାକୁ ମୁଁ ମନେକରେ ।’’

୪୩ଶ ପଦ–ଶିଷ୍ଟଉକ୍ତି–ମହଦ୍‌ବାକ୍ୟ ।

୪୩ଶ ପଦ–(ଦଶରଥ ଏପରି ଅସମ୍ଭବ କଥାମାନ କହିବାରୁ) ବଶିଷ୍ଟ ଧୀର ଭାବରେ (ସଂଶୟ ଚିତ୍ତରେ) ପଚାରିଲେ–କଥା କ’ଣ ? ସୁମନ୍ତ୍ର (ସମସ୍ତ କଥା କହି ଶେଷରେ) କହିଲେ–ସଂଶୟ ନାହିଁ ।

୪୪ଶ ପଦ–ସୁମନ୍ତ୍ରଙ୍କ କଥା ବୁଝିପାରି ବଶିଷ୍ଟ ହସି ହସି ସମ୍ମତି ପ୍ରଦାନ କରି କହିଲେ, ‘‘ବାଲ୍ମୀକି ମୂନି ଭବିଷ୍ୟ ପୁରାଣରେ ପୂର୍ବରୁ ଏହା ଲେଖିଅଛନ୍ତି ।’’

 

ବୈକୁଣ୍ଠ ବୈକୁଣ୍ଠପୂର ଶୂନ୍ୟ ପୂର୍ଣ୍ଣ ମୂର୍ତ୍ତି ।

 

ବିଶେଷତ ଶ୍ରୁତି ଅଛି ଶ୍ରୂତି ଯେ ସୁମୃତି ଯେ ॥

।୪୫।

 

 

ବାଞ୍ଛା ସେ ଅନୁସରଣ ଶରଣ ବିହିତ ।

 

ବୈବସ୍ୱତକୁଳେ ସ୍ୱତଃ ଆମ୍ଭେ ପୁରୋହିତ ଯେ ॥

।୪୬।

 

 

ବେଳୁ ବେଳ ନୃପତି ଚିତ୍ତକୁ ଦ୍ରବାଇଲା ।

 

ବିଧୁଶିଳ ପରି ବିଧୁ ସେ ବାଣୀ ହୋଇଲା ଯେ ॥

।୪୭।

 

 

ବିତ୍ତ ବିତରଣ ସେହିଦିନୁ ସେ କାମରେ ।

 

ବ୍ରତ ସର୍ଜିତ ପୂଜିତ ଅପୁଜ୍ୟ ଅମରେ ଯେ ॥

।୪୮।

 

 

ବୈଷ୍ଣବେ ଭୂସୁରେ ସୂରେ କରାଇ ମୋଦକୁ ।

 

ବ୍ରହ୍ମଚର୍ଯ୍ୟେ କର୍ମ କୃତ କର୍ମଶୁଭଦକୁ ଯେ ॥

।୪୯।

 

୪୫ଶ ପଦ–ବୈକୁଣ୍ଠ–ବିଷ୍ଣୁ । ଶ୍ରୁତିଅଛି–ଶୁଣାଅଛି । ଶ୍ରୁତି–ବେଦ । ସୁମୃତି(ସ୍ମୃତି)–ମନୁ ପ୍ରଭୃତି ଧର୍ମଶାସ୍ତ୍ର ।

୪୫ଶ ପଦ–‘‘ବିଷ୍ଣୁ ବୈକୁଣ୍ଠପୁରକୁ ଶୂନ୍ୟକରି ପୂର୍ଣ୍ଣାବତାର ହେବେ, ଏହା ବେଦଶାସ୍ତ୍ରରେ ବିଶେଷ ଭାବରେ ଶୁଣାଅଛି ।

୪୬ଶ ପଦ–ବିଧୁଶିଳ–ଚନ୍ଦ୍ରକାନ୍ତମଣି ।

୪୬ଶ ପଦ–ସେହି ବିଷ୍ଣୁଙ୍କର ଶରଣ ନେବା ଇଚ୍ଛାରେ ଆମ୍ଭେ ସ୍ୱଇଚ୍ଛାରେ ବୈବସୁତ ମନୁ ବଂଶରେ (ସୂର୍ଯ୍ୟବଂଶରେ) ପୁରୋହିତ ହେଇଅଛୁ ।’’

୪୭ଶ ପଦ–ଚନ୍ଦ୍ର ଯେପରି ଚନ୍ଦ୍ରକାନ୍ତ ମଣିକୁ ତରଳାଇ ଦିଏ, ସେହିପରି ମୁନିଙ୍କ ବାକ୍ୟ ଚନ୍ଦ୍ରପରି ହୋଇ ରାଜାଙ୍କର ଚିତ୍ତରୂପ ଚନ୍ଦ୍ରକାନ୍ତ ମଣିକୁ ବେଳକୁ ବେଳ ତରଳାଇଲା ।

୪୮ଶ ପଦ–ବ୍ରତ ସର୍ଜିତ–ବ୍ରତୀ ହୋଇ । ଅମରେ–ଦେବତାମାନଙ୍କୁ ।

୪୮ଶ ପଦ–ସେହିଦିନୁ ସେ ବିଷ୍ଣୁ ପୁତ୍ର ହେବା ଇଚ୍ଛାରେ ଦ୍ରବ୍ୟ ବିତରଣ କଲେ, ବ୍ରତ ଆଚରଣ କଲେ, ଅପୂଜା ରହିଥିବା ଦେବତାମାନଙ୍କୁ ପୂଜା କଲେ ।

୪୯ଶତ ପଦ–ଭୂସୁର–ପଣ୍ଡିତ । ସୁର–ଦେବତା । ମୋଦ–ଆନନ୍ଦ ।

୪୯ଶତ ପଦ–ବୈଷ୍ଣବ ବ୍ରାହ୍ମଣ, ଦେବତାମାନଙ୍କୁ ପୂଜାକରି ସୋମନଙ୍କର ହର୍ଷ ବଢ଼ାଇଲେ--ଏସବୁ କର୍ମ ଶୁଭପ୍ରଦ ହେବାପାଇଁ ନିଜେ ବ୍ରହ୍ମଚର୍ଯ୍ୟ ବ୍ରତରେ ବ୍ରତୀ ହେଲେ ।

 

ବିବେଚନାମାନ ମାନସରେ କରେ ନିତ୍ୟ ।

 

ବ୍ୟବସ୍ଥିତେ ରଜନୀରେ ସୁସ୍ୱପ୍ନ ଜନିତ ଜେ ॥

।୫୦।

 

 

ବିତପନ ତପନବଂଶୀ ଶ୍ରୀ ସେ ନୃପୋତ୍ତମ ।

 

ବିନାଶଇ ଦିନକୁଦିନ ସେ ଚିନ୍ତାତମ ଯେ ॥

।୫୧।

 

 

ବୋଲେ ଉପଇନ୍ଦ୍ର ଭଞ୍ଜ ଭଞ୍ଜନେ ଦୂରିତ ।

 

ବାନପଦରେ ଆଦରେ ରଚିତ ଚରିତ ଯେ ॥

।୫୨।

 

୫୦ଶତ ପଦ–ବ୍ୟବସ୍ଥିତେ–ଯଥାସମୟରେ ।

୫୧ଶତ ପଦ–ବିପନ–ସୂର୍ଯ୍ୟ । ତପନବଂଶୀ–ସୂର୍ଯ୍ୟବଂଶୀୟ ।

୫୦ ଓ ୫୧ ଶତ ପଦ–ସୂର୍ଯ୍ୟପରି ତେଜସ୍ୱୀ ସୂର୍ଯ୍ୟବଂଶୀୟ ରାଜା ଦଶରଥ ପ୍ରତ୍ୟହ ମନରେ ଏହି ଚିନ୍ତା କରିବାରୁ ରାତ୍ରରେ ସେହି ଶୁଭସ୍ୱପ୍ନମାନ ଦେଖିଲେ । ଦିନକୁ ଦିନ ଚିନ୍ତାରୂପକ ଅନ୍ଧକାର ବିନାଶ ଲଭିଲା ।

୫୨ଶତ ପଦ–ପାତକ ବିନାଶ ନିମିତ୍ତ ଏ ଚରିତ ବର୍ଣ୍ଣନା କରି ଉପେନ୍ଦ୍ର ଭଞ୍ଜ ବାଉନ ପଦରେ ଏହା ରଚନା କଲେ ।

 

ତୃତୀୟ ଛାନ୍ଦ

(ରାଗ–ରାମକେରୀ)

[ଆଦ୍ୟଯମକ]

ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ ।

 

ବିଦୁଷଣ ରାଜସମାନେ ଧର୍ମସ୍ଵରୂପୀ ସେହି ॥

।୧।

 

 

ବିଦିତ ମିଥିଳା ନୃପତି ନାମ ଜନକ ତାର ।

 

ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ॥

।୨।

 

 

ବିଦଗଧ ଯଜ୍ଞକର୍ମରେ ସର୍ବଦାରେ ସେ ଅତି ।

 

ବିଦଗଧଚିତ୍ତ ପ୍ରାପତ ନୋହିବାରେ ଦୂହିତୀ ॥

।୩।

 

୧ମ ପଦ–ବିଦୂଷ–ପଣ୍ଡିତ । ରଞ୍ଜନ–ମନୋହର । ବିଦୂଷଣ–ପାପରହିତ ।

୨ୟ ପଦ–ବିଦିଗ ଦିଗରେ–ଚତୁର୍ଦ୍ଦିଗରେ ।

୩ୟ ପଦ–ବିଦଗଧ–ପଣ୍ଡିତ । ବିଦଗ୍‌ଧ–ଆକୁଳିତ, ଦୁଃଖିତ ।

୧ମ, ୨ୟ, ୩ୟ ପଦ–ହେ ପଣ୍ଡିତମାନେ ! ଅନୁରାଗ ବର୍ଦ୍ଧକ ଏହି ରସକୁ ମନଦେଇ ଶୁଣ-। ରାଜାମାନଙ୍କ ମଧ୍ୟରେ ନିଷ୍ପାପ ଧାର୍ମିକ ମିଥିଳାର ଅଧିପତି ଜନକଙ୍କ ଯଶ ଚତୁର୍ଦ୍ଦିଗରେ ଖ୍ୟାତ ଅଟେ । ସେ ସର୍ବଦା ଯଜ୍ଞ କାର୍ଯ୍ୟରେ ଅତି ଚତୁର । ଗୋଟିଏ କନ୍ୟା ନ ହେବାରୁ ତାଙ୍କ ଚିତ୍ତ ଅତିଶୟ ଦଗ୍‌ଧ ହେଉଥାଏ ।

 

ବୃଷାଳ ମଖଶାଳ କୃତେ ଦିନେ ଚଷୁଁ ଅବନୀ ।

 

ବୃଷାଶାପୁଁ ମୁକ୍ତି ପାଇଣ ମେନା ନାମେ କାମିନୀ ॥

।୪।

 

 

ବସି ବିମାନରେ ଗଗନେ କରୁଅଛି ଗମନ ।

 

ବଶୀଭୂତ ଶୋଭାପ୍ରଭାରେ ହରେ ଜନନୟନ ॥

।୫।

 

 

ବୁଧଜନକ କି କଳଙ୍କହୀନେ ପୂର୍ଣ୍ଣ ସମ୍ପଦେ ।

 

ବୁଧଜନ କରେ ପରତେ ନଭେ ଦିବସେ ଉଦେ ॥

।୬।

 

 

ବୃଷଭାସ୍ୟା ସେ ମଣ୍ଡିବାରେ ଚିତ୍ତ ଅତି ଉଦବେଗ ।

 

ବୃଷଭାଷା ଏହି ତରଙ୍ଗେ ଢାଳିବାରେ ଅପାଙ୍ଗ ॥

।୭।

 

 

ବିହରିତ ପୁନଃପୁନ କି ସୁଧା ପିଇ ଚକୋର ।

 

ବିହରିତରେ ସେ ବହିଛି ନିଶ୍ଚେ ଏ ମନୋହର ॥

।୮।

 

୪ର୍ଥ ପଦ–ବୃଷାଳ–ବିସ୍ତୀର୍ଣ୍ଣ । ମୁଖଶାଳା–ଯଜ୍ଞଶାଳା । ବୃଷାଶାପୁଁ–ଇନ୍ଦ୍ରଶାପରୁ । ମେନା–ମେନକା ନାମ୍ନୀ ଅପ୍‌ସରା ।

୪ର୍ଥ ଓ ୫ମ ପଦ–ବଡ଼ ଯଜ୍ଞଶାଳା କରିବା ନିମିତ୍ତ ଦିନେ ଭୂମି ଚାଷ କରୁ କରୁ ଇନ୍ଦ୍ରଙ୍କ ଶାପମୁକ୍ତ ହୋଇ ମେନକା ଅପ୍‌ସରା ବିମାନରେ ବସି ଗଗନରେ ଗମନ କରୁଥିବାର ଦେଖିଲେ; ତାହାର (ମେନକାର) ଶୋଭାପୁଞ୍ଜରେ ଜନ ନୟନ ମୋହିତ ହୁଏ ।

୬ଷ୍ଠ ପଦ–ବୁଧଜନକ–ଚନ୍ଦ୍ର ।

୬ଷ୍ଠ ପଦ–(ମେନକାକୁ ଦେଖି) ପଣ୍ଡିତମାନଙ୍କର ପ୍ରତୀତ ହେଲା କଳଙ୍କବିହୀନ ପୂର୍ଣ୍ଣଚନ୍ଦ୍ର ଦିନରେ ଆକାଶରେ ଉଦେ ହୋଇଅଛନ୍ତିକି ?

୭ମ ପଦ–ବୃଷଭସ୍ୟା–ଇନ୍ଦ୍ରପୁରୀ । ବୃଷଭାଷା–ମନୋହର ଉକ୍ତି ।

୮ମ ପଦ–ବିହରିତରେ–ଚତୁର୍ଦ୍ଦିଗରେ । ସୁଧା–ଚନ୍ଦ୍ରିକା ।

୭ମ ଓ ୮ମ ପଦ–ମେନକା ସ୍ୱର୍ଗ ପୁରୀକୁ ଯାଉଥିବାରୁ ତାହାର ଚିତ୍ତ ବଡ଼ ଚଞ୍ଚଳ ଥିଲା । ତେଣୁ ଏହି ସୁନ୍ଦର ଉକ୍ତି ପ୍ରତୀୟମାନ ହୁଏ, ଚକୋରପକ୍ଷୀ ଚନ୍ଦ୍ର କିରଣ ପାନ କରି ବାରମ୍ବାର ବିହାର କରୁଅଛିକି ? ତା’ ଅପାଙ୍ଗଚଳନ ଦିଗ ବିଦିଗକୁ ବିଶେଷ ମନୋହର କରିଅଛି । (ନେତ୍ର ସହିତ ଚକୋର, ମୁଖ ସହିତ ଚନ୍ଦ୍ର ଓ ମୁଖର ଶୋଭା ସହିତ ଚନ୍ଦ୍ର କିରଣ ଉପମିତ)

 

ବଳାରାତିପୁରମଣ୍ଡନା ଶୋଭା ଜନକ ଚାହିଁ ।

 

ବଳାଇଲେ ଚିତ୍ତ ମୋ ସୂତା ପୁଣ ହୁଅନ୍ତା ଏହି ॥

।୯।

ବାଳରୁଣାଧରୀ କହିଲା ଜାଣି ତାହାଙ୍କ ଚିତ୍ତ ।

 

ବଳାଏ ଏକ୍ଷଣି ଅଦ୍ଭୁତେ ହୋଇ ସିନା ପ୍ରାପତ ॥

।୧୦।

ବଳାହକୁଁ ଜନ୍ମ ହୋଇଲା ପରା ଈଶ୍ଵରଭୀରୁ ।

 

ବଳାହକେ ବିଦ୍ୟୁତ୍ ପ୍ରକାଶ ପ୍ରାୟେ ଗନ୍ଧବତୀରୁ ॥

।୧୧।

ବାଣୀ ଯେ ଏପରି ଲଙ୍ଗଳ ଅଗ୍ରେ ଜାତ ମଞ୍ଜୁଷେ ।

 

ବାଣିଜ୍ୟେ ରତ୍ନସଂପୁଟକ ଲଭ୍ୟ ପରା ମଞ୍ଜୁ ସେ ॥

।୧୨।

 

୯ମ ପଦ–ବଳାରତିପୁରମଣ୍ଡନା–ସ୍ୱର୍ଗପୁର ମଣ୍ଡନକାରୀ (ମେନକା)

୯ମ ପଦ–ଇନ୍ଦ୍ରପୁର(ସ୍ୱର୍ଗପୁର) ମଣ୍ଡନ କାରିଣୀ ମେନକାର ଶୋଭାକୁ ଦେଖି ଜନକ ୠଷି ମନରେ ଭାବିଲେ–‘ ଏ ମୋର କନ୍ୟା ହୁଅନ୍ତାକି ?’’

୧୦ମ ପଦ–ବାଳାରୁଣାଧାରୀ–ଯେଉଁ ସ୍ତ୍ରୀର ଓଷ୍ଠ ନବୋଦିତ ସୂର୍ଯ୍ୟଙ୍କର କର୍ଣ୍ଣପରି ।

୧୦ମ ପଦ–ବାଳସୂର୍ଯ୍ୟପରି ଯାହାର ଅଧର ଶୋଭାପାଏ, ଏପରି ଯେ ମେନକା, ଜନକ ୠଷିଙ୍କ ଚିତ୍ତ ଜାଣି କହିଲା, ‘‘ଏହିକ୍ଷଣି ଗୋଟିଏ ବାଳିକା ଅକସ୍ମାତ୍‌ ପ୍ରାପ୍ତ ହେବ ।’’

୧୧ଶ ପଦ–ବଳାହକୁଁ–ପର୍ବତରୁ । ଈଶ୍ୱରଭୀରୁ–ପାର୍ବତୀ । ବଳାହକେ–ମେଘରେ । ଗନ୍ଧବତୀରୁ–ପୃଥିବୀରୁ ।

୧୧ଶ ପଦ–‘‘ପର୍ବତରୁ ପାର୍ବତୀ ଜାତ ହେଲାପରି, ମେଘରେ ବିଦ୍ୟୁତ୍‌ ପ୍ରକାଶ ପାଇଲାପରି, ପୃଥ୍ୱୀରୁ ସେ କନ୍ୟା ଜନ୍ମ ହେବ ।’’

୧୨ଶ ପଦ–ମଞ୍ଜୁଷ–ପେଡ଼ି । ରତ୍ନସଂପୁଟକ–ରତ୍ନ ଫରୁଆ ।

୧୨ଶ ପଦ–ଏହି ବାଣୀ ଶୁଣିଲା ସମୟରେ ବଣିକକୁ ରତ୍ନ ଫରୁଆ ପ୍ରାପ୍ତ ହେଲା ପ୍ରାୟ ଲଙ୍ଗଳ ଅଗରୁ ଗୋଟିଏ ମନୋହର ପେଡ଼ି ଜାତ ହେଲା ।

 

ବିଶ୍ଵମୋହିନୀ ଏ ତା ମଧ୍ୟେ ଦେଖି ମହା ହରଷ ।

 

ବିଶ୍ଵକର୍ମା କୃତ କୃତ୍ରିମପୁତ୍ରୀ କି କଳବଶ ।

।୧୩।

 

 

ବସୁନ୍ଧରାଭବା ଜନକ କୋଳ କରି ସ୍ଵଭାବ ।

 

ବସୁ ଧରାଇଲା କୃପଣେ କି କୃପାଳୁ ଦଇବ ?

।୧୪।

 

 

ବିଶ୍ଵସୃକ ଏକ କରିଛି ଧରି ଶୋଭାଚୟକୁ ।

 

ବିଶ୍ଵକେତୁ କେତୁ ବାନ୍ଧିଲା ଜାଣି ଜଗଜ୍ମୟକୁ ।

।୧୫।

 

 

ବହୁ ଋଷି ତାଙ୍କ ସଙ୍ଗତେ ମେଳ ହୋଇ ଯେ ଥିଲେ ।

 

ବହୁ ସୀତାନାମ ଏ ସୀତା ଯୋଗେ ଜାତ ବୋଇଲେ ।

।୧୬।

 

 

ବିଧି ସନମତ ପୃଥିବୀଭବା ପାର୍ଥିବୀ ଏହି ।

 

ବିଧିରେ ମିଥିଳା ଉତ୍ସବକାରୀ ମୈଥିଳୀ କହି ।

।୧୭।

 

୧୩ଶ ପଦ–ବିଶ୍ୱମୋହିନୀ ଏ–ସଂସାରମୋହିନୀ କନ୍ୟାଟିଏ । ବିଶ୍ୱକର୍ମା–ଦେବଶିଳ୍ପୀ । କତ୍ରୀମପୁତ୍ରୀ–କୁଣ୍ଢେଇ । କଳବଶ–କଳଦ୍ୱାରା ।

୧୩ଶ ପଦ–ସେ ପେଡ଼ି ମଧ୍ୟରେ ସଂସାରମୋହିନୀ କନ୍ୟାଟିକୁ ଦେଖି ଜନକ ମହାହର୍ଷ ହେଇ ବିଚାରିଲେ, ‘ବିଶ୍ୱକର୍ମା ଏହି କୁଣ୍ଢାଇଟିକୁ ଯନ୍ତ୍ରଦ୍ୱାରା ଗଢ଼ିଅଛନ୍ତିକି ?’’ (ଯନ୍ତ୍ରନିର୍ମିତ କୁଣ୍ଢାଇ ହସ୍ତ ନିର୍ମିତ କୁଣ୍ଢାଇ ଅପେକ୍ଷା ସୁନ୍ଦର ହୁଏ)।

୧୪ଶ ପଦ–ବସୁନ୍ଧରାଭବା–ପୃଥିବୀସମ୍ଭୁତା । ବସୁ–ରତ୍ନ ।

୧୪ଶ ପଦ–କୃପାଳୁ ବିଧାତା କୃପଣକୁ ରତ୍ନ ଧରାଇଲା ପରି ଜନକୠଷି ଆନନ୍ଦ ମନରେ ପୃଥ୍ୱୀରୁ ଜାତ କନ୍ୟାକୁ–ପିତା ଦୁହିତାକୁ କୋଳ କଲା ପ୍ରାୟ କୋଳରେ ଧଇଲେ ।

୧୫ଶ ପଦ–ବିଶ୍ୱସୃକ– ବ୍ରହ୍ମା । ବିଶ୍ୱକେତୁ–ମଦନ, କନ୍ଦର୍ପ । କେତୁ–ପତାକା ।

୧୫ଶ ପଦ–ବ୍ରହ୍ମା ସମସ୍ତ ଶୋଭାକୁ ଏକତ୍ରିତ କରି ଏ କନ୍ୟା ଗଢ଼ିଅଛି । କନ୍ଦର୍ପ ଏହାଦ୍ୱାରା ଜଗତ ଜୟ କରିବ, ଏହି ଆଶରେ ପତାକା ଉଡ଼ାଇଲା ।

୧୬ଶ ପଦ–ସୀତା–ଲଙ୍ଗଳର ଅଗ୍ର ।

୧୬ଶ ପଦ–ଜନକଙ୍କ ସହିତ ବହୁତ ଋଷି ରୁଣ୍ଡ ହୋଇଥିଲେ । ସେମାନେ କହିଲେ, ‘‘ଏ ସୀତା ଯୋଗେ (ଲଙ୍ଗଳ ଅଗ୍ରରୁ) ଜାତ ହୋଇଅଛି, ତେଣୁ ଏହା ନାମ ସୀତା ହେଉ ।’’

୧୭ଶ ପଦ–ବିଧି–ବ୍ରହ୍ମା ।

୧୭ଶ ପଦ–‘‘ଏ ପୃଥିବୀରୁ ସମ୍ଭୂତ ହୋଇଅଛି, ତେଣୁ ବିଧାନରେ ଏହାର ନାମ ପୃଥିବୀ ହେଲା । ପୁଣି ଦୈବକ୍ରମେ ମିଥିଳା ପୁରର ଉତ୍ସବକାରଣୀ ଯୋଗ ଏ ମୈଥିଳୀ ନାମ ପାଇବ ।’’

 

ବିଦେହଜାୟା କୋଟିଏକ ହେଲେ ସମ କି ଆଉ ?

 

ବିଦେହଦେଶରେ ଉଦ୍ଭବି ବଇଦେହୀ ବୋଲାଉ ॥

।୧୮।

 

 

ବିଦୁଷ ଜନକ ପାଳନେ ବୋଲାଇବ ଜାନକୀ ।

 

ବିଦୁଷଣ ଶୋଭା ଜେମାର ଆଉ ସମ ଆନ କି ॥

।୧୯।

 

 

ବାସରେ ଉତ୍ପଳ କି ଲକ୍ଷ ପାରିଜାତକ ତୁଚ୍ଛ ।

 

ବାସରେ ଚହଟେ ଯୋଜନଗନ୍ଧା ନାମହିଁ ସ୍ଵଚ୍ଛ ॥

।୨୦।

 

 

ବଡ଼ଭି ଉପରେ ଦୋଳିରେ ରଖି ଧାତ୍ରୀ ପାଳିତ ।

 

ବଡ଼–ଭୀ ଉପମାମାନଙ୍କ ଅସମାନରୁ ଜାତ ॥

।୨୧।

 

 

ବିନିଦ୍ର କି ହେମ ଶୟନେ ଦୁର୍ଗା ରୂପା–ପଲଙ୍କେ ।

 

ବିନିର୍ଗତ ଆନ ଉପମା ସେହି କାଳେ ପଲକେ ॥

।୨୨।

 

୧୮ଶ ପଦ–ବିଦେହଜାୟା–କନ୍ଦର୍ପର ପତ୍ନୀ, ରତି ।

୧୮ଶ ପଦ–‘‘କୋଟି କୋଟି ରତି ଏକ ହେଲେ ଏହାକୁ ସମ ହେବେକି ? (ସମ ହେବେ ନାହିଁ) । ବିଦେହ ଦେଶରେ ଏ ଉଦ୍‌ଭବ ହୋଇଅଛି. ତେଣୁ ବିଦେହୀ ନାମ ପାଉ ।’’

୧୯ଶ ପଦ–ବିଦୁଷ–ପଣ୍ଡିତ । ବିଦୁଷଣ–ନିଷ୍କଳଙ୍କ ।

୧୯ଶ ପଦ–‘‘ପଣ୍ଡିତ ଜନକ ୠଷିଙ୍କ ପାଳନ ଯୋଗେ ଏହାର ନାମ ଜାନକୀ ହେବ । ଦୋଷରହିତ ଏହି ଜେମାର ଶୋଭାକୁ ଦେବାକୁ ଆଉକିଛି ଅଛିକି ?(ଆଉକିଛି ନାହିଁ) ।’’

୨୦ଶ ପଦ–ଉତ୍ପଳ–ପଦ୍ମ । ଲକ୍ଷ–ତୁଲ୍ୟ । ଯୋଜନ–ଚାରିକ୍ରୋଶ ।

୨୦ଶ ପଦ–‘ସେହି କନ୍ୟାର ବାସନାକୁ ପଦ୍ମ ବାସନା କା କି ଲକ୍ଷ ଦେବା ? ପାରିଜାତ ବାସନା ମଧ୍ୟ ତୁଚ୍ଛ ହୋଇଯିବ । ଦେହ ସୌରଭ ଯୋଜନେ ପର୍ଯ୍ୟନ୍ତ ଚହଟୁଥିବାରୁ (ଏହାର) ଯୋଜନାଗନ୍ଧା ନାମ ସାର୍ଥକ ହେଲା ।’

୨୧ଶ ପଦ–ବଡ଼ଭି–ଚନ୍ଦ୍ରଶାଳାସୁର । ବଡ଼–ଭୀ–ଅତିଭୟ ।

୨୧ଶ ପଦ–ପାଳୁଥିବା ଧାଇମାନେ ଚନ୍ଦ୍ରଶାଳା ପୁରରେ ଦୋଳିରେ ଝୁଲାଇଲାବେଳେ ଯେଉଁ ସୌନ୍ଦର୍ଯ୍ୟ ସୃଷ୍ଟ ହେଲା, ତା’ ସହିତ ଆଉ କୌଣସି ଉପମା ସମାନ ନ ହୋଇ ବଡ଼ ଭୟ ପାଇଲେ ।

୨୨ଶ ପଦ–ହେମ–ସୁବର୍ଣ୍ଣ । ପଲକ–ଚକ୍ଷୁର ପକ୍ଷ୍ମପାତ ।

୨୨ଶ ପଦ–ଦୋଳିରେ ଶୋଇଥିବା ବେଳେ ଅନୁମିତ ହେଲା । ସ୍ୱର୍ଣ୍ଣଦୁର୍ଗା ରୌପ୍ୟପଲଙ୍କରେ ଶୟନ କରି ଅଛନ୍ତିକି ? ସେହି ସମୟରେ କନ୍ୟା ପଲକ ପକାଇବାରୁ ଅନ୍ୟ ଉପମା ସବୁ ବାହାରି ପଡ଼ିଲେ ।

 

ବାଳକୀ ଲୀଳା କଉତୁକେ ଅନ୍ତଃପୁରସ୍ଥା ମୋହି ।

 

ବାଳ କି ଶୈବାଳ କମଳକୋଷ ଉପରେ ଶୋହି ॥

।୨୩।

 

 

ବାଡ଼ବର ଚିତ୍ରପ୍ରତିମା ପରି ଧରି ତା ଉଭା ।

 

ବାଡ଼ବର ମଧ୍ୟେ ପକାଅ ଆନ ସମାନ ଶୋଭା ॥

।୨୪।

 

 

ବିଡ଼ମ୍ବ ନୂତନ ମଞ୍ଜରୀ ଢଳିତ କି ପବନେ ।

 

ବିଡ଼ମ୍ବଣ ଅନ୍ୟ ଦୃଷ୍ଟି ସେ ଟଳଟଳ ଗମନେ॥

।୨୫।

 

 

ବଚକୁ ବାଚକେ ନ କହୁଁ ପୁଣି ଶୁଣି ଉତ୍ସାହୀ ।

 

ବଚକୁ ପିଇଲା ପଢିଲା ଶୁକ ମୁକରେ ରହି ॥

।୨୬।

 

୨୩ଶ ପଦ–ବାଳକୀ ଲୀଳା–ବାଲ୍ୟାବସ୍ଥାର କ୍ରୀଡ଼ା କୌତୁକ । ଶୈବାଳ–ଶିଉଳି । କମଳକୋଷ– ପଦ୍ମକଢ଼ ।

୨୩ଶ ପଦ–ବାଳକାଳର କ୍ରୀଡ଼ା କୌତୁକରେ ସେ କନ୍ୟା ଅନ୍ତଃପୁରରେ ଥିବା ରମଣୀମାନଙ୍କୁ ମୋହିଲେ । ପଦ୍ମକଢ଼ ଉପରେ ଶିଉଳୀ ଶୋଭିତ ହେଲାପରି ତାଙ୍କ ମୁଣ୍ଡରେ ଥିବା ବାଳସବୁ ଶୋଭା ପାଇଲା ।

୨୪ଶ ପଦ–ବାଡ଼ବର–ଉତ୍ତମ କାନ୍ଥ । ବାଡ଼ବରେ–ସମୁଦ୍ର ମଧ୍ୟସ୍ଥ ଅଗ୍ନିରେ ।

୨୪ଶ ପଦ–କାନ୍ଥକୁ ଧରି ଆଉଜି ଉଭା ହେଲାବେଳେ ସେ କାନ୍ଥରେ ଲେଖାଥିବା ଚିତ୍ରପ୍ରତିମା ପ୍ରାୟ ଶୋଭା ଦିଶିଲେ । ସେହି ଶୋଭା ସହିତ ତୁଳନା କରିବାକୁ ଆଉ ଯେତେ ଉପମାସବୁ ଅଛି, ତାକୁ ବାଡ଼ବାଗ୍ନିରେ ପକାଇ ଦିଅ । (ଏହା ସହିତ ଉପସ୍ଥିତ ହେବାକୁ ଆଉ କେହି ସମ ନୁହଁନ୍ତି)

୨୫ଶ ପଦ–ବିଡ଼ମ୍ବ–ବିଳମ୍ବ ବା ଯାହା ଲମ୍ବିଅଛି । ନୂତନ ମଞ୍ଜରୀ–ନୂଆଲତା । ବିଡ଼ମ୍ବଣ–ନିନ୍ଦିତ, ବୃଥା ।

୨୫ଶ ପଦ–ସୀତାଙ୍କ ଟଳ ଟଳ ଗମନ [ଭଲରୂପେ ଚାଲି ଜାଣି ନ ଥିବା ହେତୁ] ପବନରେ ଦୋହୁଲୁଥିବା ନୂତନ ଲଳିତା ସଦୃଶ ଦେଖାଯାଏ । ତାଙ୍କ ଗତିବେଳେ ଅନ୍ୟଆଡ଼କୁ ଦୃଷ୍ଟିପାତ କରିବା ବୃଥା; (ତାଙ୍କ ଗତିର ସୌନ୍ଦର୍ଯ୍ୟର ଅନ୍ୟ ସମସ୍ତ ଦିଗର ସୌନ୍ଦର୍ଯ୍ୟ ଲୁଚିଯାଏ)

୨୬ଶ ପଦ–ବଚକୁ–କଥାକୁ । ବାଚକେ–ବଚନରେ । ମୁକ–ମୌନ ।

୨୬ଶ ପଦ–ସେ କଥାକୁ ବାକ୍ୟରେ ପ୍ରକାଶ କରୁ କରୁ ଶୁଣିବା ଲୋକେ ପୁଣି ଶୁଣିବାକୁ ଉତ୍ସାହିତ ହେଲେ । ଶୁକ (ସୀତାଙ୍କ ସ୍ୱର ସହିତ ସମାନ ହେବା ପାଇଁ )ବଚ ଖାଇ ପଢ଼ିଲା, ତଥାପି ସମାନ ନ ହେବାରୁ ମୂକ ହୋଇ ରହିଲା ।

 

ବାଳୀ ସେ ଖେଳିଲା ଶିଶୁଙ୍କ ସଙ୍ଗେ କ୍ରମ କ୍ରମରେ ।

 

ବାଳିଶେ ଲକ୍ଷିବେ ସେ କାଳେ ରମ୍ଭା ରମା ସମରେ ॥

।୨୭।

 

 

ବେଣୀ ଚାରୁ ଶିରେ ଶୁକଳ ରଙ୍ଗଫୁଲେ ଯତନ ।

 

ବେଣୀ ତ୍ରିପୂର୍ବ କି ନଭରୁ ହେଉଛନ୍ତି ପତନ ॥

।୨୮।

 

 

ବିଳମ୍ବିତ କର୍ଣ୍ଣେ କୁଣ୍ଡଳ କି ସେ ଶାଙ୍କୁଳୀ ବଳା?

 

ବିଳମ୍ବିତ ଦମ୍ଭ ଚିତ୍ତରେ ଦେବ ଚାହୁଁ ନୋହିଲା ॥

।୨୯।

 

 

ବୟ କଲା କାହିଁ ଏ ରୀତିମାନ ସୁନ୍ଦରୀମଣି ।

 

ବୟସଙ୍ଗତି କି ପ୍ରକାଶି ଆନ ପ୍ରକାରେ ଆଣି ॥

।୩୦।

 

୨୭ଶ ପଦ–ବାଳିଶେ–ମୂର୍ଖମାନେ ।

୨୭ଶ ପଦ–ସେ ସୀତା କ୍ରମଶଃ ଶିଶୁଙ୍କ ସହିତ ଖେଳିବାକୁ ଆରମ୍ଭ କଲେ । ସେତେବେଳର ଶୋଭାକୁ ଦେଖି କେବଳ ମୂର୍ଖମାନେ ରମ୍ଭା ଓ ଲକ୍ଷ୍ମୀଙ୍କ ସହିତ ସମାନ ବୋଲି କହିବେ (ରମ୍ଭା ଓ ଲକ୍ଷ୍ମୀଙ୍କ ଶୋଭା ମଧ୍ୟ ସେ ଶୋଭା ସହିତ ତୁଳନୀୟ ହୋଇ ନ ପାରେ)।

୨୮ଶ ପଦ–ବେଣୀ ତ୍ରିପୂର୍ବ ଅର୍ଥାତ ତ୍ରିବେଣୀ–ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀତ୍ରୟର ସଙ୍ଗମସ୍ଥାନ । ନଭରୁ–ଆକାଶରୁ ।

୨୮ଶ ପଦ–ବେଣୀଦ୍ୱାରା ଶୋଭିତ ମଣ୍ଡଳରେ ଧଳା ଓ ଲାଲ ରଙ୍ଗର ଫୁଲ ଯତ୍ନରେ ମଣ୍ଡନ କଲେ; ତାହା ଦେଖି ମନେହୁଏ ତ୍ରିବେଣୀ–ଗଙ୍ଗା, ଯମୁନା, ସରସ୍ୱତୀ ଆକାଶରୁ ଖସି ପଡ଼ୁଅଛନ୍ତିକି ? (ଗଙ୍ଗାର ପାଣି ଧଳା, ଯମୁନା ପାଣି ଗାଢ଼ କଳା ଓ ସରସ୍ୱତୀର ପାଣି ଲାଲ ବର୍ଣ୍ଣ ଦେଖାଯାଏ)।

୨୯ଶ ପଦ–ବିଳମ୍ବିତ ଦମ୍ଭଚିତ୍ତରେ–ଧୈର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କୁ !

୨୯ଶ ପଦ–କର୍ଣ୍ଣରେ କୁଣ୍ଡଳ ଝୁଲୁଥିବାର ଦେଖିଲେ ତାହା ଶାଙ୍କୁଳି ପରି ଆଖିକୁ ବାନ୍ଧି ରଖେ । ଧୈର୍ଯ୍ୟଶାଳୀ ଲୋକ ହେଲେ ମଧ୍ୟ ଚାହିଁଲେ ତା’ର ଆଖି ସେ ଫେରାଇ ପାରିବ ନାହିଁ ।

୩୦ଶ ପଦ–ବୟସଙ୍ଗତି–ଯୌବନର ପ୍ରଥମ ଅବସ୍ଥା ।

୩୦ଶ ପଦ–ସେ ସୁନ୍ଦରୀଶିରୋମଣି ସୀତା ଏ କାଳ ସୁଲଭ ରୀତିମାନଙ୍କୁ ଶେଷକରି ପ୍ରଥମ ଯୌବନ ସମୟର ଭିନ୍ନ ରୀତିମାନ ପ୍ରକାଶ କଲେ ।

 

ବିଭାକାଳେ ନାରୀ ଯେମନ୍ତେ କନ୍ୟାଳଙ୍କାର ମୁଞ୍ଚି ।

 

ବିଭାବନା ହେଲା ତହିଁରେ ନବବିଳାସ ରଞ୍ଚି ॥

।୩୧।

 

 

ବସନ୍ତଦୂତ ଧ୍ଵନି କଲାବେଳେ କେତେ ଇଙ୍ଗିତ ।

 

ବସନ୍ତ ରାଗରେ ଆଳାପ ତହିଁ କରଇ ଗୀତ ॥

।୩୨।

 

 

ବସନ୍ତ ବସନେ ଗଣ୍ଠିକି ଦେଇ କନ୍ଧେ ପକାଇ ।

 

ବସନ୍ତ ବସନ ମୋହିବି ଏହି ଗୁମାନ ବହି ॥

।୩୩।

 

 

ବନ୍ଧନ କରେ ନାନା ଛନ୍ଦେ ନୀବୀ ସେ ପୁନଃ ପୁନଃ ।

 

ବନ୍ଧଚିତ୍ରପଟ ଏକାନ୍ତେ ଚାହିଁବାରେ ସୁମନ ॥

।୩୪।

 

 

ବନ୍ଦି ଯାହାକୁ ବଡ଼ ବୋଲି ସଉନ୍ଦର୍ଯ୍ୟେ ଧରାରେ ।

 

ବନ୍ଦୀପରି ହୋଇ ରହିଲା ଅବରୋଧେ ଧରାରେ ॥

।୩୫।

 

୩୧ଶ ପଦ–ବିଭାକାଳରେ ନାରୀ ଯେପରି ପିଲାଦିନର ଅଳଙ୍କାରସବୁ ଛାଡ଼ି ଅନ୍ୟ ଅଳଙ୍କାରକୁ ଇଚ୍ଛା କରେ, ସେହିପରି ଯୌବନ କାଳରେ ପୁରାତନ କ୍ରୀଡ଼ା ଛାଡ଼ି ନୂତନ କ୍ରୀଡ଼ା କରିବାକୁ ସେ ମନ ବଳାଇଲେ ।

୩୨ଶ ପଦ–ବସନ୍ତଦୂତ–କୋକିଳ । ବସନ୍ତ–ରାଗବିଶେଷ ।

୩୨ଶ ପଦ–କୋକିଳ ଧ୍ୱନି କଲାବେଳେ ସୀତା ସେ ସ୍ୱନକୁ ଉପହାସ କରି ବସନ୍ତ ରାଗରେ ଗୀତ ବୋଲୁଥିଲେ । (ସୀତାଙ୍କ ସ୍ୱନ କୋକିଳ ସ୍ୱନଠାରୁ ଉତ୍କୃଷ୍ଟତର) ।

୩୩ଶ ପଦ–ବସନ୍ତ ବସନେ–ହଳଦିଆ ଲୁଗାରେ । ବସନ୍ତ ବସନ–ପୀତାମ୍ବର, ବିଷ୍ଣୁ ।

୩୩ଶ ପଦ–ସୀତା ହଳଦିଆଲୁଗା ପିନ୍ଧି ତା’ର କାନିରେ ଗଣ୍ଠି ଦେଇ କାନ୍ଧରେ ପକାଉଥିଲେ । ସେଥିରୁ ଜଣାଯାଉଥିଲା, ସେ ରାମଚନ୍ଦ୍ରଙ୍କୁ ଦିନେ ନିଶ୍ଚୟ ମୋହିତ କରିବେ,–ଏହି ଗୁମାନରେ ଯେପରି କାନିରେ ଗଣ୍ଠି ପକାଇ ରଖୁଅଛନ୍ତି ।

୩୪ଶ ପଦ–ନାବୀ–କଛା । ବନ୍ଧଚିତ୍ରପଟ–ଚଉଷଠି ବନ୍ଧ ଚିତ୍ରିତ ଚିତ୍ରପଟ ।

୩୪ଶ ପଦ–ସେ ସୀତା ନାନାପ୍ରକାର ଛନ୍ଦରେ ନାବୀ ବାରମ୍ବାର ବନ୍ଧନ କଲେ । ଚଉଷଠି ବନ୍ଧ ଚିତ୍ରକୁ ଏକାନ୍ତରେ ଦେଖିବାକୁ ମନ ବଳାଇଲେ ।

୩୫ଶ ପଦ–ବନ୍ଦ–ବନ୍ଦନା କରି । ଅବରୋଧ– ଅନ୍ତଃସୁରରେ ।

୩୫ଶ ପଦ–ବ୍ରହ୍ମାଣ୍ଡରେ ସୌନ୍ଦର୍ଯ୍ୟପଣରେ ଶ୍ରେଷ୍ଠ ସ୍ଥାନ ଦିଆଯାଇ ଯାହାକୁ ବନ୍ଦନା କରାଯାଏ, ଏପରି ଯେ ସୀତା, ସେ ଯୌବନକାଳ ହେବାରୁ ଅନ୍ତଃସୁରରେ ବନ୍ଦୀ ହୋଇ ରହିଲେ ।

 

ବତ୍ସର ନବିରୁ ଦିନକୁଦିନ ପ୍ରଭା ବଢ଼ାଇ ।

 

ବତ୍ସରେ କୁଚ ଅଙ୍କୁରିତ, ଏହି ଉତ୍‌ପ୍ରେକ୍ଷା ହୋଇ ॥

।୩୬।

 

 

ବର୍ଣ୍ଣମାଳୀପରା ରୋମାଳି କି ସେ ସରଘାପନ୍ତି ।

 

ବର୍ଣ୍ଣନୀୟ ଏହି, କରନ୍ତି କି ସେ ଊର୍ଦ୍ଧ୍ୱକୁ ଗତି ?

।୩୭।

 

 

ବିକଳନା କରି ସଞ୍ଚନ୍ତି ମଧୁ କଳ୍ପଦ୍ରୁମରେ ।

 

ବିକଳପ, ଫଳ ଅଙ୍କରୁ ଭଜେ ବୁଦ୍ଧିକ୍ରମରେ ॥

।୩୮।

 

 

ବିଜୟ ହୋଇଲା କ୍ରମୁକଠାରୁ ତାଳସରିକି ।

 

ବିଜୟ ହୃଦରେ ସ୍ଵୟମ୍ଭୁ ରୂପେ କଲେ ଶମ୍ଭୁ କି ॥

।୩୯।

 

 

ବଳିଶ୍ରେଷ୍ଠ କାମ ତାହାଙ୍କ ବାମ କଲା ପ୍ରହାର ।

 

ବଳି ବାଟୁଳିକି ସ୍ତନାଗ୍ରରୂପେ ସେ ମନୋହର ॥

।୪୦।

 

୩୬ଶ ପଦ–ବତ୍ସରନବରୁ–ନଅବର୍ଷଠାରୁ । ବତ୍ସରେ–ଛାତିରେ ।

୩୭ଶ ପଦ–ବର୍ଣ୍ଣମାଳା–ଅକ୍ଷରମାଳା ।

୩୬ଶ ଓ ୩୭ଶ ପଦ–ନଅବର୍ଷ ହେବାରୁ ଦିନକୁ ଦିନ (ସୀତାଙ୍କ) ପ୍ରଭା ବଢ଼ିଲା । ବକ୍ଷସ୍ଥଳରେ କୁଚ ଅଙ୍କୁରିତ ହେବାରୁ ଏହି ଉତ୍‌ପ୍ରେକ୍ଷା ବହନ କଲା–ବର୍ଣ୍ଣମାଳା ପ୍ରାୟ ଯେଉଁ ରୋମାବଳୀ, ସେ ମହୁମାଛି ହେଲା । ସେହି ମହୁମାଛି ଉପରକୁ ଗତି କରୁଅଛିକି ? ଏହାହିଁ ବର୍ଣ୍ଣନାଯୋଗ୍ୟ ।

୩୮ଶ ପଦ–ସରଘାପନ୍ତି–ମଧୁମକ୍ଷିକାଗଣ ।

୩୯ଶ ପଦ–ବିକଳପ–କଳ୍ପନା । କ୍ରମୂକ–ଗୁଆ ।

୩୮ଶ ଓ ୩୯ଶ ପଦ–ସ୍ତନ୍ୟରୂପ କଳ୍ପଦ୍ରୁମରେ (ରୋମାବଳୀ ରୂପ ମହୁମାଛିମାନେ) ମଧୁ ସଞ୍ଚୁ ଅଛନ୍ତି–ଏହା ବିଶେଷ ଭାବରେ ଅନୁମାନ କରିବାର କଥା । ଅଥବା ସେ କଳ୍ପଦ୍ରୁମରେ ଫଳ ଫଳ କ୍ରମଶଃ ଗୁବାକଠାରୁ ତାଳ ଫଳ ସଦୃଶ ବୃଦ୍ଧି ପ୍ରାପ୍ତ ହେଲାକି ? କିମ୍ବା ସ୍ୱୟଂମ୍ଭୁ (ଯେ ସ୍ୱୟଂ ବର୍ଦ୍ଧିତ ହୁଅନ୍ତି) ଶିବଲିଙ୍ଗ ହୃଦରେ ବିଜୟ କଲେକି ?

୪୦ଶ ପଦ–ମହାବଳୀ କନ୍ଦର୍ପ ଶିବଙ୍କର ଶତ୍ରୁ ଅଟେ । ତେଣୁ ସେ ସଦ୍ୟ ବାଟୁଳି ବଳି ପ୍ରହାର କଲାକି ? ସେହି କୁଚାଗ୍ର ରୂପରେ ମନୋହର ଦିଶୁଅଛି (ବାଟୁଳି ବାଜି ଝଡ଼ି ପଡ଼ିବାର କଥା, ମାତ୍ର ଏ ବାଟୁଳି ସାଙ୍ଗେ ସାଙ୍ଗେ ତିଆରି ହୋଇଥିବାରୁ ଓଦା ଥିଲା ଓ କଳା ଦିଶୁଥିଲା । ସେହି କଳା ଓ ଓଦା ବାଟୁଳି ମହାଦେବଙ୍କ ଶିରରେ ବାଜି ଲାଖି ରହିଅଛିକି ?)

 

ବାସରେ ଯତନେ ଘୋଡ଼ାଇ ଚୋକ କବଚ ଦେଇ ।

 

ବାସଅଙ୍ଗୀ ସ୍ୱର ଭୟରୁ ରତି ସେବନେ ସ୍ନେହୀ ॥

।୪୧।

 

 

ବନଧବକୁ ଯେ ଜିଣିଲା କଟୀ କୃଶତା ହୋଇ ।

 

ବନଧରକେଶୀ କିଙ୍କିଣୀ ଜୟବାଦ୍ୟ ବଜାଇ ॥

।୪୨।

 

 

ବଳାହଂସକ ନାଦେ ଗତି ବଡ଼ାଇକି ଶୁଣାଇ ।

 

ବଳାତ୍କାରେ ମନ୍ଦ ସରଣେ ଗଜ ହଂସ ଜିଣାଇ ॥

।୪୩।

 

 

ବାରଣବୃଷା ଗର୍ବ ଖର୍ବ କରି ଊରୁ ଦୀପିତ ।

 

ବାରଣଦନ୍ତ କୁନ୍ଦା ସ୍ତମ୍ବ କି କୁଙ୍କୁମ ଲେପିତ ॥

।୪୪।

 

୪୧ଶ ପଦ–ବାସରେ–ଲୁଗାରେ । ଚୋଳ–କାଞ୍ଚଲା । କବଚ–ସାଞ୍ଜୁ ।

୪୧ଶ ପଦ–ସୌରଭାଙ୍ଗୀ ସୀତା କାମ ଭୟରୁ ସ୍ତନଶମ୍ଭୁକୁ ରକ୍ଷା କରିବାପାଇଁ ତାକୁ କାଞ୍ଚଲା ରୂପ କବଚରେ ଆଚ୍ଛାଦନ କରି ତା’ ଉପରେ ଲୁଗା ଘୋଡ଼ାଇଲେ । ଆଉ ମଧ୍ୟ ରତି ସେବା କଲେ (ରତି ସେବା କଲେ ରତିଙ୍କ ସ୍ୱାମୀ କାମଦେବ ସନ୍ତୁଷ୍ଟ ହେବେ; ଅର୍ଥାତ୍‌ ରତି ରସରେ ଚିତ୍ତ ମଜ୍ଜିଲା) ।

୪୨ଶ ପଦ–ବନଧବ–ସିଂହ । ବନଧକେଶୀ–ମେଘର କର୍ଣ୍ଣପରି ଯାହାର କେଶର ବର୍ଣ୍ଣ । (ସୀତା)।

୪୨ଶ ପଦ–ସୀତାଙ୍କର କଟୀ କ୍ଷୀଣତାର ସିଂହକୁ ଜୟ କଲା । ତେଣୁ ସେହି ଜଳଧରକେଶୀ ସୀତା କଙ୍କିଣୀରୂପ ଜୟବାଦ୍ୟ ବଜାଇଲେ ।

୪୩ଶ ପଦ–ହଂସକୁ–ନୂପୁର । ମନ୍ଦ ସରଣେ–ମନ୍ଦଗତିରେ ।

୪୩ଶ ପଦ–ସୀତାଙ୍କର ଗମନ ଗଜ ଓ ହଂସର ଗତିକୁ ବଳି ପଡ଼ିବାରୁ ସେ ଧୀର ଗତି କଲାବେଳେ ବଳା ଓ ନୂପୁର ନାଦରେ ଗମନର ବଡ଼ିମାକୁ ଶୁଣାଇଲେ । (ତାଙ୍କ ଗତି ହଂସ ଓ ଗଜର ଗତିଠାରୁ ମଧ୍ୟ ମନ୍ଥର ହେଲା ।)

୪୪ଶ ପଦ–ବାରଣବୃକ୍ଷା–କଦଳୀ ବୃକ୍ଷ । ଊରୁ–ଜାନୁ । ଦୀକ୍ଷିତ–ଶୋଭିତ । ବାରଣଦନ୍ତ–ହସ୍ତୀଦନ୍ତ ।

୪୪ଶ ପଦ–ତାଙ୍କ ଊରୁଦ୍ୱୟ କଦଳୀ ବୃକ୍ଷର ଗର୍ବକୁ ଖର୍ବ କରି ତେଜ ପ୍ରକାଶ କଲା । (ତାହା ଦେଖି ମନେହେଲା) କୁନ୍ଦା ହୋଇଥିବ ହସ୍ତୀ ଦନ୍ତର ସ୍ତମ୍ଭରେ କୁଙ୍କୁମ ବୋଳା ହୋଇଛି କି-?

 

ବାହୁ ଶୋଭା ଚାହିଁ ମୃଣାଳ କଣ୍ଟକକୁ ବହିଲା ।

 

ବାହୁଟି ତାଡ଼ରେ ଜାଣିଲି ସେ ପୂଜାକୁ ପାଇଲା ॥

।୪୫।

 

 

ବ୍ରହ୍ମାଣ୍ଡରେ ନାହିଁ ସେ ହସ୍ତତୁଳ କହିବା ତର୍କେ ।

 

ବ୍ରହ୍ମା ତେଣୁ ଦେଲା ଅତୁଳ କରି ନାମ କଟକେ ॥

।୪୬।

 

 

ବିଭୁଷଣ ଭୁଷାନିଚୟ ସର୍ବ ସୁନ୍ଦରୀଙ୍କରେ ।

 

ବିଭୁ ସେ ଜାନକୀ ଅତୁଲ ତାଙ୍କୁ ଆମ୍ଭେ ଏଠାରେ ॥

।୪୭।

 

 

ବନ୍ଦିଆମଣ୍ଡନେ ଶ୍ରବଣେ ତାଳପତ୍ର ଘଉଡ଼ି ।

 

ବନ୍ଦିଆ ନୋହି କି ସେ ଯିବ, ଯେଉଁ ନୟନ ପଡ଼ି ॥

।୪୮।

 

୪୫ଶ ପଦ–ମୃଣାଳ–ପଦ୍ମନାଡ଼ ।

୪୫ଶ ପଦ–ବାହୁର ସୌନ୍ଦର୍ଯ୍ୟ ଦେଖି ପଦ୍ମନାଭ (ଅସମାନ ହେବାରୁ) ଦେହରେ କଣ୍ଟା ବହନ କଲା । ତହିଁରେ ବାଜୁବନ୍ଧ ଓ ତାଡ଼ ଦିଆଯିବାରୁ ମନେକରୁଛି,–ସେ ଦୁହେଁ (ବାହୁକୁ) ପୂଜା କରୁଅଛନ୍ତିକି ? କିମ୍ବା–ବାଜୁବନ୍ଧ ଓ ତାଡ଼ ଦୁହେଁ ବାହୁରେ ଲାଗିବାରୁ ନିଜେ ବାହୁଯୋଗୁ (ପୂଜ୍ୟ ହେଲେ) ଆଦର ଲଭିଲେ ।

୪୬ଶ ପଦ–ବିଭୂଷଣ–ମଣ୍ଡନ । ଭୂଷାନିଚୟ–ଅଳଙ୍କାର ସମୂହ ।

୪୬ଶ ପଦ–ସୀତାଙ୍କ ସହିତ ତୁଲ୍ୟ ହେବାକୁ ବ୍ରହ୍ମାଣ୍ଡରେ ଆଉକିଛି ନାହିଁ । ତେଣୁ ମନେହୁଏ, ବ୍ରହ୍ମା ସେ ହସ୍ତରେ ଥିବା ବଳୟର ନାମ ଅତୁଲ୍ୟ ରଖିଅଛନ୍ତି ।

୪୭ଶ ପଦ–ପୃଥିବୀର ସମସ୍ତ ସୁନ୍ଦରୀ ନାନା ଅଳଙ୍କାରରେ ଭୂଷିତ ହୋଇସୁଦ୍ଧା ସୀତାଙ୍କ ସହିତ ସମକକ୍ଷ ହେବେ ନାହିଁ । ତେଣୁ ସୋମନେମନେ(ଅଳଙ୍କାରମାନେ) କଲେ–ସୀତା ଆମ୍ଭମାନଙ୍କର ପ୍ରଭୁ । ଆମ୍ଭେ ତାଙ୍କୁ ସମକକ୍ଷ ନୋହୁ । (ଅଳଙ୍କର ସବୁ ସୁନ୍ଦରୀମାନଙ୍କର ଭୂଷଣ । ମାତ୍ର ସେହି ଅଳଙ୍କାରମାନ ସୀତାଙ୍କୁ ଦେଖି ମନେକଲେ, ସୀତା ଆମର ପ୍ରଭୁ, ଆମେ ତାଙ୍କର ଭୂଷଣ ହେବା ତ ଦୂରେ ଥାଉ, ତାଙ୍କ ସମକକ୍ଷ ମଧ୍ୟ ହୋଇପାରିବୁ ନାହିଁ ) ।

୪୮ଶ ପଦ–ସେ ତାଡ଼କାକୁ ବଦଳାଇ ତା’ ପରିବର୍ତ୍ତରେ ବନ୍ଦିଆ [କର୍ଣ୍ଣାଳଙ୍କାର ବିଶେଷ] ଶ୍ରବଣରେ ମଣ୍ଡନ କଲେ । ତହିଁରେ ଯେଉଁ ଆଖି ପଡ଼ିବ, ସେ ବନ୍ଦୀ ନ ହୋଇ କୁଆଡ଼େ ଯିବ ? [ସେହି ବନ୍ଦିଆଠାରେ ଆଖି ଟାଣି ହୋଇ ରହିବ ।]

 

ବାଳୀ ଝଲକାଦି ସୁଫୁଲ ମଲ୍ଲୀକଢ଼ୀ ବିଶେଷେ ।

 

ବାଳୀ ଝଲକାଇ ଯେମନ୍ତ ନୋହିବ ଶେଷେ ॥

।୪୯।

 

 

ବନ୍ଧା ସୁମନରେ ଜୁଡ଼ା ସେ ଧୈର୍ଯ୍ୟ ଉଜୁଡା ସେହି ।

 

ବନ୍ଧା ସୁମନକୁ ପକାଇ ନେବ କେ ମୁକୁଳାଇ ?

।୫୦।

 

 

ବିଶେଷେ ଚଞ୍ଚଳ ଈଷଣ ବାଣ ସେ ଗତାଗତ ।

 

ବିଶେସେ ଯୁକ୍ତ କି ଅଞ୍ଜନେ ଯେଣୁ ଅତି ଜ୍ୱଳିତ ॥

।୫୧।

 

 

ବାଜିବାର ଭୟେ କୁରଙ୍ଗ ମୀନ ବନେ ପଳାଇ ।

 

ବାଜୀବାର ଗତାଗତ ସେ ଗତି ଶିଖିବା ପାଇଁ ॥

।୫୨।

 

୪୯ଶତ ପଦ–ବାଳୀ–ସୀତା, କର୍ଣ୍ଣାଳଙ୍କାର ବିଶେଷ । ଶେଷେ–ଶେଷଦେବଙ୍କଦ୍ୱାରା, ଅନନ୍ତଦ୍ୱାରା ।

୪୯ଶତ ପଦ–ସୀତା ବାଳୀ, ଝଲ୍‌କଫାଶିଆ, କାନଫୁଲ ଓ ମଲ୍ଲୀକଢ଼ୀ (ମଲକଢ଼ୀ) ପ୍ରଭୃତି କର୍ଣ୍ଣଭୂଷଣରେ ଭୂଷିତ ହୋଇ ଯେଉଁ ଅନିବର୍ଚନୀୟ ଶୋଭା ଧାରଣ କରିଥିଲେ, ତାହା ଶେଷଦେବ ସହସ୍ରମୁଖରେ ସୁଦ୍ଧା ବର୍ଣ୍ଣନା କରି ପାରିବେ ନାହିଁ ।

୫୦ଶତ ପଦ–ସୁମନରେ–ଫୁଲରେ ।

୫୦ଶତ ପଦ–ତାହାଙ୍କର ନାନାଜାତି ଫୁଲରେ ମଣ୍ଡିତ ହୋଇଥିବା ଜୁଡ଼ା ଦର୍ଶକମାନଙ୍କର ଧୈର୍ଯ୍ୟ ଲୋପକାରୀ ଥିଲା । ଏଣୁ ଥରେ ମାତ୍ର ତାହାକୁ ଦେଖିଲେ, ସେହି ଶୋଭା ଦର୍ଶନରୁ ମନକୁ ଫେରାଇ ଆଣିବା କଷ୍ଟକର ହେଉଥିଲା ।

୫୧ଶତ ପଦ–ଇକ୍ଷଣ–ନେତ୍ର । ଗତାଗତ–ଗମନାଗମନ । ଅଞ୍ଜନ–କଜ୍ଜ୍ୱଳ । ଜ୍ୱଳିତ–ଉଜ୍ଜ୍ୱଳ ।

୫୨ଶତ ପଦ–କୁରଙ୍ଗ–ମୃଗ । ମୀନ–ମତ୍ସ୍ୟ । କନେ–ଅରଣ୍ୟରେ, ଜଳରେ ବାଜୀକାର–ଘୋଟକ ସମୂହ, ପକ୍ଷୀମାନେ ।

୫୧ଶତ ଓ ୫୨ଶତ ପଦ–ମୃଗସମୂହ ଓ ମୀନସମୂହ ଅତିଶୀଘ୍ର ଗମନାଗମନ କରୁଥିବାରୁ ସୀତାଙ୍କର ଆଖିକୁ ଶର ଏବଂ ସେଥିରେ ଅତି ଉଜ୍ଜ୍ୱଳ କଜ୍ଜ୍ୱଳ ଲାଗିଥିବାରୁ ବିଷବୋଳା (ଶର) ବୋଲି ଭାବି କେଜାଣି ଆମ ଦେହରେ ବାଜିବ, ଏହି ଆଶଙ୍କାରେ ଅରଣ୍ୟ ଓ ଜଳରେ ପ୍ରବେଶ କଲେ । କିନ୍ତୁ ଘୋଡ଼ା ଓ ପକ୍ଷୀମାନେ ତାହାଙ୍କ ନେତ୍ରରେ ଗତି ସହିତ ସମାନ ହେବାପାଇଁ ଶୀଘ୍ରଗତିର ଅଭ୍ୟାସରେ ଲାଗିଲେ । (ଅର୍ଥାତ୍‌ ମୃଗ, ମୀନ, ଘୋଟକ ଓ ପକ୍ଷୀମାନଙ୍କର ଗତିଠାରୁ ତାଙ୍କ ନେତ୍ରରେ ଗତି ବଳି ପଡ଼ିଥିଲା) ।

 

ବର୍ତ୍ତୁଳ ମୁକୁତା ଚଳିତ ନାସା ପୁଡ଼ା ଯେ ଫୁଲେ ।

 

ବର୍ତ୍ତୁକେ ତା ଚାହିଁ ଆଜନ୍ମ ବ୍ରହ୍ମଚାରୀ ହୋଇଲେ ॥

।୫୩।

 

 

ବନ୍ଧୁ କରିବାର ଇଚ୍ଛିଲା ଯେଣୁ ଅଧର ତୁଲେ ।

 

ବନ୍ଧୁକ ନାମହିଁ ରହିଲା ତେଣୁ ଉକ୍ତିକ ପୁଲେ ॥

।୫୪।

 

 

ବଧୁଲୀ ଅଧର ବୋଳିବା ଯୁକ୍ତ ଅର୍ଥରେ ଅନ ।

 

ବଧୂ କରେ ତହିଁ ଉପରେ ହାସ ପ୍ରକାଶମାନ ॥

।୫୫।

 

 

ବଭର୍ତ୍ତି ମୋତିପନ୍ତି ଦନ୍ତ ଓଷ୍ଠ ମାଣିକ୍ୟପାତ୍ରେ ।

 

ବିଭବ ଶୋଭାର କେ କହୁ ଯେ ବିଚିତ୍ର ବିଚିତ୍ରେ ॥

।୫୬।

 

୫୩ଶତ ପଦ–ବର୍ତ୍ତୁଳ–ଗୋଲ । ଫୁଲେ–ଫୁଲି ଉଠୁଥିବା । ଆଜନ୍ମ–ପିଲାଦିନରୁ ।

୫୩ଶତ ପଦ–ପିଲାଦିନରୁ ବ୍ରହ୍ମଚାରୀ ହୋଇଥିଲେ ସୁଦ୍ଧା (ନିଶ୍ୱାସ ନେବା ସମୟରେ) ଫୁଲି ଉଠୁଥିବା ତାହାଙ୍କ ନାକପୁଡ଼ା ନିକଟରେ ଦୋହଲୁଥିବା ଗୋଲ ମୁକ୍ତାକୁ ଦେଖି କେଉଁ ଲୋକ ବର୍ତ୍ତିବ ?

୫୪ଶତ ପଦ–ରକ୍ତର ଫୁଲ–ବଧଲୀ ଫୁଲ । ଅଧର–ଓଠ ।

୫୪ଶତ ପଦ–ବଧୁଲୀ ଫୁଲ (ସାତରାଡ଼ିଆ ଫୁଲ । ସୀତାଙ୍କର ଓଷ୍ଠ ସହିତ ବନ୍ଧୁତା କରିବାକୁ ଇଚ୍ଛା କରିବାରୁ, ତାହାର ନାମ ବନ୍ଧୁକ ହେଲେ (ଅର୍ଥାତ ତାଙ୍କର ଓଷ୍ଠ ବଧୁଲୀ ଫୁଲ ପରି ରକ୍ତବର୍ଣ୍ଣ ଅଟେ)।

୫୫ଶତ ପଦ–ବଧୂ–ବୋହୂ, ଏଠାରେ ସୀତା । ଅଧର–ନ୍ୟୂନ ।

୫୫ଶତ ପଦ–ସୀତାଙ୍କର ଓଷ୍ଠ ବଧୂଲୀର ସମାନ ଥିବାରୁ ତାହାଙ୍କୁ ବଧୂଲୀ ଅଧରା କହିବା ଉପଯୁକ୍ତ ହେଲେ ମଧ୍ୟ ସେପରି ଅର୍ଥ କରିବା ଠିକ୍‌ ନୁହେଁ, ଯେହେତୁ ସୀତା ସେହି ବଧୁଲୀ–ଅଧର (ଓଷ୍ଠ) ଉପରେ ହାସ ପ୍ରକାଶ କରନ୍ତି । (ଅର୍ଥାତ୍‌ ବଧୂଲୀକୁ ଉପହାସ କରନ୍ତି) ଅତଏବ ‘ବଧୂଲୀ’ ରକ୍ତକ ଫୁଲ ତାହାଙ୍କର ଓଷ୍ଠଠାରୁ ‘ଅଧର’ ନ୍ୟୂନ ଅଟେ ।

୫୬ଶତ ପଦ–ମୋତି–ଶୁକ୍ଳ ହୀରା । ମାଣିକ୍ୟ–ପଦ୍ମରାଗମଣି । ବିଭବ–ସମ୍ପତ୍ତି, ଏଠାରେ ଉତ୍‌କର୍ଷ ।

୫୬ଶତ ପଦ–ସୀତାଙ୍କର ଓଷ୍ଠରୂପୀ ପଦ୍ମରାଗମଣିର ପାତ୍ର ଦନ୍ତରୂପୀ ହୀରା ସମୂହକୁ ଧାରଣ କରିଅଛି (ଅର୍ଥାତ୍‌ ତାହାଙ୍କର ଅତି ସ୍ୱଚ୍ଛ ଦନ୍ତପଙ୍‍କ୍ତି ଓଷ୍ଠର ରକ୍ତିମାଦ୍ୱାରା ସମୟ ସମୟରେ ରଞ୍ଜିତ ହେଉଅଛି) । ଏଣୁ ମନେହୁଏ, ଯେଉଁ ଶୋଭାର ଉତ୍କର୍ଷ ଚିତ୍ରରେ ଦେଖାଇ ହେବ ନାହିଁ, ତାହାକୁ କିଏ ବର୍ଣ୍ଣନା କରିବ ?

 

ବିଭୂଷଣ ନାନାପ୍ରକାରେ ଯେତେ କରନ୍ତି ତିନି ।

 

ବିଭୂଷଣ ପରା ତହିଁକି ଦିଶେ ସୁନ୍ଦରୀ ଜ୍ୟୋତି ॥

।୫୭।

 

 

ବଦନରେ ଚନ୍ଦ୍ର ଦର୍ପଣ ପଦ୍ମ ନିଉଞ୍ଛାଇବା ।

 

ବଦନରେ ଏହି ଉକ୍ତିକି ଆନ କି ଲକ୍ଷ ଦେବା?

।୫୮।

 

 

ବରବର୍ଣ୍ଣିନୀ ରସଲତା ନବ ପୁଷ୍ପବତୀ ସେ ।

 

ବରଣ କରିବା ଜନକ କହେ ଯତିଙ୍କ ପାଶେ ॥

।୫୯।

 

 

ବାରିଲେ ବାଲ୍ମୀକି ଟେକିବ ଯେହୁ ଶିବଚାପକୁ ।

 

ବାରିଜଗନ୍ଧାକୁ ପ୍ରଦାନ ନିଶ୍ଚେଁ କରିବା ତାକୁ ॥

।୬୦।

 

 

ବୋଧ ଜନକ ହରଧନୁ ସ୍ୱୟଂବର ରଚିତ ।

 

ବୋଧକର ମୁଖେ ବିଖ୍ୟାତ, ନୃପଗଣେ ଆଗତ ॥

।୬୧।

 

 

ବାସ କରନ୍ତୁ ସେହି ସୀତାଲୀଳା ସଦା ମୋ ହୃଦ ।

 

ବାଷଠୀପଦେ ଉପଇନ୍ଦ୍ର ଭଞ୍ଜ କହେ ଏ ଛାନ୍ଦ ॥

।୬୨।

 

୫୭ଶତ ପଦ–ସୀତା ପ୍ରତିଦିନ ଯେଉଁସବୁ ଅଳଙ୍କର ଧାରଣ କରନ୍ତି, ତାହାଙ୍କର କାନ୍ତି ସେହି ଅଳଙ୍କାରମାନଙ୍କର ଅଳଙ୍କାର ପରି ଦେଖାଯାଏ । (ଅର୍ଥାତ୍‌ ସୀତା ଅଳଙ୍କାରର ଅଳଙ୍କାର ଅଟନ୍ତି)।

୫୮ଶତ ପଦ–ବଦନ–ମୁଖ । ଲକ୍ଷ–ଉପମା ।

୫୮ଶତ ପଦ–ଆନନ୍ଦଦାୟକ ଗୁଣରେ ଚନ୍ଦ୍ର, କାନ୍ତିରେ ଦର୍ପଣ ଓ ସୁଗନ୍ଧିରେ ପଦ୍ମ, ସୀତାଙ୍କ ମୁଖଠାରୁ ଊଣା ଅଟନ୍ତି । ଅତଏବ ଅନ୍ୟ କୌଣସି ବସ୍ତୁର ନାମ ମୁଖରେ ଉଚ୍ଚାରଣ କରି ଉପମା ଦେବା ଠିକ୍‌ ନୁହେଁ ।

୫୯ତମ ପଦ–ବରବର୍ଣ୍ଣିନୀ–ପୀତବର୍ଣ୍ଣା । ରସଲତା–ଶୃଙ୍ଗାରରସ ରୂପ ଲତା । ପୁଷ୍ପବତୀ–କୁସୁମବତୀ, ଯୁବତୀ ।

୫୯ତମ ପଦ–ସେହି ସୁନ୍ଦରୀ ସୀତା ଯୌବନରେ ପଦାର୍ପଣ କରିବାରୁ ‘ତାହାଙ୍କର ସ୍ୱୟଂବର ନିମିତ୍ତ ରାଜାମାନଙ୍କୁ ନିମନ୍ତ୍ରଣ କରିବା’–ଏହି କଥା ଜନକ ଋଷିମାନଙ୍କ ନିକଟରେ ପ୍ରକାଶ କଲେ ।

୬୦ତମ ପଦ–ବାଚିଲେ–କହିଲେ । ଶିବଚାପ–ଶିବଧନୁ । ବାରିଜଗନ୍ଧା–ପଦ୍ମଗନ୍ଧା ।

୬୦ତମ ପଦ–ଏହା ଶୁଣି ବାଲ୍ମୀକି ମୁନି କହିଲେ, ‘‘ଯେ ଶିବଧନୁ ଟେକିବାକୁ ସମର୍ଥ ହେବ, ତାହାକୁ ପଦ୍ମିନୀ ସୀତାଙ୍କୁ ପ୍ରଦାନ କରିବା ।’’

୬୧ତମ ପଦ–ବୋଧକର–ଭାଟ ।

୬୧ତମ ପଦ–ଜନକ ‘ହରଧନୁ’ ଟେକିବା ପଣରେ ରାଜିହୋଇ ସ୍ୱୟଂବର ସଭାର ସମସ୍ତ ଯୋଗାଡ଼ କରି ଖ୍ୟାତନାମ ଭାଟମାନଙ୍କଦ୍ୱାରା ରାଜାମାନଙ୍କ ନିକଟକୁ ନିମନ୍ତ୍ରଣ ପଠାଇଲେ ।

୬୨ତମ ପଦ–ସେହି ସ୍ୱୟଂବର ସୀତାଙ୍କର ସଦା ମୋ ହୃଦୟରେ ଜାଗିଉଠୁ । ଉପେନ୍ଦ୍ର ଭଞ୍ଜ ଏହିକଥା କହି ବାଷଠିପଦରେ ଏ ଛାନ୍ଦ ଶେଷ କଲେ ।

 

Unknown

ଚତୁର୍ଥ ଛାନ୍ଦ

ରାଗ–ମାଳବଗଉଡ଼ା

ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ ।

 

ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।

।୧।

 

 

ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ ।

 

ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।

।୨।

 

 

ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ।

 

ବ୍ରହ୍ମଜ୍ଞାନ ପରି ଘେନି ଯୋଗୀନ୍ଦ୍ର ସମାନେ ଯେ ।

।୩।

 

୧ମ ପଦ–ବୃଜିନ ନାଶ–ପାପ କ୍ଷୟକର ।

୧ମ ପଦ–ଯେଉଁମାନଙ୍କର ବାକ୍ୟ ଓ ଅଭିଧାନରେ ଉତ୍ତମ ପ୍ରବେଶ ଅଛି, ସେମାନେ ପାପ କ୍ଷୟକର ଏହି ଚରିତକୁ ମନଦେଇ ଶୁଣନ୍ତୁ ।

୨ୟ ପଦ–ବୃଷ୍ଟିହୀନ–ବର୍ଷାଶୂନ୍ୟ । ନରପତି–ରାଜା ।

୨ୟ ପଦ–ଚମ୍ପାବତୀ ନଗରୀରେ ବାରବର୍ଷ ପର୍ଯ୍ୟନ୍ତ ବର୍ଷା ନ ହେବାରୁ ଲୋମପାଦ ରାଜା (ଚମ୍ପାବତୀର ରାଜା) ଅତ୍ୟନ୍ତ ଚିନ୍ତିତ ହେଲେ ।

୩ୟ ପଦ–ଯୋଗୀନ୍ଦ୍ର–ତପସ୍ୱୀ ଶ୍ରେଷ୍ଠ ।

୩ୟ ପଦ–ଯୋଗୀମାନେ ବ୍ରହ୍ମଜ୍ଞାନୀ ସତ୍ୟ ମନେକଲା ପରି, ଲୋମ ପାଦ ‘ଋଷ୍ୟଶୃଙ୍ଗ ଆସିଲେ ବର୍ଷା ହେବ’ ଏହି କଥାକୁ ସତ୍ୟ ମନେକରିଥିଲେ ।

 

ବୁଲାଇ ନିଜ ନବରେ ପଞ୍ଚରତ୍ନସ୍ଥଳୀ।

 

ବଜ୍ର ଧରି ଶତମନ୍ୟୁ ପରାୟେ ସେ ଝଳି ଯେ ॥

।୪।

 

 

ବିକାଶରେ ପଦ୍ମରାଗ ସବିତା ପ୍ରତିଭା ।

 

ବହିଛି ସେ ମାରକତୀ ହୋଇ ରତି ଶୋଭା ଯେ ॥

।୫।

 

 

ବିଦ୍ରୁମେ ମହାଉଜ୍ଜ୍ୱଳ ଅଟବୀ ସଦୃଶ ।

 

ବହି ଗର୍ଭେ ମୋତି ଶୁକ୍ତି, ଏ ତ୍ରିବିଧ ଶେଷ ଯେ ॥

।୬।

 

 

ବେଶ୍ୟାସାର ଜରତା ତ ରତା ହୋଇ ନେଲା ।

 

ବନୁଁ ଆଜନ୍ମତପସ୍ୱୀ ଆଣିବି ବୋଇଲା ଯେ ॥

।୭।

 

୪ର୍ଥ ପଦ–ବଜ୍ର–ଇନ୍ଦ୍ରଙ୍କ ଅସ୍ତ୍ର, ହୀରା । ଶତମନ୍ୟୁ–ଇନ୍ଦ୍ର ।

୪ର୍ଥ ପଦ–(ଲୋମପାଦ ରାଜା) ଇନ୍ଦ୍ର ନିଜର ଅସ୍ତ୍ର ବଜ୍ରକୁ ଧରିଥିବାରୁ ଯେପରି ତେଜୀୟାନ୍‌ ଅଟନ୍ତି, ସେହିପରି ‘ବଜ୍ର’ ହୀରା ଥିବାରୁ ଅତି ତେଜୀୟାନ୍‌ ଦେଖାଯାଉଥିବା ପଞ୍ଚରତ୍ନ ଥାଳୀ(ଲୋମପାଦ ରାଜା) ନିଜ ନଗରରେ ବୁଲାଇଲେ।

୫ମ ପଦ–ପଦୁରାଗ–ମରକତମଣି, ପଦଗ୍ରତି ସ୍ନେହ । ସବିତା–ସୂର୍ଯ୍ୟ । ମରକତୀ–ମରକତ ସମ୍ବନ୍ଧୀ, କନ୍ଦର୍ପର ନିକଟବର୍ତ୍ତୀ ।

୫ମ ପଦ–ସେ ଥାଳୀ ପଦ୍ମରାଗ ମଣିର ତେଜରେ ରଞ୍ଜିତ ହୋଇ ସୂର୍ଯ୍ୟଙ୍କ ପରି ଦେଖାଯାଉଛି । ତାହା ଦେଖି ମନେହୁଏ–ସୂର୍ଯ୍ୟପଦ୍ମଠାରେ ସ୍ନେହ କରି ତାହାର ବିକାଶ ନିମିତ୍ତ ନିଜର ତେଜକୁ ତାହା ଉପରେ ନିକ୍ଷେପ କରନ୍ତି (ଅର୍ଥାତ୍‌ ସୂର୍ଯ୍ୟକିରଣ ପଡ଼ିଲେ ପଦ୍ମ ଫୁଟେ) ଅତଏବ ଏହି ଥାଳୀରେ ‘ପଦ୍ମ–ରାଗ’ ପଦ୍ମ ପ୍ରତି ସ୍ନେହ ଥିବାରୁ ଥାଳୀଟି ସୂର୍ଯ୍ୟଙ୍କ ପରି ତେଜୀୟାନ୍‌ ହୋଇଅଛି । ଆଉ ମଧ୍ୟ ସେହି ଥାଳୀ ରତିଙ୍କ ପରି ସୁନ୍ଦର ଦେଖା ଯାଉଛି, କାରଣ ରତି ସବୁବେଳେ କନ୍ଦର୍ପର ନିକଟରେ ଥା’ନ୍ତି । ଏହି ଥାଳୀ ମଧ୍ୟ ‘‘ମରକତୀ’’ ମରକତ ମଣିର ସମ୍ବନ୍ଧକୁ ପାଇଅଛି; ଅର୍ଥାତ୍‌ ପଦ୍ମରାଗ ମଣି ଏଥିରେ ଅଛି ।

୬ଷ୍ଠ ପଦ–ବିଦ୍ରୁମେ–ପୋହଲାରେ, ନୂତନ ପତ୍ରରେ । ଅଟବୀ–ଅରଣ୍ୟ । ମୋତି–ମୁକ୍ତା । ଶୁକ୍ତି–ଶାମୁକା ।

୬ଷ୍ଠ ପଦ–ସେହି ଥାଳୀ ମଧ୍ୟରେ ଅତି ଉଜ୍ଜ୍ୱଳ ପୋହଳା ଥିବାରୁ ନବପଲ୍ଲବ ଧାରଣ କରି ଅତି ମନୋହର ଦେଖାଯାଉଥିବା ଅରଣ୍ୟପରି ଦିଶୁଅଛି । ଆଉ ମଧ୍ୟ ଏହା ମଧ୍ୟରେ ମୁକ୍ତା ଥିବାରୁ, ମୁକ୍ତାଗର୍ଭ ଶାମୁକାପରି ଶୋଭା ପାଉଛି । ଏହିପରି ଏ ତିନି ପଦରେ ଶେଷ୍ଳାର୍ଥ ରହିଛି ।

୭ମ ପଦ–ରତା–ଆଗ୍ରହାନ୍ୱିତା । ଆଜନ୍ମତପସ୍ୱୀ–ଆଜନ୍ମବ୍ରହ୍ମଚାରୀ ।

୭ମ ପଦ–ବେଶ୍ୟାଶ୍ରେଷ୍ଠା ଜରତା ସେହି ପଞ୍ଚରତ୍ନ ଥାଳୀକୁ ଆଗ୍ରହ ସହିତ ନେଇ ବନରୁ ଆଜନ୍ମ ବ୍ରହ୍ମଚାରୀ ସେହି ଋଷ୍ୟଶୃଙ୍ଗଙ୍କୁ ‘ଆଣିବି’’ ବୋଲି କହିଲା ।

 

ବୃଷଭ ଗୋଡ଼ାଇ ଧେନୁ ପଛରେ ଯେମନ୍ତ ।

 

ବେଦାଧ୍ୟୟନ ଛଡ଼ାଇ ଆଣିବି ତେମନ୍ତ ଯେ ॥

।୮।

 

 

ବର୍ଦ୍ଧକୀ ଡକାଇ ସଜଡ଼ାଇ ଦିଅ ନାବ ।

 

ବେଶ୍ମ ପରି ମହ ମନୋରମ ହୋଇଥିବ ଯେ ॥

।୯।

 

 

ବିବିଧ ପଦାର୍ଥ ଭର୍ତ୍ତି କରିଦିଅ ତହିଁ ।

 

ବନ ରଚନାହିଁ ହୋଇଥିବ, ଭୁପେ କହି ଯେ ॥

।୧୦।

 

 

ବଚସ୍କର ନୃପତି ସାମନ୍ତେ ଭୃତ୍ୟପରି ।

 

ବାର ବାରନାରୀ ଗଲେ ଅନୁକୁଳ କରି ଯେ ॥

।୧୧।

 

 

ବସିଲେ ତରଣୀ ଅଙ୍କେ ଛାୟା ପରା ହୋଇ ।

 

ବିରାଜିବା ପୁଷ୍କର ଗମନେସେ ଯୋଗାଇଲେ ଯେ ॥

।୧୨।

 

୮ମ ପଦ–‘‘ଷଣ୍ଢ ଯେଉଁ ପରି ଗାଈର ପଛେ ପଛେ ଗୋଡ଼ାଇ ଆସେ, ମୁଁ ସେହିପରି ତାଙ୍କୁ ବେଦ ପଢ଼ା ଛଡ଼ାଇ ମୋର ପଛେ ପଛେ ଦୌଡ଼ାଇ ଆଣିବି ।’’

୯ମ ପଦ–ବର୍ଦ୍ଧକୀ–ବଢ଼େଇ । ବେଶୁ–ଘର । ମହାମନୋରମ–ଅତି ସୁନ୍ଦର ।

୯ମ ପଦ–‘‘ବଢ଼ାଇ ଡକାଇ ଅତି ସୁନ୍ଦର ଘରପରି ଗୋଟିଏ ନୌକା ସଜାଇ ଦିଅ ।’’

୧୦ମ ପଦ–‘‘ତହିଁରେ ନାନାପ୍ରକାର ଜିନିଷ ରଖି ଅବିକଳ ଗୋଟିଏ ଜଙ୍ଗଲ ପରି କରିଦିଅ । ଏହି କଥା ଜରତା ରାଜାଙ୍କୁ କହିଲା ।

୧୧ଶ ପଦ–ବଚସ୍କର–ଆଜ୍ଞାବହ । ନୃପତି–ରାଜା । ସାମନ୍ତ–ମୁନିବ । ଭୃତ୍ୟ–ଚାକର । ବାରନାରୀ–ବେଶ୍ୟା ।

୧୧ଶ ପଦ–ଭୃତ୍ୟମାନେ ତାଙ୍କ ସାମନ୍ତଙ୍କର ଆଜ୍ଞାବହ ହେଲା ପରି, ଲୋମପାଦ ରାଜା ତାହାର ଆଜ୍ଞା ପାଳନ କରିଥିଲେ । ଜରତା ବାରଜଣ ବେଶ୍ୟାଙ୍କ ସହ ଅନୁକୁଳ କରି ବାହାରିଲା ।

୧୨ଶ ପଦ–ତରଣୀ–ନୌକା, ସୂର୍ଯ୍ୟ । ଅଙ୍କେ–କୋଳରେ, ମଧ୍ୟରେ । ଛାୟା–ସୂର୍ଯ୍ୟଙ୍କ ସ୍ତ୍ରୀ ।

୧୨ଶ ପଦ–ସେହି ବେଶ୍ୟାମାନେ ସୂର୍ଯ୍ୟଙ୍କ କୋଳରେ ଛାୟାଦେବୀ ବସିଲାପରି ନୌକାର ମଧ୍ୟରେ ବସିଲେ ଏବଂ ଯିବା ସମୟରେ ଗତି କରୁଥିବା ପଦ୍ମପରି ଦେଖାଗଲେ ।

 

ବିଖ୍ୟାତ ଉଡ଼ୁପ ନାମ ଯୁକ୍ତ ତାରାଳିରେ ।

 

ବ୍ୟଗ୍ରବନ୍ତ ଗତି କରେ ନିଶି ଦିବସରେ ଯେ ॥

।୧୩।

 

 

ବେନିକୁଳେ ମହାରଣ୍ୟ ସତ୍ୟବାକେ ହୀନ ।

 

ବିଘନ ପଶୁ ସମୂହେ ସତ୍ୟବାକେ ପୂର୍ଣ୍ଣ ଯେ ॥

।୧୪।

 

 

ବାଜୀ–ଗମ୍ୟ ସ୍ଥାନ ନୋହେ ସର୍ବ ସମୟରେ ।

 

ବାଜୀରାଜି କ୍ରୀଡ଼ା କରେ ବିଗତ ଭୟରେ ଯେ ॥

।୧୫।

 

 

ବିଶ୍ରାମ ଆଶ୍ରମ କେତେଦୂରେ ନାବ କରି ।

 

ବାମାକ୍ଷୀ କାମମୋହିନୀ ଘେନି ବାରନାରୀ ଯେ ॥

।୧୬।

 

 

ବାହାରେ ରଖି ଜରତା ଚାମରକେଶୀକି ।

 

ବିଲୋକି ଏମନ୍ତ ବନ, ଏମନ୍ତ ଋଷିଙ୍କି ଯେ ॥

।୧୭।

 

 

ବିପର୍ଯୟ ପଲାଶିରେ ପଲାଶୀରେ ଘନ ।

 

ବିନାତପ ପ୍ରଭାତପ ପ୍ରଭାରେ ପ୍ରଧାନ ଯେ ॥

।୧୮।

 

 

ବିଭୁତି ବାଞ୍ଛକ ନୋହି, ବିଭୁତି ବାଞ୍ଛକ ।

 

ବର୍ଜିତ କାମ ଉଦୟ, କାମ ଉଦୟକ ଯେ ॥

।୧୯।

 

 

ବଲ୍ଲରୀ ଅନ୍ତରେ ଯାଇଁ ଆରମ୍ଭିଲେ ଗୀତ ।

 

ବଲ୍ଲକୀ ବଜାଇ କଲେ ସପ୍ତସ୍ୱର ଜାତ ଯେ ॥

।୨୦।

 

 

ବିଚାରି ରାଗ ସରାଗ ମୁନିର ଜନ୍ମାଉଁ ।

 

ବୃଦ୍ଧି ପଞ୍ଚଶରକୁ ପଞ୍ଚମସ୍ୱର ଦେଉଁ ଯେ ॥

।୨୧।

 

୧୩ଶ ପଦ–ଉଡୁପ–ନୌକା, ଚନ୍ଦ୍ର । ତାରାଳି–ସୁନ୍ଦରୀ ସଖୀଗଣ, ତାରାସମୂହ । ବ୍ୟଗ୍ରବନ୍ତ–ଶୀଘ୍ର ।

୧୩ଶ ପଦ–ଚନ୍ଦ୍ର ତାରାଗଣରେ ବେଷ୍ଟିତ ହୋଇ ଉଡୁପ ନାମରେ ଖ୍ୟାତି ଲାଭ କରି କେବଳ ରାତ୍ରିରେ ଗମନ କରନ୍ତି; ମାତ୍ର ନୌକା ‘ତାରାଳି’ ସୁନ୍ଦରୀ ବେଶ୍ୟା ସମୁହଦ୍ୱାରା ବେଷ୍ଟିତ ହୋଇ ଦିନ ଓ ରାତିରେ ଶୀଘ୍ର ଗତି କରୁଅଛି ।

୧୪ଶ ପଦ–ସତ୍ୟବାକ–କାକ । ବିଘନ–ପୂର୍ଣ୍ଣ । ସତ୍ୟବାକେ–ଋଷିମାନଙ୍କଦ୍ୱାରା ।

୧୪ଶ ପଦ–ଯେଉଁ ନଦୀରେ ସେହି ନୌକା ଚଳୁଅଛି, ତାହାର ଉଭୟ କୂଳ କାକ ଶୂନ୍ୟ, ଋଷିପୂର୍ଣ୍ଣ ଓ ପଶୁ ସଂକୁଳ ମହାରଣ୍ୟ ଅଟେ ।

୧୫ଶ ପଦ–ବାଜୀ–ଅଶ୍ୱାରୋହୀ, ବାଣୁଆ, ପକ୍ଷୀ ।

୧୫ଶ ପଦ–ସେହି ଅରଣ୍ୟ ଏପରି ନିବିଡ଼ ଯେ, ସେଥିରେ ଅଶ୍ୱାରୋହୀ ଶିକାରୀ ପ୍ରବେଶ କରିବା ତ ଦୂରର କଥା, ଶର ସୁଦ୍ଧା ପ୍ରବେଶ କରିପାରେ ନାହିଁ । ଏଣୁ ପକ୍ଷୀମାନେ ଭୟଶୂନ୍ୟ ହୋଇ କ୍ରୀଡ଼ା କରନ୍ତି ।

୧୮ଶ ପଦ–ବିପର୍ଯ୍ୟୟ–ଶୂନ୍ୟ । ପଲାଶୀ–ମାଂସଭୋଜୀ ପ୍ରାଣୀ, ବୃକ୍ଷ । ଆତପ–ସୂର୍ଯ୍ୟକିରଣ । ପ୍ରଭା–ତେଜ । ତପ–ତପସ୍ୟା ।

୧୯ଶ ପଦ–ବିଭୂତି–ଧନ, ଭସ୍ମ । କାମ–କନ୍ଦର୍ପ, ଅଭିଳାଷ ।

୨୦ଶ ପଦ–ବଲ୍ଲରୀ–ଲତା । ବଲ୍ଲକୀ–ବୀଣା ।

୨୧ଶ ପଦ–ପଞ୍ଚଶର–କନ୍ଦର୍ପ ।

୧୬ଶରୁ୨୧ଶ ପଦ–ବାମାକ୍ଷୀ, କାମମୋହିନୀ ପ୍ରଭୃତି ବେଶ୍ୟାମାନେ ଜରତା ଓ ଚାମରକେଶୀ ସହିତ ନାବକୁ ଆଶ୍ରମରେ କିଛି ଦୂରରେ ରଖି, ତପୋବନରେ ପ୍ରବେଶ କରି ଦେଖିଲେ ଯେ, ସେହି ବନ ସିଂହ, ବ୍ୟାଘ୍ର ପ୍ରଭୃତି ହିଂସ୍ର ଜନ୍ତୁ ଶୂନ୍ୟ, ବୃକ୍ଷ ସଂକୁଳ ହୋଇଥିବାରୁ ସୂର୍ଯ୍ୟକିରଣ ଶୂନ୍ୟ ଓ ଋଷିମାନଙ୍କର ତପଃ ପ୍ରଭାବରେ ପବିତ୍ରିତ ଅଟେ । ସେହି ବନରେ ବାସ କରୁଥିବା ଋଷିମାନେ ଧନ ପ୍ରତି ଅନିଚ୍ଛା ପ୍ରକାଶ କରି, ଭସ୍ମ ବୋଳି ହୋଇ, ସମସ୍ତ ଇନ୍ଦ୍ରୟସୁଖ ପରିତ୍ୟାଗପୂର୍ବକ ମୁକ୍ତିକାମନା କରୁଅଛନ୍ତି । ଏଣୁ ସେମାନେ ଋଷ୍ୟଶୃଙ୍ଗଙ୍କୁ ନିଜ ନିଜ ପ୍ରତି ଆକୃଷ୍ଟ କରାଇବା ନିମିତ୍ତ ଲତନ୍ତରାଳରେ ରହି ସପ୍ତସ୍ୱରରେ ବୀଣା ବଜାଇ ଗୀତ ଗାନ କଲେ । କାରଣ ସେମାନେ ଭାବି ସ୍ଥିର କଲେ, ଗୀତର ରାଗ, ମୁନିଙ୍କ ହୃଦୟରେ ଆମ୍ଭପ୍ରତି ଅନୁରାଗ ବଢ଼ାଇବ ଓ ପଞ୍ଚମସ୍ୱର କାମ ଶକ୍ତିକୁ ବୃଦ୍ଧି କରିବ ।

 

ବିଟପୀକି ମୁନିମଣି ଆଉଜି ଯେ ଥିଲେ ।

 

ବିଟପୀଙ୍କି ମୁନିମଣି ସମ୍ଭାବନା କଲେ ଯେ ॥

।୨୨।

 

 

ବସାଇ ଆସନେ ପୁଚ୍ଛେ କାହିଁ ତପିଗଣ ।

 

ବସ ମଠ କରି, କହ ମଠ ନ କରିଣ ହେ ॥

।୨୩।

 

 

ବଖାଣ କି କି ମନ୍ତ୍ରକୁ ଜପ କରି ଜାଣ ।

 

ବିଷ୍ଣୁ ଶିବ ସେବା କାହାଭାବରେ ନିପୁଣ ହେ ?

।୨୪।

 

 

ବିକାଶି ହାସ କଟାକ୍ଷ ଢାଳିଣ ରସିକା ।

 

ବୋଇଲେ ଗେଲାଇ ହୋଇ ଫୁଲାଇ ନାସିକା ଯେ ॥

।୨୫।

 

 

ବନେ ତୁମ୍ଭେ ଭ୍ରମ, ଆମ୍ଭେ ବନୀରେ ବିଳସୁଁ ।

 

ବନୌକା ତୁମ୍ଭେ, ବନିତା ଆମ୍ଭେଟି ଏ ବଶୁ ଯେ ॥

।୨୬।

 

 

ବୋଲିବାର ରାମମନ୍ତ୍ର ଆଦ୍ୟବର୍ଣ୍ଣ ଭିନ୍ନ ।

 

ବିସର୍ଗ ଚତୁର୍ଥ ବର୍ଣ୍ଣ ଏକ କରି ଘେନ ଯେ ॥

।୨୭।

 

 

ବସନ୍ତି ଆମ୍ଭ ଦେବତା ଶମ୍ଭୁ–ହୃଦସ୍ଥଳ ।

 

ବକ୍ଷେ ରୁହ ଉରେ ଯୋଡି ଶୀଘ୍ରେ କଲା କୋଳ ଯେ ॥

।୨୮।

 

 

ବିଭୂତି ଆମ୍ଭ ଦେଶର ବୋଲି ତତପର ।

 

ବୋଳିଦେଲା ଚୂରି କାମମୋହିନୀ କର୍ପୁର ଯେ ॥

।୨୯।

 

 

ବାସାନ୍ତର କରି ଋଷି ଦେଖୁଁ ପୟୋଧର ।

 

ବୋଇଲେ ହେ ହର ହର ! ମୋତେ କୃପା କର ହେ ॥

।୩୦।

 

୨୨ଶ ପଦ–ବିଟପୀ–ବୃକ୍ଷ, ବେଶ୍ୟା । ସମ୍ଭାବନା–ଆଦର ।

୨୨ଶରୁ୨୪ଶ ପଦ–ମୁନିଶ୍ରେଷ୍ଠ ଋଷ୍ୟଶୃଙ୍ଗ ସେହି ତପୋବନରେ କୌଣସି ବୃକ୍ଷକୁ ଆଉଜି ବସିଥିଲେ । ସେ ଏହି ବେଶ୍ୟାମାନଙ୍କୁ ଦେଖି ଋଷି ମନେକରି ଆଦରପୂର୍ବକ ଡାକି ବସାଇବା ପାଇଁ ଆସନ ଦେଇ କହିଲେ, ‘‘ବିଳମ୍ବ ନ କରି ଶୀଘ୍ର କହନ୍ତୁ; ଆପଣମାନଙ୍କ ମଠ କେଉଁଠାରେ ? କି ମନ୍ତ୍ର ଜପ କରନ୍ତି ? ଶିବ କି ବିଷ୍ଣୁଙ୍କୁ ଉପାସନା କରନ୍ତି ?’’

୨୬ଶ ପଦ–ବନୀ–ଉପବନ । ବନୌକା–ବନବାସୀ ଏଠାରେ ଋଷି ।

୨୫ଶରୁ୨୭ଶ ପଦ–ଋଷିଙ୍କର ଏହି କଥା ଶୁଣି ବେଶ୍ୟାମାନେ ନାକ ଫୁଲାଇ ଗେଲେଇ ହୋଇ କହିଲେ, ‘‘ତୁମ୍ଭେ ବନରେ ବାସ କରୁଥିବାରୁ ଯେପରି ବନୌକା ନାମରେ ପରିଚିତ ହୋଇଅଛି, ଆମ୍ଭେ ସେହିପରି ବନୀରେ (ଉପବନରେ)ବାସ କରୁଥିବାରୁ ବନିତା ନାମରେ ଖ୍ୟାତି ଲାଭ କରିଅଛୁଁ । ତୁମ୍ଭେ ରାମ ମନ୍ତ୍ର (ରାମାୟ ନମଃ) ଜପ କର । ଆମ୍ଭେମାନେ ମଧ୍ୟ ସେହି ମନ୍ତ୍ର ଜପ କରୁଁ ମାତ୍ର ଏତିକି ପ୍ରଭେଦ, ଆରମ୍ଭ ‘ରା’ ସ୍ଥାନରେ ‘କା’ ହୁଏ । (ଅର୍ଥାତ୍‌ ଆମ୍ଭେମାନେ ‘କାମାୟ ନମଃ’ ଏହି ମନ୍ତ୍ର ଜପ କରୁଁ) । ଚତୁର୍ଥ ବର୍ଣ୍ଣ ‘କା’କୁ ଛାଡ଼ି ବିସର୍ଗ ସହ ଅନ୍ୟ ଚାରିଗୋଟି ବର୍ଣ୍ଣ ଏକ ପରି ଜାଣ ।

୨୮ଶ ପଦ–ଶମ୍ଭୁ–ଶିବ । ବକ୍ଷୋରୁହ–ସ୍ତନ । ଉଚ–ଛାତି ।

୨୮ଶ ପଦ–ଅନନ୍ତର କାମମୋହନୀ ‘‘ଆମ୍ଭମାନଙ୍କର ଆରାଧ୍ୟ ଦେବତା ଶିବ ଆମ୍ଭମାନଙ୍କର ବକ୍ଷ ସ୍ଥଳରେ ବିରାଜମାନ’’ ଏହା କହି ଋଷିଙ୍କୁ କୋଳ କଲା ।

୨୯ଶ ପଦ–ତତ୍ପରେ କର୍ପୂରକୁ ଚୂରି ‘‘ଏହା ଆମ୍ଭ ଦେଶର’’ ଭସ୍ମ ବୋଲି କହି ଋଷିଙ୍କ ଦେହରେ ବୋଳି ଦେଲା ।

୩୦ଶ ପଦ–ବାସାନ୍ତର କରି–ବସ୍ତ୍ର ଫେଇ । ପୟୋଧର–ସ୍ତନ । ହର–ମହାଦେବ ।

୩୦ଶ ପଦ–ଋଷି ଲୁଗା ଫିଟାଇ ସ୍ତନକୁ ଦେଖିବା ସଙ୍ଗେ ସଙ୍ଗେ ‘‘ହେ ମହାଦେବ ! ମୋତେ ଦୟାକର’’, ବୋଲି କହିଲେ ।

 

ବିଲୀନ ବେନି ଅର୍ଥକୁ ବିହୁଁ ସେ ବଚନେ ।

 

ବିଧାନ କଲା ମୁଖରେ ଚୁମ୍ବନେ ଚୁମ୍ବନେ ଯେ ॥

।୩୧।

 

 

ବନୀଫଳ କହି ପକ୍ୱ କଦଳୀ ଭୁଞ୍ଜାଇ ।

 

ବାଣ ପୟଃପେଟୀ ପୟଃ ପାନ ସେ କରାଇ ଯେ ॥

।୩୨।

 

 

ବୋଧି ଚିତ୍ତ ଏ ଆମ୍ଭ ନିର୍ଝର ନୀର କହି ।

 

ବୃଷ୍ୟକାରୀ କାମରାଜ ଅଧାମ ପୂରାଇ ଯେ ॥

।୩୩।

 

 

ବାଢ଼ିଲେ ଯେ ଘୃତପକ୍ୱ ଆମିକ୍ଷା ଅଗ୍ରତେ ।

 

ବର୍ଣ୍ଣ ପୁଚ୍ଛେ କି, ଭୋଜନ କର ସେ ବୋଲନ୍ତେ ଯେ ॥

।୩୪।

 

 

ବିପ୍ର ତୁମ୍ଭେ, ଆମ୍ଭେ ଯାହା ବୋଲାଉଁ ତା ଶୁଣ ।

 

ବିପ୍ରଲବ୍‌ଧା ଘେନି ଅଷ୍ଟ ଜାତିରେ ନିପୁଣ ॥

।୩୫।

 

୩୧ଶ ପଦ–ବଲୀନ–ଅତିଗୁପ୍ତ । ବେନି ଅର୍ଥକୁ–ଦ୍ୱିତୀୟ ଅର୍ଥକୁ ।

୩୧ଶ ପଦ–‘‘(ହର ହର) ମହାଦେବଙ୍କ ଧୈର୍ଯ୍ୟ ଲୋପକରୀ କନ୍ଦର୍ପ ମୋତେ ରକ୍ଷାକର’’ ଋଷି ଏହି ଦ୍ୱିତୀୟ ଅର୍ଥ ଗୁପ୍ତଭାବରେ ରହିଥିବା କଥା କହିବାରୁ, କାମମୋହିନୀ ସେହି ଦ୍ୱିତୀୟ ଅର୍ଥକୁ ପ୍ରକୃତ ଅର୍ଥ ମନେକରି ତାହାଙ୍କର ମୁଖରେ ବାରମ୍ୱାର ଚୁମ୍ୱନ ପ୍ରଦାନ କଲା । (ପଣ୍ଡିତମାନେ ଗୁପ୍ତକଥା ଶ୍ଳେଷରେ କହିବାକୁ ଉପଦେଶ ଦେଇଅଛନ୍ତି ।)

୩୨ଶ ପଦ–ବାଣପୟଃ ପେଟୀ–ବାଣପଇଡ଼ । ପୟଃ–ଜଳ ।

୩୩ଶ ପଦ–ବୃଷ୍ୟକାରୀ–ବଳକର ।

୩୪ଶ ପଦ–ଆମିକ୍ଷା–ଛେନା ।

୩୨ଶରୁ ୩୪ଶ ପଦ–ତତ୍‌ପରେ ବେଶ୍ୟାମାନେ ବଣଫଳ ବୋଲି କହି ଋଷିଙ୍କୁ ପାଚିଲା କଦଳୀ ଖାଇବାକୁ ଏବଂ ଆମ ଦେଶର ଝର ପାଣି ବୋଲି କହି ବଣପଇଡ଼ ପାଣି ପିଇବାକୁ ଦେଇ କିଛିକ୍ଷଣ ପରେ ବଳକର ଓ କାମୋଦ୍ଦୀପକ ଅଧାମ, ଛେନା ପ୍ରଭୃତି ବାଢ଼ି ଋଷିଙ୍କୁ ଖାଇବା ନିମିତ୍ତ ଅନୁରୋଧ କରିବାରୁ, ଋଷି ସେମାନଙ୍କୁ ଜାତି ପଚାରିଲେ ।

୩୫ଶ ପଦ–ବେଶ୍ୟାମାନେ କହିଲେ, ‘‘ତୁମ୍ଭେ ‘ବିପ୍ର’ ବ୍ରାହ୍ମଣ; ଆମ୍ଭେମାନେ ବିପ୍ରଲବ୍‌ଧା ପ୍ରଭୃତି ଆଠ ପ୍ରକାର ନାୟିକା ଜାତିରେ ପ୍ରଧାନ ଅଟୁଁ’’।

 

ବାଳିକାଏ ବୋଲୁଁ ମୂନି ଭୁଞ୍ଜି ସ୍ୱାଦ ପାଇ ।

 

ବଟୁ ! ତୁମ୍ଭ ତପ ଧନ୍ୟ ବୋଲି ପ୍ରଶଂସଇ ଯେ ॥

।୩୬।

 

 

ବଟୁ ଯାହା ହୋଇଲ ପ୍ରମାଣ ଅନୁସ୍ୱାରେ ।

 

ବାତ୍ସ୍ୟାୟନଶାସ୍ତ୍ର ପଢ଼ା ଗୁରୁ ଛନ୍ତି ଦୂରେ ଯେ ॥

।୩୭।

 

 

ବେଳାସ୍ତ ହେବାର ଜାଣି, ମେଲାଣି ହେଲୁଟି ।

 

ବାର ମୂଖେ ଭାଷି ଉଠୁଁ, ଗଲେ ସେ ପାଛୋଟି ଯେ ॥

।୩୮।

 

 

ବାଟେ ରହି ରହି କହି ଗଲେ ବାରାଙ୍ଗନା ।

 

ବାହୁଡ଼ିବା ହେଉ ଆମ୍ଭେ କାଲି ଆସୁଁ ସିନା ଯେ ॥

।୩୯।

 

 

ବିହ୍ୱଳିତ ଆସିବାରେ କରାଇ ନିୟମ ।

 

ବାହୁଡ଼ିଲେ ଋଷ୍ୟଶୃଙ୍ଗ ଆପଣା ଆଶ୍ରମ ଯେ ॥

।୪୦।

 

 

ବହିତ୍ରପ୍ରତିମ ନାବେ ପ୍ରବେଶ ନାଗରୀ ।

 

ବ୍ୟବସାୟ ଚୟ କହି ବ୍ୟବସ୍ଥିତ କରି ଯେ ॥

।୪୧।

 

୩୬ଶ ପଦ–ବେଶ୍ୟାମାନେ ଏହିପରି କହୁ କହୁ ମୁନି ସ୍ୱାଦ ପାଇ ସମସ୍ତ ଜିନିଷ ଖାଇବାରେ ଲାଗିଲେ ଏବଂ ସେମାନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ’ବଟୁ’ ବ୍ରାହ୍ମଣମାନେ ! ତୁମ୍ଭର ଜୀବନ ଧନ୍ୟ ଅଟେ ।’’

୩୭ଶ ପଦ–ବଟୁ–ବ୍ରାହ୍ମଣ । ବାତ୍ସ୍ୟାୟନଶାସ୍ତ୍ର–କାମଶାସ୍ତ୍ର ।

୩୭ଶ ପଦ–ଋଷିଙ୍କର ଏହିପରି କଥା ଶୁଣି ବେଶ୍ୟାମାନେ କହିଲେ, ‘‘ଆମ୍ଭଙ୍କୁ ‘ବଟୁ’ ବୋଲି ଯାହା ସମ୍ବୋଧନ କଲ ତାହା ଅନୁସ୍ୱାର ଯୋଗ କଲେ ପ୍ରମାଣିତ ହେବ । (ଅର୍ଥାତ୍‌ ଆମ୍ଭେମାନେ ପୁରୁଷଙ୍କୁ ‘ବଟୁଂ’ ଠକୁ)। କାମଶାସ୍ତ୍ରରେ ନିପୁଣ ଆମ୍ଭମାନଙ୍କର ଗୁରୁ ଏହି ସ୍ଥାନରୁ ଦୂରରେ ଅଛନ୍ତି ।’’

୩୮ଶରୁ ୪୦ଶ ପଦ–ଏହି ସମୟରେ ସୂର୍ଯ୍ୟ ଅସ୍ତ ହେବାର ଜାଣି, ବେଶ୍ୟାମାନେ ବିଦାୟ ମାଗି ବାହାରିବାରୁ ଋଷି ସେମାନଙ୍କୁ ପାଛୋଟି ଗଲେ । ସେମାନେ ଋଷିଙ୍କୁ କହିଲେ, ‘‘ଆପଣ ଫେରିଯାନ୍ତୁ, ଆମ୍ଭେ କାଲି ଆସିବୁଁ ।’’ ଋଷି ସେମାନଙ୍କୁ ନିଶ୍ଚୟ ଆସିବା ପାଇଁ ନିୟମ କରାଇ ଆଶ୍ରମକୁ ଫେରିଗଲେ ।

୪୧ଶ ପଦ–କହିତ୍ରପ୍ରତିମ–ବୋଇତ ତୁଲ୍ୟ ସୁନ୍ଦର । ବ୍ୟବସାୟ ଚୟ–ବ୍ୟବହାର ସମୂହ-

୪୧ଶ ପଦ–ବେଶ୍ୟାମାନେ ବୋଇତ ପରି ସୁନ୍ଦର ସେହି ନୌକାରେ ପ୍ରବେଶ କରି ଋଷିଙ୍କ ସହ ସେମାନଙ୍କର ଯାହା ଯାହା ଘଟିଥିଲା, ସେ ସମସ୍ତ ଜରତାକୁ କହିଲେ ।

 

ବିଭାଣ୍ଡକ ଆସି ପୁଚ୍ଛେ ଜାନୁରେ ବସାଇ ।

 

ବିଷାଣ–ଋଷ୍ୟ ଅଙ୍ଗରୁ ସୁବାସକୁ ପାଇ ଯେ ॥

।୪୨।

 

 

ବକତା ସକଳ କଥା, କିତବେ ଭାଷିତ ।

 

ବିଭାବରୀ–ଚରୀ ସେ ଭକ୍ଷନ୍ତି ତପିସୁତ ଯେ ॥

।୪୩।

 

 

ବ୍ୟବହାର କଲେ ନିଶ୍ଚେଁ ତାହାଙ୍କ ସଙ୍ଗରେ ।

 

ବାବୁ ହେବୁ ଅଗ୍ନି ପ୍ରୀତି ପତଙ୍ଗ ପ୍ରକାରେ ଯେ ॥

।୪୪।

 

 

ବିରୋଧୋକ୍ତି ଜନକର ନ ଘେନିଲେ ଲବ ।

 

ବୁଜିଲେ ନେତ୍ର ସ୍ୱପନେ ଦେଖେ ସେହି ଭାବ ଯେ ॥

।୪୫।

 

 

ବିଭାବରୀ ଅନ୍ତ ତାତ ତପସ୍ଥାନେ ଗତ ।

 

ବଶ କରିଥିଲେ ରାମା ଛନ୍ନ ମୂନିସୁତ ଯେ ॥

।୪୬।

 

 

ବିପ୍ରଲମ୍ବ ଶୃଙ୍ଗାର ଯେ ଉଦୟ ମାନସ ।

 

ବାଞ୍ଛେ ପୁନଃ ପୁନଃ ରାମା ଚୁମ୍ବନ ଆଶ୍ଳେଷ ଯେ ॥

।୪୭।

 

୪୨ଶ ପଦ–ବିଭାଣ୍ଡକ ଋଷି ତପସ୍ୟା ସ୍ଥାନରୁ ଫେରିଆସି ‘ଋଷି–ବିଷାଣ’ ଋଷ୍ୟଶୃଙ୍ଗଙ୍କୁ କୋଳରେ ବସାଇ ତାଙ୍କ ଦେହ ବାସୁଥିବାରୁ ତାହାର କାରଣ ପଚାରିଲେ ।

୪୩ଶ ପଦ–କିତବେ–କପଟରେ । ବିଭାବରୀଚରୀ–ରାକ୍ଷସୀ ।

୪୩ଶ ଓ ୪୪ଶ ପଦ–ଋଷ୍ୟଶୃଙ୍ଗ ସମସ୍ତ କଥା ତାଙ୍କ ଆଗରେ କହିବାରୁ ବିଭାଣ୍ଡକ କପଟରେ କହିଲେ, ‘‘ସେମାନେ ରାକ୍ଷସୀ ଋଷିପିଲାମାନଙ୍କୁ ମାରି ଖାଆନ୍ତି । ସେମାନଙ୍କ ସହିତ ବ୍ୟବହାର କଲେ, ଅଗ୍ନିରେ ପତଙ୍ଗ ପରି ପଡ଼ି ମରିବୁ ।’’

୪୫ଶ ପଦ–ବିରୋଧୋକ୍ତି–ବିପରୀତ କଥା । ଜନକ–ପିତା । ଲବ–ଲେଶମାତ୍ର ।

୪୫ଶ ଓ ୪୬ଶ ପଦ–ନିଜେ ଭଲ ମନେକରି କରୁଥିବେ କାର୍ଯ୍ୟର ଓଲଟା କଥା ଜନକ କହିବାରୁ, ସେ କଥା କ୍ଷଣକ ପାଇଁ ସୁଦ୍ଧା ଭାବିଲେ ନାହିଁ । ଶୋଇଲାବେଳେ ସେହିମାନଙ୍କୁହିଁ ସ୍ୱପ୍ନ ଦେଖିଲେ । ସକାଳୁ ଉଠି ଋଷି ତପସ୍ୟା ସ୍ଥାନକୁ ଚାଲିଯିବାରୁ ସ୍ତ୍ରୀ ବଶ ସେହି ଋଷିପୁତ୍ରଙ୍କର ମନ ଚଞ୍ଚଳ ହେବାକୁ ଲାଗିଲା ।

୪୭ଶ ପଦ–ବିପ୍ରଲମ୍ଭ ଶୃଙ୍ଗାର–ମିଳିତ ହୋଇପାରି ନ ଥିବା ସ୍ତ୍ରୀ ପୁରୁଷମାନଙ୍କର ମିଳନ ଇଚ୍ଛା । ରାମା–ସୁନ୍ଦରୀ ସ୍ତ୍ରୀ । ଅଶ୍ଲେଷ–ଆଲିଙ୍ଗନ ।

 

ବାରବାର ଆଶ୍ଳେଷରେ ନ ଆସେ ଚୁଂକାର ।

 

ବନପ୍ରିୟ ଡାକୁଁ କର୍ଣ୍ଣ ଟେକଇ ସତ୍ୱର ଯେ ॥

।୪୮।

 

 

ବାହ ପ୍ରାୟ ଗତି କରି ପୁଣି ଲେଉଟଇ ।

 

ବାଳବର୍ଦ୍ଦ ଯଥା ଋତୁ ଧେନୁକୁ ଇଚ୍ଛଇ ଯେ ॥

।୪୯।

 

 

ବଳାଧ୍ୱନି କରି ଘେନି ଝିଙ୍କାରି ଝଙ୍କାର ।

 

ବାତାୟୁ ଡାଳିଘଣ୍ଟିରେ ବଶ ପରକାର ଯେ ॥

।୫୦।

 

 

ବିନ୍ଧିବା ଆରମ୍ଭି ଆଣୁ ମନୋଜ ପୁଳିନ୍ଦ ।

 

ବାଚାଳ ପ୍ରାୟ ଜନମ ହେଉଛି ଉନ୍ନାଦ ଯେ ॥

।୫୧।

 

 

ବଢ଼ିବାରୁ ବେଳୁଁ ବେଳ ପ୍ରେମନଦୀ ତହିଁ ।

 

ବୁଡ଼ୁ ନାହିଁ ଚେତା ତୃଣ ପରାୟ ଭାସଇ ଯେ ॥

।୫୨।

 

୪୮ଶ ପଦ–ବନପ୍ରିୟ–କୋକିଳ ।

୪୮ଶ ପଦ–ଋଷିଙ୍କ ମନରେ ବାରମ୍ୱାର ଆଲିଙ୍ଗନର ଭାବ ବଢ଼ି ଉଠିବାରୁ ଚୁମ୍ୱନ ଦେବା ସମୟରେ ଶବ୍ଦ ଉଚ୍ଚାରିତ ହେଲା ନାହିଁ । ସେ କୋକିଳର ରାବ ଶୁଣି ସେମାନେ (ବେଶ୍ୟାମାନେ) ଡାକିଲେ କି ବୋଲି କାନ ଡେରୁଥିଲେ ।

୪୯ଶତ ପଦ–ବାହି–ଘୋଡ଼ା । ଧେନୁ–ଗାଈ ।

୪୯ଶତ ପଦ–ସେମାନେ ଯାଇଥିବା ରାସ୍ତାରେ ଋଷି ଘୋଡ଼ା ପରି କିଛି ଦୂର ଦୌଡ଼ି ଯାଇ ପୁଣି ଫେରି ଆସୁଥିଲେ ଏବଂ ବଳଦ ଋତୁମତୀ ଧେନୁକୁ ପାଇବା ଆଶାରେ ଇତସ୍ତତଃ ହେଲା ପରି ସେ ଏ ପାଖ ସେ ପାଖ ହେଉଥିଲେ ।

୫୦ଶତ ପଦ–ବାତାୟୁ–ମୃଗ । ଡାଳଘଣ୍ଟି–କାଷ୍ଠ ଘଣ୍ଟି (ଟିପା) ।

୫୦ଶତ ପଦ–ମୃଗମାନେ କାଷ୍ଠଘଣ୍ଟିର ଶବ୍ଦକୁ ମନଦେଇ ଶୁଣିଲା ପରି, ଋଷି ଝିଙ୍କାରୀ ଶବ୍ଦକୁ ସେମାନଙ୍କର କଳାଧ୍ୱନି ମନେକରି ଆଗ୍ରହରେ ଶୁଣୁଥିଲେ ।

୫୧ଶତ ପଦ–ମନୋଜ ପୁଳିନ୍ଦ–କନ୍ଦର୍ପ ଶବର । ବାଚାଳ–ପାଗଳ । ଉନ୍ମାଦ–ଚିତ୍ତଭ୍ରମ ।

୫୧ଶତ ପଦ–କନ୍ଦର୍ପ ଶବର ଋଷିଙ୍କ ପ୍ରତି ଶର ମାରିବାରୁ ଠିକ୍‌ ପାଗଳମାନଙ୍କ ପରି ତାହାଙ୍କର ଚିତ୍ତ ବିଭ୍ରମ ଘଟିଲା ।

୫୨ଶତ ପଦ–ତେଣୁ ଋଷିଙ୍କ ମନରେ ଥିବା ସେମାନଙ୍କ ପ୍ରତି ସ୍ନେହ ନଦୀରୂପ ଧାରଣ କରି ବେଳୁବେଳ ବଢ଼ିବାରୁ ତହିଁରେ ତାଙ୍କର ଚେତା ବୁଡ଼ି ନ ଯାଇ ଘାସ ପରି ଭାସି ଉଠିଲା (ଅର୍ଥାତ୍‌ ସେ କାମ ବାଧାରେ ଅଚେତନ ନ ହୋଇ ଚେତନ ଥିଲେ) ।

 

ବିଳମ୍ବ କାହିଁକି ବେଗେ ଆସ ବେଗେ ଆସ ।

 

ବେଳ ବଳିଗଲେ ମିଥ୍ୟା ହେଉଛିଟି ଭାଷ ଯେ ॥

।୫୩।

 

 

ବୋଲି ବୋଲି ଆଶ୍ରମ ପ୍ରାନ୍ତକୁ ସେ ଯେ ଗଲେ ।

 

ବୃକ୍ଷାରୁଢ଼େ ଆସିବାର ପଥ ନିରୀକ୍ଷିଲେ ଯେ ॥

।୫୪।

 

 

ବ୍ୟଥିତ ହେବାର ତପୋଧନ ପୁଣ୍ୟ ଆସି ।

 

ବରଚତୁରୀ ଦେଖନ୍ତି କୁଞ୍ଜୋଦରେ ପଶି ଯେ ॥

।୫୫।

 

 

ବିସ୍ମୟ ଚିତ୍ତୁ ତେଜିଲେ ଚାହିଁ ବଶହେବା ।

 

ବାରଣ ପରିରେ ତରୀ ଟୋପେ ପକାଇବା ଯେ ॥

।୫୬।

 

 

ବୋଧିଦ୍ରୁମଦଳ ତୁଲ୍ୟ ତନୁଭୋଗ ଦେଇ ।

 

ବିକ୍ରୟ କରିବା ନୃପତିରେ ଧନ ପାଇ ଯେ ॥

।୫୭।

 

 

ବାହାରିଲେ ପାଞ୍ଚି ତରୁଣୀଏ ଲତା ମଧ୍ୟୁଁ ।

 

ବିଲୋକି ପାଶେ ମିଳିଲେ ସେ ଆଜନ୍ମ ସାଧୂ ଯେ ॥

।୫୮।

 

 

ବାହୁ ଛନ୍ଦାଛନ୍ଦି କାମମୋହିନୀ ସଙ୍ଗର ।

 

ବିକାର ଅଧିକେ ଚୁମ୍ବେ ପୁଲକ ସଂଚାର ଯେ ॥

।୫୯।

 

 

ବୋଇଲେ ଜାରତା ଗୁରୁ ଲୋଭିତ ଦର୍ଶନେ ।

 

ବିଜେ କର ଥରେ ଉଟଜକୁ କୃପାମନେ॥

।୬୦।

 

୫୩ ଓ ୫୪ଶତ ପଦ–(ଋଷି କାମଶରାଘାତରେ ପାଗଳ ପରି ହୋଇଥିବାରୁ କେତେବେଳେ କହି ଉଠିଲେ, ‘‘ବିଳମ୍ୱ କାହିଁକି କରୁଛ ? ଶିଘ୍ର ଆସ; କଣ୍ଟବେଳ ଗଡ଼ି ଗଲେ ତୁମ୍ଭେମାନେ ମିଥ୍ୟାବାଦୀ ହେବ ଯେ ।’’ ଏହା କହି ଆଶ୍ରମର ଶେଷଭାଗକୁ ଯାଇ ଗଛ ଉପରେ ଚଢ଼ି ସେମାନଙ୍କର ଆସିବା ବାଟକୁ ଚାହିଁବାକୁ ଲାଗିଲେ ।

୫୫ଶତ ପଦ–ବ୍ୟଥିତ–ଦୁଃଖିତ । କୁଞ୍ଜୋଦର–ଲତାଭ୍ୟନ୍ତର ।

୫୫ଶତ ପଦ–ଏହି ସମୟରେ ବେଶ୍ୟାମାନେ ଋଷିଙ୍କର ଧର୍ମବଳରୁ ଆସି ସେଠାରେ ପହଞ୍ଚିଲେ ଓ ଲତା ଉହାଡ଼ରେ ରହି ତାଙ୍କର ଦୁଃଖ ଦେଖିଲେ ।

୫୬ଶତ ପଦ–ବିସ୍ମୟ–ଆଶ୍ଚର୍ଯ୍ୟ । ବଶ–ଅଧିନ । ବାରଣ–ହସ୍ତୀ । ଟୋପ–ଖୋଲ ।

୫୭ଶତ ପଦ–ବୋଧିଦ୍ରୁମଦଳ–ଅଶ୍ୱତ୍‌ଥ ପତ୍ର । ତନୁ–ଦେହି ।

୫୬ଶ ଓ ୫୭ଶତ ପଦ–ଋଷ୍ୟଶୃଙ୍ଗ ଏପରି ହେବାର ଦେଖି ବେଶ୍ୟାମାନେ ମନେମନେଆଶ୍ଚର୍ଯ୍ୟ ନ ହୋଇ ‘ଋଷି ଆମ୍ଭର ଅଧୀନ ହୋଇପଡ଼ିଛନ୍ତି’ ବୋଲି ନିଶ୍ଚୟ କରି ବିଚାରିଲେ, ‘ହାତୀକୁ ହାତୀଧରାଳି ଖାଲରେ ପକାଇ ଅଶ୍ୱତ୍‌ଥପତ୍ର ଖାଇବାକୁ ଦେଇ ବାନ୍ଧି ନେଇ ବିକ୍ରୟ କଲାପରି ଆମ୍ଭେମାନେ ଏହାଙ୍କୁ ନୌକା ରୂପକ ଖାଲରେ ପକାଇ ଅଶ୍ୱତ୍‌ଥପତ୍ର ତୁଲ୍ୟ ଆମ୍ଭମାନଙ୍କର ଦେହକୁ ଭୋଗ ନିମିତ୍ତ ଦେଇ ଧନ ପାଇ ରାଜାଙ୍କୁ ବିକ୍ରୟ କରିଦେବା ।’’

୫୮ଶ ଓ ୫୯ତମ ପଦ–ଏହା ଭାବି ଯୁବତୀମାନେ ଲତା ଉହାଡ଼ରୁ ବାହାର ହେଲେ । ସେହି ଆଜନ୍ମ ବ୍ରହ୍ମଚାରୀ ଋଷ୍ୟଶୃଙ୍ଗ ତାହାଙ୍କୁ ଦେଖି ନିକଟକୁ ଆସିଲେ । ତତ୍ପରରେ କାମମୋହିନୀ ସହିତ ବାହୁ ଛନ୍ଦାଛନ୍ଦି କରି ତାହାଙ୍କୁ ଚୁମ୍ୱନ ଦିଅନ୍ତି ଋଷିଙ୍କର ଦେହ ରୋମାଞ୍ଚିତ ହେଲା ।

୬୦ତମ ପଦ–ଉଟଜତ୍ସ–କୁଟୀରକୁ ।

୬୦ତମ ପଦ–ବେଶ୍ୟାମାନେ ଋଷିଙ୍କୁ କହିଲେ, ‘ଆମ୍ଭମାନଙ୍କର ଗୁରୁ ଜରତା ଆପଣଙ୍କୁ ଦେଖିବା ନିମିତ୍ତ ଶ୍ରଦ୍ଧା ପ୍ରକାଶ କରୁଛନ୍ତି । ଆପଣ ଦୟାକରି ଥରେମାତ୍ର ଆମ୍ଭମାନଙ୍କର ସହିତ ବିଜେ କରନ୍ତୁ ।

 

ବ୍ରହ୍ମବଶ ରତିଶାସ୍ତ୍ର ତାଠାରୁ ଜାଣିବ ।

 

ବିହ୍ୱଳେ ସମ୍ମତ କରି ଚଳିଲେ ସେ ଜବ ଯେ ॥

।୬୧।

 

 

ବିକ୍ରମି ନଉକାରେ ପ୍ରବେଶ ହେବା ଚାହିଁ ।

 

ବାରି ଭରି ଝରି ପାଦ ଧୋଇ ତୁମ୍ବୀ କହି ଯେ ॥

।୬୨।

 

 

ବଳ୍‌କଳ ବୋଲି ପିନ୍ଧାଇ କୌଶେୟ ବସନ ।

 

ବ୍ୟାଘ୍ରଚର୍ମ ଭ୍ରମରେ ସିନ୍ଧୁଆ ଶଯ୍ୟାମାନ ଯେ ॥

।୬୩।

 

 

ବିବିଧ ସ୍ୱାଦୁ ପଦାର୍ଥ କରାଇ ଅଶନ ।

 

ବସାଇ ଚୁଳ କୁସୁମେ ଚନ୍ଦନ ଲେପନ ଯେ ॥

।୬୪।

 

 

ବସିଲା ଓଳଗି ପାଶେ ଜରତା ସୁମୁହିଁ ।

 

ବେଷ୍ଟିତା ଲତା ପାଦପେ ପରା କୋଳ ବିହି ଯେ ॥

।୬୫।

 

୬୧ତମ ପଦ–ବ୍ରହ୍ମବଶ–ରତିଶାସ୍ତ୍ର, ଆନନ୍ଦଦାୟକ ରତିଶାସ୍ତ୍ର । ଜବ–ଶୀଘ୍ର ।

୬୧ତମ ପଦ–‘‘ଆମ୍ଭମାନଙ୍କର ଗୁରୁଙ୍କଠାରୁ ମହାନନ୍ଦଦାୟକ ରତିଶାସ୍ତ୍ର ଶିକ୍ଷା କରିବେ ।’’ ଋଷି ତାହାଙ୍କର ଏହି କଥାରେ ଭୋଳ ହୋଇ ତାଙ୍କ କଥା ମାନି ତାଙ୍କ ସଙ୍ଗରେ ଗଲେ ।

୬୨ତମ ପଦ–ବିକ୍ରମି–ଯାଇ । ବାରି–ଜଳ । ତୁମ୍ୱି–ଲାଉତୁମ୍ୱା ।

୬୨ତମ ପଦ–ଋଷି ନୌକାରେ ପ୍ରବେଶ ହେବାର ଦେଖି ବେଶ୍ୟାମାନେ ଜଳପୂର୍ଣ୍ଣ ଝରି ଆଣି ତାହାଙ୍କର ପଦ ଧୋଇ ଦେଇ ସେହି ଝରୀକୁ ଦେଖାଇ କହିଲେ–ଏ ଆମ୍ଭର ଲାଉ ତୁମ୍ୱା ।’’

୬୩ତମ ପଦ–ବଳ୍କଳ–ଗଛର ବକଳ । କୌଶେୟ ବସନ–ପାଟଲୁଗା । ସିନ୍ଧୁଆ–ଡୋରଯୁକ୍ତ ।

୬୪ତମ ପଦ–ଅଶନ–ଭୋଜନ । ପାଦପ–ବୃକ୍ଷ ।

୬୩ତମ, ୬୪ତମ, ଓ ୬୫ତମ ପଦ–ଜରତା ଋଷିଙ୍କୁ ନମସ୍କାର କରି ବକୁଳ ବୋଲି ପାଟଲୁଗା ପିନ୍ଧାଇ ଦେଲା ଏବଂ ବାଘଚମ ବୋଲି କହି ସୁନ୍ଦର ଡୋରିଆ ଶେଯରେ ବସାଇ ନାନାବିଧ ସ୍ୱାଦୁ ପଦାର୍ଥ ଖାଇବାକୁ ଦେଲା ଏବଂ ଜୂଡ଼ା ଦେହରେ ଫୁଲମାଳ ବାନ୍ଧି ଚନ୍ଦନ ବୋଳି ଦେଇ ଗଛ ଦେହରେ ଲତା ଗୁଡ଼ାଇ ହେଲାପରି ତାହାଙ୍କ ବେକରେ ଦୁଇ ବାହୁକୁ ଛନ୍ଦି ଅର୍ଥାତ୍‌ କୋଳ କରି ବସିଲା ।

 

ବିଜ୍ଞା ସେ ପ୍ରଥମରସେ ଚନ୍ଦ୍ର ଚାଳି ଦେଲା ।

 

ବିଜ୍ଞାନେ ଋଷିକୁମାର ଉତ୍ତାନେ ଶୋଇଲା ଯେ ॥

।୬୬।

 

 

ବିଧୁନନ ଆରମ୍ଭିଲା ପୁରୁଷାୟିତରେ ।

 

ବନପତି ଉପରେ ହରିଣୀ ଲୀଳା କରେ ଯେ ॥

।୬୭।

 

 

ବୈଶ୍ୱାନର ପରେ ନୃତ୍ୟ କରେ ଶୁଭ୍ରାପାଙ୍ଗୀ ।

 

ବିଷମ ସମସ୍ୟାହିଁ ପୂରଣ ଶ୍ଳେଷଭଙ୍ଗୀ ଯେ ॥

।୬୮।

 

୬୬ତମ ପଦ–ବିଜ୍ଞା–ପଣ୍ଡିତା । ପ୍ରଥମରସ–ଆଦିରସ । ଚନ୍ଦ୍ରଚଳନ–ତିଥି ଭେଦରେ ଅଂଶ ବିଶେଷକୁ ଚାଳନ କରି କାମୋଦ୍ଦୀପନ କରିବାର ଉପାୟ । ବିଜ୍ଞାନେ–ଅଚେତନ ହୋଇ । ଉତ୍ତାନେ–ଚିତ୍‌ହୋଇ ।

୬୬ତମ ପଦ–କେଳିପ୍ରବୀଣା ଜରତା ଚନ୍ଦ୍ର ଚାଳିଦେବାରୁ, ଋଷି ମୋହିତ ହୋଇ ଚିତ୍‌ ଭାବରେ ଶୋଇଲେ ।

୬୭ତମ ପଦ–ବିଧୁନନ–ରତି । ପୁରୁଷାୟିତ–ବିପରୀତ ରତି । ବନପତି–ସିଂହ, ଋଷି, ବିଷ୍ଣୁ-। ହରିଣୀ–ମୃଗୀ, ହଭିଣାକ୍ଷୀ (ଯେ କୌଣସି ସ୍ତ୍ରୀ) ।

୬୮ତମ ପଦ–ବେଶ୍ୱାନର–ଅଗ୍ନି, ଯେ କୌଣସି ତେଜସ୍ୱୀ ପୁରୁଷ । ଶୁଭ୍ରାପାଙ୍ଗୀ–ମୟୁରୀ, ଯେ କୌଣସି ସ୍ତ୍ରୀ ।

୬୭ତମ ଓ ୬୮ତମ ପଦ–ଜରତା ବିପରୀତ ରତି ଆରମ୍ଭ କରି ଋଷିଙ୍କ ଉପରେ କ୍ରୀଡ଼ା କଲାବେଳେ, ବିଷ୍ଣୁଙ୍କ ଉପରେ ଲକ୍ଷ୍ମୀ କ୍ରୀଡ଼ା କଲାପରି, ସିଂହ ଉପରେ ମୃଗୀ କ୍ରୀଡ଼ା କଲା ପରି, ଅଗ୍ନିଙ୍କ ଉପରେ ସ୍ୱାହା ଦେବୀ କ୍ରୀଡ଼ା କଲା ପରି କିମ୍ୱା ମୟୁରୀ ନୃତ୍ୟ କଲାପରି ଦେଖାଗଲା । ଏହି ଦୁଇ ପଦରେ କବି ଶେଷ ଛଟାରେ ବିଷମ ସମସ୍ୟା ପୂରଣ କଲେ ।

 

ବସୁଁ ଚେତା, ଭାବେ ଅନଅନୁଭବୀ ଯୁବା ।

 

ବିବୁଧାଳୟ ସୁଖ ଯେ ସେହି ଏହି ଅବା ଯେ ॥

।୬୯।

 

 

ବାଜିଣୀ କିଙ୍କିଣୀ ବାଦ୍ୟ ତାଳି ତାଳି ସ୍ୱନ ।

 

ବ୍ୟାଖ୍ୟାନ ଧ୍ୱନି ଶ୍ଳେଷ ସେ କରାଇ ପ୍ରଧାନ ଯେ ॥

।୭୦।

 

 

ବିବୁଦ୍ଧ ହୁଅଇ ସେହି ସୂରନାମା ହୃଦେ ।

 

ବାଦେ ବେଣୀ ହାର ନାଚେ ନିଶ୍ଚୟ ସେ ବାଦ୍ୟେ ଯେ ॥

।୭୧।

 

 

ବାହିଲେ ସଲିଳରଥ କୈବର୍ତ୍ତେ ସେକାଳେ ।

 

ବାହୁକ ପ୍ରାୟେ ସେ ଦଣ୍ଡଧାରଣେ ଦିଶିଲେ ଯେ ॥

।୭୨।

 

୬୯ତମ ପଦ–ଅନନୁଭବୀ–ଅଜ୍ଞ । ବିବୁଧାଳୟ ସୁଖ–ସ୍ୱର୍ଗ ସୁଖ ।

୭୦ତମ ପଦ–କିଙ୍କିଣୀ–କଟିନିବଦ୍ଧ କ୍ଷୁଦ୍ର ଘଣ୍ଟି । ତାଳି–ହାତକୁ ହାତ ବାଜି ଉଠୁଥିବା ଶବ୍ଦ-। ତାଳି ସ୍ୱନ–କରତାଳି(ଗିନି) ଶବ୍ଦ । ବ୍ୟାଖ୍ୟାନ ଧ୍ୱନି–କରୁଥିବା ଶବ୍ଦ ।

୬୯ତମ ଓ ୭୦ ତମ ପଦ–ଯୁବକ ଋଷି ଚେତନା ପାଇ କେବେ ଅନୁଭବ କରି ନ ଥିବା ସେହି ରତିସୁଖକୁ ‘ଏହାହିଁ ସ୍ୱର୍ଗ ସୁଖ’ ବୋଲି ମନେକଲେ ଏବଂ କିଙ୍କିଣୀ ନାଦକୁ ବାଦ୍ୟଧ୍ୱନି, କର ତାଡ଼ନା ଶବ୍ଦକୁ କରତାଳି ଶବ୍ଦ ଓ ଜରତା ପ୍ରକାଶ କରୁଥିବା ହୁଁ ହୁଁ ଶବ୍ଦକୁ ସଙ୍ଗୀତ ଆରମ୍ଭକାଳୀନ ତାନ ବୋଲି ମନେକଲେ ।

୭୧ତମ ପଦ–ସୁରମା–କନ୍ଦର୍ପ ।

୭୧ତମ ପଦ–ଋଷିଙ୍କ ହୃଦୟରେ କନ୍ଦର୍ପ ବିକାର ବେଳୁଁବେଳ ବୃଦ୍ଧି ପାଇଲା ଏବଂ କିଙ୍କିଣୀ ବାଦ୍ୟ ବାଜିବାରୁ ଜରତାର ବେଣୀ ଓ ହାର ଦୁହେଁ ବିବାଦ କରି ନାଚିଲେ । (ଅର୍ଥାତ୍‌ ଜରତା ଗାଢ଼ ରତିରେ ମଜ୍ଜିବାରୁ ବେଣୀ ଓ ହାର ଖୁବ୍‌ ଜୋରରେ ଦୋହଲିଲେ)

୭୨ତମ ପଦ–କୈବର୍ତ୍ତେ–କେଉଟମାନେ । ସଲିଳ ରଥ–ନୌକା, ଜଳଗାମୀ ରଥ । ବାହୁକ–ସାରଥି । ଦଣ୍ଡ–କାତ ।

୭୨ତମ ପଦ–କେଉଟମାନେ ସେହି ସମୟରେ ନୌକା ରଥ ବାହିବାକୁ ଲାଗିଲେ; ମାତ୍ର ଯେତେବେଳେ ସେମାନେ କାତ ହାତରେ ଧରିଲେ, ସେତେବେଳେ ସାରଥି ପରି ଦେଖାଗଲେ । (ନୌକାକୁ ଜଗନ୍ନାଥଙ୍କ ରଥ ସହିତ ତୁଳନା କରାଯାଇଛି, ଏଠାରେ ରଥଯାତ୍ରା ବର୍ଣ୍ଣନା କରୁଥିବାରୁ କେଉଟମାନଙ୍କୁ ଜଗନ୍ନାଥଙ୍କ ରଥର ଖାଲି ବସି ରହିଥିବା ସାରଥି ପରି ବର୍ଣ୍ଣନା କଲେ) ।

 

ବୀଚି ରଜ୍ଜୂ ମୀନ କୂର୍ମ ଝିଙ୍କାଜନ ଯୋଖେ ।

 

ବେନିରୋଧେ ମୃଗ ମୃଗୀ ନର ନାରୀ ଦେଖେ ଯେ ॥

।୭୩।

 

 

ବସ୍ତ୍ରକୁଞ୍ଚା ଚିରାଳ ଚାମରେ ସେ ମଣ୍ଡନ ।

 

ବିସ୍ତୃତି ରୂପକ ରଥଯାତ୍ରାର ସମାନ ଯେ ॥

।୭୪।

 

 

ବାସର ନିଶା ହେବାର ଜଣା ନୋହେ ତହିଁ ।

 

ବାମା ଦ୍ୱାଦଶେ ଖଟନ୍ତି ରତିରସେ ମୋହି ଯେ ॥

।୭୫।

 

 

ବେଳାରେ ଲାଗିଲା ନାବ ଚମ୍ପାବତୀ ପୁରେ ।

 

ବରଷିଲା ଋଷି ଝରନୀର ଲୋଡ଼ିବାରେ ଯେ ॥

।୭୬।

 

 

ବହିଲା ପ୍ରବାହ, ପୂର୍ଣ୍ଣ କେଦାର ହୋଇଲେ ।

 

ବିଭାଣ୍ଡକ ପୁତ୍ରପାଶେ ଲୋମପାଦ ମିଳେ ଯେ ॥

।୭୭।

 

୭୩ତମ ପଦ–ବୀଚ–ଲହରୀ । ରଜ୍ଜୁ–ଦଉଡ଼ି । ବେନିରୋଧ–ଦୁଇପାଖ କୂଳ ।

୭୪ତମ ପଦ–ଚିରାଳ–ପତାକା ।

୭୩ତମରୁ ୭୫ତମ ପଦ–ଜଗନ୍ନାଥଙ୍କ ରଥରେ ଦୌଡ଼ି ଲାଗିଥାଏ । ଏହି ରଥରେ ସେହିପରି ଲହରୀମାନେ ଦୌଡ଼ି ହୋଇ ଲାଗିଲେ । ତାଙ୍କ ରଥକୁ ଯେପରି ବହୁତ ଲୋକ ଟାଣୁଥାନ୍ତି, ସେହିପରି ଏହି ରଥକୁ ମାଛ ଓ କଇଁଛମାନେ ଟାଣିଲେ ଓ ତାଙ୍କ ରଥକୁ ଯେପରି ବହୁ ନରନାରୀ ଦେଖୁଥାନ୍ତି, ଏହି ରଥକୁ ସେହିପରି ଉଭୟ କୂଳବର୍ତ୍ତୀ ମୃଗ, ମୃଗୀ, ନର, ନାରୀମାନେ ଦେଖିଲେ । ତାଙ୍କର ରଥ ଯେପରି ଚାମର ପ୍ରଭୃତିଦ୍ୱାରା ମଣ୍ଡିତ, ଏ ରଥ ସେହିପରି ଚାମର ମଣ୍ଡିତ ଅଟେ । ତାଙ୍କ ରଥଯାତ୍ରା ସମୟରେ ଦିନରାତି ଜଣାଯାଏ ନାହିଁ । ଏ ରଥଯାତ୍ରାରେ ମଧ୍ୟ ଜରତା ପ୍ରଭୃତି ବାରଜଣ ସ୍ତ୍ରୀ ରତି ରସରେ ମୋହିତ କରୁଥିବାରୁ ଦିନ, ରାତି ଜଣାଯାଇ ନ ଥିଲା । (ସୁତରାଂ ଏ ନୌକାଯାତ୍ରା ସେ ରଥଯାତ୍ରାର ସମାନ)

୭୬ତମ ପଦ–ବେଳା–କୂଳ ।

୭୭ତମ ପଦ–ପ୍ରବାହ–ସ୍ରୋତ । କେଦାର–କିଆରୀ ।

୭୬ତମ ଓ ୭୭ତମ ପଦ–ଚମ୍ପାବତୀପୁର ଘାଟରେ ନୌକା ଲାଗିଲା; ଋଷି ଝର ଜଳ ଖୋଜିବାରୁ ବର୍ଷା ହେଲା । ଧାନ କିଆରୀସବୁ ପାଣିରେ ପୂର୍ଣ୍ଣ ହୋଇଗଲା; ଚାରିଆଡ଼େ ସୂଅ ଚାଲିଲା । ଏହା ଦେଖି ଋଷ୍ୟଶୃଙ୍ଗ ଆସିଲେ ବୋଲି ଜାଣିପାରି ଲୋମପାଦ ରାଜା ଋଷିଙ୍କ ନିକଟକୁ ଆଗମନ କଲେ ।

 

ବିରଚିଲେ ଲକ୍ଷ ଗିରି ସଙ୍ଗେ ଋଷ୍ୟଶୃଙ୍ଗ ।

 

ବିଘାତ ବଜ୍ର–ସୁହାସ ଯୋଗେ ଦମ୍ଭ ଭଙ୍ଗ ଯେ ॥

।୭୮।

 

 

ବିଷୟ ବୁଝାଉଁ ଯୋଦ୍ଧା ମହାତପୋବନ୍ତେ ।

 

ବାଞ୍ଛି କଲ୍ୟାଣ ବସାଇ ରାଜା ଦଣ୍ଡବତେ ଯେ ॥

।୭୯।

 

 

ବିମଳ ଚିତ୍ତେ ମଣ୍ଡିଲେ ଯାଇ ତାର ପୁରୀ ।

 

ବରଦାତା ପୁତ୍ରଦାନେ ହୋମାରମ୍ଭ କରି ଯେ ॥

।୮୦।

 

 

ବାକକଲ୍ୟାଣିଏ ଶୁଣି ଦଶରଥେ କହି ।

 

ବେଶ୍ୟା ଜରତା ପ୍ରମୁଖ୍ୟା ଜାଙ୍ଗଳିକା ହୋଇ ଯେ ॥

।୮୧।

 

 

ବିବର ପର୍ଣ୍ଣକୁଟୀରେ ଥିଲେ ମୁନିନାଗ ।

 

ବଜାଇ ସପ୍ତକୀ ନାଗେଶ୍ୱର ବାଦ୍ୟ ବେଗ ॥

।୮୨।

 

 

ବିଭେଦିତ–କୃତଚିତ୍ତ ରସଗୀତ ଗାଇ।

 

ବିଧୂଚୁର୍ଣ୍ଣ ମନ୍ତ୍ରଧୂଳି ପକାଇ ପକାଇ ଯେ ॥

।୮୩।

 

 

ବାହାରକୁ ଆଣି ନାବ ପେଡ଼ାରେ ମୁଦିଲା ।

 

ବିଳାସ ବଶ କରିଣ ପୁଣି ଖେଳାଇଲା ଯେ ॥

।୮୪।

 

 

ବାରବାମା ବାର ଭୋଗିନୀରେ ସେହି ଯୋଗୀ ।

 

ବିଗରିତ ଏଣିକି ସେ ବୋଲାଇବେ ଭୋଗୀ ଯେ ॥

।୮୫।

 

୭୮ତମ ପଦ–ଲୋମପାଦ ଋଷ୍ୟଶୃଙ୍ଗଙ୍କୁ ଦେଖି ତାଙ୍କୁ ପର୍ବତ ସଙ୍ଗେ ତୁଳନା କଲେ । କାରଣ ପର୍ବତର ଯେପରି ଶୃଙ୍ଗ ଅଛି, ଏହାଙ୍କର ମଧ୍ୟ ସେହିପରି ଶୃଙ୍ଗଅଛି । ବଜ୍ରଘାତ ପାଇ ପର୍ବତମାନେ ଦମ୍ଭ ହରାଇଥିଲେ, ଏ ମଧ୍ୟ ବେଶ୍ୟାମାନଙ୍କ ମନ୍ଦ ହାସରେ ଦମ୍ଭ ହରାଇ ଅଛନ୍ତି ।

୭୯ତମ ଓ ୮୦ତମ ପଦ–ବେଶ୍ୟାମାନେ ସମସ୍ତ ବିଷୟ ଋଷିଙ୍କୁ ବୁଝାଇବାବେଳେ ଲୋମପାଦ ତାହାଙ୍କୁ ପ୍ରଣାମ କଲେ । ଋଷି ତାହାଙ୍କୁ କଲ୍ୟାଣ କରି ନିକଟରେ ବସାଇଲେ । ତତ୍‌ପରେ ରାଜନବରରେ ପ୍ରବେଶ ହୋଇ ‘ତୁମ୍ଭର ପୁତ୍ର ପ୍ରାପ୍ତି ହେଉ’ ଏହି ବର ଦାନ କଲେ ଓ ସେ ଉଦ୍ଦେଶ୍ୟରେ ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ କଲେ ।

୮୧ତମ ପଦ–ବାକକଲ୍ୟାଣି–ବ୍ରାହ୍ମଣ । ପ୍ରମୁଖ୍ୟା–ଶ୍ରେଷ୍ଠା । ଜାଙ୍ଗଳିକ–ବିଷବୈଦ୍ୟ ।

୮୨ତମ ପଦ–ବିବର–ଗର୍ତ୍ତ । ସପ୍ତକୀ–ବୀଣା ।

୮୩ତମ ପଦ–ବିଭେଦିତ କୃତ ଚିତ୍ତ–ହୃଦୟକୁ ତରଳାଇ । ବିଧୁଚୂର୍ଣ୍ଣ–କର୍ପୂରଗୁଣ୍ଡ ।

୮୫ତମ ପଦ–ବାରବାମା–ବେଶ୍ୟା । ଭୋଗିନୀ–ସର୍ପିଣୀ’ ସହବାସଯୋଗ୍ୟା । ବିଗରିତ–ବିଷଶୂନ୍ୟ, କ୍ରୋଧଶୂନ୍ୟ । ଭୋଗୀ–ଭୋଗଶାଳୀ, ସାପ ।

୮୧ତମରୁ ୮୫ତମ ପଦ–ବ୍ରାହ୍ମଣମାନେ ଏହି କଥାଶୁଣି ଆସି ଦଶରଥଙ୍କୁ କହିଲେ, ‘‘ବେଶ୍ୟା ଶ୍ରେଷ୍ଠ ଜରତା ବିଷବିଦ୍ୟା ଅର୍ଥାତ୍‌ କେଳୁଣୀ ବା ଗୁଣିଆଣୀ ସାଜି ଗୁଡ଼ିଆଘର ରୂପ ଗାତରେ ଥିବା ମୂନିରୂପି ନାଗସାପକୁ ନାଗେଶ୍ୱର ରୂପ ବୀଣା ବାଦ୍ୟ ବଜାଇ, ଆଦିରସଭରା ଗୀତଗାଇବାଦ୍ୱାରା ତାହାଙ୍କର ଚିତ୍ତକୁ ତରଳାଇ ମନ୍ତ୍ରଧୂଳି ରୂପ କର୍ପୂର ଗୁଣ୍ଡା ତାଙ୍କ ଉପରେ ବାରମ୍ୱାର ପକାଇ ବାହାରକୁ ଆଣି, ନୌକାରୂପ ପେଡ଼ାରେ ବନ୍ଦୀ କରି ରଖିଲା ଏବଂ ତାଙ୍କୁ ନାନାବିଧ ରସ କ୍ରୀଡ଼ାରେ ବଶ କରି ଖେଳାଇଲା । ସେହି ‘ଯୋଗୀ’ ମୁନିନାଗ ସହବାସ ଯୋଗ୍ୟା ବାରଗୋଟି ବେଶ୍ୟାଙ୍କଦ୍ୱାରା ‘ବିଗରିତ’ ବିଷଶୂନ୍ୟ ଅର୍ଥାତ୍‌ କ୍ରୋଧଶୂନ୍ୟ ହେଲେ । ଏଣିକି ଭୋଗୀ ଅର୍ଥାତ୍‌ ଭୋଗଶାଳୀ (ରସିକ) ବୋଲାଇବେ ।

 

ବହି ନାଗରେ ଈଶ୍ୱରପରି ଚମ୍ପାପୁରେ ।

 

ବସନ୍ତି କୃପାଳୁ ହୋଇ କୁମାର ଦାନରେ ଯେ ॥

।୮୬।

 

 

ବାର୍ତ୍ତା ଶୁଣି ତୋଷ ତ୍ୱରା ହୋଇ ସୂର୍ଯ୍ୟବଂଶୀ ।

 

ବଳ ସଜ କରି ଚମ୍ପାପୁରେ ମିଳେ ଆସି ଯେ ॥

।୮୭।

 

 

ବାଟୁଁ ଲୋମପାଦ ନେଇ ଋଷିଙ୍କି ଭେଟାଇ ।

 

ବିକଶିତହାସ କରି କଲ୍ୟାଣେ ବସାଇ ଯେ ॥

।୮୮।

 

୮୬ତମ ପଦ–ନାଗରେ–ରସିକମାନେ । ଈଶ୍ୱର–ଶିବ । ଚମ୍ପାପୁରେ–ଚମ୍ପାଫୁଲରେ, ଚମ୍ପାବତୀ ପୁରରେ । କୃପାଳୁ–ଦୟାଳୁ । କୁମାର–କାର୍ତ୍ତକେୟ, ପୁତ୍ର ।

୮୬ତମ ପଦ–ରସିକ ଓ ଶିବ ଚମ୍ପାଫୁଲକୁ ଆଦର କଲା ପରି ଋଷି ଚମ୍ପାବତୀପୁରକୁ ଆଦର କରି, ସେହି ପୁରୀର ରାଜାଙ୍କୁ ପୁତ୍ରଦାନ ଦେବା ପାଇଁ ଶିବ କାର୍ତ୍ତିକେୟଙ୍କୁ ଦୟା କଲା ପରି ଦୟା ପ୍ରକାଶ କରିଛନ୍ତି ।

୮୭ତମ ପଦ–ଏହି କଥା ଶୁଣି ସୂର୍ଯ୍ୟବଂଶୀୟ ରାଜା ଦଶରଥ ସସୈନ୍ୟେ ଚମ୍ପବତୀପୁରରେ ପ୍ରବେଶ ହେଲେ ।

୮୮ତମ ପଦ–ଲୋମପାଦ ଦଶରଥଙ୍କୁ ବାଟରୁ ନେଇ ଋଷିଙ୍କ ସହ ସାକ୍ଷାତ୍‌ କରାଇ ଦେଲେ । ଋଷି ମନ୍ଦହାସ ପ୍ରକାଶ କରି ତାଙ୍କୁ ଆଶୀର୍ବାଦପୂର୍ବକ ନିକଟରେ ବସାଇଲେ ।

 

ବିପ୍ରୋତ୍ତମ ପୁଚ୍ଛେ ତବ ସର୍ବମଙ୍ଗଳ କି?

 

ବୋଲେ ବିକଳ୍ପେ ପୁଚ୍ଛିଲ ସର୍ବଜ୍ଞ ତରକି ଯେ ॥

।୮୯।

 

 

ବ୍ୟଥା ଜନମୁଁ ବିନତି ହୋଇଣ ତଦର୍ଥୀ ।

 

ବରରୂପାଜୀବା ଅଛି କହିଦେଲା ଏଥି ଯେ ॥

।୯୦।

 

 

ବରାଙ୍ଗନା ସୁନ୍ଦରୀରତନ ତବ ସୁତା ।

 

ବିବାହ କର ଯତୀନ୍ଦ୍ରେ ହେବେ ସୁତଦାତା ଯେ ॥

।୯୧।

 

 

ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।

 

ବୟାଣୋଇ ପଦରେ ଏ ଛାନ୍ଦ ହେଲା ଶେଷ ଯେ ॥

।୯୨।

 

୮୯ତମ ପଦ–ବିପ୍ରୋତ୍ତମ-ବ୍ରହ୍ମାଣ ଶ୍ରେଷ୍ଠ । ବିକଳ୍ପ-ତର୍କ କରି । ସର୍ବଜ୍ଞତର-ସର୍ବଜ୍ଞଶ୍ରେଷ୍ଠ ।

୮୯ତମ ପଦ–ବ୍ରାହ୍ମଣଶ୍ରେଷ୍ଠ ଋଷ୍ୟଶୃଙ୍ଗ ଦଶରଥଙ୍କୁ ‘‘ତୁମ୍ଭର ସମସ୍ତ ମଙ୍ଗଳ ତ ?’’ ବୋଲି ପଚାରିବାରୁ ସେ ତର୍କ କରି କହିଲେ, ‘‘ଆପଣ ସର୍ବଜ୍ଞଶ୍ରେଷ୍ଠ, ଏପରି କାହିଁକି ପଚାରୁଛନ୍ତି ?’’

୯୦ତମ ପଦ–ତଦର୍ଥୀ–ପୁତ୍ରାର୍ଥୀ । ବରରୂପାଜୀବା–ବେଶ୍ୟାଶ୍ରେଷ୍ଠା ।

୯୧ତମ ପଦ–ବରାଙ୍ଗନା–ସ୍ତ୍ରୀ ଶ୍ରେଷ୍ଠା । ଯତୀନ୍ଦ୍ର–ମୁନିଶ୍ରେଷ୍ଠା । ସୁତଦାତା–ପୁତ୍ରଦାତା ।

୯୦ତମରୁ ୯୨ତମ ପଦ–ଦଶରଥ ପୁତ୍ରାର୍ଥୀ ହୋଇ ଆସିଥିବାର ଜାଣି ଋଷି ଦୁଃଖିତ ହେଲେ । ଏହି ସମୟରେ ବେଶ୍ୟାଶ୍ରେଷ୍ଠା ଜରତା ଦଶରଥଙ୍କୁ କହିଲା, ‘‘ଆପଣଙ୍କର ସୁନ୍ଦରୀଶିରୋମଣି ସ୍ତ୍ରୀ ଶ୍ରେଷ୍ଠା କନ୍ୟା ଶାନ୍ତାଙ୍କୁ ଏହି ପ୍ରଧାନ ଋଷିସହ ବିବାହ ଦିଅନ୍ତୁ । ସେ ଆପଣଙ୍କୁ ପୁତ୍ରପ୍ରାପ୍ତି ବର ପ୍ରଦାନ କରିବେ । ବୀରବର ଉପେନ୍ଦ୍ର ଭଞ୍ଜ ବୟାଣୋଇ ପଦରେ ଏହି ରସପୂର୍ଣ୍ଣ ଛାନ୍ଦ ଶେଷ କଲେ ।

 

ପଞ୍ଚମ ଛାନ୍ଦ

(ରାଗ–ମଙ୍ଗଳଗୁଜ୍ଜରୀ)

ବିଭାକରବଂଶୀ ଶୁଣି ପୁଲକ ବହି ।

 

ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି ॥

।୧।

 

 

ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ ।

 

ବସାଇବା ମଣ୍ଡପରେ କନ୍ୟା ସୁମନେ॥

।୨।

 

 

ବିଜନ ସ୍ଥାନରେ ବସି ବେନି ନୃପତି ।

 

ବିବିଧ ସମ୍ଭାର କରି ନଗ୍ର ମଣ୍ଡାନ୍ତି ॥

।୩।

 

 

ବାସଙ୍ଗରସ ନବାନୁଭବୀ ଭ୍ରମର ।

 

ବାରିଜବାସ ଲଭି କି ନୋହେ ଆତୁର ॥

।୪।

 

 

ବାରସ୍ତ୍ରୀକି ପୁଚ୍ଛି ଏକାନ୍ତରେ ତା କାନ୍ତ ।

 

ବର୍ଦ୍ଧନ ଅର୍ଥେ କ୍ରମେ ସେ ଶୋଭା କଥିତ ॥

।୫।

 

୧ମ ପଦ–ସୂର୍ଯ୍ୟବଂଶୀୟ ରାଜା ଦଶରଥ ଜରତାଠାରୁ ଏହି କଥା ଶୁଣି ବଶିଷ୍ଠଙ୍କୁ କହିଲେ, ‘‘ଲଗ୍ନ ବୁଝି ବିଭା କରାଅ ।’’

୨ୟ ପଦ–ଏହା ଶୁଣି ବଶିଷ୍ଠ କହିଲେ, ‘‘ସନ୍ଧ୍ୟାପରେ ଉତ୍ତମରୂପେ ବିଚାର କରି କନ୍ୟାକୁ ବିବାହ ମଣ୍ଡପରେ ବସାଇବା ।’’

୩ୟରୁ ୫ମ ପଦ– ଦଶରଥ ଓ ଲୋମପାଦ ରାଜା ଦୁହେ ଏକାନ୍ତରେ ବସି ନଗରମଣ୍ଡନ କରାଇଲେ । ନୂଆ କରି ବାସଙ୍ଗ ଫୁଲରୁ ମଧୁ ଆସ୍ୱାଦନ କରୁଥିବା ଭ୍ରମର ପଦ୍ମଗନ୍ଧ ପାଇ ଆତୁର ହେଲା ପରି ଅର୍ଥାତ୍ ବେଶ୍ୟାରତ ଋଷି ରାଜକନ୍ୟା ରତିର ଆଶାରେ ଆତୁର ହୋଇ ବେଶ୍ୟା ଜରତାକୁ ‘ତା କାନ୍ତ’ ସେ କିପରି ସୁନ୍ଦରୀ ବୋଲି ପଚାରିଲେ । ସେ ବେଶ୍ୟା ଋଷିଙ୍କର ସ୍ନେହ ବଢ଼ାଇବା ପାଇଁ ଶାନ୍ତାଙ୍କର ସୌନ୍ଦର୍ଯ୍ୟ ବିଶେଷ ଭାବରେ ବର୍ଣ୍ଣନା କରିବାକୁ ଲାଗିଲା ।

 

ବିଲକ୍ଷ ପାଶ ପାଟଳୀ ସାରସ ପାଳି ।

 

ବାହୁ ଶ୍ରବଣ ଉଦର ଗଣ୍ଡରେ ଦଳି ॥

।୬।

 

 

ବକ୍ଷୋଜ ନିତମ୍ବ ଚକ୍ରେ ପକାଇ ଡକା ।

 

ବିଭ୍ରମ ଭ୍ରମରେ ଲକ୍ଷ ନାଭି ଅଳକା ॥

।୭।

 

 

ବିସ୍ତୀର୍ଣ୍ଣରେ ଶୋଭା ରମ୍ଭା ପ୍ରଭାକୁ ଗଞ୍ଜି ।

 

ବୃଶାଳ ଉରୁଯୁଗଳ ଚରମ ରାଜି ॥

।୮।

 

୬ଷ୍ଠ ପଦ–ସାରସ–ପଦ୍ମ । ପାଳି–ଖଣ୍ଡାର ମୁଠା । ଗଣ୍ଡ–ଚାଲ ।

୬ଷ୍ଠ ପଦ–‘‘ପାଶ, ପାଟଳି ଫୁଲ, ପଦ୍ମ ଖଡ଼୍‌ଗପାଳି ଏମାନଙ୍କୁ ଶାନ୍ତାଙ୍କର ବାହୁ, ଶ୍ରବଣ, ଉଦର ଓ ଗଣ୍ଡ ଦେଶ ସହିତ ଗାଢ଼ଦୃଷ୍ଟି ଦେଇ ତୁଳନା କଲେ ଜଣାଯାଏ, ଉପରି ଲିଖିତ ବସ୍ତୁମାନଙ୍କର ଶୋଭା ତଳ ଲିଖିତ ଅବୟବମାନଙ୍କର ଶୋଭାଦ୍ୱାରା ଦଳି ହୋଇଯାଇଅଛି ।’’

୭ମ ପଦ–ବକ୍ଷୋଜ–ସ୍ତନ । ଚକ୍ର–ଚକବାକ, ରଥଚକ । ବିଭ୍ରମ–ଜଳଭଉଁରୀ । ଭ୍ରମରେ–ଭଅଁରସବୁ, ଭ୍ରାନ୍ତିରେ ।

୭ମ ପଦ–‘‘ତାହାଙ୍କର ସ୍ତନସହିତ ଚକ୍ରବାକ ପକ୍ଷୀ ଓ ନିତମ୍ବସହ ରଥର ଚକ ସୌନ୍ଦର୍ଯ୍ୟରେ ସମାନ ନ ହେବାକୁ ଡକା ପକାଉଅଛନ୍ତି ଅର୍ଥାତ୍ ଚକ୍ରବାକ ପକ୍ଷୀ ଓ ଚକ (ଗମନ ସମୟରେ) କେଁ କେଁ ଶବ୍ଦ ପ୍ରକାଶ କରୁଅଛନ୍ତି ଏବଂ ତାହାଙ୍କର ନାଭି ସହିତ ଜଳଭଉଁରୀ ଓ ଅଳକା ସହିତ ଭ୍ରମରମାନଙ୍କୁ ତୁଳନା କରିବା ତୁଳନାକାରୀର ଭ୍ରମ ମାତ୍ର ।’’

୮ମ ପଦ–ବିସ୍ତୀର୍ଣ୍ଣରେ–ବିଶେଷ ଭାବରେ-। ରମ୍ଭା–କଦଳୀବୃକ୍ଷ, ରମ୍ଭାନାମକ ସ୍ୱର୍ଗ ବେଶ୍ୟା-। ପ୍ରଭା–କାନ୍ତି । ବୃଶଳ–ଉନ୍ନତ । ଉରୁଯୁଗଳ–ଜାନୁଦ୍ୱୟ । ଚରମରାଜି–ଜାନୁର ନିମ୍ନ ଅଂଶଗୁଡ଼ିକ ।

୮ମ ପଦ–‘‘ତାହାଙ୍କର ବିଶାଳ ଜାନୁଦ୍ୱୟ ବିଶେଷଭାବରେ କଦଳୀ ବୃକ୍ଷର ଶୋଭାକୁ ରଞ୍ଜୁଅଛି ଏବଂ ଜାନୁର ନିମ୍ନଅଂଶ ଜଙ୍ଘ ଓ ପାଦ ପ୍ରଭୃତି ରମ୍ଭା ବେଶ୍ୟାର ସେହି ସେହି ଅଂଶର ଶୋଭାକୁ ରଞ୍ଜୁଅଛି ଅର୍ଥାତ୍ ଧିକ୍କାର କରୁଅଛି । (କେହି କେହି ‘ଚରମରାଜି’ ପୃଷ୍ଠଦେଶ ‘ପ୍ରଭାକୁ’ ଦୁର୍ଗାଙ୍କ ଶୋଭାକୁ ଧିକ୍କାର କରୁଅଛି, ଏହା କହନ୍ତି)।

 

ବିଘଟିତ ହରି ଓଷ୍ଠେ ପ୍ରାତୋଦୟରେ ।

 

ବିଶୀର୍ଣ୍ଣ କଟୀ ନାସିକା ମଧୁର ଗିରେ ॥

।୯।

 

 

ବିଲକ୍ଷିତ ଚନ୍ଦ୍ରହାସେ ତନୁ ଶୀତଳେ ।

 

ବର୍ଣ୍ଣ ସୁଲପନ ରୋମାବଳୀର ତୁଲେ ॥

।୧୦।

 

 

ବାଳଭ୍ରୁଲତା ଲୋଚନ ଗମନ ଗଳା ।

 

ବପୁ ସୁଗନ୍ଧେ ସାରଙ୍ଗେ ନୋହିବ ତୁଳା ॥

।୧୧।

 

 

ବିଧାତା ଶୋଭା ବିଧାନେ ଶାନ୍ତ ସେ ଶାନ୍ତା ।

 

ବୋଲି ମଉନ ହୋଇଲା ବାରବନିତା ॥

।୧୨।

 

୯ମ ପଦ–ବିଘଟିତ–ତୁଳିତ । ହରି–ସୂର୍ଯ୍ୟ, ସିଂହ, ଶୁକପକ୍ଷୀ’ କୋକିଳ । ପ୍ରାତୋଦୟରେ–ଉଦୟ ହେଉଥିବା ସମୟରେ । ବିଶୀର୍ଣ୍ଣ–କ୍ଷୀଣ ।

୯ମ ପଦ–‘‘ତାହାଙ୍କର ଓଷ୍ଠସହ ଉଦୟକାଳୀନ ସୂର୍ଯ୍ୟ, କ୍ଷୀଣ କଟୀସହ ସିଂହକଟୀ, ନାସିକା ସହ ଶୁକ ଚଞ୍ଚୁ ଓ ମଧୁର ବଚନସହ କୋକିଳର ସ୍ୱର ତୁଳନୀୟ ନୁହେଁ ।’’

୧୦ମ ପଦ–ଚନ୍ଦ୍ର–କର୍ପୂର, ଜଳ, ଚନ୍ଦ୍ରିକା, ସୁବର୍ଣ୍ଣ, ଚନ୍ଦନ, ଜହ୍ନ ଓ ଅଳାଇଚ ।

୧୦ମ ପଦ–‘‘ତାହାଙ୍କର ହାସ ସହ ଚନ୍ଦ୍ରିକା, ଶରୀରର ଶୀତଳତା ସହ କର୍ପୂର, ଜଳ କିମ୍ବା ଚନ୍ଦନ, ବର୍ଣ୍ଣସହ ସୁବର୍ଣ୍ଣ, ମୁଖସହ ଚନ୍ଦ୍ର ଏବଂ ରୋମରାଜିସହ ଅଳେଇଚଲତା ତୁଳନୀୟ ନୁହେ ।’’

୧୧ଶ ପଦ–ସାରଙ୍ଗ–ମେଘ, ଧନୁ; ଚକୋର, ହଂସ ବା ହସ୍ତୀ, ଶଙ୍ଖ ଓ ପଦ୍ମ ।

୧୧ଶ ପଦ–‘‘ତାହାଙ୍କର କେଶଗୁଚ୍ଛସହ ମେଘ, ଭ୍ରୁଲତାସହ ଧନୁ, ଚକ୍ଷୁସହ ଚକୋର, ଗତିସହ ହସ୍ତୀ, କଣ୍ଠସହ ଶଙ୍ଖ ଓ ଦେହର ଗନ୍ଧସହ ପଦ୍ମ ତୁଳନୀୟ ନୁହନ୍ତି ।’’

୧୨ଶ ପଦ–‘ବିଧାତା ଏହାଙ୍କର ଶୋଭା ରଚନା କରି ଶାନ୍ତ ହେବାରୁ ଅର୍ଥାତ୍ ବିଧାତାର ସୁନ୍ଦରୀ ନିର୍ମାଣ ଇଚ୍ଛା ଏହିଠାରୁ ଶାନ୍ତି ଲାଭ କରିବାରୁ ଏହାଙ୍କ ନାମ ଶାନ୍ତା ହୋଇଅଛି ।’ ଏତିକିମାତ୍ର କହି ବେଶ୍ୟା ମଉନ ହେଲା ।

 

ବିଧୁନ୍ତୁଦପ୍ରାୟ ହୋଇ ସନ୍ଧ୍ୟା ଆସିଲା ।

 

ବିବସ୍ଵାନ ଗ୍ରାସୀ ରଙ୍ଗଭାବ ଦିଶିଲା ॥

।୧୩।

 

 

ବାଳୀ ସେ କାଳୀ ପିଧାନୀ କି ପାଟଶାଢ଼ୀ ।

 

ବହିଲେ କି ସରସ୍ଵତୀ କାଳିନ୍ଦୀ ଜଡ଼ି ॥

।୧୪।

 

 

ବନଜାରିକର କିଛି ଆସିଲା ଦିଶି ।

 

ବାରୁଣୀ ତ୍ରିବେଣୀ ଘାଟେ ପଡ଼ିଲା ଘୋଷି ॥

।୧୫।

 

 

ବିସ୍ତୃତ ପକ୍ଷେ ଦିବାନ୍ଧ ପ୍ରମୁଖ ଦ୍ଵିଜେ ।

 

ବିକାଶୀ ଶ୍ଳୋକ ବାଣୀକି ବିହାରେ ମଜ୍ଜେ ॥

।୧୬।

 

୧୩ଶ ପଦ–ବିଧୂନ୍ତୁଦପ୍ରାୟ–ରାହୁପରି । ବିବସ୍ୱାନଗ୍ରାସୀ–ସୂର୍ଯ୍ୟଙ୍କୁ ଗ୍ରାସ କରି ।

୧୩ଶ ପଦ–ଅନନ୍ତର ସନ୍ଧ୍ୟାକାଳ ରାହୁପରି ମାଡ଼ି ଆସ ସୂର୍ଯ୍ୟଙ୍କୁ ଘୋଡ଼ାଇ ପକାଇଲା ଏବଂ ଲାଲବର୍ଣ୍ଣ ଦେଖାଗଲା ।

୧୪ଶ ପଦ–ବାଳୀ–ସ୍ତ୍ରୀ । ପିଧାନୀ–ପିନ୍ଧି ।

୧୪ଶ ପଦ–ସଙ୍ଗେ ସଙ୍ଗେ ଅନ୍ଧକାର ମାଡ଼ିଆସିବାରୁ ବୋଧହୁଏ, ସେହି ସନ୍ଧ୍ୟାରମଣୀ କଳା ଶାଢ଼ି ପିନ୍ଧିଛିକି ? ଅଥବା ସରସ୍ୱତୀ ନଦୀ ଯମୁନା ସହିତ ମିଶି ବହିଲାକି ?(କାରଣ ସରସ୍ୱତୀ ଜଳ ଶୁକ୍ଳ ଓ ଯମୁନାର ଜଳ କୃଷ୍ଣ ଅଟେ) ।

୧୫ଶ ପଦ–ବନଜାରିକର–ଚନ୍ଦ୍ର କିରଣ । ବାରୁଣୀ–ପ୍ରସିଦ୍ଧ ସ୍ନାନ ଯୋଗ । ତ୍ରିବେଣୀ ଘାଟ–ଗଙ୍ଗା, ଯମୁନା, ସରସ୍ୱତୀର ସଙ୍ଗମ ସ୍ଥଳ ।

୧୫ଶ ପଦ–ଏହି ସମୟରେ ଚନ୍ଦ୍ର ଉଦୟ ହେବାରୁ ତାହାଙ୍କର ଉଦୟ କାଳୀନ ଆରକ୍ତ କିରଣ ସେହି ସନ୍ଧ୍ୟାକାଳୀନ ଶୋଭାରେ ମିଶିଗଲା । ତାହା ଦେଖି ମନେହେଲା, ତ୍ରିବେଣୀ ଘାଟରେ ବାରୁଣି ସ୍ନାନ ଯୋଗ ପଡ଼ିଲାକି ?

୧୬ଶ ପଦ–ଦିବାନ୍ଧ ପ୍ରମୁଖ ଦ୍ୱିଜେ–ରାତ୍ରିଚର ପକ୍ଷୀମାନେ । ଅନ୍ୟପକ୍ଷରେ, ପ୍ରମୁଖ ଦ୍ୱିଜେ–ଶ୍ରେଷ୍ଠ ବ୍ରାହ୍ମଣମାନେ । ବିହାର–କ୍ରୀଡ଼ା ।

୧୬ଶ ପଦ–ବ୍ରାହ୍ମଣମାନେ ତ୍ରିବେଣୀ ଘାଟରେ ଗଙ୍ଗା ସ୍ତ୍ରୋତ୍ର ପାଠ କରି ଜଳରେ ମଗ୍ନ ହେଲା ପରି, ଦିନରେ ଅନ୍ଧ ହୋଇ ରହିଥିବା ପେଚା ଅନ୍ୟ ରାତ୍ରିଚର ପକ୍ଷୀମାନଙ୍କର ନେତା ହୋଇ ପକ୍ଷ ବିସ୍ତାରପୂର୍ବକ ଚତୁର୍ଦ୍ଦିଗରେ ବୁଲି କ୍ରୀଡ଼ା କରିବାକୁ ଲାଗିଲେ ।

 

ବିଜିଘୋଷ ଆଦି ବାଦ୍ୟ ବାଜେ ଏକାଳେ ।

 

ବର କନ୍ୟା ଋଷ୍ୟଶୃଙ୍ଗ ଶାନ୍ତାକୁ କଲେ ॥

।୧୭।

 

 

ବାରି ତୋଳି ଦେଲେ ଶଙ୍ଖେ ଶଙ୍ଖେ ରତନ ।

 

ବତ୍ସାସହ ଧେନୁ କଉଶେୟ ବସନ ॥

।୧୮।

 

 

ବନଜାସନ ସାବିତ୍ରୀ ପ୍ରାୟ ଦିଶିଲେ ।

 

ବିନୋଦେ ଶର୍ବରୀରେ ଏକାନ୍ତେ ରସିଲେ ॥

।୧୯।

 

 

ବାହୁଳେୟ ପ୍ରାୟେ ହେଲା ପ୍ରାତ ଉତ୍ପତ୍ତି ।

 

ବିଭ୍ରାଜି ତାରକା–ସୁର ପ୍ରମୋଦ ଅତି ॥

।୨୦।

 

 

ବିଭ୍ରାଜି ଉଜ୍ଜ୍ଵଳ ଶକ୍ତି ମନ୍ତ୍ରରେ ସେହି ।

 

ବିହାରୀ ହୋଇ କ୍ରମଶେ ଷଷ୍ଠୀରେ ସ୍ନେହୀ ॥

।୨୧।

 

୧୭ଶ ପଦ–ବିଜିଘୋଷ–ଢକା ତୁଲ୍ୟ ବାଦ୍ୟ ବିଶେଷ ।

୧୮ଶ ପଦ–ଶଙ୍ଖେ–ଏକଶଙ୍ଖ ପରିମିତ । କୌଶେୟ–ବସନ, ପଟ୍ଟବସ୍ତ୍ର ।

୧୭ଶ ଓ ୧୮ଶ ପଦ–ଏହି ସମୟରେ ବିଜିଘୋଷ ପ୍ରଭୃତି ବାଦ୍ୟ ବାଜିଲା । ୠଷ୍ୟଶୃଙ୍ଗ ଓ ଶାନ୍ତାଙ୍କୁ ବିବାହ ବେଶରେ ସଜ୍ଜିତ କରି ମଣ୍ଡପ ଉପରକୁ ନେଇ, ହସ୍ତଗଣ୍ଠି ପଡ଼ିବା ପରେ ଦଶରଥ ଶଙ୍ଖରେ ପାଣି ଟେକି ଦେଇ ଏକ ଶଙ୍ଖ ରତ୍ନ, ସବତ୍ସା ଧେନୁ ଓ ପାଟ ଯୋଡ଼ ପ୍ରଭୃତି ଯଉତୁକ ଦେଲେ ।

୧୯ଶ ପଦ–ବନଜାସନ–ବ୍ରହ୍ମା । ବିନୋଦେ–ଆନନ୍ଦରେ ।

୧୯ଶ ପଦ–ଋଷି ଓ ଶାନ୍ତା ବ୍ରହ୍ମା ସାବିତ୍ରୀଙ୍କ ପରି ଦେଖାଗଲେ; ଅନନ୍ତର ରାତ୍ରିରେ ଏକାନ୍ତରେ ଶୃଙ୍ଗାର ରସରେ ମଜ୍ଜିଲେ ।

୨୦ଶ ପଦ–ବାହୁଳେୟ–କାର୍ତ୍ତିକେଶ୍ୱର । ତାରକା–ତାରା, ତାରକାସୁର । ସୁର–ସୂର୍ଯ୍ୟ ।

୨୦ଶ ପଦ–ତତ୍ପରେ କାର୍ତ୍ତିକେୟ ଜନ୍ମ ହୋଇ ତାରକାସୁରକୁ ମାରି ଦେବତାମାନଙ୍କୁ ଆନନ୍ଦ ଦେଲା ପରି ପ୍ରଭାତ ଉପସ୍ଥିତ ହୋଇ ତାରାମାନଙ୍କୁ ଲୁପ୍ତପୂର୍ବକ ସୂର୍ଯ୍ୟଙ୍କୁ ପ୍ରକାଶିତ କରିବାକୁ ଜଗତରେ ଅତିଶୟ ଆନନ୍ଦ ଖେଳି ଉଠିଲା ।

୨୧ଶ ପଦ–ଶକ୍ତିମନ୍ତର–ଅତି ପରାକ୍ରମୀ, ଶକ୍ତିଧାରୀ । ଷଷ୍ଠୀ–ଦୂର୍ଗା ।

୨୧ଶ ପଦ–ଯେପରି କାର୍ତ୍ତିକେୟ ଅତି ଉଜ୍ଜ୍ୱଳ ଶକ୍ତି ନାମକ ଅସ୍ତ୍ର ଧାରଣ କରି ଅଥବା ଅତିଶୟ ଶକ୍ତିଶାଳୀ ହୋଇ ବିହାର କରି କ୍ରମେ ଦୁର୍ଗାଙ୍କଠାରେ ଅନୁରକ୍ତ ହୋଇଥିଲେ, ସେହିପରି ପ୍ରଭୃତ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ବିସ୍ତାରପୂର୍ବକ କ୍ରମେ କ୍ରମେ ଜଗତକୁ ଆଲୋକିତ କଲା ଏବଂ ଷାଠିଏ ଦଣ୍ଡ ପର୍ଯ୍ୟନ୍ତ ରହିଲା ।

 

ବାରକରେ ଖ୍ୟାତ ଶିବପୁରେ ଉତ୍ସବେ।

 

ବାଦନ ଯେ ଶଙ୍ଖମାଳି ଗଣହିଁ ଭାବେ ॥

।୨୨।

 

 

ବିଗତ ନିଦ୍ରା ଏକାଳେ ଦଶରଥର ।

 

ବସାଇ ଜାମାତା ଘେନିଗଲେ ରଥର ॥

।୨୩।

 

 

ବପ୍ର ଜିଣି ପରବେଶ ଅଯୋଧ୍ୟା ଦୁର୍ଗେ ।

 

ବ୍ରତ ଆଚରଇ ତହିଁ ମହିଷୀବର୍ଗେ ॥

।୨୪।

 

 

ବୀତିହୋତ୍ର ସ୍ଥାପି ଯଜ୍ଞକୁଣ୍ଡେ ସତ୍ଵରେ ।

 

ବ୍ରହ୍ମବେତ୍ତା ହୋମ କଲେ ପୁତ୍ର ଅର୍ଥରେ ॥

।୨୫।

 

 

ବ୍ୟାପୀ ତହୁଁ ଧୂମାବଳି ଊର୍ଦ୍ଧ୍ଵେ ଚପଳେ ।

 

ବିୟତିରେ ଜଳଧର ପ୍ରାୟ ଦିଶିଲେ ॥

।୨୬।

 

୨୨ଶ ପଦ–ବାରକରେ–ବାରଗୋଟି ହାତରେ, କୌଣସି ଗୋଟିଏ ବାରରେ । ଶବସୁର–କୈଳାସ । ଶକମାଳୀ–ଶଙ୍ଖ ସମୂହ । ଗଣ–ଶିବଗଣ ।

୨୨ଶ ପଦ–କାର୍ତ୍ତିକେୟ ବାରଗୋଟି ହସ୍ତ ଧାରଣ କରି ଯେତେବେଳେ ଜନ୍ମ ହେଲେ, ସେହି ସମୟରୁ କୈଳାସରେ ଉତ୍ସବ ହୋଇଥିଲା, ଶିବଗଣମାନେ ଅନେକ ଶଙ୍ଖ ବଜାଇଥିଲେ; ସେହିପରି ପ୍ରଭାବ ରବି, ସୋମ ପ୍ରଭୃତି କୌଣସି ଏକ ବାରରେ ଖ୍ୟାତ ହେଲା ଏବଂ ସେହି ସମୟରେ ମାଳୀମାନେ ଶିବ ମନ୍ଦିରରେ ଶଙ୍ଖ ବଜାଇଲେ ।

୨୩ଶ ପଦ–ଏହି ସମୟରେ ଦଶରଥଙ୍କ ନିଦ୍ରା ଭାଜିଲା । ସେ ଜାମାତାଙ୍କୁ ରଥରେ ବସାଇ ନେଇଗଲେ ।

୨୪ଶ ପଦ–ବିପ୍ର–ଗଡ଼ପ୍ରାଚୀର ।

୨୫ଶ ପଦ–ବୀତିହୋତ୍ର–ଅଗ୍ନି ।

୨୬ଶ ପଦ–ବିୟତରେ–ଆକାଶରେ ।

୨୪ଶରୁ୨୬ଶ ପଦ–ଅଳ୍ପକ୍ଷଣପରେ ସେମାନେ ଗଡ଼ର ପାଚେରୀ ଲଙ୍ଘି ଅଯୋଧ୍ୟା ଦୁର୍ଗରେ ପ୍ରବେଶ ହେଲେ । ବ୍ରହ୍ମଜ୍ଞାନୀ ଋଷି ରାଣୀମାନଙ୍କୁ ବ୍ରତ କରାଇ ପୁତ୍ରେଷ୍ଟି ଯଜ୍ଞ ନିମିତ୍ତ ହୋମକୁଣ୍ଡରେ ଅଗ୍ନି ସ୍ଥାପନ କଲେ । ହଠାତ୍ ହୋମକୁଣ୍ଡରୁ ଉପରକୁ ଧୂଆଁ ଉଠି ଆକାଶରେ ବ୍ୟାପି ଯିବାରୁ ତାହା ମେଘପରି ଦେଖାଗଲା ।

 

ବିଜୁଳି ଲକ୍ଷ ବଡ଼ଭି ରାଙ୍ଗକେତନ ।

 

ବରହ ଟେକି ଅନାର କେକୀ ନର୍ତ୍ତନ ॥

।୨୭।

 

 

ବିଥିରଚିତ୍ତ ତୃଷାର୍ତ୍ତୀ ଯେତେ ସାରଙ୍ଗ ।

 

ବୀଥୀ ବୀଥୀ ହୋଇ କଲେ ନିକଟେ ରଙ୍ଗ ॥

।୨୮।

 

 

ବାୟୁନାଏ ଦୁନ୍ଦୁଭି ଦିଆଉ ହରଷେ ।

 

ବିଜନିତ ସ୍ତନିତ କି ପ୍ରତେ ମାନସେ ॥

।୨୯।

 

 

ବିବେକ ମଧୁରୀ ଭେରୀ ଦାତ୍ୟୁହ କଙ୍କ ।

 

ବର୍ଷାଭୂ ଟମକ ଯହିଁ ଉଚ୍ଚନାଦକ ॥

।୩୦।

 

 

ବଳାକାପ୍ରକାର ନିଶ୍ଚେ ବିରାଜମାନ ।

 

ବଂଶେ ଉଡୁଛନ୍ତି ହୋଇ ଅତି ରଞ୍ଜନ ॥

।୩୧।

 

୨୭ଶ ପଦ–ବଡ଼ଭି–ପ୍ରାସାଦ । ରଙ୍ଗକେତନ–ଲାଲପତାକା । କରହ–ପୁଚ୍ଛା । କେକୀ–ମୟୂର ।

୨୭ଶ ପଦ–ରାଜାଙ୍କର କୋଠା ଉପରେ ଉଡ଼ୁଥିବା ଲାଲ ପତାକାକୁ ବିଜୁଳି ମନେକରି ମୟୂରମାନେ ପୁଚ୍ଛ ଟେକି ନୃତ୍ୟ କଲେ ।

୨୮ଶ ପଦ–ବିଥିରଚିତ୍ତ–ଅସ୍ଥିର ହୃଦୟ । ସାରଙ୍ଗ–ଚାତକ । ବାଥୀ ବାଥୀ ହୋଇ–ଦଳ ଦଳ ହୋଇ ।

୨୮ଶ ପଦ–ତୃଷାର୍ତ୍ତ ଅସ୍ଥିର ହୃଦୟ ଚାତକମାନେ ଦଳ ଦଳ ହୋଇ ଆସି (ସେହି ମେଘକୁ ଦେଖି) ଆନନ୍ଦରେ ନୃତ୍ୟ କଲେ ।

୨୯ଶ ପଦ–ବାୟୁନାଏ–ବାଦକମାନେ । ସ୍ତନିତ–ଘଡ଼ଘଡ଼ି ଶବ୍ଦ ।

୨୯ଶ ପଦ–ବାଦକମାନେ ଏହି ସମୟରେ ଆନନ୍ଦରେ ଦୁନ୍ଦୁଭି ବଜାଇଲେ । ସେହି ଧ୍ୱନି ମେଘର ଘଡ଼ ଘଡ଼ି ଧ୍ୱନି ବୋଲି ମନେହେଲା ।

୩୦ଶ ପଦ–ଦତ୍ୟୁହ–ଡାହୁକ । ବର୍ଷାଭୁ–ବେଙ୍ଗ ।

୩୦ଶ ପଦ–ମହୁରୀ ଓ ଭେରୀର ସ୍ୱର ଡାହୁକ ଓ କଙ୍କପକ୍ଷୀର ସ୍ୱର ପରି ଏବଂ ଅତି ଉଚ୍ଚ ଟମକ ଧ୍ୱନି ବେଙ୍ଗ ରଡ଼ିପରି ପ୍ରତୀକ ହେଲା ।

୩୧ଶ ପଦ–ବଳାକା ପ୍ରକାର–ବକଶ୍ରେଣୀ ପରି । ଚିରାଳ–ପତାକା ।

୩୧ଶ ପଦ–ବାଉଁଶର ଅଗ୍ରଭାଗରେ ଫର ଫର ହୋଇ ଉଡ଼ୁଥିବ ଅତିଶୁକ୍ଳ ପତାକାଗୁଡ଼ିକ ବକପନ୍ତି ପରି ଦେଖାଗଲେ ।

 

ବରଷିବେ କୃପାଜଳ ଉଦୟେ ହରି ।

 

ବହ୍ନିକୁଣ୍ଡ ନଭ ଅବଲମ୍ବନ କରି ॥

।୩୨।

 

 

ବଶିଷ୍ଠାଦି ଋଷ୍ୟଶୃଙ୍ଗ ସେଠାରେ ଥିଲେ ।

 

ବିହୀନ ନିମିଷ ଯେ ସେମାନେ ନମିଲେ ॥

।୩୩।

 

 

ବରୁଣାଳୟ କରୁଣାକର ବୋଇଲେ ।

 

ବିରାଜ କମ୍ବୁ ଚକ୍ର ଗଦାବ୍ଜେ ମଞ୍ଜୁଳେ ॥

।୩୪।

 

 

ବିଧୃତ କର ମକର ଲକ୍ଷଣମାନ ।

 

ବୁଡ଼ାନ୍ତି ମହତୀଯୋଗେ ନୟନ–ମୀନ ॥

।୩୫।

 

୩୨ଶ ପଦ–ହରି ଇନ୍ଦ୍ର–ବିଷ୍ଣୁ । ଅବଲମ୍ବନ–ଆଶ୍ରୟ ।

୩୨ଶ ପଦ–ମେଘ ଉଦୟ ହେଲେ ଇନ୍ଦ୍ର ଯେପରି ତାହାକୁ ଆଶ୍ରୟ କରି ବର୍ଷା କରାନ୍ତି, ସେହିପରି ବିଷ୍ଣୁ ଅଗ୍ନିକୁଣ୍ଡ ରୂପକ ମେଘକୁ ଆଶ୍ରୟ କରି କୃପା ରୂପକ ଜଳବର୍ଷଣ କରିବେ ।

୩୩ଶ ପଦ–ବିହୀନ ନିମିଷ–ଅପଲକ ଚକ୍ଷୁ ।

୩୩ଶ ପଦ–ହୋମକୁଣ୍ଡ ନିକଟରେ ଥିବା ବଶିଷ୍ଠ, ଋଷ୍ୟଶୃଙ୍ଗ ପ୍ରଭୃତି ଋଷିମାନେ ସେହି ହୋମ କୁଣ୍ଡରେ ଆବିର୍ଭୂତ ବିଷ୍ଣୁଙ୍କୁ ଅପଲକ ଦୃଷ୍ଟିରେ ଦେଖି ନମସ୍କାର କଲେ ।

୩୪ଶ ପଦ–ବରୁଣାଳୟ–ସମୁଦ୍ର । କରୁଣାକର–ଦୟା ସମୁଦ୍ର । କମ୍ବୁ–ଶଙ୍ଖ । ଚକ୍ର–ଚକ୍ରବାକ ପକ୍ଷୀ, ଜଳଭଉଁରୀ, ଅସ୍ତ୍ର ବିଶେଷ । ଗଦା–ଅସ୍ତ୍ର ବିଶେଷ, ସମୂହ । ଅବ୍‌କ–ପଦ୍ମ, ଚନ୍ଦ୍ର ।

୩୪ଶ ପଦ–ଋଷିମାନେ କହିଲେ, ‘‘ହେ କରୁଣାକର ଦୟା ସମୁଦ୍ର ! ତୁମ୍ଭେ ପ୍ରକୃତରେ ସମୁଦ୍ର ଅଟ । କାରଣ, ସମୁଦ୍ର ଯେଉଁପରି ଶଙ୍ଖ, ଡଅଁର ବା ଚକ୍ରବାକ ପକ୍ଷୀ ସମୂହ ଏବଂ ଚନ୍ଦ୍ରଙ୍କୁ ଧାରଣ କରି ଶୋଭାପାଉଛି, ତୁମ୍ଭେ ସେହିପରି ପାଞ୍ଚଜନ୍ୟ ଶଙ୍ଖ, ସୁଦର୍ଶନ ଚକ୍ର, ଗରୁଡ଼, କୌମୋଦକୀ ଗଦା ଏବଂ ପଦ୍ମ ଧାରଣ କରି ଶୋଭାପାଉଅଛି ।’’

୩୫ଶ ପଦ–ମହତୀ–ବଡ଼, ମହତୀ ନାମକ ଯୋଗ । ଲକ୍ଷଣମାନ–ଲକ୍ଷ ଲକ୍ଷ ପରିମିତ, ଚିହ୍ନମାନ । କର–ହସ୍ତ ।

୩୫ଶ ପଦ–‘‘ସମୁଦ୍ର ଯେଉଁପରି ଲକ୍ଷ ଲକ୍ଷ ଜଳଚର ଜୀବମାନଙ୍କୁ ଧାରଣ କରିଅଛି, ତୁମ୍ଭେ ସେହିପରି ନିଜ କରରେ ମୀନ, ମକର ପ୍ରଭୃତି ଚିହ୍ନମାନଙ୍କୁ ଧାରଣ କରିଅଛ । ଲୋକମାନେ ମହତୀ ନାମକ ଯୋଗରେ ସମୁଦ୍ରରେ ନିମଗ୍ନ ହେଲାପରି ବଡ଼ ବଡ଼ ଭକ୍ତମାନଙ୍କର ନୟନ ତୁମ୍ଭ ହୃଦୟରେ ନିମଗ୍ନ ହେଉଅଛି ।’’

 

ବୋଇତିଆଳ ଯେ ଦଶରଥ ନୃପତି ।

 

ବାଞ୍ଛିବାରେ କର ତାରେ ରତ୍ନ ପ୍ରାପତି ॥

।୩୬।

 

 

ବଡ଼ବାନଳେ ପକାଅ ରାକ୍ଷସଗଣ ।

 

ବ୍ୟତ୍ରକେ ଏଥିରୁ ନାହିଁ ଆନ ମାର୍ଗଣ ॥

।୩୭।

 

 

ବ୍ୟାକୋଷ କୁସୁମ–ହାସ ମୁଖେ ଧଇଲେ ।

 

ବୋଲି ଅସ୍ତୁ ଚାରି ଚରୁରୂପେ ଦିଶିଲେ ॥

।୩୮।

 

 

ବ୍ୟଞ୍ଜଳି କରନ୍ତେ କର ସେ ଋଷ୍ୟଶୃଙ୍ଗ ।

 

ବ୍ରହ୍ମରୂପୀ ପରବେଶ ହୋଇଲେ ବେଗ ॥

।୩୯।

 

 

ବ୍ରାହ୍ମଣଶ୍ରେଷ୍ଠ ତା ରାଜା ହସ୍ତରେ ଦେଲେ ।

 

ବାଣ୍ଟି ସର୍ବ ମହିଷୀରେ ଦିଅ ବୋଇଲେ ॥

।୪୦।

 

 

ବାତ ମଳୟାଦ୍ରିରୁ ଯେ ବହଇ ଘେନ ।

 

ବଂଶକର୍ମେ ନାହିଁ ଯଥା ହେବା ଚନ୍ଦନ ॥

।୪୧।

 

 

ବ୍ରତୀ ନୋହି ସାତଶତ ସତଚାଳିଶି ।

 

ବାମା ଅଛନ୍ତି କୌଶଲ୍ୟା କୈକେୟୀ ଭାଷି ॥

।୪୨।

 

 

ବିରକ୍ତେ ନୃପତି ଦୁଇଭାଗ ତା କଲେ ।

 

ବିହ୍ଵଳେ ସେ ଦୁହିଙ୍କର ପାଣିରେ ଦେଲେ ॥

।୪୩।

 

୩୬ଶ ଓ ୩୭ଶ ପଦ–‘‘ହେ ପ୍ରଭୋ ! ସମୁଦ୍ରରେ ବୋଇତିଆଳମାନେ ବୋଇତ ବାହି ଯେପରି ଇପ୍ସିତ ରତ୍ନଲାଭ କରନ୍ତି, ସେହିପରି ଆପଣଙ୍କ ରୂପ ସମୁଦ୍ରରେ ବୋଇତିଆଳ ହୋଇଥିବା ଅର୍ଥାତ୍ ଆପଣଙ୍କୁ ପୁତ୍ର ପ୍ରାପ୍ତିର ସ୍ଥାନ ମନେକରିଥିବା ଦଶରଥଙ୍କୁ ପୁତ୍ରରୂପ ରତ୍ନ ପ୍ରଦାନ କରନ୍ତୁ ଏବଂ ସମୁଦ୍ର ବଡ଼ବାଗ୍ନିରେ ରାକ୍ଷସମାନଙ୍କୁ ପକାଇଲା ପରି ଆପଣ ନିଜର ବଡ଼ବାଗ୍ନି ତୁଲ୍ୟ କ୍ରୋଧରେ ରାକ୍ଷସମାନଙ୍କୁ ପକାନ୍ତୁ । ଏହା ବ୍ୟତୀତ ଆଉକିଛି ମାଗୁ ନାହୁଁ ।’’

୩୮ଶ ପଦ–ବ୍ୟାକୋଷ କୁସୁମ–ପ୍ରସ୍ଫୁଟିତ ପୁଷ୍ପ । ଚରୁ–ଯଜ୍ଞାନ୍ନ ।

୩୮ଶ ପଦ–ଏହା ଶୁଣି ଭଗବାନ୍ ପ୍ରସ୍ଫୁଟିତ ପୁଷ୍ପ ତୁଲ୍ୟ ମନୋରମ ହାସ ପ୍ରକାଶ କରି, ‘ତାହା ହେଉ’ କହି ଚାରିଗୋଟି ଚରୁରୂପରେ ଦେଖା ଦେଲେ ।

୩୯ଶ ପଦ–ଏହାଦେଖି ଋଷ୍ୟଶୃଙ୍ଗ ହାତ ଅଞ୍ଜଳି କରିବାରୁ, ବ୍ରହ୍ମରୂପୀ ଭଗବାନ ତାହାଙ୍କ ହସ୍ତରେ ଶୀଘ୍ର ପ୍ରବେଶ କଲେ ।

୪୦ଶ ପଦ–ତପସ୍ୱୀ ଋଷ୍ୟଶୃଙ୍ଗ ସେହି ଯଜ୍ଞାନ୍ନ ଦଶରଥଙ୍କୁ ଦେଇ କହିଲେ, ‘‘ରାଣୀମାନଙ୍କୁ ବାଣ୍ଟି ଦିଅ ।’’

୪୧ଶରୁ ୪୩ଶ ପଦ–କୌଶଲ୍ୟା ଓ କୈକେୟୀ (ରାଜାଙ୍କୁ ଚରୁ ଘେନି ଆସିବାର ଦେଖି) କହିଲେ, ‘‘ତୁମ୍ଭର ସାତଶହ ସତଚାଳିଶ ରାଣୀ ବ୍ରତ କରିନାହାନ୍ତି ।’’ ପବନ ମଳୟ ପର୍ବତରୁ ବହିଲେ ଯେଉଁପରି ସବୁ ବାଉଁଶର ଭାଗ୍ୟରେ ଚନ୍ଦନ ହେବାର ସୁଯୋଗ ଘଟେ ନାହିଁ, ସେହିପରି ଏହି କଥା ଶ୍ରବଣରେ ରାଜା ବିରକ୍ତ ହୋଇ ମଳୟର ଗୁଣ ରୂପୀ ସେହି ଚରୁକୁ ସେ ଦୁହିଁଙ୍କର ହାତରେ ଦେଲେ ।

 

ବିମଳହୃଦୟା ଭାଷି କଲ ଅହେଜା ।

 

ବେନି ବେନି ଭାଗ ଦେଲେ ସନ୍ତୋଷ ରାଜା ॥

।୪୪।

 

 

ବିଶ୍ଵଗର୍ଭ ସେ ଅଶନେ ଗର୍ଭରେ ରହି ।

 

ବରଷେ ଯେ ସ୍ଵାତୀଜଳ ଭକ୍ଷଣ ବିହି ॥

।୪୫।

 

 

ବହଇ ଉଦରେ ମୋତି ଶୁକ୍ତି ଯେମନ୍ତ ।

 

ବିଘ୍ନ ନୋହି ଏ କଥାହିଁ ହେଲା ତେମନ୍ତ ॥

।୪୬।

 

୪୪ଶତ ପଦ–ବିଶ୍ୱଗର୍ଭ–ବିଷ୍ଣୁ । ଅଶନ–ଭକ୍ଷଣ । ବରଷେ–ମେଘ ବରଷିବା ସମୟରେ-

୪୪ଶତ ପଦ–ନିର୍ମଳ ହୃଦୟା ରାଣୀ ଦୁହେଁ କହିଲେ, ‘‘ଆପଣ ଅବିଚାର କଲେ; (କାରଣ ଆପଣଙ୍କର ସାତଶହ ପଞ୍ଚାଶ ରାଣୀଙ୍କ ମଧ୍ୟରୁ ଉପରୋକ୍ତ ସଂଖ୍ୟକ ରାଣୀ ବ୍ରତ କରିନାହାନ୍ତି ବାକି ତିନିଜଣ ବ୍ରତ କରିଛନ୍ତି, ଆପଣ ସେ ତିନିଜଣଙ୍କୁ ସୁଦ୍ଧା ଦେଲେ ନାହିଁ) ଏହା କହି ବ୍ରତନୀଙ୍କୁ (ସୁମିତ୍ରାଙ୍କୁ) ଦୁଇଭାଗ ଦେବାରୁ ରାଜା ସନ୍ତୁଷ୍ଟ ହେଲେ ।

୪୫ଶ ପଦ–ବିଶ୍ୱଗର୍ଭ–ବିଷ୍ଣୁ । ଅଶନ–ଭକ୍ଷଣ । ବରଷେ–ମେଘ କରଷିବା ସମୟରେ ।

୪୬ଶ ପଦ–ଶକ୍ତି–ଶାମୁକା ।

୪୫ଶ-୪୬ଶ ପଦ–ସ୍ୱାତୀନକ୍ଷତ୍ରରେ ମେଘ ବରଷିଲେ ସେହି ଜଳକୁ ଭକ୍ଷଣ କରି ଶାମୁକା ମୁକ୍ତାକୁ ଗର୍ଭରେ ଧାରଣ କରେ; ସେହିପରି ରାଣୀମାନେ ଚରୁ ଭକ୍ଷଣ କରି ବ୍ରହ୍ମାଣ୍ଡ ଯାହାଙ୍କ ଗର୍ଭରେ ରହିଅଛି, ସହି ବିଷ୍ଣୁଙ୍କୁ ଗର୍ଭରେ ଧାରଣ କଲେ ।

 

ବୈଭାଣ୍ଡକ କାନ୍ତା ଘେନି ସ୍ଵଗୃହ ଗତ ।

 

ବାସରକୁ ବାସର ରାଣୀଏ ଅଶକ୍ତ ॥

।୪୭।

 

 

ବିଧୃତ ଲତିକା ମେରୁ ଏଥି ଉତ୍ତାରୁ ।

 

ବିଚିତ୍ର ନୋହିଲା ଅଶକତ ହେବାରୁ ॥

।୪୮।

 

 

ବର୍ଣ୍ଣ ସୁବର୍ଣ୍ଣ ଦୋହଦ ରୂପ୍ୟରେ କିଣି ।

 

ବତ୍ସୋଜ ଦନ୍ତସମ୍ପୂଟେ ରକ୍ଷଣ ମଣି ॥

।୪୯।

 

 

ବୃଦ୍ଧିହେବା କଟୀ ପୃଥୁ ଅଧିକ ନୋହି ।

 

ବିଧିପୂର୍ବେ ସିଂହ ଲକ୍ଷ ଗ୍ରାସିଛି ଯେହି ॥

।୫୦।

 

 

ବିକୀର୍ଣ୍ଣ ମଧୁରସରେ ଉଦରପଥ ।

 

ବମନ ହେବା ଚିତ୍ର କି ଆନ ପଦାର୍ଥ ॥

।୫୧।

 

୪୭ଶ ପଦ–ବିଭାଣ୍ଡକ–ଋଷ୍ୟଶୃଙ୍ଗ । ବାସରକୁ ବାସର–ଦିନକୁ ଦିନ ।

୪୭ଶ ପଦ–ଅନନ୍ତର ଋଷ୍ୟଶୃଙ୍ଗ ପ୍ରିୟା ଶାନ୍ତାଙ୍କୁ ନେଇ ସ୍ୱୀୟ ତପୋବନକୁ ଗମନ କଲେ ଏବଂ ରାଣୀମାନେ ଗର୍ଭ ଭାରରେ ଦିନକୁ ଦିନ ଅଶକ୍ତ ହେଲେ ।

୪୮ଶତ ପଦ–ଲତା ତୁଲ୍ୟ ସୁକୁମାରୀ ରାଣୀମାନେ ମେରୁପର୍ବତ ତୁଲ୍ୟ ଉନ୍ନତଗର୍ଭ ଧାରଣ କରି ଆଶକ୍ତ ହେବା ବିଚିତ୍ର ନୁହେଁ ।

୪୯ଶତ ପଦ–ଦୋହଦ-ଗର୍ଭ । ବତ୍ସୋଜ-ସ୍ତନ । ଦନ୍ତସମ୍ପୂଟ–ହାତୀ ଦନ୍ତ ତିଆରି ଫରୁଆ-

୪୯ଶତ ପଦ–ଗର୍ଭ ରାଣୀମାନଙ୍କର ସୁବର୍ଣ୍ଣ ତୁଲ୍ୟ ଦେହର କାନ୍ତିକୁ ରୂପା ମୂଲ୍ୟରେ କିଣି ସ୍ତନରୂପ ହାତୀ ଦନ୍ତ ଫରୁଆରେ ରଖିଛିକି ? (ଏହିପରି ଦର୍ଶକର ମନେହୁଏ । ଗର୍ଭ ଲକ୍ଷଣ ପ୍ରକାଶ ହେଲେ ଗର୍ଭିଣୀର ଶରୀରର କାନ୍ତି ପାଣ୍ଡୁ ବର୍ଣ୍ଣ ହୁଏ । ସ୍ତନ ଅଧିକ ଶୋଭା ଧାରଣ କରେ, ଏଣୁ ଏପରି ଉତ୍‌ପ୍ରେକ୍ଷା ହେଲା)।

୫୦ଶତ ପଦ–ସେମାନଙ୍କ କଟିଦେଶ ବେଶି ଉନ୍ନତ ହେଲା; ଏହା କହିବା ଅଧିକ ବିଚିତ୍ର ନୁହେଁ । କାରଣ ଏଥି ପୂର୍ବରୁ ଏହି କଟି ସିଂହକଟିକୁ ଗ୍ରାସ କରିଥିଲା (ଜିଣିଥିଲା) । ଯେ ଯାହାକୁ ଗ୍ରାସ କରେ, ସେ ତା’ଠାରୁ ନିଶ୍ଚୟ ପୃଥୁଳ ଅଟେ ।

୫୧ଶତ ପଦ–ମଧୁରସରେ–ମିଠାରସରେ, ନାରାୟଣଙ୍କ ମାଧୁରୀରେ । ଉଦରପଥ–କଣ୍ଠଦେଶ ।

୫୧ଶତ ପଦ–ରାଣୀମାନଙ୍କର କଣ୍ଠ ପ୍ରଦେଶ ମିଠା ରସରେ ଏବଂ ‘ମଧୁର ରସ’ ନାରାୟଣ ମାଧୁରୀରେ ପୂର୍ଣ୍ଣ ହେବାରୁ ଅନ୍ୟ କଟୁ, ତିକ୍ତ ପ୍ରଭୃତି ରସ ଭକ୍ଷଣ କରନ୍ତେ ବାନ୍ତି ହେଲା-। ଏଥିରୁ ଆଶ୍ଚର୍ଯ୍ୟ କ’ଣ ? (ଅରୁଚି ସେମାନଙ୍କୁ ଆକ୍ରମଣ କଲା ଏହାହିଁ ଫଳିତାର୍ଥ)।

 

ବସନ୍ତ ମଧୁ ମାସରେ ନବମୀ ଖ୍ୟାତି ।

 

ବିପତିଧ୍ଵଜ ବହିଲେ ଚତୁର୍ଦ୍ଧାମୂର୍ତ୍ତି ॥

।୫୨।

 

 

ବ୍ୟୁତ୍ପତ୍ତି ଏ କୌଶଲ୍ୟା କୈକେୟୀ ସୁମିତ୍ରା ।

 

ବାସବଦିଗଦ୍ରି ତିନିଶୃଙ୍ଗ ଶୋଭିତା ॥

।୫୩।

 

 

ବିଧୁଗୁରୁ ଭାର୍ଗବ ଅଙ୍ଗିରା ଉଦିତ ।

 

ବିନଶ୍ୟତି ଧାତ୍ରୀ ରାତ୍ରି ନିବିଡ଼ ଧ୍ଵନ୍ତ ॥

।୫୪।

 

 

ବଧାଇ ଲଭିଲେ ନୃପେ ନାରୀଏ କହି ।

 

ବାର୍ତ୍ତାବହେ ରାଜ୍ୟାନ୍ତରେ ଗମିଲେ ତହିଁ ॥

।୫୫।

 

 

ବାରତା କହି ସାମନ୍ତ ପାତ୍ରେ ତ୍ଵରିତ ।

 

ବେତ୍ରକେ କଟକ କୁଣ୍ଡଳରେ ମଣ୍ଡିତ ॥

।୫୬।

 

୫୨ଶତ ପଦ–ମାଧୁମାସ–ଚୈତ୍ରମାସ । ବିପତଧ୍ୱଜ–ଗରୁଡ଼ାସନ(ବିଷ୍ଣୁ) । ଚତୁର୍ଦ୍ଧାମୂର୍ତ୍ତି–ଚାରିପ୍ରକାର ଦେହ ।

୫୨ଶତ ପଦ–ବସନ୍ତ ୠତୁରେ ଚୈତ୍ରମାସର ଶୁକ୍ଳ ନବମୀ ପ୍ରସିଦ୍ଧ ଅଟେ । ସେହିଦିନ ବିଷ୍ଣୁ ଚାରିଗୋଟି ଦେହ ଧାରଣ କଲେ ।

୫୩ଶତ ପଦ–ଏହି ସମୟରେ କୌଶଲ୍ୟା ଆଦି ତିନିରାଣୀ ଉଦୟାଚଳର ତିନିଗୋଟି ଶୃଙ୍ଗପରି ଦେଖାଗଲେ ।

୫୪ଶତ ପଦ–ବାସବଦିଗଦ୍ରି–ଉଦୟ ପର୍ବତ ।

୫୪ଶତ ପଦ–ବିଧି–ଚନ୍ଦ୍ର । ଗୁରୁ–ବୃହସ୍ପତି । ଭାର୍ଗବ–ଶୁକ୍ର । ଅଙ୍ଗିରା–ମଙ୍ଗଳ । ଧାତ୍ରୀ ରାତ୍ର–ପୃଥିବୀରୂପୀ ରାତ୍ରି । ଧ୍ୱାନ୍ତ–ଅନ୍ଧକାର, ଚିନ୍ତା ।

୫୪ଶତ ପଦ–ଯେପରି ଚନ୍ଦ୍ର, ବୃହସ୍ପତି, ଶୁକ୍ର, ମଙ୍ଗଳ ଉଦୟ ହୋଇ ରାତ୍ରିର ଗାଢ଼ ଅନ୍ଧକାରକୁ ନାଶ କରନ୍ତି, ସେହିପରି ରାଣୀମାନଙ୍କ ଗର୍ଭରୁ ଚାରିଗୋଟି ପୁତ୍ର ଜନ୍ମ ହୋଇ ପୃଥିବୀର ଗାଢ଼ ଚିନ୍ତାକୁ ନାଶ କଲେ ।

୫୫ଶତ ପଦ–ବଧାଇ–ପୁରସ୍କାର । ବାର୍ତ୍ତାବହ–ଦୂତ ।

୫୫ଶତ ପଦ–ଅନ୍ତଃପୁରରେ ଥିବା ସ୍ତ୍ରୀମାନେ ରାଜାଙ୍କୁ ଏହି କଥା କହି ପୁରସ୍କାର ପାଇଲେ ଏବଂ ଦୂତମାନେ ଏହି ବାର୍ତ୍ତା ନେଇ ଅନ୍ୟାନ୍ୟ ରାଜ୍ୟକୁ ଗଲେ ।

୫୬ଶତ ପଦ–ବେତ୍ରକ–କଞ୍ଚୁକୀ । କଟକ–ବାଲା ।

୫୬ଶତ ପଦ–କଞ୍ଚୁକୀମାନେ ସାମନ୍ତ ଓ ମନ୍ତ୍ରୀମାନଙ୍କୁ ଏହି କଥା ଜଣାଇ ବାଲା ଓ କୁଣ୍ଡଳ ପ୍ରଭୃତି ଅଳଙ୍କାର ପିନ୍ଧିଲେ ।

 

ବାଟ ହାଟ ଜୂର ତୂର ବାଜେ ଅସଂଖ୍ୟ ।

 

ବିଦୁଷକ କାତ୍ୟାୟନୀ ହୃଷ୍ଟ ଅଲେଖ ॥

।୫୭।

 

 

ବୃନ୍ଦ ବୃନ୍ଦ ହୋଇ ତହିଁ ଜନନୀମାନେ।

 

ବସୁଧାପତି ଦେଖିଲେ ସୁନୁ ସୁମନେ॥

।୫୮।

 

 

ବନଜନାଭ ପଦକୁ ସାର୍ଥ କରଇ ।

 

ବିଲମ୍ବିତ ନାଡ଼ ନାଭିମଣ୍ଡଳେ ଶୋହି ॥

।୫୯।

 

 

ବିଚ୍ଛେଦନ କଲେ ନାଭି ହୃଦୟହୃଦେ।

 

ବିଗ୍ରହ ସୁବାସ ଯେଣୁ କସ୍ତୁରୀ ବନ୍ଦେ ॥

।୬୦।

 

୫୭ଶତ ପଦ–ବିଦୂଷକ–ହାସ୍ୟକାରୀ । ବାତ୍ୟାୟନୀ–ଅର୍ଦ୍ଧବୃଦ୍ଧା, ବିଧବା ସ୍ତ୍ରୀ ।

୫୭ଶତ ପଦ–ଏହି ଉତ୍ସବରେ ବାଟ, ହାଟ ସବୁ ଲୋକାରଣ୍ୟ ହେଲା, ତୁରୀ ପ୍ରଭୃତି ଅସଂଖ୍ୟ ବାଦ୍ୟ ବାଜିଲା, ହାସ୍ୟକାରୀ ଓ ବିଧବା ସ୍ତ୍ରୀମାନେ ଆନନ୍ଦିତ ହେଲେ ।

୫୮ଶତ ପଦ–ସୂନୁ–ପୁତ୍ର ।

୫୮ଶତ ପଦ–ଯେତେବେଳେ ଦଳ ଦଳ ହୋଇ ଅନ୍ୟ ରାଣୀମାନେ ସୂତିକା ଘରେ ରୁଣ୍ଡ ହେଲେ, ସେହି ସମୟରେ ରାଜା ସୂତିକା ଘରେ ଉପସ୍ଥିତ ହୋଇ ଆନନ୍ଦ ମନରେ ପୁତ୍ରଙ୍କୁ ଦେଖିଲେ ।

୫୯ଶତ ପଦ–ବନଜନାଭ–ପଦ୍ମନାଭ(ବିଷ୍ଣୁ) ।

୫୯ତମ ପଦ–ଦଶରଥ ପୁତ୍ରର ନାଭିରୁ ଲମ୍ବିଥିବା ନାଡ଼କୁ ଦେଖି, ବିଷ୍ଣୁଙ୍କର ପଦ୍ମନାଭ ନାମକୁ ସାର୍ଥକ ମନେକଲେ ।(ଅର୍ଥାତ୍ ରାମଙ୍କର ନାଡ଼ ବିଲମ୍ବିତ ନାଭି ମୃନାଳଯୁକ୍ତ ପଦ୍ମ ପରି ଦେଖାଯାଉଥିଲା ।)

୬୦ତମ ପଦ–ବିଗ୍ରହ–ଦେହ ।

୬୦ତମ ପଦ–ଏହି ସମୟରେ ପୁତ୍ରମାନଙ୍କର ନାଡ଼ି ଛେଦନ କରିବାରୁ ସେମାନଙ୍କ ଦେହରୁ କସ୍ତୁରୀର ଗନ୍ଧ ବାହାରିଲା । ତେଣୁ ମନେହେଲା ପୁତ୍ରମାନଙ୍କର ଦେହ ସୌରଭ କସ୍ତୁରୀର ବନ୍ଦନୀୟ (କସ୍ତୁରୀଠାରୁ ଉତ୍କୃଷ୍ଟ) ହୋଇଥିବାରୁ ଦାସୀମାନେ ମୃଗନାଭୀ ଭ୍ରମରେ ଛେଦନ କଲେ କି-?

 

ବ୍ୟକତ ସୂତିକା ଗୃଦ କାରୁଣ୍ୟପୟ ।

 

ବିସ୍ତୀର୍ଣ୍ଣ ଅନନ୍ତ ଶୋଭା ଶଯ୍ୟା ନିଶ୍ଚୟ ॥

।୬୧।

 

 

ବୀଚି ଚନ୍ଦ୍ରାତପ କୁଞ୍ଚାବାସ ରଚଇ ।

 

ବିବେକୀ ଶୁଆଇ ସଦା ନିଦ୍ରା ଚିତୋଇ ॥

।୬୨।

 

 

ବ୍ରୀହି ଆଦି ପଞ୍ଚବୀଜ ପଞ୍ଚୁଆତୀ ଯେ ।

 

ବ୍ୟାନ ସହ ପଞ୍ଚବାୟୁ ତୋଷକ ସେ ଯେ ॥

।୬୩।

 

 

ବନଜିନୀ ଲକ୍ଷ୍ୟ ନାରୀ ଷଷ୍ଠୀଘରକୁ ।

 

ବରାଟକେ ମଣ୍ଡି କଲେ ମନୋହରକୁ ॥

।୬୪।

 

 

ବିଯୋଗ ନିଦ୍ରାରେ କାମମଧୁରେ ବାଦ ।

 

ବିରଚି ଏ ପାଞ୍ଚ ଉଠିଆରି ସମ୍ପାଦ ॥

।୬୫।

 

୬୧ତମ ପଦ–କାରୁଣ୍ୟମୟ–କ୍ଷୀର ସମୁଦ୍ର । ଅନନ୍ତ–ଶେଷଦେବ ।

୬୧ତମ ପଦ–ସୂତିକାଗୃହ କ୍ଷୀରସମୁଦ୍ର ପରି ଓ ସେହି ଗୃହରେ ବିଚ୍ଛାଇ ଦିଆଯାଇଥିବା ଶଯ୍ୟା ବିଷ୍ଣୁଙ୍କର ଅନନ୍ତ ଶଯ୍ୟାପରି ଦେଖାଯାଉଥିଲା ।

୬୨ତମ ପଦ–ବୀଚି–ଲହରୀ । ଚନ୍ଦ୍ରାତପ–ଚାନ୍ଦୁଆ । ବିବେକୀ–ଚତୁରା, ସରସ୍ୱତୀ ।

୬୨ତମ ପଦ–ସେହି ସୂତିକା ଗୃହରେ ବନ୍ଧା ଯାଇଥିବା ଚାନ୍ଦୁଆର (କୁଞ୍ଚାବାସ) ଝାଲରସବୁ କ୍ଷୀର ସମୁଦ୍ରର ଲହରୀପରି ଏବଂ କୁମାରଙ୍କର ପ୍ରବୋଧକାରିଣୀ ଚତୁରା ଦାସୀ ବିଷ୍ଣୁଙ୍କର ପ୍ରବୋଧକାରିଣୀ ସରସ୍ୱତୀଙ୍କ ପରି ଦେଖା ଯାଉଥିଲେ ।

୬୩ତମ ପଦ–ପଞ୍ଚୁଆତି ଦିନ ବୀରି ପ୍ରଭୃତି ପଞ୍ଚଶସ୍ୟ ମିଶ୍ରିତ ଚାଉଳ ଭକ୍ଷଣକାରୀମାନଙ୍କର ପଞ୍ଚପ୍ରାଣକୁ ସନ୍ତୋଷ କଲା ।

୬୪ତମ ପଦ–ବନଜିନୀ–ପଦ୍ନିନୀ । ବରାଟକ–କଉଡ଼ି ।

୬୪ତମ ପଦ–ଷଷ୍ଠଦିନ ଲକ୍ଷେ ପଦ୍ମିନୀ ସ୍ତ୍ରୀ ବହୁସଂଖ୍ୟକ କଉଡ଼ିରେ ଷଷ୍ଠୀଘରକୁ ମଣ୍ଡନ କଲେ ।

୬୫ତମ ପଦ–କାମ–ଇଚ୍ଛା, କନ୍ଦର୍ପ । ମଧୂର–ମଧୁ ରାକ୍ଷସ, ବସନ୍ତକାଳ ।

୬୫ତମ ପଦ–ଭଗବାନ ଯୋଗନିଦ୍ରାରେ ଅଭିଭୂତ ଥିବାବେଳେ ଯେପରି ମଧୁଦୈତ୍ୟସହ ବିବାଦ କରିବା ଇଚ୍ଛା ପୋଷଣ କରି ଉଠିଥିଲେ, ସେହିପରି ଏହି ପୁତ୍ରମାନେ ସୁନ୍ଦରତାରେ କନ୍ଦର୍ପ ଓ ବସନ୍ତକାଳ ସହ ବିବାଦ କରିବାପାଇଁ ସପ୍ତମ ଦିବସରେ ଉଠିଆରୀ କାର୍ଯ୍ୟ ସମ୍ପାଦନ କଲେ ।

 

ବିଂଶ ଏକଦିନେ ଦୋଳିଶୟନ କରି ।

 

ବଟପତ୍ର ପୁଟେ ବାଳ ମୁକୁନ୍ଦ ପରି ॥

।୬୬।

 

 

ବଢ଼ାନ୍ତେ ଯେ ଦଶରଥ ଚାଳନେ କର ।

 

ବାହୁଊର୍ଦ୍ଧ୍ଵେ ମାର୍କଣ୍ଡେୟ ଥିବା ପ୍ରକାର ॥

।୬୭।

 

 

ବ୍ରହ୍ମଋଷି ନାମ ବିହି ଶ୍ରୀରାମ ରାମ ।

 

ବୋଲେ ଚନ୍ଦ୍ର ଭଦ୍ର ହେଉ ଏ ପଛେ ରମ୍ୟ ॥

।୬୮।

 

 

ବଂଶେ ରଘୁ ରାଘବ ଏ ସେ ନାଥ ଭଣି ।

 

ବୋଲାଇବେ ରାବଣାରି ରାଜେନ୍ଦ୍ର ପୁଣି ॥

।୬୯।

 

 

ବପ୍ତା ଦଶରଥ ରାଜା ଯେଣୁ ସ୍ଵଭାବେ ।

 

ବହନ୍ତୁ ଏ ଦାଶରଥି ନାମକୁ ଏବେ ॥

।୭୦।

 

 

ବିହିଲେ ଭରତ ନାମ କୈକେୟୀ ସୁତେ ।

 

ବୋଇଲେ ସଦା ବଞ୍ଚିବ ଏ ଶୁଭରତେ ॥

।୭୧।

 

 

ବେନି ସୁତ ସୁମିତ୍ରାର ଦେଖି ହରଷ ।

 

ବିଚକ୍ଷଣ ଲକ୍ଷଣମାନଙ୍କେ ପ୍ରକାଶ ॥

।୭୨।

 

 

ବହୁ ଲକ୍ଷ୍ମଣ ନାମକୁ ଅଗ୍ରଜ ସୁତ ।

 

ବୋଲିବାର କୁମାର ଏହାକୁ ଉଚିତ ॥

।୭୩।

 

 

ବଡ଼ ଶକ୍ତିମନ୍ତ ନ ଗଣିବ ଆନରେ ।

 

ବୃଦ୍ଧି ହେବ ମେଘନାଦ ତୋଷ ଦାନରେ ॥

।୭୪।

 

୬୬ତମ ପଦ–ବିଷ୍ଣୁ ବଟପତ୍ରରେ ଶୋଇଲାପରି, ଏମାନେ ଏକୋଇଶ ଦିନ ଦୋଳରେ ଶୋଇଲେ ।

୬୭ତମ ପଦ–ଦଶରଥ ସେହି ଦୋଳି ଦୋହଲାଇବା ପାଇଁ ହାତ ବଢ଼ାନ୍ତେ ଊର୍ଦ୍ଧ୍ୱବାହୁ ମାର୍କଣ୍ଡଙ୍କ ପରି ଦେଖାଗଲେ ।

୬୮ତମ ପଦ–ବ୍ରହ୍ମଷି ବଶିଷ୍ଠ ଜ୍ୟେଷ୍ଠ ପୁତ୍ରଙ୍କର ନାମ ଶ୍ରୀରାମ ଓ ରାମ ଦେଇ କହିଲେ, ‘‘ଏହି ନାମ ପଛରେ ଚନ୍ଦ୍ର ଓ ଭଦ୍ର ଶବ୍ଦ ଯୁକ୍ତ ହୋଇ ରମଣୀୟ ହେଉ ଅର୍ଥାତ୍ ଶ୍ରୀ ରାମଚନ୍ଦ୍ର, ରାମଭଦ୍ର, ରାମଚନ୍ଦ୍ର ରାମଭଦ୍ର ହେଉ ଆଉ ମଧ୍ୟ ରଘୁବଂଶରେ ଜନ୍ମ ହୋଇଥିବାରୁ ଏହାଙ୍କର ନାମ ରଘୁନାଥ, ରାଘବ ହେବ । ପରେ ରାବଣକୁ ମାରି ରାବଣର ଏବଂ ରାଜା ହୋଇ ରାଜେନ୍ଦ୍ର ନାମ ଧାରଣ କରିବେ ।’’

୭୦ତମ ପଦ–‘‘ଆଉ ମଧ୍ୟ ଦଶରଥ ଏହାଙ୍କର ପିତା ହୋଇଥିବାରୁ ଏ ଦାଶରଥି ନାମକୁ ଧାର କରନ୍ତୁ ।’’

୭୧ତମ ପଦ–କୈକେୟୀପୁତ୍ରଙ୍କୁ ଦେଖି କହିଲେ, ‘‘ଏ ସଦା ଶୁଭ କାର୍ଯ୍ୟରେ ରତ ହୋଇ ଜୀବନ ଯାତ୍ରା ନିର୍ବାହ କରିବ; ଏଣୁ ଏହାର ନାମ ଭରତ ହେଉ ।’’

୭୨ତମ ପଦ–ମେଘନାଦ–ମୟୁର, ଇନ୍ଦ୍ରଜିତ । ଦାନ–ଦେବା, ଛେଦନ କରିବା ।

୭୪ତମ ପଦ–ବଳକ୍ଷପକ୍ଷ–ଶୁକ୍ଳପକ୍ଷ ।

୭୨ତମରୁ–୭୪ତମ ପଦ–ବଶିଷ୍ଠ ସୁମିତ୍ରାଙ୍କର ପୁତ୍ରଦୁହିଙ୍କୁ ଦେଖି କହିଲେ, ‘‘ଏ ଦୁହିଙ୍କ ମଧ୍ୟରୁ ଜ୍ୟେଷ୍ଠଠାରେ ସ୍ପଷ୍ଟ ଭାବରେ ସୁଲକ୍ଷଣମାନେ ଦେଖା ଯାଉଥିବାରୁ ସେ ଲକ୍ଷ୍ମଣ ନାମରେ ଅଭିହତ ହେଉ, ଆଉ ମଧ୍ୟ ତାହାର ନାମ କୁମାର ହେବା ଉଚିତ । କାରଣ କୁମାର (କାର୍ତ୍ତିକେୟ) ଯେପରି ଶକ୍ତି ଧାରଣ କରି ଅନ୍ୟ ଶକ୍ତିଶାଳୀ ତ୍ରିଭୁବନ ବିଜୟୀ ତାରକ ପ୍ରଭୃତିଙ୍କୁ ଗଣନା କରି ନ ଥିଲେ, ଏ ସେହିପରି ଶକ୍ତି ଧାରଣ କରି ଅନ୍ୟ ବୀରମାନଙ୍କୁ ଗଣନା କରିବେ ନାହିଁ ଏବଂ କାର୍ତ୍ତିକେୟ ଯେପରି ମୟୂରକୁ ସନ୍ତୋଷ ଦାନ କରିବାରେ ବ୍ରତୀ ଅଟନ୍ତି, ଏ ସେହିପରି ‘ମୟୂର’ ଇନ୍ଦ୍ରଜିତକୁ ତୋଷ ଦାନ କରିବେ ଅର୍ଥାତ୍ ତାହାର ଶିର ଛେଦନ କରି ଚିରକାଳକୁ ଶାନ୍ତ କରି ଦେବେ ।’’

 

ବିଶିଷ୍ଟ ଯେଣୁ ଶତ୍ରୁଘ୍ନ ହେବ ସହଜେ ।

 

ବିଦିତ ଏଣୁ ଶତ୍ରୁଘ୍ନ ନାମ ଅନୁଜେ ॥

।୭୫।

 

 

ବିଧାନ ସୁମିତ୍ରାସୁତ ଦୁହେଁ ସୌମିତ୍ରୀ ।

 

ବୋଲାନ୍ତୁ ବୋଲି ବିଗତ ତହୁଁ ସେ ଯତି ॥

।୭୬।

 

 

ବଢ଼ି ସୁତେ ଦିନୁ ଦିନୁ ପ୍ରଭା ଉଦୟେ ।

 

ବଳକ୍ଷପକ୍ଷରେ କଳାକର ପରାୟେ ॥

।୭୭।

 

୭୫ତମ ପଦ–ଲକ୍ଷ୍ମଣଙ୍କର ସାନ ଭାଇଙ୍କୁ ‘‘ଏ ଅତି ସହଜ ଉପାୟରେ ବହୁ ଶତ୍ରୁଙ୍କୁ ନାଶ କରି ଖ୍ୟାତି ଲାଭ କରିବ’’–ଏହା କହ ଶତ୍ରୁଘ୍ନ ନାମ ଦେଲେ ।

୭୬ତମ ପଦ–‘‘ଏ ଦୁହେଁ ସୁମିତ୍ରାଙ୍କଠାରୁ ଜନ୍ମ, ଏଣୁ ସୌମିତ୍ରୀ ନାମ ଧାରଣ କରନ୍ତୁ’’–ଏହା କହ ଋଷି ସେଠାରୁ ପ୍ରସ୍ଥାନ କଲେ ।

୭୭ତମ ପଦ–ପୁତ୍ରମାନେ ଶୁକ୍ଳପକ୍ଷ ଚନ୍ଦ୍ର ପରି ଦିନକୁ ଦିନ ବଳଶାଳୀ ହୋଇ ବଢ଼ିବାକୁ ଲାଗିଲେ ।

 

ବାଡ଼ ଧରି ଉଭା ଶୋଭା କେବା କହିବ ।

 

ବଡ଼କବି ଯହିଁ ଜଡ଼ ହୋଇ ରହିବ ॥

।୭୮।

 

 

ବିହାର ରଚିଲେ କ୍ରମେ କ୍ରମେ ସତ୍ଵରେ ।

 

ବ୍ୟଗ୍ରଗତି ଶିଶୁ ସଙ୍ଗେ ରଙ୍ଗେ ସତ୍ଵରେ ॥

।୭୯।

 

 

ବାଲ୍ୟେ ଜଗତୀ ନୋହେ ବିସୋର ।

 

ବାଲୁକାରେ ସର୍ଜନା ଯେ ସେହି ପ୍ରକାର ॥

।୮୦।

 

 

ବ୍ରତବିଧାନ ସମୟ ତହିଁ ହୋଇଲା ।

 

ବଦ୍ରିକାରେ ନରନାରାୟଣ ଯେ ଲୀଳା ॥

।୮୧।

 

 

ବରହୀ ସ୍ଵତଃ ସୃଷ୍ଟିରେ ଶିଖଣ୍ଡ ଧରେ ।

 

ବାହାରିଲେ ନଗର ଭ୍ରମଣ ଇଚ୍ଛାରେ ॥

।୮୨।

 

୭୮ତମ ପଦ–ପୁତ୍ରମାନେ କାନ୍ଥବାଡ଼ ଧରି ଠିଆ ହେବା ସମୟର ଶୋଭା କିଏ ବର୍ଣ୍ଣନା କରିବ ? ବଡ଼ କବିମାନେ ଅଥବା ‘‘ବଡ଼ କବି’ ବ୍ରହ୍ମା ସୁଦ୍ଧା ଏହା ବର୍ଣ୍ଣି ନ ପାରି ମୂକ ହୋଇ ରହିବେ-

୭୯ତମ ପଦ–ପୁତ୍ରମାନେ କ୍ରମେ କ୍ରମେ ଅନ୍ୟ ଶିଶୁମାନଙ୍କସହ ‘ଚତ୍ୱରେ ଅଗଣାରେ ଗୋଡ଼ିଆ ହୋଇ ଖେଳିବାକୁ ଲାଗିଲେ ।

୮୦ତମ ପଦ–ଜଗତୀ ରଚନା–ସୃଷ୍ଟି ରଚନା ।

୮୦ତମ ପଦ–ଭଗବାନ ବର୍ତ୍ତମାନ ରାମରୂପ ଧାରଣ କରି ବାଳକ ହୋଇଥିଲେ ସୁଦ୍ଧା ବିଷ୍ଣୁ ରୂପରେ ପୂର୍ବେ କରିଥିବା ସୃଷ୍ଟିର ରଚନା କୌଶଳ ଭୁଲି ନ ଥିଲେ । ଯାହାକି ସେ ସେହିପରି ବାଲିରେ ନାନା ପ୍ରକାର ରଚନା କରିବାକୁ ଲାଗିଲେ ।

୮୧ତମ ପଦ–ବଦ୍ରିକାଶ୍ରମରେ ଯେପରି ନର ନାରାୟଣଙ୍କର ଲୀଳା ହୋଇଥିଲା, ସେହିପରି ଉପନୟନ ସମୟ ଉପସ୍ଥିତ ହେବାକୁ ଅଯୋଧ୍ୟାରେ ଲୀଳା ହେଲା ।

୮୨ତମ ପଦ–ବରହୀ–ମୟୂର । ସ୍ୱତଃ–ବିଧାତା ଦତ୍ତ । ସୃଷ୍ଟିରେ–ସଂସାରରେ । ଶିଖଣ୍ଡ–ଚଳ, ଶିଖା(ଚୁଟୀ), ନଗର–ପର୍ବତର, ବୃକ୍ଷର, ସହର । ଅନ୍ୟାର୍ଥରେ–ବର–ଶ୍ରେଷ୍ଠ । ହିଁ ନିଶ୍ଚିତ । ସ୍ୱତଃ–ପ୍ରକୃତରେ ।

୮୨ତମ ପଦ–ଏହି ସଂସାରସ୍ଥ ପ୍ରାଣୀମାନଙ୍କ ମଧ୍ୟରୁ ମୟୂର ଯେପରି ବିଧାତା ଦତ୍ତ ଚୂଳ ଧାରଣ କରି ପର୍ବତ, ବୃକ୍ଷମାନଙ୍କରେ ନିଜ ଇଚ୍ଛାନୁସାରେ ବୁଲେ, ସେହିପରି ଏହି ସଂସାରରେ ସମସ୍ତଙ୍କଠାରୁ ବାସ୍ତବିକ ଉତ୍କୃଷ୍ଟ ଅଟନ୍ତି ଯେଉଁ ବିଷ୍ଣୁ ସେ ଶଖା (କେଶଗୁଚ୍ଛ) ଧାରଣ କରି ଇଚ୍ଛାନୁସାରେ ନଗରରେ ବୁଲିବାକୁ ଲାଗିଲେ (ଉପନୟନ ପରେ ଶିଖା ଧାରଣ ଯାତ୍ରୀଙ୍କର କୁଳାଚାର) ।

 

ବାଳକିଶୋର ଭାବକୁ ପ୍ରକାଶ ତହିଁ ।

 

ବାହଗ୍ରୀବ ହୋଇଥିଲେ ପୂର୍ବରେ ଯେହି ॥

।୮୩।

 

 

ବୃଷ ଧନୁ ଯୁକ୍ତ ରାମଚନ୍ଦ୍ର ସହଜେ ।

 

ବନ୍ଦାରୁ ସେ ଶ୍ରୁତିରୂପ ବିଦ୍ୟାଧର ଯେ ॥

।୮୪।

 

 

ବିନୟୀ ଦାସ ପ୍ରକାରେ ଶାରଦା ଯାର ।

 

ବଣା କେଉଁ ବିଦ୍ୟାଆଦି ସୁମୃତି ସାର ॥

।୮୫।

 

 

ବିଭ୍ରାଣରୁ ଦୁକୁଳ ମନକୁ ଆଣିଲି ।

 

ବଡ଼ ସ୍ନେହ ପୀତାମ୍ବର ନାମେ ଜାଣିଲି ॥

।୮୬।

 

୮୩ତମ ପଦ–ବାହଗ୍ରୀବ–ହୟଗ୍ରୀବ ।

୮୩ତମ ପଦ–ଯେଉଁ ବିଷ୍ଣୁ ପୂର୍ବେ ହୟଗ୍ରୀବ ରୂପକୁ ଧାରଣ କରିଥିଲେ, ସେହି ବିଷ୍ଣୁ ବାଲ୍ୟପରେ କିଶୋର ଅବସ୍ଥାକୁ ପ୍ରକାଶ କଲେ । (ଅର୍ଥାତ୍ ଯେ ଇଚ୍ଛାନୁସାରେ ନାନାରୂପ ଧାରଣ କରି ପାରନ୍ତି, ସେ ରାମରୂପ ଧାରଣ କରି ବାଲ୍ୟାବସ୍ଥାରୁ କିଶୋର ଅବସ୍ଥାକୁ ପ୍ରାପ୍ତ ହେଲେ)

୮୪ତମ ପଦ–ବୃକ୍ଷ–ବୃକ୍ଷରାଶି, ଶ୍ରେଷ୍ଠ । ଧନୁଯୁକ୍ତ–ଧନୁରାଶିଯୁକ୍ତ, ଧନୁର୍ଦ୍ଧାରୀ । ରାମଚନ୍ଦ୍ର ମନେହର ଚନ୍ଦ୍ର । ଶ୍ରୁତ–ଦେବ । ବନ୍ଦାରୁ–ବନ୍ଦନୀୟ, ବିଦ୍ୟାଧର–ଦେବତା ବିଶେଷ, ବିଦ୍ୟାଭ୍ୟାସୀ ।

୮୪ତମ ପଦ–ମନୋହର ଚନ୍ଦ୍ର ଯେଉଁପରି ବୃଷରାଶି କିମ୍ବା ଧନୁରାଶି ସହ ଅନାୟାସରେ ଯୁକ୍ତ ହୁଅନ୍ତି, ସେହିପରି ସର୍ବଜନ ବନ୍ଦନୀୟ ରାମ ଅନାୟାସରେ ଅତି ଉତ୍କୃଷ୍ଟ ଧନୁ ଧାରଣ କରି,(ଧନୁ ବିଦ୍ୟା ଶେଷ କରି) ଦେବ ବିଦ୍ୟାକୁ ଧାରଣ କଲେ ଅର୍ଥାତ୍ ଦେବ ପଢ଼ା ଆରମ୍ଭ କଲେ ।

୮୫ତମ ପଦ–ଶାରଦା–ସରସ୍ୱତୀ । ସୁମୃତିସାର–ସ୍ମୃତିଶ୍ରେଷ୍ଠ ।

୮୫ତମ ପଦ–ସରସ୍ୱତୀ ବିନୀତା ଦାସୀ ପରି ସବୁବେଳେ ଯାହାଙ୍କ ନିକଟରେ ରହିଅଛନ୍ତି, ସେ ମନୁ ପ୍ରଭୃତି ଶାସ୍ତ୍ର ବିଦ୍ୟାରେ କାହିଁକି ବା ବଣାହେବେ ?

୮୬ତମ ପଦ–ରାମଚନ୍ଦ୍ର ପୀତବସ୍ତ୍ର ପରିଧାନ କରୁଥିବାରୁ ଜଣାଯାଏ, ତାଙ୍କର ପୀତବସ୍ତ୍ରରେ ଅଧିକ ଅଧିକ ସ୍ନେହ ଅଛି । ସୁତରାଂ କୌଣସି ଅବତାରେ ମଧ୍ୟ ତାହାକୁ ତ୍ୟାଗ କରୁନାହାନ୍ତି ।

 

ବିସୋର ନୋହି କୃପଣ ଧନର ଭାବ ।

 

ବପ୍ତା ମାତାମାନଙ୍କର ମାନସୁଁ ଲବ ॥

।୮୭।

 

 

ବଡ଼ କି ଏ ନଗର ଜନଙ୍କ ଏ ଭାବ ।

 

ବଖାଣି ହୋଇଲେ ଏକା ସେହି ପ୍ରସ୍ତାବ ॥

।୮୮।

 

 

ବର୍ଦ୍ଧିତ ସେ ବାଣିଜ୍ୟ ଧନର ପ୍ରକାର ।

 

ବିଦେଶେ ହୋଇଲା ଦିନୁଁ ଦିନୁଁ ପ୍ରଚାର ॥

।୮୯।

 

 

ବଳୀବର୍ଦ୍ଦ ଯହିଁ ଜନମୁଖ ହୋଇଲେ ।

 

ବିକ୍ରୟ ସ୍ଥାନ ସ୍ଥାନକେ ବହି ସେ କଲେ ॥

।୯୦।

 

 

ବାତ୍ସଲ୍ୟ ରସବର୍ଣ୍ଣନେ ରାମଭଦ୍ରର ।

 

ବଚନ ମନ ପବିତ୍ର ହୋଇଲା ମୋର ॥

।୯୧।

 

 

ବୀରବର ଉପଇନ୍ଦ୍ର ଭଞ୍ଜ ମୋ ନାମ ।

 

ବୟାଣୋଇ ପଦେ କଲି ଏ ଛାନ୍ଦ ରମ୍ୟ ॥

।୯୨।

 

୮୭ତମ ପଦ–କୃପଣ ଯେପରି ଧନ ସଞ୍ଚୟ କରିବାକୁ କ୍ଷଣେ ମାତ୍ର ପାସୋରେ ନାହିଁ, ସେହିପରି ପିତାମାତା ଦଣ୍ଡେମାତ୍ର ତାହାଙ୍କୁ ମନରୁ ଅନ୍ତର କରୁ ନ ଥିଲେ ।

୮୮ତମ ପଦ–ଅଯୋଧ୍ୟାର ଲୋକମାନେ ‘ଏହି ଜଗତରେ ସବୁଗୁଣରେ ବଡ଼ କିଏ ?’ ଏହି ପ୍ରଶ୍ନ ନିଜ ନିଜ ମଧ୍ୟରେ ଉଠାଇ ରାମଙ୍କ ନାମ ପ୍ରସ୍ତାବ କରିବାକୁ ଲାଗିଲେ । (ଅର୍ଥାତ୍ ରାମ ସମସ୍ତଙ୍କଠାରୁ ବଡ଼ ବୋଲି ସ୍ଥିର କଲେ) ।

୮୯ତମ ପଦ–ବାଣିଜ୍ୟରେ ଧନ ଲଗାଇଲେ ତାହା ଯେପରି ଦିନକୁଦିନ ବଢ଼େ, ସେହିପରି ଏହି ପ୍ରସ୍ତାବ ଦିନୁ ଦିନୁ ବିଦେଶରେ ବ୍ୟାପିଲା ।

୯୦ତମ ପଦ–ବେପାରୀ ଯେପରି ଜିନିଷପତ୍ର ବଳଦ ଉପରେ ଲଦି ସ୍ଥାନାନ୍ତରକୁ ନେଇ ବିକ୍ରୟ କରେ, ସେହିପରି ଲୋକମାନଙ୍କର ମୁଖରୂପ ବଳଦ ଏହି ପ୍ରସ୍ତାବକୁ ବୋହି ନେଇ ନାନା ସ୍ଥାନରେ ବିକ୍ରୟ କଲା । (ଅର୍ଥାତ୍ ଏହା ବାର୍ତ୍ତା ଲୋକମାନେ ସବୁଆଡ଼େ କହି ବୁଲିଲେ) ।

୯୧ତମ ଓ ୯୨ତମ ପଦ–ରାମଚନ୍ଦ୍ରଙ୍କର ବାତ୍ସଲ୍ୟରସ ବର୍ଣ୍ଣନା କରି ମୋର ମନ ଓ ବଚନ ପବିତ୍ର ହେଲା । ମୋର ନାମ ଉପେନ୍ଦ୍ର ଭଞ୍ଜ, ଏ ଛାନ୍ଦକୁ ବୟାଣୋଇ ପଦରେ ପୂର୍ଣ୍ଣ କଲି ।

 

Unknown

ଷଷ୍ଠ ଛାନ୍ଦ

(ରାଗ–ମାଳବ ରୋଢ଼ାବାଣୀ)

ବୁଧେ ସାବଧାନେ ଏହୁ ଗୀତର

ବାକଚାତୁରୀକି ବିଚାର କର

 

ବିଶୁଦ୍ଧ ସିଦ୍ଧବନେ ମୁନିଯାଗ

ବିସିଦ୍ଧ କରଣେ ରାକ୍ଷସବର୍ଗ

।୧।

 

 

 

 

 

ବିଦିତ ହୋଇ ସୁବାହୁ ମାରୀଚେ

ବଚନ ଶୂନ୍ୟରୁ ଶୁଭିଲା ଉଚ୍ଚେ

 

ବିକୁକ୍ଷବଂଶେ ଜାତ ରାମ ଆଣ

ବୈବସ୍ଵତ ଏ ଗଣେ ତା ମାର୍ଗଣ

।୨।

 

 

 

 

 

ବିଶ୍ଵାମିତ୍ର ଶୁଣି ଉଠି ଗମିଲେ

ବେଗେ କୋଶଳ ଦେଶ ସେ ଦେଖିଲେ

 

ବାରସ୍ଵତୀ ଛବି ଅଯୋଧ୍ୟା ପୁରୀ

ବ୍ରହ୍ମ ଆକାରବନ୍ତ ଯେଣୁ ଧରି

।୩।

 

 

 

 

 

ବରଣେ ଶୋଭା ଦିବ୍ୟ କନ୍ୟା ପରି

ବର ଖୋଜୁଅଛି ସମାନ କରି

 

ବହିଅଛି ପୁଣି ସୁମନ ମାଳା

ବିପଞ୍ଚିବାଦିନୀ ଆଳୀରେ ମେଳା

।୪।

 

 

 

 

 

ବିରଳ ମୁଖର–ଡିଣ୍ଡିମ ଶୁଭେ

ବିମୋହିତ କରେ ଜଗତ ଶୁଭ୍ରେ

 

ବହୁମୂଲ୍ୟ ବାସ ଅଙ୍ଗୀକାରୀ ସେ

ବିହେ ନୃପର ମୋଦକୁ ବିଶେଷେ

।୫।

 

୧ମ ପଦ–ବିସିଦ୍ଧକରଣ–ବିଘ୍ନକରିବାକୁ ।

୨ୟ ପଦ–ବିକୁକ୍ଷି ବଂଶ–ସୂର୍ଯ୍ୟବଂଶ । ବୈବସ୍ୱତ–ଯମ । ମାର୍ଗଣ–ଶର ।

୧ମ ଓ ୨ୟ ପଦ–ହେ ପଣ୍ଡିତଗଣ ! ସାବଧାନ ହୋଇ ଏହି ଗୀତରେ ଥିବା ବଚନ ଚାତୁରୀକୁ ବିଚାର କରନ୍ତୁ । ଋଷିମାନେ ପବିତ୍ର ସିଦ୍ଧବନରେ ଯଜ୍ଞ କରୁଥିବା ସମୟରେ ସୁବାହୁ, ମାରୀଚ ପ୍ରଭୃତି ଖ୍ୟାନାମା ରାକ୍ଷସମାନେ ସେଠାରେ ପହଞ୍ଚି ବିଘ୍ନ କରିବାକୁ ଲାଗିଲେ । ଏହି ସମୟରେ ଶୂନ୍ୟବାଣୀ ହେଲା, ‘ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିବା ରାମଚନ୍ଦ୍ରଙ୍କୁ ଏଠାକୁ ଆଣ; ତାଙ୍କର ବାଣ ଏମାନଙ୍କର ଯମ ଅଟେ ।’(ଅର୍ଥାତ୍ ତାଙ୍କର ବାଣର ଆଘାତରେ ଏମାନେ ମରିବେ) ।

୩ୟ ପଦ–ବାରସ୍ୱତୀ–ବ୍ରହ୍ମଲୋକ ।

୩ୟ ପଦ–ବିଶ୍ୱାମିତ୍ର ସେହି ବାଣୀ ଶୁଣିବା ସଙ୍ଗେ ସଙ୍ଗେ ଉଠି କୋଶଳ ଦେଶକୁ ଗମନ କଲେ । ସେ କୋଶଳର ରାଜଧାନୀ ଅଯୋଧ୍ୟାରେ ପହଞ୍ଚି ଦେଖିଲେ ଯେ, ସେହି ପୁରୀ ବ୍ରହ୍ମଲୋକର ଶୋଭା ଧାରଣ କରିଅଛି, କାରଣ ନିଜେ ବ୍ରହ୍ମ ସେଠାରେ ଶରୀର ଧାରଣ କରିଅଛନ୍ତି-

୪ର୍ଥ ପଦ–ବରଣ–ବରଣ କରିବା, ପ୍ରାଚୀର (ବାଡ଼ା) । ଦିବ୍ୟ–ଅପୂର୍ବ । ସୁମନମାଳା–ବରଣ ପୁଷ୍ପମାଳା (ପଣ୍ଡିତ ସମୂହ) । ବିପଞ୍ଚିବାଦିନୀ–ବାଣୀବାଦିନୀ, ବୀଣାଜିତ କଣ୍ଠି । ଆଳୀ–ସଖୀ-

୪ର୍ଥ ଓ ୫ମ ପଦ–ଆଉ ମଧ୍ୟ ବିଶ୍ୱାମିତ୍ର ସେହି ନଗରୀକୁ ଦେଖି ସ୍ୱୟଂବର ସଭାସ୍ଥିତ ଗୋଟିଏ ସ୍ୱୟଂବର କନ୍ୟା ବୋଲି ଭାବିଲେ । କାରଣ ସ୍ୱୟଂବର କନ୍ୟା ଯେପରି ଅପୂର୍ବ ବେଶ ଧାରଣ କରି ବୀଣାଜିଣା କଣ୍ଠୀ ସଖିମାନଙ୍କ ସହ ବରଣ ଫୁଲମାଳ ହାତରେ ଧରି, ନିଜ ସମାନ ବର ଖୋଜି ବୁଲୁଥାଏ ଏବଂ ଶୁଭବାଦ୍ୟ ସେହି ସଭା ସ୍ଥଳରେ ବାଜୁଥାଏ ଅଥବା ହୁଳହୁଳି ପଡ଼ୁଥାଏ, ସେହି ସ୍ଥାନସ୍ଥ ଶୁଭ୍ର ସଭାମଣ୍ଡପ ବହୁମୂଲ୍ୟ ବସ୍ତ୍ରରେ (ଚାନ୍ଦୁଆ ପ୍ରଭୃତିରେ) ଅଚ୍ଛାବିତ ହୋଇ ଦର୍ଶକମାନଙ୍କର ମନ ଓ ନିମନ୍ତ୍ରିତ ରାଜାମାନଙ୍କର ମନକୁ ଆନନ୍ଦିତ କରୁଥାଏ; ସେହିପରି ଏହି ନଗରୀ ପ୍ରାଚୀର ପରିବେଷ୍ଟିତା ହୋଇ ବୀଣା ବାଦ୍ୟନିପୁଣା ସ୍ତ୍ରୀମାନଙ୍କ ସହ ମିଳି, ପଣ୍ଡିତମାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇ, ନିଜର ଅନୁରୂପ ବର ରାମଚନ୍ଦ୍ରଙ୍କୁ ଖୋଜୁଛି ଅର୍ଥାତ୍ ତାହାଙ୍କର ରାଜତ୍ୱ ସମୟକୁ ଚାହିଁ ରହିଛି ଏବଂ ଏହାର ମଧ୍ୟଭାଗ ଅନବରତ ମଙ୍ଗଳବାଦ୍ୟ ନାଦରେ ସଂସାରସ୍ଥ ଲୋକମାନଙ୍କୁ ବିମୋହିତ କରି ବହୁମୂଲ୍ୟ ପକ୍‌କାଘର ଓ ପଟ୍ଟବସ୍ତ୍ର ପ୍ରଭୃତିରେ ପୂର୍ଣ୍ଣହୋଇ ଅର୍ଥାତ୍ ଅତ୍ୟନ୍ତ ସମୃଦ୍ଧି ଶାଳିନୀ ହୋଇ ରାଜା ଦଶରଥଙ୍କର ଆନନ୍ଦ ବର୍ଦ୍ଧନ କରୁଅଛି ।

 

ବିଷ୍ଣୁ ପରାୟେ ଲକ୍ଷ୍ମୀ ଆଲିଙ୍ଗନ

ବିହାର ଚତୁର କରେ ରଞ୍ଜନ

 

ବିନାୟକରେ ସଦା ଯୁକ୍ତ ସେହି

ବହୁଳ ଭକ୍ତଭାବ ଖ୍ୟାତ ଯହିଁ

।୬।

 

 

 

 

 

ବାସ୍ତବ୍ୟ ଆପଣ ପରା କେ ଅଛି

ବଇଲେ ପଦାର୍ଥ ନ ତୁଟେ କିଛି

 

ବଣିଜାର ହସ୍ତ ସ୍ଵର୍ଗ ପ୍ରତୀତି

ବିଶ୍ଵାବସୁ ଛନ୍ତି ସବୁ ଜାଣନ୍ତି

।୭।

 

 

 

 

 

ବନ୍ଧୁକୁମୁଦର କି ତନ୍ତୁବାୟ

ବିଶଦ ନୀଳ ଅମ୍ବର ଉଦୟ

 

ବଜ୍ରନିକର ଜାହ୍ନବୀ ଲକ୍ଷଣେ

ବିଶୁଦ୍ଧ ପୟ ଉଦୟ କାରଣେ

।୮।

 

 

 

 

 

ବଣିକ ପସରା କି କଇଳାସ

ବିରାଜେ ଶିବା କପର୍ଦ୍ଦୀ ଆଶ୍ଳେଷ

 

ବଳିସଦ୍ମ ପରା ନାଗରେ ଚାରୁ

ବ୍ୟୋମା କି ଚନ୍ଦ୍ର ତାରାଳି ସଙ୍ଗରୁ

।୯।

 

 

 

 

 

ବାରିଧିକୁମାରୀ ପରି ମାଳିନୀ

ବିସ୍ତାରି ସୁମନା–ଭଦ୍ର ଶ୍ରୀଦାନୀ

 

ବେଷ୍ଟନେ ପାତ୍ରଗଣ ସାବଧାନେ

ବସେ କଂସାରି ରାଜନ ଯେସନେ

।୧୦।

 

୬ଷ୍ଠ ପଦ–ଲକ୍ଷ୍ମୀ–ଲକ୍ଷ୍ମୀଦେବୀ, ସମ୍ପତ୍ତି । କର–ହସ୍ତ, ପୁରୁଷ । ବିନାୟକ–ଗରୁଡ଼, ବିଶିଷ୍ଟ ଲୋକ । ଭକ୍ତ–ଭକ୍ତଲୋକ, ଭାତ ।

୬ଷ୍ଠ ପଦ–ଆଉ ମଧ୍ୟ ନଗରୀକୁ ‘ବିଷ୍ଣୁକି ?’ ବୋଲି ମନେକଲେ, କାରଣ, ବିଷ୍ଣୁ ଯେପରି ଲକ୍ଷ୍ମୀଙ୍କୁ ଆଲିଙ୍ଗନ କରନ୍ତି, ଚତୁର୍ଭୁଜ ଧାରଣା କରି ଗରୁଡ଼ ଉପରେ ବିହାର କରନ୍ତି ଏବଂ ଭକ୍ତମାନଙ୍କ ନିକଟରେ ନିଜର ମନୋଗତ ଭାବ ପ୍ରକାଶ କରିଥାନ୍ତି; ସେହିପରି ଏହି ନଗରୀ ସମ୍ପତ୍ତିକୁ ଆଲିଙ୍ଗନ କରିଅଛି (ଅର୍ଥାତ୍ ବହୁ ଧନରେ ପୂର୍ଣ୍ଣ ହୋଇଅଛି) । ଅନେକ ଚତୁରଲୋକ ଏଠାରେ ବିହାର କରୁଅଛନ୍ତି, ଏହା ବିଶିଷ୍ଟ ଲୋକମାନଙ୍କଦ୍ୱାରା ପୂର୍ଣ୍ଣ ହୋଇ ଖ୍ୟାତ ହୋଇଅଛି ଏବଂ ପ୍ରଚୁର ଅନ୍ନଦାନ ଏଠାରେ ହେଉଅଛି ।

୭ମ ପଦ–ଆପଣ–ଦୋକାନ । ବଣିଜାର–ବଣିକ । ବିଶ୍ୱାବସୁ–ଗନ୍ଧର୍ବ, ବିଶ୍ୱା ପ୍ରଭୃତି ପରିମାପକ ଚିହ୍ନ ।

୭ମ ପଦ–ବାସ୍ତବିକ୍ ଅଯୋଧ୍ୟାର ଦୋକାନମାନଙ୍କ ପରି ଦୋକାନ ଅନ୍ୟ କୌଣସିଠାରେ ନାହିଁ, କାରଣ ଦୋକାନୀମାନେ ଯେତେ ପଦାର୍ଥ ବିକ୍ରୟ କଲେ ମଧ୍ୟ ଦୋକାନରୁ ପଦାର୍ଥ ଶେଷ ହେଉ ନାହିଁ ଏବଂ ଦୋକାନୀମାନଙ୍କ ହାତକୁ ଦେଖିଲେ ତାହା ସ୍ୱର୍ଗପରି ବୋଧ ହେଉଛି । ଯେହେତୁ ସ୍ୱର୍ଗରେ ବିଶ୍ୱାବସୁ ପ୍ରଭୃତି ଗନ୍ଧର୍ବମାନେ ସବୁବେଳେ ବାସ କଲାପରି ସେମାନଙ୍କ ହାତରେ ବିଶ୍ୱା ପ୍ରଭୃତି (ଧନ ଦ୍ରବ୍ୟ ଓଜନ କରିବାପାଇଁ) ବଟକରା ସର୍ବଦା ରହିଅଛି ।

୮ମ ପଦ–କୁମୁଦର ବନ୍ଧୁ–ଚନ୍ଦ୍ର । ତନ୍ତୁକାୟ–ତନ୍ତୀ । ବିଶଦ–ବିସ୍ତୀର୍ଣ୍ଣ, ଶୁଭ୍ର । ଅମ୍ବର–ଆକାଶ, ବସ୍ତ୍ର । ବଜ୍ରନିକର–ଗଉଡ଼ମାନେ । ଜାହ୍ନବୀ–ଗଙ୍ଗା । ପୟ–ଜଳ, ଦୁଧ ।

୮ମ ପଦ–ସେଠାକାର ତନ୍ତୀମାନଙ୍କୁ ଦେଖି ଚନ୍ଦ୍ର ବୋଲି ମନେକଲେ କାରଣ, ଚନ୍ଦ୍ର ଯେପରି ବିସ୍ତୀର୍ଣ୍ଣ ନୀଳ ଆକାଶରେ ଉଦୟ ହୁଅନ୍ତି; ତନ୍ତୀମାନେ ସେହିପରି ଶୁକ୍ଳ ଓ ନୀଳ ବସ୍ତ୍ର ବୁଣୁଥିବେ । ଗୌଡ଼ମାନଙ୍କୁ ମଧ୍ୟ ଗଙ୍ଗାନଦୀ ତୁଲ୍ୟ ମନେକଲେ, ଗଙ୍ଗା ନଦୀରୁ ଯେପରି ବିଶୁଦ୍ଧ ଜଳ ମିଳେ; ଏମାନଙ୍କଠାରୁ ସେହିପରି ଖାଣ୍ଟି ଦୁଧମିଳେ ।

୯ମ ପଦ–ଉମା–ହଳଦୀ, ହରିଡ଼ା । କପର୍ଦ୍ଦୀ–ଶିବ, କଉଡ଼ି । ବଳିସଦୃ–ପାତାଳ । ନାଗରେ–ସାପରେ, ଶୁଣ୍ଠୀରେ–ସଂସାରେ । ଚନ୍ଦ୍ର–କର୍ପୂର, ସୁବର୍ଣ୍ଣ । ତାରାଳି–ତାରାସମୂହ, ଶୁଦ୍ଧ ମୁକ୍ତା ସମୂହ ।

୯ମ ପଦ–ବେପାରୀମାନଙ୍କ ପସରାକୁ ଦେଖି କୈଳାସ ପର୍ବତ ବୋଲି ମନେକଲେ । କାରଣ ସେହି ପର୍ବତରେ ଶିବ ପାର୍ବତୀଙ୍କୁ ଆଳିଙ୍ଗନ କରି ବିରାଜିତ ହୋଇଥାନ୍ତି । ଏଠାରେ କଉଡ଼ି ଓ ହରିଡ଼ା ଏକତ୍ର ଜମା ହୋଇଅଛନ୍ତି । ଆଉ ମଧ୍ୟ ପାତଳ ବୋଲି ଭାବିଲେ, ଯେହେତୁ ସେଠାରେ ବହୁତ ନାଗସାପ ଥାନ୍ତି, ଏଠାରେ ମଧ୍ୟ ବହୁତ ଶୁଣ୍ଠି ଜମା ହୋଇଅଛି ଅଥବା ସୀଂସା ରଖାଯାଇଅଛି-। ଆକାଶ ଲୋଇ ମଧ୍ୟ ମନେକଲେ, ଯେହେତୁ ଆକାଶ ତାରାବଳିରେ ମଣ୍ଡିତ ହେଲା ପରି ପସରାରେ ବହୁତ ମୁକ୍ତା ରଖାଯାଇ ଅଛି ।

୧୦ମ ପଦ–ବାରିଧି କୁମାରୀ–ଲକ୍ଷ୍ମୀ । ସୁମନା–ଇଚ୍ଛାବତୀ ସ୍ତ୍ରୀ, ମାଳତୀ ପୁଷ୍ପ । ଭଦ୍ର–ଚନ୍ଦନ । ସୁମନା ଭଦ୍ର–ଦେବଶ୍ରେଷ୍ଠ । ଶ୍ରୀଦାରୀ–ସୌନ୍ଦର୍ଯ୍ୟ ଦାସୀ । ପାତ୍ରଗଣ–କଂସାତାଟିଆ ପ୍ରଭୃତି, ମନ୍ତ୍ରୀସମୂହ ।

୧୦ମ ପଦ–ପୁଷ୍ପ, ଚନ୍ଦନ ଓ କର୍ପୂର ପ୍ରଭୃତି ଦେଉଥିବା ମାଲୁଣୀମାନଙ୍କୁ ଦେବ ଶ୍ରେଷ୍ଠ ବିଷ୍ଣୁଙ୍କର ଶୋଭା ବୃଦ୍ଧିକାରିଣୀ ଲକ୍ଷ୍ମୀ ଓ କଂସାଲୋଟା ପ୍ରଭୃତି ବାସନ ପରିବେଷ୍ଟିତ କଂସାରୀମାନଙ୍କୁ ମନ୍ତ୍ରୀଗଣ ପରିବେଷ୍ଟିତ ରାଜାପରି ମନେକଲେ ।

 

ବିଲୋକି ବିଲୋକି ମୁନି ଯେ ଗଲେ

ବାରଣରିପୁଦ୍ଵାରେ ଯାଇଁ ହେଲେ

 

ବେତ୍ରହସ୍ତ ପ୍ରତିହାରୀ ଜଣାଇ

ବିରାଟ ଶ୍ରେଷ୍ଠଙ୍କୁ ଭେଟାଇ ନେଇ

।୧୧।

 

 

 

 

 

ବ୍ରହ୍ମାଙ୍କୁ ଇନ୍ଦ୍ର ସ୍ତୁତି କଲାପରି

ବିନୟୀ ଦଶରଥ ଦଣ୍ଡଧାରୀ ।

 

ବେଦାନ୍ତକାରୀ ସାବିତ୍ରୀ ସେବନ

ବିଶେଷ ନେତ୍ର ସୁଖଦ ବିଜନ

।୧୨।

 

 

 

 

 

ବନବାସୀ ବରସଭା ଲୋକିତ

ବରାହମୂର୍ତ୍ତି କି ଜ୍ୟାବାଳୀ ଯୁକ୍ତ ।

 

ବାମଦେବ ଘେନି କୈଳାସ ସ୍ଥାନ

ବେଦ କି ସୁମନ୍ତ୍ରରେ ବିଦ୍ୟମାନ

।୧୩।

 

 

 

 

 

ବଶିଷ୍ଠ ପୁଚ୍ଛେ କିମର୍ଥେ ଆଗତ

ବ୍ୟକତ କଲେ ଗାଧିରାଜ ସୁତ ।

 

ବୃତ୍ତ ରାକ୍ଷସେ ହୋଇ କ୍ରତୁକୃତେ

ବିଧ୍ଵଂସି ସୁନ୍ଦ ଉପସୁନ୍ଦ ସୁତେ

।୧୪।

 

 

 

 

 

ବିହାୟସୁଁ ରାମବାଣୀ ଶ୍ରବଣ

ବଧି ରକ୍ଷଗଣ ହେବ ରକ୍ଷଣ ।

 

ବଦାନ୍ୟ ଏ ରାଜା ଧର୍ମେ ଉଦ୍‌ବେଗୀ

ବିଷେ ଏ ଆସିଛୁଁ ରାମକୁ ମାଗି

।୧୫।

 

୧୧ଶ ପଦ–କାରଣ ରିପୁଦ୍ୱାର–ସିଂହଦ୍ୱାର । ବିରାଟଶ୍ରେଷ୍ଠ–କ୍ଷତ୍ରିୟ ଶ୍ରେଷ୍ଠ ।

୧୧ଶ ପଦ–ବିଶ୍ୱାମିତ୍ର ଏହିପରି ଦେଖି ଯାଉଁ ଯାଉଁ ରାଜାଙ୍କର ସିଂହଦ୍ୱାରରେ ପ୍ରବେଶ ହେଲେ । ବେତ୍ରହସ୍ତ ପ୍ରତିହାରୀ ରାଜାଙ୍କୁ ଜଣାଇ ତାଙ୍କ ନିକଟରେ ଋଷିଙ୍କୁ ଉପସ୍ଥିତ କରାଇଲା ।

୧୨ଶ ପଦ–ବିଶେଷ ନେତ୍ର–ବହୁ ନେତ୍ର । ସୁଖଦ–ସୁଖଦାତା । ଅନ୍ୟତ୍ର–ବିଶେଷ ନେତ୍ର-। ସୁଖଦ–ନୟନାଭିରାମ (ସର୍ବଜନ ଦର୍ଶନୀୟ) । ବିଜନ–ଏକାନ୍ତ ।

୧୨ଶ ପଦ–ସହସ୍ରଲୋଚନଧାରୀ ସମସ୍ତଙ୍କର ସୁଖଦାତା ଇନ୍ଦ୍ର ଏକାନ୍ତରେ ବିନୟୀ ହୋଇ ବେଦର ଉଦ୍ଭବକର୍ତ୍ତା ସାବିତ୍ରୀଦେବୀଙ୍କଦ୍ୱାରା ସେବିତ ବ୍ରହ୍ମାଙ୍କୁ ସ୍ତୁତି କଲା ପରି, ସର୍ବଜନ ଦର୍ଶନୀୟ (ରାଜା ଓ ସୁନ୍ଦର ହେତୁ) ଶାସନକର୍ତ୍ତା ଦଶରଥ ଏକାନ୍ତରେ ବିନୟୀ ହୋଇ ବେଦାନ୍ତଶାସ୍ତ୍ରକର୍ତ୍ତା ସାବିତ୍ରୀ ମନ୍ତ୍ରୋପାସକ ବିଶ୍ୱାମିତ୍ରଙ୍କୁ ସ୍ତୁତି କରିଥିଲେ ।

୧୩ଶ ପଦ–ବନବାସୀ–ଋଷି(ବିଶ୍ୱାମିତ୍ର) । ଜ୍ୟାବାଳି–ପୃଥ୍ୱୀଦେବୀ, ଦଶରଥଙ୍କର ମନ୍ତ୍ରୀ । ବାମଦେବ–ଶିବ, ଅନ୍ୟମନ୍ତ୍ରୀ । ସୁମନ୍ତ୍ର–ଉତ୍ତମ ମନ୍ତ୍ର, ଅପର ମନ୍ତ୍ରୀ ।

୧୩ଶ ପଦ–ବିଶ୍ୱାମିତ୍ର ରାଜାଙ୍କର ବିରାଟ ସଭାକୁ ଦେଖି ଏହା ବରାହ ମୂର୍ତ୍ତି, କୈଳାସ ପର୍ବତ ଓ ବେଦର ସମକକ୍ଷ ବୋଲି ମନେକରିଥିଲେ । କାରଣ–ବରାହ ମୂର୍ତ୍ତିରେ ପୃଥିବୀ, କୈଳାସରେ ଶିବ ଏବଂ ବେଦରେ ଉତ୍ତମ ମନ୍ତ୍ରମାନେ ଥିଲାପରି, ଏହି ସଭାରେ ଜାବାଳି, ବାମଦେବ ଓ ସୁମନ୍ତ ପ୍ରଭୃତି ମନ୍ତ୍ରୀମାନେ ଉପସ୍ଥିତ ହୋଇ ଅଛନ୍ତି ।

୧୪ଶ-୧୫ଶ ପଦ–ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ଆଗମନରେ କାରଣ ପଚାରିବାରୁ ସେ କହିଲେ, ‘‘ସୁନ୍ଦ ଉପସନ୍ଦ ଏହି ଦୁଇ ରାକ୍ଷସଙ୍କର ପୁତ୍ର ସୁବାହୁ ଓ ମାରୀଚ ଅନ୍ୟାନ୍ୟ ରାକ୍ଷସମାନଙ୍କ ସହ ଆସି, ମୋର ଯୋଗ ଧ୍ଵଂସ କରିବା ସମୟରେ ଆକାଶରୁ ଶୁଣାଗଲା ରାମଙ୍କୁ ଆଣ, ସେ ଏହି ରାକ୍ଷସମାନଙ୍କୁ ମାରି ଯାଗରକ୍ଷା କରିବେ । ଏହି ରାଜା ଅତିଶୟ ଧାର୍ମିକ ଓ ଦାତା ଅଟନ୍ତି, ଏଣୁ ରାମଙ୍କୁ ମାଗିବାକୁ ଆସିଅଛି ।’’

 

ବଜ୍ରୀ ହେଉଛ ମୁନି ! ରାଜା କହି

ବସୁଧାଭୃତ ତ ସ୍ଵଭାବେ ମୁହିଁ

ବଚ–ଦମ୍ଭୋଳି ମାରି ଦମ୍ଭ–ଶୃଙ୍ଗ

ବିନା ଅପରାଧେ କରୁଛ ଭଙ୍ଗ

।୧୬।

 

 

 

 

ବାଟୀ କ୍ରୀଡ଼ାକୁ ଛାଡ଼ି ନାହିଁ ଯେହି

ବାଣ ଧନୁ ଯେ କାଂଶିକାରେ ବହି

ବେଶ୍ମେ ରହିବାକୁ ଏକା ଡରଇ

ବାଣ୍ଟମନେଦୈତ୍ୟ ନାଶିବ କେହି

।୧୭।

 

 

 

 

ବୋଲ ମୁଁ ସୈନ୍ୟ ସଜ କରି ଯିବି

ବାଦ ଗଚି ତୁମ୍ଭ ଯାଗ ରଖିବି

ବୁଝିଛି ଯୋଦ୍ଧାପଣ ମୁନି ଭଣି

ବାମା କବଚ କି କରିବୁ ପୁଣି

।୧୮।

 

 

 

 

ବାଳକ ନ ବୋଲ ରାମଙ୍କୁ ତୁହି

ବହ୍ନି କ୍ଷୁଦ୍ର ଭସ୍ମ ଆଚ୍ଛନ୍ନେ ଥାଇ

ବଢ଼ାଏ ପ୍ରଭା ସେ ପାଇ ଇନ୍ଧନ

ବଧିବେ ଦୈତ୍ୟ ଶଲଭ ଯେସନ

।୧୯।

 

 

 

 

ବାମନ କେଡ଼େ ବଳୀ ଅଧୋଗତି

ବିଚାରିଛନ୍ତି ବିଚାର ତୋ ମତି

ବିଷ୍ଣୁ ସେ ବୋଇଲେ ଅଜନନ୍ଦନ

ବୋଲେ ଋଷି ଏବେ ମନରେ ଘେନ

।୨୦।

 

୧୬ଶ ପଦ–ବଜ୍ରୀ–ଇନ୍ଦ୍ର । ବସୁଧାଭୃତ–ରାଜା, ସର୍ବତ । ଦମ୍ଭୋଳି–ବଜ୍ର ।

୧୬ଶ ପଦ–ଏହା ଶୁଣି ଦଶରଥ କହିଲେ, ‘‘ହେ ମୁନି ! ମୁଁ ପ୍ରକୃତରେ ରାଜାଅଟେ; ଇନ୍ଦ୍ରଙ୍କ ପରି ଆପଣ ମୋତେ ପର୍ବତ ବୋଲି ଭାବି ବିନା ଅପରାଧରେ ବଚନରୂପ ବଜ୍ର ମାରି ମୋର ଧୈର୍ଯ୍ୟରୂପ ଶୃଙ୍ଗକୁ ଚୂନା କରୁଛନ୍ତି । (ଇନ୍ଦ୍ର ବଜ୍ର ମାରି ପର୍ବତମାନଙ୍କର ପକ୍ଷ ଛେଦନ କରିଥିଲେ)।

୧୭ଶ ପଦ–ବାଟୀକ୍ରୀଡ଼ା–ଗୋଲି ଖେଳ । କାଂଶିକା–କାଇଁଶ । ବେଶ୍ମ–ଘର । ବାଣ୍ଟ–ବିଚାର ।

୧୭ଶ ପଦ–ପୁନର୍ବାର ରାଜା କହିଲେ, ‘‘ସେ ଏ ପର୍ଯ୍ୟନ୍ତ ବାଟୀ ଖେଳ ନାହିଁ, କାଇଁଶର ଧନୁଶର ଧରି ବୁଲୁଛି ଏବଂ ଏକାକୀ ଘରେ ରହିବାକୁ ଡରୁଛି; ସେ କିପରି ଅସୁରଙ୍କୁ ମାରିବ ? ଏହା ବିଚାର କର ।’’

୧୮ଶ ପଦ–ବାମା କବଚ–ସ୍ତ୍ରୀ ରକ୍ଷିତ ।

୧୮ଶ ପଦ–ପୁଣି କହିଲେ, ‘‘ଆପଣ କହିଲେ ମୁଁ ସେନାସହ ଯାଇ ରାକ୍ଷସମାନଙ୍କ ସଙ୍ଗରେ ଯୁଦ୍ଧ କରି ଯାଗ ରକ୍ଷା କରିବି ।’’ ଏହା ଶୁଣି ଋଷି କହିଲେ, ‘‘ମୁଁ ତୁମ୍ଭର ଯୋଦ୍ଧାପଣ ଭଲ କରି ଜାଣେ । ତୁମ୍ଭେ ବାମା–କବଚ ଅଟ ।

୧୯ଶ ପଦ–ବହ୍ନି କ୍ଷୁଦ୍ର–ଅଗ୍ନି କଣା । ଭସ୍ମ–ପାଉଁଶ । ଇନ୍ଧନ–କାଷ୍ଠ । ଶଲଭ–ପତଙ୍ଗ ।

୧୯ଶ ପଦ–‘‘ହେ ରାଜା ! ତୁମ୍ଭେ ରାମଙ୍କୁ ବାଳକ ମନେ କରନାହିଁ । ଅଗ୍ନିକଣା ଯେପରି ପାଉଁଶ ଭିତରେ ରହିଥାଏ, ମାତ୍ର କାଠ ପାଇଲେ ନିଜର ତେଜକୁ ବଢ଼ାଇ ପତଙ୍ଗମାନଙ୍କୁ ନାଶ କରେ, ସେହିପରି ରାମ ରାକ୍ଷସମାନଙ୍କୁ ନାଶ କରିବେ ।’’

୨୦ଶ ପଦ–‘‘ହେ ରାଜା ! ତୁମ୍ଭେ ବିଚାରକର । ବାମନ କେଡ଼େ ଛୋଟ, ସେ ପୁଣି ବଳିକୁ ପାତାଳରେ ଚାପିଲେ ।’’ ଏହା ଶୁଣି ଦଶରଥ କହିଲେ, ‘‘ସେ ବିଷ୍ଣୁ ।’’ ଋଷୀ କହିଲେ, ‘‘ତାଙ୍କୁ ଓ ଏହାଙ୍କୁ ଏକ ବୋଲି ଜାଣ ଅର୍ଥାତ ଏ ସେହି ବିଷ୍ଣୁ ।’’

 

ବ୍ୟୁତ୍ପତ୍ତି କର ଯେ ଉତ୍ପତ୍ତି ହୋଇ

ବନପତି ଶିଶୁ ଗଜ ମାରଇ

 

ବାର ବରଷର କ୍ଷତ୍ରିୟ ସୁତ

ବ୍ୟାଜ ନ କରି ରାମ ଦେ ତ୍ଵରିତ

।୨୧।

 

 

 

 

 

ବୋଲୁଁ କଉଶିକ ରାଘବ ଆସି

ବେହରଣ ସିନ୍ଧୁରେ ଯାଏ ଦିଶି

 

ବୀଚିର ଲୀଳାରେ ମହାରଞ୍ଜନ

ବ୍ୟଥିତ ତିମିରେ ଗ୍ରସ୍ତ ରାଜନ

।୨୨।

 

 

 

 

 

ବିବେକ ସ୍ଵୟମ୍ଭୁ ଆତ୍ମଭୁ ଚିତ୍ତେ

ବିଧାନ ମୁନି ରାମର ଉଚିତେ

 

ବସେ ମାନ୍ୟ କରି ଆଶିଷ ପାଇ

ବୋଲ ରାମ ଯାଉ କୌଶିକ କହି

।୨୩।

 

 

 

 

 

ବାଚଂଯଯଭୂତି ନୃପ ପାଇଲେ

ବାହୁଳ ପ୍ରାୟେ ତପସ୍ଵୀ ଜଳିଲେ

 

ବିରୋଚନ ଏ ବଶିଷ୍ଠ ମନକୁ

ବୋଇଲେ ଏ ଋଷି ନେଉ ରାମକୁ

।୨୪।

 

 

 

 

 

ବକ୍ରବିକାରରୁ ନୃପର ଘେନି

ବାହାରିଲେ ରାମ ଲକ୍ଷ୍ମଣ ବେନି

 

ବିଳମ୍ବ ନ କରି ସରଯୂ ପାରି

ବିଗମ୍ୟ ଅରଣ୍ୟ ମଧ୍ୟେ ବିହରି

।୨୫।

 

 

 

 

 

ବୋଲାଇ ତାମସୀ ଯେ ସେ ବାହାର

ବଢ଼ାଇ ଦେଇ ସନ୍ଧ୍ୟାଛଳେ କର

 

ବାରୁଣୀ କୁଣ୍ଡେ ବୁଡ଼ାଇ ଈନକୁ

ବିନାଶ କରିବା ଇଚ୍ଛି ଦିନକୁ

।୨୬।

 

 

 

 

 

ବାଳ ଧରି କିବା ନେଇ ଆକର୍ଷି

ବାୟସଚୟ ଯିବା ତଥା ଦିଶି

 

ବୋବିଦେଲା ପକ୍ଷିନାଦ ଛଳର

ବଦନେ କାଳି ପଡ଼ିଲା ଦିଗର

।୨୭।

 

୨୧ଶ ପଦ–ବ୍ୟୁତ୍ପତ୍ତି କର–ଜ୍ଞାନ କର (ହେଜ) । ବନପତି ଶିଶୁ–ସିଂହ ଛୁଆ । ବ୍ୟାଜ–କପଟ ।

୨୧ଶ ପଦ–‘ସିଂହ ଛୁଆ ଜନ୍ମ ହେବାର ଅଳ୍ପଦିନ ପରେ ହାତୀକୁ ମାରେ, ଏହି କଥା ମନରେ ହେଜ । ଅତଏବ ବାର ବରଷର କ୍ଷତ୍ରୀୟ ପୁତ୍ର ରାମଙ୍କୁ ସାଧାରଣ ବାଳକ ତୁଲ୍ୟ ନ ଭାବି କପଟ ତେଜି, ଶୀଘ୍ର ଦିଅ ।

୨୨ଶ ପଦ–କଉଶିକ–ବିଶ୍ୱାମିତ୍ର । ଭାବକୁ–ରାମ, ରାଘବ ମାଛ । ସିନ୍ଧୁ–ସମୁଦ୍ର । ବୀଚିର–ଲହରୀ,ଅଲକ୍ଷଣ । ଜମିର–ଅନ୍ଧକାର, ତିମି ମାଛର ।

୨୨ଶ ପଦ–ବିଶ୍ୱାମିତ୍ର ଏହିପରି କହୁ କହୁ ରାଘବ ମାଛ ସମୁଦ୍ରରେ ଦେଖା ଦେଲାପରି ସମୁଦ୍ର ତୁଲ୍ୟ ଅତିବିସ୍ତୀର୍ଣ୍ଣ ଦେହରଣ ମଣ୍ଡପ ଉପରେ ରାମଚନ୍ଦ୍ର ଦେଖାଦେଲେ । ରାଘବ ଲହରୀରେ ଖେଳି ବୁଡ଼ିଗଲେ ତିମିମାଛ (ତାହାର ଖାଦ୍ୟ) ଯେପରି ଦୁଃଖଗ୍ରସ୍ତ ହୁଏ; ସେହିପରି ଦଶରଥ ଦେହରଣ ମଣ୍ଡପ ଉପରେ କ୍ରୀଡ଼ା କରୁଥିବା ରାମଙ୍କୁ ଦେଖି ‘ତିମିରଗ୍ରସ୍ତ’ ଘୋର ଅନ୍ଧକାର ନିପତିତ ଲୋକ ପରି ଦୁଃଖ ଅନୁଭବ କଲେ ।

୨୩ଶ ପଦ–ବିବେକ–ବିଚାରିଲେ (ମନେକଲେ) । ସ୍ୱୟଂଭୁ–ବ୍ରହ୍ମା । ଆତ୍ମଭୁ–କନ୍ଦର୍ପ ।

୨୩ଶ ପଦ–ରାମଚନ୍ଦ୍ର ମୁନିଙ୍କୁ ବ୍ରହ୍ମ ଓ ମୁନି ରାମଙ୍କୁ କନ୍ଦର୍ପ ବୋଲି ମନେକଲେ । ରାମ ମୁନିଙ୍କୁ ଯଥୋଚିତ ମାନ୍ୟ କରି ଆଶୀର୍ବାଦ ପାଇ ବସିଲେ ଏବଂ ବିଶ୍ୱାମିତ୍ର ରାମଙ୍କୁ ସଙ୍ଗରେ ନେଇ ଯିବାପାଇ ଅନୁମତି ମାଗିଲେ ।

୨୪ଶ ପଦ–ବାଚଂଯମଭୁତି–ମୌନୀ, ତୁନୀ । ବାହୁଳ–ଅଗ୍ନି । ବିରୋଚନ–ଅରୁଚିକର ।

୨୪ଶ ପଦ–ବିଶ୍ୱାମିତ୍ରଙ୍କ କଥା ଶୁଣି ରାଜା ତୁନି ହୋଇ ରହିଲେ । ଋଷି କ୍ରୋଧରେ ଅଗ୍ନିପରି ଜଳି ଉଠିଲେ । ରାଜାଙ୍କର ଏପରି ଆଚରଣ ବଶିଷ୍ଠଙ୍କୁ ଭଲ ନ ଲାଗିବାରୁ, ‘ରାମଙ୍କୁ ବିଶ୍ୱାମିତ୍ର ନିଅନ୍ତୁ’ ବୋଲି ରାଜାଙ୍କୁ କହିଲେ ।

୨୫ଶ ପଦ–ବକ୍ରବିକାର–ମୁଖ ଭଙ୍ଗୀ । ବିଗମ୍ୟ–ଅଗମ୍ୟ ।

୨୫ଶ ପଦ–ବଶିଷ୍ଠଙ୍କ କଥାରେ ରାଜା ସ୍ୱୀକାର କରିବାର ତାଙ୍କ ମୁଖ ଭଙ୍ଗିରୁ ଜାଣିପାରି ବିଶ୍ୱାମିତ୍ର ରାମ, ଲକ୍ଷ୍ମଣ ଦୁହିଙ୍କୁ ସଙ୍ଗରେ ଘେନି ବାହାରିଲେ ଏବଂ ଅଳ୍ପ ସମୟ ମଧ୍ୟରେ ସରଯୂ ନଦୀ ପାରହୋଇ ଅଗମ୍ୟ ଜଙ୍ଗଲରେ ପ୍ରବେଶ କଲେ ।

୨୬ଶ ପଦ–ତାମସୀ–ରାତ୍ରି । ବାରୁଣୀକୁଣ୍ଡ–ପଶ୍ଚିମଦିଗ ରୂପ କୁଣ୍ଡ । ଈନ–ସୂର୍ଯ୍ୟ ।

୨୬ଶ ପଦ–ଏହି ସମୟରେ ରାତ୍ରି ସନ୍ଧ୍ୟା ଛଳରେ ହାତ ବଢ଼ାଇ ସୂର୍ଯ୍ୟଙ୍କୁ ଧରି ପଶ୍ଚିମ ଦିଗ ରୂପ କୁଣ୍ଡରେ ବୁଡ଼ାଇ ଦିନକୁ ନାଶ କରିବାକୁ ଇଚ୍ଛା କଲା (ଅର୍ଥାତ୍ ସୂର୍ଯ୍ୟ ଅସ୍ତହେବାରୁ ସନ୍ଧ୍ୟାକାଳ ଉପସ୍ଥିତ ହେଲା)।

୨୭ଶ ପଦ–ବାୟସଚୟ–କାକସମୂହ ।

୨୭ଶ ପଦ–କାକମାନେ ରାବ ଦେଇ ନିଜ ନିଜର ବସାକୁ ଉଡ଼ିଯିବାକୁ ଲାଗିଲେ । ସେମାନଙ୍କୁ ଦେଖି ମନେହେଲା, ରାତ୍ରି ଦିବସର ବାୟସ୍ୱରୂପ କେଶକୁ ଟାଣି ତାକୁ ବାହାର କରି ଦେଉଥିବାରୁ ସେ କାନ୍ଦୁଛିକି ? ତତ୍ପରେ ଅନ୍ଧାର ଚତୁର୍ଦ୍ଦିଗରେ ବ୍ୟାପିଗଲା । ତାହା ଦେଖି ମନେହେଲା, ଦିବସ ଏହିପରି ଭାବରେ ବିତାଡ଼ିତ ହେବାର ଦିଗମାନଙ୍କ ମୁଖ କଳା ପଡ଼ିଗଲାକି ?

 

ବିକଟ କାଳକୁ ଯହୁଁ ଦର୍ଶନ

ବୁଡ଼ିଲା ପଦ୍ମିନୀ ପଦ୍ମ ନୟନ

 

ବସା ତେଜି ନିଶାଚର ପ୍ରକଟ

ବର୍ଜି ତର୍ଜି କଲେ ହୁଁ ହୁଁ ହୁଁ ରଟ

।୨୮।

 

 

 

 

 

ବିରସ ତେଜି ବାହାର ଭୁଜଙ୍ଗେ

ବିକୃତ ଭୟଙ୍କର ହେଲା ତୁଙ୍ଗେ ।

 

ବେନି ଭ୍ରାତା ମୁନି ସକାଳେ ରହି

ବଞ୍ଚିଲେ ପ୍ରଭାତ ପ୍ରବେଶ ହୋଇ

।୨୯।

 

 

 

 

 

ବାସବଦିଗ ଅଭ୍ରମୁକରିଣୀ

ବ୍ୟଜନ କଲା ରକ୍ତ ପିଣ୍ଡ ଜାଣି ।

 

ବିମ୍ଵ ସବିତାର ଦିଶି ଆସିଲା

ବିଞ୍ଚେ କର୍ଣ୍ଣେ ଶୀତ ବାତ ସେ ହେଲା

।୩୦।

 

୨୮ଶ ପଦ–ବିକଟ–ଭୟଙ୍କର । ପଦ୍ମିନୀ–ପଦ୍ମଲତା ।

୨୮ଶ ପଦ–ଏହିପରି ଭୟଙ୍କର କାଳକୁ ଦେଖି ପଦ୍ମିନୀ ତାହାର ପଦ୍ମରୂପ ଆଖିକୁ ବୁଜି ଦେଲା (ଅର୍ଥାତ ପଦ୍ମ ଫୁଲଗୁଡ଼ିକ ମୁଦି ହୋଇଗଲେ) ଏବଂ ପେଚା ପ୍ରଭୃତି ଜୀବମାନେ ବସା ତ୍ୟାଗକରି ଗୁପ୍ତ ଭାବରେ ବାହାରି ହୁଁ ହୁଁ ଶବ୍ଦ ପ୍ରକାଶ କଲେ ।

୨୯ଶ ପଦ–ଭୁଜଙ୍ଗେ–ସାପମାନେ, ଜାରପୁରୁଷମାନେ । ତୁଙ୍ଗ–ଅତିଶୟ ।

୨୯ଶ ପଦ–ଏହି ସମୟରେ ସାପମାନେ ଆନନ୍ଦରେ ବାହାରିଲେ । ବନସ୍ଥଳୀ ବିକୃତାକାର ଧାରଣ କରି ଅତିଶୟ ଭୟଙ୍କର ବୋଧହେଲା । ରାମ ଓ ଲକ୍ଷ୍ମଣ ଦୁଇ ଭାଇ ବିଶ୍ୱାମିତ୍ରଙ୍କ ସହ ସେହି ଜଙ୍ଗଲ ମଧ୍ୟରେ ରହି ରାତ୍ରି ଯାପନ କଲେ । ପରେ ପ୍ରଭାତ ହେଲା ।

୩୦ଶ ପଦ–ବାସବଦିଗ ଅଭ୍ରମୁ କରିଣୀ–ପୂର୍ବଦିଗର ଅଭ୍ରମୂନାମକ ହସ୍ତିନୀ (ଐରାବତର ସ୍ତ୍ରୀ)। ସବିତା–ସୂର୍ଯ୍ୟ । ବିମ୍ବ–ମଣ୍ଡଳ ।

୩୦ଶ ପଦ–ସୂର୍ଯ୍ୟ ମଣ୍ଡଳ ଦେଖାଦେଲା ଅର୍ଥାତ୍ ସୂର୍ଯ୍ୟ ଉଇଁବାକୁ ଲାଗିଲେ ଓ ଶୀତଳ ପବନ ବହିଲା । ଏହା ଦେଖି ଦର୍ଶକର ମନେହେଲା ପୂର୍ବଦିଗର ହସ୍ତିନୀ ଅଭ୍ରମୂ ରକ୍ତ ପିଣ୍ଡ ଜନ୍ମ କରି ବିଞ୍ଚିଛିକି ? ଏଠାରେ ସୂର୍ଯ୍ୟ, ରକ୍ତ ପିଣ୍ଡ ଓ ପ୍ରଭାତ ବାୟୁ ହସ୍ତିନୀର କର୍ଣ୍ଣ ସଞ୍ଚାଳନ ବାୟୁ ରୂପରେ ଉତ୍‌ପ୍ରେକ୍ଷିତ ହେଲା । (ହାତୀ ପ୍ରଥମେ ରକ୍ତ ପିଣ୍ଡ ଜନ୍ମକରି ପରେ ତାକୁ କାନରେ ବିଞ୍ଚି ଶାବକ ବାହାର କରେ।)

 

ବିଚ୍ଛେଦନ କରି ତମକୁ କି ସେ

ବିଲେପିତ ଚକ୍ର ରକତ ବଶେ

 

ବଞ୍ଚିଲେ ଭୟେ ଲୁଚି ରାତ୍ରିଚର

ବିନାଶକାଳ ଆରମ୍ଭ ଆମ୍ଭର

।୩୧।

 

 

 

 

 

ବର୍ଣ୍ଣନା ସିଦ୍ଧିକି ଆଣିଲା ସେହି

ବିଶ୍ଵାମିତ୍ର ରାମଚନ୍ଦ୍ରଙ୍କୁ କହି ।

 

ବାବୁ ଏ ବନେ ତାଡ଼କା ନିବାସ

ବାଟ ଭାଙ୍ଗିଯିବା ବିହିବ ତ୍ରାସ

।୩୨।

 

 

 

 

 

ବୋଲେ ରାମ ଏକ ରାକ୍ଷସୀ ଡରେ

ବାଟ ଭାଙ୍ଗି ଗଲେ ବହୁତ ବୀରେ ।

 

ବାଦୀ ହେବା କେହି ମୁଖ ରକ୍ଷଣେ

ବୋଲିଣ ଆଗ ହୋଇଲେ ଆପଣେ

।୩୩।

 

 

 

 

 

ବିଶ୍ଵାମିତ୍ର ମଧ୍ୟେ ପଛେ ଲକ୍ଷ୍ମଣ

ବିପିନ ଦେଖନ୍ତି ଅତି ଭୀଷଣ ।

 

ବିରୋଚନକର ପଶଇ ନାହିଁ

ବିଭାବରୀ ସ୍ଥାନ ସର୍ବଦା ସେହି

।୩୪।

 

 

 

 

 

ବାଚକ ଏ ଘେନି ପେଚକପନ୍ତି

ବିଲୋକନ ନୋହେ ମେଚକକାନ୍ତି।

 

ବିନୋଦ ସ୍ଵଚ୍ଛେ କରନ୍ତି ଗଣ୍ଡକ

ବଲ୍ମୀକ ବିଦାରୁଛନ୍ତି ଭଲ୍ଲୁକ

।୩୫।

 

୩୧ଶ ପଦ–ତମ–ଅନ୍ଧକାର, ରାହୁ । ରାତ୍ରିଚର–ପେଚା ପ୍ରଭୃତି, ରାକ୍ଷସ । ବିନାଶକାଳ–ମରଣସମୟ, ଲୁଚିବା ସମୟ । ଚକ୍ର–ମଣ୍ଡଳ, ସୁଦର୍ଶନଚକ୍ର ।

୩୧ଶ ପଦ–‘‘ସୁଦର୍ଶନ ଚକ୍ର ରାହୁର ଶିରଃଚ୍ଛେଦନ କରି ରକ୍ତ ଜର୍ଜରିତ ହୋଇଅଛି, ଅତଏବ ଆମ୍ଭମାନଙ୍କର ମରଣକାଳ ଉପସ୍ଥିତ ହେଲା’’ ଏହା ଭାବି ରାକ୍ଷସମାନେ ଭୟରେ ଲୁଚିଲେ-। ଅଥବା, ପେଚା ପ୍ରଭୃତି ରାତ୍ରଚରମାନେ ଭାବିଲେ, ଏହି ‘ଚକ୍ର’ ସୂର୍ଯ୍ୟମଣ୍ଡଳରୂପ ଚକ୍ର ଅନ୍ଧକାରକୁ ଚ୍ଛେଦନ କରି ରକ୍ତବର୍ଣ୍ଣ ହୋଇଅଛି । (ଅର୍ଥାତ୍ ଅନ୍ଧାର ପରେ ଆଲୋକ ଆସିବାର ସୂଚନା ଦେଉଛି) ଅତଏବ ଆମ୍ଭମାନଙ୍କର ଲୁଚିବା ସମୟ ହେଲା,–ଏହା ଭାବି ଦିବାଚରମାନଙ୍କୁ ଭୟ କରି ଲୁଚିଲେ-

୩୨ଶ ପଦ–ଏହିପରି ପ୍ରଭାତ ବର୍ଣ୍ଣନା ଶେଷ ହେଲା । ପ୍ରଭାତ ହେବାରୁ ବିଶ୍ୱାମିତ୍ର ରାମକୁ କହିଲେ, ‘‘ବାବୁ, ଏହି ବନରେ ତାଡ଼କା ବାସକରେ, ଚାଲ ବାଟ ଭାଙ୍ଗି ଯିବା । ନ ହେଲେ ସେ ଆମ୍ଭକୁ ଭୟ ଦେଖାଇବ ।’’

୩୩ଶ ପଦ–ଏହା ଶୁଣି ରାମଚନ୍ଦ୍ର କହିଲେ, ‘‘ଅନେକ ବୀର ଏହି ରାକ୍ଷସୀ ଗୋଟାକୁ ଭୟ କରି ବାଟ ଭାଙ୍ଗି ଗଲେଣି । ଆମେ ଯଦି ବାଟ ଭାଙ୍ଗି ଯିବା, ତେବେ ବହୁତ ରାକ୍ଷସଙ୍କୁ ସଙ୍ଗେ ବିବାଦୀ ହୋଇ ଯାଗ ରକ୍ଷାକରିବା କିପରି ? ଏହା କହି ସେ ନିଜେ ଆଗୁଆ ହେଲେ ।

୩୪ଶ ପଦ–ବିରୋଚନକର–ସୂର୍ଯ୍ୟକିରଣ । ବିଭାବରୀ–ରାତ୍ରି ।

୩୪ଶ ପଦ–ବିଶ୍ୱାମିତ୍ର ମଧ୍ୟରେ ଓ ଲକ୍ଷ୍ମଣ ପଛରେ ରହିଗଲେ-। ସେହି ଜଙ୍ଗଲ ଅତି ଭୟଙ୍କର ଦେଖାଯାଉଥିଲା । କାରଣ–ସେହି ଜଙ୍ଗଲରେ କେବେ ହେଲେ ସୂର୍ଯ୍ୟକିରଣ ପଡ଼େ ନାହିଁ-। ଏଣୁ ରାତ୍ରି ସବୁବେଳେ ସେଠାରେ ବସି ରହିଥାଏ । (ଅର୍ଥାତ୍ ବୃକ୍ଷ ଗହଳ ହେତୁ ସର୍ବଦା ଅନ୍ଧାର ଘୋଟି ରହିଥାଏ)।

୩୫ଶ ପଦ–ବାଚକ–କଥକ । ମେଚକ କାନ୍ତି–କାଳିଆ ଜିନିଷସବୁ । ବିନୋଦ–କ୍ରୀଡ଼ା । ବଲ୍ମୀକ–ଉଇ ହୁଙ୍କା ।

୩୫ଶ ପଦ–ସେହି ବନ ସର୍ବଦା ଅନ୍ଧକାରଛନ୍ନ ହୋଇଥିବାରୁ ଦିନରାତି ପେଚାମାନେ ବୋବାଉଛନ୍ତି, କାଳିଆ ପଦାର୍ଥ ସବୁ ବାରି ହେଉ ନାହି, ଗଣ୍ଡାମାନେ ସ୍ୱଚ୍ଛନ୍ଦରେ କ୍ରୀଡ଼ା କରୁଛନ୍ତି ଓ ଭାଲୁମାନେ ଉଇହୁଙ୍କା ବିଦାରୁଛନ୍ତି ।

 

ବରାହ ପ୍ରତୀତି ସ୍ଵନରୁ ଜାଣି

ବିଡ଼ାଳଆଦି ଦୀପ୍ତାକ୍ଷରୁ ଆଣି

 

ବାରି ହୋଏ ଗଜ ଦଶନ ଘେନି

ବଢ଼ାନ୍ତେ ପାଦ ନ ଦିଶେ ଅବନୀ

।୩୬।

 

 

 

 

 

ବୃକ୍ଷ ବଲ୍ଲୀ ପତ୍ର ଘଞ୍ଚରୁ କରି

ବାୟୁ ଯେ ମଶକ ମଶାରି ସରି

 

ବିଚାରି ରାଘବ ରାକ୍ଷସୀ ଆସୁ

ବିଧାନ ଗୁଣ ଟଙ୍କାର ଏ ବଶୁଁ

।୩୭।

 

 

 

 

 

ବଜ୍ର ଉପରେ କି ବଜ୍ର ପଡ଼ିଲା

ବିଶ୍ରାମସ୍ଥାନ ତାଡ଼କା ଛାଡ଼ିଲା

 

ବିକ୍ରମି ଆସିଲା ମନରୁ ବେଗେ

ବଡ଼ମେଘଖଣ୍ଡ କି ବାୟୁ ଯୋଗେ

।୩୮।

 

 

 

 

 

ବିଳ ପରା ନାସା ସର୍ପ ଫୁତ୍କାର

ବାତହିଁ ବହୁଛି ନିଶ୍ଵାସ ତାର

 

ବସୁନ୍ଧରାଧର ଶୃଙ୍ଗ କି ହନୁ

ବହେ କି ଝର ଝାଳ ତଥା ତନୁ

।୩୯।

 

 

 

 

 

ବିସ୍ତୃତ ମୁଖ ଗହ୍ଵର ସଦୃଶ

ବ୍ୟାଘ୍ର କଲା ପ୍ରାୟ ସେ ମଧ୍ୟେ ଘୋଷ

 

ବିସ୍ତାରେ ରେ ରେ କାର ଶୁଭୁଅଛି

ବହ୍ନିଯୋଗ ପ୍ରାୟ ଜିହ୍ଵା ଜଳୁଛି

।୪୦।

 

୩୬ଶ ପଦ–ସ୍ୱନରୁ–ଶବ୍ଦରୁ । ଦଶନ–ଦାନ୍ତ । ଦୀପ୍ତାକ୍ଷ–ଉଜ୍ଜ୍ୱଳ ଚକ୍ଷୁ । ଅବନ୍ତୀ–ପୃଥିବୀ ।

୩୭ଶ ପଦ–ବୃକ୍ଷବଲ୍ଲୀ–ଗଛଲତା ।

୩୬ଶ, ୩୭ଶ ପଦ–ଶବ୍ଦଦ୍ୱାରା ବରାହ, ଆକ୍ଷିର ତେଜଦ୍ୱାରା ବିରାଡ଼ି ପ୍ରଭୃତି ହିଂସ୍ରଜନ୍ତୁମାନେ ଓ ଦାନ୍ତକୁ ଦେଖି (ସେ ଉଜ୍ଜ୍ୱଳ ଦେଖାଯାଇଥିବାରୁ ହାତୀ ଚିହ୍ନା ଯାଉଅଛନ୍ତି । ପାଦ ପକାଇବାକୁ ସ୍ଥାନ ଦେଖା ଯାଉନାହିଁ) ବୃକ୍ଷଲତାମାନଙ୍କର ପତ୍ରଦ୍ୱାରା ସେହି ବନ ଏପରି ଆଚ୍ଛାଦିତ ହୋଇଛି ଯେ, ମଶା ଯେପରି ମଶାରୀରେ ପଶି ପାରେ ନାହିଁ, ସେହିପରି ବାୟୁ ତାହା ମଧ୍ୟରେ ପ୍ରବେଶ କରିପାରୁ ନାହିଁ । ତାଡ଼କା ଆସୁ, ଏହା ଭାବି ରାମ ଧନୁରେ ଗୁଣ ଦେଇ ଟଙ୍କାର କରିବାକୁ ଲାଗିଲେ ।

୩୮ଶ ପଦ–ତାଡ଼କା ସେହି ଶବ୍ଦ ଶୁଣି, ବଜ୍ର ଉପରେ ବଜ୍ର ପଡ଼ିଲା ବୋଲି ଭାବି ନିଜର ରହିବା ସ୍ଥାନ ଛାଡ଼ି ମନଠାରୁ ଅଧିକ ବେଗରେ ଦୌଡ଼ି ଆସିଲା । ସେହି ସମୟରେ ତାକୁ ଦେଖି ମନେହେଲା, ଖଣ୍ଡେ ବଡ଼ ମେଘ ପବନ ବେଗରେ ଭାସି ଆସୁଛିକି ?

୩୯ଶ ପଦ–ବିଳ–ଗାତ । ଫୁତ୍କାର–ଫୁଉଁ ଫୁଉଁ ଶବ୍ଦ । ବାତ–ପବନ । ବସୁନ୍ଧରାଧର–ପର୍ବତ । ହନୁ–ଗାଲ । ତନୁ–ଦେହ ।

୩୯ଶ ପଦ–ତା’ର ନାକ ଦୁଇ ଗୋଟା ବଡ଼ ବଡ଼ ଗାତ ପରି ଦେଖାଯାଉଥିଲା ଓ ସେଥିରୁ ସାପ ଫୁଁ ଫୁଁ କଲାପରି ଫୁଁ ଫୁଁ ଶବ୍ଦ ସହ ନିଶ୍ୱାସ ବାୟୁ ବହୁଥିଲା । ତା’ର ଗାଲ ଦୁଇଟା ପର୍ବତ ଶୃଙ୍ଗପରି ଦେଖାଯାଉଥିଲା ଓ ଦେହରୁ ଝରଣା ପରି ଝାଳ ବହୁଥିଲା ।

୪୦ଶ ପଦ–ଗହର–ଗୁମ୍ଫା । ଘୋଷ–ଶବ୍ଦ । ବହ୍ନିଯୋଗପରି–ନିଆଁ ଜଳିଲା ପରି ।

୪୦ଶ ପଦ–ତାର ମୁଖ ଗୋଟାଏ ଗୁମ୍ଫା ପରି ହୋଇଅଛି ଓ ବାଘ ଗର୍ଜନ କଲାପରି ସେହି ମୁଖ ମଧ୍ୟରୁ ଅତି ଦୀର୍ଘ ରେ ରେ କାର ଶବ୍ଦ ଶୁଣାଯାଉଛି । ତାର ଜିଭରେ ନିଆଁ ଜଳୁଥିବା ପରି ଦେଖାଯାଉଛି ।

 

ବିବତ୍ସରୂପା ଆସି ପରବେଶ

ବୃକ୍ଷ ପ୍ରହାରେ ବହି ମହାରୋଷ

 

ବୋଇଲା ମୋ ଦାନ୍ତ ଲାଙ୍ଗଳ ଈଶ

ବିପ୍ର ତୁମ୍ଭେ ହେବ କରିବି ଚାଷ

।୪୧।

 

 

 

 

 

ବ୍ୟାନ ସହ ପ୍ରାଣ କର୍କଟ ବତ

ବାହାରି ହୋଇବେ ମନ୍ଦ ଆୟତ୍ତ

 

ବୋଲି ସେ ତଳ ଉଞ୍ଚାଇବା ବେଳେ

ବିଧୁ ଅର୍ଦ୍ଧଶର ପ୍ରୟୋଗ କଲେ

।୪୨।

 

 

 

 

 

ବିଶାଳ ତୁଙ୍ଗ ଶାଳ ମହୀରୂହ

ବିଚ୍ଛେଦିଲା ପ୍ରାୟ ପଡ଼ିଲା ଦେହ

 

ବାହାର ତହୁଁ ଦିବ୍ୟ ରୂପ ହେଲା

ବିମାନ ଆରୋହି ସ୍ଵର୍ଗକୁ ଗଲା

।୪୩।

 

 

 

 

 

ବୃଷ୍ଟି କଲେ ପୁଷ୍ପ ବାଦ୍ୟ ବଜାଇ

ବିବୁଧ ନିକର ଆକାଶେ ରହି

 

ବନ ଯେ କାଳିକା ଦେବୀ ଆକାର

ବାହୁରୁ ତାଡ଼ କି ଭାଙ୍ଗିଲା ତାର

।୪୪।

 

 

 

 

 

ବେଦ ବଂଶର ବିନାଶ ଉଦ୍‌ବେଗ

ବିଧ୍ଵଂସି ଦୈତ୍ୟ ରଖିବ ମୋ ଯାଗ

 

ବିଗଳିତ ତାପ ହୋଇଲି ଆଗ

ବୃଜିନୀ ଗଲା ବରି ସ୍ଵର୍ଗଭୋଗ

।୪୫।

 

୪୧ଶ ପଦ–ବୀଭତ୍ସ ରୂପା–ଭୟଙ୍କର ଦେହ । ବିପ୍ର–କ୍ଷେତ୍ର ।

୪୧ଶ ପଦ–ସେହି ବିକଟାଳ ଦେହା ତାଡ଼କା ରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅତି କ୍ରୋଧରେ ଗୋଟାଏ ବୃକ୍ଷ ପ୍ରହାର କରି କହିଲା, ‘‘ମୋ ଦାନ୍ତ ଈଶ ଯୁକ୍ତ ଲଙ୍ଗଳ ଅଟେ । ମୁଁ ସେଥିରେ ତୁମ୍ଭର ଶରୀର ରୂପ କିଆରିକୁ ବର୍ଷିବ । (ଅର୍ଥାତ୍ ତୋତେ ଚୋବାଇବି)।

୪୨ଶ ପଦ–କର୍କଟ–କଙ୍କଡ଼ା । ମନ୍ଦ–କାଳ । ତଳ–କରତଳ(ଚାପଡ଼ା)। ବିଧୁଅଦ୍ଧର୍ଶର–ବିଧୁଅର୍ଦ୍ଧଚନ୍ଦ୍ର ବାଣ ।

୪୨ଶ ପଦ–ପୁନର୍ବାର କହିଲା, ‘‘କଙ୍କଡ଼ାମାନେ କୁଆର ଅଧୀନ ହେଲା ପରି (କୁଆ ସେମାନଙ୍କୁ ମାରିଲା ପରି) ବ୍ୟାନ ବାୟୁସହ ତୁମ୍ଭର ପ୍ରାଣମାନେ ମୋର ଆୟତ୍ତ ହେବେ (ମୁଁ ତୁମ୍ଭର ପଞ୍ଚପ୍ରାଣ ନେବି)।’’ ଏହା କହି ଚାପୁଡ଼ା ଉଠାଇବାବେଳେ ରାମ ଅର୍ଦ୍ଧଚନ୍ଦ୍ର ବାଣକୁ ମାରିଲେ ।

୪୩ଶ ପଦ–ବିଶାଳ–ପୃଥକ । ତୁଙ୍ଗ–ମତି ଉଚ୍ଚ । ଶାଳ ମହୀରୂହ–ଶାଳୁଆ ଗଛ । ବିଚ୍ଛେଦିଲା–କାଟିଲା ।

୪୩ଶ ପଦ–ଅତି ମୋଟା ଏବଂ ଅତି ଉଚ୍ଚା ଶାଳ ଗଛ କାଟିଲେ ଯେପରି ପଡ଼େ, ତାଡ଼କାର ଦେହ ସେହିପରି ପଡ଼ିଲା ଏବଂ ସେହି ଦେହରୁ ଗୋଟିଏ ଅତି ସୁନ୍ଦର ରୂପ ବାହାରି ବିମାନ ଆରୋହଣ କରି ସ୍ୱର୍ଗକୁ ଗଲା ।

୪୪ଶ ପଦ–ବିବୁଧ ନିକର–ଦେବତା ସମୂହ ।

୪୪ଶ ପଦ–ଦେବତାମାନେ ଆକାଶରେ ରହି ଏହା ଦେଖି ବାଦ୍ୟ ବଜାଇ ପୁଷ୍ପ ବୃଷ୍ଟି କଲେ । ବୋଧହୁଏ, ଏହି ବନ କାଳିକା ଦେବୀ ଅଟେ; ତାଡ଼କା ମରିବାରୁ ମନେହୁଏ, ତାର ବାହୁରୁ ତାଡ଼ (ଅଳଙ୍କାର)ଭାଙ୍ଗିଗଲାକି ?

୪୫ଶ ପଦ–ବେଦ ବଂଶର–ବିଶ୍ୱାମିତ୍ରର । ବୃଜିନୀ–ପାପିନୀ ।

୪୫ଶ ପଦ–ତାଡ଼କା ମରିବାରୁ ବିଶ୍ୱାମିତ୍ରଙ୍କ ମନରୁ ଉଦ୍‌ବେଗ କମିଗଲା ସେ ଭାବିଲେ,‘‘ଏହି ରାମ ଅସୁରମାନଙ୍କୁ ମାରି ମୋର ଯାଗ ରକ୍ଷା କରିବେ । ଆଜିଠାରୁ ମୋ ମନରୁ ଭୟ ଗଲା ଏବଂ ଏହି ପାପିନୀ ସ୍ୱର୍ଗ ଭୋଗ କରିବାକୁ ଗଲା ।’’

 

ବିପକ୍ଷ ପକ୍ଷ ନାହିଁ ମୋକ୍ଷ ଦାୟୀ

ବିଷ୍ଣୁ ଏ ସ୍ଵୟଂ ଅବତୀର୍ଣ୍ଣ ମହୀ

 

ବପୁରେ ଲୀନ ଅବତାର ମାନ

ବସନ୍ତି ପୁରୁଷଲକ୍ଷଣେ ମୀନ

।୪୬।

 

 

 

 

 

ବିଖ୍ୟାତ ହେଲେ ମନ୍ଦର ତାଡ଼ନେ

ବରାହବରେ ଏ ନିପୁଣ ଗୁଣେ

 

ବସନ ହିରଣ୍ୟ–ପ୍ରଭା ଗଞ୍ଜନ

ବଳୀ ଶିରେ ପାଦ ଦେଇ ଗମନ

।୪୭।

 

 

 

 

 

ବିଜିତ ତେଜରେ ସହସ୍ରକର

ବର୍ଣ୍ଣରେ କୃଷ୍ଣ କରି ଅଙ୍ଗୀକାର

 

ବଳ ସଙ୍ଗ ହୋଇଅଛି ସହଜେ

ବୁଦ୍ଧତ୍ଵ ବୁଦ୍ଧିରେ ପୁଣ ଉପୁଜେ

।୪୮।

 

 

 

 

 

ବିଭ୍ରାଜମାନ ସାୟକରେ ଅତି

ବିଦିତ କରୁଛି ଗନ୍ଧର୍ବଗତି

 

ବର୍ତ୍ତମାନ ଭୂତ ଭବିଷ୍ୟ ଘେନି

ବିକ୍ଷଣେ ଅବତାରୀ ଏହି ଚିହ୍ନି

।୪୯।

 

 

 

 

 

ବପ୍ତା ଭାଗ୍ୟୁ ଦଶରଥ ନୃପତି

ବିଦ୍ୟାଗୁରୁ ହୋଇ ରହୁ ମୋ କୀର୍ତ୍ତି

 

ବିବେକୀ ଋଷି ସ୍ନାନବିଧି ସାରି

ବିଜୟା ଜୟା ମନ୍ତ୍ର ଦାନ କରି

।୫୦।

 

୪୬ଶ ପଦ–ବିପକ୍ଷ–ଶତ୍ରୁ । ବପୁ–ଶରୀର ।

୪୬ଶ ପଦ–‘‘ଏ ସ୍ୱୟଂ ବିଷ୍ଣୁ, ପୃଥିବୀରେ ଅବତୀର୍ଣ୍ଣ ହୋଇ ଅଛନ୍ତି; ଯେ ହେତୁ ଶତ୍ରୁ ମିତ୍ର ନ ବିଚାରି ସମସ୍ତଙ୍କୁ ମୁକ୍ତିଦାନ କରୁଅଛନ୍ତି । ଦଶଅବତାର ଯାକ ଏହାଙ୍କ ଦେହରେ ଗୁପ୍ତ ହୋଇ ରହିଅଛି । ମୀନ ମହାପୁରୁଷର ଲକ୍ଷଣ ହୋଇଥିବାରୁ ଦେଖାଯାଉଛି ।’’

୪୭ଶ ପଦ–ମନ୍ଦର–ପର୍ବତ ବିଶେଷ, ବିଘ୍ନ, ଦୁଷ୍ଟର ବା ଖଳର । ବରାହବର–ବରାହ ଶ୍ରେଷ୍ଠ, ପ୍ରଧାନ ଯୁଦ୍ଧ । ହିରଣ୍ୟ କଶିପୁ, ସୁବର୍ଣ୍ଣ । ବଳୀ–ବଳିରାଜା, ବଳବାନ୍ ।

୪୭ଶ ପଦ–କୁର୍ମ ଅବତାରରେ ବିଷ୍ଣୁ ମନ୍ଦର ପର୍ବତଦ୍ୱାରା ତାଡ଼ିତ (ଆଘାତ ପ୍ରାପ୍ତ) ହୋଇ ବିଖ୍ୟାତ ହୋଇଥିଲେ । ବର୍ତ୍ତମାନ ରାମରୂପୀ ବିଷ୍ଣୁ ‘‘ମନ୍ଦିର ତାଡ଼ନ’’ ବିଘ୍ନମାନଙ୍କୁ ଦୂର କରି (ଅର୍ଥାତ୍ ରାକ୍ଷସମାନଙ୍କୁ ମାରି) ବିଖ୍ୟାତ ହେବେ, ଅଥବା ‘‘ମନ୍ଦର’’ ଦୃଷ୍ଟା ତାଡ଼କାର ମରଣ ବିଧାନ କରି ବିଖ୍ୟାତ ହେଲେ । ବିଷ୍ଣୁ ବରାହରୂପରେ ଗୁଣରେ (ସୌନ୍ଦର୍ଯ୍ୟାଦି ଗୁଣରେ)ଶ୍ରେଷ୍ଠ ହୋଇ ଖ୍ୟାତଲାଭ କରିଥିଲେ । ବର୍ତ୍ତମାନ ରାମ ମହାଯୁଦ୍ଧ କରିବାପାଇଁ ଯେପରି ବୀରତ୍ୱ ଥିବା ଆବଶ୍ୟକ ସେଥିରେ ନିପୁଣ ବୋଲି ଖ୍ୟାତ ହୋଇଅଛନ୍ତି । (ନଚେତ୍ ଦେବୀବାଣୀ ଏହାଙ୍କ ନାମ ପ୍ରକାଶ କରନ୍ତା କାହିଁକି ?)ବିଷ୍ଣୁ ନୃସିଂହ ରୂପରେ ହିରଣ୍ୟାକ୍ଷର ଦର୍ପଗଞ୍ଜନ କରିଥିଲେ, ବର୍ତ୍ତମାନ ଏହି ରାମ ନିଜର ଶସ୍ତ୍ର ତେଜଦ୍ୱାରା ସୁକର୍ଣ୍ଣର ତେଜକୁ ପରାସ୍ତ କରୁଅଛନ୍ତି । ବିଷ୍ଣୁ ବାମନ ରୂପରେ ବଳିରାଜାର ମସ୍ତକରେ ପାଦ ଦେଇଥିଲେ, ବର୍ତ୍ତମାନ ରାମ ବଳଶାଳୀମାନଙ୍କର ମୁଣ୍ଡରେ ପାଦ ଦେଇ ଗମନ କରୁଛନ୍ତି (ଅର୍ଥାତ୍ ବୀର ଶ୍ରେଷ୍ଠ ହୋଇ ଅଛନ୍ତି)।

୪୮ଶ ପଦ–ସହସ୍ରକର–ସୂର୍ଯ୍ୟ, କାର୍ତ୍ତିବୀର୍ଯ୍ୟ । କୃଷ୍ଣ–ନନ୍ଦ ନନ୍ଦନ, କଳା । ବର୍ଣ୍ଣରେ–ଶରୀର କାନ୍ତିରେ । ଅଙ୍ଗୀକାର–ସ୍ୱୀକାର। ବଳ–ପରାକ୍ରମ ।

୪୮ଶ ପଦ–ପର୍ଶୁରାମ ରୂପରେ ନିଜର ବଳଦ୍ୱାରା ସହସ୍ରାର୍ଜୁନକୁ ପରାସ୍ତ କରିଥିଲେ, ବର୍ତ୍ତମାନ ଏହି ରାମ ରୂପରେ ସୂର୍ଯ୍ୟଙ୍କୁ ସ୍ୱୀୟ ତେଜଦ୍ୱାରା ପରାସ୍ତ କରିଛନ୍ତି ଏବଂ ନିଜ ଶରୀର କାନ୍ତିରେ କଳା ବର୍ଣ୍ଣକୁ ସ୍ୱୀକାର କରି ଅର୍ଥାତ୍ ନବଦୁର୍ବାଦଳ ଶ୍ୟାମଳ ତନୁ ଧାରଣ କରି, ନନ୍ଦନନ୍ଦନ କୃଷ୍ଣ ବୋଲି ସ୍ୱୀକାର କରୁଅଛନ୍ତି । ସେହି କୃଷ୍ଣାବତାରରେ ବଳରାମ ଭାଇ ଭାବରେ (ଭାଇ ହୋଇ) ସାଙ୍ଗରେ ଥିଲେ । ବର୍ତ୍ତମାନ ଏହି କାଳିଆ ଶରୀରରେ ପରାକ୍ରମ ସାଙ୍ଗ ହୋଇଅଛି ଅର୍ଥାତ୍ ମହାବଳିଷ୍ଠ ଅଟନ୍ତି । ବୁଦ୍ଧରୂପରେ ଯେପରି ‘‘ବୁଦ୍ଧତ୍ୱ’’ ଜ୍ଞାନ ବଳରାମ ଲାଭ କରିଥିଲେ, ବର୍ତ୍ତମାନ ମଧ୍ୟ ବୁଦ୍ଧିର ତୀବ୍ରତା ହେତୁ ସେହିପରି ପାଣ୍ଡିତ୍ୟ ଲାଭ କରିଅଛନ୍ତି ।

୪୯ଶ ପଦ–ସାୟକ–ଖଡ଼୍‌ଗ, ଶର । ଗନ୍ଧର୍ବ–ଦେବଯୋନି ବିଶେଷ, ଗୋଟିକ ।

୪୯ଶ ପଦ–କଳ୍‌କି ରୂପରେ ଯେପରି ଅତି ତୀକ୍ଷ୍‌ଣ ଖଡ଼୍‌‌ଗ ଧରି ଘୋଡ଼ା ଉପରେ ଚଢ଼ି ବୁଲିବାଦ୍ୱାରା ଜଗତରେ ବିଖ୍ୟାତ ହୋଇଥିଲେ, ଏବେ ସେହିପରି ଅତି ତୀକ୍ଷ୍‌ଣ ଶରମାନଙ୍କୁ ଧରି (ବଧ୍ୟର ପଛେ ପଛେ) ଅଶ୍ୱପରି ଅତିଶୀଘ୍ର ଦୌଡ଼ିବାରେ ଖ୍ୟାତି ଲାଭ କରିଅଛନ୍ତି, ଅର୍ଥାତ୍ ପ୍ରଧାନ ଧାନୁଷ୍କ ଅଟନ୍ତି । ଋଷି ଏହିପରି ବର୍ତ୍ତମାନ, ଭୂତ, ଭବିଷ୍ୟତର ଚିହ୍ନ ସବୁ ଦେଖି, ରାମଙ୍କୁ ଅବତାରୀ ବିଷ୍ଣୁ ବୋଲି ଚିହ୍ନିଲେ ।

୫୦ଶ ପଦ–ତତ୍ପରେ ଚତୁର ଋଷି ‘ରାଜା ଦଶରଥ ଭାଗ୍ୟବଶରୁ ପିତା ହୋଇ ଯେପରି କୀର୍ତ୍ତି (ପୃଥିବୀର) ରଖି ଅଛନ୍ତି, ସେହିପରି ବିଦ୍ୟାଗୁରୁ ହେବାଦ୍ୱାରା ମୋର କୀର୍ତ୍ତି ରହିବ’–ଏହି କଥା ନିଶ୍ଚୟପୂର୍ବକ ସ୍ନାନବିଧି ସମାପ୍ତ କରି ରାମଙ୍କୁ ଜୟା ଓ ବିଜୟା ନାମକ ଦୁଇଗୋଟି ମନ୍ତ୍ର ପ୍ରଦାନ କରିଥିଲେ ।

 

ବିଶାଳ କଟକ ସୀମାରେ ସ୍ଥିତ

ବିଚାରୁ ଅସ୍ତ୍ର ଶସ୍ତ୍ର ଉପଗତ

 

ବୀରେଶ୍ଵର ରାମ ପଚାରୁ ସତ

ବଦନ୍ତି ମୁନି ସେ ଦେଶ ଚରିତ

।୫୧।

 

 

 

 

 

ବାସର ନିଶିଏ ତହିଁରେ ରହି

କହିଲେ ପ୍ରଭାତ ହରଷ ହୋଇ

 

ବାନପଦେ ଏ ଛାନ୍ଦ ମନୋହର

ବିରରେ ଉପଇନ୍ଦ୍ର ବୀରବର

।୫୨।

 

୫୧ଶ ପଦ–ତତ୍ପରେ ରାମ ‘ବିଶାଳ କଟକ’ ବିଶାଳା ନାମକ ନଗରୀର ନିକଟରେ ଉପସ୍ଥିତ ହୋଇ ଋଷି ଦେଇଥିବା ମନ୍ତ୍ରକୁ (ମନେମନେ) ବିଚାରନ୍ତେ ଅର୍ଥାତ୍ ସ୍ମରଣ–କରନ୍ତେ; ଅସ୍ତ୍ର, ଶସ୍ତ୍ର ସବୁ ସେଠାରେ ଉପଗତ ହେଲେ । ଏହା ଉତ୍ତାରୁ ରାମ ମୁନିଙ୍କୁ ବିଶାଳା ନଗରୀର କଥା ପଚାରିବାରୁ ସେ ସମସ୍ତ କଥା କହିଲେ ।

୫୨ ଶତ ପଦ–‘‘ସେମାନେ ସେହି ନଗରୀରେ ଏକ ଅହୋରାତ୍ର ରହି, ସକାଳୁ ଅନ୍ୟନ୍ତ୍ର ଗମନ କଲେ । ବୀରବର ଉପେନ୍ଦ୍ର ଏ ଛାନ୍ଦକୁ ବାଉନ ପଦରେ ଅତି ସୁନ୍ଦରଭାବରେ ରଚନା କଲେ-

 

ସପ୍ତମ ଛାନ୍ଦ

(ରାଗ–ପଟ୍ଟମହଞ୍ଜରୀ)

ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ ।

 

ବେନିଭ୍ରାତା ମୂନି ସଙ୍ଗେ ଦେଖେ ସିଦ୍ଧବନ ॥

।୧।

 

 

ବୃକ୍ଷତତି ତପିପନ୍ତି ତହିଁ ଏକାକୃତି ।

 

ବଳ୍କଳ ପିଧାନ କରି ଜଟା ଧରିଛନ୍ତି ॥

।୨।

 

 

ବେଦି ସାର ମୂଳ ସଦା ସୁମନା ଫଳଦ ।

 

ବାସବୃତ ପୂର୍ଣ୍ଣଚୟ ଅତି ସ୍ଥିର ହୃଦ୍ୟ ॥

।୩।

 

 

ବନାଧାର ପ୍ରାୟେ ଲତାତଳ ମନୋହର ।

 

ବିଶ୍ରମିଛନ୍ତି କମଳ ହଂସ ତାପ ଦୂର ॥

।୪।

 

 

ବିଘଟିତ ଘନ ପୁଷ୍ପ ଭ୍ରମରେ ସହିତ ।

 

ବିନୋଦି ଜନମାନଙ୍କୁ ହରୁଅଛି ଚିତ୍ତ ॥

।୫।

 

୧ମ ପଦ–ବିଡ଼ୋଜା–ଇନ୍ଦ୍ର । ସୁଧାଂଶୁ–ଚନ୍ଦ୍ର । ଗୁରୁ–ବୃହସ୍ପତି ।

୧ମ-୨ୟ ପଦ–ଚନ୍ଦ୍ର ଓ ବୃହସ୍ପତି ଇନ୍ଦ୍ରଙ୍କ ସହ ମିଳିତ ହେଲା ପରି ରାମ ଓ ଲକ୍ଷ୍ମଣ ଦୁଇ ଭାଇ ବିଶ୍ୱାମିତ୍ରଙ୍କ ସହ ମିଳି ସିଦ୍ଧବନ ନାମକ ତପୋବନ ଦେଖିବାକୁ ଲାଗିଲେ । ସେମାନେ ଦେଖିଲେ, ସେହି ତପୋବନରେ ଥିବା ବୃକ୍ଷଗୁଡ଼ିକ ଓ ଋଷିମାନେ ଏକାକାର ଦେଖା ଯାଉଅଛନ୍ତି । ଯେ ହେତୁ ବୃକ୍ଷମାନେ ଋଷିମାନଙ୍କ ପରି ଜଟା ଓ ବକଳରେ ମଣ୍ଡିତ ହୋଇଅଛନ୍ତି ।

୩ୟ ପଦ–ବେଦିସାର–ଶ୍ରେଷ୍ଠ ବେଦୀ, ଯାଜ୍ଞିକ । ସୁମନା–ପୁଷ୍ପ, ନିର୍ମଳ ମନା । ଫଳଦ–ଫଳଦାତା, କରଦାତା (ବାଞ୍ଛିତ ଫଳ ଦାତା)। ପୂର୍ଣ୍ଣଚୟ–ପତ୍ରସମୂହ । ସ୍ଥିରହୃଦ୍ୟ–ଶାନ୍ତିଚେତା । ବାସ–ରହିବା ସ୍ଥାନ, ବସ୍ତ୍ର ।

୩ୟ ପଦ–ସେହିସବୁ ବୃକ୍ଷମାନଙ୍କ ମୂଳରେ ବଡ଼ ବଡ଼ ବେଦୀ (ପିଣ୍ଡ) ନିର୍ମିତ ହୋଇଅଛି ଏବଂ ସେମାନେ ସର୍ବଦା ଋଷିମାନଙ୍କୁ ବା ବନବାସୀମାନଙ୍କୁ ଫୁଲ ଓ ଫଳଦାନ କରି ବହୁପତ୍ର ଧାରଣପୂର୍ବକ ଅତି ସ୍ଥିର ଭାବରେ ନିଜ ନିଜ ସ୍ଥାନରେ ରହି ବନର ଶୋଭା ବିସ୍ତାର କରୁଅଛନ୍ତି । ସେହିପରି ଋଷିମାନେ ବେଦର ସାର, ତପଃ, ଯଜ୍ଞ, ଧ୍ୟାନ ଏମାନଙ୍କୁ ମୂଳ କରି ସର୍ବଦା ଆନନ୍ଦ ମନରେ ପ୍ରାର୍ଥନାକାରୀଙ୍କୁ ପ୍ରାର୍ଥିତ ଫଳ (ଇଚ୍ଛାବର) ପ୍ରଦାନ କରି, ମନୋହର ପର୍ଣ୍ଣ କୂଟୀରରେ ସ୍ଥିର ଚିତ୍ତରେ ବାସ କରୁଅଛନ୍ତି । (କୌଣସି କୌଣସି ଅର୍ଥକାରମାନେ ଏହି ପଦର ‘‘ଅତି ସ୍ଥିର ହୃଦ୍ୟ’ ଏହି ସ୍ଥଳରେ ‘‘ସ୍ଥି’’ ସ୍ଥାନରେ ‘ଥି’ ଏହି ଅକ୍ଷରକୁ ରଖି ନିମ୍ନଲିଖିତ ପ୍ରକାରେ ଅର୍ଥ କରନ୍ତି) ଯଥା–ସେହି ବୃକ୍ଷମାନେ ଯେପରି ବେଦୀକୁ ମୂଳରେ ଅର୍ଥାତ୍ ବେଦୀ ଉପରେ ରହି ସବୁବେଳେ ପୁଷ୍ପ ଫଳ ଦାନ କରୁଅଛନ୍ତି ଏବଂ ଅତିଥିର ଆରାମଦାୟକ ‘ବାସ’ ସୁଗନ୍ଧଯୁକ୍ତ ପତ୍ର ସମୂହରେ ମଣ୍ଡିତ ହୋଇଅଛନ୍ତି, ସେହିପରି ଋଷିମାନେ ବେଦୀ ଓ ‘ସାର’ ଯଜ୍ଞ ଏ ଦୁହିଁଙ୍କୁ ‘ମୂଳ’ ପ୍ରଧାନ ଭାବରେ ଆଶ୍ରୟ କରି (ଯଜ୍ଞ ବେଦୀ ଉପରେ ହୁଏ) ଅଥବା ସର୍ବଦା ସେହି ବୃକ୍ଷ ମୂଳସ୍ଥ ‘ବେଦୀସାର’ ଶ୍ରେଷ୍ଠବେଦୀ ଅର୍ଥାତ୍ ପରିଷ୍କୃତ ପିଣ୍ଡି ଉପରେ ବସି ନିର୍ମଳମନା ଭକ୍ତମାନଙ୍କୁ ସେମାନଙ୍କ ଇପ୍‌ସିତ୍ (ବାଞ୍ଛିତ)ଫଳଦାନ କରୁଅଛନ୍ତି ଏବଂ ‘ଅତିଥିର’ ଅତି ସ୍ଥିର ‘ହୁଦ୍ୟ’ ହୃଦୟରେ ପର୍ଣ୍ଣକୁଟୀର ବାସ କରୁଅଛନ୍ତି ।

୪ର୍ଥ ପଦ–ଜଳାଧାର–ଜଳାଶୟ । କମଳ–ପଦ୍ମ, ମୃଗ । ହିଂସ–ସୂର୍ଯ୍ୟ, ରାଜହଂସ ।

୪ର୍ଥ ପଦ–ସେହି ବନରେ ଥିବା ଲତାମାନଙ୍କ ‘ତଳ’ ମୂଳ ପ୍ରଦେଶ ଅର୍ଥାତ୍ ଜଳପୂର୍ଣ୍ଣ ମନ୍ଦାଗୁଡ଼ିକ ପୁଷ୍ପରିଣୀ ପରି ମନୋହର ହୋଇଅଛି । କାରଣ ପୃଷ୍କରିଣୀରେ ପଦ୍ମ ଥାଏ ଏବଂ ହଂସମାନେ ତହିଁରେ ସନ୍ତରଣ କରି ନିଜ ନିଜର କଷ୍ଟ ଦୂର କରୁଥାନ୍ତି । ସେହିପରି ଏହି ଲତାମାନଙ୍କର ତଳ ପ୍ରଦେଶରେ ମୃଗମାନେ ବିଶ୍ରାମ କରିଅଛନ୍ତି ଏବଂ ସେହି ସ୍ଥାନଟି ଛାୟା ଓ ଜଳଯୁକ୍ତ ହୋଇ ଥିବାରୁ ସୂର୍ଯ୍ୟ ତାପ ଦୂର କରୁଅଛି।

୫ମ ପଦ–ଘନ ପୁଷ୍ପ–ଜଳ, ପୁଷ୍ପାଚ୍ଛାଦିତ । ଭ୍ରମରେ–ଆବର୍ତ୍ତ (ଡଅଁର)ରେ, ଭ୍ରମରମାନଙ୍କଦ୍ୱାରା ।

୫ମ ପଦ–ଯେପରି ଜଳାଶୟର ଜଳ ତଟପ୍ରଦେଶରେ ବାଜି ଡଅଁର ଜାତ ହେଲେ, ତାହାର ଶୋଭା ସେହି ଜଳାଶୟ କୂଳରେ ବିହାର କରୁଥିବା ଲୋକମାନଙ୍କର ଚିତ୍ତକୁ ହରଣ କରେ, ସେହିପରି ଏହି ତପୋବନ ବୃକ୍ଷ ଓ ଲତାମାନଙ୍କର ଭ୍ରମର ଚୁମ୍ବିତ ସାନ୍ଧ୍ର ପୁଷ୍ପ ରାଶିରେ ବିମଣ୍ଡିତ ହୋଇ ସେହି ବନରେ ବିହାର କରୁଥିବା ଲୋକମାନଙ୍କର ଚିତ୍ତକୁ ହରଣ କରୁଅଛି ।

 

ବନର କେଉଁ ପ୍ରଦେଶ ଅଦିତି ପ୍ରକାର ।

 

ବତ୍ସକ ଅନୁଭାବରେ ଶିଖୀ ଶୋଭାକର ॥

।୬।

 

 

ବରୁଣ ଦେବବଲ୍ଲଭ ଉଦୟ କରିଛି ।

 

ବହୁ ସୁମନା ସନ୍ତୋଷକର ହୋଇଅଛି ॥

।୭।

 

 

ବନର କେଉଁ ପ୍ରଦେଶ ଦିତି ଛବି ଧରି ।

 

ବିଜନିତ ଦୈତ୍ୟ ଗଣ–ରୂପ ଅଛି ଧରି ॥

।୮।

 

 

ବିସ୍ତାରିଛି ପବନଲୀଳାକୁ ନିରନ୍ତର ।

 

ବିଶେଷତ ମୁନି ନଗରେ ସେ ମନୋହର ॥

।୯।

 

 

ବନର କେଉଁ ପ୍ରଦେଶ ରଞ୍ଜନେ ରଞ୍ଜନ ।

 

ବିନତା ପ୍ରାୟେ ଅରୁଣ ସୁପର୍ଣ୍ଣ ସୁମନ ॥

।୧୦।

 

୬ଷ୍ଠ ପଦ–ଅଦିତି–ଦେବମାତା । ବତ୍ସକ–ପୁତ୍ର, ଗିରିମଲ୍ଲିକା (ବଣମଲ୍ଲୀ) । ଅନୁଭାବ–ତେଜ । ଶିଖା–ବୃକ୍ଷ, ମୟୂର, ଅଗ୍ନି ।

୬ଷ୍ଠ ପଦ–ସେହି ତପୋବନର କୌଣସି ଅଂଶ ଦେବମାତା ଅଦିତିଙ୍କ ପରି ଦେଖାଯାଉଅଛି । କାରଣ ଦେବମାତା ଯେପରି ପୁତ୍ର ଅଗ୍ନିଙ୍କର ତେଜରେ ତେଜସ୍ୱିନୀ (ମନୋହରା) ଦେଖାଯାନ୍ତି, ଏହି ବନ ସେହିପରି ଗିରିମଲ୍ଲିକାର ସୌନ୍ଦର୍ଯ୍ୟରେ ସୌନ୍ଦର୍ଯ୍ୟାନ୍ୱିତ ବୃକ୍ଷମାନଙ୍କଦ୍ୱାରା ସୁଶୋଭିତ ହୋଇଅଛି, ଅର୍ଥାତ୍ ବଣମଲ୍ଲୀଗୁଡ଼ିକ ବୃକ୍ଷ ଉପରେ ମାଡ଼ି ସଦ୍ୟ ପ୍ରସ୍ଫୁଟିତ କୁସୁମରେ ମଣ୍ଡିତ ହୋଇଥିବାରୁ ବନର କେଉଁ କେଉଁ ଅଂଶ ମନୋହର ଦେଖାଯାଇଅଛି ।

୭ମ ପଦ–ବରୁଣା–ଜଳାଧିପତି ଦେବତା, ବରୁଣ ବୃକ୍ଷ । ଦେବ ବଲ୍ଲଭ–ଇନ୍ଦ୍ର, ପୁନ୍ନାଗ ବୃକ୍ଷ । ସୁମନା–ଦେବତା, ପୃଷ୍ପ ।

୭ମ ପଦ–ଆଉ ମଧ୍ୟ ଦେବମାତା ଯେପରି ବରୁଣ ଓ ଇନ୍ଦ୍ରଙ୍କୁ ଭିନ୍ନକରି ଦେବତାମାଙ୍କର ଅସୀମ ସନ୍ତୋଷ ବିଧାନ କରିଅଛନ୍ତି, ସେହିପରି ଏହି ବନର କୌଣସି କୌଣସି ଅଂଶର ବରୁଣ ଓ ପୁନ୍ନାଗ ବୃକ୍ଷମାନେ ଜନ୍ମି ବନ ପୁଷ୍ପରେ ମଣ୍ଡିତ ହୋଇଥିବାରୁ ବନସ୍ଥଳୀ ଦର୍ଶକମାନଙ୍କର ସନ୍ତୋଷ ବିଧାନ କରୁଅଛି ।

୮ମ ପଦ–ବିତି–ରାକ୍ଷସ ମାତା । ଦୈତ୍ୟ–ରାକ୍ଷସ, କଣ୍ଟାଗଛ ।

୯ମ ପଦ–ମୁନି ନଗରେ କଶ୍ୟପଙ୍କ ନଗରେ, ଅଗସ୍ତି ବୃକ୍ଷରେ ।

୮ମ ଓ ୯ମ ପଦ–ସେହି ବନର କେଉଁ ପ୍ରଦେଶ ଦୈତ୍ୟମାତା (ଦିତି)ଙ୍କର ଛବି ଧାରଣା କରିଅଛି । କାରଣ ଦୈତ୍ୟମାତା ଯେପରି ଦୈତ୍ୟ (ରାକ୍ଷସ)ମାନଙ୍କୁ ଜନ୍ମ କରିଅଛନ୍ତି, ଏ ସେହିପରି ‘ଦୈତ୍ୟଗଣରୂପ’ ରାକ୍ଷସମାନଙ୍କ ତୁଲ୍ୟ ଅତି ଭୀଷଣ ‘ଦୈତ୍ୟ’ ମୁରାମାଂସୀ ପ୍ରଭୃତି କଣ୍ଟା ବୃକ୍ଷମାନଙ୍କୁ ଜନ୍ମ କରିଅଛି ଏବଂ ଦିତି ଯେପରି କଶ୍ୟପ ଋଷିଙ୍କର ପୃଥିବୀରେ ସବୁବେଳେ ଅତି ଅଧିକ ଭାବରେ ପୁତ୍ର ପବନକୁ ଖେଳାଉଥିଲେ । ଅର୍ଥାତ୍ ଦିତି କଶ୍ୟପଙ୍କର ଜ୍ୟେଷ୍ଠା ପତ୍ନୀ, ତାଙ୍କର ପୁତ୍ର ଅସୁରମାନେ କନିଷ୍ଠା ଅଦିତିଙ୍କ ପୁତ୍ର ଦେବତାମାଙ୍କଠାରୁ ଭୟ ପାଇ ପିଲାଦିନୁ ଘର ଛାଡ଼ି ଚାଲି ଯାଉଥିବାରୁ ଦିତି ପୁତ୍ରମାନଙ୍କୁ ଖେଳାଇ ପାରି ନ ଥିଲେ । ପବନ ଦେବତା ହୋଇ ତାଙ୍କଠାରୁ ଜନ୍ମ ହୋଇଥିବାରୁ, ଦେବତାମାଙ୍କୁ ଭୟ ନ କରି ପିଲାଦିନେ ଘରେ ରହିଥିଲେ ଓ ଦିତିଙ୍କଦ୍ୱାରା ଅତି ଆଦରରେ ଲାଳିତ ପାଳିତ ହୋଇଥିଲେ)। ସେହିପରି ପବନ ଏହି ବନର ମନୋହର ଅଗସ୍ତି ବୃକ୍ଷ ସଂକୁଳ କେଉଁ ପ୍ରଦେଶରେ ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ଅତି ଅଧିକ ଭାବରେ ସବୁବେଳେ କ୍ରୀଡ଼ା କରୁଅଛି । (ଅର୍ଥାତ୍ ଅଗସ୍ତି ବୃକ୍ଷଗୁଡ଼ିକ ଅତିଶୟ ଡେଙ୍ଗା ହୋଇଥିବାରୁ ଅତି ଧୀର ପବନରେ ମଧ୍ୟ ଦୋହଲୁ ଅଛନ୍ତି ।

୧୦ମ ପଦ–ରଞ୍ଜନେ–ରକ୍ତଚନ୍ଦନ ବୃକ୍ଷରେ । ରଞ୍ଜନ–ଅନୁରାଗଜନକ ଅର୍ଥାତ୍ ଶୋଭିତ-। ବିନତା–ଗରୁଡ଼ଙ୍କ ମାତା । ଅରୁଣ–ସୂର୍ଯ୍ୟଙ୍କ ସାରଥି, ଈଷିତ୍ ରକ୍ତବର୍ଣ୍ଣ । ସୁପର୍ଣ୍ଣ–ଗରୁଡ଼, କୋମଳ ପତ୍ର । ସୁମନ–ଆନନ୍ଦ ମନ, ପୁଷ୍ପ ।

୧୦ମ ପଦ–ସେହି ବନର ଅନ୍ୟ କେଉଁ ପ୍ରଦେଶ ରକ୍ତଚନ୍ଦନ ବୃକ୍ଷମାନଙ୍କଦ୍ୱାରା ଶୋଭିତ ହୋଇଥିବାରୁ ଗରୁଡ଼ ମାତା ବିନତାଙ୍କ ପରି ଦେଖାଯାଉଛି । କାରଣ ବିନତା ଯେପରି ଅରୁଣ ଓ ଗରୁଡ଼ ଦୁଇ ପୁତ୍ରଙ୍କଦ୍ୱାରା ଶୋଭିତ ହୋଇଥାନ୍ତି, ଏହି ବନର ରକ୍ତଚନ୍ଦନ ବୃକ୍ଷସଂକୁଳ ପ୍ରଦେଶ ମଧ୍ୟ ଈଷତ୍ ରକ୍ତବର୍ଣ୍ଣ କୋମଳ ପୁତ୍ରମାନଙ୍କୁ ଧାରଣା କରିଅଛି ଓ ପୁଷ୍ପ ବିମଣ୍ଡିତ ହୋଇଅଛି ।

 

ବନର କେଉଁ ପ୍ରଦେଶ କଦ୍ରୁ ଛବି ବହି ।

 

ବିହୃଷ୍ଟହର ହୋଇଅଛି ନାଗଈଶ୍ଵରହିଁ ॥

।୧୧।

 

 

ବନ କେଉଁ ପ୍ରଦେଶ ସଙ୍ଗୀତର ଶାଳା ।

 

ବ୍ୟୋମଲାସିକା ନର୍ତ୍ତନେ ହୋଇଅଛି ମେଳା ॥

।୧୨।

 

 

ବିରଳ ଗନ୍ଧର୍ବଗାନେ ଖ୍ୟାତ ସାତସ୍ଵର ।

 

ବିତାଳ ହୋଇଣ ରାଗ ଜାତ ମନୋହର ॥

।୧୩।

 

 

ବସନ୍ତ ବାସ କରିଛି କେଦାରହିଁ ମେଳ ।

 

ବିଚଳିତ ଯହିଁରେ ସଦା ସୁମରଦଳ ॥

।୧୪।

 

 

ବର୍ଣ୍ଣୁଥିଲେ ସରିବାର ନୁହେଁ ଏ ଚରିତ ।

 

ବିଶ୍ରାମ କଲେ କୌଶିକମଠେ ରଘୁସୁତ ॥

।୧୫।

 

୧୧ଶ ପଦ–କଦ୍ରୁ–ନାଗମାତା । ନାଗେଶ୍ୱର–ନାଗଶ୍ରେଷ୍ଠ, ନାଗେଶ୍ୱର ବୃକ୍ଷ ।

୧୧ଶ ପଦ–ସେହିପରି ଅନ୍ୟକେଉଁ ପ୍ରଦେଶ ନାଗମାତାଙ୍କର ଶୋଭାକୁ ଧାରଣା କରିଅଛି--କାରଣ ନାଗମାତା ଯେପରି ନାଗଶ୍ରେଷ୍ଠମାନଙ୍କଦ୍ୱାରା ଶୋଭିତ ହୋଇଥାନ୍ତି, ସେ ପ୍ରଦେଶ ସେହିପରି ନାଗେଶ୍ୱର ବୃକ୍ଷମାନଙ୍କଦ୍ୱାରା ଶୋଭିତ ହୋଉଅଛି ।

୧୨ଶ ପଦ–ପ୍ରଦେଶ–ଅଂଶ । ବ୍ୟୋମଲାସିକା–ଶୂନ୍ୟନର୍ତ୍ତକୀ, ଭରତିଆ ପକ୍ଷୀ ।

୧୩ଶ ପଦ–ବିରଳ–ନିର୍ମଳ । ଗନ୍ଧର୍ବ–ଗାୟକ, କୋକିଳ । ରାଗ–ଗୀତର ରାଗ, ସ୍ନେହ ।

୧୪ଶ ପଦ–ବସନ୍ତ–ବସନ୍ତ ରାଗ, ହଳଦୀବସନ୍ତ ପକ୍ଷୀ । କେଦାର–ରାଗ ବିଶେଷ । ଆଳବାଳ–ମନ୍ଦ । ସୁ–ମରଦଳ–ଉତ୍ତମ ମର୍ଦ୍ଦଳ, ପୁଷ୍ପ ।

୧୨ଶରୁ୧୪ଶ ପଦ–ବନର କେଉଁ ଅଂଶ ସଙ୍ଗୀତଶାଳା ପରାୟ ହୋଇଅଛି । ସଙ୍ଗୀତଶାଳା ସ୍ୱର୍ଗ ନର୍ତ୍ତକୀର ନୃତ୍ୟରେ ରଞ୍ଜିତ ହେଲା ପରାୟ ଏହା ଭରତିଆ ପକ୍ଷୀର ନୃତ୍ୟରେ ଶୋଭିତ ହୋଇଅଛି । ଗନ୍ଧର୍ବଙ୍କ ପରି ଗାନ କରୁଥିବା ସୁଗାୟକମାନଙ୍କର ସୁନ୍ଦର ରାଗ ଓ ତାଳ ବିଶିଷ୍ଟ ସପ୍ତସ୍ୱର ଗାନରେ ସଙ୍ଗୀତଶାଳା ମୁଖରିତ ହେଲା ପରି (ବନର କେଉଁ ଅଂଶ) କୋକିଳର ଅନୁରାଗ ଜଡ଼ିତ ସପ୍ତସ୍ୱରରେ (ସାତ = ସୂକ୍ଷ୍ମ; ସୂକ୍ଷ୍ମସ୍ୱର ମଧ୍ୟ ହେବ) ମୁଖରିତ ହେଉଅଛି । (ସଙ୍ଗୀତଶାଳାରେ ତାଳ ଲୟ ବିଶିଷ୍ଟ ସଙ୍ଗୀତ ଗାନ ହୁଏ) ବନ ପ୍ରଦେଶରେ ମଧ୍ୟ ତାଳ ଗଛ ବିଶେଷ ଭାବରେ ବିଦ୍ୟାମାନ ଥାଏ । ସଙ୍ଗୀତ ଶାଳରେ ବସନ୍ତ ରାଗ ବାସ କରିଥାଏ, କେଦାର ରାଗ ମଧ୍ୟ ମିଳିତ ହୋଇଥାଏ, ସେଥିରେ ଉତ୍ତମ ମର୍ଦ୍ଦଳମାନ ବାଜୁଥାଏ । ସେହିପରି ବନ ପ୍ରଦେଶରେ ବସନ୍ତପକ୍ଷୀ (ହଳଦୀ ବସନ୍ତ) ଓ ବୃକ୍ଷମୂଳର ମନ୍ଦା ସବୁ ରହିଅଛି, ଆଉ ମଧ୍ୟ ଫୁଲର ପାଖୁଡ଼ା ସବୁ (ସୁମ–ଫୁଲ, ଦଳ–ପାଖୁଡ଼ା) ପବନରେ ବିଚଳିତ ହେଉ ଅଛନ୍ତି ।

୧୫ଶ ପଦ–ସେହି ମନକଥା ବର୍ଣ୍ଣନା କରୁଥିଲେ ସୁଦ୍ଧା ସରିବାର ନୁହେଁ । ସେ ବନରେ ଥିବା ବିଶ୍ୱାମିତ୍ରଙ୍କ ମଠରେ ରାମ ଲକ୍ଷ୍ମଣ ବିଶ୍ରାମ କଲେ ।

 

ବାନପ୍ରସ୍ଥ ଗୃହିମାନେ ତ୍ଵରିତେ ମିଳିଲେ ।

 

ବ୍ରହ୍ମଚାରୀ ଦଣ୍ଡୀ ଆସି ଆଶିଷ ବିହିଲେ ॥

।୧୬।

 

 

ବୋଧି ବିବିଧ ଅଶନେ ମନ ତାହାଙ୍କର ।

 

ବସିଲେ ରାତ୍ରରେ ଚନ୍ଦ୍ରକରେ ଅଙ୍ଗଣର ॥

।୧୭।

 

 

ବିଗତ ଭୟ ହୋଇଣ ରାକ୍ଷସଙ୍କ ହେତୁ ।

 

ବୋଇଲେ ରଘୁନନ୍ଦନ ଆରମ୍ଭ ହେ କ୍ରତୁ ॥

।୧୮।

 

 

ବଚ ପ୍ରକାଶରୁ ଋଷି ଆନନ୍ଦ ହୋଇଲେ ।

 

ବିବିଧ ବିଧି ସମିଧେ ଯଜ୍ଞ ଆରମ୍ଭିଲେ ॥

।୧୯।

 

 

ବୀତିହୋତ୍ର ପ୍ରିୟା ନାଦ ଶ୍ରବଣେ ଅସ୍ରପେ ।

 

ବ୍ୟଗ୍ରବନ୍ତେ ପରବେଶ ହୋଇଲେ ସମୀପେ ॥

।୨୦।

 

୧୬ଶ ପଦ–(ରାମଚନ୍ଦ୍ର ଆସିବାର ଖବର ପାଇ) ଗୃହୀମାନେ ଓ ବାନପ୍ରସ୍ଥାଶ୍ରମୀମାନେ ଆସି ତ୍ୱରିତ ମିଳିଲେ । ତାହାପରେ ବ୍ରହ୍ମଚାରୀମାନେ ଓ ଦଣ୍ଡିମାନେ ଆସି ଆଶୀର୍ବାଦ କଲେ ।

୧୭ଶ ପଦ–ଅଶନ–ଭୋଜନ । ଅଙ୍ଗଣ–ଅଗଣା ।

୧୭ଶ ପଦ–ତତ୍ପରେ ବିଶ୍ୱାମିତ୍ର ନାନା ପ୍ରକାର ଭୋଜନରେ ତାହାଙ୍କର ମନକୁ ବୋଧ କରି ରାତ୍ରରେ ଚନ୍ଦ୍ର କିରଣରେ ଅଗଣା ମଧ୍ୟରେ ବସିଲେ ।

୧୮ଶ ପଦ–ବିଗତଭୟ–ନିର୍ଭୟ । କ୍ରତୁ–ଯଜ୍ଞ ।

୧୮ଶ ପଦ–ରାମ କହିଲେ, ‘‘ହେ ମୁନିଶ୍ରେଷ୍ଠ ! ରାକ୍ଷସମାନଙ୍କଠାରୁ ତୁମ୍ଭେ ନିର୍ଭୟ ହୋଇ ଯାଗ ଆରମ୍ଭ କର ।’’

୧୯ଶ ପଦ–ସମିଧ–ହୋମକାଷ୍ଠ ।

୧୯ଶ ପଦ–ରାମ ଏହି ବଚନ ପ୍ରକାଶ କରନ୍ତେ, ବିଶ୍ୱାମିତ୍ର ଆନନ୍ଦ ହୋଇ ନାନା ପ୍ରକାର ଯଜ୍ଞୋପକରଣ ଜିନିଷ ଓ ହୋମ କାଷ୍ଠରେ ଯଜ୍ଞ ଆରମ୍ଭ କଲେ ।

୨୦ଶ ପଦ–ବୀତିହୋତ୍ର ପ୍ରିୟା–ସ୍ୱାହା ଦେବୀ । ଅସ୍ରପେ–ରାକ୍ଷସମାନେ ।

୨୦ଶ ପଦ–ରାକ୍ଷସମାନେ ଅଗ୍ନିଙ୍କର ପ୍ରିୟ ସ୍ୱାହା ଶବ୍ଦ ଶୁଣି ଖରତରରେ ଆସି ଯଜ୍ଞ ସମୀପରେ ପ୍ରବେଶ ହେଲେ ।

 

ବରାୟୁଧ ଧୃତ କ୍ରୋଧେ ପ୍ରଜ୍ଜ୍ଵଳିତ ମୂର୍ତ୍ତି ।

 

ବିଶ୍ଵକେତୁ ନାମ ପୁନଃ ପୁନଃ ବୋଲୁଛନ୍ତି ॥

।୨୧।

 

 

ବ୍ୟାଘ୍ରଗନ୍ଧ ଆଘ୍ରାଣେ ଗୋ ପରି ପଳାଇତ ।

 

ବୋଲି ବେନିଅର୍ଥେ ରକ୍ଷ ରକ୍ଷ ଋଷିବ୍ରାତ ॥

।୨୨।

 

 

ବାଣ ଧନୁ ଦୃଢ଼େ ଧରି ଶ୍ରୀରାମ ଲକ୍ଷ୍ମଣ ।

 

ବୀରୁଁ ଅନ୍ତରୁ ବାହାର ଏ ରବ ଶ୍ରବଣ ॥

।୨୩।

 

 

ବୋଲି ଏକାନ୍ତ ସ୍ଥଳର ନାମ ପୁନଃ ପୁନଃ ।

 

ବାହିନୀ ଦୁହିଁଙ୍କି ଘେନି ତୃଣର ସମାନ ॥

।୨୪।

 

 

ବାତାସ୍ତ୍ରେ ମାରୀଚ ଲକ୍ଷେ ଯୋଜନେ ପଳାଇ ।

 

ବିଭାବସୁ ଅସ୍ତ୍ରେ ଦେଲେ ସୁବାହୁ ଜଳାଇ ॥

।୨୫।

 

୨୧ଶ ପଦ–ବିଶ୍ୱକେତୁ–ମାର ।

୨୧ଶ ପଦ–ସେ ରାକ୍ଷସମାନେ ଖଡ଼୍‌ଗ ଧରି ଅଛନ୍ତି ଓ କ୍ରୋଧରେ ଅତି ପ୍ରଜ୍ୱଳିତ ହୋଇ ମାର ମାର ବୋଲି ଥରକୁ ଥର କହୁ ଅଛନ୍ତି ।

୨୨ଶ ପଦ–ଋଷିବ୍ରାତ–ମୁନି ସମୂହ ।

୨୨ଶ ପଦ–ଗୋରୁସବୁ ବ୍ୟାଘ୍ର ଗନ୍ଧ ଗ୍ରହଣରେ ପଳାୟନ କଲାପରି ମୁନିମାନେ ‘‘ରାକ୍ଷସ ରାକ୍ଷସ’’ କହି ପଳାଇ ଗଲେ ।

୨୩ଶ ପଦ–ବୀରୁ–ଲତା ମଧ୍ୟରୁ ।

୨୩ଶ ପଦ–(ମୁନିଙ୍କର) ଏପରି ଶବ୍ଦ (ରକ୍ଷ ରକ୍ଷ ଶବ୍ଦ) ଶ୍ରବଣ କରି ରାମ ଓ ଲକ୍ଷ୍ମଣ ଦୁହେଁ ବାଣ ଓ ଧନୁକୁ ଦୃଢ଼ର ସହିତ ଧରି ଲତା ଅନ୍ତରାଳରୁ ବାହାର ହେଲେ ।

୨୪ଶ ପଦ–ଏକାନ୍ତ ସ୍ଥଳର ନାମ–‘ଇହ’ । ବାହିନୀ–ସେନା ।

୨୫ଶ ପଦ–ବାତସ୍ତ୍ରେ–ପବନାସ୍ତ୍ରରେ । ବିଭାକସୁ ଅସ୍ତ୍ର–ଆଗ୍ନେୟାସ୍ତ୍ର ।

୨୪ଶ ଓ ୨୫ଶ ପଦ–ସେ ଦିହେଁ ‘ରହ ରହ’ ବୋଲି କହି ଆସିଲେ । ମାରୀଚ ଓ ସୁବାହୁ ଏ ଦୁଇ ସେନାପତିଙ୍କୁ ତୃଣ ସମାନ ମନେକରି ପବନଶାସ୍ତ୍ରରେ ମାରୀଚ ଦୈତ୍ୟକୁ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଉଡ଼ାଇ ଦେଲେ ଓ ଅଗ୍ନି ଅସ୍ତ୍ରରେ ସୁବାହୁ ରାକ୍ଷସକୁ ପୋଡ଼ି ଦେଲେ ।

 

ବିଚ୍ଛେଦିଲେ ଲକ୍ଷ୍ମଣ ସମସ୍ତ ସୈନ୍ୟ–କରୀ ।

 

ବଂଶଭାବୁଁ ତାକୁ ସେ କୁଠାରପାଣି ପରି ॥

।୨୬।

 

 

ବହୁତକାଳୁଁ ଅପୂଜା ପୃଥ୍ଵୀଦେବୀ ଥିଲେ ।

 

ବିହି ରଙ୍ଗ ଶୋଣିତେ କି ମନ୍ଦାର ପୂଜିଲେ ॥

।୨୭।

 

 

ବାଷ୍ପ ଖଷା ଖସାଇଲା ନେତ୍ରୁଁ ଚିନ୍ତାକୁଳେ ।

 

ବିଷ୍ଟି ହେଲା ଆଜୁଁ ମୋ ପୁତ୍ରଙ୍କ ଅନୁକୂଳେ ॥

।୨୮।

 

 

ବସାଇଲେ ଅଧଃସ୍ଵର୍ଗେ ହଟରେ ତ୍ରିଶଙ୍କୁ ।

 

ବାହୁଡ଼ି ସେ ଆରମ୍ଭିଲେ ଯଜ୍ଞକୁ ନିଃଶଙ୍କୁ ॥

।୨୯।

 

 

ବାସବାଦି ଦେବେ ହବି ଭୁଞ୍ଜି ତୋଷ ହେଲେ ।

 

ବାହୁଡ଼ୁଁ ପୁରକୁ ରାମଭଦ୍ର ପଚାରିଲେ ॥

।୩୦।

 

୨୬ଶ ପଦ–କୁଳର ଗୋଟିଏ ପ୍ରତିଶବ୍ଦ ‘ବଂଶ’ ଶୁଣି ବଂଶର ଅନ୍ୟ ନାମ ବାଉଁଶ, ଅତଏବ ‘ବଂଶଭାବୁ’ ଅର୍ଥାତ୍‌ ସେମାନଙ୍କର କୁଳକୁ ବାଉଁଶ ମନେକରି । କୁଠାରପାଣି–ଶବର ।

୨୬ଶ ପଦ–ରାକ୍ଷସମାନଙ୍କୁ ବାଉଁଶ ଗଛ ମନେକରି ଶବର କୁଠାରଦ୍ୱାରା ବାଉଁଶ ଗଛ ନିର୍ମୁଳ କଲା ନ୍ୟାୟ ଲକ୍ଷ୍ମଣ ରାକ୍ଷସ ବଂଶ ବିଶେଷ ଭାବରେ ବିନାଶ କଲେ । [କରୀ ବଂଶ ଭାବୁଁ–ଗଜାସୁର ବଂଶଧର ବୋଲି ଭାବି ଲକ୍ଷ୍ମଣ ମହାଦେବଙ୍କ ପରି ସମସ୍ତଙ୍କୁ ବିନାଶ କଲେ ]।

୨୭ଶ ପଦ–ପୃଥ୍ୱୀଦେବୀ ବହୁ କାଳରୁ ଅପୂଜା ଥିଲେ । ରାକ୍ଷସମାନେ ଯାଗ ନଷ୍ଟ କରି ଦେଉଥିବାରୁ ଯଜ୍ଞାଦିକର୍ମ ହୋଇ ପାରୁ ନ ଥିଲା । ରାମ ଲକ୍ଷ୍ମଣ ପୃଥ୍ୱୀକୁ ରାକ୍ଷସଙ୍କ ରକ୍ତରେ ରଙ୍ଗ କରିଦେଲେ । ଏହା ଦେଖି ମନେହେଲା, ସେ ମନ୍ଦାର ପୁଷ୍ପରେ ପୃଥ୍ୱୀ ଦେବୀଙ୍କୁ ପୂଜା କଲେକି ?

୨୮ଶ ପଦ–ବିଷ୍ଟ–ଅଶୁଭ । ବାଷ୍ପ–ଲୋତକ । ଖଷା–ରାକ୍ଷସମାତା ଦିତି ।

୨୮ଶ ପଦ–ରାକ୍ଷସ ମାତା ଚିନ୍ତାରେ ଆକୁଳ ହୋଇ ନେତ୍ରର ଲୋତକ ବୁହାଇଲା । (ସେ ଭାବିଲା) ଆଜିଠାରୁ ମୋ ପୁତ୍ରଙ୍କର ଅନୁକୂଳରେ ଅଶୁଭ ହେଲା ।

୨୯ଶ ପଦ–କୌତୁକରେ ତ୍ରିଶଙ୍କୁ ରାଜାଙ୍କୁ ଅର୍ଦ୍ଧସ୍ୱରରେ ଯେଉଁ ବିଶ୍ୱାମିତ୍ର ବସାଇଥିଲେ, ସେ ନିର୍ଭୟରେ ବାହୁଡ଼ି ପୁଣି ଯଜ୍ଞ ଆରମ୍ଭ କଲେ ।

୩୦ଶ ପଦ–(ଯାଗ ହେବାରୁ) ଇନ୍ଦ୍ରାଦି ଦେବତାମାନେ ଯଜ୍ଞଭାଗ ପାଇ ତୋଷ ହେଲେ ଅର୍ଥାତ୍‌ ଯଜ୍ଞ ଶେଷ ହେଲା । ତାହା ପରେ ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କୁ ପଚାରିଲେ, ‘‘ଆମେ ଅଯୋଧ୍ୟାକୁ ବାହୁଡ଼ି ଯାଉଛୁଁ ।’’

 

ବିପୁଳ କାମ୍ୟକ ବନେ ଥରେ ଭ୍ରମିଯିବା ।

 

ବୋଲି ବାହାରିଲେ ମୁନି ଘେନି ବେନି ଯୁବା ॥

।୩୧।

 

 

ବାଟେ ସେ ବନରେ ପଡ଼ିଥିଲା ଦିବ୍ୟଶିଳା ।

 

ବିଶୋଉଁ ରାମଚରଣ ଲାଗି ସେ ଅବଳା ॥

।୩୨।

 

 

ବିସ୍ମୟ ହୋଇ ଅନାଇଁ ଭାବି ରଘୁପତି ।

 

ବନୀତାର ବନିତାର ପ୍ରଭା ଏକାକୃତି ॥

।୩୩।

 

 

ବନପ୍ରିୟ ତୋଷଦାନୀ ରମଣୀ ଏ ଲୋକେ ।

 

ବନପ୍ରିୟ ତୋଷଦାନୀ ରମଣୀଏ ଲୋକେ ॥

।୩୪।

 

 

ବିରାଜି ବର–କନକ–କଦମ୍ବ ରୁଚିରେ।

 

ବି–ରାଜିବର କନକ କଦମ୍ବ ରୁଚିରେ ॥

।୩୫।

 

 

ବାସରେ ଆଚ୍ଛନ୍ନ ଶୋଭା ତୁଙ୍ଗ ପୟୋଧରେ ।

 

ବାସରେ ଆଚ୍ଛନ୍ନ ଶୋଭା ତୁଙ୍ଗ ପୟୋଧରେ ॥

।୩୬।

 

 

ବେଣୀ କେଶରେ ରଞ୍ଜନ ସିନ୍ଦୂର ଚିତାରେ ।

 

ବେଣୀ କେଶରେ ରଞ୍ଜନ ସିନ୍ଦୂର ଚିତାରେ॥

।୩୭।

 

 

ବଳା, ମଲ୍ଲିକଢ଼ି, ଫୁଲ ମଣ୍ଡନ ଅତୁଲ ।

 

ବଳା, ମଲ୍ଲିକଢ଼ି, ଫୁଲ ମଣ୍ଡନ ଅତୁଲ ॥

।୩୮।

 

 

ବିଲୋକି ବିଲୋକି ପୁଚ୍ଛା କଲେ ଦାଶରଥି ।

 

ବରାଙ୍ଗନା ହେଲା ଶିଳା କି ବିଷୟ ଏଥି ?

।୩୯।

 

 

ବିଶ୍ଵାମିତ୍ର ବୋଲେ ଆହେ ମିତ୍ରବଂଶୀ ଶୁଣ ।

 

ବିଧାତା ଭଗ୍ନ ଉର୍ବଶୀ ସୁନ୍ଦରିମା ଟାଣ ॥

।୪୦।

 

 

ବିଧାତା ସର୍ବଲାବଣ୍ୟଧାମ କରି କରୁଁ ।

 

ବୃତ୍ରାରି ଭାନୁ ମାଗିଲେ ଦେଖି ଏହା ଚାରୁ ॥

।୪୧।

 

 

ବୁଲି ଧରଣୀ ଯେ ଆଗେ ଆସିବ ଚପଳେ।

 

ବାମଲୋଚନା ତାହାକୁ ପ୍ରାପତି ବୋଇଲେ ॥

।୪୨।

 

୩୧ଶ ପଦ–ଏହା ଶୁଣି ବିଶ୍ୱାମିତ୍ର ‘ବଡ଼ କାମ୍ୟକ ବନକୁ ଥରେ ବୁଲିଯିବା’ ଏହା କହି ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ଘେନି ବାହାରିଲେ ।

୩୨ଶ ପଦ–ବିଶୋଉଁ–ବିଶ୍ରାମ କରୁଁ ।

୩୨ଶ ପଦ–ସେ କାମ୍ୟକ ବନକୁ ଯିବା ବାଟରେ ଗୋଟିଏ ସୁନ୍ଦର ପଥର ପଡ଼ିଥିଲା । ବିଶ୍ରାମ କରିବା ବେଳେ ରାମଙ୍କ ଚରଣ ଲାଗି ସେ ପଥର ସ୍ତ୍ରୀ ହୋଇଗଲା ।

୩୩ଶ ପଦ–ବନୀତାର–ପୁଷ୍ପବାଟିକାର । ବନିତା–ରମଣୀ । ପ୍ରଭା–ଦ୍ୟୁତି ବା କାନ୍ତି

୩୩ଶ ପଦ–ରାମ ବିସ୍ମୟ ହୋଇ ତାକୁ ଅନାଇ ଭାବିଲେ, ‘ଏ କାମ୍ୟକ ବନର ଦୀପ୍ତି ଓ ଏ ବାମାର ଶୋଭା ଏକାଭଳି ହୋଇଅଛି ।’

୩୪ଶ ପଦ–ବନପ୍ରିୟ–ଗୌତମ ମହର୍ଷି (ଜନପ୍ରିୟ ଯାହାଙ୍କର) । ଲୋକେ–ଅବୋଲୋକନଦ୍ୱାରା । ବନପ୍ରିୟ–କୋକିଳ । ରମଣୀ–ସ୍ତ୍ରୀ, କମନୀୟ ।

୩୪ଶ ପଦ–‘ଏ ବନ କୋକିଳଙ୍କର ଆନନ୍ଦଦାୟକ ଓ ପୃଥିବୀରେ ମନୋରମ ଅଟେ । ଏ ବନିତା ମଧ୍ୟ ମୁନିଙ୍କର ଆନନ୍ଦଦାୟିକା ଓ ଲୋକଙ୍କ ମଧ୍ୟରେ କମନୀୟା ଅଟେ ।’

୩୫ଶ ପଦ–ବର–କନକ । କଦମ୍ବ–ଉତ୍ତମ ବର୍ଣ୍ଣ ବିଶିଷ୍ଟସୁବର୍ଣ୍ଣ ସମୂହ । ରୁଚିରେ–ମନୋହର ଭାବରେ । ବିରାଜି–ପକ୍ଷୀସମୂହ।

୩୫ଶ ପଦ–‘ଏ ବନ ପକ୍ଷୀମାନଙ୍କଦ୍ୱାରା ମଣ୍ଡିତ, ବର, ପଲାଶ, କଦମ୍ବ ବୃକ୍ଷରେ ଶୋଭିତ ହୋଇଅଛି; ସେହିପରି ଏ ବନିତାଶ୍ରେଷ୍ଠ ଶୁଦ୍ଧ ସୁବର୍ଣ୍ଣର ଦୀପ୍ତିରେ ଦେଦୀପ୍ୟମାନ ।’

୩୬ଶ ପଦ–ବାସରେ–ବସ୍ତ୍ରଦ୍ୱାରା, ସୁଗନ୍ଧଦ୍ୱାରା । ଆଚ୍ଛନ୍ନ–ଆବୃତ, ପରିପୂର୍ଣ୍ଣ । ତୁଙ୍ଗ–ସମୁନ୍ୱିତ, ଅତ୍ୟୁଚ୍ଚ । ପୟୋଧର–ସ୍ତନ, ନାରିକେଳ ବୃକ୍ଷ ।

୩୬ଶ ପଦ–‘ଏ ବନ ପୁଷ୍ପ ସୌରଭରେ ଆମୋଦିତ ଓ ଅତି ଉଚ୍ଚ ନାରୀକେଳ ବୃକ୍ଷମାନଙ୍କଦ୍ୱାରା ଆଚ୍ଛାଦିତ ହୋଇଅଛି । ଏ ବନିତା ମଧ୍ୟ ତଦ୍ରୁପ ଉନ୍ନତ ସ୍ତନ ଦ୍ୱୟକୁ ଲୁଗାରେ ଆଚ୍ଛାଦନ କରି ଶୋଭା ପାଉଅଛି ।’

୩୭ଶ ପଦ–ବେଣୀ–ଦେବତାଡ଼ ବୃକ୍ଷ । କେଶର–ନାଗେଶ୍ୱର ବୃକ୍ଷ । ରଞ୍ଜନ–ରକ୍ତଚନ୍ଦନ ବୃକ୍ଷ । ସିନ୍ଦୁରଚିତା–ରକ୍ତବର୍ଣ୍ଣ ବୃକ୍ଷ ବିଶେଷ ।

୩୭ଶ ପଦ–‘ଏ ବନ ଦେବତାଡ଼, ନାଗେଶ୍ୱର, ସିନ୍ଦୁର, ରକ୍ତଚନ୍ଦନ ବୃକ୍ଷରେ ରଞ୍ଜିତ ହୋଇଅଛି । ଏ ବନିତା କେଶରେ ପଡ଼ିଥିବା ବେଣୀ, ସିନ୍ଦୂର ଓ ତିଳକ ଚିତାରେ ଶୋଭିତ ହୋଇଅଛି ।’’

୩୮ଶ ପଦ–ଅତୁଲ–ଉପମାହୀନ ।

୩୮ଶ ପଦ–‘ଏ ବନ ବାଡ଼ିଅଁଳାଗଛ ଏବଂ ଅତୁଳନୀୟ କଢ଼ ଓ ଫୁଲରେ ଶୋଭିତ ମଲ୍ଲୀ ଗଛରେ ମଣ୍ଡିତ ହୋଇଅଛି ।’

୩୯ଶ ପଦ–ରାମ ସେ ବନିତାକୁ ଚାହିଁ ଚାହିଁ (ମୁନିଙ୍କୁ) ପଚାରିଲେ, ‘ପାଷାଣ ଦିବ୍ୟ ସ୍ତ୍ରୀ ହେଲା; ଏଥିରେ କାରଣ କ’ଣ?’’

୪୦ଶ ପଦ–ମିତ୍ରବଂଶୀ–ସୂର୍ଯ୍ୟବଂଶୀୟ । ସୁନ୍ଦରୀମାଟାଣ–ସୌନ୍ଦର୍ଯ୍ୟ ଗର୍ବ ।

୪୧ଶ ପଦ–ବୃତ୍ତାରି–ଇନ୍ଦ୍ର । ଭାନୁ–ସୂର୍ଯ୍ୟ।

୪୦ଶ–୪୧ଶ ପଦ–ବିଶ୍ୱାମିତ୍ର କହିଲେ, ‘ହେ ସୂର୍ଯ୍ୟବଂଶ ରାମଚନ୍ଦ୍ର ! ଶୁଣ ! ବିଧାତା ଉର୍ବଶୀର ସୌନ୍ଦର୍ଯ୍ୟଗର୍ବ ଭଗ୍ନ କରିବା ନମିତ୍ତ ସର୍ବଲାବଣ୍ୟ ନିଧାନ ସ୍ତ୍ରୀ (ଏହି ଅହଲ୍ୟା) ନିର୍ମାଣ କଲେ । ତାହାର ଶୋଭା ଦେଖି ଇନ୍ଦ୍ର ଓ ସୂର୍ଯ୍ୟ ଦୁହେଁ (ତାହାଙ୍କୁ ନେବା ନିମିତ୍ତ) ମାଗିଲେ ।’’

୪୨ଶ ପଦ–ବିଧାତା କହିଲେ,–ଯେ ଧରଣୀକୁ ଶୀଘ୍ର ବୁଲି ଆଗ ଆସିବ, ତାହାକୁ ଏ ବାମଲୋଚନା ପ୍ରାପ୍ତ ହେବ ।’’

 

ବଚ ସ୍ଫୁରୁଁ ଭ୍ରମିଗଲେ ଦୁଇ ଦେବୋତ୍ତମ ।

 

ବ୍ୟଜନ ଚାଳନ କରୁଥିଲେ ଗଉତମ ॥

।୪୩।

 

 

ବୋଇଲେ ତୁମ୍ଭେ ନ ଗଲ କିମ୍ପା ଏ ନିମିତ୍ତେ ।

 

ବ୍ରହ୍ମ ପ୍ରଦକ୍ଷିଣ କରି ସେ କର ଯୋଡ଼ନ୍ତେ ॥

।୪୪।

 

 

ବିଭା କରୁଛନ୍ତି ତାଙ୍କୁ ହୋଇ ପୁରୋହିତ ।

 

ବଡ଼ ଅଭିମାନ ପାଇ ରବି ପୁରୁହୂତ ॥

।୪୫।

 

 

ବ୍ରାହ୍ମଣ ଜାୟା ହେବାରୁ ତପନ ନିବର୍ତ୍ତି ।

 

ବିରହି ସେହି ବିଷୟେ ମହେନ୍ଦ୍ର ପ୍ରବର୍ତ୍ତି ॥

।୪୬।

 

 

ବଶୀକରଣ ମନ୍ତ୍ରକୁ ସେଦିନୁ ଜପିଲେ ।

 

ବାଞ୍ଛାବଟ ତଳେ ରାମା ସଙ୍ଗ ମନାସିଲେ ॥

।୪୭।

 

୪୩ଶ ପଦ–‘‘ବ୍ରହ୍ମାଙ୍କ ମୁଖରୁ ଏହି ବାଣୀ ସ୍ଫୁରିବାରୁ ଇନ୍ଦ୍ର ଓ ସୂର୍ଯ୍ୟ ଧରଣୀ ବୁଲିବାକୁ ଗଲେ । (ସେତେବେଳେ) ଗୌତମ ଋଷି (ବିଧାତାଙ୍କ ପାଖରେ) ପଙ୍ଖା ପକାଉଥିଲେ ।’’

୪୪ଶ ଓ ୪୫ଶ ପଦ–‘‘ବ୍ରହ୍ମା ଗୌତମକୁ କହିଲେ, ଏ କନ୍ୟାପାଇଁ ତୁମ୍ଭେ ନ ଗଲ କିଆଁ-? ଏହା ଶୁଣି ଗୌତମ ବ୍ରହ୍ମାଙ୍କ ଚାରି ପାଶ ବୁଲି ଆସି କରଯୋଡ଼ି ଠିଆ ହୁଅନ୍ତେ (ବ୍ରହ୍ମାଙ୍କ ଚାରିପାଖ ବୁଲିବା ଅର୍ଥ ବ୍ରହ୍ମ ଗର୍ଭରେ ସ୍ଥିତ ଭୂମଣ୍ଡଳକୁ ବୁଲିବା) ବ୍ରହ୍ମା ନିଜେ ପୁରୋହିତ ହୋଇ ତାଙ୍କୁ (ଗୌତମ ଓ ସେ କନ୍ୟା ଅହଲ୍ୟାଙ୍କୁ) ବିବାହ କରୁଅଛନ୍ତି, ସେତିକିବେଳେ ସୂର୍ଯ୍ୟ ଓ ଇନ୍ଦ୍ର (ପୃଥ୍ୱୀ ପର୍ଯ୍ୟଟନରୁ ଫେରି ବିବାହ କାର୍ଯ୍ୟ ଦେଖି) ବଡ଼ ଅପମାନିତ ହେଲେ ।’’

୪୬ଶ ପଦ–ତପନ–ସୂର୍ଯ୍ୟ । ମହେନ୍ଦ୍ର–ଇନ୍ଦ୍ର ।

୪୬ଶ ପଦ–‘‘ସେହି ସ୍ତ୍ରୀ ବ୍ରାହ୍ମଣର ସ୍ତ୍ରୀ ହେବାରୁ ସୂର୍ଯ୍ୟ ନିବୃତ୍ତ ରହିଲେ, ମାତ୍ର ଇନ୍ଦ୍ର ତାଙ୍କ ବିଷୟରେ ପ୍ରର୍ବତ୍ତି ବିରହୀ ହୋଇଥିଲେ ।’’

୪୭ଶ ପଦ–ବାଞ୍ଛାବଟ–ପ୍ରୟାଗସ୍ଥିତ ସୁନାମ ପ୍ରସିଦ୍ଧ ବଟବୃକ୍ଷ

୪୭ଶ ପଦ–‘‘ସେହିଦିନ ଇନ୍ଦ୍ର ବଶୀକରଣ ମନ୍ତ୍ର ଜପିଲେ, ପୁଣି ବାଞ୍ଛାବଟ ତଳରେ ରାମା ସଙ୍ଗ ମାନସ କଲେ ।’’

 

ବସନ୍ତ, କୋକିଳ, ଅନଙ୍ଗକୁ ଉଚ୍ଚାଟନେ ।

 

ବରଗିଲେ ଅତି ଯତ୍ନ କରି ଏହି ବନେ ॥

।୪୮।

 

 

ବାଡ଼ବେୟଠାରୁ ପାଲଟାଇ ମନୋହର ।

 

ବକ୍ତ୍ରବିକାରକୁ ମାତ୍ର କରିଣ ଅନ୍ତର ॥

।୪୯।

 

 

ବିନତି ଏକାନ୍ତେ ଦେଖି ଯେତେ ଭାବେ ହେଲେ ।

 

ବିସମ୍ମତି ସମ୍ମତିକି କିଛି ନ ଜାଣିଲେ ॥

।୫୦।

 

୪୮ଶ ପଦ–ବାଡ଼ବେୟ–ଅଶ୍ୱିନୀକୁମାର ।

୪୮ଶ ପଦ–‘‘ଅହଲ୍ୟାଙ୍କୁ ଉଚ୍ଚାଟନ କରିବାପାଇଁ ଇନ୍ଦ୍ର ବସନ୍ତ ଋତୁ, କୋକିଳ ଓ କନ୍ଦର୍ପଙ୍କ ଅତି ଯତ୍ନକରି ଏହି କାମ୍ୟକୁ ବନକୁ ପେଷିଲେ ।’’

୪୯ଶତ ପଦ–ବକ୍‌ନ୍ତ୍ରବିକାର–ମୁଖବିକୃତି ।

୪୯ଶତ ପଦ–‘‘ଇନ୍ଦ୍ର ବିକୃତି ମୁଖକୁ ଛାଡ଼ି (ଘୋଡ଼ାପରି ମୁହଁ ହୋଇଥିବାରୁ) ଅନ୍ୟ ସମସ୍ତ ସୁନ୍ଦର ରୂପକୁ ଅଶ୍ୱନୀକୁମାରଙ୍କଠାରୁ ବଦଳ କରାଇଲେ ।’’

୫୦ଶତ ପଦ–‘‘ଅହଲ୍ୟାଙ୍କୁ ଏକାକୀ ଦେଖି ଇନ୍ଦ୍ର ଯେତେ ଭାବରେ ବିନୟ କରି କହିଲେ ସୁଦ୍ଧା ତାହାଙ୍କର ସମ୍ମତି ବା ଅସମ୍ମତି କିଛି ଜାଣିପାରିଲେ ନାହିଁ ।’’

 

ବରବେଶ ବହି ରସେ ମାନସ ଉଲ୍ଲାସୁଁ ।

 

ବୃଷଦଂଶ ରୂପେ ପଳାୟତ ଋଷି ଆସୁଁ ॥

।୫୧।

 

 

ବଳପର ବିନୟୀ ଗୌତମ ପଚାରନ୍ତେ ।

 

ବିଗ୍ରହେ ସହସ୍ରଭଗ ବହ ଲିଙ୍ଗ ହତେ ॥

।୫୨।

 

 

ବୋଲି ରସାଣ ହେମାଙ୍ଗୀ ପାଷାଣ କରାଇ ।

 

ବିଶ୍ଵମ୍ଭରା–ଧର–ରାଜେ–ବାସ କଲେ ଯାଇ ॥

।୫୩।

 

 

ବାଜି ତବ ପଦ–ଗତି ଲଭିଲା ସୁଗତି ।

 

ବନ୍ଦିଲା ଶ୍ରୀରାମେ ଶୁଣି ସେ ମୁନି ଭାରତୀ ॥

।୫୪।

 

 

ବନ୍ଦିତ ପତିରେ ହୋଇ ଉଦିତ ସେନେହୀ ।

 

ବିଶ୍ଵାମିତ୍ର ପୁଣି ହସ ହସ ହୋଇ କହି ॥

।୫୫।

 

୫୧ଶତ ପଦ–ବୃଷଦଂଶ–ବିରାଡ଼ି ।

୫୧ଶତ ପଦ–‘‘ଗୌତମଙ୍କ ବେଶ ପରି ବେଶ ଧରି ଶୃଙ୍ଗାର ରସରେ ଅହଲ୍ୟାଙ୍କ ମନକୁ ଉଲ୍ଲାସ କରିବା ସମୟରେ ଋଷି ତପସ୍ୟାରୁ ଫେରିଲେ । ତାଙ୍କୁ ଦେଖି ଇନ୍ଦ୍ର ମାର୍ଜାର ରୂପ ଧରି ପଳାଇଗଲେ ।’’

୫୨ଶତ ପଦ–ବଳପର–ଇନ୍ଦ୍ର । ବିଗ୍ରହ–ଦେହ ।

୫୨ଶତ ପଦ–‘‘ଗୌତମ (ଧ୍ୟାନ ବଳରେ ଜାଣିପାରି) ଇନ୍ଦ୍ରଙ୍କୁ ପଚାରନ୍ତେ, ସେ ବିନୟ ପ୍ରକାଶ କଲେ । ମୁନି କ୍ରୋଧରେ ଶାପ ଦେଲେ,–ତୁମ୍ଭର ଲିଙ୍ଗ ଭଗ୍ନ ହେଉ, ଦେହରେ ସହସ୍ର ଯୋନି ବହନ କର ।’’

୫୩ଶତ ପଦ–ବିଶ୍ୱମ୍ଭରା ଧର–ରାଜେ–ହିମାଳୟ ପର୍ବତରେ ।

୫୩ଶତ ପଦ–‘‘ଇନ୍ଦ୍ରଙ୍କୁ ଏହା କହି ବିଶୁଦ୍ଧ ସ୍ୱର୍ଣ୍ଣବର୍ଣ୍ଣା ଅହଲ୍ୟାଙ୍କ ପାଷାଣ କରି ଋଷି ଯାଇ ହିମାଳୟ ପର୍ବତରେ ବାସ କଲେ ।’’

୫୪ଶତ ପଦ–‘‘ଅହଲ୍ୟା ତୁମ୍ଭ ପାଦ ବାଜିବାରୁ ଉତ୍ତମଗତ ଅର୍ଥାତ୍‌ ପାଷାଣତ୍ୱରୁ ମୁକ୍ତି ପାଇଲେ ।’’ ବିଶ୍ୱାମିତ୍ରଙ୍କର ଏ କଥା ଶୁଣି ଅହଲ୍ୟା ଶ୍ରୀରାମଙ୍କ (ଏ ସାକ୍ଷାତ୍‌ରେ ବିଷ୍ଣୁ ଜାଣି) ବନ୍ଦାପନା କଲେ ।

୫୫ଶତ ପଦ–ସେ ଅହଲ୍ୟା ଗୌତମଙ୍କ ପାଖକୁ ଯିବାପାଇଁ ଆଗ୍ରହ ପ୍ରକାଶ କଲେ ଓ ଯାଇ ସ୍ନେହିପାତ୍ରୀ ହେଲେ । ପୁଣି ବିଶ୍ୱାମିତ୍ର ହସ ହସ ହୋଇ ରାମଙ୍କୁ କହିଲେ–

 

ବିଶ୍ଵମୋହୀ–କନ୍ୟା ଏ ଦେଖିଲେ ଯେଡ଼େ ରମ୍ୟ ।

 

ବିଦେହ ଦେଶେ ଧରାରୁ ସୁନ୍ଦରୀଏ ଜନ୍ମ ॥

।୫୬।

 

 

ବିଜ୍ଞ ବିହି ଥିଲା ଶିଳା ଏହାକୁ କରାଇ ।

 

ବିତର୍କି ଏ ସୀତାର ଚରଣଘଷା ଏହି ॥

।୫୭।

 

 

ବର ସମେ ସୁଷମେ ଜଗତେ ନାହିଁ ଯେଣୁ ।

 

ବ୍ୟୋମକେଶ ଧନୁଭଗ୍ନ ସ୍ଵୟମ୍ବର ତେଣୁ ॥

।୫୮।

 

 

ବୀରଧୂ ପ୍ରକାଶ ତବ ହେଉ ଅତିଶୟେ ।

 

ବଲ୍ଲଭ ହୁଅ ତା ରକ୍ଷା ଫଳୋଦୟେ ॥

।୫୯।

 

 

ବିଭାକରବଂଶୀ ବୋଲେ ଅଛି ପରମ୍ପରା ।

 

ବ୍ରହ୍ମାଣ୍ଡ ସାର–ସୁନ୍ଦରୀ ରମ୍ଭା ଅପସରା ॥

।୬୦।

 

 

ବିଭାତି ଜ୍ୟୋତିରିଙ୍ଗଣ ରାତ୍ରରେ ଦେଖାଇ ।

 

ବିଲୁପ୍ତ ପ୍ରଭାତ ପ୍ରଭା ଯେମନ୍ତ କରଇ ॥

।୬୧।

 

 

ବୈଦେହୀ ଜାତରୁ ରମ୍ଭା ତଥା କହେ ଋଷି ।

 

ବାଷଠି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭାଷି ॥

।୬୨।

 

୫୬ଶତ ଓ ୫୭ଶତ ପଦ–‘‘ଏହି ଜଗତ୍‌ମୋହିନୀ କନ୍ୟାକୁ ଯେଡ଼େ ସୁନ୍ଦର ଦେଖିଲ, ମିଥିଳାରେ (ଏହିଠାରୁ ବଳି) ଏକ ସୁନ୍ଦରୀ କନ୍ୟା ପୃଥ୍ୱୀ ମଧ୍ୟରୁ ଜନ୍ମ ହୋଇଛି । ବିଶେଷରେ ଜ୍ଞାନୀ ବିଧାତା ସେ ସୀତାଙ୍କର ଚରଣ ଘସା ପଥର କରିବ–ଏହି ଯୁକ୍ତିରେ ଏହାକୁ (ଏ ଅହଲ୍ୟାକୁ) ପଥର କରାଇଥିଲା ।’’

୫୮ଶତ ପଦ–ସୁଷମେ–ଶୋଭାରେ । ବ୍ୟୋମକେଶ–ମହାଦେବ ।

୫୮ଶତ ପଦ–ଯେ ହେତୁରୁ ବ୍ରହ୍ମାଣ୍ଡରେ ତାହାର ଶୋଭା ସମାନରେ ବର ନାହିଁ, ତେଣୁ ମହାଦେବଙ୍କ ଧନୁଭଙ୍ଗ ପଣରେ ସ୍ୱୟଂବର ହେଲା । (ଅର୍ଥାତ୍‌ ଶିବଧନୁ ଯେ ଭାଙ୍ଗିବ ସେ କନ୍ୟାକୁ ବିବାହ କରିବ–ଏହି ପଣରଖି ସ୍ୱୟଂବର କରାଗଲା ।)

୫୯ତମ ପଦ–ବୀରଧୁ–ବୀରତ୍ୱ ।

୬୦ତମ ପଦ–ବିଭାକର ବଂଶୀ–ସୂର୍ଯ୍ୟବଂଶୀୟ (ରାମଚନ୍ଦ୍ର) ।

୫୯ଶତ ପଦ–‘‘ତୁମ୍ଭର ବୀରତ୍ୱ ଖୁବ୍‌ ଭଲ ଭାବରେ ପ୍ରକାଶିତ ହେଉ । (ସୁବାହୁ, ମାରୀଚ ଇତ୍ୟାଦି ରାକ୍ଷସଙ୍କୁ ମାରିବାରୁ ଯେ ବୀରତ୍ୱ ଜଣାଯାଇଛି, ଧନୁର୍ଭଙ୍ଗରେ ଅତିଶୟ ପ୍ରକାଶିତ ହେବ) । ଆମ୍ଭ ଯାଗ ରକ୍ଷା କରିବାର ଫଳସ୍ୱରୁପ ତୁମ୍ଭେ ସେ ସୀତାଙ୍କର ସ୍ୱାମୀ ହୁଅ ।’’

୬୦ତମ ପଦ–(ବିଶ୍ୱାମିତ୍ରଙ୍କ ବାଣୀ ଶୁଣି) ରାମ କହିଲେ, ‘‘ପୁର୍ବରୁ ପ୍ରସିଦ୍ଧି ପରା–ରମ୍ଭା, ଅପସରା ବ୍ରହ୍ମାଣ୍ଡରେ ସାର ସୁନ୍ଦରୀ । (ସୀତା କ’ଣ ତାଙ୍କଠାରୁ ବଳି ସୁନ୍ଦରୀ ?)’’

୬୧ତମ ପଦ–ବିଭାତି–ପ୍ରଭା । ଜ୍ୟୋତିରିଙ୍ଗଣ–ଜୁଳୁଜୁଳୁକା ପୋକ ।

୬୧ତମ ଓ ୬୨ତମ ପଦ–ଋଷି କହିଲେ, ‘‘ଜୁଳୁଜୁଳା ପୋକ ରାତ୍ରିରେ ତେଜ ଦେଖାଇ ଯେପରି ପ୍ରଭାତରେ ନିଜ ନିଜ ଜ୍ୟୋତି ଗୁପ୍ତ କରନ୍ତି, ସୀତା ଜାତ ହେବାରୁ ରମ୍ଭା ସେହିପରି ହେଲାଣି ।’’ ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାଷଠି ପଦରେ ରଚନା କଲେ ।

 

Unknown

ଅଷ୍ଟମ ଛାନ୍ଦ

(ରାଗ: କାଳୀ)

ବିଜୟୀ–ବୀର ! ବିଜୟ କର ଯିବା ମିଥିଳାପୁର ।

 

ବାହାର ହୋଇ ବିହର ତହିଁ କରନ୍ତି ମୁନିବର ॥

 

ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡ଼ାମଣି ।

 

ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି ॥

।୧।

ବଶୀକରଣ ମୂର୍ତ୍ତି ଧାରଣ ଉଚ୍ଚାଟନ ତା ଚାରୁ ।

 

ବିଧିସୁନ୍ଦରୀ ସେ ପୁରନ୍ଦରୀ ତାହାକୁ ବୋଲିବାରୁ ॥

 

ବିହିଲା ବିହି ପ୍ରଭା ଏ କାହିଁ ଶୋଭାସଂଗ୍ରହ ପାଇ ।

 

ବଣା ବିବେକ ପଣ୍ଡିତ ଲୋକମାନଙ୍କୁ କରି ଦେଇ ॥

।୨।

ବିଗ୍ରହକାନ୍ତି କି ଝଟକନ୍ତି କନକ ଅନାଇଲା ।

 

ବାନ ବଢ଼ାଇ ଅଗ୍ନିରେ ଦହି ଶିଳେ କଷାଇ ହେଲା ॥

 

ବଣିକଶ୍ରେଣୀ ଅସମ ଜାଣି ହେଲେ ପ୍ରହାରଦାନୀ ।

 

ବସାଇ ତୁଲେ ରତିଏ ବୋଲେ ତେତିକି ଲକ୍ଷ ଘେନି ॥

।୩।

ବିଚିର ଜ୍ୟୋତି ଲଭି ସେ ଭୀତି ବିଦ୍ୟୁ ଲକ୍ଷଣ ଏତେ ।

 

ବୁଜି ଈକ୍ଷଣ ହୋଏ ତକ୍ଷଣ ଯାହା ଦର୍ଶନ ମାତ୍ରେ ॥

 

ବଡ଼ାଇ ହୀନ କଣ୍ଟକପର୍ଣ୍ଣ ମଧ୍ୟର ଦରେ ଲୁଚି ।

 

ବାସସ ମେଳ କେତକୀ ଫୁଲ କେତେ ମନକୁ ରୁଚି ॥

।୪।

ବାହ୍ଲୀକ ଚୂର୍ଣ୍ଣ କରି ସେବନ ମନକୁ ମନାଇଲା ।

 

ବରବର୍ଣ୍ଣନା ଜଗଦ୍‌ବନ୍ଦନା ଏଣୁ କି ବୋଲାଇଲା ?

 

ବରବର୍ଣ୍ଣନା କବିରୋଚନା ବୋଲାଇ ତର୍କ ହୋଏ ।

 

ବିଲକ୍ଷ ସ୍ଵର ପ୍ରିୟାଟି ସ୍ମର ରତି ନାମକୁ ପାଏ ॥

।୫।

 

୧ମ ପଦ–ସୁନ୍ଦରୀ ବ୍ରଜେ–ସୁନ୍ଦରୀ ସମୂହରେ । ଚୁଡ଼ାମଣି–ଶିରୋମଣି ।

୧ମ ପଦ–‘‘ହେ ବିଜୟୀ ବୀର । ଚାଲ ମିଥିଳା ପୁରକୁ ଯିବା ।’’ ବିଶ୍ୱାମିତ୍ର ଏହା କହିବାରୁ ତିନିହେଁ ବାହାର ହୋଇଗଲେ । ବାଟରେ ମୁନିବର କହିଲେ, ‘‘ସୀତା ସୁନ୍ଦରୀମାନଙ୍କ ମଧ୍ୟରେ ଶିରୋମଣି ଅଟନ୍ତି । ତାଙ୍କ ପରି ବର୍ତ୍ତମାନ କାଳରେ ଆଉ କେହି ନାହାନ୍ତି, ଅତୀତ କାଳରେ ନ ଥିଲେ ବା ଭବିଷ୍ୟତରେ ହେବେ ନାହିଁ ।’’

୨ୟ ପଦ–ବଶୀକରଣ ମନ୍ତ୍ର–ଯେଉଁ ମନ୍ତ୍ର ଜପ କଲେ ସମସ୍ତେ ବଶ ହୁଅନ୍ତି । ସୁନ୍ଦରୀପୁରନ୍ଦରୀ–ସୁନ୍ଦରୀ ଶୀରୋମଣି । ପ୍ରଭା–କାନ୍ତି ।

୨ୟ ପଦ–‘‘ସେ ସୀତା ବଶୀକରଣ ମନ୍ତ୍ରର ମୂର୍ତ୍ତି ଧାରଣ କରିଅଛନ୍ତି (ତାଙ୍କୁ ଦେଖିଲେ ଯେ କୌଣସି ଲୋକ ବଶୀଭୂତ ହେବ ।) ପୁଣି ତାଙ୍କର ମନୋହର ରୂପ ଦେଖି ସମସ୍ତେ ଉଚ୍ଚାଟ ହେବେ । ବିଧାତା ନିର୍ମିତ ସୁନ୍ଦରୀମାନଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠା; ଏହା କହିଲେ ମଧ୍ୟ ଯଥେଷ୍ଟ ହେବ ନାହିଁ । ବିହି କାହୁଁ ଏତେ ଶୋଭାମାନ ସଂଗ୍ରହ କରି ସେ ଗଢ଼ିଲା ? ଏହି ପ୍ରଶ୍ନ ପଣ୍ଡିତମାନଙ୍କର ବିବେକକୁ ବଣା କରିଦେଉଅଛି । (ପଣ୍ଡିତମାନେ କିଛି ବିଚାର କରି ନ ପାରି ବଣା ହେଉଅଛନ୍ତି)।

୩ୟ ପଦ–ବିଗ୍ରହକାନ୍ତି–ଦେହଶୋଭା । କନକ–ସୁନା । ବାନ–କାନ୍ତି ବା ଶୋଭା ।

୫ମ ପଦ–ବାହ୍ଳୀକ ଚୂର୍ଣ୍ଣ–କୁଙ୍କୁମ ଚୂର୍ଣ୍ଣ । ସ୍ମରପ୍ରିୟା–ରତି । ସ୍ମରି–ସ୍ମରଣ କର ।

୩ୟ ପଦ–‘‘ତାହାଙ୍କ ଶରୀରର ଅନିର୍ବାଚନୀୟ ଶୋଭାକୁ ଦେଖି ସୁବର୍ଣ୍ଣ (ମୁଁ ଏହିପରି ହେବି ମନେକରି) ଅଗ୍ନିରେ ନିଜ ଅଙ୍ଗକୁ ଦଗ୍‌ଧ କଲା, କଷଟି ପଥରରେ ନିଜକୁ ଘସାଇଲା । ତେବେ ସୁଦ୍ଧା ବଣିଆମାନେ ସୀତାଙ୍କ କାନ୍ତିକୁ ସମାନ ନ ହେବାର ଜାଣି ତାକୁ ପ୍ରହାର କଲେ । ତୁଳ ପାତ୍ରରେ ବସାଇ ତୁଳି ରତିଏ ପ୍ରମାଣ ହେବାର ଲକ୍ଷ୍ୟ କଲେ । (ସୀତାଙ୍କ କାନ୍ତି ତୁଳନାରେ ଏ ରତିଏ ମାତ୍ର ଅଟେ ।)’’

୪ର୍ଥ ପଦ–‘‘ବିଜୁଳିର ଜ୍ୟୋତିକୁ ଚାହିଁଲା ମାତ୍ରକେ ଚକ୍ଷୁ ବୁଜି ହୋଇଯାଏ । ସେ ବିଜୁଳି (ସୀତାଙ୍କ ରୂପ ଦେଖି) ଭୟ ପାଇ ଦେଖାଦେବା ମାତ୍ରେ ଲୁଚି ଯାଉଅଛି । (ବିଜୁଳିର ଶୋଭା କ୍ଷଣସ୍ଥାୟୀ, ମାତ୍ର ସୀତାଙ୍କ ଶୋଭା ଚିରସ୍ଥାୟୀ; ବିଜୁଳିକୁ ଦେଖିଲେ ଆଖି ବୁଜି ହୋଇଯାଏ, ସୀତାଙ୍କ କାନ୍ତିକୁ ଚାହିଁଲେ ଆଉ ବେଶିବେଳ ଦେଖିବାକୁ ମନ ହୁଏ । ତେଣୁ ସୀତାଙ୍କ କାନ୍ତିଠାରୁ ଉତ୍କୃଷ୍ଟତର) ! କେତକୀ ଫୁଲ ନିଜ ଦେହ ଶୋଭା ଓ ସୁବାସକୁ ସୀତାଙ୍କ ଶୋଭା ଓ ବାସନଠାରୁ ହୀନ ଭୟରେ କଣ୍ଟାପତ୍ର ମଧ୍ୟରେ ଲୁଚି ରହିଲା ।’’

୫ମ ପଦ–‘‘ସୀତାଙ୍କ କାନ୍ତିକୁ ସମାନ ହେବ ବୋଲି କୁଙ୍କୁମ ଚୂର୍ଣ୍ଣହୋଇ ତାଙ୍କୁ ସେବା କରିବାକୁ ମନ ମନାଇଲା । ତେଣୁ ଜଗତ୍‌ ବନ୍ଦନୀୟା ସୀତା କୁଙ୍କୁମବର୍ଣ୍ଣା ଆଖ୍ୟା ପାଇଲେ । ଶ୍ରେଷ୍ଠ ବର୍ଣ୍ଣବିଶିଷ୍ଟ ଗୋରଚନା (ତାଙ୍କ କାନ୍ତିକୁ ସମାନ ନ ହୋଇ) ସୀତାଙ୍କର ସ୍ତୁତି ବ୍ୟାଜରେ ରତ ହେଲା-। ସୀତାଙ୍କ ଶୋଭାକୁ ଲକ୍ଷ୍ୟ ନ ହେବାରୁ କାମଦେବର ସ୍ତ୍ରୀ ରତି ନାମକୁ ଧାରଣ କଲା । (ଅର୍ଥାତ୍‌ ସୀତାଙ୍କ ଶୋଭା ସହିତ କାମଦେବ ପତ୍ନୀର ଶୋଭା ତୁଳନା କଲେ ରତିଏ ପ୍ରମାଣ ହେବ-।)

 

ବିହୁଁ ସମୁଦ୍ର ମନ୍ଥନୁ ଚନ୍ଦ୍ର ଜନମ ଯେଉଁକାଳେ ।

 

ବିହୀନ କ୍ଷୀଣ କଳଙ୍କେ ଜାଣ ନିର୍ମଳ ହୋଇଥିଲେ ॥

 

ବଦନେ ଜାନକୀର ସମାନ ମନ ଜାଣିଟି ବିହି ।

 

ବିମ୍ବବେଷ୍ଟେନ ନୋହିଲା ବର୍ଣ୍ଣ ଭାବେଟି କାଟିଦେଇ ॥

।୬।

ବନଜ ଆଦରଶ କି ବାଦ ରଚି ହୁଅନ୍ତେ ଯୋଖ ।

 

ବିସ୍ତାରି ଆହା କି ଝଳି ଆହାଲ୍ଲାଦ ସୁବାସ ମୁଖ ॥

 

ବିଲୋଳ ଚଳ ସୁଧା କଲ୍ଲୋଳ ଲାବଣ୍ୟ ସରିତରେ ।

 

ବିକାଶ ହାସ କରଇ ହାସ–ହୀରାକୁ ନିରନ୍ତରେ ॥

।୭।

ବିଧୁ ବିଧୂର ଗର୍ବରୁ ଚୂର ପବିତ୍ର ଦ୍ରବ୍ୟ ଦର୍ଭ ।

 

ବିକଶିତରେ ସେ ଈଷିତରେ ନ ଲଭିଲା ସନ୍ଦର୍ଭ ॥

 

ବିକଶିତ ଯେ କୁମୁଦପୁଞ୍ଜେ ଦିନେ ସଙ୍କୋଚ ବହି ।

 

ବୁଡ଼ଣାନୀରେ ପଡ଼ି ଲାଜରେ ଦୃଢ଼ ଆୟୁଷୁଁ ଜୀଇଁ ॥

।୮।

ବିଷ୍ଫାରିତ ତା ଲୋଚନ ଗତାଗତ କରଇ ଡୋଳା ।

 

ବିଲଜ୍ଜଭୃଙ୍ଗ ସରୋଜେ ସଙ୍ଗ ହୋଇ ଶିଖେ ସେ ଲୀଳା ॥

 

ବାତେ ଚଳଇ ନୀଳୋତ୍ପଳହିଁ ସେ ଛବି ଲକ୍ଷ ହେଜି ।

 

ବାଳକ କରେ ସାରେଣୀ କରେ ଖେଳା ତରୁଣ ତେଜି ॥

।୯।

ବକ୍ର ଭ୍ରୁଲତା ନିକଟେ ସ୍ଥିତା ଚାହିଁ କମାଣେ ରହି ।

 

ବିଶିଖ ଗତି କରୁଅଛନ୍ତି ପକ୍ଷ୍ମପକ୍ଷକୁ ବହି ॥

 

ବର୍ଣ୍ଣ ତ୍ରିବିଧୁଁ ଶାଳିତ ସାଧ ହିଙ୍ଗୁଳ କଳା ଶଙ୍ଖେ ।

 

ବହୁରୂପ ଏ ଆନ ପରାୟେ ଯଥା ଆପଣ ସୁଖେ ॥

।୧୦।

 

୬ଷ୍ଠ ପଦ–‘‘ଦେବତା ଅସୁର ମିଶି ସମୁଦ୍ରମନ୍ଥନ କରିବାରୁ ଯେତେବେଳେ ଚନ୍ଦ୍ର ଜନ୍ମ ହେଲେ, ସେତେବେଳେ ସେ ପୂର୍ଣ୍ଣ ଓ କଳଙ୍କ ବିହୀନ (ନିଷ୍କଳଙ୍କ) ହୋଇଥିଲେ । (ମୁଁ ଜାନକୀର ବଦନ ସହିତ ସମାନ ହେଲି) ଏହା ମନେକରିବାରୁ ବିଧାତା ମୁଣ୍ଡଳାକାଟି ଚନ୍ଦ୍ରକୁ ଭୁଲ ବୋଲି ଜଣାଇ ଦେଲେ । (ନିଷ୍କଳଙ୍କ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସୀତାଙ୍କ ବଦନକୁ ସମାନ ହେଲାନାହିଁ, ବର୍ତ୍ତମାନ ଚନ୍ଦ୍ରରେ ତ କଳଙ୍କ ଓ କ୍ଷୀଣତା ପ୍ରକାଶ ପାଇଛି; ସେ ବା କିପରି ସମାନ ହେବ ? ମୁଁ ସୀତାଙ୍କର ବଦନ ସହିତ ସମାନ ହେଲି,– ଚନ୍ଦ୍ର ବୃଥାରେ ଏହି ଗର୍ବ କରିବାରୁ ତାର ଗର୍ବ ଭାଙ୍ଗିବାପାଇଁ ବିଧାତା ତାକୁ ମୁଣ୍ଡଳା ମଧ୍ୟରେ ଅର୍ଥାତ୍‌ ଚନ୍ଦ୍ର ମଣ୍ଡଳ ଭିତରେ ରଖିଲେ) ।’’

୭ମ ପଦ–ବନଜ–ପଦ୍ମ । ଆଦରଶ–ଦର୍ପଣ । ବିଲୋଳ–ଚଞ୍ଚଳ ।

୭ମ ପଦ–‘‘ପଦ୍ମ ଓ ଦର୍ପଣ ଏ ଦୁହେଁ ବାଦ କରି ସୀତାଙ୍କ ମୁଖ ସହିତ ସମାନ ହୁଅନ୍ତେ କି-? (ସମାନ ହେଲେ ନାହିଁ) । ଲାବଣ୍ୟ ତରଙ୍ଗୀଣୀରେ ଚଞ୍ଚଳ ଓ ଢଳ ଢଳ ଅମୃତମୟ ତରଙ୍ଗପରି ହୀରାକୁ ଦାସ କରି ରଖିଥିବା ଯେଉଁ ଦାସ ବିଶିଷ୍ଟ ମୁଖ, ସେଥିରେ ସୌରଭ ଓ ଆହ୍ଲାଦ ଉଭୟ ବିଦ୍ୟମାନ । (ପଦ୍ମରେ କେବଳ ସୌରଭ ଓ ଦର୍ପଣରେ କେବଳ ଆହ୍ଲାଦ ଗୁଣ ଅଛି, ମାତ୍ର ସୀତାଙ୍କ ବଦନରେ ଉଭୟ ଥିବାରୁ, ସେମାନେ ତୁଳନୀୟ ନୁହଁନ୍ତି)।’’

୮ମ ପଦ–ବିଧୂ–କର୍ପୂର । ବିଧିର–କାତର । ଦର୍ଭ–କୁଶ । ସନ୍ଦର୍ଭ–ଶ୍ରେଷ୍ଠତା, ଏଠାରେ ପୂର୍ଣ୍ଣତା ।

୮ମ ପଦ–‘‘ସୀତାଙ୍କ ହାସକୁ ସମ ବୋଲି ଗର୍ବ କରିବାରୁ କର୍ପୂର ବିଶେଷ ଭାବରେ ଚୂର୍ଣ୍ଣ ହେଲା । ପବିତ୍ରଦ୍ରବ୍ୟ କୁଶ ପ୍ରଷ୍ଫୁଟିତ କୁସୁମରେ ସୀତାଙ୍କ ହାସ ପରିପାଟୀକୁ ଲେଶମାତ୍ର ସରି ହେଲା ନାହିଁ । କୁମୁଦମାନେ ସୀତାଙ୍କ ହାସଛଟାକୁ ଦିନେ ହେଲେ ସମାନ ନ ହେବାରୁ ଲଜ୍ଜିତ ହୋଇ ମରିବା ଇଚ୍ଛାର ପାଣିରେ ବୁଡ଼ିଲେ, ମାତ୍ର ଆୟୁଃବଳ ଥିବାରୁ ନ ମରି ବଞ୍ଚି ରହିଲେ । (ସୀତାଙ୍କ ହାସ ଛଟାକୁ କର୍ପୂର, କୁଶ ଫୁଲ ଓ କୁମୁଦ ମଧ୍ୟ ସମାନ ନୁହନ୍ତି) ।’’

୯ମ ପଦ–ବିସ୍ଫାରିତ–ବିସ୍ତାରିତ । ବିଲକୁଭୃଙ୍ଗ–ନିର୍ଲ୍ଲଜ ଭ୍ରମର । ସରୋଜ–ପଦ୍ମ । ତରୁଣ–ଯୁବକ । ଶାଳିତ–ଚିତ୍ରିତ । ସାରେଣୀ–ନଟୁ ବା ନଟୁ ଜାତୀୟ ଖେଳନା ।

୯ମ ପଦ–ସୀତାଙ୍କ ବିସ୍ତାରିତ ଲୋଚନରେ ଗତାଗତ କରୁଥିବା ଡୋଳାକୁ ଚାହିଁ ନିର୍ଲଜ ଭ୍ରମର ପଦ୍ମର ସଙ୍ଗ ହୋଇ ସେ ଡୋଳା ଲୀଳାକୁ ଶୁଖୁଅଛି । ତାହା ସେ କାହୁଁ ପାଇବ ? ନୀଳୋତ୍ପଳ ପବନଦ୍ୱାରା ଚାଳିତ ହେବା ଛବି ସେ ନେତ୍ର ଡୋଳାର ଗତାଗତ ଛବିକୁ ମଧ୍ୟ ଲକ୍ଷ୍ୟ ନୁହେଁ । ସେ ନେତ୍ର ଡୋଳାର ଚଞ୍ଚଳତାକୁ ନ ପାଇ ସାରେଣୀ ଯୁବକଙ୍କଦ୍ୱାରା ତେଜ୍ୟହୋଇ ବାଳକମାନଙ୍କ ହସ୍ତରେ ଖେଳା କରୁଅଛି । (ଡୋଳାର ଚଞ୍ଚଳତାକୁ ସମାନ ନ ହେବାକୁ ଯୁବକମାନେ ସାରେଣୀକୁ ତ୍ୟାଗକଲେ; ମାତ୍ର ଅଜ୍ଞାନ ବାଳକମାନେ କିଛି ଜାଣି ପାରୁ ନ ଥିବାରୁ ସାରେଣୀ ତାଙ୍କ ହସ୍ତର କ୍ରୀଡ଼ାନକ ହେଲା)।’’

୧୦ମ ପଦ–କମାଣ–ଧନୁ । ବିଶିଖ–ଶର । ଶାଳିତ–ଚିତ୍ରିତ ।

୧୦ମ ପଦ–ସୀତାଙ୍କ ନେତ୍ର ଲୋମକୁ ବହି ବକ୍ର ଭ୍ରୂଲତା ନିକଟରେ ରହିଅଛି । ତାହାକୁ ଦେଖି ମନେହୁଏ, ପକ୍ଷଯୁକ୍ତ ଶର ଧନୁରେ ରହି ନେତ୍ରର ଗତି କରୁଅଛିକି ? ବହୁରୂପା ନୃତ୍ୟକରମାନେ ନିଜ ଇଚ୍ଛାରେ ଭିନ୍ନରୂପେ ଚିତ୍ରିତ ହେଲା ପ୍ରାୟ ସେ ଲୋଚନଶର ରକ୍ତ, କୃଷ୍ଣ ଓ ଶୁକ୍ଳବର୍ଣ୍ଣ ଧାରଣ କରିଅଛି । (ନେତ୍ରର ଉପରେ ଲୋମ ଥାଏ ଓ ପାଖରେ ବକ୍ର ଭ୍ରୁଲତା ଥାଏ । ଶର ନେତ୍ର ଗତି ସହିତ ସମାନ ହେବା ପାଇଁ ମୂଳରେ ପକ୍ଷ ଧାରଣ କଲା ଓ ବକ୍ର ଧନୁରେ ଅବସ୍ଥାନ କଲା, ନେତ୍ର ତ୍ରିବର୍ଣ୍ଣ ଧାରଣ କଲାପରି ଶର ମଧ୍ୟ ତ୍ରିବର୍ଣ୍ଣ ହେଲା ତଥାପି ସେ ସମାନ ହୋଇ ପାରିଲା ନାହିଁ । କାରଣ ସେ ପରଦ୍ୱାରା ଚାଳିତ ହୁଏ, ମାତ୍ର ନେତ୍ରଶର ସ୍ୱଇଚ୍ଛାରେ ଚଳେ ।)

 

ବିପିନ ଘନେ ପଶି ବହନେ ଚଞ୍ଚଳେ ହରି ମୃଗ ॥

 

ବଂଶରେ କେହି ସେ ସମ ଧ୍ୟାୟୀ ମରି ଇନ୍ଦୁରେ ଯୋଗ ।

 

ବାଞ୍ଛିତ କର୍ମହୀନର ଶ୍ରମ କଲେ ପ୍ରାପତ କାହିଁ ?

 

ବିମଳ ପଦାର୍ଥକୁ ସର୍ବଦା ସମଳ କଲା ଯହିଁ ॥

।୧୧।

ବସିଲେ ତୁଳେ ଦଇବ ବଳେ ଗୁଞ୍ଜା କି ରତ୍ନ ପ୍ରାୟେ?

 

ବିନିମିଷେ ଯେ ମୀନସମାଜେ, ଖଞ୍ଜନ କମ୍ପେ ଭୟେ ॥

 

ବୁଡ଼ାଇ ରାଗକୁଣ୍ଡରେ ବେଗ ବେଗ ଅପାଙ୍ଗ ଢାଳି ।

 

ବଡ଼ିଶ ପରି ନିଏ ଓଟାରି ମନ ମୀନକୁ ବାଳୀ ॥

।୧୨।

ବିଲୋକ କରି ଅଳକ ଫରୀ ଏଥିକି ସମ ନୋହି ।

 

ବେତାଳ ବଇଭବକୁ ଧ୍ୟାୟି ଖଡ଼୍‌ଗ ପ୍ରହାର ବହି ॥

 

ବାସ ଲଲାଟ ପଛରେ ପଟ ଆଉ ତା କି ଲକ୍ଷିବା ?

 

ବିଗଳିତାଙ୍କ ଅର୍ଦ୍ଧଶଶାଙ୍କ ଯୋଖିବା ନ ଯୋଖିବା ॥

।୧୩।

ବିଫଳ ହେବ ତୋଷିବା ଶିବ ତପସ୍ୟା ଗଙ୍ଗାକୂଳ ।

 

ବଚନେ ନାହିଁ ସର୍ବାଙ୍ଗେ ଯହିଁ ଦେବା ଉପମା ତୁଲ ॥

 

ବିସୋରିଥିଲେ ଉରଜ ଭଳି ନୋହେ ସେ ଶମ୍ଭୁ ଅଙ୍ଗେ ।

 

ବିଶ୍ଚୁପଦୀ ତ ହୋଇ ଲଜ୍ଜିତ ହାରିଛି ହାର ସଙ୍ଗେ ॥

।୧୪।

ବଡ଼ିମା–ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି ।

 

ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି ॥

 

ବର୍ଜିତ ସାର ଦୀର୍ଘ ଌଲୁ କାର ହ୍ରସ୍ଵ ତ ସାନ ହେଲା ।

 

ବୁଦ୍ଧିକି ପାଶ କରନ୍ତେ ପାଶ ଗର୍ଭରେ ବୁଡ଼ିଗଲା ॥

।୧୫।

 

୧୧ଶ ପଦ–ସୀତାଙ୍କ ନେତ୍ରର ଚଞ୍ଚଳତାରେ ମୃଗର ଗତି ହାରି ଯିବାରୁ ମୃଗ ଗହନ ବନରେ ପଶି ଲୁଚିଲା । ସେହି ମୃଗ ବଂଶରେ କେହି ସୀତାଙ୍କ ନେତ୍ରରେ ଚଞ୍ଚଳତା କଥା ଚିନ୍ତା କରି ମଲା ଓ ଚନ୍ଦ୍ରରେ ଯାଇ ଅବସ୍ଥାନ କଲା । ନିଜେ ତ ସମାନ ହେଲା ନାହିଁ, ଯାହା ନିର୍ମଳ ଚନ୍ଦ୍ରଙ୍କୁ କଳଙ୍କିତ କଲା ଏହିମାତ୍ର ଫଳହେଲା । କର୍ମହୀନ ଲୋକ ଯେତେ ଶ୍ରମକଲେ ସୁଦ୍ଧା ମନୋରଥକୁ ପାଇଥାଏକି ? (କେବେହେଲେ ପାଏ ନାହିଁ) ।

୧୨ଶ ପଦ–ଗୁଞ୍ଜା–କାଇଁଚ । ନିମିଷ–ପକ୍ଷ୍ମପାତ ଶୂନ୍ୟ । ବାଳୀ–ସୀତାଦେବୀ ।

୧୨ଶ ପଦ–ଦେବ ବିଧାନରେ କାଇଁଚ ତୁଳ ପାତ୍ରରେ ବସିଲା ସୁଦ୍ଧା ସୁବର୍ଣ୍ଣ ସହିତ ସମାନ ହୁଏକି ? ସେହିପରି ଚନ୍ଦ୍ର ଅଙ୍ଗରେ ଶଶା ବସ ମଧ୍ୟ ସୀତାଙ୍କ ନେତ୍ର ଚାଞ୍ଚଲ୍ୟକୁ ସମାନ ହେଲା ନାହିଁ । ମାଛମାନେ ନେତ୍ରର ସମାନ ନ ହୋଇ ନିର୍ନିମେଷ ହେଲେ, ଖଞ୍ଜନ ପକ୍ଷୀ ଭୟରେ କମ୍ପିତ ହେଲା । ସୀତାଙ୍କର ଅନୁରାଗ ରଞ୍ଜିତ ଚଞ୍ଚଳ କଟାକ୍ଷ ପାତ ବନିଶ କଣ୍ଟାପରି ପୁରୁଷର ମନରୂପ ମୀନକୁ ଓଟାରି ନିଏ ।

୧୩ଶ ପଦ–ଅଳକ–କୁର୍ଣ୍ଣ କୁନ୍ତଳ । ବିଗିଳିତାଙ୍କ–କଳଙ୍କହୀନ ।

୧୩ଶ ପଦ–ଲଲାଟକୁ ଦେଖି ପରୀ ତାହାକୁ ସମାନ ନ ହୋଇ ବେତାଳ ଭୈରବ ଦୁହିଁଙ୍କ ଧ୍ୟାୟି ମଧ୍ୟ ଖଡ଼୍‌ଗ ପ୍ରହାର ସହ୍ୟ କଲା । ଯେଉଁପଟ ଲଲାଟର ପଶ୍ଚାଦ୍‌ ଭାଗରେ ଅବସ୍ଥାନ କରିଅଛି, ତାହାକୁ ସେହି ଅଳକା ସହିତ କାହିଁକି ବା ଲକ୍ଷ୍ୟ ଦେବା ? ନିଷ୍କଳଙ୍କ ଅର୍ଦ୍ଧଚନ୍ଦ୍ରକୁ ଲଲାଟ ସହିତ କାହିଁକି ବା ସମ କରିବା ?(ତାହା ସମାନ ହେବାର ଅନୁପଯୁକ୍ତ)।

୧୪ ଶ ପଦ–(ସୀତାଙ୍କ ଅଳକା ସହିତ ଉପମା ନ ଦେଲେ) ଚନ୍ଦ୍ରର ଗଙ୍ଗା କୂଳରେ ତପସ୍ୟା କରି ଶିବଙ୍କୁ ତୋଷ କରିବାର ପରିଶ୍ରମ ବିଫଳ ହେବ । (କବି ଏହା କହିସାରି ପୁଣି କହୁଛନ୍ତି) ମୁଁ ପାସୋରି ଦେଇଥିଲି ଯେ ଶମ୍ଭୁ ତ ନିଜେ ସୀତାଙ୍କ ଅଙ୍ଗରେ ଥିବା ସ୍ତନ ସହିତ ସମାନ ନୁହଁନ୍ତି । ଗଙ୍ଗା ଲଜ୍ଜିତ ହୋଇ ତାଙ୍କ ହାର ସହିତ ହାର ମାନି ରହିଛନ୍ତି । (ନିଜେ ଶିବ ସମାନ ନୁହନ୍ତି, ଗଙ୍ଗା ମଧ୍ୟ ସମାନ ନୁହଁନ୍ତି, ତେବେ ଯେଉଁ ଚନ୍ଦ୍ର ଗଙ୍ଗା କୂଳରେ ଶିବଙ୍କୁ ପୂଜା କରି ବଡ଼ ହେବାକୁ ଭାବିଛନ୍ତି, ସେ ବା କିପରି ସମାନ ହେବେ )?

୧୫ଶ ପଦ–ଶୋଭାସମୂହର ଆଧାର ଯେଉଁ ଶ୍ରବଣ ଯୁଗଳ, ତାକୁ ପାଟଳୀଫୁଲର ଉପମା କିପରି ଦେବା ? (ଉପମାକୁ ପା, ଏହା କହୁ କହୁ) ସେ ଟଳି ପଡ଼ିଲା । ଦୀର୍ଘକାଳର ଗାର କଟିଗଲେ ହ୍ରସ୍ୱ ହେଲା । ହ୍ରସ୍ୱ ଅର୍ଥ ସାନ– ସେ ବା କିପରି ଶ୍ରବଣକୁ ଲକ୍ଷ୍ୟ ହେବ ? ପୁଣି ପାଶକୁ କର୍ଣ୍ଣ ସହିତ ଉପମା ଦେବାପାଇଁ ବୁଦ୍ଧି ଖେଳାନ୍ତେ ତାହା ଗର୍ଭରେ ବୁଡ଼ିଗଲା । (ଅର୍ଥାତ୍‌ ପାଶ ମଧ୍ୟ ଉପମାଯୋଗ୍ୟ ନୁହେଁ ।)

 

ବ୍ୟତିରିକ୍ତ ଏ ଦୃଷ୍ଟିତ ନୁହେ ଖଣ୍ଡି ଉପମା ରୁଣ୍ଡ ।

 

ବିମ୍ବ ନିର୍ମଳ କୃତମଣ୍ଡଳ–ଖଣ୍ଡ ମଣ୍ଡଳ ଗଣ୍ଡ ॥

 

ବୋଲାଉଅଛି ଦର୍ପଣ ଛି ଛି କର କଳଙ୍କେ ସେହି ।

 

ବନ୍ଦ୍ୟ କି ଖଡ଼୍‌ଗପାଳି ପଦଗ କରେ କଳଙ୍କ ବହି ॥

।୧୬।

 

 

ବରାରୋହାର ନାସାଡ଼ମ୍ବର ଇଚ୍ଛା କଲାକୁ ଶୁକ ।

 

ବିନା ଦୋଷରେ ଶିକୁଳି ଛଳେ ଶାଙ୍କୋଳି ଦିଏ ଲୋକ ॥

 

ବିହଗ ସିନା ହୋଇ ତନ୍ମନା ପାରିଲା ନାହିଁ ପାଞ୍ଚି ।

 

ବିନତାସୁତ ସିଦ୍ଧି ଉନ୍ନତ ଚାହିଁ ଖଗେନ୍ଦ୍ର ରଚି ॥

।୧୭।

 

 

ବୁଝାଇ ତିଳ ଅସମେ ତିଳସୁମନ ବିହି ନାମେ ।

 

ବିଧିକି ତୂଣ ଉପମା ପୂଣ ନିର୍ମାଣ ପଶୁଚର୍ମେ ॥

 

ବେଣୁ ବରୁଣ ଘେନିଣ ଜାଣ ସମୁଦ୍ର ମଧ୍ୟେ ପଶେ ।

 

ବ୍ୟାଳ ଗ୍ରାସିତ ମଳୟ ବାତ ତୁଳା ହେଲାରୁ ଶ୍ଵାସେ ॥

।୧୮।

 

 

ବାଳା ଅଧର ଅରୁଣ ସାର ଛବି ବହିବା ସ୍ମରି ।

 

ବାଳ ଅରୁଣ ଘେନି ଅରୁଣ ପଦାନୁରାଗେ ପୂରି ॥

 

ବିରଙ୍ଗ ସେହି ଦଣ୍ଡକେ ହୋଇ ସନ୍ତାପ ବିଭୂଷଣ ।

 

ବହେ ସନ୍ଧ୍ୟାରେ ମାଣିକ୍ୟ ଧାରେ,ଜ୍ୟୋତିକି କରି ଋଣ ॥

।୧୯।

 

 

ବିତୁଳ ତେବେ ମଜ୍ଜି ଅର୍ଣ୍ଣବେ ପୁଣିହିଁ ସେ ବ୍ୟବସ୍ଥା ।

 

ବାଳ ବୃଦ୍ଧର ଯଥା ପାସୋରା ଦିନ ଦିନକ କଥା ॥

 

ବୋଲିବା କାହୁଁ ମନ୍ଦାର ଆଉ ଧରିଛି ମନ୍ଦ କାଳି ।

 

ବୈରାଗୀ ହେବ ବିଚାରି ବିମ୍ବ ଭସ୍ମ ହେଲା କି ବୋଳି ?

।୨୦।

 

୧୬ଶ ପଦ–ସୀତାଙ୍କ ନିର୍ମଳ ଗଣ୍ଡମଣ୍ଡଳ ଉପମା ସମୂହକୁ ଖଣ୍ଡନ କରି ଚାହିଁଅଛି; ଏହା ଅତିଶୟୋକ୍ତି ନୁହେଁ । ଚନ୍ଦ୍ରମଣ୍ଡଳ ସେହି ଗଣ୍ଡମଣ୍ଡଳକୁ ଦେଖି ପରାଜିତ । (ଚନ୍ଦ୍ରମଣ୍ଡଳରେ କଳଙ୍କ ବିଦ୍ୟମାନ, ମାତ୍ର ସୀତାଙ୍କ ଗଣ୍ଡମଣ୍ଡଳ ନିଷ୍କଳଙ୍କ); ଦର୍ପଣ ବି ସେ ଗଣ୍ଡମଣ୍ଡଳକୁ ତୁଲ୍ୟ ହେବ ନାହିଁ-– କାରଣ ଦର୍ପଣ ହାତରେ ଥିବା ମଇଳାର ସଂସର୍ଗରେ କଳଙ୍କିତ ହୁଏ । ଖଡ଼୍‌ଗ ମଧ୍ୟ ସେ ଗଣ୍ଡ ମଣ୍ଡଳକୁ ଉପମିତ ହୋଇ ନ ପାରେ–କାରଣ ପାଇକର କରରେ ରହି ତାହା କଳଙ୍କିତ ।

୧୭ଶ ପଦ–ବରରୋହା–ପରମା ସୁନ୍ଦରୀ । ଉନ୍ନନା–ଉଦ୍‌ବିଗ୍ନା ବା ଉତ୍‌କଣ୍ଠିତା । ବିନିତାସୁର–ଗରୁଡ଼ । ଖଗେନ୍ଦ୍ର–ପକ୍ଷିରାଜ ।

୧୭ଶ ପଦ–ସେ ଶ୍ରେଷ୍ଠା ସୁନ୍ଦରୀ ସୀତାଙ୍କ ନାସିକା ସହିତ ଉମମିତ ହେବା ପାଇଁ ଶୁକପକ୍ଷୀ ଇଚ୍ଛା କରିବାକୁ ଲୋକେ ବିନା ଦୋଷରେ ତାକୁ ଶିକୁଳି ବଦ୍ଧ କରୁଛନ୍ତି । ସେ ଛାର ପକ୍ଷୀ (ବୁଦ୍ଧିହୀନ), ତନ୍ମୟ ହୋଇ କଥା ପାଞ୍ଚି ପାରିଲା ନାହିଁ (ତେଣୁ ଦଣ୍ଡ ପାଉଅଛି) । ଗରୁଡ଼ ଉନ୍ନତ ନାସିକାକୁ ଚାହିଁ ସ୍ତବ କରିବାରୁ ପକ୍ଷୀରାଜ ହେଲା । (ଅର୍ଥାତ୍‌ ନାସିକା ଶୁକ ନାସିକାଠାରୁ ସୁନ୍ଦର ଓ ଗରୁଡ଼ ନାସିକାଠାରୁ ଉନ୍ନତତର ଅଟେ)।

୧୮ଶ ପଦ–ତୁଣ–ଶର ରଖିବାର ମୁଣା । ବ୍ୟଜମାନେ–ସର୍ବଦା–ସର୍ପମାନେ ।

୧୮ଶ ପଦ–ତିଳ ପୁଷ୍ପ ସୀତାଙ୍କ ନାସିକାକୁ ସମାନ ନ ହେବାରୁ ବିଧାତା ତାକୁ ତିଳ ନାମ ଦେଇଅଛି । ପଶୁ ଚର୍ମରେ ନିର୍ମିତ ତୃଣ (ଶର ରହିବା ମୁଣା)କୁ ତାହା ସହିତ ଉପମା ଦେବା ବିଧିସଙ୍ଗତ ନୁହେଁ । ବଂଶୀ ନାସା ସହିତ ସମାନ ନ ହେବାରୁ, ବରୁଣ ବଂଶୀକୁ ଘେନି ସମୁଦ୍ର ମଧ୍ୟରେ ପଶିଲା । ମଳୟ ପବନ ତାହାଙ୍କ ନିଶ୍ୱାସ ସହିତ ସମାନ ନ ହେବାରୁ ସର୍ପଦ୍ୱାରା ଭକ୍ଷିତ ହେଲା ।

୧୯ଶ ପଦ–ଅରୁଣ–ରକ୍ତବର୍ଣ୍ଣ, ସୂର୍ଯ୍ୟସାରଥି, ସୂର୍ଯ୍ୟ । ବିରଙ୍ଗ–ବିବର୍ଣ୍ଣ ।

୨୦ଶ ପଦ–ଅର୍ଣ୍ଣବ–ସମୁଦ୍ର । ବିମ୍ବ–କଇଁଞ୍ଚିକାକୁଡ଼ି ।

୧୯ଶ ଓ ୨୦ପଦ–ସେହି ବାଳାର (ସୀତାଙ୍କର)ରକ୍ତବର୍ଣ୍ଣ ଅଧରକୁ ସ୍ମରଣ କରି ବାଳସୂର୍ଯ୍ୟ ରକ୍ତବର୍ଣ୍ଣ ହୋଇ (ସାରଥି) ଅରୁଣକୁ ସଙ୍ଗରେ ଘେନି ପଦ୍ମର ଅନୁରାଗ ଭାଜନ ହେଲେ, ତଥାପି ସେ ସମାନ ନ ହେବାରୁ ଦଣ୍ଡକ ମଧ୍ୟରେ ବିରଙ୍ଗ ହୋଇ ସନ୍ତାପିତ ହେଲେ । ଅଗ୍ନିମୟ ତେଜର ଦଗ୍‌ଧୀଭୂତ ହେଲେ । ପୁଣି ସନ୍ଧ୍ୟା ସମୟରେ ମାଣିକ୍ୟଠାରୁ ଜ୍ୟୋତିକୁ ଧାର ଆଣି ନିଜ ଅଙ୍ଗରେ ବହନ କଲେ, ମାତ୍ର ସମାନ ହୋଇ ନ ପାରିବାରୁ ସମୁଦ୍ରରେ ବୁଡ଼ିଗଲେ । ଯେପରି ବାଳକ ଓ ବୃଦ୍ଧଙ୍କର ଦିନ ଦିନକର କଥା ଆର ଦିନକୁ ମନେ ରହେନାହିଁ, ସେହିପରି ତାଙ୍କର ଏ କଥା ମନେ ନ ରହିବାରୁ ସେ ସୂର୍ଯ୍ୟ ପ୍ରତିଦିନ ସେହି ବ୍ୟବସ୍ଥାକୁ କଲେ । (ପ୍ରତିଦିନ ଲଜ୍ଜିତ ହେଉଥିଲେ ମଧ୍ୟ ସେ କଥା ମନେ ନ ରହିବାରୁ ପୁଣି ପରଦିନ ଉଦୟ ଓ ଅସ୍ତ ହେଉ ଅଛନ୍ତି) । ଯେଉଁ ଅଧରକୁ ବାଳସୂର୍ଯ୍ୟ ସମାନ ହେଲାନାହିଁ, ତା’ ସହିତ ମନ୍ଦାର ପୁଷ୍ପକୁ ତୁଳନା କରିବା ବା କାହିଁକି ? ମନ୍ଦାର ‘ମନ୍ଦ’ ଏହି କାଳିମାକୁ ବହନ କରିଅଛି, (ତେଣୁ ସେ ଉପମିତ ହୋଇ ନ ପାରେ)-। କଇଞ୍ଚିକାକୁଡ଼ି ବାଳାର ଅଧର ସମାନ ନ ହେବାରୁ ଅଭିମାନରେ ବୈରାଗୀ ହୋଇଯିବ ବୋଲି ବିଚାରି ଦେହରେ ପାଉଁଶ ବୋଳି ହେଲାକି ?

 

ବିଦ୍ରୁମ ଯହିଁ ଛୁଞ୍ଚି ମରାଇ ସୂଚିକା ବ୍ୟାଜେ ହୃଦ ।

 

ବନ୍ଧୁଜୀବ ଯେ ଅଳ୍ପକେ ଭଜେ ମଳିନ ନ ସମ୍ବାଦ।

 

ବିହାଇ ସେ ତ ପରେ ଦଳିତ ଗୁପତ ସମ୍ପୂଟର ॥

।୨୧।

 

 

ବଜ୍ର ଦଶନ କିଛି ପ୍ରସନ୍ନ ହରଣେ କରୁଁ ଚିନ୍ତା ।

 

ବସାଇ ଶାଣେ କର୍ତ୍ତପ୍ରମାଣେ ଦଣ୍ଡ ଦିଅଇ ଧାତା ॥

 

ବୋଧାଇ ଶୁକ୍ତିଭବ ଉତ୍ପତ୍ତି ନୋହୁ ମୁଁ ଦନ୍ତଦାସ ।

 

ବିମୁକ୍ତ ହୋଇ ମୁକ୍ତା ବୋଲାଇ ତାର କି ହେଲା ନାଶ ?

।୨୨।

 

 

ବାଳିକା ରଦ ଖେଦଦ କୁନ୍ଦକଳିକା ହୃଦ ଫୁଟି ।

 

ବୀଜ ଦେଖାଇ ସମାନ ନୋହି ଦାଡ଼ିମ୍ବଫଳ ଫାଟି ॥

 

ବୃକ୍ଷରେ ଲମ୍ବେ ଲପନ ନମ୍ରେ ଏତିକି ଲଭି ଲାଭ !

 

ବିଅର୍ଥ ହେଲା ତଣ୍ଡୁଳମାଳା ନାହିଁ ଝଲକପ୍ରଭ ॥

।୨୩।

 

 

ବନ୍ଦାଇ ମିତ ଶାରଦା ନତ ହୋଇ ବଚନ ତୁଲେ ।

 

ବାଣୀ ଭାରତୀ ସେ ସରସ୍ଵତୀ ଦୁହିଙ୍କି ଲୋକେ ବୋଲେ ॥

 

ବଲ୍ଲକୀ ତାର ତୁଲ କି ସ୍ଵର ପରବଶେ ସେ ଜାତ ।

 

ବନପ୍ରିୟହିଁ କୁହୁ ଯା କହି ଅନ୍ଧାର ଦିଶି ସତ ॥

।୨୪।

 

 

ବଡ଼ ମଧୁର ଦ୍ରାକ୍ଷାରୁ ଗର ସେହି ଚାତୁରୀ ସ୍ଥାନ ।

 

ବର୍ଣ୍ଣୁଥିଲେ ତା ତୁଣ୍ଡକୁ ପିତା ଆନ ଚରିତମାନ ॥

 

ବିବୁଧାଶନ ଅମୃତ ପାନ ହୋଏ କେବଳ ମୁଖେ ।

 

ବିବେକି ! ଘେନ ଶ୍ରବଣେ ପାନ ଯାହା କରନ୍ତି ସୁଖେ ॥

।୨୫।

 

୨୧ଶ ପଦ–ବିଦ୍ରୁମ–ପ୍ରବାଳ । ବନ୍ଧୁଜୀବ–ବଧୂଲୀ ପୁଷ୍ପ । ସମ୍ପୂଟ–ଫରୁଆ ।

୨୧ଶ ପଦ–ପୋହଳା ତାଙ୍କ ଅଧରକୁ ସମାନ ହୋଇ ନ ପାରି ଅପମାନ ଅପେକ୍ଷା ମରଣ ଶ୍ରେୟସ୍କର, ଏହି ବିଚାରରେ ହୃଦୟରେ ଛୁଞ୍ଚିବିଦ୍ଧ କରାଉଅଛି । ବଧୁଲୀ ଫୁଲ ଅଳ୍ପ ସମୟ ମଧ୍ୟରେ ମଳିନ ହୋଇଯାଏ, ତେଣୁ ତାକୁ ଖୋଜିବା ଦରକାର ନାହିଁ, (ତାକୁ ତୁଳନା କରିବା ଧୃଷ୍ଟତାମାତ୍ର) । ନାରୀର ଲଲାଟପଟରେ ମଙ୍ଗଳ କାର୍ଯ୍ୟରେ ଶୋଭିତ ହେଉଥିବା ସିନ୍ଦୁର ସେ ଅଧରକୁ ସମାନ ହେବାକୁ ଯାଇ ଅନ୍ୟଦ୍ୱାରା ଦଳିତ ହେଲା, ମାତ୍ର (ସମାନ ନ ହେବାରୁ) ଫରୁଆ ମଧ୍ୟରେ ଲୁଚି ରହିଲା ।

୨୨ଶ ପଦ–ବଜ୍ର–ହୀରା । ପ୍ରସନ୍ନ–ନିର୍ମଳକାନ୍ତି । ଶୁକ୍ତିଭବ–ମୁକ୍ତା ।

୨୨ଶ ପଦ–ହୀରା ତାଙ୍କ ଦନ୍ତର ସାମାନ୍ୟ ତେଜକୁ ହରଣ କରିବାକୁ ଚିନ୍ତା କରିବାରୁ ବିଧାତା ଜାଣି କରତ ସମାନ ଶାଣରେ ତାକୁ ବସାଇ ଦଣ୍ଡ ଦେଉଅଛି । ମୁକ୍ତା ଜନ୍ମ ହେବା ପୂର୍ବରୁ ‘ମୁଁ ଦନ୍ତର ଦାସ’ ଏପରି କହିବାରୁ (ଶାମୁକା ବନ୍ଧନରୁ) ବିମୁକ୍ତ ହେଲା; (ଲୋକେ ତେଣୁ ତାକୁ ମୁକ୍ତା କହିଲେ) । ଏହାଦ୍ୱାରା ମୁକ୍ତାର କିଛି କ୍ଷତି ହେଲାକି ? (ହୀରା ଗର୍ବ ବହି ଦଣ୍ଡ ପାଇଲା, ମୁକ୍ତା ଦାସତ୍ୱ ସ୍ୱୀକାର କରି ସୁଦ୍ଧା ‘ମୁକ୍ତା’ ନାମ ବହିଲା, ଅର୍ଥାତ୍‌ ହୀରା କି ମୁକ୍ତା କେହି ସମାନ ହୋଇ ନ ପାରନ୍ତି) ।

୨୩ଶ ପଦ–ରଦ–ଦନ୍ତ । ଖେଦଦ–ଦୁଃଖଦାୟକ । ଦାଡ଼ିମ୍ବଫଳ– ଡାଳିମ୍ବ ।

୨୩ଶ ପଦ–ସୀତାଙ୍କ ଦନ୍ତପଙ୍‍କ୍ତି କୁନ୍ଦକଢ଼ିର ସନ୍ତାପପ୍ରଦ ହେଲା (କୁନ୍ଦ କଢ଼ି ଦନ୍ତ ପଙ୍‍କ୍ତିକୁ ଦେଖି ମନଦୁଃଖ କଲ।) । ତେଣୁ ତାହାର ହୃଦୟ ଫାଟିଗଲା । ପୁଣି ପାଚିଲ ଡାଳିମ୍ବ ତାଙ୍କ ଦନ୍ତକୁ ସମାନ ହେବା ଆଶାରେ (ଫାଟିଯାଇ) ମଞ୍ଜି ସବୁକୁ ପଦାକୁ ଦେଖାଇଲା, ମାତ୍ର ସମାନ ନ ହେବାରୁ (ଲଜ୍ଜାରେ) ଅଧୋମୁଖରେ ବୃକ୍ଷରେ ଲମ୍ବି ରହିଲା । ତାହାର ଏତିକି ମାତ୍ର ଲାଭ ହେଲା, ଅଧୋମୁଖରେ ଦୋଳାୟମାନ ହୋଇ ତପସ୍ୟା କଲେ କେବେ ଅବା ସାମାନ ହୋଇପାରିବ । ତଣ୍ଡୁଳ ସବୁ ବ୍ୟର୍ଥ ହେଲା, କାରଣ ତହିଁରେ ଦନ୍ତର ପ୍ରାୟ ଉଜ୍ଜ୍ୱଳ ପ୍ରଭା ନାହିଁ, ତେଣୁ ତାହା ଉପମା ଯୋଗ୍ୟନୁହେଁ ।

୨୪ଶ ପଦ–ଶାରଦା–ସରସ୍ୱତୀ । ବଲ୍ଲକୀ–ବୀଣା । ବନପ୍ରିୟ–କୋକିଳ ।

୨୪ଶ ପଦ–ସରସ୍ୱତୀ ବିନୟ ପ୍ରକାଶ କରି ସୀତାଙ୍କ ବଚନ ସହିତ ମିତ ହେଲେ, ତେଣୁ ବଚନ ଓ ବାଗ୍‌ଦେବୀ ଉଭୟଙ୍କୁ ଲୋକେ ବାଣୀ ନାମ ଦେଇଅଛନ୍ତି । ବୀଣାସ୍ୱର ସରସ୍ୱତୀଙ୍କ ବଚନରେ ସମାନ ହେବ ନାହିଁ । କାରଣ ପର ହସ୍ତରେ ବୀଣାର ସ୍ୱର ପ୍ରକାଶିତ ହୁଏ (ମାତ୍ରସୀ ତାଙ୍କ ବଚନ ସ୍ୱତଃ ପ୍ରକାଶିତ ହୁଏ) । ସୀତାଙ୍କ ସ୍ୱର ଶୁଣି କୋକିଳକୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶିବାରୁ ସେ ‘କୁହୁ’ ‘କୁହୁ’ ଅନ୍ଧାର ଯାହା କହୁଅଛି ତା ସତ ଅଟେ ।

୨୫ଶ ପଦ–ସୀତାଙ୍କ ବଚନ ଦ୍ରାକ୍ଷାରସଠାରୁ ବଡ଼ ମଧୁର ଓ ଚାତୁରୀପୂର୍ଣ୍ଣ ଅଟେ । ତାକୁ ବର୍ଣ୍ଣନା କରି ବସିଲେ ଆନ ଚରିତମାନ ତୁଣ୍ଡକୁ ପିତା ଲାଗେ । ଦ୍ରାକ୍ଷାରସ ଖାଇଲେ ଅନ୍ୟ କୌଣସି ସ୍ୱାଦ ଯେପରି ଭଲ ଲାଗେ ନାହିଁ, ସେହିପରି ତାଙ୍କ ବଚନ ଶୁଣିଲେ, ଅନ୍ୟର ବଚନ ସୁଖକର ହୁଏ ନାହିଁ । ଯେଉଁ ଅମୃତ ଦେବତାମାନଙ୍କର ଭୋଜନ ଅଟେ, ତାହା କେବଳ ମୁଖରେ ପାନ କରାଯାଏ, ମାତ୍ର ସୀତାଙ୍କ ବଚନାମୃତ ଶ୍ରୁତିମୁଖରେ ଲୋକେ ପାନ କରନ୍ତି । ହେ ବିବେକବନ୍ତ ଲୋକ, ସୀତାଙ୍କ ବଚନ ଯେ ଅମୃତଠାରୁ ଶ୍ରେଷ୍ଠ ଏହା ବିଚାର କର ।

 

ବିଭର୍ତ୍ତି ରସସାର ବିଶେଷ ଚିବୁକ ଦିବ୍ୟପାତ୍ରଚ ।

 

ବିଧାତାଙ୍ଗୁଳି ଚିହ୍ନରେ ଝଳି ନାରଙ୍ଗ କେତେପାତ୍ର ॥

 

ବହି ତ୍ରିରେଖା ତ୍ରିପୁରେ ଦେଖା କଣ୍ଠକୁ ନାହିଁ ଲକ୍ଷେ ।

 

ବ୍ରତ ବାଞ୍ଛିତ କପୋତବ୍ରାତ ଖଳୁ ଶିଳାକୁ ଭକ୍ଷେ ॥

।୨୬।

ବ୍ୟକ୍ତ ଲକ୍ଷଣାମାନଙ୍କ ଉଣା ମୁଖମଣ୍ଡଳେ କରୁଁ ।

 

ବିଳାପି ଶିଖୀ ଚମରୁ ଦେଖି କହନ୍ତି କେଶ ଚାରୁ ॥

 

ବରହୀ ଏଣୀ ପୁଚ୍ଛକୁ ଆଣି ଉତ୍ପାଟି ଛେଦି ଜନେ ।

 

ବିକି ଏତିକି ମୂଲ୍ୟ ବୋଲି କି ଦେଖାନ୍ତି ଏ ଭୁବନେ ॥

।୨୭।

ବିବେକୀ ଯେହି ସେ ନିଉଁଛାର ଢାଳିବା ବ୍ୟାଜେ କେଶେ ।

 

ବ୍ୟୋମଧୂମକୁ ତାହା ସମକୁ ଲକ୍ଷିବା କି ମାସେ ?

 

ବିରାବ କରି ନୋହେ ମୁଁ ସରି ବୋଲି ଉଦୟ କାଳେ ।

 

ବିଷ୍ଣୁ ଯେ ରାହୁ ଉପମା ଯହୁଁ ଚକ୍ରରେ ଛେଦିଦେଲେ ॥

।୨୮।

ବିକର୍ତ୍ତନଜା ସେ ସମେ ମଜ୍ଜା ବୀଚି କୁଞ୍ଚିତେ ସ୍ନେହୀ ।

 

ବିଷ ଯେ କଳା ସଙ୍ଗମେ ମେଳା କାଳେ କାଳୀୟ ବହି ॥

 

ବିନାଶେ ଆଶା ପ୍ରବେଶ ଆଷାଢ଼ ଯେ ଆବିଳପ୍ରଦା ।

 

ବିଶ୍ଵଲୋକନ–ରୋଚନ ଘେନ ତମସ ନୋହେ କଦା ॥

।୨୯।

ବିବର୍ଣ୍ଣ ତୁଲ ତମାଳଦଳ ବୋଲି କେ ପୁରସ୍କାର ।

 

ବେଭାରେ ପରିଣତ ସେ ଧରି ଝଡ଼ଇ ବାରମ୍ବାର ॥

 

ବିଷ୍ଣୁପଦହିଁ ନୀଳତା ବହି ଚିକୁର ତୁଳ ସ୍ନେହେ ।

 

ବିହେ ତା ଧୂଳିଧୂସର–କର ବାତ କି ଗର୍ଜେ ନୋହେ ॥

।୩୦।

 

୨୬ଶ ପଦ–ବିଧାତା ଉତ୍ତମ ପାତ୍ରରେ ଶ୍ରେଷ୍ଠ ରସମାନ ପୁରାଇଲାବେଳେ ତାଙ୍କର ଅଙ୍ଗୁଳି ଚିହ୍ନ ଧାରଣ କରିଛିକି ? ଏପରି ଯେଉଁ ଚିବୁକ (ଅର୍ଥାତ୍‌ ଖୁବ୍‌ କୋମଳ ଚିବୁକ) ତାକୁ ନାରଙ୍ଗ ଉପମାଯୋଗ୍ୟ ହେବାକୁ କେତେମାତ୍ର ! (ଅର୍ଥାତ୍‌ କୌଣସି ପ୍ରକାରେ ତାହାର ଯୋଗ୍ୟ ହୋଇ ନ ପାରେ) । ସେତ ନାରଙ୍ଗ–ଯାହାର ରଙ୍ଗ ନାହିଁ । ସୀତାଙ୍କ କଣ୍ଠକୁ ଉପମା ଦେବାକୁ ତିନିଲୋକରେ ଆଉକିଛି ନାହିଁ, ତେଣୁ ତାହା ତ୍ରିରେଖା ଧାରଣ କରିଅଛି (ଏହାଦ୍ୱାରା କମ୍ଭୁଗ୍ରୀବାର ସୂଚନା ମିଳୁଛି)। କପୋତସବୁ ତାହାଙ୍କ କଣ୍ଠକୁ ସମାନ ହେବେ ବୋଲି ଇଚ୍ଛାକରି ଗୋଡ଼ି ଭକ୍ଷଣ କରୁଅଛନ୍ତି । (କଠୋର ତପସ୍ୟାକାରୀ ଗୋଡ଼ି ଭକ୍ଷଣ କରି ତପସ୍ୟା କରିଥାଏ)।

୨୭ଶ ପଦ–ବିଳାପି–କାନ୍ଦ । ଶିଶୀ–ମୟୂର । ବରହୀ–ମୟୂର ।

୨୭ ପଦ–ସୀତାଙ୍କ ମୁଖମଣ୍ଡଳରେ ଥିବା ମନୋହର କେଶ ଉପମାମାନଙ୍କୁ ନ୍ୟୂନ କରେ-। (ସମସ୍ତ ଉପମା ମୁଖମଣ୍ଡଳ ନିକଟରୁ ହାର ମାନନ୍ତି । ତେଣୁ ମୟୂର ଓ ଚମରୀମୃଗ (ଉପମିତ ହୋଇ ନ ପାରି) ବିଳାପ କରି କହିଲେ, ‘‘ଆମ ପୁଚ୍ଛ ସୀତାଙ୍କ କେଶ ସହିତ ତୁଳନୀୟ ହୋଇପାରିଲା ନାହିଁ ।’’ ଲୋକେ ମୟୂର ଓ ଚମରୀ ମୃଗଙ୍କ ପୁଚ୍ଛ ଉପାଡ଼ି ଆଣି ସଂସାରରେ ବିକି ‘ଏତିକି ମୂଲ୍ୟ’ ବୋଲି ଚିହ୍ନାଇ ଦେଉଛନ୍ତି । ଅର୍ଥାତ୍‌ ମୟୂର ପୁଚ୍ଛ ଓ ଚମରୀ ମୃଗ ପୁଚ୍ଛର ମୂଲ୍ୟ ଅଛି; ମାତ୍ର ସୀତାଙ୍କ କେଶ ଅମୂଲ୍ୟ) ।

୨୮ଶ ପଦ–ବ୍ୟୋମଧୁମ–ମେଘ । ବିରାଜ–ବିଶେଷ ଶବ୍ଦ ।

୨୮ଶ ପଦ–ବିବେକବାନ୍ ଲୋକ ମୟୂରପୁଚ୍ଛ ଓ ମୃଗ ପୁଚ୍ଛ ଦୁହିଁଙ୍କି (ଚାମର କରି) ଢାଳି ସୀତାଙ୍କ କେଶକୁ ବନ୍ଦନା କରୁଅଛନ୍ତି । ମେଘକୁ ସୀତାଙ୍କ କେଶ ସହିତ କେଉଁ ମନରେ ବା ତୁଳନା କରିବା । ସେ ମେଘ ଉଦୟ କାଳରେ ‘ମୁଁ’ ସମାନ ନୁହେଁ ଏହି କଥା କହି ମହାଶବ୍ଦ କରୁଅଛି । ରାହୁ ସୀତାଙ୍କ କେଶ ସହିତ ତୁଳନୀୟ ନ ହେବାରୁ ବିଷ୍ଣୁ ତାକୁ ଚକ୍ରରେ ଛେଦି ଦେଲେ ।

୨୯ଶ ପଦ–ବିକର୍ତ୍ତନଜା–ସୂର୍ଯ୍ୟକନ୍ୟା(ଯମୁନା) । ବୀଚି–ଲହରୀ । ବିଷ–ଜଳ । ଆବିଳପ୍ରଦା–ଗୋଳିକାରୀ । ତମସ–ଅନ୍ଧକାର ।

୨୯ଶ ପଦ–ଯମୁନା ସୀତାଙ୍କ କୁଞ୍ଚିତ ଘନକେଶ ସହିତ ସମାନ ହେବା ଇଚ୍ଛାରେ ଦେହରେ ଲହରୀ ଖେଳାଇଲା ସମୟରେ କାଳୀୟ ସର୍ପକୁ ହୃଦୟରେ ଧରି ତାହାର ବିଷ ସହିତ ମିଶିଲା (ଯମୁନା ପାଣି କଳା, କାଳୀ ସାପର ବିଷମଧ୍ୟ କଳା) ମାତ୍ର ଆଷାଢ଼ ମାସ ପ୍ରବେଶ କଲାରୁ (ବର୍ଷା ହେଲାରୁ) ସେ ଗୋଳିଆ ହୋଇଗଲା, ତେଣୁ ତାହାର ଆଶା ବିନାଶ ହେଲା । ଅନ୍ଧକାର ତ ସଂସାରରେ ଲୋକଙ୍କ ଚକ୍ଷୁରେ ବଡ଼ ଅପ୍ରୀତିକର; ତାକୁ କଦାପି କେଶ ସହିତ ତୁଳନା କରାଯାଇ ନ ପାରେ ।

୩୦ଶ ପଦ–ବିବର୍ଣ୍ଣ–ମଳିନ । ପରିଣତ–ପକ । ବିଷ୍ଣୁପଦ–ଆକାଶ । ଚିକୁର–କେଶ ।

୩୦ଶ ପଦ–(ସୀତାଙ୍କ କେଶ ତୁଳନାରେ) ମଳିନ ପତ୍ରକୁ କେଶ ସହିତ ଉପମା ଦେବାର ବା କି ଲାଭ ? (ଉପମା ଦିଆଯାଇ ନ ପାରେ)। କାରଣ ତମାଳ ପତ୍ରର ସ୍ୱଭାବ, ସେ ପାଚି ଯାଇ ଥରକୁ ଥର ଝଡ଼ିପଡ଼େ ।(ସୀତାଙ୍କ କେଶ ନ ଝଡ଼ି ସବୁଦିନେ ରହିଥାଏ, ତେଣୁ କ୍ଷଣସ୍ଥାୟୀ ତମାଳ ପତ୍ରଠାରୁ ସେ ଉତ୍କୃଷ୍ଟତର)। ସୀତାଙ୍କ କେଶ ସହିତ ତୁଳନା ହେବା ଇଚ୍ଛାରେ ଆକାଶ ନୀଳିମା ଧାରଣ କଲା, (ମାତ୍ର ତାହା ସମାନ ନ ହେବାରୁ) ପବନ ଧୂଳି ରାଶିରେ ତାକୁ ପାଣ୍ଡୁର ବର୍ଣ୍ଣ କରି ଦେଲା ଓ ଗର୍ଜ୍ଜନସହ କହିଲା, ‘‘ଏହା କେଶ ସହିତ ସମାନ ନୁହେଁ’’।

 

ବହିଲେ ନୀଳ ଗଳେ ସେ ତୁଳ ବାଞ୍ଛାରେ ମହାଦେବେ ।

 

ବିଚାରି ଉମା ନୋହେ ସେ ସମା ବେଢ଼ାଇ ବାହୁ ଭାବେ ॥

 

ବିଜିତ ସେ ଯେ ସୀତା ସୌନ୍ଦର୍ଯ୍ୟେ ଏମନ୍ତ ଘେନି ଚିତ୍ତ ।

 

ବନ୍ଦେ ଗଉରୀପଦରେ କରି ସୁନ୍ଦରୀମଣି ମତ ॥

।୩୧।

 

 

ବାରିତ ସୀମା ବାଡ଼ ଉପମା ଅଳକା ମୁଖ କେଶେ ।

 

ବେଳାରେ ବ୍ୟାପୀ ଗଙ୍ଗାର ତପୀ ମୂକ ତରିବା ଆଶେ ॥

 

ବୋଧ ରାଘବେ ଏ ଦେଖି ଥିବେ ଏତିକି ବାତାୟନେ ।

 

ବତିଶ ପଦେ ଏ ଛାନ୍ଦ ଉପେନ୍ଦ୍ର ତୋଷମନେ॥

।୩୨।

 

୩୧ଶ ପଦ–ମହାଦେବ ସେହି କେଶ ସହିତ ତୁଳନା ହେବା ଇଚ୍ଛାରେ କଣ୍ଠରେ ନୀଳବର୍ଣ୍ଣ ଧାରଣ କଲେ, ମାତ୍ର ସମାନ ହେଲାନାହିଁ ଭାବି ପାର୍ବତୀ ନିଜ ବାହୁଦ୍ୱୟ ତାଙ୍କ ଗଳାରେ ଗୁଡ଼ାଇ ଦେଲେ (କଣ୍ଠର ନୀଳିମା ସମାନ ନ ହେବାରୁ ତାକୁ ଲୁଚାଇ ଦେଲେ)। ‘ସୀତାଙ୍କ ସହିତ ସୌନ୍ଦର୍ଯ୍ୟରେ ମୁଁ ପରାଜିତ ହେବି’–ପାର୍ବତୀ ଏହି କଥା ଚିତ୍ତରେ ଭାବି ଗୌରୀ ନାମ ବହି ସେହି ସୁନ୍ଦରୀ ଶିରୋମଣି ସୀତାଙ୍କର ମିତ ହୋଇ ନିନ୍ଦିତ ହୋଇଅଛନ୍ତି । (ସୀତା ପିଲାଦିନେ ଗୌରୀ–ଅଷ୍ଟବର୍ଷା ଭବେଦ୍‌ ଗୌରୀ–ଥିଲେ, ତେଣୁ ପାର୍ବତୀ ଗୌରୀ ନାମ ଧାରଣ କରି ତାଙ୍କର ମିତ ହେଲେ)।

୩୨ଶ ପଦ–ଅଳକା–ଚୂର୍ଣ୍ଣକୁନ୍ତଳ । ବେଳାରେ–କୂଳରେ । ବାତାୟନ–ଗବାକ୍ଷ ବା ଝରକା-

୩୨ଶ ପଦ–ମୁଖ ଓ କେଶ ମଧ୍ୟରେ ଅଳକା (ମୁଣ୍ଡରେ ପିନ୍ଧିଥିବା ଅଳଙ୍କାର ବିଶେଷ) ସୀମାବାଡ଼ ସଦୃଶ ଅଟେ (କେଶ ଓ ମୁଖର ସୀମାକୁ ଚିହ୍ନାଇଥିବା ବାଡ଼ପରି ଅଟେ) । ସୀତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁ କରୁ ବିଶ୍ୱାମିତ୍ର ଗଙ୍ଗାତଟରେ ପ୍ରବେଶି ଗଙ୍ଗା ପାରି ହେବା ଆଶାରେ ତୁନୀ ହେଲେ । (ଅନ୍ୟାନ୍ୟ ଅଙ୍ଗର ବର୍ଣ୍ଣନା କଲେ ନାହିଁ)। ରାମଚନ୍ଦ୍ର ଭାବିଲେ, ମୁନି କେବଳ ଏତିକି (ମସ୍ତକ ଭାଗ) ଝରକାରେ ଦେଖିଥିବେ; (ସର୍ବାଙ୍ଗ ଦେଖି ନାହାନ୍ତି)। ଉପେନ୍ଦ୍ର ତୋଷ ମନରେ ଏ ଛାନ୍ଦକୁ ବତିଶ ଛନ୍ଦିଲେ ।

 

ନବମ ଛାନ୍ଦ

(ରାଗ–ଚୋଖି)

ବିତଳକୁ ଆଲିଙ୍ଗନ            କରି ଜାହ୍ନବୀ ଶୋଭନ

ହରେ ସୁର–ବର ତପ ଚାରୁଧାରା ସେ ।

ବହେ ମକର–କେତନ            ଉଚ୍ଛନ୍ନ ରତି ସମାନ

ପୂରିତ ହୋଇଛି ପୁଣି ଅଶେଷ ରସେ ।

ବିଦ୍ୟ ହୈମବତୀ ପଦରେ ।

ବିଷକଣ୍ଠ ତୋଷଦାନୀ ବେନି ମତରେ ।୧।

 

୧ମ ପଦ–ବିତଳ–ସପ୍ତ ପାତାଳର ତୃତୀୟ ପାତାଳ । ଚାରୁଧାରା–ଶଚୀ, ମନୋହର ପ୍ରବାହ । ହୈମବତୀ–ପାର୍ବତୀ, ଗଙ୍ଗା । ବିଷକଣ୍ଠ–ମହାଦେବ ।

୧ମ ପଦ–(ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କ ସହିତ ଗଙ୍ଗାକୂଳରେ ପହଞ୍ଚି ଦେଖିଲେ) ବିତଳକୁ ଆଲିଙ୍ଗନ କରି ଗଙ୍ଗା ଶୋଭା ପାଉଅଛି । (ଏହାଦ୍ୱାରା ଗଙ୍ଗାର ଗଭୀରତା ସୂଚିତ ହେଉଛି) । ଶଚୀ ଯେପରି ଇନ୍ଦ୍ରଙ୍କର ସ୍ମରତାପ ହରଣ କରନ୍ତି, ସେ ଗଙ୍ଗା ସେହିପରି ମନୋହର ପ୍ରବାହରେ ସୂର୍ଯ୍ୟ ତାକୁ (ସ୍ନାନାଦିଦ୍ୱାରା) ହରନ୍ତି । ପୁଣି ସେ ରତି ସମାନ ଅଟନ୍ତି; ରତି ଯେପରି କନ୍ଦର୍ପର ଉଚ୍ଛନ୍ନ ବିଧାନ କରେ, ବହୁତ [ଶୃଙ୍ଗାର ରସରେ ପୂର୍ଣ୍ଣ ଅଟେ, ଗଙ୍ଗା ସେହିପରି ମକର ଜଳଚର ଜନ୍ତୁ ବିଶେଷର ଗୃହ ହୋଇଅଛି ଓ ଉଦ୍‌ବେଗ ବହନ କରିଅଛି । ସେ ଅପରିମିତ ଜଳରେ ମଧ୍ୟ ପୂର୍ଣ୍ଣ ଅଟେ । ‘ହୈମବତୀ’ ପାର୍ବତୀ ‘ବିଷକଣ୍ଠ’ ମହାଦେବଙ୍କର ତୋଷବିଧାନ କଲାପରି ଓ ବିଷତାପ ଝରିଲାପରି ‘ହୈମବତୀ’ ଗଙ୍ଗା (ଗଙ୍ଗା ହିମାଳୟରୁ ଜାତ, ତେଣୁ ହୈମବତୀ ] ହଂସ ପ୍ରଭୃତି ଜଳଚର ପକ୍ଷୀମାନଙ୍କର ଆହାର ବିହାରରେ ତୋଷବିଧାନ କରନ୍ତି । ଗଙ୍ଗା ବକ୍ଷରେ ଜଳଚର ପକ୍ଷୀମାନେ ବିହାର କରି କ୍ଷୁଧା ତାପ ଓ କନ୍ଦର୍ପ ତାପ ଭଭୟ ହରଣ କରନ୍ତି ।

 

ବିଷ୍ଣୁପଦୀ ବିଷ୍ଣୁପଦ            ଈକାର ଭେଦ ଶବଦ

ତରଣୀର ଗତାଗତ ତହିଁ ଉଚିତ ।

ବିଶାରଦ ସେ ସାମନ୍ତ            ମତ୍ତରେ–ଦାସ ସେବିତ

ଡାକୁଁ ନ ଶୁଣନ୍ତେ ରଘୁନାଥ କଥିତ ।

ବିଷଧର ପ୍ରାୟେକି ତୁହି ।

ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି ।୨।

 

ବଧିର ନୁହଇ ବୀର            ବୋଇଲା ତହୁଁ ଧୀବର

ଶୁଣିଲିଣି ପଥରେ ପଥର ଅବଳା ।

ବାଲି ପଡ଼ି ତୋ ଚରଣୁ            ଆଶଙ୍କା ଉପୁଜେ ଏଣୁ

ନଉକା ନାୟିକା ହେଲେ ବୁଡ଼ିବ ଭେଳା ।

ବୃତ୍ତିଏ ମୋ ପୋଷେ କୁଟୁମ୍ବ ।

ବସାଇ ନ ଦେବି ପାଦ ନ ଧୋଇ ନାବ ।୩।

 

ବଢ଼ାଇ ଦେଲେ ପୟର            ଭାବଗ୍ରାହୀ ରଘୁବୀର

ପୟରେ କ୍ଷାଳିତ କରି ବସନେ ପୋଛି ।

ବ୍ରହ୍ମାରେ ଧୌତ ଯେ ପଦ            ନୋହିଛି ଶିବ ବିଷାଦ

ନ ପାଇ ଚରଣାମୃତ ପାନକୁ ଇଛି ।

ବିଜ୍ଞାନୀ କୈବର୍ତ୍ତ ଧୋଇଲା ।

ବିଶ୍ୱେ ପତିତପାବନ ନାମ ରହିଲା ।୪।

 

ବିଞ୍ଚି ପଲ୍ଲବ ନାବରେ            ପଦ ବିକଳ୍ପ ମନରେ

ପ୍ରତିହାରୀ ପରିରେ ମଣାଇ ବସାଇ ।

ବିଶ୍ୱାମିତ୍ରଙ୍କୁ ଶ୍ରୀରାମ            ପଚାରିଲେ ଗଙ୍ଗାନାମ

ଭାଗୀରଥୀ କିମ୍ପା ହେଲା କହ ଗୋସାଇଁ ।

ବିଷ୍ଣୁ ନଖ କୋଣେ ଏ ଥିଲା ।

ବାମନାବତାରେ ଭାଗୀରଥ ଆଣିଲା ।୫।

 

୨ୟ ପଦ–ବିଷ୍ଣୁପଦୀ–ଗଙ୍ଗା । ବିଷ୍ଣୁପଦ–ଆକାଶ । ତରଣୀ(ଣି)–ନୌକା, ସୂର୍ଯ୍ୟ । ବିଶାରଦ–ନିପୁଣ ବା ଦକ୍ଷ । ମତ୍ତରେ–ଗର୍ବରେ । ଦାସ–ଭୃତ୍ୟ । ବିଷଧର–ସାପ ।

୨ୟ ପଦ–ବିଷ୍ଣୁପଦୀ ଓ ବିଷ୍ଣୁପଦ ଏ ଦୁଇ ଶବ୍ଦର ଈକାର ମାତ୍ର ପ୍ରଭେଦ ଅଛି, ଆଉ ସବୁ ସମାନ । ତେଣୁ ‘ବିଷ୍ଣୁ ପଦରେ’ ଆକାଶରେ ତରଣି ସୂର୍ଯ୍ୟ ଗତାଗତ କଲା ପରି ‘ବିଷ୍ଣୁପଦୀ’ ଗଙ୍ଗାରେ ‘ତରଣୀ’ ନୌକା ସବୁ ‘ଗତାଗତ’ କରିବା ଉଚିତ । ସେ ନୌକାସାମନ୍ତ ପଦବାଚ୍ୟ । ସାମନ୍ତମାନେ ଯେପରି ‘ଦାସ’ ଚାକରଙ୍କର ସେବ୍ୟ, ନୌକା ସେହିପରି ‘ଦାସ’ କୈବର୍ତ୍ତମାନଙ୍କର ସେବ୍ୟ । ସେହି (ଦାସ) ଧୀବରକୁ ବିଶ୍ୱାମିତ୍ର ଡାକନ୍ତେ ସେ ଶୁଣିଲା ନାହିଁ । ତହୁଁ ରଘୁନାଥ କହିଲେ, ‘‘ତୁ ସର୍ପ ପ୍ରାୟକି ? (ସର୍ପର କାନ ନାହିଁ । ସେ ତ ନେତ୍ରରେ ପଦସବୁ ଶୁଣେ, ତୁ ସେହିପରି ଉଦାସ ନ ହୋଇ ନେତ୍ର ଢାଳି ଥରେ ହେଲେ ଶୁଣ ।’’

୩ୟ ପଦ–ସେ ଧୀବର କହିଲା, ‘‘ହେ ବୀର । ମୁଁ ବଧିର ନୁହେଁ । ଶୁଣିଲିଣି ତୋହର ଚରଣରୁ ଧୂଳି ପଡ଼ିବାରୁ ବାଟରେ ପଥର ଅବଳା ହେଲା । ଏଣୁ ଭୟଜାତ ହେଉଅଛି, ଏ ନୌକା ସ୍ତ୍ରୀ ହେଲେ ମୋର ଭେଳା ବୁଡ଼ିଯିବ (ସମ୍ପତ୍ତି ସରିଯିବ) । ଏ ନୌକା ମୋର ବୃତ୍ତି (ଜୀବନ ପୋଷିବାର ଉପାୟ), ଏହାଦ୍ୱାରା ମୁଁ କୁଟୁମ୍ବ ପୋଷୁଅଛି । ତେଣୁ ତୁମ୍ଭର ପାଦ ନ ଧୋଇଲେ ନାବରେ ବସାଇ ଦେବିନାହିଁ । (କାଷ୍ଠପାଷାଣରେ ପ୍ରଭେଦ କିଛି ନାହିଁ, ପଥର ନାୟିକା ହୋଇଥିବା ସ୍ଥଳେ ନୌକା ନାୟିକା ହେବା ଅସମ୍ଭବ ନୁହେ)।’’

୪ର୍ଥ ପଦ–ପୟରେ–ଜଳରେ । ବିଜ୍ଞାନୀ–ମୂଢ଼ ବା ପାପୀ ।

୪ର୍ଥ ପଦ–ଧୀବରର ଏହିପରି ଭାବଗର୍ଭକ ବଚନ ଶୁଣି ଭାବଗ୍ରାହୀ ରାମଚନ୍ଦ୍ର ପାଦ (ଧୋଇବା ପାଇଁ) ବଢ଼ାଇ ଦେଲେ । ତାହା ଦେଖି ଧୀବର ସେ ପଦକୁ ଜଳଦ୍ୱାରା ଧୌତ କରି ନିଜ ବସନରେ ପୋଛି ଦେଲା । ଚରଣାମୃତ ପାନ କରିବାକୁ ଇଚ୍ଛା କରିଥିବା ବ୍ରହ୍ମାଙ୍କଦ୍ୱାରା ଯେଉଁ ପାଦ ଧୌତ ହୋଇନାହିଁ, ଶିବ ଯେଉଁ ପାଦ ଧୌତ କରିବାକୁ ନ ପାଇ ବିଷାଦିତ ହୋଇଅଛନ୍ତି, ଏପରି ଯେ ବିଷ୍ଣୁଙ୍କ ପାଦ, ତାକୁ ଅଜ୍ଞାନୀ କେଉଟ ଧୋଇଲା । ସେହି ହେତୁ ସଂସାରରେ ପତିତପାବନ ନାମ ଖ୍ୟାତ ହେଲା ।

୫ମ ପଦ–ବିକଳ୍ପ–କଳ୍ପନା, ସନ୍ଦେହ ବା ସଂଶୟ ।

୫ମ ପଦ–(ଧୋଇବାଦ୍ୱାରା ପଦରେଣୁ ପଡ଼ିବ ନାହିଁ ସତ, ମାତ୍ର କାଳେ ପାଦ ଲାଗି ନୌକା ସ୍ତ୍ରୀ ହୋଇଯିବ, ଏହିପରି) କଳ୍ପନା କରି ସେ ଧୀବର ନାବରେ କୋମଳ ପତ୍ର ବିଛାଇ ପ୍ରତିହାରୀ ପରି ମଣାଇ ସେ ତିନିଜଣଙ୍କୁ ନେଇ ନାବରେ ବସାଇଲା । ତାହା ପରେ ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କୁ ପଚାରିଲେ, ‘‘ହେ ଗୋସାଇଁ, ଗଙ୍ଗାଙ୍କ ନାମ ଭାଗୀରଥୀ କାହିଁକି ହେଲା ?–କହନ୍ତୁ । (ବିଶ୍ୱାମିତ୍ର ଉତ୍ତର ଦେଲେ) ଏ ଗଙ୍ଗା ବାମନାବତାରରେ ବିଷ୍ଣୁଙ୍କ ନଖ କୋଣରେ ଥିଲେ । ଭଗୀରଥ ତାହାଙ୍କୁ ଆଣିଲେ (ଭଗୀରଥ ତୁମ୍ଭର ପୂର୍ବ ପୁରୁଷ, ସେ ଆଣି ଥିବାରୁ ଏହାର ନାମ ଭାଗୀରଥୀ) ।

 

ବିଧିପୂର୍ବ କରି ଋଷି            ସମସ୍ତ ଚରିତ ଭାଷି

ତରୀ ତ ତ୍ଵରିତ ଯାଇ ଲାଗେ କୂଳର ।

ବିହାରି ହେଲେ ମାର୍ଗର            ମାର୍ଗଣ କମାଣଧର

ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର ।

ବିଦେହମଣ୍ଡଳେ ପ୍ରବେଶ ।

ବାରବେନି ପୁର ସାର ମୋହନ ପୁଂସ ।୬।

 

ବିପଣିରେ ଥିଲ ଜନେ            ଭାବନା କଲେ ଦଶନେ

ଆଗତ କି ଧାତା ହର ମଧ୍ୟରେ ହରି ।

ବିଭଞ୍ଜନ ଶିବଧନୁ                  କରି ମରକତ ତନୁ

ବିଭା ହେବେ ସୀତା ନିଶ୍ଚେଁ ଜନ୍ମିଛି ଶିରୀ ।

ବଶ ଏ ରମ୍ୟରେ ମାନସ ।

ବିଜେ ରାମ ଅଦଭୂତେ ଶୁଭେ ଏ ଘୋଷ ।୭।

 

ବିଭ୍ରମୁ ଏ ଶବ୍ଦ ଚିତ୍ତେ            ରା କା ହୋଇଗଲା ଶ୍ରୁତେ

ନାରୀଏ ଭାଳିଲେ କେହି ସେ ରୂପବନ୍ତ ।

ବଳର କବି ମାନସ            ନାମ ପଛେ ତ ପ୍ରକାଶ

ଅଖଣ୍ଡଚନ୍ଦ୍ର ଏ ହୋଇବାର ଉଚିତ ।

ବୋଧିବେ ନୟନ ଚକୋରୀ ।

ବିଶେଷେ ଶୋଭା ପୀୟୂଷ ପାନ ବିସ୍ତାରି ।୮।

 

ବିଷୟ କରି ଅନ୍ତର            ସେ ପ୍ରାନ୍ତ ହତ ପ୍ରକାର

ମଣି ରମଣୀ ବାହାର ଛନ୍ନ ଦ୍ଵିଗୁଣ ।

ବିନାଶି ଗୁରୁ ଗୌରବ             ତାହାଙ୍କରି ସେହି ଭାବ

ଉଦିତରୁ କରି ନ ପାରିଲେ ବାରଣ ।

ବେଶେ ଥିଲେ ଯେତେକ ନାରୀ ।

ବିହେ କେ ନେତ୍ରେ କଜ୍ଜ୍ଵଳ ଛଳେ କସ୍ତୁରୀ ।୯।

 

ବକ୍ଷସ୍ଥଳେ କେଉଁ ବାଳା            କିଙ୍କିଣୀକି ଲମ୍ବାଇଲା

ଚାପସରିକି ଖଞ୍ଜିଲା ମଧ୍ୟଦେଶରେ ।

ବେଶକାରୀ କେ କାହାର            ସିନ୍ଦୂର ଦେଲା ପୟର

ଚିତା ଲଲାଟରେ ଲେଖେ ଲାକ୍ଷାରସରେ ।

ବିବନ୍ଧ କରି କେ ଚିକୁର ।

ବେଗେ କଙ୍କତିକାରେ ଶାମଳେ ଚାମର ।୧୦।

 

୬ଷ୍ଠ ପଦ–ବିଧିପୂର୍ବ–ଯଥାବିଧି । ତରୀ–ନୌକା । ମାର୍ଗ–ପଥ । ମାର୍ଗଣ–ଶର । ମର୍ଗଣ–ମାଗିବା । କମାଣ–ଧନୁ । ବାର ବେନି ପୁର–ସାର–ଚତୁର୍ଦ୍ଦଶ ଭୁବନରେ ଶ୍ରେଷ୍ଠ ।

୬ଷ୍ଠ ପଦ–ଋଷି ବିଧିପୂର୍ବକ ଗଙ୍ଗା ମର୍ତ୍ତ୍ୟକୁ ଆସିବା ଚରିତମାନ କହିଲେ । ଏହି ସମୟରେ ନୌକା ଶୀଘ୍ର ଯାଇ କୂଳରେ ଲାଗିଲା । ଯାହାଙ୍କ ଶୋଭାର ସାମାନ୍ୟ ଅଂଶକୁ କନ୍ଦର୍ପ ମାଗିନେବାକୁ ମନ କରୁଅଛି, ସେହି ଚତୁର୍ଦ୍ଦଶ ସୁରର ଶ୍ରେଷ୍ଠ ମୋହନ ପୁରୁଷ ଧନୁଶରଧାରୀ ରାମ [ନୌକାରୁ ଓହ୍ଲାଇ] ପଥରେ ଗମନ କରି ବିଦେହ ମଣ୍ଡଳରେ ପ୍ରବେଶ କଲେ ।

୭ମ ପଦ–(ବିଦେହର) ଦୋକାନରେ ଥିବା ଲୋକମାନେ ବିଶ୍ୱାମିତ୍ର, ରାମ ଓ ଲକ୍ଷ୍ମଣଙ୍କୁ ଦର୍ଶନ କରି ମନରେ ଭାବନା କଲେ, ‘‘(ଆଗରେ) ବିଧାତା, (ପଚ୍ଛରେ) ମହାଦେବ ଓ ମଧ୍ୟରେ ବିଷ୍ଣୁ ଆଗତ କଲେକି ? ମରକତକାନ୍ତିଧାରୀ ବିଷ୍ଣୁ ଶିବଧନୁ ଭଗ୍ନ କରି ଲକ୍ଷ୍ମୀସ୍ୱରୂପା ସୀତାଙ୍କୁ ବିବାହ ହେବେ । ରାମଙ୍କ ସୌନ୍ଦର୍ଯ୍ୟରେ ଲୋକମାନଙ୍କ ମାନସ ବଶ ହେଲା । ରାମ ବିଜେ କଲେ ଏ ଶବ୍ଦ ଅଦ୍‌ଭୁତରେ ଶୁଣାଗଲା ।’’

୮ମ ପଦ–ରା କା ହୋଇଗଲା ଅର୍ଥାତ୍ ‘ରାମ’ ‘କାମ’ ବୋଲି ଶୁଭିଲା । ରାକା–ପୂର୍ଣ୍ଣିମା । ଅଖଣ୍ଡଚନ୍ଦ୍ର–ପୂର୍ଣ୍ଣଚନ୍ଦ୍ର । ପୀୟୂଷ–ଅମୃତ ।

୮ମ ପଦ–‘ରାମ ବିଜେ କଲେ’ ଏ ଶବ୍ଦ ଶୁଭନ୍ତେ ଭ୍ରମବଶରେ ସମସ୍ତଙ୍କ ଚିତ୍ତରେ ‘ରା’ ‘କା’ ହୋଇଗଲା । [ରାମ ନ ଶୁଭି କାମ ଶୁଭିଲା]। ନାରୀମାନେ ଭାଳିଲେ, ସେ କାମ ରୂପବନ୍ତ କିପରି ହେଲା ? [ସେ ତ ଅରୂପ, ଅନଙ୍ଗ]। କବି ମନରେ ଭାବିଲେ, ନାମ ପଛରେ ତ ଚନ୍ଦ୍ର ପ୍ରକାଶ ପାଇଅଛି [ରାମଚନ୍ଦ୍ର], ତେଣୁ ରାକା ହୋଇଗଲା ଅର୍ଥାତ୍ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ହେଲା । ସେହି ପୂର୍ଣ୍ଣଚନ୍ଦ୍ର ଶୋଭା ରୂପ ପୀୟୂଷରାଶି ପାନକୁ ବିସ୍ତାର କରି ଜନମାନଙ୍କ ନୟନ ରୂପ ଚକୋରୀକୁ ବୋଧ କରିବେ । (ଚକୋରୀ ପୂର୍ଣ୍ଣଚନ୍ଦ୍ରର ଜ୍ୟୋତ୍ସ୍ନାକୁ ଦେଖି ତୋଷ ହେବ)।

୯ମ ପଦ–ରମଣୀମାନେ ‘ବିଷୟ’ କାମଧନ୍ଦାକୁ ତ୍ୟାଗ କରି, ତାକୁ ଶବ୍ଦର ଶେଷ ଅକ୍ଷର ‘ୟ’କୁ ନାଶ କରି (ଅର୍ଥାତ୍ ବିଷୟରୁ ଗଲେ ବିଷ ରହିଲା) ତାକୁ ବିଷପରି ମଣି ବାହାର ହେଲେ । ସେମାନେ ଦ୍ୱିପୁଣରେ ବିଚଳିତ ହେଲେ (କାମ ବିଜେ ଶୁଣି ବିଚଳିତ ହୋଇଥିଲେ । ବର୍ତ୍ତମାନ ରାମ ବିଜେ ଶୁଣି ଦ୍ୱିଗୁଣ ବିଚଳିତ ହେଲେ) ସେମାନେ ଗୁରୁଜନଙ୍କ ଗୌରବକୁ ବିନାଶ କଲେ । ଗୁରୁଜନମାନେ ମଧ୍ୟ ବିଚଳିତ ହୋଇଥିବାରୁ ସେମାନଙ୍କୁ ବାରଣ କରି ପାରିଲେ ନାହିଁ । ଯେଉଁ ନାରୀମାନେ ବେଶ ହେବାରେ ରତ ଥିଲେ, ତାଙ୍କ ମଧ୍ୟରୁ କେହି କଜ୍ଜ୍ୱଳ ଛଳରେ କସ୍ତୁରୀ ନେଇ ଆଖିରେ ଲଗାଇଲା ।

୧୦ମ ପଦ–କେଉଁ ଷୋଡ଼ଶୀ ଭ୍ରମ ହେତୁରୁ ବକ୍ଷରେ କିଙ୍କିଣୀକୁ ଲଗାଇଲା, ଚାପସରିକୁ କଟୀରେ ଖଞ୍ଜିଲା । କେଉଁ ନାୟିକାର ବେଶକାରିଣୀ ସିନ୍ଦୂରକୁ ଅଳତା ରସ ମନେକରି ପାଦରେ ଦେଲା । ଅଳତା ନେଇ ଲଲାଟରେ ଚିତା ଲେଖିଲା । କେଉଁ ରମଣୀ କେଶ ମୁକୁଳିତ କରି ବେଗରେ ଚାମରକୁ ବାଳ ବୋଲି ପାନିଆରେ ଚିକ୍‌କ’ଣ କଲା ।

 

ବସିଥିଲା ପତିକୋଳ            କେ ଘେନି ପତିତ ମେଳ

ଗତି କରି ଯୁବା ଦେଖା ଗତି ସେ କରି ।

ବିପରୀତ କାହା ସାଇଁ            ମାଗୁଁ ଦେଖିବା ଆଶାୟୀ

ରୀତି ଦୁଇ ପୁଂସେ ଭାଷେ ପୁଷ୍ପେ ସଞ୍ଚରି ।

ବଳା ଖଞ୍ଜୁ କେ ମାନୀ ଭାଷି ।

ବଲ୍ଲଭେ ଭୁଲାଇ କେବେ ନୁହଇ ଦୋଷୀ ।୧୧।

 

ବୟସୀଏ ଗୀତ ଗାଇ            କେ ରାମା ବୀଣା ବଜାଇ

ଥୋଇଅଛି ଭାବି ଚାହିଁ କୁଚ ରୋମାଳୀ ।

ବାଜିତ କିଙ୍କିଣୀ ସ୍ଵର            ମଣିତ ଧାଉଁ ପ୍ରଚାର

ଆମ୍ଭଠାରେ ଦେଲା ଭାଳି ଗମିଲା ଆଳୀ ।

ବିସୋର ସେ ରାଗରେ ରାଗ ।

ବୋଲୁଥିଲେ ରାମକେରୀ ରଳ ସଂଯୋଗ ।୧୨।

 

ବାନ୍ଧବ ବାନ୍ଧବୀ ରଞ୍ଜି            ପରସ୍ପରେ ଭୁଞ୍ଜାଭୁଞ୍ଜି

ପାନ ତୁଚ୍ଛା କର ଦିଆଦେଇ ହୋଇଲେ ।

ବାହୁ ବାହୁ ଆଲିଙ୍ଗନ            ଲତିକା ତରୁ ସମାନ

ତରୁଣ ତରୁଣୀ ଥିଲେ ତେଜି ଧାଇଁଲେ ।

ବାମା କେହି ହରିଦ୍ରା ଘେନେ ।

ବିଚ୍ଛିତି ଦେଖାଇ ଗଲା ନ ପୋଛି ସ୍ନାନେ ।୧୩।

 

ବଧୂ ପାତ୍ର ସାମନ୍ତଙ୍କ            ଶ୍ରବଣେ ଅତି ଉତ୍ସୁକ

ଜଗତୀ ଗତିକି ଦେଖି ସଖୀଏ ଭାଷେ ।

ବଡ଼ଭି ଲଭିଲ ନାହିଁ            ବଡ଼ଭୀ ଲଭିବ ଚାହିଁ

ଜଗତି ଗତି ଦାତାଙ୍କୁ ଅନଙ୍ଗ ବଶେ ।

ବାଟି ଶ୍ରମିହେବୁଁ ଉଶୀର ।

ବାଧିବ ସରିବ ବେନି ଶିଶିରକର ।୧୪।

 

ବିଗ୍ରହ ତ୍ଵରା ଆରମ୍ଭେ            ସୁନ୍ଦର ଦର୍ଶନ ଲୋଭେ

ପ୍ରଭଞ୍ଜନ–ପଥ ପ୍ରଭଞ୍ଜନ ହୋଇବ ।

ବିଶ୍ଵସ୍ତେ ଜାତ ଏତେକ            ଲାଭ ହୃଦ ସମ୍ପୂଟକ

ମଧ୍ୟରେ ସେ ମନୋରମ–ମଣି ଥୋଇବ ।

ବୋଲେ ସେ ତୁମ୍ଭର ନୋହିବ ?

ବଞ୍ଚନା କଲାଣି କେତେ କାଳୁ ଦଇବ ।୧୫।

 

୧୧ଶ ପଦ–କେଉଁ ରମଣୀ ପତି କୋଳରେ ବସିଥିଲା, ମାତ୍ର ତାହାକୁ ତୁଚ୍ଛ ମନେକରି ଯୁବା ରାମଚନ୍ଦ୍ରଙ୍କ ଦର୍ଶନରେ ମୁକ୍ତି ମିଳିବ, ଏହା ଭାବି (ପତିକୁ ତ୍ୟାଗକରି ରାମ ଦର୍ଶନକୁ) ଗମନ କଲା । କାହାର ସ୍ୱାମୀ ବିପରୀତ ରତି ମାଗନ୍ତେ ରାମଚନ୍ଦ୍ରଙ୍କ ଦର୍ଶନାକାଙ୍‍କ୍ଷୀଣୀ ରମଣୀ (ପୁରୁଷ ବିପରୀତ ରତି ମାଗୁଛି ଏ ଲୋଭ ଓ ରାମଚନ୍ଦ୍ର ଦର୍ଶନ ଲୋଭ ଏ ଦୁଇ ଲୋଭରୁ ରାମ ଦର୍ଶନ ଲୋଭ ପ୍ରବଳ ହେବାରୁ) ପୁରୁଷକୁ ଭୁଲାଇ କହିଲା, ମୁଁ ପୁଷ୍ପବତୀ ହୋଇଅଛି ।’’ କାହାର ସ୍ୱାମୀ ରମଣୀର ପାଦରେ କଳା ଖଞ୍ଜିବାରୁ ସେ ସ୍ତ୍ରୀ ସ୍ୱାମୀକୁ ଭୁଲାଇ କହିଲା, ‘‘ମୁଁ ତ ଦୋଷୀ ନୁହେଁ । (ସ୍ତ୍ରୀମାନେ ବଡ଼ ଅଳଙ୍କାର ପ୍ରିୟ, ତଥାପି ରାମଚନ୍ଦ୍ରଙ୍କ ଦର୍ଶନ ଆଶା ଏପରି ବଳବତ୍ତର ହୋଇଥିଲା ଯେ, ସେ କହିଲା, ଦୋଷୀକୁ ସିନା ଗୋଡ଼ କଡ଼ି ଦିଆଯାଏ, ମୁଁ ତ ଦୋଷୀ ନୁହେଁ, ମୋତେ କାହିଁକି ଗୋଡ଼କଡ଼ା ଦେଉଛ) ।’’

୧୨ଶ ପଦ–ବୟସୀଏ–ସଖିସମୂହ । ରାଗରେ–ଅନୁରାଗରେ, ସ୍ନେହରେ ।

୧୨ଶ ପଦ–ସଖୀମାନେ ଗୀତ ଗାଉଥିଲେ, କେଉଁ ରମଣୀ ବୀଣା ବଜାଉଥିଲେ । (ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ) ସେ ବୀଣା ଥୋଇ ଧାଇଁଗଲା । ରାମଚନ୍ଦ୍ରଙ୍କୁ ଦେଖିବା ପାଇଁ ସଖୀମାନେ ଧାଇଁଯିବା ସମୟରେ ନିଜ କୃତକୁ ଦେଖି ବୀଣା, ରୋମସବୁକୁ ବୀଣାତାର ବୋଲି ଭାବିଲେ, ଯିବା ସମୟରେ କିଙ୍କିଣୀ ସ୍ୱରକୁ ବୀଣାସ୍ୱର ଭାବି ମନେକଲେ; ‘ସଖି ଆମ ହାତରେ ବୀଣା ଦେଇଗଲାକି ?’ ରାମଚନ୍ଦ୍ରଙ୍କୁ ଦର୍ଶନ କରିବାପାଇଁ ଯେ ଅନୁରାଗ ଜାତ ହେଲା, ତଦ୍ୱାରା ପୂର୍ବେ ବୋଲୁଥିବା ଗୀତର ରାଗ ବିସ୍ମରଣ ହୋଇଗଲା । ରାମକେରୀ ରାଗ ବୋଲୁଥିଲେ, ତହିଁରେ ‘ର’ ସ୍ଥାନରେ ‘ଳ’ ସଂଯୋଗ ହେଲା (ରାମକେରୀ ହୋଇ ରାମକେଳୀ ହେଲା) ।

୧୩ଶ ପଦ–ବିଚ୍ଛିତ୍ତ–ଭଙ୍ଗି ।

୧୩ଶ ପଦ– କେଉଁ ନାୟକ ନାୟିକା ପରସ୍ପରରେ ଅନୁରାଗର ସହିତ ପାନ ଭୁଞ୍ଜାଭୁଞ୍ଜି ହେଉଥିଲେ; ରାମ ଦର୍ଶନ ଆଶାରେ ବିଚଳିତ ହୋଇ ଖାଲି ହାତ ଦିଆଦେଇ ହେଲେ । ତେଣୁ ତରୁଣ ତରୁଣୀ ବୃକ୍ଷଲତା ପ୍ରାୟ ବାହୁ ବାହୁକୁ ଛନ୍ଦାଛନ୍ଦି ହୋଇଥିଲେ, ସେ ତାହା ତ୍ୟାଗକରି ରାମଙ୍କ ଦର୍ଶନ ପାଇଁ ଧାଇଁଲେ । କେଉଁ ରମଣୀ ଦେହରେ ହଳଦୀ ଲଗାଉଥିଲା । ସ୍ନାନ କରି ମାତ୍ର ପୋଛି ନ ହୋଇ ଅଙ୍ଗର ଛଟା ଦେଖାଇ ରାମଙ୍କ ଦର୍ଶନକୁ ଦୌଡ଼ିଲା ।

୧୪ଶ ପଦ–ପାତ୍ର–ମନ୍ତ୍ରୀ । ଜଗତ–ଅଟ୍ଟାଳିକା । ବଡ଼ଭି–ଅଟ୍ଟାଳିକା । ବଡ଼ଭୀ–ଅତିଶୟ ଭୟ । ଉଶୀର–ବେଣା । ଶିଶିରକର–ଚନ୍ଦ୍ରକିରଣ, କର୍ପୂର ।

୧୪ଶ ପଦ–ପାତ୍ର, ମନ୍ତ୍ରୀ ଓ ସାମନ୍ତଙ୍କର ସ୍ତ୍ରୀମାନେ ରାମ ବିଜେ କରିବା ଶ୍ରବଣ କରି ତାଙ୍କୁ ଦେଖିବା ନିମନ୍ତେ ଉଚ୍ଛୁକ ହୋଇ ଅଟ୍ଟାଳିକା ଉପରକୁ ଯିବାରୁ କୌଣସି ସଖି କହିଲା–‘ତୁମ୍ଭେ ବଡ଼ଭି ଲଭିଲ ନାହିଁ’ ତୁମ୍ଭେ କୋଠା ଉପରକୁ ଗଲନାହିଁ ଯେ, ଜଗତର ଗତି ମୁକ୍ତିଦାତା ରାମଙ୍କୁ ଚାହିଁ କନ୍ଦର୍ପ ବଶରେ ବଡ଼ ଭୟ ଲାଭ କରିବାକୁ ଗଲ । ଆମ୍ଭେମାନେ ଉଶୀରବେଣା ବାଟିକାରେ ଶ୍ରମୀ ହେବୁଁ । ବେନି ଶିଶୁରକର ବାଧିବ ଅର୍ଥାତ୍ ଚନ୍ଦ୍ରକିରଣ ତୁମ୍ଭଙ୍କୁ କଷ୍ଟକର ଜଣାଯିବ ଓ କର୍ପୂର ଜଗତରୁ ଶେଷ ହେବ । (ତୁମ୍ଭେ ରାମକୁ ଦେଖି ବିରହ ଜ୍ୱାଳାରେ ତାପତ ହେବ । ତୁମ୍ଭଙ୍କୁ ଥଣ୍ଡା କରିବାକୁ ଯାଇ ଆମେ ଉଶୀର ବେଣା ବାଟି ବାଟି ଥକିତ ହେବୁ, କର୍ପୂର ଚୂର୍ଣ୍ଣ ଜଗତରୁ ଶେଷ ହୋଇଯିବ, ଚନ୍ଦ୍ରକିରଣ ବିଷପରି ବୋଧହେବ)।

୧୫ଶ ପଦ–ବିଗ୍ରହ–ଦେହ । ପ୍ରଭଞ୍ଜନପଥ–ଗବାକ୍ଷ ବା ଝରକା । ପ୍ରଭଞ୍ଜନ–ବିଶେଷରେ ଭଗ୍ନହେବା । ହୃଦସଂପୂଟକ–ହୃଦୟରୂପ ଫରୁଆ ।

୧୫ଶ ପଦ–‘‘ତୁମ୍ଭେମାନେ ଯେଉଁ ରାମଙ୍କର ମନୋହର ରୂପ ଦେଖିବା ନିମିତ୍ତ ବ୍ୟଗ୍ର ହୋଇ ଝରକା ନିକଟକୁ ଧାଉଁଅଛ, ସେହି ରାମଚନ୍ଦ୍ର, ତୁମ୍ଭମାନଙ୍କ ହୃଦୟ ରୂପ ଫରୁଆରେ ତାହାଙ୍କର ସୌନ୍ଦର୍ଯ୍ୟ ରୂପ ମଣିକି ଥୋଇ ତୁମ୍ଭଙ୍କୁ କେବଳ ଚିନ୍ତା ଦେବେ । (ତୁମ୍ଭେମାନେ ତାହାଙ୍କର ସୌନ୍ଦର୍ଯ୍ୟ ଦେଖି ମୁଗ୍‌ଧ ହେବ ଓ ସବୁଦିନ ତାଙ୍କୁହିଁ ଭାଜନ କରୁଥିବ, ମାତ୍ର ତାଙ୍କୁ କଦାପି ପାଇ ପାରିବ ନାହିଁ)। ତୁମ୍ଭେ ସେହି ବିରହ ଚିନ୍ତାରେ ଅସ୍ଥିର ହେଲାବେଳେ (ପବନ ତୁମ୍ଭଙ୍କୁ ଅପ୍ରୀତିକର ଲାଗିବାରୁ) ଏହି ଝରକାଗୁଡ଼ିକ (ଯାହା ପାଖକୁ ତୁମ୍ଭେ ରାମଙ୍କୁ ଦେଖିବାପାଇଁ ଆଗ୍ରହରେ ଦଉଡ଼ି ଯାଉଛ) ଭଗ୍ନ ହେବେ । ସେ ରାମ ତୁମ୍ଭର କଦାପି ହୋଇ ପାରିବେ ନାହିଁ । ଦଇବ ସେଥିରୁ ତୁମ୍ଭଙ୍କୁ ବଞ୍ଚିତ କରିଅଛି । (ତୁମ୍ଭେ ବହୁକାଳରୁ ବିବାହିତ) ।’’ ସେମାନେ (ପାତ୍ର, ମନ୍ତ୍ରୀ ଓ ସାମନ୍ତଙ୍କ ସ୍ତ୍ରୀମାନେ) କହିଲେ, ‘‘ତୁମ୍ଭର କ’ଣ ବିରହ ଯନ୍ତ୍ରଣା ହେଉନାହିଁକି ?’’ ସଖୀ ଉତ୍ତର ଦେଲା, ‘‘ଦଇବ ବହୁତ ଦିନୁ ଆମ୍ଭଙ୍କୁ ସେଥିରୁ ବଞ୍ଚିତ କରିଅଛି ।’’ (ଆମ୍ଭେ ବୃଦ୍ଧା ହୋଇ ଗଲୁଣି) ।

 

ବିବୁଧାଳୟ ଜଗତୀ            ସ୍ଥିତି ନାରୀ ସୁରୀଭ୍ରାନ୍ତି

ସୁମନା ମନ ମୋହନ ଛବି ଯାହାର ।

ବିଳୁଁ ବାହାରିଲା ପରି            ନାଗ–ନାଗରୀ ଚାତୁରୀ

ମଣି–ଭୂଷଣୀ ମଧ୍ୟରୁ ଯେତେ ବାହାର ।

ବେଭାରେ ତମାନବୀ ସର୍ବେ ।

ବିଶୁଦ୍ଧ ତ୍ରିପୁର ଲୀଳା ତହିଁ ସମ୍ଭୁବେ ।୧୬।

 

ବାମା କାଳ ଭାନୁ–ବାମା            ପ୍ରସବ ସୂନୁ ସୁଷମା

ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା ।

ବରନ ବସନ ଧରେ            ନୀଳ ପୀତ ପରସ୍ପରେ

ସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା ।

ବିହ୍ଵଳିତ ଦମ୍ଭ ଅନାଇ ।

ବାସ କଲା ଚିତ୍ତ ରାମ ଲକ୍ଷ୍ମଣେ ଯାଇଁ ।୧୭।

 

ବାଡ଼େ ଯେ ଆଉଜି ରହି            ଚିତ୍ର ପ୍ରତିମା କି ସେହି

ନିରବଲମ୍ବିନୀ କି ଇନ୍ଧନ ପିତୁଳା ।

ବନ୍ଧକୀ ସ୍ଵଭାବ ଲୁଟି            ପତିବ୍ରତା କଲେ ହଟି

ସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା ।

ବୋଲନ୍ତି କି କାହା ଶୁଣନ୍ତି ।

ବିଜ୍ଞାତ ନୋହେ ମାଦକୀ ଚେତା ଆକୃତି ।୧୮।

 

ବୈଦେହୀ ବିମଳଦେହୀ            କମଳ କେଶରେ ନାହିଁ

ସହୀ ସହିତରେ ଥିଲେ ମଣ୍ଡି ଅଟ୍ଟାଳୀ ।

ବିହି ଲୋକନେ ପ୍ରଶଂସା            କଳାଙ୍ଗେ କଲେ ଲାଲସା

ଗଉରେ ଗଉରବତା ନେତ୍ର ନ ଢାଳି ।

ବର ଦେବରେ ଯେ ମନାସେ ।

ବରଦେବର ହେବାକୁ ମାନସେ ଘୋଷେ ।୧୯।

 

ବାମଲୋଚନ ସ୍ଫୁରିତା            ବାମମୋଚନ ବିଧାତା

ପାଞ୍ଚୁ ପୁଲକ ପୁଲକ କପୋଳେ ଦିଶି ।

ବୃଦ୍ଧବୟଃ ସଙ୍ଗୀବାର            ଭାଙ୍ଗିବ ଏ ଧନୁବର

ମନରେ ଏମନ୍ତ କର ତା ଜାଣି ଭାଷି ।

ବ୍ୟକତ ଏମନ୍ତ ବଚନ ।

ବିଶ୍ଵାସ ନିଃଶ୍ଵାସ ହାସ ନାଶା ଆନନ ।୨୦।

 

୧୬ଶ ପଦ–ବିବୁଧାଳୟ–ସ୍ୱର୍ଗ ବା ମେରୁ ପର୍ବତ । ନାରୀ ସୁରୀ–ଦେବ ସ୍ତ୍ରୀ ବା ଅପ୍‌ସରା-। ସୁମନା–ଦେବତା, ପଣ୍ଡିତ । ନାଗ–ନାଗରୀ–ନାଗସ୍ତ୍ରୀ । ବିଶ୍ୱଧାତ୍ର–ଧରିଣୀ ।

୧୬ଶ ପଦ–ମେରୁ ସଦୃଶ ଅଟ୍ଟାଳିକା ଉପରେ ଥିବା ନାରୀମାନେ ଦେବ ସ୍ତ୍ରୀ ପରି ଶୋଭା ପାଉଛନ୍ତି । ଦେବ ସ୍ତ୍ରୀ–ମାନଙ୍କର ଛବି ଦେବତାମାନଙ୍କର ମନମୋହନ କଲାପରି ଅଟ୍ଟାଳିକା ଉପରେ ଥିବା ନାରୀମାନଙ୍କର ଛବି ପଣ୍ଡିତମାନଙ୍କର ମନମୋହନ କରୁଅଛି । (ଏହାଦ୍ୱାରା ସ୍ୱର୍ଗପୁରର ସୂଚନା ଦିଆଗଲା) । ପୁରରୁ ବାହାରିବା ମଣିଭୂଷିତା ସ୍ତ୍ରୀମାନେ ନାଗ କନ୍ୟା (ନାଗକନ୍ୟାବିଳରୁ ବାହାରନ୍ତି ଓ ତାଙ୍କ ମସ୍ତକରେ ମଣିଥାଏ) ପ୍ରାୟ ଦେଖାଗଲେ । (ଏହାଦ୍ୱାରା ପାତାଳ ପୁରର ସୂଚନା ମିଳିଲା ।) ପ୍ରକୃତରେ ସମସ୍ତେ ମାନବୀ (ମର୍ତ୍ତ୍ୟର ସ୍ତ୍ରୀ–ଏହାଦ୍ୱାରା ମର୍ତ୍ତ୍ୟ ସୂଚିତ ହେଲା) । ସେହି ମିଥିଲା ପୁରରେ ଏହି ତିନି ପୁରର ଲୀଳା (ସ୍ୱର୍ଗ ମର୍ତ୍ତ୍ୟ ପାତାଳ) ସମ୍ଭବ ହେଲା ।

୧୭ଶ ପଦ–କାମା କାଳେ–ରୂପ ଧଇଲା ବେଳେ । ଭାନୁ–ବାମା–ସୂର୍ଯ୍ୟପତ୍ନୀ, ସଜ୍ଞା ଓ ଛାୟା । ସୂନୁ–ପୁତ୍ର । ସୁଷମା–ଶୋଭା। ଆନନ–ମୁଖ । ସ୍ମର–କନ୍ଦର୍ପ । ମଧୁ–ବସନ୍ତ ।

୧୭ଶ ପଦ–ସୂର୍ଯ୍ୟ ପତ୍ନୀ ସଜ୍ଞା ଘୋଟକୀ ହେବା କାଳରେ ଯେଉଁ ପୁତ୍ର ପ୍ରସବ କରିଥିଲେ, ସେହି ଅଶ୍ୱିନୀ କୁମାରଙ୍କର ଶୋଭା ଏହାଙ୍କ ସହିତ (ରାମ, ଲକ୍ଷ୍ମଣଙ୍କ ସହିତ) ଉପମିତ ହୋଇପାରିଥାନ୍ତା, ଯଦି ଅଶ୍ୱିନୀ କୁମାରଙ୍କର ମୁଖ ଅନ୍ୟପ୍ରକାର ହୋଇଥାନ୍ତା, (ଅଶ୍ୱିନୀ କୁମାରଙ୍କ ମୁଖ ଘୋଡ଼ାମୁଖ ପରି) । ଏ ଦୁହେଁ (ରାମ ଲକ୍ଷ୍ମଣ) ପରସ୍ପରରେ ନୀଳବର୍ଣ୍ଣ ଓ ପୀତବର୍ଣ୍ଣ ବସନ ପିନ୍ଧିଛନ୍ତି ଅର୍ଥାତ୍ ନୀଳବର୍ଣ୍ଣ ରାମ ପୀତ ବସନ ପିନ୍ଧିଛନ୍ତି ଓ ପୀତବର୍ଣ୍ଣ (ଗୌର) ଲକ୍ଷ୍ମଣ ନୀଳବସନ ପିନ୍ଧିଛନ୍ତି; ତେଣୁ କନ୍ଦର୍ପ ଓ ବସନ୍ତର ଆଲିଙ୍ଗନରେ ଯେଉଁ ଶୋଭାହେବ ସେହି ଶୋଭା ଏମାନେ ଧାରଣ କରି ଅଛନ୍ତି । ସେ ଶୋଭାକୁ ଚାହିଁ ଧୈର୍ଯ୍ୟ ବିଚଳିତ ହେଲା; ଚିତ୍ତ ଯାଇ ରାମ ଲକ୍ଷ୍ମଣଙ୍କଠାରେ ବାସ କଲା ।

୧୮ଶ ପଦ–ବନ୍ଧକୀ–ଅସତୀ । ମାଦକୀ–ମଦ୍ୟପ ।

୧୮ଶ ପଦ–ଯେଉଁ ସ୍ତ୍ରୀ କାନ୍ଥକୁ ଆଉଜି ଠିଆ ହୋଇଥିଲା,(ରାମଙ୍କ ଦର୍ଶନରେ କାମ ବିକାର ଜାତ ହେବାରୁ ସେ ନିଶ୍ଚଳ ହୋଇ ଠିଆହେଲା) ସେ କାନ୍ଥରେ ଚିତ୍ରିତ ହୋଇଥିବା ଚିତ୍ରପ୍ରତିମା ପରି ଦିଶିଲା । ଯେଉଁ ସ୍ତ୍ରୀ ବିନା ଆଶ୍ରୟରେ ଠିଆ ହୋଇଥିଲା, ସେ କାଠ କଣ୍ଢେଇ ପରି ଦେଖାଗଲା । ପତିବ୍ରତାମାନେ ଅସତୀମାନଙ୍କ ସ୍ୱଭାବକୁ ଲୁଟି କଲେ (ଅସତୀ ଯେପରି ପର ପୁରୁଷ ଦେଖିଲେ ହାବଭାବ ଦେଖାନ୍ତି ବା ବିଚଳିତ ହୁଅନ୍ତି, ପତିବ୍ରତାମାନେ ସେହିପରି ହେଲେ) ମାତ୍ର ଜଡ଼ତା ସେମାନଙ୍କ ମହତ୍ୱ ରକ୍ଷାକଲା । (ସେମାନେ ଜଡ଼ ହୋଇ ଠିଆ ହୋଇଥିବାରୁ କିଛି କରିପାରିଲେ ନାହିଁ, ନ ହେଲେ ରାମ ଲକ୍ଷ୍ମଣଙ୍କୁ କୁଣ୍ଢାଇ ପକାଇଥାନ୍ତେ) । ମାଦକଦ୍ରବ୍ୟ ଖାଇଥିବା ଲୋକଙ୍କ ପରି ପତିବ୍ରତାମାନେ କାମ ବିକାରରେ ବିହ୍ୱଳ ହୋଇ) କ’ଣ କହୁଛନ୍ତି ବା କ’ଣ କରୁଛନ୍ତି କିଛି ଜାଣିପାରିଲେ ନାହିଁ ।

୧୯ଶ ପଦ–କମଳ କେଶରଠାରୁ ବେଶୀ ସୁନ୍ଦରୀ ନିର୍ମଳଦେହୀ ବୈଦେହୀ ସୀତା ସଖୀଙ୍କ ସଙ୍ଗରେ ଅଟ୍ଟାଳିକାକୁ ମଣ୍ଡନ କରି ବସିଥିଲେ (ସେ ବସିଥିବାରୁ ଅଟ୍ଟାଳିକା ସୁନ୍ଦର ଦିଶୁଥିଲା) । ସେ ରାମ ଲକ୍ଷ୍ମଣଙ୍କୁ ଦେଖି ପ୍ରଶଂସା କଲେ । ‘କଳାଙ୍ଗ’ ରାମଙ୍କଠାରେ ଅଭିଳାଷ କଲେ, ଗୌରଅଙ୍ଗ’ ଲକ୍ଷ୍ମଣଙ୍କଠାରେ ଗୌରବ ଅନୁଭବ କରି ନେତ୍ର ପକାଇଲେ । (ସୀତା ନିଜେ ଗୌର ବର୍ଣ୍ଣ, ତେଣୁ ସେ ଶ୍ୟାମଳ ବର୍ଣ୍ଣ ପ୍ରତି ଆକୃଷ୍ଟ ହେଲେ) । ବର ଓ ଦିଅର (ରାମ ଲକ୍ଷ୍ମଣଙ୍କୁ) ହେବା ପାଇଁ ମନରେ ଇଚ୍ଛା କଲେ, ସେ ମହାଦେବଙ୍କୁ ମାନସିକ କଲେ ଅଥବା ବର ଦାତାଙ୍କଠାରେ ବର ମନାସିଲେ ।

୨୦ଶ ପଦ–ବୃଦ୍ଧ ବୟଃ ସଙ୍ଗୀକାର–ବଡ଼ ସଖୀସମୂହ ।

୨୦ ପଦ–(ସୀତା ମନରେ ଏପରି ବିଚାର କରିବା ସମୟରେ) ତାଙ୍କ ବାମ ଆଖି ଡେଇଁବାରୁ ବିଧାତା ମୋର ପ୍ରତିକୂଳତାକୁ ମୋଚନ କଲେ (ମୋର ସମସ୍ତ ବାଧା ଏଡ଼ି ଦେଲେ),–ଏହା ପାଞ୍ଚିଲେ । ସେତେବେଳେ ତାଙ୍କ ଗଣ୍ଡସ୍ଥଳରେ ରୋମୋଦ୍‌ଗମ୍ ହେଲା । ବୟୋଜ୍ୟେଷ୍ଠ ସଖୀମାନେ ତାଙ୍କର ନେତ୍ର ଓ ଗଣ୍ଡସ୍ଥଳର ବିକାର ଦେଖି କହିଲେ, ‘‘ହେ ସୀତା ! ଏ ପୁରୁଷ ଧନୁଶ୍ରେଷ୍ଠ ଶିବ ଧନୁକୁ ଭାଙ୍ଗିବେ । ଏହା ଠିକ୍‌ରୂପେ ଜାଣ’’ ଏହି କଥା ଶୁଣନ୍ତେ ସୀତାଙ୍କ ନାସିକାରୁ (ଅତି ଆନନ୍ଦ ହେତୁ) ନିଃଶ୍ୱାସ ଓ ମୁଖର ହାସ୍ୟ ପ୍ରକାଶିତ ହେଲା (ଏହା ଶୁଭ ସୂଚକ), ତେଣୁ ସୀତା ସଖୀଙ୍କ କଥାରେ ବିଶ୍ୱାସ କଲେ ।

 

ବିପ୍ରଳାପ ଥାଇ ଭାଷେ            ମନମାୟା ଯେ ରଭସେ

ଏ ଯୋଗ ତୋର କର୍ମରେ ଅଛି ଘେନ ରେ ।

ବ୍ୟଲୀକ ଏକି ? ଜନକ            ନାରୀକେଳ ସଦୃଶକ

ଧନୁ ସ୍ଵୟମ୍ବର କୃତ ତୋଷଦାନରେ ।

ବିଦଗ୍‌ଧତା ଚିତ୍ତେ ଘେନିଲେ ।

ବୟସୀଗଣ ପ୍ରମାଣ ପ୍ରମାଣ ବୋଲେ ।୨୧।

 

ବୃକୋଦର ବାସବର            ଦିଗଦନ୍ତୀ ମନୋହର

ବିହରି ମଖଶାଳାରେ ପ୍ରବେଶବେଳେ ।

ବଂଶିକ ରାଜା ମାନସ            ମଧ୍ୟରୁ ଧୈର୍ଯ୍ୟ ସାରସ

ଅସ୍ପରଶେ ଦରଶନେ ଉତ୍ପାଟି ନେଲେ ।

ବିଚିତ୍ର–କର୍ମାଙ୍କ ଆଲୋକେ ।

ବିଦେହରାଜ କୌଶିକେ ପୁଚ୍ଛିଲେ ଏ କେ ? ।୨୨।

 

ବଲଗିଲେ ମୁନି ତ୍ଵରିତ            ଦଶରଥ ବେନିସୁତ

ବନେ ତାଡ଼କା ବିନାଶି ରଖି ମୋ ଯାଗ ।

ବିନ୍ୟସ୍ତ କରି ଚରଣ            ଗୌତମ–ନାରୀ ତାରଣ

ଶିବ ଚାପ ଦେଖିବାକୁ ଏବେ ଉଦ୍‌ବେଗ ।

ବୋଇଲେ ଦେଖିଲେ ଦେଖନ୍ତୁ ।

ବାଳ କୁମାରେ କି ହେବ ଏହାଙ୍କ ହେତୁ ? ।୨୩।

 

ବାଳି ବଳିଷ୍ଠରେ ସାର            ବଳ କୋଟିଏ ସିଂହର

ଭାଞ୍ଜିବା ଥାଉ ଭାଜିଲା ଶୁଣି ଛଳିତ ।

ବିଷ୍କିରେ ଗଣ୍ଡଭେରଣ୍ଡେ            ଗଜକୁ ଘେନିଣ ଉଡ଼େ

ଡାଳେ ବସେ, ଭାରତୀରେ ଭଗ୍ନ ବିହିତ ।

ବୋଲେ ପର୍ଶୁରାମ ପୂଜିଲେ ।

ବ୍ୟଭିଚାର କ୍ଷତ୍ରି ଧର୍ମ ବିପ୍ର ବୋଇଲେ ।୨୪।

 

ବାଣାସୁର କାର୍ତ୍ତବୀର୍ଯ୍ୟ            ସହସ୍ର ଭୁଜରେ ହେଜ

ଟେକି ନ ପାରିଲେ ତହୁଁ କଲେ ଉତ୍ତର ।

ବୃଶ୍ଚିକ କର୍କଟପରି                  ସିନା ତାହାଙ୍କ ମାଧୁରୀ

ନାଗ ବ୍ୟତ୍ରକେ କେ ଆନ ଧରଣୀ ଧର ।

ବିଂଶକର କହିବା ନୋହୁ ।

ବାଳି ଅର୍ଜୁନରେ ଧରାଯାଇଛି ଯେହୁ ।୨୫।

 

୨୧ଶ ପଦ–ରଭସେ–ବ୍ୟଗ୍ରହୋଇ । ବିପ୍ରଳାପ–ବିରୋଧୋକ୍ତି ।

୨୧ଶ ପଦ–ସୀତାଙ୍କର ଆଗ୍ରହ ଦେଖି ମନମାୟା ନାମକ ସଖୀ ବିରୋଧାକ୍ତି ଥାଇ ବେଗରେ କହିଲା, ‘‘ହେ ସଖି ! ଏ ପୁରୁଷକୁ ବିଭା ହେବା ଯୋଗ ତୋ କର୍ମରେ ଅଛି । ଏ ଯୋଗ ନାହିଁ ବୋଲି ମନରେ ଆଣ ନାହିଁ । ତୁମ୍ଭ ପିତା ଜନକୠଷି ନାରିକେଳସଦୃଶ ବାହାରେ କଠିନ ଓ ଭିତରେ ବହୁ ରସଯୁକ୍ତ । ଏ ଯେଉଁ ଧନୁ ସ୍ୱୟଂବର କଲେ, ତାହା ଅପ୍ରିୟ ହୁଅନ୍ତାକି ?’’ ଚତୁରୀ ସୀତା ତାହା ବୁଝିପାରିଲେ ଓ ସଖିମାନେ ତାହା ଶୁଣି ସତ୍ୟ ସତ୍ୟ ବୋଲି କହିଲେ ।

୨୨ଶ ପଦ–ବୃକୋଦର–ଯମ । ବାସବ–ଇନ୍ଦ୍ର । ମଖଶାଳା–ଯଜ୍ଞଶାଳା । ବଂଶିକ–କୁଳୀନ । ସାରସ–ପଦ୍ମ ।

୨୨ଶ ପଦ–ଯମ ଓ ଇନ୍ଦ୍ର ଅବସ୍ଥାନ କରୁଥିବା ଦୁଇ ଦିଗର ହସ୍ତୀ ଅଞ୍ଜନ ଓ ଐରାବତ ପରି ମନୋହର ରାମ ଲକ୍ଷ୍ମଣ ଯଜ୍ଞଶାଳାରେ ପ୍ରବେଶ କରି କୁଳୀନ ରାଜାମାନଙ୍କ ମାନସ ସରୋବରୁ ଧୈର୍ଯ୍ୟ ପଦ୍ମକୁ ସ୍ପର୍ଶ ନ କରି ଦର୍ଶନ ମାତ୍ରକେ ଉପାଡ଼ି ପକାଇଲେ । (ଅଞ୍ଜନ ଓ ଐରାବତଦ୍ୱାରା ମାନସରୋବରର ପଦ୍ମନାଡ଼ି ଉତ୍ପାଟିତ ହେଲା ପରି ରାମ ଲକ୍ଷ୍ମଣଙ୍କୁ କେବଳ ଦେଖିଲାକ୍ଷଣି କୁଳୀନ ରାଜାମାନଙ୍କର ଧୈର୍ଯ୍ୟ ଲୋପ ପାଇଲା) । ଅଦ୍ଭୁତକର୍ମା ରାମ ଲକ୍ଷ୍ମଣଙ୍କ ଦର୍ଶନରେ ବିଦେହ ରାଜା ଜନକ ବିଶ୍ୱାମିତ୍ରଙ୍କୁ ପଚାରିଲେ, ‘‘ଏ କିଏ ?’’

୨୩ଶ ପଦ–ବଲ୍‌ଗିଲେ–କହିଲେ ।

୨୩ଶ ପଦ–(ଜନକଙ୍କ ପ୍ରଶ୍ନ ଶୁଣି) ବିଶ୍ୱାମିତ୍ର ମୁନି କହିଲେ, ‘‘ଏ ଦଶରଥ ରାଜାଙ୍କର ଦୁଇପୁଅ ବନରେ ତାଡ଼କା ରାକ୍ଷସୀକୁ ମାରି ମୋ ଯୋଗରକ୍ଷା କରିଅଛନ୍ତି । କାମ୍ୟକ ବନରେ ଚରଣ ବିନ୍ୟସ୍ତ କରି ଅହଲ୍ୟାଙ୍କୁ ପାଷାଣରୂପରୁ ତାରିଅଛନ୍ତି, ଏବେ ଶିବଧନୁ ଦେଖିବାକୁ ଉଦ୍‌ବେଗ ନେଇ ଆସିଅଛନ୍ତି ।’’ (ବିଶ୍ୱାମିତ୍ରଙ୍କ ବଚନ ଶୁଣି) ଜନକ କହିଲେ, ‘‘ଦେଖିଲେ ଦେଖନ୍ତୁ, ଏ ବାଳକ କୁମାର ମାତ୍ର, ଏହାଙ୍କଦ୍ୱାରା କ’ଣ ହେବ ?’’ (ଅର୍ଥାତ୍ ଏ ଧନୁ ଭାଙ୍ଗିପାରିବେ ନାହିଁ) ।

୨୪ଶ ପଦ–ବିଷ୍କିରେ–ପକ୍ଷୀମାନଙ୍କ ମଧ୍ୟରେ ।

୨୪ଶ ପଦ–‘‘କୋଟିସିଂହ ପରାକ୍ରମୀ ବଳିଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ଏପରି ଯେ ବାଜି, ସେ ଧନୁ ଭାଙ୍ଗିବା କଥା ଦୂରେ ଥାଉ, ମାତ୍ର ଧନୁ ଦେଖି ହାରିଗଲା । (ଜନକ ଏପରି କହିବାରୁ ବିଶ୍ୱାମିତ୍ର ଛଳ କରି ଉତ୍ତର ଦେଲେ, ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଗଣ୍ଡଭୈରବ ଚଢ଼େଇ ଗଜକୁ ଘେନି ଉଡ଼େ, ପୁଣି ବୃକ୍ଷଡ଼ାଳରେ ବସେ, କିନ୍ତୁ ଡାଳ ଭାଙ୍ଗିଯାଏ ନାହିଁ । ମାତ୍ର ଭରତିଆ ପକ୍ଷୀ ଡାଳରେ ବସିଲେ ଡାଳ ଭାଙ୍ଗିଯାଏ ।’’(ଦେବଯୋଗରେ ଅସମ୍ଭବ ସମ୍ଭବ ହୁଏ, ବାଳି ସିନା ଧନୁ ଦେଖି ହାରିଗଲା, ମାତ୍ର ଏ ଧନୁ ଭାଙ୍ଗିପାରିବେ) । ପୁଣି ଜନକ କହିଲେ, ‘‘ପର୍ଶୁରାମ ପୂଜା କଲେ [ଧନୁଧରି ନ ପାରି] ।’’ ବିଶ୍ୱାମିତ୍ର ଉତ୍ତର ଦେଲେ, ‘‘ସେ ବିପ୍ର ହୋଇ ବ୍ୟଭିଚାର ହେତୁ କ୍ଷତ୍ରିୟ ହୋଇଅଛନ୍ତି, (ବିପ୍ରର ପୂଜା କରିବା ବିଧି–ତେଣୁ ସେ ପୂଜା କଲେ ।)

୨୫ଶ ପଦ–ତତ୍ପରେ ଜନକ କହିଲେ, ‘‘ବାଣାସୁର ଓ ସହସ୍ରାର୍ଜୁନ ସହସ୍ର ହାତରେ ଧନୁକୁ ଟେକିପାରିଲେ ନାହିଁ–ଏ କଥା ମନରେ ଭାବ ।’’ ତାହା ଶୁଣି ବିଶ୍ୱାମିତ୍ର ଉତ୍ତର କଲେ, ‘‘ବିଛା, କଙ୍କଡ଼ାପରି ସିନା ତାଙ୍କର ହସ୍ତ ସଂଖ୍ୟା ବେଶୀ (ବିଛା ଓ କଙ୍କଡ଼ାଙ୍କର ସିନା ହାତ ବହୁତ, ମାତ୍ର ପରାକ୍ରମ ବା କେତେ) ? ମାତ୍ର ନାଗ ବିନା ଆନ କେହି ଧରିଣୀକି ଧରିପାରେକି ?’’ ଜନକ ପୁଣି କହିଲେ, ‘‘ରାବଣ’’ (ରାବଣ ଧନୁ ଦେଖି ହାରିଯାଇଅଛି) । ବିଶ୍ୱାମିତ୍ର କହିଲେ, ‘‘ତା’ କଥା କହ ନାହିଁ, ବାଳି ଓ ସହସ୍ରାର୍ଜୁନଙ୍କଦ୍ୱାରା ବନ୍ଦୀ ହେଲାଦିନୁ ତା ବଳ ଜଣାଯାଇଅଛି ।’’

 

ବିଘ୍ନରାଜ ମହାସେନ            ଲବଣ ଆଦି ରାଜନ

ପ୍ରଭା ଦେଖାଇ ମଳିନ ଭାବ ଭାଷିଲେ ।

ବିଞ୍ଚକ ପରାୟେ ତେବେ            ମୁଖରେ ଅନଳେ ଜବେ

ଦେଖାଇ ନାଶି ଭୀରୁକ ହେଲେ ଦୁଷିଲେ ।

ବିବୋଧ ନୁହଁ ହେ ଜନକ !

ବିଭୀତେ ଦେଖିବେ ଏ ଅଣାଅ ପିନାକ ।୨୬।

 

ବିତପନ କଲେ ନେଇ            ତପନବଂଶିକ ତହିଁ

ସଭାରେ ଲୋଭା ଅନାଇ ନୃପ ସକଳ ।

ବିଦର୍ଭ, କର୍ଣ୍ଣାଟ, ଭୋଟ,            ସଉରାଷ୍ଟ୍ର, ମରହଟ୍ଟ

କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ ।

ବାହ୍ଲିକ, ତୁରଷ୍କ, ନିଷେଧ ।

ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡ଼ଙ୍ଗ, ମଗଧ ।୨୭।

 

ବେଦି, ଚେରି, ମଘ, ମତ୍ସ,            ଦ୍ରାବୀଡ଼, ଗଉଡ଼, ମ୍ଳେଚ୍ଛ,

ଆରବ, ମାଳବ, କଚ୍ଛ, କୁରୁ, ପଞ୍ଚାଳ ।

ବନାଉଜ, କନାଉଜ,            କାଶ୍ମୀର, କାମେରୀ, କୁଞ୍ଜ,

ଗଳ, ଡାହାଳ, ଲୋମଶପୁଣ୍ଡ୍ର, କୋଶଳ ।

ବେଲାଉଳ ଆଦି ଏ ଠିକ ।

ବିଶେଷି କହିବା କେତେ କହେ ଜନକ ।୨୮।

 

ବିନିନ୍ଦ୍ୟ ଭୂପତିମାନେ            ବହୁଦିନୁ ଅଭିମାନେ

ବସ କି କାରଣେ ଧନୁ ଆଣ ନ କହ।

ବ୍ୟାଜ ଦମ୍ଭ ପରା ପ୍ରତେ            ଏବେ ଦଶରଥ ସୁତେ

ଆସିଛନ୍ତି ଦେଖିବାକୁ ବଳାଇ ସ୍ନେହ ।

ବୋଇଲେ ଆଣିବା ସେ ଚାପ ।

ବଦନ୍ତେ ଅଣାଅ କହେ ନୃପକଳାପ ।୨୯।

 

ବଳବନ୍ତ ଏକୁଁ ଏକ            ଆଜ୍ଞାକୁ ମଲ୍ଲ ଅନେକ

ଯନ୍ତ୍ରେ ଓଟାରି ଆଣିଲେ ମଞ୍ଜୁଷଗୋଟି ।

ବ୍ରହ୍ମାଣ୍ଡଯାକ ଧଇଲେ            ଚଳନ୍ତା ନାହିଁ ଯେ ତିଳେ

ଚକ୍ର କଟ୍ କଟ୍ ହୁଁକାର ନଭେ ପ୍ରକଟି ।

ବାକ୍ ଚାତୁରୀ ମଇଥିଳର ।

ବାଣାସନ ଆସିଲା ବିଳମ୍ବ ନ କର ।୩୦।

 

୨୬ଶ ପଦ–ବିଘ୍ନରାଜ–ଗଣେଶ । ମହସେନ–କାର୍ତ୍ତିକେୟ । ବଲ୍ଲକ–ବିଲୁଆ ।

୨୬ଶ ପଦ–ଜନକ ପୁନର୍ବାର କହିଲେ, ‘‘ଗଣେଶ, କାର୍ତ୍ତିକ, ଲବଣଦୈତ୍ୟ ଆଦି ରାଜାସବୁ ପ୍ରଥମେ ଗର୍ବ ଦେଖାଇ ପରେ ମଳିନ ହୋଇଅଛନ୍ତି (ପ୍ରଥମଥର ତେଜ ଦେଖାଇ ଆସି, ଧନୁ ଦେଖି ଭୟକରି ପଳାଇ ଯାଇଅଛନ୍ତି) ।’’ ଏହାର ଉତ୍ତରରେ ବିଶ୍ୱାମିତ୍ର କହିଲେ, ‘‘ବିଲୁଆ ପ୍ରଥମେ ମୂଖରେ ଅନଳ ଦେଖାଇ ପରେ ଭୟ ପାଇଲେ ସେ ଅନଳ ଲିଭାଇ ଦିଏ (ସେହିପରି ଏ ବୀରମାନେ ପ୍ରଥମେ ତେଜ ଦେଖାଇ ପରେ ଏ ଧନୁଦର୍ଶନରେ ସେ ତେଜକୁ ହରାଇଅଛନ୍ତି) । ହେ ଜନକ ! ତୁମ୍ଭେ ଅବୋଧ ହୁଅ ନାହିଁ । ହରଧନୁ ଅଣାଅ, ଏ ନିର୍ଭୟରେ ତାହା ଦେଖିବେ ।’’

୨୭ଶ ଓ ୨୮ଶ ପଦ–ବିଶ୍ୱାମିତ୍ରଙ୍କ କଥା ଶୁଣି ଜନକ ରାମ ଲକ୍ଷ୍ମଣଙ୍କୁ ନେଇ ରାଜସଭାରେ ପ୍ରବେଶ କରାଇଲେ । ରାମ ଲକ୍ଷ୍ମଣଙ୍କ ଶୋଭା ଦେଖି ରାଜ ସଭାରେ ବସିଥିବା ନୃପତିମାନେ ଲୋଭିତ ହେଲେ । (ତାଙ୍କ ଶୋଭାକୁ ଏକ ଧ୍ୟାନରେ ଚାହିଁ ରହିଲେ) । ଜନକ କହିଲେ,–ବିଦର୍ଭ, କର୍ଣ୍ଣାଟ, ଭୋଟ, ସୌରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳ, ଚୋଳ ସିନ୍ଧୁ, ଉତ୍କଳ, ବାହ୍ଲିକ, ତୁରଷ୍କ, ନିଷେଧ, ବଙ୍ଗ, କଳିଙ୍ଗ, ଚୋଡ଼ଙ୍ଗ, ମଗଧ, ବେଦି, ଚେଦି, ମରା, ମତ୍ସ୍ୟ, ଦ୍ରାବିଡ଼, ମ୍ଲେଚ୍ଛ, ଆବର ମାଳବ, କଚ୍ଛ, କୁରୁ, ପାଞ୍ଚାଳ, ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜଗଳ, ଡାହାଳ, ଲୋମଶ, ପୁଣ୍ଡ୍ରୁକ, କୋଶଳ, ବେଲାଉଳ ଆଦି ଯେ ରାଜାମାନେ ଠୁଳ ହୋଇଅଛି, ତାହା ବିଶେଷ କରି କେତେ ଅବା କହିବା ?

୨୯ଶ ପଦ–‘ହେ ଖ୍ୟାତାନାମା ନରପତିମାନେ ! ତୁମ୍ଭେ ବହୁ ଦିନରୁ ଧନୁ ଭାଙ୍ଗିବା ଅଭିମାନରେ ବସିଅଛ । ମାତ୍ର କି ହେତୁରୁ ଧନୁକୁ ଆଣ ବୋଲି ଆମ୍ଭଙ୍କୁ କହୁ ନାହିଁ ? ଏଥିରୁ ତୁମ୍ଭର ଦମ୍ଭ ଓ ଦର୍ପ କେବଳ ଛଳନା ପ୍ରାୟ ପ୍ରତେ ହେଉଛି (ତୁମ୍ଭର ଦମ୍ଭ ଓ ଦର୍ପ ଥିଲା ପ୍ରାୟ ଜଣା ଯାଉ ନାହିଁ) । ଏବେ ଦଶରଥ ରାଜାଙ୍କ ସୁତ ସ୍ନେହ ବଳାଇ ଧନୁ ଦେଖିବାକୁ ଆସି ଅଛନ୍ତି । ତୁମ୍ଭେମାନେ କହିଲେ ଶିବଧନୁକୁ ଅଣାଇବା ।’’ ଜନକ ଏହା କହନ୍ତେ, ‘‘ରାଜାମାନେ କହିଲେ ଧନୁ ଅଣାଅ ।’’

୩୦ଶ ପଦ–ଜଣକୁ ଜଣ ବଳବନ୍ତ ଅଟନ୍ତି ଯେଉଁ ବୀର, ସେମାନେ ଜନକ ରାଜାଙ୍କ ଆଜ୍ଞାପାଇ, ବ୍ରହ୍ମାଣ୍ଡଯାକ ଧଇଲେ ତିଳ ପ୍ରମାଣେ ଚଳିବ ନାହିଁ ଏପରି ଯେ ଶିବଧନୁ, ତାକୁ ପେଡ଼ାମଧ୍ୟରେ ଯନ୍ତାରେ ଥିବା ହେତୁ ଓଟାରି ଆଣିଲେ । ସେ ପେଡ଼ାରେ ଲାଗିଥିବା ଚକର କଟ୍‌କଟ୍ ଶବ୍ଦ ଓ ମଲ୍ଲମାନଙ୍କର ହୁଁ ହୁଁ କାର ରବ ଯାଇ ଆକାଶରେ ସମ୍ଭେଇଲା । ସେ ସମୟରେ ଜନକ ଚାତୁରୀ କରି କହିଲେ, ‘ଧନୁ ଆସିଲା ଆଉ ବିଳମ୍ବ କର ନାହିଁ । (ଶୀଘ୍ର ଆସି ଦେଖ)।’’

 

ବଳବାନେ ଅଧିକ କେ            ଜାଣୁ କଷଟୀ କାର୍ମୁକେ

ସମୂଳେ ହୋଇଲେ ସିନା ସୁବର୍ଣ୍ଣ ସର୍ବେ ।

ବଇଦେହିକ ଯେ ଆମ୍ଭେ            ଭୂଷଣ କର୍ମ ଆରମ୍ଭେ

କନ୍ୟାରତ୍ନ ସଙ୍ଗେ ଯୋଗ କରିବୁଁ ତେବେ ।

ବଚ ଶ୍ରୋତେ ଗଲେ ସମସ୍ତ ।

ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତ ।୩୧।

ବିଭାବସୁ ବିଭାବସୁ            ଏକସ୍ଥାନେ ଏ କି ବସୁଁ

ଭାବି ନେତ୍ର ବୁଜି ମୁଖ ପଛକୁ କଲେ ।

ବିଳେ ନିଦ୍ରା ହରି ବୃକ୍ଷ            ବିଳେ ନିଦ୍ରା ହରି ବୃକ୍ଷ

ଦେଖି ଯଥା ପଳାୟିତ ତଥା ହୋଇଲେ ।

ବାସେ ଯାଇ କେତକୀ ପାଶେ ।

ବସେ ପଲାଶେ ଭୃଙ୍ଗାଳି କି ସ୍ଵଭାବୁଁ ସେ ।୩୨।

 

ବୈରାଗ୍ୟ ଆକୁଳ କୂଳେ            ଭାସିଲେ ଭୂମିପକୁଳେ

ଭାଷିଲେ ଜନକ ଗମ ଶ୍ରୀରାମ ବେଗେ ।

ବତାଇ ସୁମିତ୍ରା ବତ୍ସ            ନାହିଁ ସୁମିତ୍ରାରି ସ୍ଵଚ୍ଛ

ନମ୍ରେ ଧଇଲେ ବାଛିବେ ଚାପେ ଓଳଗେ ।

ବିଶ୍ଵାମିତ୍ର ନେତ୍ରରୁ ଜାଣି ।

ବାହାରିଲେ ଶସ୍ତ୍ର ଦେଇ ଲକ୍ଷ୍ମଣ ପାଣି ।୩୩।

 

ବିକ୍ରମ ଗତିକି ବିହି                  ଶରଧା ଚାପକୁ ଚାହିଁ

କେଶରୀ ଗିରି ମଧ୍ୟରୁ ସେହି ସ୍ଵଭାବେ ।

ବିରାଜି ମୂର୍ତ୍ତି ଯେ ଧୃତ            ମଞ୍ଜୁ ମଞ୍ଜୁଷରୁ ସତ

ଧନୁ ଆକର୍ଷି ଆଣିଲେ ପନ୍ନଗ ଭାବେ ।

ବକପୁଷ୍ପ ମାଳା ମାଳିକ ।

ବିକ୍ରୟକୁ ଚାଙ୍ଗଡ଼ାରୁ ଟେକିଲା ଦୃକ ।୩୪।

 

ବକ୍ତ୍ରେ ଗଳି ରାଜନ୍ୟଙ୍କ            ବକ୍ତେ ଜନକ ଜନକ

ଏହି ଗିରି ଶରଭେଦ ହୃଦୟ କରେ ।

ବିଜୟୀ ଏ ତ୍ରିପୁରର            ବିଜୟୀ ଏ ତ୍ରିପୁରର

ଧଇଲା ଧଇଲା ଧନୁ ଅନାୟାସରେ ।

ବିଦ୍ରାବକୁ ଲଜ୍ଜାରେ ଭାଳି ।

ବିପଲକେ ଅନାଇଲେ ନ ପାରି ଚଳି ।୩୫।

 

୩୧ଶ ପଦ–କାର୍ମୁକ–ଧନୁ । ସୁବର୍ଣ୍ଣ–ଉତ୍ତମ ଜାତି, ସୁନା । ବଇଦେହିକ–ବଣିକ, ବିଦେହର ରାଜା ।

୩୧ଶ ପଦ–‘ତୁମ୍ଭେ ସମସ୍ତେ ଉତ୍ତମ କ୍ଷତ୍ରିୟ ଜାତି ଅଟ । ତେଣୁ ତୁମ୍ଭେ ସୁବର୍ଣ୍ଣ ହେଲ । ତୁମ୍ଭର ବଳ ସୁବର୍ଣ୍ଣର ତେଜ ହେଲା । ଆମ୍ଭେ ବିଦେହରାଜ ରୂପ ବଣିକ ଧନୁ ରୂପ କଷଟୀ ପଥରରେ ତୁମ୍ଭର ବଳରୂପ ବିଶୁଦ୍ଧତାକୁ କଷି ତେଜିୟାନ୍ ହୋଇଥିବା ବୀରଙ୍କ ସହିତ କନ୍ୟାରୂପୀ ରତ୍ନ ଯୋଗ କରିବୁ । [ସୁବର୍ଣ୍ଣ କଷଟି ପଥରରେ କଷି ହୋଇ ବିଶୁଦ୍ଧ ବୋଲି ଜଣାଗଲେ, ସେଥିରେ ରତ୍ନ ଯୋଗକରି ତାହାର ସୌନ୍ଦର୍ଯ୍ୟ ବଢ଼ାନ୍ତି । ସେହିପରି ତୁମ୍ଭେ ଶିବଧନୁଦ୍ୱାରା ବଳବାନ୍ ବୋଲି ନିର୍ଣ୍ଣୀତ ହେଲେ, ଆମ୍ଭେ ସୀତାଙ୍କୁ ତୁମ୍ଭଙ୍କୁ ବିବାହ ଦେଇ ତୁମ୍ଭର ମର୍ଯ୍ୟାଦା ବଢ଼ାଇବୁ] ।’’ ଜନକଙ୍କର ଏ କଥାମାନ ଶୁଣି ରାଜାମାନେ ପାଖକୁ ଯାଇ ବ୍ୟାଘ୍ର ପଡ଼ିଥିବା ଯନ୍ତାକୁ ଚାହିଁଲା ପ୍ରାୟ ଧନୁପେଡ଼ାକୁ ଚାହିଁଲେ ।

୩୨ଶ ପଦ–ବିଭାବସୁ–ସୂର୍ଯ୍ୟ । ବିଭାବସୁ–ଅଗ୍ନି । ବିଳ– ଗର୍ତ୍ତ । ହରି–ସିଂହ । ହରି–ସର୍ପ-। ବୃଷ–ମୂଷା, ଷଣ୍ଢ ।

୩୨ଶ ପଦ–ସୂର୍ଯ୍ୟ ଓ ଅଗ୍ନି କି କାରଣରୁ ଏକତ୍ର ଅବସ୍ଥିତ ହୋଇ ଅଛନ୍ତି ରାଜାମାନେ ଏପରି ମନରେ ଭାବି ନେତ୍ର ବୁଜି ପଛକୁ ମୁହଁ ବୁଲାଇଲେ [ଧନୁକୁ ଚାହିଁ ପାରିଲେ ନାହିଁ] । ଗୁହାରେ ନିଦ୍ରା ଯାଇଥିବା ସିଂହକୁ ଦେଖି ଷଣ୍ଢ, ଗର୍ତ୍ତରେ ନିଦ୍ରା ଯାଇଥିବା ସର୍ପକୁ ଦେଖି ମୂଷା ଯେପରି ପଳାନ୍ତି, ସେପରି ରାଜାମାନେ ଧନୁକୁ ଦେଖି ପଳାଇଲେ । ଭ୍ରମରମାନେ ବାସ ହେତୁରୁ କେତକୀ କୁସୁମର ପାଖକୁ ଯାଇ କଣ୍ଟକରେ ପକ୍ଷ ଛିଡ଼ିଯିବା ଭୟ ହେତୁ ରହି ନ ପାରି ପଳାନ୍ତି, ମାତ୍ର ପଲାଶରେ ଯାଇ ବସନ୍ତି (କେତକୀରେ ବାସ ଥାଏ ତା ସଙ୍ଗେ ସଙ୍ଗେ କଣ୍ଟା ମଧ୍ୟ ଥାଏ । ଭ୍ରମର କଣ୍ଟାକୁ ଭୟ କରି ସେ ବାସ ଉପଭୋଗ କରିପାରେ ନାହିଁ । ମାତ୍ର କଣ୍ଟକଶୂନ୍ୟ ଓ ସୁବାସ ହୀନ ପଲାଶରେ ଯାଇ ବସେ, ସେହିପରି ଭୀରୁ ରାଜାମାନେ ହେଲେ)।

୩୩ଶ ପଦ–ବୈରାଗ୍ୟ–ବିରକ୍ତ, ବିବେକ । ଭୂମିପକୁଜେ– ରାଜା ସମୂହ । ସୁମିତ୍ରାରି–ପ୍ରଧାନଶତ୍ରୁ । ସୁମିତ୍ରା–ଉତ୍ତମମାତ୍ର । ପାଣି–ହସ୍ତ ।

୩୩ଶ ପଦ–ବିରକ୍ତିଜନିତ ଆକୁଳତା ରୂପ ଜଳରେ ରାଜାମାନେ ଭାସମାନ ହେଲେ, (ସୀତାଙ୍କୁ ପାଇବା ପାଇଁ ପ୍ରବଳ ଆକାଂକ୍ଷା ଥିଲେ ସୁଦ୍ଧା ଧନୁ ଯୋଗୁ ପାଇ ପାରୁ ନାହାନ୍ତି–ତେଣୁ ବିରକ୍ତ ହେଉଛନ୍ତି) । ତତ୍ପରେ ଜନକ କହିଲେ, ହେ ଶ୍ରୀରାମ । ତୁମ୍ଭେ ଶୀଘ୍ରଯାଅ, [ଧନୁ ଟେକିବା ପାଇଁ ଚେଷ୍ଟା କରିବାକୁ ଯାଅ] ।’ ଏହା ଶୁଣି ଲକ୍ଷ୍ମଣ ରାମଙ୍କୁ କହିଲେ, ‘ଆମ୍ଭର ଏଠାରେ ଭଲ ମିତ୍ରଲୋକ କେହି ନାହାନ୍ତି, ଶତ୍ରୁ ସବୁ ଅଛନ୍ତି ।’ ମୁଣ୍ଡ ନୁଆଇଁ ଧନକୁ ଧଇଲେ, ଧନୁକୁ ଓଳଗୁଛି ବୋଲି ସେମାନେ କହିଲେ ମୁଣ୍ଡ ନୁଆଇଁ ଧନ ଧରିବ ନାହିଁ । ଏହି ସମୟରେ ବିଶ୍ୱାମିତ୍ର ଆଖିଠାରି ଦେବାରୁ ରାମଚନ୍ଦ୍ର ଲକ୍ଷ୍ମଣଙ୍କ ହସ୍ତରେ ନିଜଧନୁ ଦେଇ ବାହାର ହେଲେ ।

୩୪ଶ ପଦ–ବିକ୍ରମଗତି–ସାହସପୂର୍ବକ ଗମନ । କେଶରୀ–ସିଂହ । ବିରାଜମୂର୍ତ୍ତି–ବିରାଟମୂର୍ତ୍ତି, ଗରୁଡ଼ । ମଞ୍ଜୁ– ସୁନ୍ଦର, ମନୋହର । ମଞ୍ଜୁଷ–ପେଡ଼ା । ପନ୍ନର୍ଗ–ସର୍ପ । ବକପୁଷ୍ପମାଳା–ଗଇଶଫୁଲମାଳା ।

୩୪ଶ ପଦ–ପର୍ବତ ଗୁହାରୁ ବାହାରି ସିଂହ ଯେପରି ବିକ୍ରମ ଭାବରେ ଗତି କରେ, ସେହିପରି ରାମଚନ୍ଦ୍ର ରାଜସଭାକୁ ଯାଇ ଧନୁକୁ ଦେଖିବାକୁ ଶ୍ରଦ୍ଧା କଲେ । କ୍ଷତ୍ରିୟ ମୂର୍ତ୍ତି ଧରିଥିବା ରାମଚନ୍ଦ୍ର ଗରୁଡ଼ ରୂପରେ ସୁନ୍ଦର ପେଡ଼ାରୂପ ଗର୍ତ୍ତରୁ ଧନରୂପ ସର୍ପକୁ ଓଟାରି ଆଣିଲେ । (ଗରୁଡ଼ ଗର୍ତ୍ତରୁ ସର୍ପ ଓଟାରି ଆଣିଲାପରି ରାମଚନ୍ଦ୍ର ପେଡ଼ାରୁ ଧନୁକୁ ଓଟାରି ଆଣିଲେ) । ମାଳି ଗଇଶଫୁଲ ମାଳକୁ ବିକିବା ପାଇ ଚାଙ୍ଗୁଡ଼ାରୁ ଟେକିଲା ପ୍ରାୟ ଟେକିଲେ । (ରାମଚନ୍ଦ୍ର ଧନୁକୁ ଅକ୍ଲେଶରେ ଟେକି ଧଇଲେ)।

୩୫ଶ ପଦ–ବକ୍ତ୍ର–ସାଞ୍ଜୁ । ବକ୍ତ୍ର–ମୁଖ । ତ୍ରିପୁର–ଉକ୍ତ ନାମ ଧାରୀ ରାକ୍ଷସ । ବିଦ୍ରାବ–ପଳାୟନ ।

୩୫ଶ ପଦ–‘‘ତ୍ରିପୁରାସୁର ବିଜୟୀ ଶିବଙ୍କର ଧନୁକୁ ଏ ଅନାୟାସରେ ଧଇଲେ; ତେଣୁ ଏ ତ୍ରିପୁର ବିଜୟୀ ଅଟନ୍ତି’’–ଏହି ବାଣୀ ଶର ପ୍ରାୟ ଜନକ ରାଜାଙ୍କ ମୁଖରୁ ଜାତ ହେଲା । ସେ ବଚନ–ଶର ରାଜାମାନଙ୍କର ସାଞ୍ଜୁ ଭେଦକରି ହୃଦରେ ବିଦ୍ଧ ହେଲା । ସେମାନେ ଲଜ୍ଜା ପାଇ ପଳାଇବାକୁ ଭାବିଲେ, ମାତ୍ର ଯାଇ ନ ପାରି ତଟସ୍ଥ ହୋଇ ଅପଲକ ନେତ୍ରରେ ଚାହିଁ ରହିଲେ ।

 

ବରାକାବରାଙ୍ଗୀ ସୀତା            ବରାକ କରଇ ଚିନ୍ତା

ଜୀବନ ଯାଉ ନୋହିଲେ ହେଲେ ଏ ବର ।

ବିମିଳିତ ନେତ୍ର ଫିଟେ            ମୁଦ୍ରିତ କଞ୍ଜ କି ଫୁଟେ

ପ୍ରମୋଦଦାୟକ ପରଭୃତଙ୍କ ସ୍ଵର ।

ବ୍ୟଲୀକତା କେ ବୋଲୁଥିଲା ।

ମଧୁର ସେ ଦି(ଦୀ)ନବନ୍ଧୁ ଦର୍ଶନେ ହେଲା ।୩୬।

 

ବୃନ୍ଦାରକ–ବୃନ୍ଦାରକେ            ସେ ଯେ ପୁଚ୍ଛିଲେ ଜନକେ

ଦେବା ଶିଞ୍ଜିନୀ ଉତ୍ତମ ବୋଲି ସେ କହି ।

ବୀର୍ଯ୍ୟ ଦମ୍ଭ ବେନି ଯୋଗେ                  ଅଷ୍ଟନାଗେ ଅଷ୍ଟନାଗେ

ଧର ଧରଣୀକି ବୋଲେ ଲକ୍ଷ୍ମଣ ତହିଁ ।

ବିକଳିତେ ପୃଥିବୀ ଭାଳେ ।

ବସୁ ହୁଳ ପାଦଅନ୍ତେ ପଡ଼ିବି ତଳେ ।୩୭।

 

ବୃଦ୍ଧାଙ୍ଗୁଳି ପରେ ପଦେ            ରାମ ରଖିଲେ ସମଦେ

ଜାଣିଲେ ତା ଅତ୍ୟନ୍ତ ଅଧୈର୍ଯ୍ୟ ହେବାର ।

ବାସୁକି କି ବହେ କୁର୍ମ            ବହିଲା ସେ ମନୋରମ

ଗୁଣବନ୍ତ ଗୁଣ ଦତ୍ତ କଲେ ସତ୍ଵର ।

ବୈନାଶିକ ନାଡ଼ୀ ମୋ ହେଲା ।

ବାମେ ରହି ଅଜଗବ ବିଚାର କଲା ।୩୮।

 

ବିଗୂଢ଼ବଶେ ଓଟାରେ            ପ୍ରଚଣ୍ଡ ମଲ୍ଲ ହସ୍ତରେ

ଏରଣ୍ଡ ଦଣ୍ଡ ପଡ଼ିଲା ପରି ଭାଜିଲା ।

ବ୍ରହ୍ମାଣ୍ତ ଭାଣ୍ଡ ପୂରିତ            ପ୍ରଳୟକାଳେ ଏକତ୍ଵ

ଚାରିମେଘ ଗର୍ଜିଲା ଶବଦ ଗଞ୍ଜିଲା ।

ବିବୁଧେ ମୂର୍ଚ୍ଛିତ ଚେତାରେ ।

ବେଳେ ପ୍ରାଣ ଅମୃତ ରଖିଲା ବିଚାରେ ।୩୯।

 

ବସୁଧାଭୃତେ ଟଳିଲେ            ବସୁଧାଭୃତେ ଚଳିଲେ

ସେହି ତରଳିତ ଧାତୁ ଧାରା ହେଲାଟି ।

ବଳି–ବର–ବଳୀ ବର            ଆନ କି ହୋଇବ ମୋର

ଭାବେ ଶତକୋଟି ଶତକୋଟି ତ ବୃଷ୍ଟି ।

ବିଚିତ୍ର କି ନରେ କିନ୍ନରେ ?

ବିଚେତନ ହେଲେ ଯହିଁ ନାରକି ନରେ ।୪୦।

 

୩୬ଶ ପଦ–ବରାକାବରାଙ୍ଗୀ–ତପ୍ତକାଞ୍ଚନ ବର୍ଣ୍ଣା । ବରାକ–ଶିବ । କଞ୍ଜ–ପଦ୍ମ । ପରଭୃତ–କୋକିଳ, ଭୃତ୍ୟ । ବ୍ୟଲୀକତା– ଅପ୍ରିୟକର କାର୍ଯ୍ୟ । ଦି(ଦୀ)ନବନ୍ଧୁ–ସୂର୍ଯ୍ୟ, ରାମଚନ୍ଦ୍ର ।

୩୬ଶ ପଦ–ଉଜ୍ଜ୍ୱଳ ସ୍ୱର୍ଣ୍ଣବର୍ଣ୍ଣା ସୀତା ଚକ୍ଷୁ ବୁଜି ମହାଦେବଙ୍କୁ ଚିନ୍ତାକରି କହିଲେ, ‘‘ଏ ମୋର ବର ନୋହିଲେ ଜୀବନ ଯାଉ, ଏ ମୋର ବର ହେଲେ ଜୀବ ନ ଯାଉ ।’’ ଏପରି ସମୟରେ ‘ଧନୁ ଧଇଲେ’–ଭୃତ୍ୟମାନଙ୍କର ଏ ଶବ୍ଦ ତାଙ୍କର ପ୍ରମୋଦଦାୟକ ହେଲା, ତେଣୁ ନିର୍ମଳ ନେତ୍ରପଦ୍ମ ବିକଶିତ ହେଲା । (ରାତି ପାହିଲେ କୋକିଳ ସ୍ୱର ଶୁଣି ଲୋକମାନେ ଚକ୍ଷୁ ଫିଟାଇ ଉଠନ୍ତି–ଏଠାରେ ସୀତାଙ୍କର ଚିନ୍ତାରୂପକ ରାତ୍ରି ଯାଇ ଶୁଭ ଦିନର ସକାଳ ହେଲା)। ଲୋକମାନେ କହିଲେ, ‘‘କିଏ କହୁଥିଲା ଯେ ଧନୁର୍ଭଙ୍ଗପଣ ସୀତାଙ୍କର ଅପ୍ରିୟ କର ? ସୂର୍ଯ୍ୟରୂପା ରାମଚନ୍ଦ୍ରଙ୍କର ଦର୍ଶନରେ ସୀତାଙ୍କ ହର୍ଷପଦ୍ମ ବିକଶିତ ହେଲା । (ଅନ୍ୟାର୍ଥ–ପଦ୍ମର ମୁଦ୍ରିତ ଦୋଷ କିପରି ଗଲା ? ରାମଙ୍କୁ ଚନ୍ଦ୍ର ବୋଲି ବୋଧ ହେବାକୁ ପଦ୍ମ ମୁଦ୍ରିତ ହୋଇଥିଲା, ମାତ୍ର ଦୀନବନ୍ଧୁ ଜଣାଯିବାରୁ ଅର୍ଥାତ୍‌ ସୂର୍ଯ୍ୟରୂପେ ବୋଧ ହେବାରୁ ପଦ୍ମ ବିକଶିତ ହେଲା) ।

୩୭ଶ ପଦ–ବୃନ୍ଦାରକ–ଦେବଶ୍ରେଷ୍ଠ । ବୃନ୍ଦାରକ–ରାଜା । ଶଞ୍ଜିନୀ–ଧନୁର ଗୁଣ । ଅଷ୍ଟନାଗ–ଅଷ୍ଟ ଦିଗ୍‌ଗଜ, ଅଷ୍ଟକୁଳାନାଗ । ହୁଳ–ଧନୁର ଅଗ୍ରଭାବ ।

୩୭ ପଦ–(ଧନୁକୁ ପେଡ଼ିରୁ ଆଣି ଧଇଲା ପରେ) ଦେବଶ୍ରେଷ୍ଠ ରାମଚନ୍ଦ୍ର ରାଜା ଜନକଙ୍କୁ ପଚାରିଲେ, ‘‘ଧନୁରେ ଗୁଣ ଦେବିକି ?’’ ଜନକ କହିଲେ, ‘‘ଭଲ କଥା (ଗୁଣ ଦିଅ) ।’’ ସେହି ସମୟରେ ଲକ୍ଷ୍ମଣ କହିଲେ, ‘‘ହେ ଅଷ୍ଟଦିଗର ହସ୍ତୀସବୁ, ହେ ଅଷ୍ଟକୁଳାନାଗେ ! ବଳ ଓ ଧୈର୍ଯ୍ୟର ସହିତ ଧରିଣୀକି ଧର ।’’ ପୃଥ୍ୱୀ ବିକଳ ଭାବରେ ଭାବିଲେ, ‘‘ପଦ ପ୍ରାନ୍ତସ୍ଥିତ ଧନୁହୁଳ ମୋ ଉପରେ ରଖାଗଲେ, ମୁଁ ପାତାଳକୁ ପଶିଯିବି ।’’

୩୮ଶ ପଦ–ପୃଥିବୀ ଅତ୍ୟନ୍ତ ଅଧୈର୍ଯ୍ୟ ହେବାର ରାମ ଜାଣିପାରି ପଦର ବୃଦ୍ଧାଙ୍ଗୁଳି ଉପରେ ଗର୍ବଭରେ ଧନୁହୁଳକୁ ରଖିଲେ । କୁର୍ମ ବାସୁକିକି ବହନ କଲା ପ୍ରାୟ ତାହା ମନୋହର ଦେଖାଗଲା । ଗୁଣବନ୍ତ ରାମ ତତ୍ପର ହୋଇ ଧନୁରେ ଗୁଣ ଦେଲେ । ସେ ସମୟରେ ଶିବଧନୁ ରାମଙ୍କର ବାମହସ୍ତରେ ରହି ବିଚାର କଲା, ‘‘ମୋର ବୈନାଶିକ ନାଡ଼ି ହେଲା ।’’ (ଏହିକ୍ଷଣି ବିନାଶ ହେବି–ଅଜଗବ କୃତିକା ନକ୍ଷତ୍ର ଦାଶରଥି ପୂର୍ବଭାଦ୍ର ପଦ; ତେଣୁ ବୈନାଶିକ ନାଡ଼ି ହେଲା) ।

୩୯ଶ ପଦ–ବିଗୂଢ଼ ବଶେ–ବଳପୂର୍ବକ । ଏରଣ୍ଡଦଣ୍ଡ–ଗବ ଗଛର କାଣ୍ଡ । ବିବୁଧେ–ଦେବତାମାନେ।

୩୯ଶ ପଦ–ବଳପୂର୍ବକ ଗାଢ଼ କରି ଧରି ଧନୁକୁ ଓଟାରି ଦିଅନ୍ତେ, ପ୍ରଚଣ୍ଡ ମଲ୍ଲ ହାତରେ ଗବଗଛ ପଡ଼ି ଯେପରି ଭାଙ୍ଗିଯାଏ, ସେହିପରି ସେ ଭାଙ୍ଗିଗଲା । ସେହି ଶବ୍ଦ (ଧନୁ ଭଗ୍ନହେବା ଶବ୍ଦ) ବ୍ରହ୍ମାଣ୍ଡରେ ପୂର୍ଣ୍ଣ ହୋଇ ପ୍ରଳୟ କାଳରେ ଚାରିମେଘ (ଆବର୍ତ୍ତକ, ସମ୍ବର୍ତ୍ତକ, ଦ୍ରୋଣ, ପୁଷ୍କର) ଏକତ୍ରିତ ହୋଇ ଗର୍ଜିଲେ ଯେଉଁ ଶବ୍ଦ ହୁଏ, ତା’ଠାରୁ ବଳିଗଲା । ଦେବତାମାନେ ମୂର୍ଚ୍ଛିତ ହେଲେ; ପରେ ଚେତାପାଇ ବିଚାର କଲେ; ‘‘ଅମୃତ ଆମ୍ଭର ପ୍ରାଣ ଏତେବେଳେ ରଖିଲା । (ଅମୃତ ଖାଇଥିବାରୁ ଆମ୍ଭେ ଜୀବନରେ ରହିଗଲୁ, ନ ହେଲେ ଏ ଶବ୍ଦରେ ନିଶ୍ଚୟ ପ୍ରାଣ ହାରିଥାନ୍ତୁ) ।

୪୦ଶ ପଦ–ବସୁଧାରଭୃତେ–ରାଜାମାନେ । ବସୁଧାଭୃତେ–ପର୍ବତମାନେ । ବଳିବର ବଳି–ବୀରେନ୍ଦ୍ର ବଳି । ଶତକୋଟି–ବ୍ରଜ । ନାରକି ନରେ–ନରକ ପଡ଼ିତ ଲୋକମାନେ ।

୪୦ଶ ପଦ–ସେ ଶବ୍ଦ ଶୁଣି ରାଜାମାନେ ଢଳି ପଡ଼ିଲେ, ପର୍ବତ ସବୁ କମ୍ପିତ ହେଲେ । ତହିଁରୁ ତରଳ ଗୈରିକ ଧାତୁ ଧାରା ଛଳରେ ପ୍ରବାହିତ ହେଲା । ବଳିଶ୍ରେଷ୍ଠ ବଳି ଭାବିଲା, ‘ଶତକୋଟି ବଜ୍ର ଏକାବେଳକେ ବୃଷ୍ଟି ହେଲା ପରା; ମୋହର (ଚିରଂଜୀବୀ ହେବା) ବର ଅନ୍ୟଥା ହେବକି ? (ମୁଁ ବର୍ତ୍ତମାନ ବିନାଶ ହେବି, ଏହି ଆଶଙ୍କା ହେଲା,–ଏହି ଶବ୍ଦ ସ୍ୱର୍ଗ ଓ ପାତାଳ ଭେଦ କରିବାର ସୂଚନା ଦିଆଗଲା) ଯେଉଁ ଶବ୍ଦରେ ନରକରେ ଥିବା ପାପୀମାନେ ଅଚେତନ ହୋଇଗଲେ, ସେ ଶବ୍ଦରେ ନର କିନ୍ନରମାନେ ଅଚେତନ ହେବାରେ ବିଚିତ୍ର ବା କ’ଣ ଅଛି ।

 

ବିଭ୍ରଷ୍ଟ ଯେ ବ୍ରହ୍ମଚାରୀ            ଧ୍ୟାନ ତହିଁକି ବିଚାରି

ବିଭ୍ରଷ୍ଟ ଯେ ବ୍ରହ୍ମ ଚାରିମୁଖୁଁ ବେଦହିଁ ।

ବିଖଣ୍ଡନ ଚଣ୍ଡିମାନ            ଈଶରେ ସ୍ନେହୀ ନ ଘେନ

ବିଖଣ୍ଡନ ଚଣ୍ଡୀମାନ ଈଶରେ ସ୍ନେହୀ ।

ବାହାରନ୍ତେ ବ୍ରହ୍ମାଣ୍ଡ ଫୁଟି ।

ବିରବ ସମସ୍ତଙ୍କର ଜ୍ଞାନ ପ୍ରକଟି ।୪୧।

 

ବୀରେଶ୍ଵର କରି ପୂଜା            କଲା ସେ ମିଥିଳା ରାଜା

ବସାଇ ରଘୁତ୍ତମଙ୍କୁ ସିଂହାସନରେ ।

ବିହାୟସେ ଦେବେ ଆସେ             ରାମ ଦର୍ଶନ ଲାଳସେ

ଶବ୍ଦ ଶୁଣି ରାବଣ ମିଳିଲା ସେଠାରେ ।

ବୀର ସେ ବାହୁଡ଼େ ବିରସେ ।

ବୟାଳିଶ ପଦେ ଛାନ୍ଦ ଉପେନ୍ଦ୍ର ଭାଷେ ।୪୨।

 

୪୧ଶ ପଦ–ଚଣ୍ଡୀ–କୁପିତା ରମଣୀ । ଈଶ–ପତି । ଚଣ୍ଡୀ–ଦୁର୍ଗା । ଈଶ–ଶିବ । ବିରବ–ବିଶେଷ ଶବ୍ଦ, ଭୟଙ୍କର ଶବ୍ଦ ।

୪୧ଶ ପଦ–ସେ ଶବ୍ଦରେ ବ୍ରହ୍ମଚାରୀମାନଙ୍କର ଧ୍ୟାନ ଭଗ୍ନହେଲା; ସେ କଥା ବା କ’ଣ ବିଚାର କରିବା । ବ୍ରହ୍ମାଙ୍କ ଚାରିମୁଖରୁ ବେଦ ସୁଦ୍ଧା ବିଭ୍ରଷ୍ଟ ହୋଇଗଲା (ବ୍ରହ୍ମା ବେଦପାଠ କରିପାରିଲେ ନାହିଁ ) । କୋପିନୀ ସ୍ତ୍ରୀର ମାନ ଖଣ୍ଡନ ହେବାରୁ ସେ ନାୟକଙ୍କଠାରେ ସ୍ନେହ ବଳାଇଲା–ଏ ବା କି ବଡ଼ କଥା; ଭୟରେ ପାର୍ବତୀଙ୍କର ମାନ ଖଣ୍ଡନ ହୋଇଯିବାରୁ ସେ ମହାଦେବଙ୍କଠାରେ ସ୍ନେହଯୁକ୍ତ ହେଲେ । ସେ ଶବ୍ଦ ବ୍ରହ୍ମାଣ୍ଡ ଫୁଟି ବାହାରନ୍ତେ ସମସ୍ତଙ୍କର ଜ୍ଞାନଲାଭ ହେଲା ।

୪୨ଶ ପଦ–(ଧନୁର୍ଭଙ୍ଗ କରିବାରୁ) ମିଥିଲାର ରାଜା ରାମଚନ୍ଦ୍ରଙ୍କୁ ସିଂହାସନରେ ବସାଇ ବୀରଶ୍ରେଷ୍ଠ ବୋଲି ପୂଜାକଲେ । ସେହି ସମୟରେ ରାମଚନ୍ଦ୍ରଙ୍କ ଦର୍ଶନ ଆଶାରେ ଦେବତାମାନେ ଆକାଶମାର୍ଗରେ ଆସିଲେ । ଧନୁର୍ଭଙ୍ଗ ଶବ୍ଦ ଶୁଣି ରାବଣ ସେଠାରେ ମିଳିଲା, ମାତ୍ର (ରାମଚନ୍ଦ୍ର ଧନୁ ଭାଙ୍ଗିବାର ଶୁଣି) ସେ ବୀର ବିରସମନରେ ଫେରିଗଲା । ଏ ଛାନ୍ଦକୁ ବୟାଳିଶ ପଦରେ ଉପେନ୍ଦ୍ର କହିଲେ ।

 

Unknown

ଦଶମ ଛାନ୍ଦ

(ରାଗ–ଋଷିକୁଲ୍ୟା)

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

ବିଭୂଷଣ କରି କନ୍ୟାକୁ ଆଣ

 

ବାରଣଶିରେ ପଦ ଦେଇ ଆସୁ

ବରଣ କରି ରାମ ମନ ତୋଷୁ ସେ

 

ବୋଲି ଦେଲେ କଉଶିକ ଯେ

 

ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ

।୧।

 

 

 

 

 

ବିଧାନ ହୋଇଛି ଯା ନାମ ସୀତା

ବର୍ଣ୍ଣନେ ଶୋଭା ଅତି ମଧୁରତା

 

ବୁଡ଼ି କ୍ଷେତ୍ର ଆଜ ହେବ ପବିତ୍ର

ବିଶେଷେ କର୍ଷି ଦେଇ ହୃଦ କ୍ଷେତ୍ର

 

ବୁଣିଲାଣି ସ୍ନେହ–ବୀଜ ଯେ

 

ବିଚାରୁ ଏମନ୍ତ ଜନକ ସମ୍ମତ ଶୁଣିଲେ ସଖୀ ସମାଜ ଯେ

।୨।

 

 

 

 

 

ବେଶକାରୀ ଡାକି ପୀଠେ ବସାଇ

ବେଶ ବିରଚିଲେ ଚିତ୍ତ ରସାଇ

 

ବିମ୍ବ ଦେଖାଇଲେ ଛାମୁରେ କେହି

ବିମ୍ବାଧରୀ ଆଡ଼ମ୍ବରକୁ ବହି ସେ

 

ବିବନ୍ଧ କଲେ କୁନ୍ତଳ ଯେ

 

ବିଚିତ୍ର ମଣି ନୀଳମଣି ପ୍ରତିଭା ଊର୍ଦ୍ଧ୍ଵ ପ୍ରକାଶିତ ତଳ ଯେ

।୩।

 

 

 

 

 

ବିଲେପି ଅଳ୍ପ ତଇଳ ଶାମଳି

ବାରଣଦନ୍ତ ପ୍ରସାଧନୀ ଚାଳି

 

ବିଭାବସୁଜା କଲ୍ଲୋଳରେ ଭାସେ

ବିକଶି ଆସିଲା କୁମୁଦ କିସେ ସେ

 

ବାନ୍ଧିଲେ ଚୂଡ଼ା ଯତନେ ଯେ

 

ବନ୍ଦୀ ହୋଇଗଲା ମର୍କତ କୁବେଣୀରେ ବନ୍ଦୀ ହେବେ ମନ–ମୀନେ ଯେ

।୪।

 

 

 

 

 

ବିତୁଳ ମଥାମଣି ମାଣିକ୍ୟର

ବିଭାଗ ସୀମନ୍ତ ସିନ୍ଦୂରଗାର

 

ବନ୍ଦବସ୍ତେ ଭିଡ଼ି ପାଟ ସୂତ୍ରରେ

ବିଧୁନ୍ତୁକ ଗଳ ମିତ୍ର ହସ୍ତରେ ସେ

 

ବିଧିବଶେ କିବା ପଡ଼ି ଯେ

 

ବକୁଳ ଗର୍ଭକ ସୁଧା ଉଦ୍‌ଗାରୁଛି ଭୟରୁ ନ ଦେଇ ଛାଡ଼ି ଯେ

।୫।

 

୧ମ ପଦ–ଷଣପୁଷ୍ପ–ଛଣପଟ ଗଛର ଫୁଲ । ବିଭୂଷଣ କରି–ବିଶେଷରେ ମଣ୍ଡନ କରି । ବାରଣ–ବ୍ୟତିପାତ ଆଦି ଯୋଗ । ବାରଣଶିର–ଗଣେଶ । କଉଶିକ–ବିଶ୍ୱାମିତ୍ର ।

୧ମ ପଦ–‘‘ଯେଉ ସୀତାଙ୍କ କାନ୍ତି ଛଣ ପୁଷ୍ପରକାନ୍ତି ପରି ସେହି କନ୍ୟାଙ୍କୁ ବିଶେଷ ଭାବରେ ମଣ୍ଡନ କରି ଆଣ । ଅଶୁଭ ବିନାଶ ପାଇଁ ଗଣେଷଙ୍କ ପଦାର୍ଥମାନ ଅର୍ପଣ କରି (ବିଘ୍ନ ବିନାଶ ପାଇଁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଆଗ ଗଣେଶଙ୍କର ପୂଜା କରାଯାଏ) ସେ ଆସୁ ଓ ବରଣ କରି ରାମଚନ୍ଦ୍ରଙ୍କ ମନକୁ ତୋଷ କରୁ ।’’ ବିଶ୍ୱାମିତ୍ର ଏହି କଥା ଜନକଙ୍କୁ କହନ୍ତେ, ରାମଚନ୍ଦ୍ର ଚନ୍ଦନକୁ ଘୋରି ଦେହରେ ବୋଳିଲା ପ୍ରାୟ ମନେକଲେ । (ଚନ୍ଦନ ଦେହରେ ବୋଳିଲେ ମନ ଖୁସି ହୋଇଯାଏ, ସେହିପରି ବିଶ୍ୱାମିତ୍ରଙ୍କ ବାକ୍ୟ ରାମଙ୍କ ମନକୁ ଆନନ୍ଦିତ କଲା ।)

୨ୟ ପଦ–ସୀତା–ସୀତାଦେବୀ, କନ୍ଦ ବା ନକାତ । ସ୍ୱର୍ଙ୍ଗୋର ଶାଖା–ନଦୀ ବିଶେଷ, ଲାଙ୍ଗଳ ପଦ୍ଧତି ।

୨ୟ ପଦ–ରାମଚନ୍ଦ୍ର ମନରେ ଭାବିଲେ, ‘ଯାହାର ନାମ ବିଧାନରେ ସୀତା ହୋଇଅଛି, ତାହାର ଶୋଭା ବର୍ଣ୍ଣନରେ ଅତ୍ୟନ୍ତ ସୁନ୍ଦର ଅଟେ । (ସୀତା = ଶର୍କରା, ଶର୍କରା ଖୁବ୍‌ ମଧୁର, ସୀତାଙ୍କ ନାମ ସେହିପରି ମଧୁର) । ଯେ ଗଙ୍ଗାରେ ବୁଡ଼େ ସେ ପବିତ୍ର ହୁଏ, ମୋର ନେତ୍ର ସୀତାଙ୍କ ଶୋଭା ଦର୍ଶନ କରି ପବିତ୍ର ହେବ । ବିଶେଷରେ ମୋ ହୃଦୟ ରୂପ କ୍ଷେତକୁ ସେ (ସୀତା–ଲଙ୍ଗଳ ଅଗ) କର୍ଷଣ କରି ସ୍ନେହ ବୀଜ ବୁଣିଲାଣି’’ । ରାମଚନ୍ଦ୍ର ଏହା ବିଚାର କଲାବେଳେ ଜନକ ବିଶ୍ୱାମିତ୍ର କଥା ଶୁଣି ସମ୍ମତି ଦେବାର ସୀତାଙ୍କ ସଖୀମାନେ ଶୁଣିପାରିଲେ ।

୩ୟ ପଦ–ପୀଠ–ପୀଢ଼ ବା ଆସନ । ବିମ୍ବ–ଦର୍ପଣ । କୁନ୍ତଳ–କେଶ ।

୩ୟ ପଦ–(ସୀତାଙ୍କୁ ବେଶ କରିବା ନିମିତ୍ତ ସଖୀମାନେ ବେଶକାରିଣୀମାନଙ୍କୁ ଡାକି ସୀତାଙ୍କୁ ଆସନରେ ବସାଇ, ତାହାଙ୍କ ଚିତ୍ତକୁ ରସାଇ ବେଶ କଲେ । କେହି ସଖୀ ତାଙ୍କ ଛାମୁରେ ଦର୍ପଣ ଦେଖାଇଲେ । ସେହି ଦର୍ପଣ ସୀତାଙ୍କୁ ପ୍ରତିବିମ୍ବ ଧାରଣ କରି ବେଶି ସୁନ୍ଦର ଦିଶିଲା । ତତ୍‌ପରେ କେଶକୁ ଫିଟାଇଲେ । କେଶ ଫିଟି ପୃଷ୍ଠରେ ପଡ଼ି ତଳକୁ ଲମ୍ବିବାରୁ ଜଣାଗଲା, ନୀଳକାନ୍ତ ମଣିର ପ୍ରଭା ଉପରୁ ତଳକୁ ଲମ୍ବିଅଛିକି ? (ନୀଳକାନ୍ତ ମଣିର ପ୍ରଭା ତଳୁ ଉପରକୁ ଉଠିଥାଏ, ମାତ୍ର ଏ କେଶ ନୀଳକାନ୍ତ ମଣି ଉପରୁ ତଳକୁ ଆସିଛି) ।

୪ର୍ଥ ପଦ–ବାରଣଦନ୍ତ–ହସ୍ତୀଦନ୍ତ । ପ୍ରସାଧନୀ–ପାନିଆ । ବିଭାବସୁଜା–ଯମୁନା । ମର୍କତ କୁବେଣୀ–ମର୍କତମଣି ଖାଳୋଇ ।

୪ର୍ଥ ପଦ–କେଶକାରିଣୀମାନେ କେଶରେ ଅଳ୍ପ ତୈଳ ଲଗାଇ ଶାଉଁଳି ଦେଲେ । ତତ୍‌ପରେ ହସ୍ତୀଦନ୍ତ ପାନିଆରେ କୁଣ୍ଡାଇ ଦେଲେ । ପାନିଆକୁ ଚଳାଇଲାବେଳେ ଜଣାଗଲା, ଯମୁନାର ତରଙ୍ଗରେ ବିକାଶୋନ୍ମୁଖ କୁମୁଦ ଭାସୁଛିକି ? (ଯମୁନାରେ ଜଳ ଗାଢ଼ କୃଷ୍ଣବର୍ଣ୍ଣ, କେଶ ଗାଢ଼ କୃଷ୍ଣବର୍ଣ୍ଣ ଓ ଢେଉ ପରି କୁଞ୍ଚିତ, ତା’ ମଧ୍ୟରେ କୁମୁଦପରି ଶୁଭ୍ର ଓ ସୁନ୍ଦର ପାନିଆ ଚାଳିତ ହେଉଥାଏ) । ତାହାପରେ ଯତ୍ନପୂର୍ବକ ଜୁଡ଼ା ବାନ୍ଧିଲେ । ସେ ଜୁଡ଼ା ରୂପ ମର୍କତମଣିର ଖାଳୋଇରେ ଦର୍ଶକଙ୍କ ମନ ମୀନ ବନ୍ଦୀ ହେବେ ।

୫ମ ପଦ–ବିତୁଳ–ଅତୁଲ୍ୟ । ସୀମନ୍ତ–ମସ୍ତକର ମଧ୍ୟରେଖା, ସୂନ୍ଥା । ବିଧୁନ୍ତୁଦ–ରାହୁ । ମିତ୍ର–ସୂର୍ଯ୍ୟ ।

୫ମ ପଦ–ତତ୍‌ପରେ ସୂନ୍ଥାପର ସିନ୍ଦୂର ଗାର ଦେଲେ ଓ ତୁଳନା ରହିତ ମାଣିକ୍ୟର ମଥାମଣି ଦେଇ ପାଟସୂତାରେ ଜୁଡ଼ାମୂଳକୁ ବାନ୍ଧିଦେଲେ । ସେ ଦେଖି ମନେହେଲା ସୂର୍ଯ୍ୟଙ୍କ କବଳରେ ରାହୁର ଗଳା ଦୈବବଶେ ପଡ଼ିଗଲାକି ? ତେଣୁ ସେ ଭୟ ହେତୁ ଛାଡ଼ି ନ ଦେବାରୁ କେଶ ମଧ୍ୟରେ ଥିବା ବକୁଳମାଳ ରୂପ ଅମୃତକୁ ବାନ୍ତି କରୁଅଛି । (ରାହୁ କଳା, କେଶ ଜୁଡ଼ା କଳା, ସୂର୍ଯ୍ୟ ଲାଲ ଓ ପାଟଡ଼ୋର ଲାଲ । ପାଟଡ଼ୋର ରୂପ ସୂର୍ଯ୍ୟ ରାହୁ ରୂପ ଜୁଡ଼ାକୁ କବଳ କରିବାରୁ ସେ ରାହୁଜୁଡ଼ା ବକୁଳଫୁଲ ମାଳ ରୂପ ଅମୃତ ବାନ୍ତି କରି ପକାଇଲା ।)

 

 

ବିଭୂଷି କିଆପତ୍ରୀ ମୋତିଜାଲୀ

ବିପିନେ ତମାଳର କିବା ଝଳି

 

ବନ୍ଧନ କୃତ ପାଶ ଜାଲ ଦୁଇ

ବିଶିଖ ଝରାକାଠିକି ଦେଖାଇ ସେ

 

ବକ୍ର ଚଉଁରା ହିଁ ଧନୁ ଯେ

 

ବଧିବ ଧୈର୍ଯ୍ୟ–ମୃଗକୁ ବିନ୍ଧିବାକୁ

ଏଠାରେ କରେ ଅତନୁ ଯେ

।୬।

 

 

 

 

 

ବିବିଧ କୁସୁମମାଳା ଖଞ୍ଜନ

ବ୍ୟୋମେ ଇନ୍ଦ୍ରଧନୁ ପ୍ରଭା ଗଞ୍ଜନ

 

ବିହୁଁ ଚନ୍ଦ୍ରଝୁମ୍ପି ଝିଲିମିଲିକା

ବିଭାବରୀ–ପ୍ରାନ୍ତ ସ୍ଵତ ଅଳକା ସେ

 

ବେନି ସପ୍ତଋଷି ଶଶୀ ଯେ

 

ବିମୋହିତ କରେ ମନ ଏକାବେଳେ

ପଡ଼ିଲା ପରାୟେ ଖସି ଯେ

।୭।

 

 

 

 

 

ବେଣ୍ଟଲା ଶ୍ରବଣେ ସଖୀ ଖଞ୍ଜିଲେ

ବଜ୍ରେ ବ୍ୟାକୁଳ ଅଗ୍ନି ଜାତ କଲେ

 

ବିହିତ ଫୁଲ ତହିଁ ସ୍ଫୁଟ କରି

ବାଳୀକି ଭଜ ବୋଲି ବାଳୀ ଠାରି ସେ

 

ବନ୍ଦିଆ ଚକ୍ର ଭଙ୍ଗୁର ଯେ

 

ବିଚ୍ଛେଦି ବୁଡ଼ାଇଦେବ ଯୋଗୀ

ଯୋଗ ଯନ୍ତ୍ରିତ ଦୁଇ ପ୍ରକାର ଯେ

।୮।

 

 

 

 

 

ବିଧାୟକ ଚିତ୍ର ଭାଲପଟରେ

ବର୍ଣ୍ଣକ ଛଳେ କସ୍ତୁରୀ ସିନ୍ଦୂରେ

 

ବିଶ୍ଵକୁ ତିଳକେ କରିବ ବଶ

ବିଧୃତ ଏ ଘେନି ତିଳକ ଭାଷ ସେ

 

ବେନି ହୀରା ଅବତଂସ ଯେ

 

ବର୍ଣ୍ଣି ଆସୁଁ ମୂକ କିବା ଗୁରୁକବି

ସେହି ଚିତ୍ରକର ଯଶ ଯେ

।୯।

 

 

 

 

 

ବୟସୀ ମାଣିକ୍ୟ ଗୁଣା ମୁକୁତା

ବେନିପୁଟେ ଦେଉଁ ନାସା ଶୋଭିତା

 

ବଦନକୁ ଚାହିଁ ଚନ୍ଦ୍ରକୁ ଚାହିଁ

ବିମଳ ଏହି ତ ସମଳ ସେହି ଯେ

 

ବ୍ୟଭିଚାରୀ ହେଲେ ପରା ସେ

 

ବିଧିରେ ଆରଦ୍ରା–ଚିତ୍ତରେ ଆରଦ୍ରା

ରୋହିଣୀ ଏ ବେନି ତାରା ଯେ

।୧୦।

 

୬ଷ୍ଠ ପଦ–କିଆପତ୍ରୀ ଓ ମୋତି ଜାଲି–ମସ୍ତକ ଭୂଷଣ ବିଶେଷ । ବିଶିଖ–ଶର । ବକ୍ର ଚଉଁରା ଶିରୋଭୂଷା । ଅତନୁ–କନ୍ଦର୍ପ ।

୬ଷ୍ଠ ପଦ–ତତ୍‌ପରେ ସ୍ୱର୍ଣ୍ଣ କିଆପତ୍ରୀ ଓ ମୁକ୍ତାଜାଲୀ ନାମକ ଅଳଙ୍କାରକୁ ଭୂଷିତ କଲେ । (ସେଥିରେ ଏହି ଉତ୍‌ପ୍ରେକ୍ଷା ହେଲା) କନ୍ଦର୍ପ ସେ କେଶରୂପ ତମାଳ ବନରେ ଧୈର୍ଯ୍ୟ ରୂପ ମୃଗକୁ ଉପରୋକ୍ତ ଅଳଙ୍କାର ଦ୍ୱୟ ସଦୃଶ ଫାଶ ଜାଲରେ ବାନ୍ଧି ବକ୍ର ଡଉଁରାରୂପ ଧନୁରେ ଝରାକାଠି ରୂପ ଶର ଯୋଚି ତାକୁ ଏଠାରେ ବଧିବା ପାଇଁ ଏପରି କରିଅଛିକି ?

୭ମ ପଦ–ତାହାପରେ ନାନାରଙ୍ଗର କୁସୁମଦ୍ୱାରା ନିର୍ମିତ ମାଳମାନଙ୍କୁ ଖଞ୍ଜିଲେ । ସେହି ଶୋଭା ଆକାଶରେ ପଡ଼ିଥିବା ଇନ୍ଦ୍ରଧନୁର ଶୋଭାକୁ ଖର୍ବ କଲା । ତହୁ ଚନ୍ଦ୍ର ଝୁମ୍ପି ଓ ଝିଲିମିଲି ମାଳୀ ଦିଅନ୍ତେ, ତାହା କୁଞ୍ଚିତ କେଶରେ ଶେଷଭାଗରେ ପଡ଼ି ନିଶା ଅବସାନରେ ସପ୍ତର୍ଷି ଓ ଚନ୍ଦ୍ର ଦୁହେଁଯାକ ଏକାବେଳକେ ପଡ଼ିଲାପରି ମନକୁ ବିଶେଷ ଭାବରେ ମୋହିତ କଲା । (କେଶରୂପ ଅନ୍ଧକାରର ଶେଷ ଭାଗରେ ଛିନ୍ଦ୍ର ଝାମ୍ପିରୂପ ଚନ୍ଦ୍ର ଓ ଝିଲିମିଲି ମାଳୀରୂପ ସପ୍ତର୍ଷି–ମରାଚ୍ୟାଦି ସପ୍ତୠଷି–ଉଜ୍ଜ୍ୱଳ ବର୍ଣ୍ଣରେ ଉଦିତ ହେଲେକି ?)

୮ମ ପଦ–ତତ୍‌ପରେ ସଖୀମାନେ ସୀତାଙ୍କ ଶ୍ରବଣରେ ମଲ୍ଲୀକଢ଼ ଖଞ୍ଜିଲେ । ସେହି ମଲ୍ଲୀକଢ଼ି ବଜ୍ରଠାରେ ବ୍ୟାକୁଳତା ରୂପ ଅଗ୍ନି ଜାତ କରାଇଲା । (ବଜ୍ରର ଶୋଭା ସେ ଶୋଭା ସହିତ ସମାନ ନ ହେବାରୁ ବଜ୍ର ସନ୍ତାପାଗ୍ନିରେ ଦଗ୍‌ଧ ହେଲା) ତଦନନ୍ତର କଢ଼ ଫୁଟିଲେ ସେ ଫୁଲ ହୁଏ–ଏହା ଜଣାଇବା ପାଇଁ, ସଖୀମାନେ ଯେ କର୍ଣ୍ଣଫୁଲ ଖଞ୍ଜିଲେ ତା ଉଚିତ ହେଲା । ତହିଁପରେ ବାଳିଗୁଣା ଦେଲେ ନାହିଁ ଯେ, ଏ ବାଳାକୁ ଭଜ ଏହି ସଙ୍କେତ ଦେଲେ । ତଦନନ୍ତର ବନ୍ଦିଆକୁ କର୍ଣ୍ଣର ତଳଭାଗରେ ଦେଲେ । ସେ ବନ୍ଦିଆ ଚକ୍ର ପରି ଯୋଗୀମାନଙ୍କର ଯୋଗକୁ ଚ୍ଛେଦନ କରି ‘ଚକ୍ର’ ପାଣିଭଉଁରୀ ପରି ସେମାନଙ୍କ ମନକୁ ବୁଡ଼ାଇ ଦେବକି ?

୯ମ ପଦ–ସଖୀମାନେ ସୀତାଙ୍କ ଲଲାଟପଟରେ କନକ କସ୍ତୁରୀ ଓ ସିନ୍ଦୂରର ଚିତା ଦେଲେ । ସେହି ଚିତା ସଂସାରକୁ ତିଳମାତ୍ରକେ ବଶ କରିବ । ସେହି ଉତ୍ତାରୁ ସେ ତିଳକ ନାମ ବହନ କରିଛି । ସୀତାଙ୍କ କର୍ଣ୍ଣରେ ଥିବା ହୀରକଯୁକ୍ତ କର୍ଣ୍ଣଭୂଷଣ ଦ୍ୱୟ ଦେଖିଲେ ମନେହୁଏ, ବୃହସ୍ପତି ଓ ଶୁକ୍ର ସେ ତିଳକ ଚିତ୍ରର ଶୋଭାକୁ ବର୍ଣ୍ଣନା କରିବାକୁ ଆସି (ବର୍ଣ୍ଣନା କରି ନ ପାରି) ମୂକ ହେଲେକି ? (ମୁକ ହୋଇ କର୍ଣ୍ଣର ଦୁଇପାଖରେ କର୍ଣ୍ଣଭୂଷଣରୂପେ ରହିଲେ) ।

୧୦ମ ପଦ–ବ୍ୟଭିଚାରୀ–କୁଳଟା ସ୍ତ୍ରୀ । ଅରଦ୍ରା–ଦ୍ରବୀଭୂତା, ନକ୍ଷତ୍ର ବିଶେଷ ।

୧୦ ପଦ–ସମବୟସୀ ସଖୀମାନେ ମାଣିକ୍ୟର ଗୁଣ, ମୁକ୍ତାର ନଥ, ନାକଚଣା ନାସାର ବେନି ପୁଡ଼ାରେ ଦେବାରୁ ନାସିକା ସୁନ୍ଦର ଦିଶିଲା । ସୀତାଙ୍କ ମୁଖକୁ ଓ ଚନ୍ଦ୍ରକୁ ଚାହିଁଲେ ଧାରଣା ହୁଏ, ସୀତାଙ୍କ ମୁଖ ନିଷ୍କଳଙ୍କ; ମାତ୍ର ଚନ୍ଦ୍ର କଳଙ୍କଯୁକ୍ତ । ତେଣୁ ଆର୍ଦ୍ରା ଓ ରୋହିଣୀ ଏ ତାରା ଦୁହେଁ ଆର୍ଦ୍ରଚିତ୍ତ ହୋଇ ବ୍ୟଭିଚାରିଣୀ ହେଲେ ପରା । (ଆର୍ଦ୍ରା ଓ ରୋହିଣୀ ଚନ୍ଦ୍ରଙ୍କୁ ସକଳଙ୍କ ଦେଖି ତାଙ୍କ ତ୍ୟାଗ କରି ସୀତାଙ୍କ ନିଷ୍କଳଙ୍କ ବଦନରେ ଶୋଭିତ ହୋଇ ବ୍ୟଭିଚାରିଣୀ ହେଲେ । ଆର୍ଦ୍ରା ରକ୍ତବର୍ଣ୍ଣ, ରୋହିଣୀ ଶୁକ୍ଳବର୍ଣ୍ଣ, ଏଠାରେ ମାଣିକ୍ୟର ଗୁଣା ରକ୍ତବର୍ଣ୍ଣ, ମୁକ୍ତାର ନଥ ଶୁକ୍ଳବର୍ଣ୍ଣ) ।

 

ବଲ୍ଲଭ ରଥେ ଯା କେତୁ ମକର

ବଲ୍ଲଭୀ ରଥେ ତା ମକରୀକର

 

ବିବେକୀ ସଜନୀ ସୌନ୍ଦର୍ଯ୍ୟ ଗୋଳେ

ବଳେ ଛଡ଼ାଇ ଦେଖାଇ କପୋଳେ ସେ

 

ବିନ୍ଦ ଏ ମୃଗମଦରେ ଯେ

 

ବିହେ କେ ଚିବୁକେ ମଧୁମକ୍ଷିକାଏ

ସ୍ଥକିତ ସଙ୍ଗ ଭଙ୍ଗରେ ଯେ

।୧୧।

 

 

 

 

 

ବଡ଼ିଶ ସାରଣୀ ଲକ୍ଷ ସେ ନେତ୍ର

ବିଲମ୍ବିତ କଲେ ଅଞ୍ଜନସୂତ୍ର

 

ବାହାରି ପକ୍ଷ୍ମପେଡ଼ାରୁ ପଳାଇ

ବିଳ–ଶ୍ରୋତ୍ରେ କି ଦମ୍ଭଦଂଶ ଅହି ସେ

 

ବିଷେ କି ନ ଜାଣି ତତ୍ତ୍ଵ ଯେ

 

ବିକାଶ ମୀନରାଶି ବେନି ପାରୁଶେ

 

ହେଲା ବେନି ଧୂମକେତୁ ଯେ

।୧୨।

 

 

 

 

 

ବିତରଣରେ ମୋତି ଚାପସରି

ବିତକ ତହିଁରେ ବେଗେ ପ୍ରସରି

 

ବିଞ୍ଚି ତଣ୍ଡୁଳବତ ପାରାବତ

ବନ୍ଦୀ ହେଲା ପରା ପାଶରେ ସତ ସେ

 

ବହୁଳ ମାଳିକି ରଞ୍ଜି ଯେ

 

ବର୍ଣ୍ଣନା ଅଛି ଶଙ୍ଖ ବୋଲି ଯାହାକୁ

କେ ତାହା ପାରିବ ଭାଞ୍ଜି ଯେ

।୧୩।

 

 

 

 

 

ବ୍ୟବସ୍ଥା କଲେ ବାହୁଦଣ୍ଡ ବିଧି

ବିନତ ସ୍କନ୍ଧ ଛତି ପ୍ରତିନିଧି

 

ବଳୟ ତାଡ଼ସାରକୁ ନିଯୋଗି

ବକ୍ଷୋଜ ତୁମ୍ବିକା ଥିବାରୁ ଲାଗି ସେ

 

ବିମୂତ ବାହୁଯୁଗଳ ଯେ

 

ବାହୁବନ୍ଧ ଦେଇ ମୁଦି ଦେଲେ ତାକୁ

ନୋହିଲା ଲକ୍ଷ ସକଳ ଯେ

।୧୪।

 

 

 

 

 

ବଲ୍ଲୀପରି ଗିରି ଲକ୍ଷରୁ ମାତ୍ର

ବିଦୃଷ୍ଟ ସ୍ଥାନରେ କି ସୃଷ୍ଟ ଚିତ୍ର

 

ବିଭୂଷି ସ୍ଵର୍ଣ୍ଣଜରୀ ନୀଳଚୋଳୀ

ବିଳସାଇ ହାର ବିଚିତ୍ର ଝଳି ସେ

 

ବିନ୍ଧ୍ୟ ମନ୍ଦର ଘୋଡ଼ାଇ ଯେ

 

ବିଦ୍ୟୁଧାରକେ ଘନଧାରେ

ବଳାକାପନ୍ତି ଏ ମିଳି କି ତହିଁ ଯେ

।୧୫।

 

୧୧ଶ ପଦ–ବଲ୍ଲଭ–ପ୍ରିୟ କନ୍ଦର୍ପ । ବଲ୍ଳଭୀ–ପ୍ରିୟା ବା ପତ୍ନୀ । ମୃଗମଦ–କସ୍ତୁରୀ ।

୧୧ଶ ପଦ–ଯେଉଁ କନ୍ଦର୍ପରେ ରଥରେ ମକର ଚିହ୍ନିତ ପତାକା ଥିବାରୁ ସେ ପ୍ରିୟ ହୋଇପାରି ଅଛି, ତାହାର ପ୍ରିୟା ରୂପ ରଥ (ଏଠାରେ ସୀତା ସ୍ତ୍ରୀ ରୂପ ରଥ ହେଲେ) ଦେହର ମକରୀ ଚିତ୍ର ଲେଖ । ଏପରି କୁହାକୁହି ହୋଇ ମକରୀ ଚିତ୍ର ଲେଖିବାକୁ ଗଲାବେଳେ ସୌନ୍ଦର୍ଯ୍ୟ ସମ୍ବନ୍ଧରେ ଗୋଳ ଉଠିଲା । (ଅର୍ଥାତ୍‌ ସଖୀମାନେ ପରସ୍ପର କୁହାକୁହି ହେଲେ, ତୁ ଭଲକରି ଲେଖି ଜାଣୁନାହିଁ–ମୁଁ ତୋ ଅପେକ୍ଷା ଭଲ ଜାଣେ । ସେହି ଗୋଳମାଳ ଭିତରେ କେହି ବିବେକବତୀ ସଖୀ ବଳେ ତୁଳିକା ଛଡ଼ାଇ ନେଇ ସୀତାଙ୍କ ଗଣ୍ଡସ୍ଥଳରେ ମକରୀ ଚିତ୍ର ରଚନା କଲା । ତାହା ପରେ କେଉଁ ସଜନୀ କସ୍ତୁରୀରେ ଗୋଟିଏ ବିନ୍ଦୂ ଚିବୁକରେ ଦେଲା । ତା’ ଦେଖି ମନେହୁଏ ଗୋଟିଏ ମହୁମାଛି ସଙ୍ଗଭ୍ରଷ୍ଟ ହୋଇ ନିଶ୍ଚଳ ଭାବରେ ସେଠାରେ ରହିଅଛିକି ?)

୧୨ଶ ପଦ–ଅଞ୍ଜନସୂତ୍ର–କଜ୍ଜ୍ୱଳସୂତ୍ର । ବିଳ–ଶୋତ୍ରେ–କର୍ଣ୍ଣରୂପକ ଗର୍ତ୍ତରେ । ଦମ୍ଭ–ଦଂଶ–ଅହି–ଧୈର୍ଯ୍ୟ ଦଂଶକ ସର୍ପ ।

୧୨ଶ ପଦ–ଅନ୍ତରର ତାହାଙ୍କ ନେତ୍ରରେ କଜ୍ଜ୍ୱଳ ଦେବାରୁ, ତାହା ବନିଶି ଓ ସାରେଣୀ ସହିତ ଲକ୍ଷ ଦେଲା । ପୁଣି ସେହି କଜ୍ଜ୍ୱଳର ଲାଞ୍ଜ ଦେଖି ମନେହୁଏ, ନେତ୍ରଲୋମ ରୂପ ପେଡ଼ାରୁ ବାହାରି କର୍ଣ୍ଣରୂପ ବିଳକୁ ଦମ୍ଭ ଦଂଶନକାରୀ ଲାଞ୍ଜରୂପ କୃଷ୍ଣସର୍ପ ପଳାଇ ଯାଉଛିକି ? ଅଥବା ନେତ୍ରରୂପ ମୀନ ରାଶିର ଦୁଇପାଖରେ ବୋଧହୁଏ ଦୁଇ ଧୂମକେତୁ ପ୍ରକାଶିତ ହେଲା । (ମୀନରାଶିର ଦୁଇପାଖରେ ଧୂମକେତୁ ଦେଖାଗଲେ ଉତ୍ପାତ ଘଟେ । ଏଠାରେ ଯୁବକ ଧୈର୍ଯ୍ୟ ଧ୍ୱଂସ ହୋଇ ଉତପାତ୍‌ ଘଟାଇବା ପାଇଁ ଏପରି ହୋଇଛିକି ? ) ଏ ବିଷୟରେ କି ତତ୍ତ୍ୱ ଅଛି–ତା’ ଜଣାଯାଉନାହିଁ ।

୧୩ଶ ପଦ–ତଦନନ୍ତରେ ସଖିମାନେ କଣ୍ଠରେ ମୋତି ଚାପସରି ଦେଲେ । ତାହା ଦେଖି ଉତ୍‌ପ୍ରେକ୍ଷା ହେଲା, କପୋତ ମୋତିକୁ ତଣ୍ଡୁଳ ପରାୟ ମନେକରି ଖାଇବାକୁ ଯାଇ ଫାଶରେ ବନ୍ଦୀ ହୋଇଛିକି ? ଏହା ମିଥ୍ୟା ନୁହେଁ । ପୁଣି ବହୁତ ମାଳାରେ ରଞ୍ଜିତ କଣ୍ଠକୁ ଯାହା ଶଙ୍ଖ ବୋଲି ବର୍ଣ୍ଣନା କରାଯାଇଛି ତାହା କିଏ ବା ଅନ୍ୟଥା କରିବ ? (ଅନ୍ୟଥା କରିପାରିବ ନାହିଁ ।) (ଶଙ୍ଖ ବହୁତ ମାଳାକାରକୁ ରଞ୍ଜିତ କରେ, କଣ୍ଠ ବହୁତ ମାଳିରେ ରଞ୍ଜିତ ହେଲା ।)

୧୪ଶ ପଦ–ସଖୀମାନେ ଭୁଜନ୍ତି ବୀଣାଦଣ୍ଡ ବିଧିରେ ବ୍ୟବସ୍ଥା କଲେ । ଅନତ୍ର ସ୍କନ୍ଧଦେଶ ବୀଣାଛକିର ପ୍ରତିନିଧି ହେଲା । ବାହୁରେ କଙ୍କଣ ଓ ତାଡ଼ ଲଗାଇବାରୁ ତାହା ବୀଣାର ସାର ସଦୃଶ ହେଲା । ସ୍ତନ ସେହି ବାହୁଦଣ୍ଡରେ ତୁମ୍ଭୀ ହେଲା । ତତ୍ପରେ ସେହି ବୃଷାଳ ବାହୁଦ୍ୱୟରେ ବାଜୁବନ୍ଧ ଓ ଆଙ୍ଗୁଠିରେ ମୁଦି ଖଞ୍ଜିଦେଲେ । ଏହିପରି ଅଳଙ୍କାରମାନଙ୍କଦ୍ୱାରା ମଣ୍ଡିତ ହେବାରୁ ବୀଣାଦଣ୍ଡ ଖୋଳ ମଧ୍ୟସ୍ଥ ହେଲେ ଯେପରି କିଛି ଦେଖାଯାଏ ନାହିଁ, ବାହୁର ସେହିପରି କୌଣସି ଅଂଶ ଦେଖାଗଲା ନାହିଁ ।

୧୫ଶ ପଦ–ବଲ୍ଲୀ–ଲତା । ବିଦୃଷ୍ଟ–ଯାହା ଦେଖାଯାଏ ନାହିଁ । ନୀଳଚୋଳୀ–ନୀଳକାଞ୍ଚଲା । ବଳାକାପନ୍ତି–ବକଶ୍ରେଣୀ ।

୧୫ଶ ପଦ–ତତ୍ପରେ ସ୍ତନ ଦ୍ୱୟରେ ସଖିମାନେ ଉତ୍ତମ ଚିତ୍ରମାନ (କସ୍ତୁରୀରେ ପତ୍ରାବଳୀ) ଲେଖିଲେ । ସ୍ତନଦ୍ୱୟ ଗିରି ସଦୃଶ ହେଲା, (ପର୍ବତରେ ଲତାପତ୍ର ମାଡ଼ିଥାଏ, ଏଠାରେ ଲତାପତ୍ର ଚିତ୍ରିତ ହେଲା) ତତ୍ପରେ ତାହାକୁ ସ୍ୱର୍ଣ୍ଣ ଜରିଯୁକ୍ତ ନୀଳବର୍ଣ୍ଣ କାଞ୍ଚଲାରେ ବିଭୂଷିତ କଲେ । ପୁଣି ସେହି କାଞ୍ଚଲା ଉପରେ ମୁକ୍ତାମାଳା ଲମ୍ବାଇଲେ, ତେଣୁ ତାହା ବିଚିତ୍ରଶୋଭା ଧାରଣ କଲା । ତାହା ଦେଖି ମନେହୁଏ, ବିନ୍ଧ୍ୟ ଓ ମନ୍ଦର ପର୍ବତ ଦ୍ୱୟ ନୀଳମେଘରେ ଢାଙ୍କି ହୋଇଅଛି ଓ ସେ ନୀଳମେଘ କୋଳରେ ବିଜୁଳି ଖେଳୁଛି ଏବଂ ବଗସବୁ ଧାଡ଼ି ଧାଡ଼ି ଉଡ଼ି ଯାଉଅଛିନ୍ତି ।

 

ବଳା ତୁଳାକୋଟି ଖଞ୍ଜିଲେ ପାଦେ

ବୋଲିବ ତୁଳାକୋଟି ତୁଚ୍ଛନାଦେ

 

ବିଗୂଢ଼ ହଂସକ ହରେ ଗମନ

ବିଗୁଢ଼–ସ୍ଵନ ହଂସକ ମଣ୍ଡନ ସେ

 

ବନ୍ଧୁର ମାର୍ଗ ଜଣାଉଁ ଯେ

 

ବର୍ଣ୍ଣଭେଦ ସିନା ଝୁଣ୍ଟିଆ ଖୁଣ୍ଟିଆ

ପ୍ରପଦେ ରଖିଲେ ତହୁଁ ଯେ

।୧୬।

 

 

 

 

 

ବେଢ଼ରେ ପାଦରେ ଲେଖିଲେ ଲାକ୍ଷା

ବାରି ହେଲା ବେନିରଙ୍ଗ କି ଦକ୍ଷା

 

ବିକଶିତ କୋକନଦ ମଧ୍ୟର

ବେଢ଼ି ଭ୍ରମେ କି ସରସ୍ଵତୀ ନୀର ସେ

 

ବଂଶନଳିରେ ଥିବାର ଯେ

 

ବାଛି ପିନ୍ଧି ଦୁର୍ବାଦଳ–ନୀଳ ଚେଳ

କୋଳ ଇଚ୍ଛି ଶ୍ରୀରାମର ଯେ

।୧୭।

 

 

 

 

 

ବସନାଞ୍ଚଳ ଯେ ଚଳିଲେ ବେଗେ

ବସନାଠାରେ ସେ ଯୋଗିଙ୍କି ଯୋଗେ

 

ବିଭଙ୍ଗେ ତାହା ଆଗେ କୁଞ୍ଚା ରଞ୍ଚି

ବ୍ୟକ୍ତ ନୋହି ଉରୁ ଫୁଟି ଏ ପାଞ୍ଚି ସେ

 

ବାନ୍ଧି କଟିରେ କିଙ୍କିଣୀ ଯେ

 

ବାଜି କିଣିକିଣି ଚିତ୍ତ ନେବ କିଣି

ଚାହିଁଲେ ନୟନ ଏଣୀ ଯେ

।୧୮।

 

 

 

 

 

ବେଳା ଜାଣିବାକୁ ସଖୀ ବସାଇ

ବୀଟିକା ନାଗବଲ୍ଲୀର ଭୁଞ୍ଜାଇ

 

ବିଡ଼ମ୍ବ ନୋହିଲା ଅତିଶୟରେ

ବାଳ ରବି ଦ୍ୟୋତଜବା କି ଧରେ ସେ

 

ବତିଶଲକ୍ଷଣା ପୁରୀ ଯେ

 

ବିଧାନୀ ଉପମା ଗୀତ ଚାତୁରୀକି

ଲକ୍ଷ ଲକ୍ଷ ଦଉ କରି ଯେ

।୧୯।

 

 

 

 

 

ବିଭୂଷା ହେମରତ୍ନ ଯେତେ କହି

ବାଳାମଣି ଶାଣ ରସାଣ ତହିଁ

 

ବିଦଳି ଅଞ୍ଜନ କସ୍ତୁରୀ ନିଶି

ବିଧୂ ବିଧିବଶୁଁ ଉଜ୍ଜ୍ଵଳ ଦିଶି ସେ

 

ବିଦେହଜା ପଦ ଗୁଣି ଯେ

 

ବିଂଶତି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭଞ୍ଜ ବୀରବର ଭଣି ଯେ

।୨୦।

 

୧୬ଶ ପଦ–ତୁଳାକୋଟି–ନୂପୁର । ତୁଳାକୋଟି–ଭୁମାସମୂହ । ବିଗୁଢ଼–ନିନ୍ଦିତ । ନିଗୁଢ଼ସ୍ୱନ–ଗୁପ୍ତସ୍ୱନ । ଖୁଣ୍ଟିଆ–ବନ୍ଧୁର ପଥ । ପ୍ରପଦେ–ପଦାଗ୍ରରେ ।

୧୬ଶ ପଦ–‘କୋଟି କୋଟି ଉପମାକୁ ତୁଚ୍ଛ କରୁଛି’–ଛଳରେ ଏହା କହିବା ପାଇଁ ସଖୀମାନେ ସୀତାଙ୍କ ପାଦରେ ବଳା ଓ ନୂପୁର ଖଞ୍ଜି ଦେଲେ । ପୁଣି ‘ସୀତାଙ୍କ ଗମନ ହଂସମାନଙ୍କର ଗତିକୁ ନିନ୍ଦା କରୁଛି’–ଏହି ସ୍ୱନ କରିବା ନିମିତ୍ତ ପାଦରେ ହଂସକ ନାମକ ଅଳଙ୍କାରକୁ ମଣ୍ଡନ କଲେ । ଖୁଣ୍ଟିଆର ଅର୍ଥ ଉଚ୍ଚ ନୀଚ ପଥ । ଝୁଣ୍ଟିଆ ସହିତ ତାହାର ଗୋଟିଏ ଯାହା ପ୍ରଭେଦ ଅଛି । ଶବ୍ଦ ଛଳରେ ଉଚ୍ଚନୀଚ ପଥ ଜଣାଇ ଦେବାପାଇଁ ସଖୀମାନେ ପାଦ ଆଗରେ ଝୁଣ୍ଟିଆ ଖଞ୍ଜି ଦେଲେ ।

୧୭ଶ ପଦ–ଲାକ୍ଷା–ଅଳତା । କୋକନନ୍ଦ–ରକ୍ତପଦ୍ମ ।

୧୭ଶ ପଦ–ତତ୍ପରେ ପାଦର ବେଢ଼ରେ ଅଳତା ଦେଲେ । ପାଦ ରଙ୍ଗ ଓ ଅଳତା ରଙ୍ଗ କୁଶଳର ସହିତ ଜଣା ପଡ଼ୁଥିଲା (ଏକବର୍ଣ୍ଣ ହୋଇ ସୁଦ୍ଧା କେହି କାହା ସହିତ ମିଶିଲା ନାହିଁ) ଯେପରି ଫୁଟିଥିବା ରକ୍ତପଦ୍ମର ଚାରିପାଖରେ ସରସ୍ୱତୀର ରକ୍ତବର୍ଣ୍ଣ ଜଳ ବେଢ଼ି ରହିଅଛି । (ପାଦ ରକ୍ତପଦ୍ମ ଓ ଅଳତା ସରସ୍ୱତୀର ରକ୍ତବର୍ଣ୍ଣ ଜଳରୂପେ ଉପମିତ) । ତାହା ପରେ ବାଉଁଶ ନଳୀ ଭିତରେ ଥିବା ଅତିଶୟ ସୁକ୍ଷ୍ମ ଦୁର୍ବାଦଳବର୍ଣ୍ଣ ବିଶିଷ୍ଟ ନୀଳ ଶାଢ଼ି ବାଛି ପିନ୍ଧାଇଲେ । ଦୁର୍ବାଦଳବର୍ଣ୍ଣ ରାମ ଏହିପରି କୋଳ କରିବେ–ଏହି ଇଚ୍ଛାରେ ନୀଳବର୍ଣ୍ଣ ଶାଢ଼ି ସୀତାଙ୍କ ଦେହରେ ଜଡ଼ାଇ ଦେଲେକି ?

୧୮ଶ ପଦ–ବସନାଞ୍ଚଳ–ପଣନ୍ତ ବା ଲୁଗାକାନି । ଉରୁ–ଜାନୁ । ଏଣୀ–ମୃଗୀ ।

୧୮ଶ ପଦ–ଲୁଗା ପିନ୍ଧାଇ ଦେଲା ପରେ ଲୁଗାର ପଣନ୍ତ ପବନରେ ଚାଳିତ ହେବାରୁ ଜଣାଗଲା, ଯେପରି ସେ ପଣନ୍ତ ଯୋଗୀଙ୍କ ‘ଯୋଗରେ ବସ ନାହିଁ ଏପରି ଠାରି କହୁଛି । (ସେ ପବନ ଚାଳିତ ଅଞ୍ଚଳର ଦର୍ଶନରେ ଯୋଗୀଙ୍କର ଯୋଗ ସୁଦ୍ଧା ଭ୍ରଷ୍ଟ ହୋଇଯିବ)। ପୁଣି ସୀତାଙ୍କ ସମୁଖ ଭାଗରେ ସ୍ତନ ଦ୍ୱୟ ଫୁଟି ନ ଦିଶୁ’–ଏହା ଭାବି ଲୁଗାକୁ ନାନାପ୍ରକାର ଭାଙ୍ଗ କରି କୁଞ୍ଚ ଦେଲେ । କଟିରେ କିଙ୍କଣୀ ବାନ୍ଧିଲେ; ତାହା କିଣି କିଣି ବାଜି ଦେଖିବା ଲୋକର ନୟନ ମୃଗର ଚିତ୍ତକୁ କିଣି ନେବ । (ଘଣ୍ଟି ଶବ୍ଦ ଶୁଣିଲେ ଅରଣ୍ୟରେ ମୃଗ ମୃଗୀମାନେ ବଶ ହୁଅନ୍ତି)।

୧୯ଶ ପଦ–ବୀଟିକା–ପାନ ଖିଲ । ନାଗବଲ୍ଲୀ–ପାନ । ବିଡ଼ମ୍ବ–ଉପହାସ ।

୧୯ଶ ପଦ–ଏହିପରି ବେଶ ରଚନା ସରିଲା ପରେ ବରଣ ସମୟ ନିକଟବର୍ତ୍ତୀ ହେବାର ଜାଣି ସଖୀମାନେ ସୀତାଙ୍କୁ ବସାଇ ପାନଖିଲ ଭୁଞ୍ଜାଇଲେ ରକ୍ତବର୍ଣ୍ଣ ବିଶିଷ୍ଟ ଅଧର ପାନ ବୋଳରେ ଦ୍ୱିଗୁଣିତ ହୋଇଗଲା, କିନ୍ତୁ ତାହା ଉପହାସ ବା କୃଷ୍ଣବର୍ଣ୍ଣ ହେଲାନାହିଁ (ରକ୍ତବର୍ଣ୍ଣରେ ରକ୍ତବର୍ଣ୍ଣ ମିଶିଲେ କୃଷ୍ଣବର୍ଣ୍ଣ ହୋଇଯାଏ), ମାତ୍ର ଜବାବର୍ଣ୍ଣ ବାଳ ସୁର୍ଯ୍ୟର ଜ୍ୟୋତିକୁ ଧାରଣ କଲା ପ୍ରାୟ ଦେଖାଗଲା । ସୀତା ବତିଶ ଲକ୍ଷଣାର ସ୍ଥଳ ରୂପେ ନିର୍ଣ୍ଣିତ ହୋଇଅଛନ୍ତି, ଗୀତ ଚାତୁରୀ ଛଳରେ ଉପମାମାନଙ୍କୁ ସିନା ଦିଆଗଲା । (ମାତ୍ର କୌଣସ ଉପମା ତାଙ୍କର ଶୋଭାକୁ ଯୋଗ୍ୟ ନୁହଁନ୍ତି) ।

୨୦ଶ ପଦ–ଯେତେ ସ୍ୱର୍ଣ୍ଣ ଓ ରତ୍ନର ଅଳଙ୍କାର କଥା କୁହାଗଲା, ସେ ସବୁ ସୀତାଙ୍କ ଅଙ୍ଗ ରୂପ ରସାଣ ପଥର ଯୋଗରେ ଉଜ୍ଜ୍ୱଳ ଦେଖାଗଲେ । (ରତ୍ନ ଓ ସ୍ୱର୍ଣ୍ଣ ରସାଣ ପଥରରେ ଲାଗିଲେ ବେଶି ଉଜ୍ଜ୍ୱଳ ଦିଶନ୍ତି, ସେହିପରି ଏଠାରେ ସେମାନେ ସୀତାଙ୍କୁ ସୁନ୍ଦର କଲେ ନାହିଁ ଯେ, ସୀତାଙ୍କ ଯୋଗେ ନିଜେ ସୁନ୍ଦର ଦେଖାଗଲେ) । ମର୍ଦ୍ଦିତ ଉଜ୍ଜ୍ୱଳ ଓ କସ୍ତୁରୀରୂପ ରାତ୍ରି ସୀତାରୂପୀ ଚନ୍ଦ୍ର ଯୋଗେ ଉଜ୍ଜ୍ୱଳତର ଦିଶିଲେ । ସେହି ବିଦେହ ରାଜକନ୍ୟା ସୀତାଙ୍କ ପାଦପଦ୍ମକୁ ସ୍ମରଣ କରି ବୀରବର ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ କୋଡ଼ିଏ ପଦରେ ଭଣିଲେ ।

 

ଏକାଦଶ ଛାନ୍ଦ

(ରାଗ–ବସନ୍ତବରାଡ଼ି)

ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ ।

ବିଚାରେ ସୁମନା ଶ୍ରୀ–କରେ ସୁମିନା–ସୁମନା–ମାଳା ନେଇ ଦେଲେ ।

ବୋଇଲେ, ବଶକ ଏ କଳାଭୃଙ୍ଗର ।

ବସି ଦଶରଥ–ସୁତ–ଜାନୁ–ରଥ ଯେ ମନୋରଥ ସାର୍ଥ କର ॥ ।୧।

 

ବେଷ୍ଟିତତର ତରଳାକ୍ଷୀକି ତାର ତାର ପରିଧି କି ବିଧୂରେ ।

ବିଧିରେ ମଙ୍ଗଳବିଧିରେ କେ ହୁଳହୁଳୁକି ବିହିଲେ ବିଧୀରେ ।

ବିଞ୍ଚନ୍ତି, ବିଧୂଚୂର୍ଣ୍ଣ କେହୁ ଆଗରେ ।

ବଜାଇ ହେଜାଇ ମାର୍ଗ କେ ପ୍ରବୀଣା ବୀଣା ଧରି ଅନୁରାଗରେ ॥ ।୨ ।

 

ବ୍ୟଜନ ରଞ୍ଜନ କରି କେ ଚାଳନ୍ତି ଢାଳନ୍ତି କେ ଖଦୀ ଚାମର ।

ବକ୍ତା ମଣିମା ମଣିମା ପଦରେ କେ ଅଣିମାଦିଦାୟୀ ଛାମୁର ।

ବାରିଧି, ବାରିମଧ୍ୟୁଁ ବେଢି ରମ୍ଭାଦି ।

ବିଜେ କରାନ୍ତି ଉତ୍ପତ୍ତିହୀନେ ସୁରାସୁର ଆଗେ ଶ୍ରୀକି ସମ୍ପାଦି ॥ ।୩ ।

 

ବିତାନ–ଚିର ଧରିଛନ୍ତି ଉପର ବୀଚିର ରୁଚିର ସେ ହିତ ।

ବଳାନିନାଦ ପ୍ରବାଳ ଅବଳାଙ୍କ ଶୁକ୍ତି ଉକ୍ତିକି ସେ ମୋହିତ ।

 

ବାସୁକି, ବାହୁ କି ଉରଜ ମନ୍ଦର ।

ବିଚଳିତ ସ୍ଵତଃ ଲଳିତ କଳିତ ଅଛି ହାସ ସୁଧା ସଂଚାର ॥ ।୪।

 

ବିଳସି ବିଳସି ଗର୍ଭାଳସୀ ହଂସୀ ମନ୍ଥର ମନ୍ଥନ ଗତିରେ ।

ବର ସନ୍ନିଧିକି ସେ ଶୋଭାନିଧିକି ନେଉଁ ଧିକି ଧିକି ରତିରେ ।

ବିହିଲେ, ବସୁମତୀପତି ସକଳେ ।

ବିଧାତା ବିଧାନୀ ଉଚ୍ଚାଟ ନିଧାନୀ ନୋହେ ସାବଧାନୀ ହୋଇଲେ ॥ ।୫।

 

୧ମ ପଦ–ସୁମନା–ସୁଚତୁରୀ, ପୁଷ୍ପମାଳା ।

୧ମ ପଦ–ବରଣ କରିବାପାଇଁ ଶୁଭ ପ୍ରବେଶ ହେଲା । ପୂର୍ବରୁ ସଖୀମାନେ ବେଶକାର୍ଯ୍ୟ ଶେଷ କରିଥିଲେ । ସଖୀମାନେ ବିଚାରକରି ଆନନ୍ଦମନା ହୋଇ ସୀତାଙ୍କ ଶ୍ରୀହସ୍ତରେ ଫୁଲମାଳ ନେଇ ଦେଲେ । (ଅନ୍ୟାର୍ଥ–ଇଷ୍ଟଦେବତାଙ୍କୁ ସ୍ମରଣ କରି ଲକ୍ଷ୍ମୀ ରୂପୀ ସୀତାଙ୍କ ହସ୍ତରେ ଉତ୍ତମମନା ହୋଇ ପୁଷ୍ପମାଳା ଦେଲେ) । କହିଲେ, ‘‘ଏ ଫୁଲମାଳା କଳାଭ୍ରମରରୂପ ରାମଚନ୍ଦ୍ରଙ୍କୁ ବଶ କରିବ । ଦଶରଥ ସୁତ ରାମଙ୍କ ଜାନୁ ରୂପ ରଥରେ ବସି ତୁମ୍ଭ ମନକାମନା ପୂର୍ଣ୍ଣ କର ।’’

୨ୟ ପଦ–ବେଷ୍ଟିତତର–ଅତି ଘନଭାବରେ ବେଢ଼ିବା । ତରଳାକ୍ଷୀ–ଚଞ୍ଚଳାକ୍ଷୀ । ତାର ତାର–ଉଜ୍ଜ୍ୱଳ ତାରକା । ପରିଧି–ମଣ୍ଡଳ । ବିଧୀରେ–ଉଚ୍ଚରେ । ବିଧୂଚୂର୍ଣ୍ଣ–କର୍ପୁର ଗୁଣ୍ଡା ।

୨ୟ ପଦ–(ରାମଙ୍କୁ ବରଣ କରିବା ନିମିତ୍ତ ସୀତାଙ୍କ କରରେ ପୁଷ୍ପମାଳା ଦେଇ) ଚଞ୍ଚଳାକ୍ଷୀ ସଖୀମାନେ ଚଉଦିଗରେ ଘନଭାବରେ ବେଢ଼ି ରହିଲେ, ତାହା ଦେଖି ବୋଧହେଲା–ଉଜ୍ଜ୍ୱଳ ତାରାସମୂହ ଚନ୍ଦ୍ରଙ୍କର ଚଉପାଶରେ ଘେରି ରହି ଅଛନ୍ତିକି ? ତାଙ୍କ ମଧ୍ୟରୁ କେହି ମଙ୍ଗଳ ବିଧାନର ସୂଚନାସ୍ୱରୂପ ଉଚ୍ଚ ସ୍ୱରରେ ହୁଳହୁଳି ଦେଲେ । କେଉଁ ସଖୀ ଆଗରେ କର୍ପୂର ଧୂଳି ବିଞ୍ଚିଲେ । କେଉଁ ପଣ୍ଡିତା ସଖୀ ଯିବାବେଳେ ପଥ ଜଣାଇଦେବା ଉଦ୍ଦେଶ୍ୟରେ ବୀଣା ଧରି ଅନୁରାଗରେ ବଜାଇଲା ।

୩ୟ ପଦ–ବ୍ୟଜନ–ବିଞ୍ଚଣା । ଐଶ୍ୱର୍ଯ୍ୟଦାୟୀ–ଯେ ଅଣିମାଦି ଅଷ୍ଟେଶ୍ୱର୍ଯ୍ୟ ଦିଏ । ଶ୍ରୀକି–ଲକ୍ଷ୍ମୀଙ୍କି ।

୩ୟ ପଦ–କେହି ଆଲଟ ପଙ୍ଖା ପକାଇଲେ, କେହି ଖଦି ଚାମର ଢାଳିଲେ । ଅଣିମାଦି ଅଷ୍ଟଐଶ୍ୱର୍ଯ୍ୟଦାୟିନୀ ସୀତାଙ୍କ ଛାମୁରେ କେହି କେହି ମଣିମା ମଣିମା ଡାକ ଦେଲେ । ତାହା ଦେଖି ମନେହୁଏ, ସମୁଦ୍ରର ଜଳ ମଧ୍ୟରୁ ଉଠିଥିବା ରମ୍ଭା ଆଦି ଅପ୍‌ସରାମାନେ ବେଢ଼ି ଦେବତା ଓ ଅସୁରମାନଙ୍କ ଅପ୍ରତରେ ଉତ୍ପତ୍ତି–ହୀନା ଲକ୍ଷ୍ମୀଙ୍କର ଶୋଭା ସମ୍ପାଦନ କରାଇ ନାରାୟଣଙ୍କ ସମୀପକୁ ବିଜେ କରାଉଅଛନ୍ତିକି ? ( ଲକ୍ଷ୍ମୀ ସମୁଦ୍ରରୁ ଉତ୍ପନ୍ନ, ମାତ୍ର ସୀତା ଉତ୍ପତ୍ତି ହୀନ । ସେଠାରେ ସୁରାସୁର ଅର୍ଥ ବୀର ଓ ଭୀରୁ)

୪ର୍ଥ ପଦ–ବିତାନଚିର–ଚାନ୍ଦୁଆ ଲୁଗା । ବୀଚି–ଲହରୀ । ରୁଚିର–ମନୋହର । ଶୁକ୍ତି–ଶାମୂକା । ଉରଜ–ସ୍ତନ ।

୪ର୍ଥ ପଦ–ସୀତାଙ୍କ ଉପରେ ଧରାଯାଇଥିବା ଚାନ୍ଦୁଆ ଲୁଗା ସମୁଦ୍ରର ଲହରୀ ପ୍ରାୟ ସୁନ୍ଦର ଦିଶୁଅଛି । ‘ଅବଳାମାନଙ୍କର’ ସଖୀମାନଙ୍କର ପାଦର ପ୍ରବଳ ବଳାଶବ୍ଦ ସମୁଦ୍ରର ଶାମୁକା ଶବ୍ଦକୁ ମୋହିତ କରୁଅଛି । ବାହୁ ରୂପବାସୁକି ସ୍ତନ ରୂପ ମନ୍ଦର ପର୍ବତକୁ ବିଚଳିତ କରି ସେ ସମୁଦ୍ରକୁ ମନ୍ଥନ କରିବାରୁ ମନୋହର ହାସ–ସୁଧା ସେଥିରୁ ଉତ୍ପନ୍ନ ହେଉଅଛି । (ନୀଳସାଗର ମନ୍ଦର ପର୍ବତ ଓ ବାସୁକି ସର୍ପଦ୍ୱାରା ମନ୍ଥୀତ ହେବାବେଳେ ଶାମୁକା ପ୍ରଭୃତିଙ୍କର କଳ କଳ ସ୍ୱନ ଓ ଅମୃତ ଉଦ୍ଭବ ହୋଇଥିଲା, ଏଠାରେ ନୀଳବର୍ଣ୍ଣ ଚନ୍ଦ୍ରାତବ ତରଙ୍ଗ, ସ୍ତନ ମନ୍ଦର, ବାହୁ ବାସୁକି, ବଳାଶବ୍ଦ ଶାମୁକାର ସ୍ୱନ, ଆନନ୍ଦ ହାସ ଅମୃତ ସହିତ ଉପମିତ) ।

୫ମ ପଦ–ବସୁମତୀପତି–ରାଜା । ଉଚ୍ଚାଟନିଧାନୀ–ଚିତ୍ତ ଉଦ୍ଦୀପନକାରିଣୀ । ସାବଧାନୀ ହେଲେ–ବିଚାରପୂର୍ବକ ଯୁକ୍ତିଯୁକ୍ତ କଥା କହିଲେ ।

୫ମ ପଦ–ଗର୍ଭଭାରରେ ଧୀର ଗତି କରୁଥିବା ହଂସୀ ପରି ସର୍ବଶୋଭାର ଭଣ୍ଡାର ସୀତାଙ୍କୁ ମନ୍ଥର ଗତି କରାଇ ରାମଙ୍କ ସମୀପକୁ ନେଲାବେଳେ, ସେ ଶୋଭା ରତିକି ମଧ୍ୟ ଧିକ୍‌କାର କଲା । ତାହା ଦେଖି ରାଜାମାନେ ସାବଧାନରେ ବିଚାର କଲେ, ‘ଚିତ୍ତ ଉଚ୍ଚାଟନକାରିଣୀ ସୀତା ବିଧାତାଙ୍କଦ୍ୱାରା ନିର୍ମିତ ହୋଇ ନାହାଁନ୍ତିକି ?(ସୀତାଙ୍କ ଶୋଭା ଯାବତୀୟ ବିଧିସୃଷ୍ଟ ଶୋଭାଠାରୁ ବଳି ମନୋହର, ତେଣୁ ସେ ସ୍ୱୟଂ ସୃଷ୍ଟ ବୋଲି ବୋଧ ହେଲା) ।

 

ବିଘ୍ନରାଜ ସତ ଉପମାରାଜିତ ରାଜିତମାନ କରି ଲୋଡ଼ି ।

ବକ୍ରତୁଣ୍ଡ ହେଲେ ବର୍ଣ୍ଣି ଆଣୁ ଯେଣୁ ସେମାନେ ସେମାନେ ବାହୁଡ଼ି ।

ବିବେକ, ବର୍ଜ୍ଜନ ଏ କଦା ନୁହଁନ୍ତି ।

ବୃହତ୍‌କୁକ୍ଷି ତୁର୍ଣ୍ଣେ ସେ ପୂର୍ଣ୍ଣ ହୋଇଲେ ଧନ୍ୟ ସୀତା ମାତେ ଜପନ୍ତି ॥ ।୬।

 

ବିପୁଷ୍ଟି ଦୃଷ୍ଟି ସୃଷ୍ଟି ଯହିଁ ଉଶନା ଏକଦୃଷ୍ଟି କବି ବୋଲାଇ ।

ବଣା ହେବାରେ ଲକ୍ଷଣା ବାରେ ବାରେ ଗଣା ତା କରିବା କିପାଇଁ ।

ବାଳାରେ, ବିଲୋକ କରି ତୋ ଶୋଭିତ ।

ବହିଲେ ଅନନ୍ତ ଅନନ୍ତ ଲପନ ବର୍ଣ୍ଣି ଆଣନ୍ତେ ଲାଳାୟିତ ॥ ।୭।

 

ବିଦ୍ୟାବିଶାରଦା ଶାରଦା ଶାରଦା ବିନୟୀ ଧରାତନୟୀ ! ହେଲେ ତୋତେ ।

ବଡ଼ିମା ରକ୍ଷଣେ ସୁଷମା ଅସମା ଉପମା ଅଙ୍ଗୀକାର ବୃତେ ।

ବାଳାରେ, ବତ୍ସଳା ହେଲେ ଭକ୍ତିଯୁକ୍ତେ ।

ବିନ୍ୟାସ କରନ୍ତି କବିତ୍ଵ ଚାତୁରୀ କବି ସମ୍ମତେ ମତିମତେ ॥ ।୮।

 

ବିଶ୍ରମ୍ଭ ପଦର ଗମନେଆଦର କରି କେ ସୁମନେଭାଳଇ ।

ବିଶାଳ ଉରୁ କରେ ଚାରୁ ଯୌବନ–କରା କୋକନଦ ଚାଳଇ ।

ବାଳାର, ବୋଲେ କେ ନିରେଖି ଅଙ୍ଗୁଳି ।

ବାଳିକା ମହୀ ମାଳିକା କରିତ ହିଁ ଅଶୋକ କଳିକାରୁ ଝଳି ॥ ।୯।

 

ବିହେଠନ ମୁଖ ପୟୋଧର ଶିଖ ଦେଖି କେତେ ଯୋଖି ଉପମା ।

ବିଷମସନ୍ତାପ ସମ୍ଭୁତେ ଶମ୍ଭୁର ଶୂନ୍ୟୁ ଖସି ଆସି ଚନ୍ଦ୍ରମା ।

ବାଳାର, ବିଗତ ହେଉଁ କୋଣେ ଡୋଳା ।

ବିହରି ହରିଣ କି ବିଷଧାରଣ ବେନି ସଂଶୟ ଉପୁଜିଲା ॥ ।୧୦।

 

୬ଷ୍ଠ ପଦ–ବିଘ୍ନରାଜ–ଗଣେଷ । ରାଜିତମାନ–ଶୋଭମାନ ବା ଦେବୀପ୍ୟମାନ । ବୃହତ୍‌ କୁକ୍ଷି–ବଡ଼ ପେଟ । ତୁର୍ଣ୍ଣି–ଶୀଘ୍ର ।

୬ଷ୍ଠ ପଦ–ବିଘ୍ନରାଜ ଗଣେଶ ଉକ୍ତୃଷ୍ଟ ଉପମାମାନ ଲୋଡ଼ି, ସୋମନଙ୍କ ସହିତ ସୀତାଙ୍କର ସୌନ୍ଦର୍ଯ୍ୟ ତୁଳନା କରିବାକୁ ଯାଇ ଅକୃତକାର୍ଯ୍ୟ ହୋଇ ବକ୍ରତୁଣ୍ଡ ହେଲେ । ସେ ଉପମା ସମୂହ ଅପମାନିତ ହୋଇ ବାହୁଡ଼ି ଯିବାକୁ ବସିଲେ । ସେମାନଙ୍କୁ ବର୍ଜନ କରାଯାଇ ନ ପାରେ’– ଏହା ଭାବି ଗଣେଶ ଉପମାମାନଙ୍କୁ ଚଞ୍ଚଳ ଆଣି ନିଜ ଗର୍ଭରେ ରଖିବାର ଲମ୍ବୋଦର ହୋଇଅଛନ୍ତି ତଥାପି ବର୍ଣ୍ଣି ନ ପାରି ‘ଧନ୍ୟ ସୀତା’ ‘ଧନ୍ୟ ସୀତା’ ମାଳା ଯୋଗେ ଏହି ତପ କରୁଅଛନ୍ତି ।

୭ମ ପଦ–ଉଶନା–ଶୁକ୍ର । ଅନନ୍ତ ଶେଷଦେବ । ଅନନ୍ତ ଲପ–ବହୁସଂଖ୍ୟକ ମୁଖ ।

୭ମ ପଦ–ସୀତାଙ୍କର ସୌନ୍ଦର୍ଯ୍ୟ ସହିତ ଉପମାମାନଙ୍କ ଲକ୍ଷ୍ୟ ଦେବା ଉଦ୍ଦେଶ୍ୟରେ ଶୁକ୍ର ବାରମ୍ବାର ଦୃଷ୍ଟି ଦେଇ ମଧ୍ୟ ବଣା ହେଲେ । ଅବଶେଷରେ ଏକଦୃଷ୍ଟି କବି (ଶୁକ୍ରଙ୍କର ଗୋଟିଏ ଚକ୍ଷୁ) ବୋଲାଇଲେ । ତାଙ୍କୁ ଅବା କାହିଁକି କବି ମଧ୍ୟରେ ଗଣନା କରିବା ? ଗୋ ସୀତେ ! ତୁମ୍ଭର ଶୋଭାକୁ ବର୍ଣ୍ଣନା କରିବା ନିମିତ୍ତ ଶେଷଦେବ ଅସଂଖ୍ୟ ମୂଖ ଧାରଣ କଲେ, ତଥାପି ତୁମ୍ଭ ଶୋଭାକୁ ବର୍ଣ୍ଣିବାକୁ ଯିବା ସମୟରେ ମୂଖ ଲାଳଯୁକ୍ତ ହେବାରୁ ବର୍ଣ୍ଣିପାରିଲେ ନାହିଁ ।

୮ମ ପଦ–ବିଦ୍ୟାବିଶାରଦା–ସମସ୍ତ ବିଦ୍ୟାରେ ପଣ୍ଡିତା । ଶାରଦା–ସରସ୍ୱତୀ । ଧରାତନୟୀ–ସୀତା । ସୁଷମା–ପରମାଶୋଭା । ବତ୍ସଳା– ସ୍ନେହଯୁକ୍ତା । ମତିମତେ–ଇଚ୍ଛାନୁସାରେ-

୮ମ ପଦ–ହେ ସୀତେ ! ସର୍ବ ବିଦ୍ୟାରୁପିଣୀ ଶାରଦା ‘ତୁମ୍ଭର ପରମା ଶୋଭା ସହିତ ସମସ୍ତ ଉପମା ଅସମାନ ଅଟନ୍ତି–ଏହା ଅଙ୍ଗୀକାର କରିବାକୁ ଯାଇ ତୁମ୍ଭ ପାଖରେ ବିନୟୀ ହେଲେ । ଏହାଦ୍ୱାରା ତାଙ୍କର ବଡ଼ିମା ରକ୍ଷା ପାଇଲା । (ବିନୟୀ ହେଲେ ମଧ୍ୟ ବଡ଼ିମା ଊଣା ନ ହୋଇ ବର୍ଦ୍ଧିତ ହେଲା) । ହେ ଭକ୍ତବତ୍ସଳେ ସୀତେ ! ତୁମ୍ଭେ ତାଙ୍କର ଭକ୍ତିଯୁକ୍ତ ବାକ୍ୟରେ ସନ୍ତୁଷ୍ଟ ହେବାରୁ କବିମାନେ ଇଚ୍ଛାନୁସାରେ କବିତ୍ୱ ଚାତୁରୀକି ନାନାପ୍ରକାର ପ୍ରକାଶ କରୁଅଛନ୍ତି । (କବିମାନେ ସରସ୍ୱତୀଙ୍କ ବର ପୁତ୍ର)।

୯ମ ପଦ–ବିଶ୍ରୟ–ଗୁପ୍ତକଥା । କୋକନଦ–ରକ୍ତପଦ୍ମ ।

୯ମ ପଦ–ସୀତାଙ୍କ ଗମନ ସମୟରେ ତାଙ୍କ ପାଦ ବିନ୍ୟାସକୁ ଚାହିଁ କେଉଁ ରାଜା ସୁଚିତ୍ତରେ ଭାଳୁଅଛି,–ମନୋହର ଯୌବନ ହସ୍ତୀ ବିଶାଳ ଉରୁରୂପ ଥୋରହସ୍ତରେ ରକ୍ତପଦ୍ମକୁ ଚାଲୁଅଛିକି ? ତାଙ୍କ ପଦାଙ୍ଗୁଳିକୁ ନିରେଖି କେଉଁ ରାଜା କହିଲା,–ଅଶୋକ କଢ଼ିଠାରୁ ବେଶି କାନ୍ତିଯୁକ୍ତ ପଦାଙ୍ଗୁଳିରେ ମାଳା ନିର୍ମାଣ କରି ଏ କନ୍ୟା ମହୀକୁ ଦେଉଅଛିକି ।

୧୦ମ ପଦ–ଲଜ୍ଜ୍ୟା ହେତୁରୁ ସୀତାଙ୍କର ମୁଖ ଅଧୋଗତି ହୋଇ ସ୍ତନର ଅଗ୍ରଭାଗର ନିହିତ ଥିବାର ଦେଖି କେଉଁ କେଉଁ ନୃପତି ଉପମା ଦେଲେ, ମହାଦେବଙ୍କର ଅତିଶୟ ଗରଳ ତପ ଜାତ ହେବାରୁ, ସନ୍ତାପ ଶାନ୍ତି ନିମିତ୍ତ ଶୂନ୍ୟରୁ ଚନ୍ଦ୍ରମା ଖସି ଆସୁଛନ୍ତିକି (ସ୍ତନ ଶମ୍ଭୁ ସହିତ ଓ ମୁଖ ଚନ୍ଦ୍ରମା ସହିତ ଉପମିତ) । ତାଙ୍କର ଡୋଳା ଚକ୍ଷୁକୋଣରେ ଗତାଗତ ହେଉଥିବାରୁ ବୋଧହେଲା, ଚନ୍ଦ୍ରଙ୍କ ଦେହରେ ମୃଗ ବିହାର କରୁଅଛିକି ? ଅବା ଶିବଙ୍କ ବିଷଜ୍ୱାଳା ଅପସାରିତ ହୋଇ ଚାଲିଯାଉଅଛିକି ? ଏହିପରି ଦୁଇଟି ସନ୍ଦେହ ମନରେ ଜାତ ହେଲା ।

 

ବିଘଟନା ଲକ୍ଷବୃତେ କେତେ ଦକ୍ଷ ଚାହିଁ ଦେଇ ଚାରୁ ଅଳକ ।

ବିଲୋମଲୋମ ବର୍ଣ୍ଣସ୍ତୋମ ଏ କାମଦରକୁ କରତା ତାରକା ।

ବାଳାର, ବିଚିତ୍ର ତିଳକ ଶାୟକ ।

ବିଶ୍ଵକେତୁକୁ ଧନ୍ଵୀ ବୋଲି ଦଇବେ ହୋଇବ କି ଏବେ ଫରିକ ॥ ।୧୧।

 

ବୁଧାନେ ଉପମା ବିଧାନେ ଆଣିଲେ କେଶ–ବେଶ–ଜାଲି ସିନ୍ଦୂରେ ।

ବିପ୍ରଚିତ୍ତିସୁତ ମଧ୍ୟ ପାଟସୂତ୍ର ସିହାଁରୁ ଭୂଷିତ ଟୋପରେ ।

ବାଳାର, ବିଶୀର୍ଣ୍ଣ ଝିଲିମିଲି ମାଳି ।

ବିଜୃମ୍ଭିତବଶେ ଜମ୍ଭାଦି ଦନ୍ତାଳ ଉତ୍ତଂସ ଘେନି ଦିଶେ ଝଳି ॥ ।୧୨।

 

ବିଲକ୍ଷିତ କଲେ କ୍ଷିତି କ୍ଷତ୍ରିକୁଳେ ପ୍ରଦୀପ୍ତ ତାଟଙ୍କ ଅନାଇ ।

ବିଶ୍ଵକେତୁତମ ଘୋଟିତ ଜନରେ ପ୍ରସନ୍ନ ଦରଶନ ପାଇଁ ।

ବାଳା ଯେ, ବିଲମ୍ବାଇ ବେନି ପ୍ରଦୀପ ।

ବିଜ୍ଜ୍ଵଳିତକାରୀ ରତନ ଝୁଣାରେ ଯତନ ଦିଶଇ ସ୍ଵରୂପ ॥ ।୧୩।

 

ବ୍ୟକ୍ତିଏ ଓଷ୍ଠ ପରା ତୋରା ସୁରଙ୍ଗେ ପରମ୍ପରା ନାହିଁ କେ ଭାଳି ।

ବଳେ ତାମ୍ବୁଳେ କ୍ଷାଳିତ ବୁଦ୍ଧିବଳେ ଦେଲେଟି ତାହା ଦର୍ପ ଦଳି ।

ବାଳାର, ବିମ୍ବ ଗଣ୍ଡଚିତ୍ର ଅନାଇଁ ।

ବିକ୍ଷପ୍ତ ରସ ହରଷ ହାସପୂର୍ଣ୍ଣ ସ୍ଥାନ ଏକେ ଲକ୍ଷ ମିଶାଇ । ।୧୪।

 

ବଲ୍‌ଗୁ ଚିବୁକେ କସ୍ତୁରୀ ଜାଣି କେହି ସୁମରେ ତିଳ କୁସୁମରେ ।

ବଶରେ ଯାଉଁ ଭ୍ରମର ଶ୍ଵାସବଶେ ପାତକୀ ଲାବଣ୍ୟ ଭ୍ରମରେ ।

ବାଳାର, ବିଲମ୍ବମାଳା ଫୁଲି ଦେଖି ।

ବାନା ଚରମ ମନୋରମ ପ୍ରଭାରେ ବନ୍ଧା କେ ଏମନ୍ତ କେ ପୋଖି ॥ ।୧୫।

 

୧୧ଶ ପଦ–ଦକ୍ଷ–ନିପୁଣ ବା ପ୍ରବୀଣ । ବର୍ଣ୍ଣସ୍ତୋମ–ବର୍ଣ୍ଣସମୂହ । ଶାୟକ–ଖଡ଼୍‌ଗ । ବିଶ୍ୱେକେତୁ–କନ୍ଦର୍ପ । ଧନ୍ୱୀ–ଧନୁର୍ଦ୍ଧର । ଫରକ–ପ୍ରଭେଦ ।

୧୧ଶ ପଦ–ମନୋହର ଚୂର୍ଣ୍ଣ କୁନ୍ତଳକୁ (କୁଞ୍ଚିତ କାଶକୁ) ଚାହିଁଦେଇ କେତେକ ଚତୁର ରାଜା ଲକ୍ଷ୍ୟକଲେ ଯେ, ଏହା ‘ଲାମ ବିଲୋମ’ ଓଲଟପାଲଟ ହୋଇ ରହିଥିବା ଅକ୍ଷର ଶ୍ରେଣୀ । ଆଉ ମଧ୍ୟ ଏହା କନ୍ଦର୍ପ ଭୟର କାରକ ଓ କନ୍ଦର୍ପ ଭୟର ତ୍ରାଣକର୍ତ୍ତା ଅଟେ । (କେହି କେହି ଏହାକୁ ଦେଖି କନ୍ଦର୍ପ ପୀଡ଼ିତ ହେବ, ଆଉ ମଧ୍ୟ କାହାର କନ୍ଦର୍ପପୀଡ଼ା ଦୂର ହେବ) । କନ୍ଦର୍ପ ଦେବଯୋଗରେ ଧନୁର୍ଦ୍ଧର, ମାତ୍ର ସୀତାଙ୍କର ଆଶ୍ଚର୍ଯ୍ୟ ତିଳକ ଖଡ଼୍‌ଗପରି ଶୋଭମାନ, ତେଣୁ କେହି ମନେକଲେ, କନ୍ଦର୍ପ ଏବେ ଖଡ଼୍‌ଗଧାରୀ ହେଲାକି ?(ସୀତା କନ୍ଦର୍ପଠାରୁ ଧନୁଶର ଛଡ଼ାଇ ନେଇ ତାହାର ଚିରାଚରିତ ଖ୍ୟାତି ଲୋପ କଲେକି ? ଏଠାରେ ସୀତାଙ୍କର ଲଲାଟପଟ ଫରି ଓ ବିକଳ ଖଣ୍ଡାରୂପେ କଳ୍ପିତ ।)

୧୨ଶ ପଦ–ବୁଧାନେ–ପଣ୍ଡିତମାନେ । ବିପ୍ରଚିତ୍ତସୁତ–ରାହୁ । ବିଜୃମ୍ଭିତବଶେ–ହାଇ ମାରିବାଦ୍ୱାରା ।

୧୨ଶ ପଦ–ପଣ୍ଡିତମାନେ କେଶରେ ମଣ୍ଡିତ ହୋଇଥିବା ମୋତିଜାଲି ଓ ସିନ୍ଦୁର ଗାରକୁ ଦେଖି ଉପମା ଦେଲେ, ରାହୁ ମଧ୍ୟଦେଶ ପାଟସୁତ୍ରଦ୍ୱାରା ସିଆଁ ହୋଇଥିବା ଟୋପିରେ ଭୂଷିତ ହୋଇଅଛିକି ? (କେଶ ରାହୁସହିତ, ମୁକ୍ତାଜାଲି ଟୋପି ଓ ସିନ୍ଦୁରଗାର ପାଟସୁତା ସହିତ ଉପମିତ)। ସୀତାଙ୍କର ବିପୁଳ ଝିଲିମିଲି ମାଳି ଓ କର୍ଣ୍ଣାବତଂସ ନାମକ ଭୂଷଣ ଦେଖି ମନେହେଲା,-– ସେହି କେଶ–ରାହୁ ହାଇ ମାରିବା ଛଳରେ ମୁଖ ମଧ୍ୟସ୍ଥିତ ଦନ୍ତର ଶୋଭାକୁ ଦେଖାଉ ଅଛି କି-?

୧୩ଶ ପଦ–କ୍ଷିତିକ୍ଷତ୍ରି କୁଳେ–ରାଜାମାନେ । ବିଶ୍ୱକେତୁ–କନ୍ଦର୍ପ । ତମ–ଅନ୍ଧକାର ।

୧୩ଶ ପଦ–ରାଜାମାନେ ସୀତାଙ୍କ କର୍ଣ୍ଣସ୍ଥିତ ଉଜ୍ଜ୍ୱଳ ତାଟଙ୍କ ଦ୍ୱୟକୁ ଦେଖି ଲକ୍ଷ୍ୟକଲେ,–କନ୍ଦର୍ପର ଅନ୍ଧକାରରେ ଆଚ୍ଛନ୍ନ ହୋଇଥିବା ଲୋକଙ୍କୁ ଆଲୋକ ଦେବାପାଇଁ ସୀତା ତାଙ୍କର କର୍ଣ୍ଣରେ ଦୁଇଟି ପ୍ରଦୀପ ଧାରଣ କରି ତାହାକୁ ରତ୍ନଝୁଣାରେ ପ୍ରଜ୍ଜ୍ୱଳିତ କରୁଅଛନ୍ତିକି ? ସେହି ଆଲୋକରେ ତାଙ୍କ ଶରୀର ସୁନ୍ଦର ଦିଶୁଅଛି ।

୧୪ଶ ପଦ–ସୁରଙ୍ଗେ–ରକ୍ତମାରେ । କ୍ଷାଳିତ–ଧୌତ । ବିମ୍ବଗଣ୍ଡ–ଦର୍ପଣ ତୁଲ୍ୟ ଗଣ୍ଡମଣ୍ଡଳ । ରସ–ସ୍ନେହ ।

୧୪ଶ ପଦ–(ପାନ ବୋଳରେ ରକ୍ତବର୍ଣ୍ଣ ଧାରଣ କରିଥିବା ଅଧରକୁ ଦେଖି) କେହି ରାଜା ଭାବିଲେ, ‘ଏହାଙ୍କ ଅଧର ସମାନ ଗାଢ଼ ରକ୍ତବର୍ଣ୍ଣ ପଦାର୍ଥ ଆଉକିଛି ନାହିଁ । ତେଣୁ ତାମ୍ବୁଳ ଭକ୍ଷଣର ଛଳନାରେ ଏ ନିଜ ଅଧରକୁ ଧୋଇ ପାନର ଗର୍ବକୁ ଖର୍ବ କରିଦେଇଛନ୍ତି ।’ ତାଙ୍କର ଦର୍ପଣ ପରାୟ ଗଣ୍ଡମଣ୍ଡଳରେ ଅଧିଷ୍ଠିତ ହୋଇଥିବା ମକରୀ ଚିତ୍ରକୁ ଅନାଇ କେଉଁ ରାଜା ବିଚାର କଲା, ‘‘ଅନୁରାଗ, ପ୍ରମୋଦ, ହାସ୍ୟ ଏ ତିନିହେଁ ଏକତ୍ରିତ ହୋଇ ଏକାକାର ଧାରଣା କଲେ–ଏ ଲକ୍ଷ୍ୟକୁ ମଧ୍ୟ ସେ ଶୋଭା ଫିଙ୍ଗି ଦେଉଅଛି ।(ଏ ତିନିହେଁ ଏକାକାର ହୋଇ ମଧ୍ୟ ତା ସହିତ ସମାନ ନୁହନ୍ତି)।’’

୧୫ଶ ପଦ–କଲ୍‌ଗୁ–ସୁନ୍ଦର । ଚରମ–ପୃଷ୍ଠଦେଶ ।

୧୫ଶ ପଦ–ମନୋହର ଚିବୁକରେ ମୃଗମନ୍ଦ ଭ୍ରମରୀକୁ ଚାହିଁ କେଉଁ ରାଜା ଭାବିଲେ, ‘ନାସିକାକୁ ତିଳ ଫୁଲ ମନେକରି ଭ୍ରମବଶତଃ ଗୋଟିଏ ଭ୍ରମର ତା’ ପାଖକୁ ଯାଉ ଯାଉ ନିଶ୍ୱାସ ପବନର ଆଘାତରେ ଜଳଭଉଁରୀ ରୂପ ଚିବୁକ ମଧ୍ୟରେ ପଡ଼ିଗଲାକି ?’ ପୁଣି ପୃଷ୍ଠ ଭାଗରେ ଲମ୍ବମାନ ଫୁଲ ସବୁ ଦେଖି ମନେହେଲା, ପୃଷ୍ଠ ଭାଗରେ ଶୋଭା ଜଗତରେ ଅନୁପମ ବୋଲି ତହିଁରେ ବାନା ବନ୍ଧା ହୋଇଛିକି ?

 

ବାଜନ୍ତି ରସନା ବଳା ବରଜନା ନୂପୁର ପ୍ରଚାର ମାଧୁର୍ଯ୍ୟ ।

ବୋଲନ୍ତି ରସ ନା ବଳା ନା ସୁମନା ତ୍ରିପୁର ଶୋଭାଟି ଏ ହେଜ ।

ବାଳାର, ବପୁସଙ୍ଗରଙ୍ଗୁ ପଣ୍ଡିତ ।

ବ୍ୟକତ ଭଙ୍ଗାଭଙ୍ଗ ଦତ୍ତାକ୍ଷର ଯେ ଚ୍ୟୁତଦତ୍ତାକ୍ଷରେ ମଣ୍ଡିତ ॥ ।୧୬।

 

ବୁଝି ଏ ଶବଦ ରାଜନେ ସ୍ତବଦ ବୀରାୟୁଧମାନ ପତନ ।

ବଦାବଦି ଯାଇଥିଲେ ଲାଜେ କେହି ଏ ଶୋଭା ହୁଅନ୍ତା ଦର୍ଶନ ।

ବାଳା ଯେ, ବରଣମାଳା ଧରିଥିଲେ ।

ବ୍ରୀଡାସଂଯୁତେ ଉତକଣ୍ଠୀ ସୁକଣ୍ଠୀରାମ ଗଳାରେ ଲମ୍ବାଇଲେ ॥ ।୧୭।

 

ବର୍ଯ୍ୟା ପ୍ରଭାଙ୍ଗୀ କୋଣିଆଇ ଅନାଇସେ ଭଙ୍ଗୀ ଧୈର୍ଯ୍ୟେ ଭଙ୍ଗି ହେଲା ।

ବାହୁଡ଼େ ହୁଡ଼େ ସେ ପଥରେ ମନ୍ଥରେ ମନ ପାଲଟ କରି ନେଲା ।

ବାହୁର, ବିମଳ ଚମ୍ପାଦାମ ଭାବ ।

ବାହୁଡ଼ାଇ ଧନ ଈଶ ହେବା ଦିନ ଦେବାକୁ ବିଚାରେ ରାଘବ ॥ ।୧୮।

 

ବର୍ତ୍ତୀ ହୋଇ ଗଲା ଯୁବତୀରତନ ନେତ୍ରରୋଗ ଗଲା ନିବର୍ତ୍ତି ।

ବିସ୍ମାପନ ରଚି ଜାଲିକ ଯେମନ୍ତ ଦେଖାଇ ହରଇ ତଡ଼ତି ।

ବାଳାର, ବିଲୋଚନ ସେହି ପ୍ରକାର ।

ବିସର୍ଜନେ ସଭା ରାଜନେ ଗମିଲେ ସ୍ଥିତ ରାମ ଆରାମପୁର ॥ ।୧୯।

 

ବିଭା ମଙ୍ଗଳ କାଲି ପରି କରିବା ବିଶ୍ଵାମିତ୍ରେ କହେ ଜନକ ।

ବିରୋଧିଲେ ଶୁଣି ସେ ବାଣୀ ଲକ୍ଷ୍ମଣ କି ବିଭା ନ ଜାଣି ଜନକ ।

ବହତୁ, ବହନ ଶତାନନ୍ଦ ହେଲେ ।

ବିଂଶ ପଦେ ଶେଷ ଶେଷଶାୟୀ ଚିନ୍ତି ଉପଇନ୍ଦ୍ର ଭଞ୍ଜ କହିଲେ । ।୨୦।

 

୧୬ଶ ପଦ–ସୀତାଙ୍କୁ ସଖୀମାନେ ପହଣ୍ଡ ମଣାଇ ନେବା ସମୟରେ ରସନା, ବଳା ଓ ନୂପୁର ବାଜିବା ଛଳରେ କହୁଅଛନ୍ତି, ‘ହେ ରାଜାମାନେ ! ସୀତାଙ୍କଠାରେ ରସନା (ରସ ନାହିଁ)– ଏ ଭଙ୍ଗ ହେଲା । ‘ବଳାନା ସୁମନ’–ଉତ୍ତମ କରି ମନକୁ ବଳାଅ ନାହିଁ–(ବଳା ଶବ୍ଦରେ ନା ସୁମନ ଦତ୍ତ ହେବାରୁ ଅଭଙ୍ଗ ଦତ୍ତାକ୍ଷର ହେଲା) । ନୂପୁର ଶବ୍ଦର ଆଦ୍ୟବର୍ଣ୍ଣ ‘ନୂ’ ଚ୍ୟୁତ ହୋଇ ‘ତ୍ରି’ ଦତ୍ତ ହେଲା ଓ ପ୍ରାନ୍ତରେ ‘ଶୋଭୀ’ ଦତ୍ତ ହୋଇ ତ୍ରିପୁର ଶୋଭି ହେଲା; ତେଣୁ ନୂପୁର କହିଲା, ‘ଏ ତ୍ରିପୁରଶୋଭା’ ( ଏ ଚ୍ୟୁତ ଦତ୍ତାକ୍ଷର ) । ( ଏହିପରି ରସନା, ବଳା ଓ ନୂପୁର ନାଦ ଛଳରେ ଭଙ୍ଗ, ଅଭଙ୍ଗ, ଦତ୍ତାକ୍ଷର ଓ ଚ୍ୟୁତ ଦତ୍ତାକ୍ଷରରେ ରାଜାମାନଙ୍କୁ କହୁ ଅଛନ୍ତି, ଏ ତ୍ରିପୁର ଶୋଭିନୀ ସୀତାଙ୍କଠାରେ ରସ ନାହିଁ କିମ୍ବା ମନ ବଳାଅ ନାହିଁ ) । ( ନିର୍ଜୀବ ପଦାର୍ଥ ସବୁ କିପରି କଥା କହିଲେ ?) ସୀତାଙ୍କର ଅଙ୍ଗ ସଙ୍ଗରେ ରହି ସେମାନେ ପଣ୍ଡିତ ହୋଇ ଅଛନ୍ତି; ତେଣୁ ଭଙ୍ଗ, ଅଭଙ୍ଗ, ଦତ୍ତାକ୍ଷର ମଣ୍ଡିତ ବାକ୍ୟମାନ କହିଲେ ।

୧୭ଶ ପଦ–ବୀରାୟୁଧ–ବୀରମାନଙ୍କର ଅସ୍ତ୍ର ଶସ୍ତ୍ର । ବ୍ରୀଡ଼ା–ଲଜ୍ଜା ।

୧୭ଶ ପଦ–ଏ ଶବ୍ଦ (ଅଳଙ୍କାରମାନଙ୍କର ବାକ୍‌ଚାତୁରୀ ଛଳରେ ଯେ ଶବ୍ଦ ହେଲା) ବୁଝିପାରି ରାଜାମାନେ ସ୍ତମ୍ଭୀଭୂତ ହୋଇଗଲେ । ତାହାଙ୍କ ହାତରୁ ବୀରର ଭୂଷଣ ଅସ୍ତ୍ରଶସ୍ତ୍ର ସବୁ ଖସିପଡ଼ିଲା । ସେମାନେ ପରସ୍ପରରେ କୁହାକୁହି ହେଲେ, ‘‘ଆମ୍ଭେମାନେ ଲଜ୍ଜାପାଇ ଏଠାରୁ ପଳାଇ ଯାଇଥିଲେ, ଏ ସୀତାଙ୍କ ଶୋଭା କିପରି ଦର୍ଶନ ହୋଇଥାନ୍ତା ?’’ ବରଣମାଳାଧାରିଣୀ ସୁକଣ୍ଠୀ ସୀତା ଲଜ୍ଜାଯୁକ୍ତ ହୋଇଯାଇ ଉଦ୍‌ବିଗ୍ନ ମନରେ ଚାହିଁଥିବା ରାମଚନ୍ଦ୍ରଙ୍କ ଗଳାରେ ମାଳା ଲମ୍ବାଇ ଦେଲେ ।

୧୮ଶ ପଦ–ବର୍ଯ୍ୟା–ସ୍ୱୟଂବରା । ଚମ୍ପାଦାମ–ଚମ୍ପାମାଳା । ଈଶ–ମହାଦେବ ପଦ ।

୧୮ଶ ପଦ–ସ୍ୱୟଂବରା ଶୋଭାଙ୍ଗୀ ସୀତା (ବରଣମାଳା ଦେବା ସମୟରେ) କୋଣିଆଇ ଅନାଇବାରେ ଯେ ଭଙ୍ଗୀ ପ୍ରକାଶ କଲେ, ତଦ୍ଦ୍ୱାରା ରାମଚନ୍ଦ୍ରଙ୍କର ଧୈର୍ଯ୍ୟଭଙ୍ଗ ହେଲା । ବରଣମାଳା ଦେଇସାରି ସୀତା ମନ୍ଥର ଗତିରେ ଫେରିଗଲାବେଳେ ପଥ ହୁଡ଼ିଗଲେ; କାରଣ ରାମଚନ୍ଦ୍ରଙ୍କୁ ନିଜ ମନଦେଇ ପକାଇଥିଲେ । (ରାମଚନ୍ଦ୍ରଙ୍କ ଦର୍ଶନରେ ବିହ୍ୱଳ ହୋଇ ପଡ଼ିଥିଲେ) । ସୀତା ଫେରିଯିବାରୁ ରାମଚନ୍ଦ୍ର ଭାବନା କଲେ–ସେ ଚମ୍ପାମାଳା ସଦୃଶ ବାହୁ ଦ୍ୱୟକୁ ମୋ ଗଳାରେ ନ ଦେଇ ଫେରାଇ ନେଲା କାହିଁକି ? ଇଶ୍ୱରଙ୍କୁ ସିନା ଚମ୍ପାମାଳ ଦିଆଯାଏ, ମୁଁ ଯେଉଁ ଦିନ ‘ଇଶ’ ସ୍ୱାମୀ ହେବି, ସେହି ଦିନ ସୀତା ମୋ ମାଳାକୁ ମୋ ଗଳାରେ ଦେବ ।

୧୯ଶ ପଦ–ବର୍ତ୍ତୀ–ନେତ୍ରାଞ୍ଜନ ବା ନେତ୍ରରୋଗରେ ଔଷଧ ବିଶେଷ । ବିସ୍ମାପନ–କୁହୁଳ । ଆରାମପୁଆ–ଉପବନସ୍ଥିତ ଗୃହ ।

୧୯ଶ ପଦ–ଯୁବତୀରତନ ସୀତା ନେତ୍ରାଞ୍ଜନସ୍ୱରୂପ ହେଲେ, ତଦ୍ୱାରା ରାମଚନ୍ଦ୍ରଙ୍କ ନେତ୍ରରୋଗ ଦୂର ହେଲା (ସୀତାଙ୍କୁ ଦେଖିବା ପାଇଁ ରାମଙ୍କର ଯେ ବ୍ୟାକୁଳତା ଥିଲା ତାହା ଦୂର ହେଲା)। ଐନ୍ଦ୍ରଜାଲିକ ଯେପରି କୁହୁକ ରଚନା କରି, କିଛି ଜିନିଷ ଦେଖାଇ ହଠାତ୍ ହରଣ କରିନିଏ, ସେହିପରି ସୀତାଙ୍କର ଦର୍ଶନ ହେଲା (ସୀତା ହଠାତ୍ ସଭା ମଧ୍ୟକୁ ଆସି ଦେଖାଦେଇ ପୁଣି ଚାଲିଗଲେ) ତତ୍‌ପରେ ସଭା ଭଗ୍ନ ହେବାକୁ ରାଜାମାନେ ବାହୁଡ଼ି ଗଲେ (ସ୍ୱ ସ୍ୱ ଦେଶକୁ ଫେରିଗଲେ) । ରାମଚନ୍ଦ୍ର ଜନକଙ୍କ ଉପବନରେ ଥିବାଗୃହରେ ରହିଲେ ।

୨୦ଶ ପଦ–ଜନକ ବିଶ୍ୱାମିତ୍ରଙ୍କୁ କହିଲେ, ‘ବିବାହୋତ୍ସବ କାଲି କିମ୍ବା ପଅର ଦିନ କରିବା-।’ ସେ କଥାରେ ବାଧା ଦେଇ ଲକ୍ଷ୍ମଣ କହିଲେ, ‘ପିତା ନ ଜାଣିଲେ ବିଭାଘର କିପରି ହେବ-?’ (ଏହାଦ୍ୱାରା ପିତୃଭକ୍ତିର ପରାକାଷ୍ଠା ଜଣାଗଲା) । (ଏହା ଶୁଣି ଜନକ ରାଜା ଶତାନନ୍ଦଙ୍କୁ ଦଶରଥଙ୍କ ପାଖକୁ ପଠାଇଲେ) । ‘ଶଦାନନ୍ଦ’ ଗୌତମ ମହର୍ଷିଙ୍କ ପୁତ୍ର ଶୀଘ୍ର ଦୂତ ହୋଇଗଲେ । ଉପେନ୍ଦ୍ର ଭଞ୍ଜ ନାରାୟଣଙ୍କୁ ଚିନ୍ତା କରି ଏ ଛାନ୍ଦ ବିଂଶ ପଦରେ ଶେଷ କଲେ ।

 

ଦ୍ୱାଦଶ ଛାନ୍ଦ

(ରାଗ–ବରାଡୀ, ଆଷାଢ଼ଶୁକ୍ଳବାଣୀ)

ବିଭା ବରି ସାରି ବିଳମ୍ବ ଶୁଣି

ବିଭାବରୀ ହେଉଁ ରମଣୀମଣି

 

ବିଭାବରୀଚରୀ ଘୋଟିଲା ଗ୍ରାସେ

ବିଭାବ ରୀତିରୁ ନିଦ୍ରା ନ ଆସେ

 

ବିରହେ ଭାଷେ ସେ

 

ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ

।୧।

 

 

 

 

 

ବାସରେ ନିନ୍ଦେ ସଜସରୋଜ ଯେ

ବାସରେ ତା ପାଶେ ଭ୍ରମ ଉପୁଜେ

 

ବାସରେ ଯୁଗ କରଇ ବିଚାର

ବାସରେ ଯୁଗ ନୋହୁଁ ପଞ୍ଚଶର

 

ବିନାଶିଲେ ପୁନଃ

 

ବିନା ଗତିରେ ତ ଗଲା ଜୀବନ

।୨।

 

 

 

 

 

ବିରୋଚନ ହେଲା ସୁଧା ଆହାର

ବିରୋଚନକ’ଣ କର୍ପୂର ଚୂର

 

ବିରୋଚନ ଉଦେ ହୋଇବା ଚାହିଁ

ବିରୋଚନ କର ନ ଛାଡ଼େ କହି

 

ବୟସୀଙ୍କ ସାର

 

ବୟସି ! ମେରୁ ହେଲା ଆମ୍ଭ ପୁର

।୩।

 

 

 

 

 

ବସନ୍ତ ଋତୁ ବଶୁଁ ମତ୍ତଭରେ

ବସନ୍ତ ରସାଳ ତରୁ ଉପରେ

 

ବସନ୍ତଦୂତ ବୃତ ଉଚ୍ଚସ୍ଵରେ

ବସନ୍ତବସନା ଅଗସ୍ତ୍ୟ ସ୍ମରେ

 

 

 

 

ବ୍ୟାଧିଘାତକର

 

ବ୍ୟାଧିଘାତ ଗୁଚ୍ଛୁଁ ଉଡ଼ୁ ଭ୍ରମର

।୪।

 

 

 

 

 

ବାରେ ବାରେ ଶିବ ଶିବ ସେ ଘୋଷେ

ବାରେ ବାରେ ବ୍ରତମାନ ମନାସେ

 

ବାରେ ବାରେ ନାହିଁ ମୂର୍ଚ୍ଛାରେ ସଖୀ

ବାରେ ବାରେ ଭୟ ସଂଶୟ ରଖି

 

ବନରୁହନାଡ଼

 

ବନଜାକ୍ଷୀ ଦେଖି ଚିନ୍ତୁ ଗରୁଡ଼

।୫।

 

୧ମ ପଦ–ବିଭାବରୀ–ରାତ୍ରି । ବିଭାବରୀଚରୀ–ରାତ୍ରିଚରୀ ବା ରାକ୍ଷସୀ ।

୧ମ ପଦ–ରମଣୀଶ୍ରେଷ୍ଠା ସୀତା ବରଣମାଳା ଦେଇ ସାରିଲା ପରେ ବିବାହ ବିଳମ୍ବରେ ହେବ ବୋଲି ଶୁଣିଲେ । ରାତ୍ରି ହେବାରୁ ସେ ମନେକଲେ, ‘ରାତ୍ରି ରୂପୀ ରାକ୍ଷସୀ ମୋତେ ଗ୍ରାସ କରିବାପାଇଁ ଆସି ଆକର୍ଷଣ କଲାକି ?’’ ଏହିପରି ବିଶେଷ ଭାବନା କରିବାରୁ ନିଦ ହେଲା ନାହିଁ-। ସେ ବିରହ ଜଳରେ ଭାସି କହିଲେ, ‘‘ହେ ବୀର, ତୁମ୍ଭେ ତାଡ଼କୀ ତ୍ରାସରୁ ମୁନିମାନଙ୍କୁ ରକ୍ଷା କରିଛ, ମୋତେ ଏ ରାତ୍ରି–ରାକ୍ଷସୀ ଭୟରୁ ରକ୍ଷା କର । (ମୋର କାମ ବିକାର ବିନାଶ କର) ।’

୨ୟ ପଦ–ବାସରେ–ସୁଗନ୍ଧରେ । ବାସରେ–ବସ୍ତ୍ରରେ । ବାସରେ–ଦିବସକୁ । ବାସରେ–କେଳିଗୃହରେ । ପଞ୍ଚଶର–କନ୍ଦର୍ପ ।

୨ୟ ପଦ–ଯାହାଙ୍କର ଅଙ୍ଗ ସୌରଭଦ୍ୱାରା ସଦ୍ୟ ବିକଶିତ ପଦ୍ମ ପରାସ୍ତ ହୁଏ, ସେହି ସୀତା ନିଜର ବସନକୁ ବନ୍ଧନ ରଜ୍ଜୁପରି ମନେକଲେ । ଦିବସକୁ ଯୁଗ ସମାନ ବିଚାର କଲେ । ପୁଣି ଭାବିଲେ, କେଳିଗୃହରେ (ରାମଚନ୍ଦ୍ରଙ୍କ ସହିତ) ମିଳନ ନ ହେଉଣୁ କନ୍ଦର୍ପ ମୋତେ ବିନାଶ କଲେ, ବିନା ଗତିରେ ମୋର ଜୀବନ ଯିବ ସିନା ! (ସ୍ତ୍ରୀର ଏକମାତ୍ର ଗତି ସ୍ୱାମୀ) ।

୩ୟ ପଦ–ବିରୋଚନ–ଅରୁଚି । ବିରୋଚନକ’ଣ–ଅଗ୍ନିକଣା । ବିରୋଚନ–ଚନ୍ଦ୍ର । ବିରୋଚନ କର–ସୂର୍ଯ୍ୟକିରଣ ।

୩ୟ ପଦ–ସୀତାଙ୍କୁ ଅମୃତତୁଲ୍ୟ ଭୋଜନ ଅରୁଚି ହେଲା, କର୍ପୂର ଚୂର୍ଣ୍ଣ ଅଗ୍ନିକଣା ପରି ବୋଧହେଲା । ଚନ୍ଦ୍ର ଉଦିତ ହେବାର ଦେଖି ସୀତା ଜଣେ ବିଶ୍ୱସ୍ତା ସଖୀକୁ କହିଲେ, ‘‘ହେ ସଖୀ ! ଆମ୍ଭ ଗୃହ ମେରୁପର୍ବତ ହେଲାକି ? ତେଣୁ ସୂର୍ଯ୍ୟ କିରଣ ସର୍ବଦା ରହିଅଛି । (ମେରୁ ପର୍ବତରେ ସୂର୍ଯ୍ୟ କିରଣ ସର୍ବଦା ରହିଥାଏ । ବିରହବଶରୁ ସୀତା ଚନ୍ଦ୍ରର ସୁଶୀତଳ ଜ୍ୟୋସ୍ନାକୁ ସୂର୍ଯ୍ୟର ପ୍ରଖର କିରଣ ପ୍ରାୟ ମନେକଲେ) ।

୪ର୍ଥ ପଦ–ରସାଳତରୁ–ଆମ୍ବଗଛ । ବସନ୍ତଦୂତ–କୋକିଳ । ବସନ୍ତ ବସନା–ପୀତବସନା-। ବ୍ୟାଧିଘାତ–ସୁନାରୀଗଛ ।

୪ର୍ଥ ପଦ–କୋକିଳ ବସନ୍ତକାଳ ହେତୁରୁ ମତ୍ତହୋଇ ଆମ୍ବ ଗଛରେ ବସି ଉଚ୍ଚସ୍ୱରରେ ଶବ୍ଦ କରନ୍ତେ, ବସନ୍ତବସନା ସୀତା ଅଗସ୍ତ୍ୟ ଋଷିଙ୍କୁ ସ୍ମରଣ କଲେ । (ବଜ୍ର ଶବ୍ଦ ହେଲାବେଳେ ଅଗସ୍ତ୍ୟ ଋଷିଙ୍କୁ ସ୍ମରଣ କରାଯାଏ–ବିରହ ହେତୁ କୋକିଳ ରବ ସୀତାଙ୍କୁ ବଜ୍ର ଶବ୍ଦ ପ୍ରାୟ ପ୍ରତୀତ ହେଲା) । ଭ୍ରମର ଗୁଞ୍ଜନ କରି ସୁନାରୀ ଫୁଲ ପାଖରେ ଉଡ଼ନ୍ତେ, ତଦ୍ଦ୍ୱାରା ତାଙ୍କର ଯନ୍ତ୍ରଣା ବର୍ଦ୍ଧିତ ହେଲା ।

୫ମ ପଦ–ବାରେ ବାରେ–ପୁନଃ ପୁନଃ । ବାରେ ବାରେ–ରବି ସୋମାଦି ବାରମାନଙ୍କରେ-। ବାରେ ବାରେ–ନିବାରଣ ବା ନିଷେଧ କରିବାରେ । ବନରୁହନାଡ଼–ପଦ୍ମନାଡ଼ । ବନଜାକ୍ଷୀ–ପଦ୍ମାକ୍ଷୀ ।

୫ମ ପଦ–ଏହି ବିରହ ତାପରୁ ରକ୍ଷାପାଇବା ପାଇଁ ସୀତା ଥରକୁ ଥର ଶିବ ନାମ ଉଚ୍ଚାରଣ କଲେ । ପୁଣି ରବି, ସୋମ ଇତ୍ୟାଦି ବାରମାନଙ୍କରେ (ଦିନାଧିପତିଙ୍କ ସନ୍ତୁଷ୍ଟ ପାଇଁ) ବ୍ରତ ମନାସ କଲେ । ବାରମ୍ବାର ମୂର୍ଚ୍ଛା ହେବାରୁ ସଖୀମାନେ ଭୟ ଓ ସଂଶୟ ଚିତ୍ତରେ ଅସ୍ଥିର ହୋଇ ପଙ୍ଖା କଲେ ଓ ପାଣି ଛାଟି ଚେତା କରାଇଲେ । ପୁଣି କହିଲେ, ‘‘ହେ ସଖୀ । ତୁମ୍ଭେ ପଦ୍ମନାଡ଼କୁ ଦେଖି ସର୍ପ ମନେକରି ଗରୁଡ଼କୁ ଚିନ୍ତା କରୁଅଛ ।’’(ସାମାନ୍ୟ କଥାକୁ ଅତି ବଡ଼ ବୋଲି ମନେକରୁଅଛ ।)

 

ବିଶ୍ଵସ୍ଥ ସଖୀଜନଙ୍କୁ କଥିତ

ବିଶ୍ଵସ ଜନେ ବୋଲନ୍ତି ମରୁତ

 

ବହଇ ପୁଣ ବ୍ୟାଧି ନାମ ସେହି

ବହଇ ମନ୍ଦଗୁଣେ ହୋଇ ସ୍ନେହୀ

 

ବିଧିରେ ଅସୁର

 

ବିଧିରେ ସୁର କଲେ ପୁରନ୍ଦର

।୬।

 

 

 

 

 

ବିଶଦକର ଗୋଟାଏ ଆହୁରି

ବିଶ(ସ)ଦ ମାର୍ଗରେ ଗମନ କରି

 

ବିଦ୍ୟାଗୁରୁ ପତ୍ନୀ ହରଣେ ଆଗ

ବିଦ୍ୟାଂଶୁ କଳଙ୍କ ଧରଇ ଅଙ୍ଗ

 

ବିଷର ସୋଦର

 

ବିସୋର ନୁହେଁ ବାରୁଣୀ ଆଦର

।୭।

 

 

 

 

 

ବିଗ୍ରହଯାକହିଁ ଯାଇଛି ପୋଡ଼ା

ବିଗ୍ରହ ମୋର ସେ ପ୍ରେତର ଲୋଡ଼ା

 

ବାମଲୋଚନା ବୋଲି ଛାଡ଼ି ନାହିଁ

ବାମମାର୍ଗରେ ଯୋଗଭଙ୍ଗ ଧ୍ୟାଇ

 

ବିହଗ ଯୋଡ଼ାଏ

 

ବିହକ ପୁଣି ଏହାକୀ ପୀଡ଼ାଏ

।୮।

 

 

 

 

 

 

 

 

 

 

ବକୁଳ ଆସବ ପାନେ କେ ରଟେ

ବ୍ୟାକୁଳଦାତା ଜନିତ କରଟେ

 

ବିମୁଖ କରେ ମଧୁରେ ଧିଆନ

ବ୍ୟତ୍ରକେ ପାନ ଯେ ନ କରେ ଆନ

 

ବଧ ମୋ ଇଚ୍ଛନ୍ତି

 

ବୃଜିନୀ ପାଞ୍ଚ ପାଞ୍ଚ କରିଛନ୍ତି

।୯।

 

 

 

 

 

ବୋଧଇ ଆଳୀ ଯେ ଏହି ନିମିତ୍ତ

ବିପାକକର୍ମ ପାକ ହେଲା ମିତ

 

ବଳି କର୍ମେ ଅଛି ଇନ୍ଦ୍ର ପଦବୀ

ବାସବ ବଜ୍ର ପ୍ରହାରେ ନ ଦ୍ରବି

 

ବାମନ ରକ୍ଷଣ

 

ବିମନ ନୋହି ବିଚାର ତକ୍ଷଣ

।୧୦।

 

୬ଷ୍ଠ ପଦ–ମରୁତ–ପବନ, ନଷ୍ଟ ହେଉ । ବିଧିରେ–ମୂର୍ଖତା ହେତୁ । ସୁର–ଦେବତା । ପୁରନ୍ଦର–ଇନ୍ଦ୍ର ।

୬ଷ୍ଠ ପଦ–(ବିରହ ଯନ୍ତ୍ରଣା ଯୋଗୁ ମୃଦୁ ମୃଦୁ ମନ୍ଦପବନ ସୁଦ୍ଧା ପୀଡ଼ାଦାୟକ ବୋଧ ହେବାରୁ ) ସୀତା ତାଙ୍କର ବିଶ୍ୱାସୀ ସଖୀମାନଙ୍କୁ କହିଲେ, ‘‘ସଂସାରର ଲୋକମାନେ ‘ମରୁତ’ ପବନ ବୋଲି ଯାହା କହନ୍ତି ତାହା ‘ମରୁତ’–ନଷ୍ଟ ହେଉ ।” ପୁଣି ସେ ବାତ ଅର୍ଥାତ୍ ଗୋଟାଏ ବ୍ୟାଧି ନାମକୁ ଧାରଣ କରେ, (ତେଣୁ ସେ ପୀଡ଼ାଦାୟକ ଅଟେ) ଓ ମନ୍ଦ ଗୁଣକୁ ସ୍ନେହରେ ରଖିଅଛି, ମନ୍ଦ ମଧ୍ୟ ଅଟେ । ସ୍ୱଭାବରେ ସେ ଅସୁର ଅଟେ, ଇନ୍ଦ୍ର ତାହାକୁ ମିଛରେ ଦେବତା କଲେ ସିନା ! (ଦେବତାମାନେ ଅଦିତି ଗର୍ଭରୁ ଜାତ । ପବନ ଦିତି ଗର୍ଭରୁ ଜନ୍ମ ହୋଇଥିଲେ–ତେଣୁ ଅସୁର, ମାତ୍ର ପବନ ଗର୍ଭରେ ଥିଲାବେଳେ ଇନ୍ଦ୍ର ତାଙ୍କୁ ଅଣଚାଶ ଖଣ୍ଡ କରି ହାଣିଥିଲେ, ପରେ ଦିତିଙ୍କ କୋପକୁ ଡରି ତାଙ୍କୁ ଅମୃତ ଖୁଆଇ ଦେବତା କଲେ ।)

୭ମ ପଦ–ବିଶଦକର–ଚନ୍ଦ୍ର । ବିଶଦମାର୍ଗ–ଆକାଶମାର୍ଗ । ବିଶଦମାର୍ଗ–ଅସନ୍ମାର୍ଗ । ବାରୁଣୀ–ପଶ୍ଚିମଦିଗ, ମଦ୍ୟବିଶେଷ ।

୭ମ ପଦ–(ଚନ୍ଦ୍ର କିରଣ କଷ୍ଟଦେବାରୁ ଚନ୍ଦ୍ରକୁ ଗାଳିଦେଇ) ପୁଣି କହିଲେ,–ଆକାଶ ମାର୍ଗରେ ଗମନ କରୁନାହିଁ ଯେ ସେ ଅସତ୍ ମାର୍ଗରେ ଗମନ କରୁଅଛି । ସେ ବିଦ୍ୟାଗୁରୁ ବୃହସ୍ପତିଙ୍କ ପତ୍ନୀ ତାରାଙ୍କୁ ହରଣ କରିଥିଲେ, (ଏପରି ପାପୀ) ତେଣୁ ନିଜ ଅଙ୍ଗରେ କଳଙ୍କ ଧାରଣ କରିଅଛନ୍ତି-। ପୁଣି ବିଷର ଭାଇ ଅଟନ୍ତି (ବିଷ ଓ ଚନ୍ଦ୍ର ଉଭୟେ ସମୁଦ୍ରରୁ ଜାତ)–(ବିଷ ଗୁଣକୁ କିପରି ବା ଛାଡ଼ିବେ?) ପଶ୍ଚିମ ଦିଗରୂପ ମଦିରାକୁ ଆଦର କରିବାରେ ସେ ସର୍ବଦା ତତ୍ପର (ସେ ମଦୁଆ ଅଟନ୍ତି) ।

୮ମ ପଦ–ବିଗ୍ରହଯାକ–ଶରୀରଯାକ । ବିଗ୍ରହ–କଳହ । ପ୍ରେତ–କନ୍ଦର୍ପ । ବାମଲୋଚନ–ସ୍ତ୍ରୀ । ବାମମାର୍ଗରେ–ଅସନ୍ମାର୍ଗରେ । ବିହଗ–ପକ୍ଷୀ ।

୮ମ ପଦ–ସର୍ବାଙ୍ଗ ଦଗ୍‌ଧ ହୋଇଥିବା କନ୍ଦର୍ପରୂପୀ ପ୍ରେତ ମୋ ସହିତ ଶତ୍ରୁତାଚରଣ କରୁଅଛି । (ମହାଦେବଙ୍କ ଯୋଗଭଗ୍ନ କରିବାକୁ ଯାଇ କନ୍ଦର୍ପ ଦଗ୍ଧ ହୋଇଥିଲେ)। ସ୍ତ୍ରୀ ବୋଲି ମୋତେ ଜାଣି ସୁଦ୍ଧା (ସ୍ତ୍ରୀ ଅବଧ୍ୟ) ସେ ମୋତେ ଛାଡ଼ୁନାହିଁ । ମନ୍ଦ ମାର୍ଗରେ ଚଳି ମୋତେ ସଙ୍ଗୀଛଡ଼ା କରୁଅଛି । ପୁଣି ଯୋଡ଼ାଏ ପକ୍ଷୀ–ଭ୍ରମର ଓ କୋକିଳ ମୋତେ ଏକାକୀ ଦେଖି ପୀଡ଼ା ଦେଉଅଛନ୍ତି ।

୯ମ ପଦ–ବକୁଳ ଆସବ–ବକୁଳ ମକରନ୍ଦ ଅର୍ଥାତ୍ ମଦ୍ୟ । କରଟ–କାଳ । ମଧୁ–ପୁଷ୍ପରସ ରୂପ ମଦ୍ୟ । ବୁଜିନୀ–ପାପୀ ।

୯ମ ପଦ–କାଳ ପାଳିତ କୋକିଳ ଆମ୍ବ ବଉଳର ମଧୁ ପାନପୂର୍ବକ ଧ୍ୱନି କରି ମୋତେ ବ୍ୟାକୁଳ କରୁଅଛି । (କାକଦ୍ୱାରା ପାଳିତ ହେବାରୁ ତା’ର ମନ୍ଦଗୁଣ ବଢ଼ିଅଛି, ପୁଣି ମଦ୍ୟପାନ କରି ଉନ୍ନତି ହୋଇଅଛି) । ଭ୍ରମର ପୁଷ୍ପରସ ରୂପକ ମଦ୍ୟ ବ୍ୟତୀତ ଅନ୍ୟରସକୁ ପାନ କରେନାହିଁ । ତେଣୁ ସେ ସର୍ବଦା ମଦୁଆ ଅଟେ । ସେହି ମଦୁଆ ଭ୍ରମର ମଧ୍ୟ ମୋତେ କଷ୍ଟ ଦେଉଅଛି । ପବନ, ଚନ୍ଦ୍ର, କାମ, କୋକିଳ ଓ ଭ୍ରମର ଏହି ପାଞ୍ଚପାପୀ ମୋତେ ହତ୍ୟା କରିବା ପାଇ ପାଞ୍ଚ କରିଅଛନ୍ତି ।

୧୦ମ ପଦ–ବିପାକକର୍ମ–ଦୁର୍ଦ୍ଦଶା । ପାକ–ଶେଷ ।

୧୦ମ ପଦ–ସୀତାଙ୍କ ବ୍ୟାକୁଳତା ଦେଖି ବୋଧ ଦେଇ କହିଲା, ‘ହେ ସଖି ! ତୁମ୍ଭ ଦୁର୍ଦ୍ଦଶା ଶେଷ ହେଲାଣି । ବଳିରାଜା ଭାଗ୍ୟରେ ଇନ୍ଦ୍ରପଦବୀ ପ୍ରାପ୍ତି ଯୋଗ ଥିବାରୁ ସେ ଇନ୍ଦ୍ରଙ୍କ ବଜ୍ରକୁ ଭୟ କରୁ ନ ଥିଲେ । (ତୁମ୍ଭେ ପବନାଦମାନଙ୍କୁ ଡରୁଛ କାହିଁକି ? ଅର୍ଥାତ୍ ଡର ନାହିଁ) । ବଳି ବାମନଙ୍କଦ୍ୱାରା ରକ୍ଷିତ ହୋଇଥିଲେ, (ତୁମ୍ଭେ ସେହିପରି ରକ୍ଷା ପାଇବ ନାହିଁକି ?) ବିରସମନା ନ ହୋଇ ଏହା ମୁହୂର୍ତ୍ତେ ମାତ୍ର ବିଚାର କର । (ବଳି ରାଜା ବଜ୍ର ପ୍ରହାରକୁ ନ ଡରି ରହିଥିବାରୁ ବାମନ ତାଙ୍କୁ ରକ୍ଷା କରିଥିଲେ । ତୁମ୍ଭେ ପବନାଦିମାନଙ୍କୁ ନ ଡରି ଧୈର୍ଯ୍ୟ ଧରି ରହିଲେ ରାମଚନ୍ଦ୍ର ଶରୀର ଭୋଗ ରୂପ ଇନ୍ଦ୍ର ସମ୍ପତ୍ତି ଦାନ କରିବେ । ତୁମ୍ଭେ ଅଧୈର୍ଯ୍ୟ ହୁଅ ନାହିଁ)।

 

ବୋଧ ହେଲା ଚିତ୍ତ ସାତ୍ଵିକେ ତାର

ବିଲୋକ ହେଲା କେତେ ହାସ ତାର

 

ବିଗତ ପ୍ରଭା କି ପ୍ରଭାତ ତାର

ବେତନ ପାଣି କେତେ ଯଥା ତାର

 

ବେଦନାରୁ ତାର

 

ବୋଲି ବିହେ ସ୍ତୁତି ସେ ବିଧାତାର

।୧୧।

 

 

 

 

 

ବଇବର୍ଣ୍ଣ୍ୟ ଦଶା ଅବକାଶର

ବର୍ଣ୍ଣ ଦିଶିଗଲା କେଡେ଼ ଧୂସର

 

ବଇଦେଲା କିଛି କର କେଶର

ବିନୟ ପାଦେ ଦେଖି ସାରସର

 

 

 

 

ବନ ନିବାସର

 

ବଞ୍ଚେ ବାହୁଡ଼ାଇ ନେବା ତ୍ରାସର

।୧୨।

 

 

 

 

 

ବକ୍ଷୋଜରେ ନବ ପାଣ୍ଡୁବିଳାସ

ବିଫଳ କି ଶିବ ସେବା ତୁଳାଶ

 

ବଡ଼ାଇ ଆଣିଲା ଗିରି କୈଳାସ

ବେଳୁଁବେଳ ଜାତ କରି ଉଲ୍ଲାସ

 

ବିମ୍ବେ ଅଭିଳାଷ

 

ବିହିଲେ ରଙ୍ଗ ଲକ୍ଷ କୃକଲାସ

।୧୩।

 

 

 

 

 

ବଶୀଭୂତ ରାମ ପ୍ରୀତି ଆଦରେ

ବସି ଭୂତପତି–ରିପୁର ଦରେ

 

ବାରବାଣ ହେବ ସୁନ୍ଦରୀ ଖର

ବାରବାଣକୁ ପଞ୍ଚ ବିଶିଖର

 

ବି–ଶାଖା ସ୍ଵଭାବେ

 

ବିଶାଖା–ପତି ମୁଖ ଛବି ଭାବେ

।୧୪।

 

 

 

 

 

ବାହୁଲତାରେ ସମ ନୋହି ଦୀନ

ବାହୁଲତାରେ ତାକୁ କେଉଁଦିନ

 

ବାନ୍ଧି ବିରଚିବି ନ କରି ମଠ

ବାନ୍ଧିବି ! ବୋଲି ଧିରିବି ନର୍ମଠ

 

ବନ୍ଧୁ ମୋ ବିଶୁଦ୍ଧା

 

ବନ୍ଧୁକ ଅଧରୁ ପିଇବି ସୁଧା

।୧୫।

 

୧୧ଶ ପଦ–ସଖୀମାନେ ଏପରି ସାନ୍ତ୍ୱନା ଦେବାରୁ ସୀତାଙ୍କର ଚିତ୍ତ ବୋଧ ହେଲା । ସାତ୍ତ୍ୱିକ ବିକାର ପ୍ରକାଶପୂର୍ବକ ସେ ହାସ୍ୟ କଲେ । ପ୍ରଭାତ କାଳରେ ତାରାଗଣ ହୀନପ୍ରଭ ହେଲା ପ୍ରାୟ ତାହା ଜଣାଗଲା । ଭୃତ୍ୟ ମୁନିବ ନିକଟରେ ଯେପରି ବିନୟ ପ୍ରକାଶ କରେ, ସେହିପରି ସୀତା ବିଧାତାଙ୍କୁ ଉଚ୍ଚସ୍ୱରରେ ସ୍ତୁତି କରି କହିଲେ, ‘‘ମୋତେ ଏ ବେଦନାରୁ ରକ୍ଷାକର ।’’

୧୨ଶ ପଦ–ବଇଦେଲା–ବ୍ୟୟ କଲା । ସାରସ–ପଦ୍ମ । ନିବାସର–ଗୃହର ।

୧୨ଶ ପଦ–ବିରହାବସ୍ଥାର ଶେଷରେ ତାଙ୍କ ଦେହ ଧୂସର ବର୍ଣ୍ଣ ଦେଖାଗଲା । ତାହା ଦେଖି ବୋଧହେଲା,–ପଦ୍ମ ତାଙ୍କ ପାଦ ତଳରେ ବିନୟୀ ହେବାରୁ ସେ ଆପଣା ଦେହ କାନ୍ତିରୁ କିଛି ନେଇ ପଦ୍ମକୁ ଦେଲେକି ? କାଳେ ସୀତା ଦେଇଥିବା କାନ୍ତିକୁ ପୁଣି ଛଡ଼ାଇ ନେବେ–ଏଇ ଭୟରେ ପଦ୍ମ ଯାଇ ଜଳ ମଧ୍ୟରେ ବାସ କରୁଅଛିକି ?

୧୩ଶ ପଦ–ବକ୍ଷୋଜ–ସ୍ତନ । ତୁଳାଶ–ତୁଳନା କରିବା ଇଚ୍ଛା । କୃକଲାସ–ଏଣ୍ଡୁଅ ।

୧୩ଶ ପଦ–ସ୍ତନଦ୍ୱୟ ନୂତନ ପାଣ୍ଡୁରବର୍ଣ୍ଣ ଧାରଣ କରିବାରୁ କୈଳାସ ପର୍ବତ ଦେଖି ଖୁସି ହୋଇ ମନରେ ଗର୍ବ କଲା, ମୁଁ (ସ୍ତନ ଯୁଗଳ ସହିତ ସମାନ ହେବି ବୋଲି) ମହାଦେବଙ୍କୁ ଯେଉଁ ସେବା କରିଥିଲି, ତାହା ବିଫଳ ହୁଅନ୍ତାକି ? (ଅର୍ଥାତ୍ ମୁଁ ମହାଦେବଙ୍କ ସେବା କରିବାରୁ ଏହାଙ୍କ ସ୍ତନ ଯୁଗଳ ସହିତ ସମାନ ହେଲି) । କିନ୍ତୁ ଏଣ୍ଡୁଅ ପାଚିଲା ବିମ୍ବ ଫଳରେ ବର୍ଣ୍ଣକୁ ଧାରଣା କରିବାକୁ ଇଚ୍ଛା କଲା ପରି ଏହା ହେଲା । (ଏଣ୍ଡୁଅ ଯେତେ କଲେ ମଧ୍ୟ ବିମ୍ବ ଫଳରେ ବର୍ଣ୍ଣ ପାଇପାରିବ ନାହିଁ–ସେହିପରି କୈଳାସ ପର୍ବତ କେବେ ହେଲେ ସ୍ତନ ଯୁଗଳ ସହିତ ସମାନ ହେବ ନାହିଁ) ।

୧୪ଶ ପଦ–ଭୂତପତି ରିପୁ–ପନ୍ଦର୍ପ । ବାରବାଣ–ସାଞ୍ଜୁ । ବାରବାଣକୁ–ବାଣସମୂହକୁ । ପଞ୍ଚ ବିଶିଖ–କନ୍ଦର୍ପ । ବିଶାଖା–ପ୍ରିୟାହୀନ । ବିଶାଖାପତି–ଚନ୍ଦ୍ର ।

୧୪ଶ ପଦ–ରାମଚନ୍ଦ୍ର ସୀତାଙ୍କ ପ୍ରେମରେ ବଶୀଭୂତା ହୋଇ ମହାଦେବଙ୍କ ଶତ୍ରୁ କନ୍ଦର୍ପର ଭୟରେ ଏକାନ୍ତରେ ବସି ଚନ୍ଦ୍ରମୁଖୀ ସୀତାଙ୍କୁ ଭାବନା କରି ବିଚାର କରୁଅଛନ୍ତି, ‘‘କନ୍ଦର୍ପ ପ୍ରେରିତ ବାଣମାନଙ୍କୁ ବାରଣ କରିବା ବିଷୟରେ ସୀତା ସାଞ୍ଜୁ ପ୍ରାୟ ଅଟେ ।’’ [ସୀତାରୂପୀ ସାଞ୍ଜୁ ମୁଁ ଧାରଣା କଲେ, ସୀତାଙ୍କୁ କୋଳ କଲେ, କନ୍ଦର୍ପର ପୀଡ଼ା ମୋତେ ବାଧିବ ନାହିଁ ।]

୧୫ଶ ପଦ–ନର୍ମଠ–ଓଷ୍ଠ । ବନ୍ଧୁକ–ବଧୁଲି ଫୁଲ ।

୧୫ଶ ପଦ–‘‘କେଉଁଦିନ ମୁଁ ବିଳମ୍ବ ନ କରି ଦୀନ ଦୁଃଖୀଙ୍କ ପରାୟ ନ ହୋଇ [ଅର୍ଥାତ୍ କୁଣ୍ଠିତ ନ ହୋଇ–ଅବହେଳାରେ] ବାହୁ ଲତାରେ ତାକୁ ବନ୍ଧନ କରିବି ? କେଉଁଦିନ, ‘ହେ ବାନ୍ଧବୀ !’ ଏହା କହି ତାହାର ଚିବୁକ ଧରିବି ? କେଉଁ ଦିନ ମୋର ନିର୍ମଳ ହୃଦୟା ବାନ୍ଧବୀ ସୀତା ଅଧରରୁ ଅମୃତ ପାନ କରିବି ?’’

 

ବଳାହକକେଶୀ ନେତ୍ର ଶବଳା

ବଳାହକସ୍ତନୀ ସ୍ନେହପ୍ରବଳା

 

ବଳାଉଁ ରତିରେ ମତି ଅବଳା

ବଳାରି ସୁଖକୁ ହେବ କବଳା

 

ବଳାଇବ ବଳା

 

ବଳତ୍କାରେ ମାର ହେବ ଦୁର୍ବଳା

।୧୬।

 

 

 

 

 

ବିଶଲ୍ୟ ରାମା ପ୍ରାପତେ ହବିଷ

ବିଷୟ ଅନ୍ତର ଅଶନ ବିଷ

 

ବିଶ–ପ୍ରଭୁ ପ୍ରେମ–ବାଣିଜ୍ୟେ ବିଷ

ବିଶଦଭାନୁ ଭାନୁ ଏ କିଳ୍‌ବିଷ

 

ବିଷଧର ବିଷ

 

ବିଷମତାପ ବଶ ଏ ଭବିଷ୍ୟ

।୧୭।

 

 

 

 

 

ବସି ପାରାବତ ହୁଁ କୃତ ସ୍ଵନେ

ବଶିଷ୍ଠ ଆଦି ଆସେ ସୁଖାସନେ

 

ବିଥିରେ ଶ୍ୟାମଳ କମଳବାସୀ

ବିଥିରେ ଦେଖିବା ଅଯୋଧ୍ୟାବାସୀ

 

ବିତର୍କି ଚିତ୍ତରେ

 

ବିତରଣକୃତ ନେତ୍ର କାତରେ

।୧୮।

 

 

 

 

 

ବିଭ୍ରାଜ ପଲାଶହୀନ ପଲାଶ

ବିଭ୍ରାନ୍ତି ହୁଏ ପଦଗବିଳାସ

 

ବଳାକାପନ୍ତି ଯାଉଁ ତ୍ଵକସାର

ବଳାନ୍ତି ଚିତ୍ତ ପତାକା ପ୍ରସାର

 

ବିଳସେ ସୁମନ

 

ବିଳମ୍ବ ତେଜି କଲେ ତ ଗମନ

।୧୯।

 

 

 

 

 

ବିରଳେ ଆଦ୍ୟ ଯମକେ ବିଦ୍ୟକ

ବିଭୂଷିତ ଧ୍ଵନି ପ୍ରାନ୍ତ ଯମକ

 

ବିଶ୍ରାମ ଯମକ ଆଦ୍ୟ ପ୍ରାନ୍ତରେ

ବିଶୁଦ୍ଧ ରୂପକ ବିଂଶ ପଦରେ

 

ବୀରବର କହି

 

ବାଳିଶେ ବିସ୍ମୟ ବୁଧଙ୍କୁ ମୋହି

।୨୦।

୧୬ଶ ପଦ–ବଳାହକକେଶୀ–ଘନକେଶୀ । ଶବଳା–ବିବିଧବର୍ଣ୍ଣ–ବିଚିତ୍ରିତା । ବଳାହକସ୍ତନୀ–ପର୍ବତସ୍ତନା । ସ୍ନେହପ୍ରବଳା–ସ୍ନେହମୟୀ । ବଜାରି–ଇନ୍ଦ୍ର ।

୧୬ଶ ପଦ–‘‘ଘନକେଶୀ, ଶ୍ୱେତ ଓ କୃଷ୍ଣବର୍ଣ୍ଣ ମିଶ୍ରିତ ନୟନା, ପର୍ବତସ୍ତନା, ସ୍ନେହପ୍ରବୀଣା ସୀତା ଯେତେବେଳେ ରତିରେ ମନ ବଳାଇବ, ସେତେବେଳେ ଇନ୍ଦ୍ର ସମ୍ପଦ ମୋର ହସ୍ତଗତ ହେବ-। (ସେ କାମାସକ୍ତ ହୋଇ ମୋ ପାଶକୁ ଆସିଲେ, ମୁଁ ତା’ ସହିତ ବିହାର କରି ଇନ୍ଦ୍ର ସମ୍ପତ୍ତିକୁ ତୁଚ୍ଛ ମନେକରିବି)। ତାହାର ବଳାଧନି କନ୍ଦର୍ପକୁ ବଳାତ୍କାରରେ ଦୁର୍ବଳ କରି ପକାଇବ । (କନ୍ଦର୍ପ ପରାଜିତ ହୋଇ ପଳାୟନ କରିବ) ।’’

୧୭ଶ ପଦ–ବୀଶ–ଗରୁଡ଼ । ବିଶଦ ଭାନୁ–ଚନ୍ଦ୍ର । କିଳ୍‌ବିଷ–ପାପ ।

୧୭ଶ ପଦ–କାମପୀଡ଼ାର ବିଶଲ୍ୟକରଣୀ ଔଷଧ ପ୍ରାୟ ସୀତାଙ୍କୁ ପାଇବାପାଇଁ ରାମଚନ୍ଦ୍ର ବ୍ରତ ଆଚରଣପୂର୍ବକ ହବିଷ ପାଳନ କଲେ । ତାଙ୍କ ମନରୁ ଅନ୍ୟ ସବୁ ଚିନ୍ତା ଅନ୍ତର ହେଲା । ଭୋଜନ ବିଷ ପ୍ରାୟ ବୋଧ ହେଲା । ଗରୁଡ଼ର ପ୍ରଭୁ ରାମଚନ୍ଦ୍ର ବୈଶ୍ୟ ପରି ପ୍ରେମ ବାଣିଜ୍ୟର ମଗ୍ନହୋଇ ରହିଲେ । ଚନ୍ଦ୍ରର କିରଣ ତାଙ୍କୁ ସନ୍ତାପ ଦେଲା, ପଦ୍ମର ମୃଣାଳ ବିଷଧର ସର୍ପ ପ୍ରାୟ ପ୍ରତୀତି ହେଲା । ସୀତାଙ୍କ ବିରହରେ ଏପରି ବିପରୀତ କଥାସବୁ ଘଟିଲା ।

୧୮ଶ ପଦ–ସୁଖାସନେ–ଯାନରେ । ବିଥିରେ–ଅସ୍ଥିର ହୋଇ । ବିଥିରେ–ଏକତ୍ରରେ ।

୧୮ଶ ପଦ–ଶ୍ୟାମଳବର୍ଣ୍ଣ ପଦ୍ମଗନ୍ଧ ବିଶିଷ୍ଟ ଶରୀର ରାମଚନ୍ଦ୍ର କପୋତ ହୁଁକାର ଧ୍ୱନି କରନ୍ତେ, ବଶିଷ୍ଟାଦି ଅଯୋଧ୍ୟା ପ୍ରଧାନ ଲୋକମାନେ ଶିବିକାର ବସି ଅଇଲେକି ? (ଶୀଘ୍ର କିପରି ବିଭାଘର ହେବ, ସେଥିପାଇଁ ଚିତ୍ତ ଉଦ୍‌ବିଗ୍ନ ଥିବାରୁ ଏପରି ଭ୍ରମ ଜାତହେଲା । ) ଏହା ବିଚାରି ସେମାନଙ୍କୁ ଚଞ୍ଚଳ ଯାଇ ପଥ ମଧ୍ୟରେ ଭେଟିବା ପାଇଁ ଚାରିଆଡ଼େ ନେତ୍ରପାତ କଲେ ।

୧୯ଶ ପଦ–ପତ୍ରବିହୀନ ପଲାଶ ଗଛରେ ଦୃଷ୍ଟି ପଡ଼ନ୍ତେ, (ବସନ୍ତ ସମୟରେ ପଲାଶ ଗଛରେ ପତ୍ର ନ ଥାଏ, ମାତ୍ର ଲାଲବର୍ଣ୍ଣ ଫୁଲରେ ବୃକ୍ଷ ପୂର୍ଣ୍ଣ ହୋଇଥାଏ–ସେହି ଲାଲବର୍ଣ୍ଣରେ ରଞ୍ଜିତ ବୃକ୍ଷକୁ ଦେଖି)–ପଦାତିକମାନେ ବିହାର କରି ଆସୁଛନ୍ତିକି ?–ଏହି ଭ୍ରମ ଜାତହେଲା । ବଗ ଦଳ ବାଉଁଶ ଗଛରୁ ଉଡ଼ିଯିବାର ଦେଖି ମନେକଲେ, (ପଦାତିକମାନେ ଆସୁଥିବାରୁ) ‘‘ପତାକା ଉଡ଼ୁଅଛି ।’’ ତାଙ୍କର ମନରେ ‘ଅଯୋଧ୍ୟା ଲୋକେ ଆସୁଅଛନ୍ତି’–ଏ ଦୃଢ଼ ଧାରଣା ହେବାରୁ ସେ ଶୀଘ୍ର ପଥ ମଧ୍ୟକୁ ଗମନ କଲେ ।

୨୦ଶ ପଦ–ନିର୍ମଳ ଅଦ୍ୟଯମକ ଶୋଭିତ, ଧନି ଓ ପ୍ରାନ୍ତ ଯମକ ବିଭୁଷିତ, ଆଦ୍ୟ ପ୍ରାନ୍ତ ଯମକର ବିଶ୍ରାମକାରୀ ପୁଣି ରୂପକାଳଙ୍କାରରେ ମଣ୍ଡିତ ଏହି ଛାନ୍ଦକୁ ଉପେନ୍ଦ୍ର ରଚନା କଲେ । ଏହି ଛାନ୍ଦଶ୍ରବଣରେ ମୂର୍ଖ ଲୋକେ ବିସ୍ମିତ ଓ ପଣ୍ଡିତମାନେ ମୋହିତ ହେବେ ।

 

ତ୍ରୟୋଦଶ ଛାନ୍ଦ

(ରାଗ–ଭୂପାଳ)

ବସିଛନ୍ତି ଦଶରଥ ସଭା ମଧ୍ୟେ ।

 

ବେତ୍ର–ହସ୍ତ ଦ୍ୱାସ୍ଥ କହେ ଅତିଶ୍ରଦ୍ଧେ ॥

।୧ ।

 

 

ବାରଣାରି ଦ୍ଵାରେ ହୋଇଛନ୍ତି ସ୍ଥିତ ।

 

ବହି ଶ୍ରୀରାମବାର୍ତ୍ତା ମିଥିଳା ଦୂତ ॥

।୨।

 

 

ବେଗେ ରାଜା ଆଣ ବୋଲୁ ନେଲା ମୁନି ।

 

ବଶିଷ୍ଠରେ ନମି ନୃପମାନ୍ୟ ଘେନି ॥

।୩ ।

 

 

ବାର୍ତ୍ତା କହେ ସରୂପକେ ଶତାନନ୍ଦ ।

 

ବିଶ୍ଵାମିତ୍ରଗୁରୁ ସଙ୍ଗେ ରାମଚନ୍ଦ୍ର ॥

।୪ ।

 

 

ବନ–ବ୍ୟୋମେ ଉଦେ କରି ପ୍ରଭାକର ।

 

ବିଧ୍ଵଂସିଲେ ତାଡ଼କା ଘୋରାନ୍ଧକାର ॥

।୫ ।

 

୧ମ–୩ୟ ପଦ–ଦଶରଥ ସଭା ମଧ୍ୟରେ ବସି ଅଛନ୍ତି । ସେହି ସମୟରେ ବେତ୍ରଧାରୀ ଦ୍ୱାରପାଳ ଅତି ଶ୍ରଦ୍ଧାରେ କହିଲା, ‘‘ମିଥିଳାପୁରର ଦୂତ ଶ୍ରୀରାମଙ୍କ ବାର୍ତ୍ତା ଆଣି ସିଂହଦ୍ୱାରରେ ବସି ଅଛନ୍ତି ।’’ ତାହା ଶୁଣି ‘‘ଶୀଘ୍ର ତାଙ୍କୁ ଆଣ’’ ରାଜା ଏପରି କହନ୍ତେ ଦ୍ୱାରୀ ଶତାନନ୍ଦ ମୁନିଙ୍କ ସଭାକୁ ନେଲା । ସେ ମୁନି ବଶିଷ୍ଠଙ୍କୁ ନମସ୍କାର କଲେ ଓ ଦଶରଥ ରାଜାଙ୍କର ମାନ୍ୟ ଗ୍ରହଣ କଲେ ।

୪ର୍ଥ ପଦ–ଶତାନନ୍ଦ ରୂପକ ସହିତ ବାର୍ତ୍ତା କହିଲ,–ବିଦ୍ୟାଗୁରୁ ବିଶ୍ୱାମିତ୍ର ବୃହସ୍ପତି ହେଲେ, ତାହାଙ୍କ ସଙ୍ଗରେ ରାମଚନ୍ଦ୍ର ରମଣୀୟଚନ୍ଦ୍ର ହେଲେ ।

୫ମ ପଦ–ଅରଣ୍ୟ ଆକାଶରେ ‘ରାମଚନ୍ଦ୍ର’ । ମନୋହର ଚନ୍ଦ୍ର ଉଦିତ ହୋଇ ନିଜ ହସ୍ତପ୍ରଭା ରୂପ କିରଣ ପ୍ରଭାରେ ଘୋର ଅନ୍ଧକାର ରୂପ ତାଡ଼କାକୁ ବିନାଶ କଲେ । (ଚନ୍ଦ୍ରର କିରଣରେ ଅନ୍ଧକାର ଦୂର ହେଲାପରି ରାମଚନ୍ଦ୍ରଙ୍କ ବାହୁ ବଳରେ ତାଡ଼କୀ ମଲା)।

 

ବିଚେଷ୍ଟିତ ମାରୀଚ ବାୟସ କରି ।

 

ବିଟପତି ସୁବାହୁକୁ ସେ ନିବାରି ॥

।୬।

 

 

ବିକଶିତ ଯେ ଯଜ୍ଞ କୁମୁଦ କଲେ ।

 

ବିଧୂଶିଳା ଅହଲ୍ୟାକୁ ଦ୍ରବାଇଲେ ॥

।୭।

 

 

ବ୍ୟବସ୍ଥିତେ ପୁଣ ସଲକ୍ଷ୍ମଣ ସେହି ।

 

ବୈଦେହିକ ଜନ ଚକୋରକୁ ମୋହି ॥

।୮।

 

 

ବଇଦେଶ ଧୈର୍ଯ୍ୟ ଧନୁ ଅଜଗବ ।

 

ବିଭଞ୍ଜନ କଲେ ସ୍ପରଶରେ ଜୀବ ॥

।୯।

 

 

ବସୁପତି ପଦ୍ମ ମୁଦି ଲଜ୍ଜାବଳେ ।

 

ବସାଇବେ ସୀତା ରୋହିଣୀକି କୋଳେ ॥

।୧୦।

 

୬ଷ୍ଠ ପଦ–ମାରୀଚ ରୂପ ବାୟସକୁ ବିଚେଷ୍ଟିତ ଓ ସୁବାହୁ ରୂପ ବିଟ ପୁରୁଷକୁ ନିବାରିତ କଲେ । (ଚନ୍ଦ୍ର ଉଦିତ ହେଲେ ବାୟସମାନେ ନିଦ୍ରାରେ ବିଚେଷ୍ଟିତ ହୁଅନ୍ତି ଓ ବିଟପୁରୁଷମାନେ ଭୟରେ ଗମନା ଗମନ ବନ୍ଦ କରିଦିଅନ୍ତି । ସେହିପରି ରାମଚନ୍ଦ୍ର ମାରୀଚକୁ ହତଜ୍ଞାନ କଲେ ଓ ସୁବାହୁ ରାକ୍ଷସକୁ ବିନାଶ କଲେ)।

୭ମ ପଦ–ରାମଚନ୍ଦ୍ର ଯଜ୍ଞରୂପ କୁମୂଦକୁ ବିକାଶ କଲେ ଓ ଅହଲ୍ୟାରୂପ ଚନ୍ଦ୍ରକାନ୍ତମଣିକୁ ତରଳାଇଲେ (ପ୍ରସ୍ତର ତରଳାଇ ନାରୀରୂପ ଦେଲେ) ।

୮ମ ପଦ–ଚିହ୍ନଯୁକ୍ତ ଚନ୍ଦ୍ର ଚକୋରମାନଙ୍କୁ ମୋହିତ କଲାପରି, ଲକ୍ଷ୍ମଣଯୁକ୍ତ ରାମଚନ୍ଦ୍ର ବିଦେହ ଦେଶର ଲୋକମାନଙ୍କୁ ମୋହିତ କଲେ ।

୯ମ ପଦ–ଚନ୍ଦ୍ର ବିଦେଶୀ ଲୋକର ଅର୍ଥାତ୍ ବିରହୀ ଲୋକର ଧୈର୍ଯ୍ୟ ଭଙ୍ଗ କଲାପରି ରାମଚନ୍ଦ୍ର ବିଦେହସ୍ଥ ଅଜଗବ ଧନୁକୁ ଛୁଇଁଲା ମାତ୍ରକେ ଭଗ୍ନ କଲେ ( ଅନାୟାସରେ ଭାଙ୍ଗି ଦେଲେ-) ।

୧୦ମ ପଦ–ଚନ୍ଦ୍ର ପଦ୍ମକୁ ମୁଦ୍ରିତ କରି ରୋହଣୀକୁ କୋଳରେ ବସାଇଥିଲେ; ସେହିପରି ରାମଚନ୍ଦ୍ର ପୃଥିବୀର ରାଜାମାନଙ୍କୁ ଲଜ୍ଜା ଦେଇ ଅଛନ୍ତି । ବିବାହ ପରେ ସୀତାଙ୍କୁ କୋଳରେ ବସାଇବେ ।

 

ବିଧିରେତ ଜନକ ସାଗର ସତ ।

 

ବିଭଙ୍ଗର ଛଳେ ତୋଷ ଉଚ୍ଛୁଳିତ ॥

।୧୧।

 

 

ବେଳା ଅତିକ୍ରମି ହେଲେ ସ୍ନେହ–ବାର ।

 

ବିହରିଲେ ସଙ୍ଗେ ମୀନ ରାଶିବାର ॥

।୧୨।

 

 

ବାର୍ଭଟ କି ଗଜଯୂଥ ଭେଳା ହୟ।

 

ବହିତ୍ର କି ରଥ ଭେକ ପତ୍ତିଚୟ ॥

।୧୩।

 

 

ବାଦ୍ୟନାଦ ଗରଜନ ତହିଁ ମେଳ ।

 

ବଡ଼ ବଡ଼ ଲୋକ ନିଶ୍ଚେ ପୋତମାଳ ॥

।୧୪।

 

 

ବନ୍ଦର ଯେ ମିଥିଳା ମିଳିବେ ଯାଇଁ ।

 

ବିଲୋକିଲାକ୍ଷଣି ରାମା ରତ ତହିଁ ॥

।୧୫।

 

 

ବୋଲିବେ ଯେ କି ଉପମାଏ ଅମୂଲ୍ୟ ।

 

ବ୍ୟୁତ୍ପତ୍ତିରେ କବି କଲା ଏତେ ମୂଲ୍ୟ ॥

।୧୬।

 

୧୧ଶ ପଦ–ଦଶରଥ ସଗର ବଂଶରୁ ଜାତ–ତେଣୁ ସେ ସାଗର ହେଲେ । ପୁଣି ଚନ୍ଦ୍ର ସାଗରରୁ ଉତ୍ପନ୍ନ । ରାମଚନ୍ଦ୍ର ତ ଦଶରଥଙ୍କଠାରୁ ଜାତ । ଏହା ମିଥ୍ୟା ନୁହେଁ । ଚନ୍ଦ୍ର ନିଜ କିରଣରେ ସମୁଦ୍ରରେ ତରଙ୍ଗ ଉତ୍ପାଦନ କଲା ପରି ରାମଚନ୍ଦ୍ରଙ୍କ ଯଶ କଥା ଶୁଣି ଦଶରଥଙ୍କର ହୃଦୟରେ ସନ୍ତୋଷର ଢେଉ ଖେଳିଗଲା ।

୧୨ଶ ପଦ–ବେଳା–ସମୁଦ୍ରତଟ, ଅଶୁଭ ସମୟ । ସ୍ନେହବାର–ସ୍ନେହଜଳ । ମୀନା ରାଶିବାର–ମୀନାଦିରାଶି ଓ ରଦ୍ୟାଦି ବାର ସମୂହ ।

୧୨ଶ ପଦ–ସମୁଦ୍ର ଉଦ୍‌ବେଳିତ ହେଲାବେଳେ ମୀନାଦି ଜଳଚର ପ୍ରାଣୀକୁ ଦେହରେ ଧାରଣା କରି ତୀର ପ୍ରଦେଶକୁ ଅତିକ୍ରମ କରେ-ସେହିପରି ଦଶରଥ ଆନନ୍ଦିତ ହୋଇ ବାରବେଳା, କାଳବେଳା ଇତ୍ୟାଦି ଅତିକ୍ରମ କରି (ଶୁଭାଶୁଭ କିଛି ନ ମାନି) ମାଛ ଓ ଦହି ଭାର ଧରି ବାହାରିଲେ-

୧୩ଶ ପଦ–ବାଭର୍ଟ–କୁମ୍ଭୀର । ଦ୍ୱୟ–ଘୋଡ଼ା । ବହିତ୍ର–ବୋଇତ । ପତ୍ତିଚୟ–ପଦାତ ସମୂହ ।

୧୩ଶ ପଦ–ସମୁଦ୍ରରେ କୁମ୍ଭୀର, ଭେଳା, ବୋଇତ ଓ ବେଙ୍ଗ ସବୁ ଦେଖାଗଲା ପରି ଦଶରଥଙ୍କ ସହିତ ହସ୍ତୀ, ଅଶ୍ୱ, ରଥ ଓ ପଦାତିକ ସବୁ ଗମନ କଲେ । (ଏହାଦ୍ୱାରା ଚତୁରଙ୍ଗବଳ ଯାଉଥିବାର ସୂଚିତ ହେଲା)।

୧୪ଶ ପଦ–ସମୁଦ୍ରରେ ଲହରୀସମୂହ ଗର୍ଜନ କଲାପରି ଏଠାରେ ବାଦ୍ୟନାଦର ଗର୍ଜନ ହେଉଅଛି । ତହିଁରେ ପୋତାଧ୍ୟକ୍ଷମାନେ ଥିଲାପରି ଏଠାରେ ବଶିଷ୍ଠ ସୁମନ୍ତ୍ରାଦି ବଡ଼ ବଡ଼ ଲୋକମାନେ ଅଛନ୍ତି ।

୧୫ଶ ଓ ୧୬ଶ ପଦ–ମିଥିଳା ଦେଶ କନ୍ଦରସ୍ୱରୂପ ହେଲା । ଏମାନେ (ଦଶରଥ ଓ ତାଙ୍କ ଦଳବଳମାନେ) ସେଠାରେ ପହଞ୍ଚି ମିଥିଳାର ରମଣୀ ରତ୍ନମାନଙ୍କୁ ଦେଖିଲାକ୍ଷଣି କହିବେ, ‘ଏମାନଙ୍କୁ ଆଉ ଉପମା ନାହିଁ ।’ କବି ବହୁତ ଚିନ୍ତାକରି ସୁଦ୍ଧା ସେ ରତ୍ନମାନଙ୍କର ମୂଲ୍ୟ ନିରୂପଣ କରି ନ ପାରି ତାହାଙ୍କୁ ଅମୂଲ୍ୟ ଆଖ୍ୟ ଦେଲେ । (ପୋତାଧ୍ୟକ୍ଷମାନେ ବନ୍ଦରରେ ପହଞ୍ଚି ମୂଲ୍ୟ ଦେଇ ରତ୍ନ କିଣନ୍ତି । ମାତ୍ର ମିଥିଳା ବନ୍ଦରରେ ଥିବା ରମଣୀରତ୍ନ ସବୁ ଅମୂଲ୍ୟ)।

 

ବାକୀ ଏ ଦୃଷ୍ଟି ଜନକ ରାଜଋଷି ।

 

ବାଲମୀକି କୌଶିକ ଗୌତମମିଶି ॥

।୧୭।

 

 

ବୈଖାନସଗଣ ଘେନି ବାଟେ ମେଳା ।

 

ବାରାନିଧି ସଙ୍ଗମ କି ଋଷିକୁଲ୍ୟା ॥

।୧୮।

 

 

ବିଶ୍ରାମକ ସୁଖାସନ ଦୂରେ କିଛି ।

 

ବ୍ରହ୍ମପୁତ୍ରେକ ପୁରୁଷୋତ୍ତମ ଅଛି ॥

।୧୯।

 

 

ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି ।

 

ବସା ନିବାସେ ରଖି ଜନକ ଠାରି ॥

।୨୦।

 

୧୮ଶତ ପଦ–ବୈଖାନସ ଗଣ–ଋଷିମାନେ । ବାରାନିଧ୍ୱ–ସମୁଦ୍ର ।

୧୭ଶତ ଓ ୧୮ଶତ ପଦ–ବହୁତ ଉପନଦୀସହ ଋଷିକୁଲ୍ୟାନଦୀ ଯାଇ ସମୁଦ୍ରରେ ମିଶିଲାପରି ଜନକ ବାଲ୍ମୀକି, ବିଶ୍ୱାମିତ୍ର, ଗୌତମ ଆଦି ଋଷିମାନଙ୍କୁ ସଙ୍ଗରେ ନେଇ ଯାଇ ଦଶରଥଙ୍କ ସହିତ ମିଳିତ ହେଲେ ।

୧୯ଶ ପଦ–ସୁଖାସନ–ଅନନ୍ତ ଶୟନ, ଯାନ ବାହନ ଇତ୍ୟାଦି ।

୧୯ଶ ପଦ–ଯେଉଁ ସମୁଦ୍ରର ବନ୍ଦରରେ ପୋତ ରହେ ତାହାର କିୟତ୍ ଦୂରରେ ପୁରୁଷୋତ୍ତମ ନାରାୟଣ ଅନନ୍ତ ଶଯ୍ୟାରେ ସୁଖରେ ଶୟନ କରିଥାନ୍ତି ଓ ତହିଁରେ ଗରଳ ଥାଏ । ସେହିପରି ମିଥିଳା ରାଜ୍ୟ ସୀମାରେ ଦଶରଥ ସୈନ୍ୟସବୁ ଉପସ୍ଥିତ ହେଲେ, ତାଙ୍କ ସହିତ ବଶିଷ୍ଠ ରହିଅଛନ୍ତି ଓ ସେହି ସୀମାର କିୟତ୍ ଦୂରରେ ରାଜଉପବନରେ ପୁରୁଷୋତ୍ତମ ରାମଚନ୍ଦ୍ର ସୁଖରେ ବିରାଜମାନ କରିଅଛନ୍ତି ।

୨୦ଶ ପଦ–କଟକ–ନଗର । ସାମୁଦ୍ରିକ–ଲବଣ ।

୨୦ଶ ପଦ–ସମୁଦ୍ର ଲବଣରେ ବ୍ୟାପ୍ତ ହୋଇଥିଲାପରି ଦଶରଥ ମିଥିଳା ରାଜଧାନୀରେ ସୈନ୍ୟସହ ପରିବ୍ୟାପ୍ତ ହୋଇଗଲେ । ଜନକଙ୍କ ଇଙ୍ଗିତକ୍ରମେ ଭୃତ୍ୟାମାନେ ସେମାନଙ୍କୁ ନେଇ ବସା ଗୃହମାନଙ୍କରେ ରଖିଲେ ।

 

ବିଚାରହିଁ ହୋଇଥିଲେ ଶତାନନ୍ଦ ।

 

ବଶିଷ୍ଠରେ କହିଲେ ଏ ଚାରିପଦ ॥

।୨୧।

 

 

ବେଳୁଁ ଶ୍ରୀରାମ ହେଲେ ତ୍ରିପୁରଜେତା ।

 

ବିଚାରଇ ତାଙ୍କ ଧାର୍ଯ୍ୟକାରୀ ସୀତା ॥

।୨୨।

 

 

ବାର୍ଦ୍ଧି ଲକ୍ଷ୍ମଣ ଗମ୍ଭୀର–ଗୁଣଗ୍ରାହୀ ।

 

ବିହୁ ଉର୍ମିଲାବନ୍ୟ କେଳିକି ସେହି ॥

।୨୩।

 

 

ବିଦ୍ୟମାନ ଶୁଭଇତ ସୁମୂର୍ତ୍ତିକି ।

 

ବିଧି ନ ଦେବା ସୁମନେମାଳିନୀକି ॥

।୨୪।

 

 

ବୈରି–ଘନ ସୁକୀର୍ତ୍ତିରେ ଯୁକ୍ତ ସତ ।

 

ବଚନରେ ଶତାନନ୍ଦ କଲେ ଜାତ ॥

।୨୫।

 

୨୧ଶ ପଦ–ଶତାନନ୍ଦ ଜନକଙ୍କ ସହିତ ପୂର୍ବରୁ ବିଚାର କରିଥିଲେ । ବର୍ତ୍ତମାନ ସମୟ ଜାଣି ବଶିଷ୍ଠଙ୍କୁ ଏହି ଚାରିପଦ କହିଲେ–

୨୨ଶ ପଦ–ତ୍ରିପୁର ବିଜୟୀ ମହାଦେବ ଗଙ୍ଗାଙ୍କୁ ଧାରଣା କରିଅଛନ୍ତି । ସେହିପରି ଯେତେବେଳକୁ ରାମଚନ୍ଦ୍ର ତ୍ରିପୁରଜେତା ବୋଲି ଜଣାଗଲେଣି, ମୁଁ ବିଚାରୁଛି; ଗଙ୍ଗାରୂପୀ ସୀତାଙ୍କୁ ତାଙ୍କର ଧାରଣ କରିବା ଉଚିତ । (ରାମ ତ୍ରିପୁରବିଜୟୀ ଶିବଙ୍କର ଧନୁ ଭାଙ୍ଗିଲାବେଳୁ ତ୍ରିପୁରଜେତା ବୋଲି ଜଣାଗଲେଣି ) ।

୨୩ଶ ପଦ–ଉର୍ମିଲାବନ୍ୟ–ମନୋହର ଢେଉ, ଉମଳା ।

୨୩ଶ ପଦ–ସୁଗଭୀର ସମୁଦ୍ରରେ ‘ଉମ’ ଢେଉ ଯେପରି ସୁନ୍ଦର କେଳି ରଚନା କରେ, ସେହିପରି ଗଭୀର ଓ ଶୌର୍ଯ୍ୟାଦି ଗୁଣ ମଣ୍ଡିତ ଲକ୍ଷ୍ମଣଙ୍କ ହୃଦୟରେ ‘ଉର୍ମିଳା’ ସୀତାଙ୍କ ଭଗ୍ନୀ ଶୋଭା ବିସ୍ତାରପୂର୍ବକ କ୍ରୀଡ଼ା କରନ୍ତୁ । (ଲକ୍ଷ୍ମଣ ଉର୍ମିଳାଙ୍କୁ ବିବାହ କରନ୍ତୁ) ।

୨୪ଶ ପଦ–ବିଦ୍ୟମାନ–ଦେବୀପ୍ୟମାନ । ସୁମର୍ତ୍ତି–ମନୋହର ମୂର୍ତ୍ତି । ସୁମନେ–ନିର୍ମଳ ମନରେ ।

୨୪ଶ ପଦ–ମଙ୍ଗଳପ୍ରଦ ସୁନ୍ଦର ବିଗ୍ରହଙ୍କୁ ପୁଷ୍ପମାଳା ଦେବା ବିଧି ନୁହେଁକି ? ସେହିପରି ସୁନ୍ଦର ଓ ଶୌର୍ଯ୍ୟାଶାଳୀ ଭରତଙ୍କୁ ମାଳିନୀ (ମାଣ୍ଡବୀ) କନ୍ୟାଙ୍କୁ ଉତ୍ତମ ଚିତ୍ତରେ ପ୍ରଦାନ କରିବା ଉଚିତ ।

୨୫ଶ ପଦ–ବେରିଘନ–ଶସ୍ତ୍ର ହନ୍ତା ।

୨୫ଶ ପଦ–ଶତ୍ରୁହନ୍ତା ଲୋକ ସୁକୀର୍ତ୍ତିଯୁକ୍ତ ହେଲା ପରି ଶତ୍ରୁଘ୍ନ ସୁକୀର୍ତ୍ତି (ଶ୍ରୁତକୀର୍ତ୍ତି)ରେ ଶୋଭିତ ହୁଅନ୍ତୁ ( ଶତ୍ରୁଘ୍ନ ଶ୍ରୁତକୀର୍ତ୍ତିଙ୍କୁ ବିବାହ କରନ୍ତୁ ) । ଶତାନନ୍ଦ ଏହି କଥା ବଶିଷ୍ଠଙ୍କୁ କହିଲେ ।

 

ବିଖନକୁ ପ୍ରଶଂସନ୍ତି ସାଧୁଜନେ ।

 

ବର ଚାରି ଚାରି କନ୍ୟା ଏକସ୍ଥାନେ ॥

।୨୬।

 

 

ବିହିଥିଲା ନୋହିଥିଲେ କାହିଁ ବିହି ।

 

ବାହୁଡ଼ିଲେ ଜନକ ପ୍ରମୋଦ ବହି ॥

।୨୭।

 

 

ବ୍ୟତିପାତ ବିଷ୍ଟି ବିବର୍ଜିତ ଦିନ ।

 

ବୁଝି କନ୍ୟା ଦେଖିବାକୁ ଆଗମନ ॥

।୨୮।

 

 

ବାମଦେବ ଜାବାଳି କଶ୍ୟପ ତିନି ।

 

ବଶିଷ୍ଠଙ୍କୁ ସୁମନ୍ତ୍ରଙ୍କୁ ସଙ୍ଗେ ଘେନି ॥

।୨୯।

 

 

ବିଜେ ଜନକମନ୍ଦିରେ ଦଶରଥ ।

 

ବୋଲେ ଜାମାଙ୍କୁ ଆଣ ଦେଖୁଣି ଅଥ ॥

।୩୦।

 

୨୬ଶତ ପଦ–ବିଖନ–ବିଧାତା ।

୨୬ଶ ଓ ୨୭ଶ ପଦ–ଏପରି ଚାରୋଟି ବର ପାଇ ସର୍ବାଂଶରେ ଉପଯୁକ୍ତା ଚାରି କନ୍ୟା ଏକସ୍ଥାନରେ ଘଟନ ହୋଇଥିବାର ଦେଖି ପଣ୍ଡିତମାନେ (ବଶିଷ୍ଠାଦିମାନେ) ବିଧାତାଙ୍କୁ ପ୍ରଶଂସା କରି କହିଲେ, ‘‘ଏହିପରି ଉପଯୁକ୍ତ ବରକନ୍ୟା ବିଧାନ କରୁ ନ ଥିଲେ ସେ ବିଧାତା ନାମ କାହିଁକି ବୋଲାନ୍ତେ ?’’ (ଏଥିରୁ ବଶିଷ୍ଠାଦିଙ୍କର ସମ୍ମତି ପ୍ରକାଶ ପାଇଲା) । ତତ୍ପରେ ଜନକ ବୋଧ ହୋଇ ଆନନ୍ଦ ମନରେ ପୁରକୁ ବାହୁଡ଼ିଲେ ।

୨୮ଶ ଓ ୨୯ଶ ପଦ–ବ୍ୟତିପାତ ଓ ବିଷ୍ଟ ବିବର୍ଜିତ ଦିନ (ଶୁଭଦିନ) ବୁଝି କନ୍ୟା ଦେଖିବା ନିମିତ୍ତ କାମଦେବ, ଯାବାଳି, କଶ୍ୟପ, ଏ ତିନିଜଣ ବଶିଷ୍ଠ ଓ ସୁମନ୍ତଙ୍କୁ ସଙ୍ଗରେ ଘେନି ଆଗମନ କଲେ ।

୩୦ଶ ପଦ–ଦଶରଥ ଜନକଙ୍କ ମନ୍ଦିରରେ ବିଜେ କରି କହିଲେ, ‘‘ଦେଖିବା ନିମିତ୍ତ ରାଜକନ୍ୟାମାନଙ୍କୁ ଆଣ ।’’

 

ବେଶ କରି ସାରିଥିଲେ ଆଗୁ ଜାଣି ।

 

ବେହରାଏ ସର୍ବ ଶୋଭାପୁରୀ ପୁଣି ॥

।୩୧।

 

 

ବିଦ୍ୟକୁନ୍ତଳ ଚମ୍ପାପୁଷ୍ପାଲିଙ୍ଗନ ।

 

ବିମଳକ ଚୋର ମାଳବରେ ପୁନ ॥

।୩୨।

 

 

ବିଚଳିତ କାଞ୍ଚନ କଟକ କାଞ୍ଚୀ ।

 

ବେଳେବେଳେ ଖଞ୍ଜିତ ହେବାର ପାଞ୍ଚି ॥

।୩୩।

 

 

ବିଭୂଷଣ ରତ୍ନପୁର ଶ୍ରୀନଗର ।

 

ବିଶାଳରେ କରିଅଛି ସେ ଆଦର ॥

।୩୪।

 

 

ବାହ୍ଲୀକରେ ଅଙ୍ଗକୁ କରାଇ କୋଳ ।

 

ବର୍ଦ୍ଧମାନ କରେ ହାସ ମହୋଜ୍ଜ୍ୱଳ॥

।୩୫।

 

୩୧ଶ ପଦ–ପୂର୍ବରୁ ଜାଣି ବେଶକାରିଣୀମାନେ ସୀତା ପ୍ରଭୃତିଙ୍କୁ ବେଶ କରି ସାରିଥିଲେ-। ‘ବେହରଣକାରୀମାନେ’ ଦଶରଥାଦି ଅଯୋଧ୍ୟାର ଲୋକେ ମିଥିଳାର ରାଜକନ୍ୟାଙ୍କୁ ଦେଖି ମନେକଲେ, ଏ କନ୍ୟା ସର୍ବ ଶୋଭାର ସ୍ଥାନ ଅଟନ୍ତି ।

୩୨ଶ ପଦ–କନ୍ୟାମାନଙ୍କ କେଶରେ ଚମ୍ପାପୁଷ୍ପ ଭୂଷିତ ହୋଇଥିବାରୁ କୁନ୍ତଳ ପୁରୀ ଓ ଚମ୍ପାପୁରୀ ସୂଚନା ଦେଲା । ପୁଣି ନିର୍ମଳ କାଞ୍ଚଲାକୁ ଶ୍ରେଷ୍ଠ ହାର ସବୁ ଆଲିଙ୍ଗନ କରିଥିବା ଦୃଶ୍ୟ ଚୋଳ ପୁରୀ ଓ ମାଳବ ପୁରୀର ଇଙ୍ଗିତ ଦେଲା ।

୩୩ଶ ପଦ–କାଞ୍ଚନ–କଟକ–ସୁବର୍ଣ୍ଣ କଙ୍କଣ, ଲଙ୍କାପୁରୀ । କାଞ୍ଚୀ–କିଙ୍କିଣୀ, କାଞ୍ଚିନଗରୀ-

୩୩ଶ ପଦ–ସମୟ ସମୟରେ ଆନ୍ଦୋଳିତ ହେବ ବୋଲି ଭାବି ସଖୀମାନେ ସୁବର୍ଣ୍ଣ ବଳୟ ଓ କାଞ୍ଚୀ (ବଟୀ ଭୂଷଣ ବିଶେଷ) ଖଞ୍ଜିଥିଲେ (ହସ୍ତ ଚାଳନାରେ ବିଳୟ ଓ ଗମନରେ କାଞ୍ଚୀ ବିଚଳିତ ହେବ)–ଏହାଦ୍ୱାରା ଲଙ୍କାପୁରୀ ଓ କଞ୍ଚୀପୁର ସୂଚିତ ହେଲା ।

୩୪ଶ ପଦ–କନ୍ୟାମାନେ ନାନାରତ୍ନମାନଙ୍କରେ ମଣ୍ଡିତ ହୋଇ ବିଶାଳ ଶୋଭାର ଆଧାର ହୋଇଅଛନ୍ତି (ଖୁବ୍ ଶୋଭା ଦିଶୁ ଅଛନ୍ତି) । ଏହାଦ୍ୱାରା ରତ୍ନପୁର ଶ୍ରୀନଗର ଓ ବିଶାଳା ପୁରୀର ସଙ୍କେତ ଦିଆଗଲା ।

୩୫ଶ ପଦ–ବାହ୍ଲ୍ମୀକ–କୁଙ୍କୁମ, ନଗର ବିଶେଷ ।

୩୫ଶ ପଦ–କନ୍ୟାଗଣ ଶରୀରରେ କୁଙ୍କୁମ ବୋଳି ହୋଇଥିଲେ ଓ ହାସ୍ୟ ପ୍ରକାଶ କରୁଥିଲେ । ଏହା ବାହ୍ମ୍ଲୀକ ନଗରୀ, ଅଙ୍ଗ ବର୍ଦ୍ଧମାନର ଭ୍ରମ ଜନ୍ମାଇଲା ।

 

ବଳାଇ ଯେ ପୁରୁଁ ଆଣିବାରେ ଦାସୀ ।

 

ବିହି ଯନ୍ତ୍ର ପିତୁଳାପରାୟ ଦିଶି ॥

।୩୬।

 

 

ବିଲୋକିତ ହେଲେ ସେ ରମଣୀ ଚାରି ।

 

ବ୍ୟତିରେକେ ରମଣୀୟା ନାହିଁ ନାରୀ ॥

।୩୭।

 

 

ବେଦୀଶ ବିକଳ୍ପି କର୍ମ ଆରମ୍ଭଣେ ।

 

ବଳି ଜ୍ୟାରୁ ଜନ୍ମ ଅନୁପମେ ଜଣେ ॥

।୩୮।

 

 

ବଳାରାତିର ଅବଳା ଉମା ରମା ।

 

ବହି ଏକ ମୂରତି ନୋହିବେ ସମା ॥

।୩୯।

 

 

ବ୍ୟକ୍ତେ ତାଙ୍କୁ ପଦରୁ ଅଧିକ ଧରି ।

 

ବୋଲାଇଲେ ଏ ସୁନ୍ଦରୀ–ପୁରନ୍ଦରୀ ॥

।୪୦।

 

୩୬ଶ ପଦ–ତତ୍ପରେ ଦାସୀମାନେ ସେମାନଙ୍କୁ ପୁରରୁ ଘେନି ଆସିବା ସମୟରେ ସେମାନେ ବିଧାତାଙ୍କର ଯନ୍ତ୍ର ନିର୍ମିତ ପିତୁଳା ପ୍ରାୟ ଦିଶିଲେ । (ବିଧାତା ସ୍ୱହସ୍ତରେ ନିର୍ମାଣ ନ କରି ଯନ୍ତ୍ର ସାହାଯ୍ୟରେ ନିର୍ମାଣ କରି ଅଛନ୍ତି) ।

୩୭ଶ ପଦ–ଦଶରଥାଦିମାନେ ଯେଉଁ ଚାରି କନ୍ୟାଙ୍କୁ ଦେଖିଲେ, ତାଙ୍କ ପରି ସୁନ୍ଦରୀ ଆଉ ଏ ସଂସାରରେ କେହି ନାହାନ୍ତି,–ଏମନ୍ତ ମନେକଲେ ।

୩୮ଶ ପଦ–ବେଦୀଶ–ବ୍ରହ୍ମା । ଜ୍ୟାରୁ–ପୃଥିବୀରୁ ।

୩୮ଶ ପଦ–ଦଶରଥ, ବଶିଷ୍ଠାଦିମାନେ ଭାବିଲେ, ବିଧାତା ଏହାଙ୍କୁ ନିର୍ମାଣ କରିବାର ଆରମ୍ଭରେ ମନେକଲେ, ପୃଥିବୀରେ ଉପମାରହିତା ସୁନ୍ଦରୀ ହୋଇ ଏମାନେ ଜନ୍ମ ହୁଅନ୍ତୁ । (ଅର୍ଥାତ୍ ଏ ଚାରିକନ୍ୟାଙ୍କର ଶୋଭାର ତୁଳନା ସାରା ସଂସାରରେ ଅନ୍ୟତ୍ର ଦୁର୍ଲ୍ଲଭ) ।

୩୯ଶ ପଦ–ବଳାରାତିଅବଳା–ଶଚୀ ।

୩୯ଶ ପଦ–ଶଚୀ, ପାର୍ବତୀ, ଲକ୍ଷ୍ମୀ ଏ ତିନିଜଣ ଏକ ମୂର୍ତ୍ତି ହେଲେ ସୁଦ୍ଧା ଏହାଙ୍କ (ସୀତାଙ୍କ) ସହିତ ସମାନ ହେବେ ନାହିଁ ।

୪୦ଶ ପଦ–ଶଚୀ, ରମା, ଉମାଙ୍କଠାରୁ ଏ କନ୍ୟା ‘ସୀତା’ ଅଧିକ ଶ୍ରେଷ୍ଠା ଅଟନ୍ତି । ଶଚୀ ଲୋକଙ୍କ ମଧ୍ୟରେ ସୁନ୍ଦରୀ ବୋଲାନ୍ତି, ମାତ୍ର ଏ ସୁନ୍ଦରୀଙ୍କ ମଧ୍ୟରେ ପୁରନ୍ଦରୀ ଅଟନ୍ତି । (ତେଣୁ ଶଚୀଙ୍କଠାରୁ ଶ୍ରେଷ୍ଠା ହେଲେ) ।

 

ବାଣୀ ବିଖ୍ୟାତ ଗଉରୀ ଶିରୋମଣି ।

 

ବିଦ୍ୟାବନ୍ତେ ଯେ କମଳାସାର ଭଣି ॥

।୪୧।

 

 

ବନାଇବାରେ ପୁଣି ଯେ ପ୍ରତିମାଏ ।

 

ବପୁବନ୍ତ ହେଲା ଘୁଣକ୍ଷର ପ୍ରାୟେ ॥

।୪୨।

 

 

ବୋଲି ସ୍ତିରୀ ମଧ୍ୟେ ସାର ଯେଉଁ ରମ୍ଭା ।

 

ବେଗେ ପାଦଦେଶ କେ ସେ ପରିରମ୍ଭା ॥

।୪୩।

 

 

ବିଶ୍ଵକର୍ମାକୁ ଘେନି ଗଢ଼ିଲେ ଦୁଇ ।

 

ବିନ୍ଧାଣିତ୍ଵ ବିବାଦକୁ ସେ ଦେଖାଇ ॥

।୪୪।

 

 

ବାଳୀ ଏକ ତିଳେ ତିଳୋତ୍ତମା ହେଲା ।

 

ବାଳୀ ଏକ ରତି ରତି ତାକୁ ଦେଲା ॥

।୪୫।

 

୪୧ଶତ ପଦ–ଉମାଙ୍କର ଗୌରୀ ନାମ ବଚନରେ ଖ୍ୟାତି ଅଟେ, ମାତ୍ର ଏ ସୀତା ଗୌରୀଶିରୋମଣି (କନ୍ୟା ଶିରୋମଣି) ଅଟନ୍ତି । ତେଣୁ ଗୌରୀଙ୍କଠାରୁ ଶ୍ରେଷ୍ଠା । ପଣ୍ଡିତମାନେ ଲକ୍ଷ୍ମୀଙ୍କର ନାମ କମଳା ଦେଇଥାନ୍ତି, ମାତ୍ର ସେହିମାନେ ଏହାଙ୍କୁ କମଳାସାର (ବରସ୍ତ୍ରୀ–ଶ୍ରେଷ୍ଠାସ୍ତ୍ରୀ) କହି ଅଛନ୍ତି । (ସେହି ହେତୁରୁ ଲକ୍ଷ୍ମୀଙ୍କରଠାରୁ ଶ୍ରେଷ୍ଠା ହେଲେ) ।

୪୨ଶତ ପଦ–କୀଟ କାଠ କାଟୁ କାଟୁ ଯେପରି ଅକ୍ଷର ସୃଷ୍ଟି ହୋଇଯାଏ, ସେହିପରି ପ୍ରତିମା ଗଢ଼ୁ ଗଢ଼ୁ ଏ ଉର୍ମିଳା କନ୍ୟା ଶରୀର ଧାରଣ କଲେକି ?

୪୩ଶତ ପଦ–ସ୍ତ୍ରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଯେଉଁ ରମ୍ଭା ଖ୍ୟାତ ଅଟନ୍ତି, ସେହି ରମ୍ଭା ଉର୍ମିଳାଙ୍କର ପାଦଦେଶରେ ଶରଣାପନ୍ନ ହୋଇ ଅଛନ୍ତିକି ? (ତାଙ୍କ ଊରୁ ରମ୍ଭା ବୃକ୍ଷ ସଦୃଶା ଦେଖାଯାଉଥିଲା) ।

୪୪ଶ ଓ ୪୫ଶ ପଦ–ବ୍ରହ୍ମା ବିଶ୍ୱକର୍ମା ସହିତ ଶିଳ୍ପ ନୈପୁଣ୍ୟରେ ବିବାଦ ଲଗାଇବାପାଇଁ (କିଏ ଶ୍ରେଷ୍ଠ ଶିଳ୍ପୀ ଏହା ଦେଖାଇବାପାଇଁ) ଦୁଇଟି କନ୍ୟା ନିର୍ମାଣ କଲେ । ସେ ଦୁଇ କନ୍ୟା ତିଳୋତ୍ତମା ଓ ରତି । ମାଳିନୀ ତିଳୋତ୍ତମାକୁ ତିଳର ସହିତ ତୁଳନା କଲା । (ମାଳିନୀ ସହିତ ତିଳୋତ୍ତମା ତିଳେ ପ୍ରମାଣରେ ସୁଦ୍ଧା ସମାନ ହେବେ ନାହିଁ) । ଆଉ କାଳୀ ଶ୍ରୁତକୀର୍ତ୍ତ ରତିକୁ ରତି ପ୍ରମାଣରେ ଗଣନା କଲା । (ମାଳିନୀ ଓ ଶ୍ରୁତକୀର୍ତ୍ତି ତିଳୋତ୍ତମା ଓ ରତିଙ୍କଠାରୁ ବହୁତ ଗୁଣରେ ସୁନ୍ଦରୀ ଅଟନ୍ତି)।

 

ବିଷ୍ଣୁ ମୋହିନୀରୂପକୁ ଧରିଥିଲେ ।

 

ବୃଷାସନ ଦମ୍ଭକୁ ହରିଲେ ବଳେ ॥

।୪୬।

 

 

ବାଦେ ଅଶେଷ ଲାବଣ୍ୟଶିରୀ ଆଣି ।

 

ବହୁକାଳେ ଦେଖାଇଲେ ଶିରୀ ଆଣି ॥

।୪୭।

 

 

ବାଳା–ଜ୍ୟୋଷ୍ଠା ଶ୍ରେଷ୍ଠା କୋଟି ବ୍ରହ୍ମାଣ୍ଡରେ ।

 

ବିଭୂଷଣା ଆଉ ତିନି ତିନି ପୁରେ ॥

।୪୮।

 

 

ବିଶ୍ଵମୋହିନୀ ରୂପ ସୀତାଙ୍କୁ ସାଜି ।

 

ବର ହେଲେ ରାମରୂପେ ବିଷ୍ଣୁ ହେଜି ॥

।୪୯।

 

 

ବର୍ଣ୍ଣୁଥିଲେ ନବ ପଦ ହୋଇ କବି ।

 

ବଇଷ୍ଣବ ଗୁଣେ ଚାରିପଦ ଭାବି ॥

।୫୦।

 

୪୬ଶ ପଦ–ବୃଷାସନ–ମହାଦେବ ।

୪୭ଶ ପଦ–ଲାବଣ୍ୟଶିରୀ–ଶୋଭାସଂପଦ । ଶିରୀ–ଲକ୍ଷ୍ମୀ ।

୪୬ଶ ଓ ୪୭ଶ ପଦ–ବିଷ୍ଣୁ ମୋହିନୀରୂପକୁ ଧରି (ସମୁଦ୍ର ମନ୍ଥନ ସମୟରେ) ବଳାତ୍କାରରେ ମହାଦେବଙ୍କ ଧୈର୍ଯ୍ୟକୁ ଧ୍ୱଂସ କରିଥିଲେ । (ତାହାର ପ୍ରତିଶୋଧ ନେବା କାରଣ ମହାଦେବ) ବିଷ୍ଣୁଙ୍କର ଧୈର୍ଯ୍ୟ ଧ୍ୱଂସ କରିବାପାଇଁ ଅଶେଷ ଲାବଣ୍ୟର ଶୋଭା ଏକାଠି ଠୁଳ କରି ବହୁକାଳ ବସି ଲକ୍ଷ୍ମୀରୂପା ସୀତାଙ୍କୁ ନିର୍ମାଣ କରିଅଛନ୍ତିକି ?

୪୮ଶ ପଦ–ଜ୍ୟେଷ୍ଠା କନ୍ୟା ସୀତା କୋଟିବ୍ରହ୍ମାଣ୍ଡରେ ଶ୍ରେଷ୍ଠା ଅଟନ୍ତି । ଅନ୍ୟ ତିନି କନ୍ୟା ତିନିପୁରର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର) ମଣ୍ଡନ ସ୍ୱରୂପା ଅଟନ୍ତି ।

୪୯ଶ ପଦ–ସୀତା ବିଶ୍ୱମୋହନୀ ରୂପକୁ ସାଜିଅଛନ୍ତି (ଏହାଦ୍ୱାରା ସାକ୍ଷାତ୍ ଲକ୍ଷ୍ମୀବୋଲି ସୂଚନା ଦିଆଯାଉଛି) । ଏହା ଜାଣିପାରି ବିଷ୍ଣୁ ମନୋହର ରାମ ରୂପରେ ଅବତୀର୍ଣ୍ଣ ହୋଇ ତାଙ୍କର ବର ହେଲେ ।

୫୦ଶତ ପଦ–ରାମ ସୀତାଙ୍କର ଚାରିପାଦ ସ୍ମରଣ କରି ତାଙ୍କର ଶୋଭା ବର୍ଣ୍ଣନା କରୁଥିଲେ ବିଷ୍ଣୁ ଭକ୍ତ କବିମାନଙ୍କର ମନରେ ନୂତନ ଭାବମାନ ସ୍ଫୁରିତ ହୁଏ (ଅର୍ଥାତ୍ ଯେତେ ବର୍ଣ୍ଣନା କଲେ ହେଁ ତାହା ଶେଷ ହୁଏନାହିଁ । ତେଣୁ ଆଉ ବେଶୀ ବର୍ଣ୍ଣନା କରିବାରୁ ନିବର୍ତ୍ତାଇ) ଅଥବା–ବିଷ୍ଣୁଭକ୍ତ ବ୍ୟକ୍ତି ଏହି ଚାରିପଦ ଗୀତ (ବିଷ୍ଣୁ ମୋହିନୀ ରୂପକୁ ଧରିଥିଲେ–ଠାରୁ)ର ଭାବ ଚିନ୍ତା କଲେ ବିଷ୍ଣୁ ପଦକୁ ନିଶ୍ଚୟ ଲାଭ କରିବ ।

 

ବଧୂ ଦେଖାକୁ ବହୁତ ଅଳଙ୍କାର ।

 

ବଢ଼ା ହୋଇଥିଲା ତହୁଁ ନରେଶ୍ଵର ॥

।୫୧।

 

 

ବନିତାରେ ମଥାମଣି ଦେଲେ ତୋଳି ।

 

ବନିତାରେ ଏ ପଦ ନ ବୋଲି ବୋଲି ॥

।୫୨।

 

 

ବିଷ୍ଣୁ ଉରସ୍ଥ କୌସ୍ତୁଭ ନୃପମଣି ।

 

ବସି ଯେଉଁ ରାମ ନାମ ଗୁଣି ଭଣି ॥

।୫୩।

 

 

ବିଧୁର କି ହୁଅନ୍ତା ସେ ମୂର୍ତ୍ତି ଦୀପ୍ତେ ।

 

ବ୍ୟାଜ ଏ ମଣିରୂପେ ପ୍ରବେଶ ଗୁପ୍ତେ ॥

।୫୪।

 

 

ବତ୍ସେ ବିହରିବ ପୁଣି କାଳାନ୍ତରେ ।

 

ବଳେ ଏବେ ସୀତାରାମ ଭାବନାରେ ॥

।୫୫।

 

୫୧ଶତ ଓ ୫୨ଶତ ପଦ–ବଧୂମାନଙ୍କ ଦେଖା ନିମିତ୍ତ (ସେମାନଙ୍କ ମୁହଁ ଦେଖି ଦେବା ନିମିତ୍ତ) ବହୁତ ଅଳଙ୍କାର ଆସି ଥୁଆ ହୋଇଥିଲା । ତା’ ମଧ୍ୟରୁ ଦଶରଥ ସୀତାଙ୍କୁ ସ୍ତ୍ରୀମାନଙ୍କ ମଧ୍ୟରେ ଏ ଶିରୋମଣି’– ଏହା ବିଚାର କରି ମାତ୍ର ପ୍ରକାଶ୍ୟରେ କିଛି ନ କହି ମଥାମଣି ଅଳଙ୍କାରକୁ ଦେଲେ ।

୫୩ଶତ ପଦ–ନୃପମଣି–ମଣିଶ୍ରେଷ୍ଠ ।

୫୪ଶତ ପଦ–ବିଧୁର–ବିଯୁକ୍ତ ।

୫୩ ଓ ୫୪ଶ ପଦ–(ଦଶରଥ ସୀତାଙ୍କୁ ମଥାମଣି ଦେବାକୁ ମନେହୁଏ) କୌସ୍ତୁଭ ନାମକ ରାଜା ଯୋଗରେ ବସିବା ଜିତେନ୍ଦ୍ରିୟ ହୋଇ ରାମ ନାମ କୀର୍ତ୍ତନ କରିବାକୁ କାଳକ୍ରମେ ମଣି ରୂପରେ ବିଷ୍ଣୁଙ୍କର ବକ୍ଷସ୍ଥାଳରେ ସ୍ଥାନ ପାଇଲା । (ତେଣୁ ତା’ର ନାମ କୌସ୍ତୁଭମଣି ହୋଇଅଛି) । ସେହି ରାମ ବର୍ତ୍ତମାନ ଅବତାର ହୋଇଅଛନ୍ତି । ତାଙ୍କଠାରୁ ବିଚ୍ଛେଦ ନ ହେବା ଛଳରେ ସେ ଗୁପ୍ତରୂପରେ ଆସି ଏଠାରେ (ଏ ମଥାମଣି ରୂପରେ) ଉପସ୍ଥିତ ହେଲାକି ?

୫୫ଶତ ପଦ–ପୁଣି କାଳକ୍ରମେ ସେ ମଣି ରାମଙ୍କ ବକ୍ଷରେ ବିହାର କରିବ । (ଲଙ୍କାରୁ ହନୁମାନ ସୀତାଙ୍କର ସଙ୍କେତ ରୂପେ ଆଣି ରାମଚନ୍ଦ୍ରଙ୍କୁ ଦେଲେ, ରାମ ତାକୁ ବକ୍ଷରେ ଧରି ସୀତାଙ୍କ ବିଚ୍ଛେଦ ଯନ୍ତ୍ରଣା ଭୁଲିବେ) । ଏହା ଭାବି ସେ ବର୍ତ୍ତମାନ ରାମଚନ୍ଦ୍ରଙ୍କୁ ଛାଡ଼ି ସୀତାଙ୍କ ପାଖରେ ରହିଲା ।

 

ବିରାଜିତ ଉପଇନ୍ଦ୍ର ଭଞ୍ଜ ମନେ।

 

ବିରଚନା ବିଚାରିବ ସାଧୁଜନେ ॥

।୫୬।

 

 

ବିଭୂଷିତ କରୁ ଶିରେ ଶିଳ୍ପକାରୀ ।

 

ବିବିଧରେ ଉତ୍‌ପ୍ରେକ୍ଷାକୁ ଜାତ କରି ॥

।୫୭।

 

 

ବିମଳିନ ନିଳୋତ୍ପଳଦଳେ ଜଳ ।

 

ବିପୃଷ କି ପଡ଼ିବାରେ ଢଳ ଢଳ ॥

।୫୮।

 

 

ବୃଷା–ନୀଳମଣି–ବୃନ୍ଦ ପ୍ରଭା ଚୋରି ।

 

ବଜ୍ରଠାରୁ କରି କିବା କୋଳେ ଧରି ।

।୫୯।

 

 

ବିଜ୍ଜ୍ଵଳିତ କାଳୀମଣି କାଳିନ୍ଦୀରେ ।

 

ବୀଚି କୁଞ୍ଚିତେ କିବା ଚାଞ୍ଚଲ୍ୟ ଧରେ ॥

।୬୦।

 

୫୬ଶତ ପଦ–ଉପେନ୍ଦ୍ର ଭଞ୍ଜ କବି ମନରେ (ମଥାମଣି ସମ୍ବନ୍ଧରେ) ଯେଉଁ ଭାବନା ଖେଲିଲା, ସେ ତାକୁ ପ୍ରକାଶ କଲେ । ସେ କଥା ସାଧୁଜନମାନେ ହୃଦୟରେ ବିଚାର କରିବେ ।

୫୭ଶତ ପଦ–ବେଶକାରିଣୀ ସେ ମଣିକୁ ସୀତାଙ୍କ ଶରିରେ ବିଭୁଷିତ କରନ୍ତେ ତାହା ନାନାପ୍ରକାର ଉପମାକୁ ଜାତ କଲା ।

୫୮ଶତ ପଦ–ଜଳବିପୁଷ–ଜଳବିନ୍ଦୁ ।

୫୮ଶତ ପଦ–ନିର୍ମଳ ନୀଳପଦ୍ମର ପାଖୁଡ଼ାରେ ଜଳ ବିନ୍ଦୁ ପଡ଼ି ଢଳ ଢଳ ଦେଉଅଛିକି-?( ସୀତାଙ୍କ ମସ୍ତକରେ ସେ ମଣି ହଲୁଥିବାର ଦେଖି ଏ ଭାବନା ଆସିଲା । ବଳବିନ୍ଦ୍ର ଶୁକ୍ଳବର୍ଣ୍ଣ ଓ ମଣି ଶୁକ୍ଳବର୍ଣ୍ଣ ।)

୫୯ତମ ପଦ–ବୁଷା ନୀଳମଣିବୃନ୍ଦ–ଇନ୍ଦ୍ରନୀଳମଣି ସମୂହ । ବକ୍ରଠାରୁ–ହୀରାଠାରୁ ।

୫୯ତମ ପଦ–ପୁଣି ମନେହୁଏ ଇନ୍ଦ୍ର ନୀଳମଣି ସମୂହ ହୀରାଠାରୁ ଜ୍ୟୋତି ଚୋରି କରି ନିଜ କୋଳରେ ଧାରଣ କରି ଅଛନ୍ତିକି ?

୬୦ତମ ପଦ–ଯମୁନାର କୁଞ୍ଚିତ ଉପରେ ପ୍ରଜ୍ଜ୍ୱଳିତ କାଳୀୟ ସର୍ପର ମଣି ଚଞ୍ଚଳ ଗତିରେ ଭାସୁଅଛିକି ? [ସୀତାଙ୍କ କୁଞ୍ଚିତ କେଶଦାମ ସହିତ ଯମୁନାର ଲହରୀ ଓ ମଥାମଣି ସହିତ କାଳୀୟ ସର୍ପର ମଣି ଉପମିତ ।]

 

ବିଦିତ ଯେ ସନ୍ଧ୍ୟାକାଳେ ହେଲା ପରା ।

 

ବିହାୟସେ ଏକ କାବ୍ୟ ଦିବ୍ୟ ତାରା ।

।୬୧।

 

 

ବାରିବାହ ଭେଦି ଇନ୍ଦୁ ଉଦେ ତର୍କି ।

 

ବାହାରିଛି ଜ୍ୟୋତିଛଳେ କିରଣକି ?

।୬୨।

 

 

ବାଳା ଅଶେଷ ଶୋଭା କହିବାପାଇଁ ।

 

ବାର୍ତ୍ତାବହ ହୋଇ ପ୍ରଭା ଯଶ ଯାଇ ॥

।୬୩।

 

 

ବଧୂ ତିନିଙ୍କି ଯେ ସ୍ତିରୀରତ୍ନ ଘେନି ।

 

ବିଳୋଇଲେ ଅମୂଲ୍ୟ ରତନ ତିନି ॥

।୬୪।

 

 

ବିଲମ୍ବାଇଲେ ବାମା କାହାର ହୃଦେ ।

 

ବିନ୍ଧ୍ୟଗିରି ପାଶେ କି ଅଗସ୍ତ୍ୟ ଉଦେ ॥

।୬୫।

 

୬୧ତମ ପଦ–ବିହାୟସ–ଆକାଶ । ବାଦ୍ୟ–ଶୁକ୍ରତାର ।

୬୧ତମ ପଦ–ଅଦ୍ୱିତୀୟ ଉଜ୍ଜ୍ୱଳ ଶୁକ୍ରତାରା ସନ୍ଧ୍ୟାକାଳୀନ ଆକାଶରେ ପ୍ରକାଶିତ ହେଲା ପ୍ରାୟ ଦିଶିଲା ।

୬୨ତମ ପଦ–ବାରିବାହ–ମେଘ । ଇନ୍ଦୁ–ଚନ୍ଦ୍ର ।

୬୨ତମ ପଦ–ମେଘକୁ ବିଦାରଣ କରି ଚନ୍ଦ୍ର ଉଦିତ ହୋଇଅଛନ୍ତିକି ? (ଗାଢ଼ ନୀଳବର୍ଣ୍ଣ କେଶ ମେଘ ସହିତ ଉପମିତ ହୋଇଅଛି)। ତେଣୁ ଚନ୍ଦ୍ରର ଜ୍ୟୋତ୍ସ୍ନାଛଳରେ ମଣିର ଜ୍ୟୋତି ପ୍ରକାଶିତ ହେଉଅଛି ।

୬୩ତମ ପଦ–କେଶର ଅବର୍ଣ୍ଣନୀୟ ଶୋଭାର ଯଶକୁ ପ୍ରଚାର କରିବାପାଇଁ, ସେ ନିଜ ପ୍ରଭାକୁ ଦୂତ କରି ପ୍ରେରଣ କରୁଅଛନ୍ତିକି?

୬୪ତମ ପଦ–ଦଶରଥ ଅନ୍ୟବଧୂ ତିନିଙ୍କୁ ସ୍ତ୍ରୀରତ୍ନ ମନେକରି ସେମାନଙ୍କୁ ତିନିଗୋଟି ଅମୂଲ୍ୟ ରତ୍ନ ଦେଲେ ।

୬୫ତମ ପଦ–ସେହି ତିନିରତ୍ନ ମଧ୍ୟରୁ ସଖୀମାନେ କେଉଁ କନ୍ୟାର ହୃଦୟରେ ଗୋଟିଏ ରତ୍ନ ଲମ୍ବାଇ ଦେଲେ । ତାହା ବିନ୍ଧ୍ୟଗିରି ପାଶରେ ଅଗସ୍ତ୍ୟ ନକ୍ଷତ୍ର ଉଦିତ ହେଲେ ପ୍ରାୟ ଦିଶିଲା । (ଅଗସ୍ତ୍ୟ ନକ୍ଷତ୍ର ରକ୍ତବର୍ଣ୍ଣ; ମଣି ତାହା ସହିତ ତୁଳିତ ହୋଇଥିବାରୁ ଏହା ପଦ୍ମରାଗ ମଣି ବୋଲି ଜଣାଯାଉଛି) ।

 

ବାନ୍ଧି ମଣିବନ୍ଧରେ କାହାର ଆଳୀ ।

 

ବନରୁହ ନାଡ଼ମୂଳେ କିବା ଅଳି ॥

।୬୬।

 

 

ବିଭୂଷଣେ କଲେ କାହ କଣ୍ଠ ଶୋଭା ।

 

ବୋଳ ପାନର ଫୁଟି ଦିଶିଲା ପ୍ରଭା ॥

।୬୭।

 

 

ବାହୁଡ଼ାଇଲେ କନ୍ୟା ସୈରିନ୍ଧ୍ରୀବୃନ୍ଦ ।

 

ବୋଧିଗଲା ଚକୋର ଦ୍ଵିତୀୟ ଚାନ୍ଦ ॥

।୬୮।

 

 

ବିଲକ୍ଷିତ ଏହି ଲକ୍ଷ ଦରଶନେ ।

 

ବିଦ୍ୟୁ ଝଟକିବା କାନ୍ତି ପରସନ୍ନେ ॥

।୬୯।

 

 

ବିହି ଇକାର ନିଜ ନାମରେ କହି ।

 

ବଶିଷ୍ଠ ଯେ ସର୍ବ କନ୍ୟାଗଣେ ଏହି ॥

।୭୦।

 

 

ବାମଦେବ ଯେ ସଫଳ ହେଲା ବୋଲେ ।

 

ବାମଦେବ ଯା ତ୍ରିନେତ୍ର ବହିଥିଲେ ॥

।୭୧।

 

 

ବିଚକ୍ଷଣଙ୍କ ମନ ହୋଇଲା ତୋଷ ।

 

ବାର ଅଧିକ ତ୍ରିବିଂଶ ପଦେ ଶେଷ ॥

।୭୨।

 

୬୬ତମ ପଦ–ପୁଣି ସଖୀ କେଉଁ କନ୍ୟାର ମଣିବନ୍ଧରେ ଗୋଟିଏ ରତ୍ନ ବାନ୍ଧିଦେଲା । ତାହା ପଦ୍ମନାଳ ମୂଳରେ ବସିଥିବା ଭ୍ରମରର ଶୋଭାକୁ ଧାରଣ କଲା । (ଭ୍ରମର ନୀଳବର୍ଣ୍ଣ–ତେଣୁ ଏହା ନୀଳମଣି ବୋଲି ଜଣାଯାଏ) ।

୬୭ତମ ପଦ–କେଉଁ କନ୍ୟାର କଣ୍ଠରେ ସଖୀମାନେ ରତ୍ନ ଭୂଷିତ କଲେ । ପାନର ବୋଳ କଣ୍ଠରେ ଫୁଟି ଦେଖାଗଲା ପ୍ରାୟ ତାହା ଶୋଭା ପାଇଲା । (ପାନ ବୋଳ ସହିତ ତୁଳନା ଦିଆଯିବାରୁ ଓ କଣ୍ଠର ଭୂଷଣ ହୋଇଥିବାରୁ ତାହା ପ୍ରବାଳ ବୋଲି ଅନୁମତି ହୁଏ ।)

୬୮ତମ ପଦ–ସୈରିନ୍ଧ୍ରୀବୃନ୍ଦ–ବେଶକାରିଣୀମାନେ ।

୬୮ତମ ପଦ–ରତ୍ନ ଭୂଷିତ କଲା ପରେ ବେଶକାରିଣୀମାନେ ଅନ୍ୟାମାନଙ୍କୁ ଅନ୍ତଃପୁରକୁ ବାହୁଡ଼ାଇ ନେଲେ । ଦ୍ୱିତୀୟା ଚନ୍ଦ୍ର ଚକୋର ପକ୍ଷୀକୁ ବୋଧ ଦେଇଗଲା ପ୍ରାୟ ପ୍ରତୀତି ହେଲା । (ଦ୍ୱିତୀୟା ଚନ୍ଦ୍ର ଅଳ୍ପ ସମୟ ଦେଖା ଦେଇ ଚାଲିଯାଏ । କନ୍ୟାମାନେ ଅଳ୍ପ ସମୟ ରହି ଦର୍ଶକଙ୍କ ନେତ୍ରକୁ ମୋହିତ କରି ପୁଣି ଚାଲିଗଲେ) ।

୬୯ତମ ପଦ–ସେହି କନ୍ୟାମାନଙ୍କ ଦର୍ଶନରେ ଏହି ଚନ୍ଦ୍ର ଚକୋର ଲକ୍ଷ୍ୟ ଉପମିତ ହେଲା-। ବିଦ୍ୟୁତ୍ ପ୍ରାୟ ସେମାନଙ୍କ ଜ୍ୟୋତି ଝଟକି ଅଳ୍ପ ସମୟ ପରେ ଅପସାରିତ ହେଲା । (ବିଦ୍ୟୁତ୍ କ୍ଷଣପ୍ରଭା–ସେହିପରି ଏମାନଙ୍କ ଉଜ୍ଜ୍ୱଳ କାନ୍ତି କ୍ଷଣକାଳ ରହି ଦୂର ହୋଇଗଲା ।)

୭୦ତମ ପଦ–ସେ ସମୟରେ ବଶିଷ୍ଠ ନିଜ ନାମରେ ଇକାର ବିଧାନ କରି (ବିଶିଷ୍ଠ) କହିଲେ, ସମସ୍ତ କନ୍ୟା ମଧ୍ୟରେ ଏମାନେ ବିଶିଷ୍ଟ ଅର୍ଥାତ୍ ପ୍ରଧାନ ।

୭୧ତମ ପଦ–ବାମଦେବ ଋଷି କହିଲେ, ‘‘ମହାଦେବ ଯାହା ତ୍ରିନେତ୍ର ଧାରଣ କରିଅଛନ୍ତି– ତା’ ସଫଳ ହେଲା । (ସେ ତିନି ନେତ୍ରରେ ଦେଖି ସନ୍ତୋଷ ଲାଭ କରିବେ–ଅନ୍ୟମାନେ ଦୁଇ ନେତ୍ରରେ ସେପରି ଦେଖିପାରିବେ ନାହିଁ) ।

୭୨ତମ ପଦ–ସେ କନ୍ୟାଙ୍କ ଶୋଭା ଦେଖି ପଣ୍ଡିତମାନଙ୍କ ମନ ତୋଷ ହେଲା । ଏ ଛାନ୍ଦ ବାସ୍ତରି ପଦରେ ଶେଷ ହେଲା ।